Unknown

 

 

 

 

 

 

 

 

 

 

ରୋହିତର ଡାଏରୀ

(ଷଷ୍ଠ ପର୍ବ)

ଚିତ୍ତରଞ୍ଜନ ଦାସ

 

–ସେହି ବିଦ୍ୟାଳୟକୁ ଆମେ ଜୀବନ ବିଦ୍ୟାଳୟ ବୋଲି କହୁଥିଲୁ । ଆମେ ସେଠାରେ ଏକାଠି ଏକ ବିଦ୍ୟାଳୟକୁ ଆଳ କରି ଜୀବନଟିଏ ବଞ୍ଚୁଥିଲୁ । କେଡ଼େ ଖୁସିରେ ଜୀବନଟିଏ ବଞ୍ଚୁଥିଲୁ । ପ୍ରକୃତି ଆମକୁ ସାହଚର୍ଯ୍ୟ ଦେଉଥିଲା । ଆମ ଭିତରକୁ ତଥା ବାହାରକୁ ବାଟ ଦେଖାଇ ନେଉଥିଲା । ସମସ୍ତେ ମିଶି ଆମେ ସତେଅବା ଗୋଟିଏ ଡୋର ପରି ଦିଶୁଥିଲୁ । ସେହି ଡୋର ସାହସ ଦେଉଥିଲା, ସଂକଳ୍ପଗୁଡ଼ିକୁ ସାକାର କରୁଥିଲା ।

 

ସେଠି ଅଶୀଜଣ ଭାଇଭଉଣୀଙ୍କ ଭିତରେ ମୁଁ ଜୀଇକରି ରହିଥିଲି । ସେମାନେ ମଧ୍ୟ ମୋ’ଭିତରେ ଜୀଇକରି ରହିଥିଲେ । ଏବେ ମଧ୍ୟ ସେହି ସମ୍ବନ୍ଧଟି ରହିଛି । ସେମାନେ ବଡ଼ ହେଲେଣି, ସଂସାର ଭିତରକୁ ଗଲେଣି । ତଥାପି ଆମେ କେହି କାହାରିକୁ ଛାଡ଼ିନାହୁଁ । ସେମାନେ ଆଜି ସମସ୍ତେ ମନେ ପଡ଼ୁଛନ୍ତି । ତିନୁଠାରୁ ତ୍ରିନାଥ ପର୍ଯ୍ୟନ୍ତ, ସୀତାନାଥ, ମଦନ ଓ କେଶବଙ୍କ ବାଟ ଦେଇ ଜିତେନ୍ଦ୍ର ଓ ପହଲି ପର୍ଯ୍ୟନ୍ତ ସମସ୍ତେ ମନେ ପଡ଼ୁଛନ୍ତି ।

 

ଡାଏରୀର ଏହି ପର୍ବଟିକୁ ମୁଁ ସେହିମାନଙ୍କ ହାତରେ ଅର୍ପଣ କରୁଛି । ସେହି ଜୀବନ–ବିଦ୍ୟାଳୟ ହାତରେ ଅର୍ପଣ କରୁଛି ।

 

–ଲେଖକ

Image

 

୧୩ । ୮ । ୬୦

 

ମଣିଷ ଭିତରେ ରହିଥିବା ଭୁଲଟାକୁ ତାଳକରି ଦେଖିବା ମୋର ପ୍ରକୃତି ବିରୁଦ୍ଧ । ଜନ୍ମହେବା ଆଗରୁ ଅର୍ଜିଥିବା କୌଣସି ଭୁଲକୁ ସାଙ୍ଗରେ ବାନ୍ଧି ମଣିଷ ସଂସାରକୁ ଆସେନାହିଁ । ଏହି ସଂସାରରେ ନାନାପ୍ରକାର ବାତାବରଣରେ ରହି ସେ ଭୁଲ ଶିଖେ, ଭଲ ମଧ୍ୟ ଶିଖେ । ସଂସାର ଭିତରେ ଆମେ ଭୁଲ୍‌ଟା ବିଷୟରେ ଏତେବେଶି ସଚେତ ହୋଇ ରହିଚୁ ଯେ ଆମେ ଅପର ମଣିଷର ଭଲଟାକୁ ଅଧିକ ବିକଶିତ ହେବାକୁ ଦେବାର କୌଣସି ଚେଷ୍ଟା ନକରି ପ୍ରଧାନତଃ ତା’ର ଭୁଲ୍‌ଟାକୁ ହିଁ ଖୁଣିବାକୁ ଶିଖୁ । ଆମେ ଏପରି କାହିଁକି କରୁ, ବିଭିନ୍ନ ମତବାଦର ମନୋବୈଜ୍ଞାନିକମାନେ ତାହାର ଭିନ୍ନ ଭିନ୍ନ କାରଣ ନିଶ୍ଚୟ ଦର୍ଶାଇବେ । ମାତ୍ର କାରଣ ଯାହା ହୋଇଥାଉ ପଛକେ, ଏପରି କରି ଆମେ ସଂସାରର କୌଣସି ଉପକାର କରୁନାହିଁ । ସବୁ ମଣିଷ ଭିତରେ ଯେ ଭଲ ରହିଚି, ସେହି ଭଲର ବିକାଶ ଲାଗି ଯଥୋଚିତ ଉତ୍ସାହ ଦେଇପାରିଲେ ଯେ ଭୁଲ ଗୁଡ଼ାକ ଆପେଆପେ ଦୂର ହୋଇଯିବ, ଏହି କଥାଟି ଉପରେ ଆମର ଆଉ କୌଣସି ବିଶ୍ଵାସ ରହେନାହିଁ । ମୋର ଆପଣାର ଭୁଲଗୁଡ଼ାକୁ ଲୁଚାଇ ରଖିବାରେ ହିଁ ମୋ’ ଜୀବନର ସବୁଠାରୁ ଅଧିକ ଶକ୍ତି ବ୍ୟୟିତ ହୁଏ । ଜୀବନ ବହିର ଅନେକ ପୃଷ୍ଠା ଓଲଟା ହୋଇପାରେ ନାହିଁ । ଜୀବନରେ କିଛି ସୃଷ୍ଟି କରି ପାରିବାର ସୌଭାଗ୍ୟ ମିଳେନାହିଁ । ମୁଁ ଭୁଲ୍‌କୁ ସମର୍ଥନ କରେନାହିଁ, କିନ୍ତୁ ଭୁଲକୁ ଜୀବନର କୌଣସି ଏକ positive ସାମଗ୍ରୀ ବୋଲି ବି ଗ୍ରହଣ କରେନାହିଁ । ଆଲୁଅ ଆସିଲେ ଅନ୍ଧାର ଚାଲିଯାଏ,—ମୁଁ ଏହି ସତ୍ୟଟି ଉପରେ ବିଶ୍ଵାସ କରେ । ମୁଁ ଆଲୁଅ ଉପରେ ବିଶ୍ଵାସ କରେ-। ଅନ୍ଧାର ଉପରେ ବକ୍ତୃତା ଦେବାକୁ ବା ଉପନ୍ୟାସ ଲେଖିବାକୁ ମୁଁ ମୋର ପ୍ରକୃତିବିରୁଦ୍ଧ ବୋଲି ମନେକରେ । ଆଲୁଅର ଅନୁପସ୍ଥିତିକୁ ହିଁ ମୁଁ ଅନ୍ଧାର ବୋଲି ଜାଣେ । ଭଗବାନଙ୍କୁ ମୁଁ ଏହି ଆଲୋକର ଆଧାର ବୋଲି ଅନୁଭବ କରେ ।

 

୧୪ । ୮ । ୬୦

 

ମୁଁ ଆଉ ରାଗିବି ନାହିଁ । ଆପଣା ମନର ବାର୍ଦ୍ଧକ୍ୟର ପରିଚୟ ଦେବିନାହିଁ । ମୁଁ ରାଗୁଚି, ଅର୍ଥାତ୍ ମୋର ହୃଦୟ ଭିତରଟା ଏପର୍ଯ୍ୟନ୍ତ ସ୍ନେହ ବା ପ୍ରେମର ଯୋଗ୍ୟ ହୋଇପାରି ନାହିଁ । ମଣିଷ ଲାଗି ଯୋଗ୍ୟ ହୋଇପାରି ନାହିଁ । ଦେବତା ଲାଗି ଯୋଗ୍ୟ ହେବା ତ ଅନେକ ଦୂରର କଥା ରହିଚି-। ରାଗିବାଟା ମଣିଷର ଗୁଣ ନୁହେଁ, ମଣିଷର ଦୁର୍ବଳତା । ମୋର ରାଗିବାଟା ମୋର ଦୁର୍ବଳତା । ମୋ’ ଭିତରେ ଏପର୍ଯ୍ୟନ୍ତ ଯେ ଯଥେଷ୍ଟ Humour ର ଅଭାବ ରହିଚି, ସଂସାରରେ ବିଭିନ୍ନ କଥାର ଆପେକ୍ଷିକ ମହତ୍ତ୍ଵକୁ ବୁଝିବା ଲାଗି ଯେ ଶକ୍ତିର ଅଭାବ ରହିଚି, ତାହାହିଁ ମୋର ଦୁର୍ବଳତା । ବାହାରେ ଉଗ୍ର ହୋଇ ବାହାନା କରି ମୁଁ ମୋର ସେହି ଅଭାବ ଓ ଦାରିଦ୍ର୍ୟକୁ ଘୋଡ଼ାଇ ରଖିବାକୁ ଚାହୁଚି । କିନ୍ତୁ ଘୋଡ଼ାଇ ରଖିବା କି କେତେବେଳେ ସମ୍ଭବ ହୁଏ ? ନିଜ ହୃଦୟ ଭିତରେ ତପ୍ତ ହୋଇ ବସିବାଦ୍ଵାରା ମୁଁ ଅପର ଉପରେ ଯେଉଁ ଅସନ୍ତୋଷ ପ୍ରକଟ କରିବାର ଅଭିନୟ କରେ, ତାହାରି ମୂଳରେ ମୋ’ର ଆପଣା ପ୍ରତି ଅନେକ ଅସନ୍ତୋଷ ଜମାହୋଇ ରହିଚି, ପ୍ରଚ୍ଛନ୍ନ ହୋଇ ରହିଚି । ଆପଣା ସହିତ ମୋର ସଖ୍ୟ ନାହିଁ, ଆପଣା ଉପରେ ମୁଁ ବଡ଼ ଅସନ୍ତୁଷ୍ଟ,–ଏକଥା ସ୍ଵୀକାର କରିବାଲାଗି ମୋର ସାହସ ନାହିଁ । ଏହାହିଁ ମୋର ପରମ ଦୁର୍ଗତି, ପରମ ଗତିଲାଗି ମୋର ପରମ ଅନ୍ତରାୟ । ରାଗି ସାରିବାପରେ ଯେତେବେଳେ ଆପଣା ବିଷର ଦାହନକୁ ମୁଁ ଆପଣା ଭିତରେ ଅନୁଭବ କରିବାକୁ ଆରମ୍ଭ କରେ, ମୋ’ ଆଖି ଆଗରେ ଏହି ଦୁର୍ଗତି ସେତିକିବେଳେ ଜଳଜଳ ହୋଇ ଦେଖାଯାଏ । ମୁଁ କେଉଁଠି ଅଟକି ରହିଚି, କେଉଁଠି ବାଟବଣା ହୋଇଚି, ସେ ସବୁକୁ ମୁଁ ଯେପରି ଆପଣାର ଆଖିଆଗରେ ଦେଖିବାକୁ ଲାଗେ । ଆପଣାପ୍ରତି ସହାନୁଭୂତି ଜାତ ହୁଏ । ଅପରପ୍ରତି ସହାନୁଭୂତି ରଖିବାର ବାଟ ମଧ୍ୟ ମୋତେ ସେତିକିବେଳେ ଦିଶିଯାଏ । ରାଗିବାକୁ ମୋର କୌଣସି ଅଧିକାର ନାହିଁ । କେବଳ ବୁଝିବାକୁ ଓ ଭଲପାଇବାକୁ ଅଧିକାର ରହିଚି । ଭିତରର ଦେବତା ମୋତେ ପୁଣିଥରେ ଏ ବିଷୟରେ ସାବଧାନ କରିଦିଏ ।

 

୧୫ । ୮ । ୬୦

 

ମୁଁ ସ୍ଵାଧୀନ ହେବାକୁ ଚାହେ । ସମାଜର ଶତସହସ୍ରଙ୍କଠାରୁ ମୋର ବନ୍ଧନକୁ ଛିନ୍ନ କରି ନୁହେଁ, ସେମାନଙ୍କ ସହିତ ନାନା ସ୍ନେହ ଓ କର୍ମସୂତ୍ରରେ ବାନ୍ଧିହୋଇ ରହିବାଲାଗି ମୁଁ ସ୍ଵାଧୀନ ହେବାକୁ ଚାହେ । ଏଦେଶର ଅନ୍ୟମାନଙ୍କଠାରୁ ଅର୍ଥ ଠକିନେଇ ମୋ’ ନିଜର ଅର୍ଥ ବଢ଼ାଇବା ଲାଗି ମୁଁ ସ୍ଵାଧୀନ ହେବାକୁ ଚାହେନାହିଁ, ମୋର ଦେହ ଓ ମସ୍ତିଷ୍କର ଶ୍ରମ ଦେଇ ମୋତେ ତଥା ସମସ୍ତଙ୍କୁ ଅଧିକ ସମ୍ପନ୍ନ କରିବାଲାଗି ମୁଁ ସ୍ଵାଧୀନ ହେବାକୁ ଚାହେ । ମୋ’ ଯୋଗ୍ୟତାକୁ ବିକ୍ରି କରି ଅଧିକ ବେତନ ପାଇବାଲାଗି ମୁଁ ସ୍ଵାଧୀନ ହେବାକୁ ଚାହେନାହିଁ । ମୋର ଶିକ୍ଷା ଓ ମୋର ଯୋଗ୍ୟତାକୁ ଅଧିକରୁ ଅଧିକ ଭାବରେ ସବୁରି ସାଧନ ହିସାବରେ ଲଗାଇବା ଲାଗି ମୁଁ ସ୍ଵାଧୀନ ହେବାକୁ ଚାହେ-। ମୋର ଶିକ୍ଷାକୁ ଅଧିକ ବିକଶିତ କରିବାଲାଗି ମୁଁ ସ୍ୱାଧୀନ ହେବାକୁ ଚାହେ । ଅନ୍ୟର ଘର ଅନ୍ଧାର ରଖି ଆପଣାର ଘରଟିକୁ ଆଲୁଅରେ ସଜାଇ ଦେବାକୁ ମୁଁ ସ୍ଵାଧୀନ ହେବାକୁ ଚାହେନାହିଁ-। ଆପଣାର ଦୀପଟିକୁ ନେଇ ଆହୁରି ଅନେକ ଦୀପ ଜଳାଇ ଦେବାଲାଗି ହିଁ ମୁଁ ସ୍ଵାଧୀନ ହେବାକୁ ଚାହେ । ଆପଣାର ବିଚ୍ଛିନ୍ନତା, ଆପଣାର ଅହଂକାର, ଓ ଆପଣାର ସ୍ଵାର୍ଥପାଶରୁ ମୁଁ ସ୍ଵାଧୀନ ହେବାକୁ ଚାହେ । ଆପଣାର ହୃଦୟରେ ଗୁଡ଼ାଇ ହୋଇଥିବା ଅଜଗର ସାପଗୁଡ଼ାକୁ କାଟି ପକାଇ ପାରିବା ଲାଗି ମୁଁ ସ୍ଵାଧୀନ ହେବାକୁ ଚାହେ । ଏ ଦେଶର ଆକାଶ, ପବନ, ଆଲୁଅ, ଏବଂ ସର୍ବୋପରି ଏ ଦେଶର ମଣିଷକୁ ଆପଣାର ବୋଲି ଗ୍ରହଣ କରିବା ସକାଶେ ମୁଁ ସ୍ଵାଧୀନ ହେବାକୁ ଚାହେ ।

 

୧୬ । ୮ । ୬୦

 

ସବୁ ମଣିଷ ମୋର ବନ୍ଧୁ, କିନ୍ତୁ ଆଳସ୍ୟ ମୋର ବନ୍ଧୁ ନୁହେଁ । ସେଥିଲାଗି ମୁଁ ମଣିଷ ଭିତରେ ସବୁ ସହିଯାଏ, କିନ୍ତୁ ଆଳସ୍ୟକୁ ସହିପାରେ ନାହିଁ । ମତବାଦ ନେଇ ମୁଁ କେବେହେଲେ କାହାରି ସହିତ କଳହ କରିବି ନାହିଁ, ମତବାଦ ସକାଶେ ମୁଁ ଆଉ କାହାକୁ କଦାପି ଅପଦାର୍ଥ ବୋଲି କହିବି ନାହିଁ । କିନ୍ତୁ ମୋ’ ଆପଣାର ମତବାଦକୁ ଗ୍ରହଣ କରିଚି ବୋଲି କହୁଥିବା ମଣିଷ ଭିତରେ ଆଳସ୍ୟଲାଗି ଆଗ୍ରହ ଦେଖିଲେ ହିଁ ମୁଁ ତାକୁ ଅପଦାର୍ଥ ବୋଲି ଅବଶ୍ୟ କହିବି । ଅନେକ ଲୋକ ଆପଣାର ଶରୀର ଓ ମନକୁ ନାନାବିଧ ଆଳସ୍ୟରେ ବେଶଭୂଷା କରି ରଖିବାକୁ ଭାରି ଭଲ ପାଆନ୍ତି । ନୂଆ ଅଭ୍ୟାସ ବା ଆଧୁନିକତା ଶିଖିବା ନାଆଁରେ ସେମାନେ ଅନେକ ଆଳସ୍ୟକୁ ଡାକିଆଣନ୍ତି, ପୁରୁଣା ବିଚାର ଏବଂ ଜୀବନ ଧାରାକୁ ଛାଡ଼ିବାର ବାହାନା ଦେଖାଇ ଅନେକେ ଆପଣାର ବିଚାରଶକ୍ତିକୁ ଅଳସୁଆ କରି ରଖନ୍ତି । ସେଇମାନଙ୍କର ଜୀବନ ଉପରେ ଆଖି ପକାଇଲେ ଜୀବନଟା ପ୍ରଧାନତଃ ଏକ ବୋଝ ବୋଲି ଭ୍ରମ ହେବାକୁ ଲାଗେ । ଜୀବନର ଖୁସିକୁ କେବଳ ମିଥ୍ୟା ବୋଲି ଭ୍ରମ ହୁଏ । ମନେହୁଏ, ସତେ ଯେପରି ମଣିଷ ଏହି ଜଗତକୁ ଆସିବାକୁ ଚାହୁ ନ ଥିଲା, ସତେ ଯେପରି ତାକୁ ବାଧ୍ୟ କରି ଏହି ଜଗତକୁ ପଠାଇ ଦିଆଯାଇଚି, ବାଧ୍ୟ କରି ତାକୁ ଏ ଜଗତର ଜୁଆଳିରେ ବାନ୍ଧି ଦିଆଯାଇଚି । ତେଣୁ ଜୀବନ ବଞ୍ଚିବାର ଅର୍ଥ ହେଉଚି, ଯେତିକି ଅବଶ୍ୟ କର୍ତ୍ତବ୍ୟ, ବାଧ୍ୟ ହୋଇ କେବଳ ସେତିକି କରିବା । ଏହିପରି ଜୀବନାଚରଣ ଦେଖିଲେ ହଠାତ୍‍ ମୁଁ କିଛି ବୁଝିପାରେ ନାହିଁ । ମୁଁ ଭାବେ, ଏହି ସଂସାରରେ କ’ଣ ସେମାନେ କୌଣସି ଶୋଭା ଦେଖିନାହାନ୍ତି । ସେମାନେ କ’ଣ ଜୀବନରେ କିଛି ହେଲେ ପାଇନାହାନ୍ତି, କୌଣସି ପ୍ରକାରେ ମୁଗ୍‍ଧ ହୋଇନାହାନ୍ତି ? ମୁଁ ଜାଣେ, ମୁଁ ନିଜେ ଏହି ସଂସାରରୁ ଅନେକ କିଛି ପାଇଚି, ଏ ଜୀବନରୁ ଅନେକ କିଛି ପାଇଚି । ସକାଳ ଓ ସଞ୍ଜଠାରୁ ପାଇଚି, ଆଲୁଅ ଓ ପବନଠାରୁ ପାଇଚି, ମଣିଷଠାରୁ ପାଇଚି । ତେଣୁ ଏହି ସଂସାରରେ ବଞ୍ଚିବାର ଅର୍ଥ ହେଉଚି ଏହି ସମସ୍ତ ପାଇବା ଲାଗି କୃତଜ୍ଞତା ଜ୍ଞାପନ କରିବା, ସବୁରି ଲାଗି ଜୀବନ ବଞ୍ଚିବା, ଆପଣା ଜୀବନର ମୁହୂର୍ତ୍ତ ଗୁଡ଼ିକୁ ପରିପୂର୍ଣ୍ଣ ଭାବେ ନାନା କର୍ମ ଓ ନାନା ବ୍ରତରେ ସମର୍ପିତ କରି ରଖିବା । ସେଥିଲାଗି ମୁଁ ଆପଣାର ଜୀବନରେ ଆଳସ୍ୟ ଲାଗି କୌଣସି ସ୍ଥାନ ରଖିପାରେ ନାହିଁ । ଅଳସୁଆ ହୋଇ ବସିଗଲେ ଆପଣାକୁ ଅପରାଧୀ ବୋଲି ମନେହୁଏ । ମୋ’ ହେତୁ ସଂସାରରେ କେଉଁଠି କିଛି ଅସୁନ୍ଦର ହୋଇ ପଡ଼ିରହିଲେ ମୁଁ ଭାରି ଅଶାନ୍ତ ଅନୁଭବ କରେ । ତତ୍‌କ୍ଷଣାତ୍ ଯାଇ ତାହାକୁ ସଜାଡ଼ି ସୁନ୍ଦର କରିଦେଇ ଆସିବାକୁ ମୁଁ ଉଚ୍ଛନ୍ନ ହୁଏ, ମୁଁ ଉତ୍କଣ୍ଠିତ ହୋଇଉଠେ ।

 

୧୭ । ୮ । ୬୦

 

ଛାତ୍ରର ଆଗ୍ରହ ବଢ଼ିଲେ ଶିକ୍ଷକର ମଧ୍ୟ ଆଗ୍ରହ ବଢ଼େ । ପ୍ରକୃତ ଛାତ୍ର ବାଟଭୁଲା ଶିକ୍ଷକକୁ ବାଟ ବତାଇଦିଏ । ଅନେକ ସମୟରେ ଯେତେବେଳେ ଛାତ୍ର ଅଳପକରେ ସନ୍ତୁଷ୍ଟ ହୋଇ ରହେ, ନାନା ଆଳସ୍ୟର ଦୌରାତ୍ମ୍ୟ ଭିତରେ ଯେତେବେଳେ ସେ ବୃଦ୍ଧ ହୋଇ ବସିରହେ, ସେତେବେଳେ ତା’ର ଶିକ୍ଷକ ମଧ୍ୟ ତା’ର ସମ୍ପର୍କରେ ଆସି ଅଳସୁଆ ହୋଇଯାଏ । ସିଏ ବି ତା’ ଛାତ୍ରପରି ବୁଢ଼ା ହେବାକୁ ଲାଗେ । ଛାତ୍ର ଯେତିକି ଚାହୁଚି, ତା’ଠାରୁ ଅଧିକ ଦେବାର ଆବଶ୍ୟକତାକୁ ମଧ୍ୟ ସେ କ୍ରମେ ଭୁଲିଯାଏ । ଅଧିକ ଦେବାର ଆବଶ୍ୟକତାକୁ ଭୁଲିଯିବା ସଙ୍ଗେ ସଙ୍ଗେ ଅଧିକ ସଂଗ୍ରହ କରି ରଖିବାର ଆବଶ୍ୟକତାଟି ମଧ୍ୟ ତାକୁ ଏକ ଅତ୍ୟାବଶ୍ୟକତା ବୋଲି ବୋଧ ହୁଏନାହିଁ । ସେ ଆଉ କିଛି ପଢ଼େନାହିଁ । ଏ ବର୍ଷ ଯେତିକିରେ କାମ ଚଳାଇଥିଲା, ଆର ବର୍ଷକୁ ମଧ୍ୟ ସେତିକିରେ କାମ ଚଳାଇଦେବ ବୋଲି ଭାବେ । ତା’ର ଜ୍ଞାନ ତା’ର କେତୋଟି ଖାତାର ନୋଟ୍‍ ଭିତରେ ଆବଦ୍ଧ ହୋଇରହେ । ପିଲାମାନଙ୍କୁ ସେହି ନୋଟ୍‍ ଡାକିଦେଇ ସେ ବେଶ୍ ସନ୍ତୁଷ୍ଟ ହୋଇଯାଏ । ଛାତ୍ରମାନେ ମଧ୍ୟ ନିଶ୍ଚିନ୍ତ ହୁଅନ୍ତି । କିନ୍ତୁ ଏହାଦ୍ଵାରା ସକଳ ଶିକ୍ଷା କେବଳ ଏକ ଗର୍ଦ୍ଦଭ ବୃତ୍ତିରେ ପରିଣତ ହୁଏ । ମାତ୍ର ଯେଉଁଠି ଛାତ୍ର ଅଧିକରୁ ଅଧିକ ଜାଣିବା ଲାଗି ଆଗ୍ରହ ପ୍ରକାଶ କରେ, କେବଳ କ୍ଳାସ୍‌ର ପାଠରେ ସନ୍ତୁଷ୍ଟ ନହୋଇ ଯେଉଁଠି ସେ କ୍ଲାସ୍‍ ବାହାରେ ମଧ୍ୟ ସେହିସବୁ ପାଠ ବିଷୟରେ ଚିନ୍ତା କରିବାକୁ ଆରମ୍ଭ କରେ, ଯେଉଁଠି ସେ ଆପଣା ଜୀବନରେ କ୍ଳାସ୍‌ରେ ଆଲୋଚିତ ହୋଇଥିବା ସମସ୍ୟା ଗୁଡ଼ିକର ସମ୍ମୁଖୀନ ହୁଏ, ଆପଣାର ଅସନ୍ତୋଷ, ଅର୍ଥାତ୍ ଅଧିକ ଜାଣିବାର ଇଚ୍ଛା ନେଇ ସେ ଯେଉଁଠି ଶିକ୍ଷକ ପାଖକୁ ଆସେ, ସେଠି ଅଳସୁଆ ହୋଇ ବସି ରହିବାକୁ ଶିକ୍ଷକର ଆଉ ବାଟ ନ ଥାଏ । ସେଠି ଶିକ୍ଷକ ମଧ୍ୟ ଅଧିକ ଆଗ୍ରହ ନେଇ ଅଧିକ ଜାଣିବା ଲାଗି ଅଗ୍ରସର ହୁଏ ।

 

୧୮ । ୮ । ୬୦

 

ଅମୁକ ମଣିଷ ମୋର ନିନ୍ଦା କଲା, ଅମୁକ ମଣିଷ ମୋ’ ନାଆଁରେ ଖରାପ କରି କହିଲା, ଏଥିଲାଗି ମନ ଖରାପ କରି କହିଲା, ଏଥିଲାଗି ମନ ଖରାପ କରି ବସିବାକୁ ମୋର ବେଳ ନାହିଁ । ମୁଁ ଜାଣେ ସଂସାରରେ ମୁଁ ସମସ୍ତଙ୍କୁ ସନ୍ତୁଷ୍ଟ କରିପାରିବି ନାହିଁ । ବିଶେଷତଃ ଯେଉଁମାନେ ସଂସାରଟାକୁ କେବଳ ଆପଣାର କର୍ତ୍ତୃତ୍ଵ ବା ଆପଣା କ୍ଷମତାର ଚଷମା ଭିତର ଦେଇ ଦେଖନ୍ତି, ସେମାନଙ୍କୁ ମୁଁ କଦାପି ସନ୍ତୁଷ୍ଟ କରିପାରିବି ନାହିଁ । ସେମାନଙ୍କୁ ଦେଖି ମୋତେ ବରଂ ହସ ମାଡ଼ିବ ସିନା, ମାତ୍ର ସେମାନଙ୍କର କଥା ମାନିବାକୁ ମୋର ଆଦୌ ମନ ହେବନାହିଁ । ତେଣୁ ସମସ୍ତଙ୍କୁ ଖୁସି କରି ସମସ୍ତଙ୍କର ମନ ନେବାର ଦୀର୍ଘ ମରଣାନ୍ତକ ବାଟକୁ ମୁଁ କେଉଁଦିନୁଁ ଛାଡ଼ିଦେଇ ଆସିଚି । ମୋ’ ନାଆଁରେ କିଏ କୋଉଠି କଅଣ କାହା ଆଗରେ କହିଲା, ମୋତେ ଅତ୍ୟନ୍ତ ତୁଚ୍ଛ କରି ଦେଖାଇବାକୁ ଚେଷ୍ଟା କଲା, ଏସବୁ ଶୁଣିବାବେଳେ ମୋତେ ଆଦୌ ଖରାପ ଲାଗେନାହିଁ, ମୁଣ୍ଡଭିତରେ ଜ୍ଵର ବି ଧରିଯାଏ ନାହିଁ । ଅଧୀର ହୋଇ ତା’ପାଖକୁ ଦଉଡ଼ି ଯିବାକୁ ମୁଁ କୌଣସି ଆଗ୍ରହ ପ୍ରକାଶ କରେନାହିଁ । ଯିଏ ମୋର ନିନ୍ଦା କରି ଖୁସି ହେଉଚି, ସେ ଖୁସି ହେଉଥାଉ । ମୁଁ ଜାଣେ ଯେ ମୋ’ଭିତରେ ଅନେକ ଭୁଲ ଅଛି । ମୁଁ ନିଜେ ମଧ୍ୟ ଆପଣା ଉପରେ ସନ୍ତୁଷ୍ଟ ହୋଇ ରହିପାରେ ନାହିଁ । ସେଥିଲାଗି ମୁଁ ଆପଣାକୁ ଘଷି ମାଜି ବଦଳାଇ ଅଧିକ ଯୋଗ୍ୟ କରିବାରେ ଲାଗିଥାଏ । ତେଣୁ ଅନ୍ୟ ଜଣେ ମୋତେ ଖୁଣିଲା ବୋଲି ମୁଁ ବ୍ୟସ୍ତ ହୋଇ ପଡ଼ିବି କାହିଁକି ? ମୁଁ ବ୍ୟସ୍ତ ହେବି ନାହିଁ କି ଭୀତ ହେବିନାହିଁ । କାରଣ ମୁଁ ଜାଣେ ଯେ, ଯାହା ବଦଳିବାର କଥା, ତାହା ମୋ’ଭିତରେ ହିଁ ବଦଳିବ । ମାତ୍ର ଆଉ କାହାକୁ ଯାଇ ସନ୍ତୁଷ୍ଟ କଲେ ମୋ’ ଭିତରେ କଦାପି କୌଣସି ପରିବର୍ତ୍ତନ ହେବନାହିଁ । ତେଣୁ ନୀରବ ଅର୍ଥାତ୍ ଅବିଚଳିତ ଭାବରେ ଆପଣାର ସବୁ ବୋଧ ଓ ସବୁ ବୁଦ୍ଧି ସହିତ ଆପଣାକୁ ନେଇ ସତତ ପ୍ରୟୋଗ କରାଯିବା ବ୍ୟତୀତ ଆଉ ଅନ୍ୟ ବାଟ ନାହିଁ । ଜୀବନରେ କିଛି ପାଇବାକୁ ହେବ, କିଛି ଦେଖିବାକୁ ହେବ, ଉପର ପରସ୍ତର ଭିତରକୁ ଭେଦ କରି କିଛି ଅନୁଭବ କରିବାକୁ ହେବ । ଏହି ସମଗ୍ର ସଂସାର ଭିତରେ ଆପଣାର ପୁତ୍ରତ୍ୱକୁ ପ୍ରତିଷ୍ଠିତ କରିବାକୁ ହେବ । କର୍ତ୍ତୃତ୍ଵ ଦେଖାଇ ନୁହେଁ, ଆପଣାକୁ ସମର୍ପିତ କରିବାର ମାଧ୍ୟମରେ ତାହା କରିବାକୁ ହେବ-

 

୧୯ । ୮ । ୬୦

 

କାଲି ବରଷାର ଗମ୍ଭୀର ଆକାଶକୁ ଅନାଇ ରହିଥିବା ସମୟରେ ହଠାତ୍ ଭିତରୁ କିଏ କହିଲା; ମୋର ଜଣେ ଗୁରୁ ଦରକାର । ପ୍ରାୟ ଅଧଘଣ୍ଟାଏ ପର୍ଯ୍ୟନ୍ତ ମୁଁ କେବଳ ଏହି ପ୍ରଶ୍ନଟିକୁ ହିଁ ଆପଣା ଭିତରେ ଅନୁଭବ କରୁଥିଲି । ହଁ, ମୋର ଜଣେ ଗୁରୁ ଦରକାର, କିନ୍ତୁ ଗୁରୁଭଳି ଗୁରୁ ଦରକାର । ମୋର ପୋଲିସ୍ ଗୁରୁ ଦରକାର ନାହିଁ, ଯିଏ କେବଳ ଶାସନ ଦଣ୍ଡର ଧମକ ମୋତେ ଭଲ ବାଟରେ ଚଳାଇ ରଖିବାକୁ ଚେଷ୍ଟା କରୁଥିବ । ମୋର ଉତ୍ପୀଡ଼କ ଗୁରୁ ଦରକାର ନାହିଁ, ଯିଏ କେବଳ ଭୟ ଦେଖାଇ ମୋତେ ଭଲ ପଥରେ ମାଟି କାମୁଡ଼ି ରହିବାକୁ ବଣା କରି ରଖିବ । ମୋର ସମ୍ପ୍ରଦାୟୀ ଗୁରୁ ଦରକାର ନାହିଁ, ଯିଏ ଆପଣାର ସମ୍ପ୍ରଦାୟ ପ୍ରତି ନିଷ୍ଠାପର ରହିବା ନାଆଁରେ ମୋତେ ଅନ୍ୟ ସକଳ ସମ୍ପ୍ରଦାୟକୁ ଘୃଣା କରିବାକୁ ଶିଖାଇବ । ଏପରି ଏକ ଗୁରୁର ହାତ ଧରି ବାଟ ଚାଲିବା ଶତଗୁଣେ ଶ୍ରେୟସ୍କର । ସଂସାରର ଅନେକ ଲୋକ ଗୁରୁର କାର୍ଯ୍ୟ କରୁଚନ୍ତି, ଅନେକ ଲୋକ ଗୁରୁର ଭେକ ଧରିଚନ୍ତି, କିନ୍ତୁ ହୃଦୟକୁ ସ୍ପର୍ଶ କରି ପାରିବାର ଗୁରୁ କେତେଜଣ ଅଛନ୍ତି ? ଆପଣା ଆଲୋକ ଓ ଆପଣା ଶକ୍ତିର ପରିଚୟ ଦେଇଯିବାର ଗୁରୁ କେତେଜଣ ଅଛନ୍ତି ? ଅନୁଭବ କରିଥିବା ଗୁରୁ କେତେଜଣ ଅଛନ୍ତି ? ଗୁରୁର ହାତଧରି ମୁଁ ସେହି ଉନ୍ମୁକ୍ତ ଜୀବନର ବ୍ୟାପ୍ତି ଭିତରକୁ ଯିବାପାଇଁ ରାଜି ଅଛି, ଯେଉଁଠି ଆଲୁଅ ଓ ପବନକୁ ସିଧା ଅନୁଭବ କରିବା ସମ୍ଭବ ହେବ । କିନ୍ତୁ ଗୁରୁର ଆଶ୍ରା ଧରି ମୁଁ କୌଣସି ସମ୍ପ୍ରଦାୟ ବା ସଙ୍କୀର୍ଣ୍ଣତାର ସିନ୍ଦୁକ ବା ଗୁମ୍ଫା ଭିତରେ ପଶିବାକୁ ରାଜି ନାହିଁ ।

 

୨୦ । ୮ । ୬୦

 

ସଂସାରରେ ମୁଁ ଯେତିକି ବେଶି ଗୁରୁ ଦେଖିଚି, ସେତିକି ବେଶି ନିରାଶ ହୋଇଚି । ବାଟ ବତାଇ ଦେବାର ଗୁରୁ ଖୋଜିବାକୁ ଯାଇ ମୂଳତଃ ବାଟ ବନ୍ଦ କରିଦେବାର ଗୁରୁ ସହିତ ସାକ୍ଷାତ ହୋଇଚି । କୋଉଠି କିଏ ସମ୍ପ୍ରଦାୟର ପାଚେରୀ ଠିଆ କରି ବସିଚି, କୋଉଠି କିଏ ଆଦର୍ଶବାଦକୁ ଚାରିପାଖର ବନ୍ଧ ପରି କରି ଆପଣାର ଭାବମୟ ଜୀବନକୁ ଛୋଟ ଜଳାଶୟଟିଏ ପରି କରି ରଖିଚି, ଆଉ କିଏ ଗୁଡ଼ାଏ ଆଚାର ଓ ନୀତିବାଦକୁ ପୁଡ଼ାଟିଏ କରି ବାନ୍ଧି ମୁଣ୍ଡ ଉପରକୁ ଟେକି ଦେବାକୁ ବାହାରିଚି । କିନ୍ତୁ ମୋ’ଭିତରେ ଯେଉଁ ଜିଜ୍ଞାସୁ ତରୁଣ ଶିଷ୍ୟର କୌଣସି ସମ୍ପ୍ରଦାୟ ନାହିଁ, କୌଣସି ଆଦର୍ଶବାଦ ବା ନୀତିବାଦର ପାଚେରୀ ଠିଆକରି ତାହାରି ଭିତରେ ଉଗ୍ର ହୋଇ ବସିବା ଲାଗି କୌଣସି ଲାଳସା ନାହିଁ, ସିଏ ଏ ସବୁଥିରେ ଭୁଲିବ କିପରି ? ସିଏ କେବଳ ଆପଣା ବାଟରେ ଚାଲିଯିବାକୁ ହିଁ ଚାହୁଚି, ଆପଣାକୁ ପ୍ରକାଶ କରିବାକୁ ଚାହୁଚି, ଆପଣା ସହିତ ସାକ୍ଷାତ୍‌କାର କରିବାକୁ ଚାହୁଚି । ସେଇ ଏହି ସଂସାରରେ ଗୁରୁ ଖୋଜି ବାହାରିଚି । କିନ୍ତୁ ତାକୁ ଶିଷ୍ୟରୂପେ ସ୍ଵୀକାର କରିବାଲାଗି ସଂସାରରେ ଗୁରୁ କାହାନ୍ତି ? ମୁଁ ଯାହା ଚାହୁଚି, ମୋତେ ସେଇଥିଲାଗି ବାଟ ବତାଇ ଦେବାକୁ ଗୁରୁ କାହାନ୍ତି ? ଯେଉଁ କସ୍ତୁରୀର ବାସରେ ମୁଁ ଇତସ୍ତତଃ ଭ୍ରମି ବୁଲୁଚି, ମୋ’ରି ଆପଣା ଭିତରେ ମୋତେ ସେହି କସ୍ତୁରୀର ଠାବ କରାଇ ଦେବାଲାଗି ଗୁରୁ କାହାନ୍ତି ? କୌଣସି ଚିତା, କୌଣସି ତିଳକ ବା କୌଣସି କପଡ଼ାରେ ମୋତେ ଦୀକ୍ଷା ଦେଇ ମୋତେ ସ୍ଵଧର୍ମଭ୍ରଷ୍ଟ କରିଦେବାର ଗୁରୁ ମୁଁ ଖୋଜୁନାହିଁ । ଗୁରୁ ସାହାଯ୍ୟରେ ଭ୍ରଷ୍ଟ ହେବାର ଦୁର୍ଦ୍ଦଶା ଭୋଗ କରିବାକୁ ମୁଁ ଆଦୌ ଉତ୍ସାହୀ ନୁହେଁ । ତଥାପି ମୋ’ ଭିତରେ ମୁଁ ଯେପରି ଆଉ କାହାରି ସାହାଯ୍ୟ ଲୋଡ଼ୁଚି, କିଏ ହାତ ବଢ଼ାଇ ବାଟ କଢ଼ାଇ ନେବ ବୋଲି ମୁଁ ଯେପରି ଶୂନ୍ୟକୁ ହାତ ବଢ଼ାଇ ବସିଚି । ଯିଏ ମୋତେ ଚିହ୍ନିବ, ମୋର ମନକୁ ସମଗ୍ର କରି ଜାଣିବ, ମୋତେ ବାଟ ବତାଇଦେବ ! ମୋର ଦୋଷଗୁଡ଼ାକୁ ନଖୁଣି ଯିଏ ମୋର ସବୁ ଶକ୍ତିକୁ ସୁଯୋଗ୍ୟ ସ୍ଵଧର୍ମୋଚିତ ବାଟରେ ମୁହାଁଇଦେବାକୁ ଆଗଭର ହୋଇ ଆସିବ । ଯିଏ ମୋତେ ଆତ୍ମସାତ୍ କରିବାକୁ ଆସିବ ନାହିଁ, ଆତ୍ମପରିଚୟର ବାଟରେ ମୋତେ ଆଗକୁ ବଢ଼ାଇ ଦେବାକୁ ଆସିବ । ମୁଁ ମୋ’ରି ବାଟରେ ଗଲେ ଯିଏ ଖୁସି ହେବ, ଯିଏ ମୋ’ ଭିତରେ ରହିଥିବା ପଥଯାତ୍ରୀକୁ ଚିହ୍ନିପାରିବ, ଯିଏ ତାହାକୁ ହିଁ ବଳ ଦେବ, ତାହାକୁ ହିଁ ସଂଖ୍ୟ ଦେବ । ସଂସାରରେ ଜଣେ ବଡ଼ ଗୁରୁକୁ ଆଦରି ନେଇ ମୁଁ ନିଶ୍ଚିନ୍ତ ହୋଇ ବସିଯିବାକୁ ଚାହେନାହିଁ । ଏକ ବଡ଼ ଶିଷ୍ୟତ୍ଵର ତାବିଜ ବାନ୍ଧି ମୁଁ ଅଳସୁଆ ହୋଇ ରହିବାକୁ ଚାହେନାହିଁ । ସବୁ ପାଇଲି ବୋଲି ଭ୍ରମରେ ବୁଡ଼ିଯିବାକୁ ଚାହେନାହିଁ । ମୁଁ ଆହୁରି ଆଗକୁ ଯିବାକୁ ଚାହେ, ଗୁରୁର ପ୍ରାଚୀର ଭାଙ୍ଗି ଆହୁରି ଆଗକୁ ଯିବାକୁ ଚାହେ । ଏହି ଆଚାରହୀନତାକୁ ସହିବା ଲାଗି ଯିଏ ରାଜି ଅଛି, ସେଇ ମୋର ଗୁରୁ ହୋଇପାରିବ ।

 

୨୧ । ୮ । ୬୦

 

ଆଚାର ଶିଖାଇବାର ଗୁରୁ ଅନେକ ମିଳିବେ, କିନ୍ତୁ ଅନ୍ତର ଖୋଲାଇବାର ଗୁରୁ ହିଁ ମୋର ଦରକାର । ଯିଏ ଆଚାରକୁ ଧର୍ମର ସର୍ବପ୍ରଧାନ ଅବୟବ ବୋଲି ସ୍ଵୀକାର କରେ, ସିଏ ଅନ୍ତରକୁ ହୁଏତ ସ୍ଵୀକାର ମଧ୍ୟ କରେନାହିଁ । ମଣିଷର ଭିତରେ ଯେ କୌଣସି ଅମୂଲ୍ୟ ସମ୍ପଦ ଅପେକ୍ଷା କରି ରହିଚି, ସିଏ ସେକଥା ସ୍ଵୀକାର କରେନାହିଁ । ଆଗ ମାନିନିଅ, ଆଗ ଆଖି ବୁଜିଦିଅ, ସମ୍ପ୍ରଦାୟ ବା ମତବାଦର ଆୟତନ ଭିତରେ ଆସି ଭର୍ତ୍ତି ହୋଇଯାଅ, ତେବେ ଧର୍ମ ବଢ଼ିବ,–ସଂସାରରେ ଅନେକ ଗୁରୁଙ୍କର ଏହିପରି ଅନ୍ଧବିଶ୍ଵାସ ରହିଚି । ଆପଣାର ସମସ୍ତ ଧର୍ମବାଟରୁ ଚ୍ୟୁତ ହେଲାପରେ ସେମାନେ ଏହି ଅନ୍ଧବିଶ୍ଵାସକୁ ହିଁ ଲାଖିକରି ରହିଚନ୍ତି । ସେଠାରେ ମୋ’ଭଳି ଜଣେ ଅମାନିଆ ଶିଷ୍ୟଲାଗି କୌଣସି ସ୍ଥାନ ନାହିଁ । ସେକଥା ମୁଁ ଭଲକରି ଜାଣିଚି । ତେଣୁ ସେପରି କୌଣସି ଗୁରୁଙ୍କୁ ନିଜର ଗୁରୁରୂପେ ଗ୍ରହଣ କରିବାର ଦୁରାଶା ମୁଁ କେବେହେଲେ ପୋଷଣ କରିନାହିଁ । ତା’ ଅପେକ୍ଷା ଆପଣାର ଏହି ବାଟ ଚାଲିବା ଯଥେଷ୍ଟ ଭଲ । ଏକାକୀ ଯାଉଯାଉ ବାଟରେ ଝୁଣ୍ଟିପଡ଼ି ପୁଣି ଆପଣାବଳରେ ଉଠି ବାଟ ଚାଲିବାକୁ ମନ ବଳାଇବା ଯଥେଷ୍ଟ ଭଲ । ଏହି ପୃଥିବୀର ସକାଳ, ସନ୍ଧ୍ୟା, ଆଲୁଅ ଓ ପବନକୁ ଅନୁଭବ କରି ଆପଣାର ଅନ୍ତରଭିତରେ କବାଟ ଖୋଲିବାକୁ ଚେଷ୍ଟା କରିବା ଯଥେଷ୍ଟ ଭଲ । ମଣିଷଙ୍କ ଭିତରେ ମଣିଷ ହୋଇ ରହି ତଥାପି ଅପର କୌଣସି ମଣିଷକୁ ଆପଣାର ସାଧନ ବା ସାମଗ୍ରୀ ପରି ବ୍ୟବହାର ନକରିବାକୁ ଚେଷ୍ଟା କରିବା ଯଥେଷ୍ଟ ଭଲ । ମୁଁ ଏହାକୁ ହିଁ ପଥ ବୋଲି ସ୍ଵୀକାର କରିନେଇଚି । ଅନ୍ୟପଥରେ ମନ ନବୁଝିଲା ପର୍ଯ୍ୟନ୍ତ ମୋର ସ୍ଵକୀୟ ସ୍ଵଧର୍ମପଥ ହୋଇ ରହିଚି ।

 

୨୨ । ୮ । ୬୦

 

କାହାରିଠାରୁ ମୋର କିଛି ଦରକାର ନାହିଁ । ଏହି ଜୀବନର ବିଧାତାଙ୍କଠାରୁ ମୁଁ କିଛି ମାଗୁନାହିଁ । ଧନ ମାଗୁନାହିଁ କି ସମ୍ପତ୍ତି ମାଗୁନାହିଁ । ପ୍ରଶଂସା ମାଗୁନାହିଁ କି ସମ୍ମାନ ମାଗୁନାହିଁ । କେବଳ ଭରସା ମାଗୁଚି, କେବଳ ବିଶ୍ଵାସ ମାଗୁଚି । ସବୁଦିନ ସକାଳେ ବିଛଣାରୁ ଉଠି ମୁଁ ସେହି ବିଧାତାଙ୍କୁ ସେପରି ଆପଣାର ଜୀବନରେ ଗ୍ରହଣ କରି ନେଇପାରେ, ସବୁଦିନେ ଶଯ୍ୟାଗ୍ରହଣ କରିବା ଆଗରୁ ମୁଁ ଆପଣାକୁ ଯେପରି ତାଙ୍କରି କୋଳରେ ସମର୍ପଣ କରି ଦେଇପାରେ ! ସବୁ ମଣିଷର ହୃଦୟ ଭିତରେ ମୁଁ ଯେପରି ତାହାଙ୍କୁ ହିଁ ଅନୁଭବ କରିପାରେ । ଅତି ସ୍ଵାଭାବିକ ଭାବରେ ମୁଁ ଯେପରି ଏସବୁ କରିବାଲାଗି ସମର୍ଥ ହୋଇପାରେ ! ମୋର ଏତିକି ଭରସା ଦରକାର । ଏହି ଭରସାର ଅଧିକାରୀ ହେବାଲାଗି ମୁଁ ସବୁ କରିବାକୁ ପ୍ରସ୍ତୁତ ଅଛି । ଏହାହିଁ ମୋର ସ୍ଵଧର୍ମ । ମୁଁ ଏହି ବାଟରେ ଶେଷଯାଏ ଯିବାଲାଗି ପ୍ରସ୍ତୁତ ଅଛି । ଯେଉଁ ଗୁରୁ ମୋର ହାତ ଧରି ମୋତେ ସେହିବାଟରେ ନେଇଯିବାକୁ ଆସୁଚି, ମୁଁ ତାହାରି ସହିତ ଯିବାଲାଗି ପ୍ରସ୍ତୁତ ହୋଇ ରହିଚି । ମୋର ସବୁ ଦୁଃଖ, ସବୁ ସନ୍ତାପ ଓ ମନସ୍ତାପ ସତ୍ତ୍ୱେ ମୁଁ ପ୍ରସ୍ତୁତ ହୋଇ ରହିଚି । ମୋର ସମସ୍ତ ବିକ୍ଷେପ ଓ ବିଭ୍ରମ ସତ୍ତ୍ୱେ ମୁଁ ପ୍ରସ୍ତୁତ ହୋଇ ରହିଚି । ହେ ଗୁରୁ, ତୁମେ ମୋତେ ହାତ ଧରି ନେଇଯାଅ ! ହେ ସଙ୍ଗୀ, ତୁମେ ମୋତେ ଆହ୍ଵାନ ଦେଇ ନେଇଯାଅ ! ମୋତେ ଏ ଜାଲରୁ ମୁକ୍ତ କର । ଏହି ଲୋଭରୁ ମୁକ୍ତ କର । ଏପରି ଅରକ୍ଷିତ ହୋଇ ରହିବାର ଦାରୁଣ ଦୁର୍ଭାଗ୍ୟରୁ ମୋତେ ଉଦ୍ଧାର କରି ନେଇଯାଅ । ଭିତରେ ମୋ’ର ହୃଦୟ ବଡ଼ ବିଚଳିତ ହୋଇ ପଡ଼ିଚି, କାରଣ ସିଏ ଭାରି ଭରସାହୀନ ହୋଇପଡ଼ିଚି । ତୁମେ ମୋତେ ସେହି ଭରସା ଦେଇଯାଅ ! ତୁମରି ବାଟ ଦେଇ ମୁଁ ଜୀବନବିଧାତାର ଭରସା ପାଏ, ତୁମରି ହାତ ଧରି ମୁଁ ଆପଣା ବାଟରେ ଚାଲିବାର ବିଶ୍ଵାସ ଅର୍ଜନ କରେ । ତୁମେ ମୋତେ ଭଲ ପାଇବାର ଶକ୍ତି ଦିଅ, ସ୍ଵୀକାର କରିବାର ଶକ୍ତି ଦିଅ, ସମସ୍ତ ଶ୍ରଦ୍ଧା ଓ ସମର୍ପଣ ନେଇ ଜନନୀ ପାଖରେ ପହଞ୍ଚିପାରିବାର ସୌଭାଗ୍ୟ ଦିଅ ! ମୋତେ ଏହି ଜାଲରୁ ମୁକ୍ତ କରି ବିଦ୍ଧିର ଜାଲରୁ ମୁକ୍ତ କର, ଅଶ୍ରଦ୍ଧାର ଜାଲରୁ ମୁକ୍ତ କର, ଭ୍ରମର କାଳରୁ ମୁକ୍ତ କର । ହେ ଗୁରୁ, ମୁଁ ପ୍ରସ୍ତୁତ ଅଛି, ତୁମେ ମୋର ହାତ ଧରି ନେଇଯାଅ !

 

୨୩ । ୮ । ୬୦

 

ଏଠି ମଣିଷର କିଛି ହେବାର ନାହିଁ, ଅର୍ଥାତ୍ ଅନ୍ତର ଭିତରେ କିଛି ହାସଲ କରିବାର ନାହିଁ । ଏମାନେ ଡିଗ୍ରୀ ହାସଲ କରିବାକୁ ପାଠ ପଢ଼ିଥିଲେ, ଚାକିରି ପାଇବାଲାଗି ଡିଗ୍ରୀ ହାସଲ କରିବାକୁ ଚାହିଥିଲେ । ଏମାନେ ପାଠ ପଢ଼ିଚନ୍ତି, ଡିଗ୍ରୀ ହାସଲ କରିଚନ୍ତି ଓ ଚାକିରି ମଧ୍ୟ ପାଇଚନ୍ତି-। ବର୍ତ୍ତମାନ ଚାକିରିର ସିଡ଼ିରେ କେବଳ ଉପରକୁ ଉଠି ଉଠି ଯିବା କଥା । ଯେଉଁଠି ଯେଉଁ ଚାକିରିରେ ଏମାନଙ୍କର ଦଶକୋଡ଼ିଏ ଟଙ୍କା ଲାଭ ହେବ, ତାହାହିଁ ସେମାନଙ୍କର ବାଟ ହେବ । ଏମାନଙ୍କୁ ଟଙ୍କା ଦିଅ, ଏମାନେ ଯୁଆଡ଼େ ଇଚ୍ଛା ସିଆଡ଼େ ଯିବାଲାଗି ପ୍ରସ୍ତୁତ ହୋଇଯିବେ । ଯେଉଁଠାକୁ ଯିବେ, ସେଠାରେ ଟଙ୍କାର କମ୍‍ ବହୁତ ନେଇ ଆପଣା ଆପଣା ଭିତରେ କଳହ ଲଗାଇବେ । ଟଙ୍କାକୁ ହିଁ ସମ୍ମାନ ଓ ସଫଳତାର ସନ୍ତକ ବୋଲି ମାନୁଥିବାରୁ ଏମାନେ ଟଙ୍କାର କମ୍ ବେଶି ଅନୁସାରେ ଆପଣାଭିତରେ ନାନା ଜାତିରେ ବିଭକ୍ତ ହୋଇଯିବେ ଏବଂ ପରସ୍ପର ପ୍ରତି ନାନାପ୍ରକାର ହୀନ ବିଦ୍ଵେଷ ଓ ନିନ୍ଦାରେ ଜଳିବାକୁ ଆପଣାର ପରମ କର୍ତ୍ତବ୍ୟ ମନେ କରୁଥିବେ । ଏମାନଙ୍କର ଅବସର ବିନୋଦନ କେବଳ ଏହି ପାରସ୍ପରିକ ଶିରା କାଢ଼ିବାରେ ସୀମିତ ହୋଇ ରହିବ । ଆପଣାର କାମକୁ ଭଲ ପାଉନଥିବାରୁ ଏମାନେ କାମ ସାରିବାମାତ୍ରକେ ଛୋଟ ପିଲା ପାଠରୁ ଦଉଡ଼ି ପଳାଇ ଆସିବାପରି ଆଳସ୍ୟର ନାନା ଉପଚାର ଭିତରକୁ ପଳାଇ ଆସୁଥିବେ । ବଡ଼ ଅସଚେତ ଭାବରେ ଅପରକୁ ଛୋଟ କରି ଦେଖାଇ ଆପଣାକୁ ବଡ଼ ବୋଲି ପ୍ରମାଣ କରିବାର ଅପଚେଷ୍ଟା କରୁଥିବେ ।

 

୨୪ । ୮ । ୬୦

 

ବୟସ ବଢ଼ିବା ସଙ୍ଗେସଙ୍ଗେ ମୋର ମନଟା ଯେପରି କ୍ରମେ ଅସ୍ଥିର ହୋଇପଡ଼ୁଚି । ଅନେକ କହନ୍ତି, ମଣିଷର ବୟସ ବଢ଼ିବା ସଙ୍ଗେସଙ୍ଗେ ସେ ଭିତରେ କ୍ରମେ ଶୀତଳ ହୋଇଆସେ, କ୍ରମେ ସବୁ ସହିଯିବାକୁ ଆରମ୍ଭ କରେ, କ୍ରମେ ସବୁ ମାନିନେବାକୁ ଲାଗେ । ଉପସ୍ଥିତ ସ୍ଥିତି ସହିତ ଯେକୌଣସି ପ୍ରକାରେ ମିଳାମିଶା କରିନେଇ ସିଏ ଆପଣା ଜୀବନର ଜମିଖଣ୍ଡକୁ ଜଗି ବସିବାରେ ହିଁ ସର୍ବାଧିକ ଶକ୍ତି ଓ ସର୍ବାଧିକ ସମୟ ଦେବାକୁ ଆରମ୍ଭ କରେ । ଆପଣାଲାଗି କିଛି ସମ୍ମାନ ଓ ଗାରିମା କମାଇବାରେ ହିଁ ସେ ଆପଣା ହୃଦୟର ସକଳ ପ୍ରବୃତ୍ତିକୁ ଖରଚ କରିଦିଏ । ମାତ୍ର ମୁଁ ମୋ’ଭିତରେ କାହିଁକି ସେସବୁ କଥା ଆଦୌ ଲକ୍ଷ୍ୟ କରି ପାରୁନାହିଁ । ପିଲାଦିନେ ଦେଶକଥା ଶୁଣିଲେ ଦେହଉପରେ ରୋମ ଟାଙ୍କୁରି ଉଠୁଥିଲା, ଭିତରେ କଲିଜାଟା ଉଲ୍ଲସିତ ହୋଇ ଉଠୁଥିଲା । ଦେଶରେ ସମସ୍ତେ ସୁଖୀ ହେବେ, ଜଗତଦାଣ୍ଡରେ ଦେଶରେ ଉଚ୍ଚ ପତାକା ଉଡ଼ିବ, ଏପରି ଏକ ଭବିଷ୍ୟତର କିଶୋର ସୁଲଭ କଳ୍ପନାରେ ମୁଁ ଯେପରି ମୋର ସକଳ ଇଚ୍ଛାପୂରଣ ହୋଇଯିବାର ସୁଖ ଲାଭ କରୁଥିଲି । ବଡ଼ପାଟି କରି ତିନିଚାରିଟା ଜୟଧ୍ଵନି ଉଚ୍ଚାରଣ କଲେ ଯେପରି ଦେଶଲାଗି ସବୁକିଛି ହାସଲ ହୋଇଗଲା ବୋଲି ମୁଁ ଏକ ସନ୍ତୋଷ ଲାଭ କରୁଥିଲି । ତେଣୁ ସେହି ସ୍ଵପ୍ନ ଓ କଳ୍ପନାବିଭୋର କିଶୋର ଆଖିରେ ନିଜର ଦେଶଟାକୁ ଦେଖି ମୁଁ ସେତେବେଳେ ସବୁ ସହି ଯାଉଥିଲି, ଭବିଷ୍ୟତର ଅଞ୍ଚଳ ବୋଲି ବର୍ତ୍ତମାନଟାକୁ ଦେଖୁଥିବାରୁ ମୋତେ କୁତ୍ସିତ ବର୍ତ୍ତମାନଟା ମଧ୍ୟ ସୁନ୍ଦର ଦେଖାଯାଉଥିଲା । କିନ୍ତୁ ଏବେ ଆଉ ସେକଥା ହୋଇ ପାରୁନାହିଁ । ଆଉ ସହି ହେଉନାହିଁ । ବର୍ତ୍ତମାନ ଉପରେ ଆଉ ଏକ ଅକାରଣ ଭବିଷ୍ୟତର ଚୂନ ବୋଳିଦେଇ ବର୍ତ୍ତମାନକୁ ସମଝିବାକୁ ଇଚ୍ଛା ହେଉନାହିଁ । ଏହି ଦାରିଦ୍ର୍ୟ, ଏହି ଅଜ୍ଞାନତା, ମଣିଷ ଉପରେ ମଣିଷ ଉତ୍ପୀଡ଼ନ, ମଣିଷକୁ ଅସ୍ଵୀକାର କରି ଅଧିକ ସମ୍ପନ୍ନ ମଣିଷର ଆତ୍ମପ୍ରସାଦ–ଲାଭ,–ଏସବୁ ଆଉ ସହି ହେଉନାହିଁ । କେବଳ ଆପଣାର ଦେଶରେ ନୁହେଁ, ପୃଥିବୀର ଯେତେ ଦେଶରେ ଆଜି ଏହିପରି ଦୁଃସ୍ଥିତି ଓ ଦୁର୍ଗତି ଜାରି ରହିଚି, ସେସବୁ ଦେଶର ବର୍ତ୍ତମାନକୁ ମୋଟେ ସହି ହେଉନାହିଁ । ମୋର କବିସୁଲଭ ତରୁଣ ମନର ସୁନ୍ଦର କଳ୍ପନା ଆଉ ମୋଟେ ବୁଝାଇ ପାରୁନାହିଁ, ମୋ’ ଭିତରର ତରୁଣ ସତେଅବା ଜଣେ ବିଦ୍ରୋହୀ ହେବାକୁ ସଜ ହେଉଚି !

 

୨୫ । ୮ । ୬୦

 

ପନ୍ଦର ବର୍ଷ ପୂର୍ବେ ଯେଉଁ ଦେଶର ନାଆଁରେ ମୁଁ ଉତ୍ସାହିତ ଜୟଗାନ କରୁଥିଲି, ଆଜି ସେହି ଦେଶକୁ ମୁଁ ଆପଣାର ଦେଶ ବୋଲି କହିବାକୁ ମଧ୍ୟ ଲଜ୍ଜାବୋଧ କରୁଚି । ମୋର ଚତୁର୍ଦ୍ଦିଗରେ ବର୍ତ୍ତମାନ ରହିଥିବା ଦୁର୍ଦ୍ଦଶାମୟ ସ୍ଥିତିକୁ ଯଦି ମୋର ଦେଶ ବୋଲି କୁହାଯାଏ, ତେବେ ଏହି ଦେଶକୁ ନେଇ ଖୁସି ହେବା ଅପେକ୍ଷା ଲଜ୍ଜା ଅନୁଭବ କରିବାଲାଗି ନିଶ୍ଚୟ ଅଧିକ କାରଣ ରହିଚି । କାରଣ ଏହି ଦେଶକୁ ମୋ’ ନିଜର ଦେଶ ବୋଲି କହି ମୁଁ ଏଠାରେ ଅର୍ଥକରୀ ଚାକିରି ଖୋଜି ବୁଲୁଚି, ଲାଞ୍ଚ ଦେଉଚି, ଲାଞ୍ଚ ନେଉଚି । ଅନେକ ମଣିଷଙ୍କର ଅଜ୍ଞାନତାର ସୁଯୋଗ ନେଇ ମୁଁ ଏଠାରେ ଆଖି ବୁଜି ଅନାଚାର କରିବାରେ ଲାଗିଚି । ମୋର ଅନାଚାରଲବ୍‌ଧ ପଇସାରେ ଆଡ଼ମ୍ବର ଦେଖାଇ ମୁଁ ସମାଜରେ ଆପଣାକୁ ବଡ଼ ବୋଲି ଘୋଷଣା କରୁଚି । ଏହି ସମାଜର ଅନେକ ମଣିଷଙ୍କୁ ମୁଁ ଠିକ୍ ପଶୁପରି ବା ତା’ଠାରୁ ଆହୁରି ହୀନ ବୋଲି ଦେଖୁଚି । ପଇସା ଦେଇ ମଣିଷର ମଣିଷପଣିଆକୁ ବେଜିତ୍‍ କରିବାରେ ମୋର କୌଣସି ଶଙ୍କା ହେଉନାହିଁ । ଏ ଦେଶରେ ମୁଁ ଜଣେ ଯୁବକ, ଅଥଚ ଏହିସବୁ ଅପମାନର ସ୍ଥିତିକୁ ମୁଁ ବେଶ୍‍ ସହିଯାଉଛି । ବଡ଼ ଚତୁର ଭାବରେ ଏହି ସ୍ଥିତିରୁ ଫାଇଦା ଉଠାଇବାକୁ ଲାଳାୟିତ ହେଉଚି । ଯୁବକ ଏସବୁକୁ ସିନା ଭାଙ୍ଗନ୍ତା, ଯୁବକ ସିନା ଆପଣାର ହୃଦୟ ଭିତରେ ଏହି ଦେଶକୁ ସୁନ୍ଦର କରି ଗଢ଼ିବାର ପଣ କରନ୍ତା, ଏହି ଦେଶର ମଣିଷକୁ ମଣିଷପରି ଦେଖିବାକୁ ପଣ କରନ୍ତା ! କିନ୍ତୁ ଯଦି ଯୁବକ ମଧ୍ୟ ଗୋଳିପାଣିକୁ ଏପରି ଚମତ୍କାର ଭାବରେ ଆଦରିନେବ, ଯଦି ସିଏ ସବୁ ସହିଯିବ, ଯଦି କେବଳ ଚତୁର ହୋଇ ଖାଲି ଲାଭ ଖାଇବାକୁ ଆସିବ, ତେବେ ଏ ଦେଶ ବଦଳିବ କିପରି, ଏ ଦେଶ ଗଢ଼ାହେବ କିପରି ?

 

୨୬ । ୮ । ୬୦

 

ଆଜି ଚମ୍ପତିମୁଣ୍ଡାରେ କ’ଣ ହେଉଥିବ ମୁଁ ଜାଣେନାହିଁ । କିନ୍ତୁ ମୋ’ ଜୀବନରେ ଆଜି ଦିନଟି ଏକ ଅତ୍ୟନ୍ତ ସ୍ମରଣୀୟ ଦିନ । ମୋର ସଫଳତା ଓ ବିଫଳତା ଉପରେ ନିରପେକ୍ଷ ଭାବରେ ବିଚାର କରିବାର ଦିନ । ଜୀବନର ଚାରୋଟିବର୍ଷ ମୁଁ ସେଠାରେ ଯେଉଁ ପରୀକ୍ଷା ଦେଇଚି, ସେହି ପରୀକ୍ଷାରେ ମୁଁ ଯେଉଁମାନଙ୍କର ସମ୍ପର୍କରେ ଆସିଚି, ସେମାନଙ୍କର ସମ୍ପର୍କରେ ଆସିବାଦ୍ଵାରା ମଣିଷର ଜୀବନ ଓ ମଣିଷର ସମସ୍ୟାଗୁଡ଼ିକ ବିଷୟରେ ମୁଁ ଯେପରି ଯାହା ଜାଣିବାକୁ ପାଇଚି, ସବୁଗୁଡ଼ିକୁ ଆଜି ମନେକରି ଦେଖିବାକୁ ହେବ । ଅନଗୁଳ ଓ ଚମ୍ପତିମୁଣ୍ଡାଠାରୁ ଅଲଗା ହୋଇ ଦିନେ ମୁଁ କିଛି ହେଲେ ଚିନ୍ତା କରିପାରୁ ନଥିଲି । ଅନଗୁଳ ଓ ଚମ୍ପତିମୁଣ୍ଡାକୁ ମୁଁ ଦିନେ ଆପଣାର ଶରୀରଠାରୁ ମଧ୍ୟ ଅଧିକ ଆପଣା ବୋଲି ଅନୁଭବ କରୁଥିଲି । ଯେଉଁ ଭାବ ଓ ବିଚାରର ପ୍ରତୀକ ଭାବରେ ଅନଗୁଳ ଓ ଚମ୍ପତିମୁଣ୍ଡା ମୋ’ ପାଖରେ ଏତେଦୂର ପ୍ରିୟ ହୋଇ ରହିଥିଲେ, ସେହି ଭାବ ଓ ସେହି ବିଚାର ଏପର୍ଯ୍ୟନ୍ତ ମୋର ପ୍ରିୟ ହୋଇ ରହିଚନ୍ତି । ମଣିଷ, ଅର୍ଥାତ୍ ପ୍ରତ୍ୟେକ ମଣିଷ ନିର୍ଭୀକ ହେବ, ନମ୍ର ହେବ, ସବୁରି କଲ୍ୟାଣ କାମରେ ଆପଣାକୁ ଯେତେ ନିଃଶେଷିତ ଭାବରେ ସମର୍ପିତ କରିଦେଲେ ମଧ୍ୟ ସେ ତଥାପି ଆପଣାର ମନଭିତରେ କୌଣସି ଦମ୍ଭ ବା କୌଣସି ଅହଙ୍କାର ରଖିବାନାହିଁ । ମଣିଷ ପ୍ରକୃତିକୁ ଭଲ ପାଇବ ଆପଣାର ମତବାଦ ଅପେକ୍ଷା ସେ ମଣିଷକୁ ଅଧିକ ଭଲ ପାଇବ, ଆପଣାର ଦୋଷ ଓ ଦୁର୍ବଳତାଗୁଡ଼ାକୁ ଲୁଚାଇ ରଖିବାପାଇଁ ସେ ବାହାରେ ନୀତିବାଦୀ ବନି ଅପରର ଘାଆଗୁଡ଼ାକୁ ଖୁଣିବାର ଧୃଷ୍ଟତା ଦେଖାଇବ ନାହିଁ;–ଅନଗୁଳ ଓ ଚମ୍ପତିମୁଣ୍ଡାକୁ ମୁଁ ଏହି ଭାବ ଓ ବିଚାରର ଅଧିକ ଅନୁଶୀଳନ କରିବାକୁ ଯାଇଥିଲି । ମୁଁ କୌଣସି କର୍ତ୍ତୃତ୍ଵ ଓ କୌଣସି ମତବାଦର ଧମକରେ ଡରିବିନାହିଁ, ଏହି ପଣ ନେଇ ମୁଁ ସେଠାରେ ପ୍ରବେଶ କରିଥିଲି । ଏହି ଭାବ, ବିଚାର ଓ ପଣ ଆଜି ମୋତେ ତଥାପି ବର୍ଜନ କରି ନଯାଉ । ଅନୁଗୁଳ ଓ ଚମ୍ପତିମୁଣ୍ଡାରେ ଯେଉଁମାନେ ଆଜି ମଧ୍ୟ ଅଛନ୍ତି, ସେମାନେ ବି ଏହି ଭାବ, ବିଚାର ଓ ପଣକୁ ବର୍ଜନ କରି ନଦିଅନ୍ତୁ । ଏତିକିବ୍ୟତୀତ ମୁଁ ସେମାନଙ୍କ ପାଖରୁ ଆଉ କିଛି ଚାହେନାହିଁ । ସେମାନଙ୍କର ପ୍ରଶଂସା ଚାହେନାହିଁ କିମ୍ବା ସେମାନଙ୍କର କରୁଣା ଚାହେନାହିଁ ।

 

୨୭ । ୮ । ୬୦

 

ମୁଁ ଯେତେଦିନ ଯାଏ ବୁଢ଼ା ହୋଇନାହିଁ, ଚମ୍ପତିମୁଣ୍ଡା ମୋତେ ସେତେଦିନଯାଏ ପ୍ରେରଣା ଦେଉଥିବ । ମଣିଷ ଭିତରେ ଅନ୍ତର୍ନିହିତ ରହିଥିବା ଭଲଉପରେ ମୋର ଯେତେଦିନଯାଏ ବିଶ୍ୱାସ ରହିଥିବ, ଚମ୍ପତିମୁଣ୍ଡା ସେତେଦିନଟାଏ ମୋର ଜୀବନରେ ଏକ ଶକ୍ତିଶାଳୀ ଉତ୍‍ପ୍ରେରକ ହୋଇ ରହିଥିବ । ଚମ୍ପତିମୁଣ୍ଡାର ପାହାଡ଼ ଆଉ ଜଙ୍ଗଲ ଆଜି ମଧ୍ୟ ମୋର ଆଖିଆଗରେ ରହିଚି । ତା’ର ଝରଣା ଓ ପଥରମୁଣ୍ଡିଆମାନ ମୋର କଳ୍ପନାରେ ଆଜି ମଧ୍ୟ ଜୀଇ କରି ରହିଚି । ଛୋଟ ପିଲା ତା’ର ମାଆର ଦେହକୁ ମନେ ରଖିଲାପରି ମୁଁ ଚମ୍ପତିମୁଣ୍ଡାର ପ୍ରକୃତିକୁ ମନେ ରଖିଚି । ନୈରାଶ୍ୟପୂର୍ଣ୍ଣ ପ୍ରତ୍ୟେକ ମୁହୂର୍ତ୍ତରେ ଜନନୀ ଆପଣାର ଶିଶୁକୁ ପ୍ରତ୍ୟକ୍ଷରେ ବା ପରୋକ୍ଷରେ ସାହସ ଦେଉଥିବା ଭଳି ଚମ୍ପତିମୁଣ୍ଡା ମୋତେ ସବୁବେଳେ ସାହସ ଦେଉଚି । ଏହି ସଂସାରରୁ ହଟି ପଳାଇଗଲେ ସଂସାର ବଦଳିବ ନାହିଁ, ଏହି ସଂସାର ଉପରେ ହାତୁଡ଼ି ବା ନିହାଣ ଚଳାଇଲେ ଏହି ସଂସାର ବଦଳିବ ନାହିଁ । ଆପଣାକୁ ଏହି ସଂସାରରେ ସମର୍ପିତ କରିଦେବାକୁ ପଡ଼ିବ, ମଣିଷ ପାଖରେ ଆପଣାର ସ୍ନେହକୁ ଅଜାଡ଼ି ଦେବାକୁ ପଡ଼ିବ, ବିଶ୍ଵାସ ଦେବାକୁ ପଡ଼ିବ । ମଣିଷର ସବୁ ଦୁଃଖ ଓ ସବୁ ସୁଖକୁ ଆପଣା ଭିତରେ ଅନୁଭବ କରିବାକୁ ହେବ । ମଣିଷର ସକଳ ଖସିଯିବା ଓ ଝୁଣ୍ଟି ପଡ଼ିବା ସତ୍ତ୍ୱେ ତଥାପି ମଣିଷର ବାଟ ଚାଲିବାକୁ ହିଁ ପରମ ସତ୍ୟ ବୋଲି ମାନିବାକୁ ହେବ । ଏହାହିଁ ପନ୍ଥା, ଚମ୍ପତିମୁଣ୍ଡାର ପ୍ରକୃତି, ଚମ୍ପତିମୁଣ୍ଡାର ସମାଜ ଓ ଚମ୍ପତିମୁଣ୍ଡାର ଆନନ୍ଦ ମୋତେ ଏହି ଶିକ୍ଷା ହିଁ ଦେଇଚି ।

 

୨୮ । ୮ । ୬୦

 

କାଲି ଦିନଯାକ ବରଷା । ଦିନଯାକ ଆକାଶ ରୁଷି ବସିଚି ଓ ଦିନଯାକ ଆକାଶକୁ ଧାରା ବରଷିବାରେ ଲାଗିଚି । ଯେତେ ଯୁଆଡ଼େ ଖାଲଢ଼ିପ ଥିଲା, ସବୁ ଅଦୃଶ୍ୟ ହୋଇଯାଇଚି । ଚତୁର୍ଦ୍ଦିଗରେ କେବଳ ଏକ ଜଳସମତଳ ହିଁ ଦୃଷ୍ଟିଗୋଚର ହେଉଚି । ଦିନମାନ କେତେବେଳେ ହେଲେ ଘଣ୍ଟାକ ସକାଶେ ମଧ୍ୟ ବରଷା ଛାଡ଼ିନାହିଁ । ଶାନ୍ତିନିକେତନରେ ଏମିତିଆ ଗୋଟାଏ ଦିନରେ ଘର ବାହାରି ଓଦା ଓ କାଦୁଅ ହେବାର ଉତ୍ସବ ପାଳନ କରାଯାଇଥାନ୍ତା । କିଏ କେତେ କୁଆଡ଼େ ବୁଲି ଯାଇଥାନ୍ତେ, କେତେ ଗୀତ ଗାଇଥାଆନ୍ତେ, ଖୁସି ହୋଇ ଆପଣାର ସମସ୍ତ ଦେହଟାକୁ ମଧ୍ୟ ଏହି ବରଷାର ଲୀଳା ଭିତରେ ଏକ ନିମିତ୍ତ ରୂପେ ଲଗାଇ ଦେଇଥାଆନ୍ତେ । ଏଠି ସେସବୁ କିଛି ନାହିଁ । ଏଠି ଗୋଡ଼ରୁ ଜୋତା ବାହାରିବ ନାହିଁ, ଦେହରୁ ପୋଷାକ ବାହାରିବ ନାହିଁ । ନହେଲେ ଅଭଦ୍ରତା ହେବ, ନ ହେଲେ ଲାଜ ମାଡ଼ିବ । ଯେଉଁଠି ଯେପରି ରୀତି ସେଠି ସେପରି ଜୀବନ । ପ୍ରକୃତି ଓ ମଣିଷ ସହିତ ସମ୍ବନ୍ଧ ମଧ୍ୟ ସେହିପରି । ଭାରି ମନହେଲା, ଆଜି ମୁଁ ଖାଲି ଗୋଡ଼ରେ ବୁଲି ଆସିବି । କିନ୍ତୁ ଏଠିକାର ସାମାଜିକତାରେ ମଣ ହୋଇଥିବା ମନଟା ସଙ୍କୋଚ ବୋଧ କଲା । ଜୋତା ପିନ୍ଧିବାକୁ ହିଁ ହେବ । ଜୋତା ସହିତ ସହିତ ନିଜର ଗୋଡ଼ ଯାଇ କାଦୁଅ ଭିତରେ ଗଳିପଡ଼ୁ ପଛକେ, ତଥାପି ଜୋତା ପିନ୍ଧିବାକୁ ପଡ଼ିବ । ଖାଲି ଗୋଡ଼ଟାକୁ ଦେଖାଇବା ଭାରି ଅଭଦ୍ରତା ହେବ । ମୁଁ ଗାଆଁରେ ଯେତେଦିନ ରହିଚି, ଭୁଲରେ ମଧ୍ୟ ଦିନେ ହେଲେ ଜୋତା ପିନ୍ଧିବାକୁ ଇଚ୍ଛା ହୋଇନାହିଁ । କମିଜ ପିନ୍ଧିବାକୁ ଇଚ୍ଛା ହୋଇନାହିଁ । ଏଠି ସ୍କୁଲରେ ପାଠ ପଢ଼ିବା ଲାଗି ଯୋଉ ସାନ ପିଲାମାନେ ଆସନ୍ତି, ସେମାନଙ୍କ ଭିତରୁ ଅନେକଙ୍କର ଗୋଡ଼ରେ କେବେହେଲେ ଜୋତା ନ ଥାଏ । କିନ୍ତୁ ସେମାନଙ୍କ ଠାରୁ ଟିକିଏ ଉପର ସ୍ତରରେ ବିଚରଣ କରୁଥିବା ପିଲା ତଥା ଶିକ୍ଷକ ଜୋତା ନ ହେଲେ କୁଆଡ଼େ ହେଲେ ବାହାରି ପାରନ୍ତି ନାହିଁ । କଲେଜକୁ ଆସିଲେ ପିଲାକୁ ଜୋତା ପିନ୍ଧିବାକୁ ହିଁ ପଡ଼ିବ । ମୁଁ ଭାବିଥିଲି, ସୌନ୍ଦର୍ଯ୍ୟ, ସାମାଜିକତା ଓ ଭଦ୍ରତା କହିଲେ ମଣିଷ ନାନା ସ୍ଥାନରେ ନାନା ପ୍ରକାରେ ବୁଝେ ବୋଲି ଗୋଟାଏ ଜାଗାରେ ଭଲ ଆଉ ଗୋଟାଏ ଜାଗାରେ ମନ୍ଦ ହୁଏ, ପୁଣି ଗୋଟାଏ ଜାଗାରେ ମନ୍ଦ ଆଉ ଗୋଟାଏ ଜାଗାରେ ଭଲ ହୁଏ । ମୁଁ ବୁଝିଲି ସତ, କିନ୍ତୁ ହୃଦୟ କହିଲା, ଯୋଉଠି ଯାହା ଭଲ ବା ମନ୍ଦ ହୋଇଥାଉ ପଛକେ, ଯେଉଁଠି ଯିଏ ଯେଉଁଟାକୁ ଭଲ ବା ମନ୍ଦ ବୋଲି ଗ୍ରହଣ କରୁ ପଛକେ, ଖାଲି ଗୋଡ଼ରେ ବାଟ ଚାଲିବା ହିଁ ମୋ ପକ୍ଷରେ ଭଲ, ବରଷାବେଳେ ଓଦା ଓ କାଦୁଅ ହୋଇ ବୁଲି ଆସିବା ହିଁ ମୋ’ ପକ୍ଷରେ ଭଲ । ମୋ’ର ଦେହ ପକ୍ଷରେ ଭଲ ଓ ମୋର ହୃଦୟ ପକ୍ଷରେ ମଧ୍ୟ ଭଲ ।

 

୨୯ । ୯ । ୬୦

 

ଜଣେ ସହକର୍ମୀ ବନ୍ଧୁ ସେଦିନ ବଡ଼ ଦୁଃଖ କରି କହିଲେ ଯେ ତାଙ୍କର ଏହି ଦେଶରେ ଜନ୍ମ ହେବା ହିଁ ଉଚିତ ଥିଲା । ତାଙ୍କର ଜୀବନରେ ଯେଡ଼େବଡ଼ ଆଶା ବା ଯେଡ଼େବଡ଼ ଅଭିଳାଷ ଥିଲା, ଏହି ଦେଶର ଦୁର୍ଦ୍ଦଶାମୟ ପରିସ୍ଥିତିରେ ପଡ଼ି ସେସବୁ ଏକାବେଳେକେ ନିଷ୍ଫଳ ହୋଇଗଲା । ଏହି ଦେଶ ପାଇଁ ସିଏ ଯାହାସବୁ କରିବେ ବୋଲି ଚାହୁଥିଲେ, ଦେଶର ଭବିଷ୍ୟତକୁ ଯେଉଁ ଆଦର୍ଶ ଛବି ସହିତ ମିଳାଇ ଦେଖିବାକୁ ଚାହୁଥିଲେ, ଦେଶର ବର୍ତ୍ତମାନ ପରିସ୍ଥିତି ଦୃଷ୍ଟିରୁ ସେ ସବୁର ଆଉ କୌଣସି ଅର୍ଥ ହିଁ ରହିଲା ନାହିଁ । ତାଙ୍କର ବୟସ କ୍ରମେ ଅଧିକ ହେବାକୁ ଆରମ୍ଭ କଲାଣି । ମୁଣ୍ଡର ବାଳ କ୍ରମେ ପାଚିବାକୁ ଆରମ୍ଭ କଲାଣି । ଆଉ ବେଳନାହିଁ, ଆଉ ଶକ୍ତି ନାହିଁ । ଏକ ଅନ୍ୟ ଦେଶରେ ଜନ୍ମ ହୋଇଥିଲେ ହୁଏତ ସେ ମନୋମତ କିଛି କରି ଦେଖାଇ ଦେଇଥାନ୍ତେ । କିନ୍ତୁ ଏ ଦେଶରେ ଜନ୍ମ ହୋଇଥିବାରୁ ସେ ଆପଣା ଜୀବନରେ କୌଣସି ସାର୍ଥକତା ପାଇପାରିଲେ ନାହିଁ । ତାଙ୍କର କଥା ଶୁଣି ମୋତେ ଆଦୌ ଆଶ୍ଚର୍ଯ୍ୟ ଲାଗିଲା ନାହିଁ । କିନ୍ତୁ ଦୁଃଖ ଲାଗିଲା । ଏ ଦେଶର ପରିସ୍ଥିତିକୁ ସେ ଯେତିକି ଶୋଚନୀୟ ବୋଲି ବିଚାରୁଚନ୍ତି, ମୁଁ ମଧ୍ୟ ସେତିକି ଶୋଚନୀୟ ବୋଲି ବିଚାରୁଚି । ଆଜି ଚତୁର୍ଦ୍ଦିଗରେ ଖାଲି ଅନ୍ଧକାର ଘୋଟି ରହିଛି । ମଣିଷର ବାହାରେ ସମାଜର ସବୁ କ୍ଷେତ୍ରରେ ଅନ୍ଧକାର, ମଣିଷର ମନରେ ଓ ହୃଦୟ ଭିତରେ ମଧ୍ୟ ଅନ୍ଧକାର । କିନ୍ତୁ ଅନ୍ୟ ଏକ ଦେଶରେ ଜନ୍ମ ହୋଇଥିଲେ ଯେ ଏହାଠାରୁ କମ୍ ଅନ୍ଧକାରର ସମ୍ମୁଖୀନ ହେବାକୁ ପଡ଼ିଥାନ୍ତା, ମୁଁ ଏ କଥାରେ ଆଦୌ ସହମତ ହୋଇ ପାରୁନାହିଁ । ଆଜି ପୃଥିବୀଟାଯାକ ଅନ୍ଧକାର ଘୋଟି ରହିଚି । ଆମେ ଏହି ଦେଶର ଅନ୍ଧାର ଘରେ ବସି ରହିଚୁ ବୋଲି ଆମକୁ ଏହି ଦେଶଟା ହିଁ ସବୁଠାରୁ ଅଧିକ ଅନ୍ଧକାରମୟ ବୋଲି ମନେ ହେଉଚି । ଆପଣା ଜୀବନରେ କେବଳ ଧନ ସମ୍ପତ୍ତିର ସଫଳତା ନ ଖୋଜି ଆଲୋକ ଖୋଜି ବାହାରିଥିବା ମଣିଷ ପକ୍ଷରେ ଆପଣାକୁ ଜୀଆଇ ରଖିବା ଆଜି ସବୁ ଦେଶରେ ହିଁ ବଡ଼ କଷ୍ଟକର ହୋଇପଡ଼ିଚି ।

 

୩୦ । ୮ । ୬୦

 

ତଥାପି ଆଶା କରି ଅପେକ୍ଷା କରିବାକୁ ହେବ, ତଥାପି ବିଶ୍ଵାସ ରଖି କାର୍ଯ୍ୟ କରିବାକୁ ହେବ । ଦେଶକୁ ଦୋଷ ଦେଉଥିବା ଲୋକକୁ ଖାଲି ହତାଶ ହେବାକୁ ପଡ଼ିବ । ଯେଉଁ ଦେଶକୁ ଗଲେ ମଧ୍ୟ ସେ ସର୍ବଦା ନାନା ସମସ୍ୟାର ସମ୍ମୁଖୀନ ହେବ । ମଣିଷ ପରି ବଞ୍ଚିବାକୁ ଇଚ୍ଛା କରୁଥିଲେ ତାକୁ ଯେ କୌଣସି ଦେଶରେ ମଧ୍ୟ ନାନା ବିରୁଦ୍ଧସ୍ରୋତ ଓ ନାନା କର୍ତ୍ତୃତ୍ଵର ପ୍ରତିରୋଧ କରିବାକୁ ପଡ଼ିବ । ମୁଁ ଏହି ଦେଶରେ ଜନ୍ମଲାଭ କରିଚି, ତେଣୁ ଏହି ଦେଶରେ ହିଁ ମୁଁ ମୋର କର୍ତ୍ତବ୍ୟ କରିବି । ଅବଶ୍ୟ ଯେଉଁଦିନ ଏହି ଦେଶରେ ମୋର କର୍ତ୍ତବ୍ୟ କରିବା ଅସମ୍ଭବ ହୋଇପଡ଼ିବ, ସେଦିନ ଏହି ଦେଶକୁ ଛାଡ଼ି ମୋତେ ଅନ୍ୟ ଏକ ଦେଶକୁ ଯିବାକୁ ହିଁ ପଡ଼ିବ । ସେଦିନ ଆପଣା ଦେଶକୁ କୌଣସି ପ୍ରକାରେ ନିନ୍ଦା କରି ନୁହେଁ, ପ୍ରସନ୍ନ ମନରେ ଆପଣା ଲାଗି ଏକ କର୍ମକ୍ଷେତ୍ରର ଅନୁସନ୍ଧାନ କରି ମୋତେ ବାହାରି ଯିବାକୁ ପଡ଼ିବ । ଆପଣାର ଦେଶପ୍ରତି ମୋର କୌଣସି ମୋହ ନାହିଁ, ମାତ୍ର କୌଣସି ଅବଜ୍ଞା ବା ଅଶ୍ରଦ୍ଧା ମଧ୍ୟ ନାହିଁ । ଏ ଦେଶ ମୋ ହୃଦୟରେ ସବୁଠାରୁ ଅଧିକ ନିକଟରେ । ଏହି ଦେଶର ଜୀବନ ଓ ଜଳବାୟୁକୁ ମୁଁ ସବୁଠାରୁ ଭଲ କରି ଜାଣେ । ସେଇଥିପାଇଁ ମୁଁ ଏହି ଦେଶକୁ ଆପଣାର ଦେଶ ବୋଲି କହେ । ଏହି ଦେଶରେ ମଣିଷ କଷ୍ଟ ପାଇଲେ ବା କୌଣସି ପ୍ରକାରେ ବଞ୍ଚିତ ହୋଇ ରହିଲେ ମୁଁ ଆପେ କଷ୍ଟ ପାଇଲା ପରି ଏବଂ ବଞ୍ଚିତ ହୋଇ ରହିବା ପରି ମନେହୁଏ । ଏହି ଦେଶର ଦୁର୍ଦ୍ଦଶା ଦେଖିଲେ ସେଥିପାଇଁ ଭାରି ଅସହ୍ୟ ବୋଧହୁଏ । ଏହି ଦେଶର ଇତିହାସ ମୋତେ ପ୍ରେରଣା ଦିଏ, ଏହି ଦେଶର ଧର୍ମ ଓ ସଂସ୍କୃତି ମୋର ରକ୍ତ ଭିତରେ ବହୁଚି ବୋଲି ଅନୁଭବ କଲାବେଳେ ଜନନୀର ଅତି ପାଖରେ ଯାଇ ବସିଥିଲା ପରି ମନେହୁଏ । ସେଥିଲାଗି ଏ ଦେଶର ଭବିଷ୍ୟତ ମଧ୍ୟ ମୋଠାରୁ ସର୍ବସ୍ଵ ଦାବି କରେ, ଏ ଦେଶର ବର୍ତ୍ତମାନ ମୋର ସମସ୍ତ ଶକ୍ତିକୁ ଆହ୍ୱାନ କରେ । ତେଣୁ ଏ ଦେଶରେ ମୋର ଜନ୍ମ ନ ହୋଇ ଆଉ କେଉଁ ଦେଶରେ ହୋଇଥିଲେ ଭଲ ହୋଇଥାନ୍ତା ବୋଲି କହିବାକୁ ମୋର ବେଳ ନାହିଁ-। ଏହି ଦେଶକୁ ମୁଁ ପୃଥିବୀର ସବୁଠାରୁ ଭଲ ଦେଶ ବା ସବୁଠାରୁ ଖରାପ ଦେଶ ବୋଲି କଦାପି କହିବି ନାହିଁ । ଏ ଦେଶ ମୋର ଦେଶ, ଏ ଦେଶ ବର୍ତ୍ତମାନ ମୋ’ର ମଧ୍ୟ ବର୍ତ୍ତମାନ ।

 

୩୧ । ୮ । ୬୦

 

ହଁ, ବର୍ତ୍ତମାନ କେବଳ ଅପେକ୍ଷା କରି ରହିବାକୁ ହେବ ଏବଂ ଅନ୍ୟାୟକୁ ଅନ୍ୟାୟ ବୋଲି କହିବାକୁ ହେବ । ମୁଁ ନିଜେ ବା ମୋର କେହି ପରମ ଆତ୍ମୀୟସ୍ଵଜନ ସେଥିରେ ଲିପ୍ତ ରହିଥିଲେ ମଧ୍ୟ ତଥାପି ଅନ୍ୟାୟକୁ ଅନ୍ୟାୟ ବୋଲି କହିବାକୁ ହେବ । ଆପଣାର କ୍ଷେତ୍ର ଯେତେ କ୍ଷୁଦ୍ର ହେଲେ ମଧ୍ୟ ଏବଂ ଆପଣାକ୍ଷେତ୍ରରେ ଯେତେ ନୀରବ ହୋଇ କାର୍ଯ୍ୟ କରିବାକୁ ପଡ଼ିବ । କେହି ଭୟ ଦେଖାଇବାକୁ ଆସୁନଥିଲେ ମଧ୍ୟ ତଥାପି ସ୍ୱଭାବତଃ ନିର୍ଭୟ ରହିବାକୁ ପଡ଼ିବ । ଆପଣା ପାଖରେ ନିର୍ଭୟ ରହିବାକୁ ପଡ଼ିବ । ଆପଣାର ନିର୍ବାଚିତ ପଥ ବା ଆଦର୍ଶ ଆପଣାଲାଗି ଯେତେ ପ୍ରିୟ ହେଲେ ମଧ୍ୟ ତାହାକୁ ଅପର ଉପରେ ଲଦିଦେବାକୁ କୌଣସି ଦୁଃସାହସ କରିବାକୁ ପଡ଼ିବନାହିଁ । ଏହି ପ୍ରବୃତ୍ତିରୁ ହିଁ ଏଯୁଗର ସବୁଠାରୁ ବଡ଼ ବଡ଼ ପ୍ରମାଦର ଭକୁ ହୋଇଚି । ମୋ’ଭିତରେ ରହିଥିବା ଛୋଟ ଅଭିମାନଗୁଡ଼ାକ ବିଶ୍ୱଗତ ସ୍ତରରେ ବଡ଼ବଡ଼ ଯୁଦ୍ଧ ଓ ବଡ଼ବଡ଼ କଳହର କାରଣ ହେଉଚି । ଆପଣା ରଙ୍ଗରେ ସମସ୍ତ ଜଗତକୁ ଦେଖିବାର ମୋର ଛୋଟ ଉତ୍ତେଜନାମାନ ଜଗତରେ ବଡ଼ ଆଦର୍ଶବାଦୀ ମୁଖାସବୁ ପିନ୍ଧି ବୋମା ତିଆରି କରିବାରେ ଲାଗିଚି । ଏହିସବୁ ଧ୍ଵଂସାତ୍ମକ କାରସାଦି ଓ ଧ୍ଵଂସାତ୍ମକ ଭ୍ରମକୁ ମୁଁ ଏଠାରେ ବସି ଦୂର କରି ପାରିବିନାହିଁ । ତଥାପି ମୋ’ନିଜ ଭିତରେ ଯେଉଁଠି ଏସବୁର ମୂଳ ରହିଚି, ସେଗୁଡ଼ିକୁ ମୋତେ ଉତ୍ପାଟିତ କରିଦେବାକୁ ପଡ଼ିବ । କିନ୍ତୁ ଆପଣାଭିତରେ ଏସବୁର ମୂଳ ଖୋଜିପାଇବା ପ୍ରକୃତରେ ବଡ଼ ଦୁରୁହ ବ୍ୟାପାର । ଅତ୍ୟନ୍ତ ସ୍ଥିର, ନିର୍ମୋହ ଓ ବିକାରମୁକ୍ତ ନହେଲେ ଏହା କଦାପି ସମ୍ଭବ ନୁହେଁ । ଏତିକି ବ୍ୟତୀତ ଆଉ ଅଧିକ କରିବାଲାଗି ମୁଁ ମନ ବଳାଇବି ନାହିଁ । ଆଦର୍ଶଲାଗି ବଡ଼ବଡ଼ Crusade କରିବାର ଉନ୍ମତ୍ତତାରେ ମଣିଷ କେତେକେତେ ଆଦର୍ଶକୁ ହତ୍ୟା କରିଚି । ମୁଁ ତେଣିକି ମନ ବଳାଇବି ନାହିଁ । ସେ ରାସ୍ତା ମୋର ରାସ୍ତା ନୁହେଁ ।

 

୧ । ୯ । ୬୦

 

ଆପଣା ଭିତରକୁ ଅନାଇଦେଲା ବେଳକୁ ଆଜି ସତେ ଅବା କେଉଁ ମନ୍ଦିର ଭିତରକୁ ଅନାଇଲା ପରି ଲାଗୁଚି । ହଁ ଯଥାର୍ଥରେ ଏହା ଏକ ମନ୍ଦିର । ମନ୍ଦିରତ୍ଵ ହିଁ ଏହାର ସର୍ବସତ୍ୟ ପରିଚୟ । ମାତ୍ର ଅନେକ ସମୟରେ ଆପଣାର ଆସନ ଓ ଆପଣାର ଆଖିକୁ ଅଶୁଦ୍ଧ ଓ ବିକୃତ କରିପକାଇ ଆମେ ଏକଥା କହିବାକୁ ଅସମ୍ମତ ହୋଇଥାଉ । ମନଟାକୁ ପ୍ରଧାନତଃ ମଇଳା ବୋଲି କହିବାରେ ଆମେ ଦୁସ୍ତବୃତ୍ତ ହୋଇଥାଉ । କିନ୍ତୁ ମନ୍ଦିର ଭିତରେ ତଥାପି ଆସନ ମହଜୁଦ ରହିଥାଏ-। ବାସ୍ତବ କହିଲେ ଅନେକେ ଆପଣାର ବିକାରଗୁଡ଼ାକୁ ହିଁ ବୁଝନ୍ତି । ବାସ୍ତବ କହିଲେ ମୁଁ ଆପଣାର ଏହି ମନ୍ଦିରତ୍ଵକୁ ବୁଝିଥାଏ । ମୁଁ ଅନେକ ସମୟରେ ଆପଣା ହାତରେ ହିଁ ଏହି ମନ୍ଦିରର ଦ୍ଵାରକୁ ବନ୍ଦ କରିଦେଇ ଆସେ, ଜାଣିଶୁଣି ଅତି ପ୍ରମତ୍ତ ଭାବରେ ଏହି ମନ୍ଦିରକୁ ଅସ୍ଵୀକାର କରିବାକୁ ମନ ବଳାଏ । ଆପେ ବିକୃତ ହୋଇପଡ଼ି ଅପରକୁ ମଧ୍ୟ କେବଳ କେତେଟା ବିକାରର ସମଷ୍ଟି ବୋଲି କହି ମୁଁ ଦମ୍ଭ କରିବାରେ ଲାଗେ । କିନ୍ତୁ ଏହି ଭ୍ରମ ବାରବାର ତୁଟିଯାଏ । କବାଟ ବାରବାର ଫିଟିଯାଏ । ଅନ୍ତର ଭିତରୁ ଭୟ ତୁଟିଯାଏ, ସକଳ ପ୍ରକାର କାଳ୍ପନିକ ଲଜ୍ଜା ଦୂର ହୋଇଯାଏ । ସଂସାରରେ ସବୁ ମଣିଷଙ୍କର ବି ଠିକ୍ ଏହିପରି ହେଉଥିବ । ସବୁ ମଣିଷଙ୍କର ବି ଆଖି ଖୋଲି ଯାଉଥିବ, ନିଜ ଭିତରେ ରହିଥିବା ମନ୍ଦିର ଆଡ଼କୁ ଅନାଇ ଦେଇ ସବୁ ମଣିଷଙ୍କର ଦେହ ଉଲ୍ଲସିତ ହୋଇ ଉଠୁଥିବ । ଏହି ଆଲୋକ ଓ ଏହି ସକାଳକୁ ଠିକ୍ ଆପଣାର ସହୋଦର ବୋଲି ମନେ ହେଉଥିବ । ସବୁ ମଣିଷଙ୍କୁ ଭଗବାନ ନିଶ୍ଚୟ ଏହି ଆଖି ଦେଇଥିବେ । ଯଦି ଅଧିକାଂଶ ସମୟରେ ମଣିଷ ଏହି ଆଖିରେ ହିଁ ପରସ୍ପରକୁ ଦେଖୁଥାନ୍ତା ଓ ପରସ୍ପରର ବିଚାର କରୁଥାନ୍ତା, ତେବେ ଆମ ସାମାଜିକ ଓ ମାନସିକ ସମ୍ପର୍କର ସ୍ତର ଆଜି ଅନ୍ୟପ୍ରକାରର ହୋଇଥାନ୍ତା-। ବାସ୍ତବବାଦ ବୋଲି କହି ମଣିଷଜୀବନର କେତେଟା ମୁହୂର୍ତ୍ତକୁ ତା’ର ସକଳ ମୁହୂର୍ତ୍ତ ବୋଲି ଦେଖାଇବାର କୌଣସି ଅପଚେଷ୍ଟା କରାଯାଉ ନଥାନ୍ତା । ଆପଣାର ମନଭିତରେ ଗୁଡ଼ାଇ ହୋଇ ରହିଥିବା ସଂଶୟ ମନୁଷ୍ୟ ଜୀବନର ସବୁଠାରୁ ବଡ଼କଥା ନୁହେଁ । ଏହି ସଂଶୟକୁ ଛେଦନ କରି ଆପଣା ଭିତରେ ମନ୍ଦିରର ଦର୍ଶନ କରିବା ହେଉଚି ତା’ଠାରୁ ଅଧିକ ମହତ୍ତ୍ଵପୂର୍ଣ୍ଣ । ମଣିଷ ହେବାପାଇଁ ଏହାହିଁ ବଡ଼ ପଥ ।

 

୨ । ୯ । ୬୦

 

ଦିନେ ଦିନେ କେଉଁ କବିତାର ଗୋଟିଏ ଧାଡ଼ି କିମ୍ବା କେଉଁ ମନ୍ତ୍ରବାକ୍ୟର ଗୋଟିଏ ଚରଣ ଆବୃତ୍ତି କରୁକରୁ ଜୀବନରେ ସବୁକିଛି ସଫା ହୋଇଗଲା ପରି ମନେହୁଏ । ସବୁ ସଂଶୟର ସମାଧାନ ହୋଇଯାଏ । ସବୁ ଘରର ଚାବି ଫିଟିଯାଏ । ସେଦିନ ସବୁ ଦିଗରେ ସୂର୍ଯ୍ୟୋଦୟ ହେଲାପରି ଲାଗେ । ଗୋଟିଏ ବାକ୍ୟ ଭିତରେ ଜୀବନର ସକଳ ଅନୁସନ୍ଧାନ ସାର୍ଥକ ହୁଏ । ମୁଁ ସେତେବେଳେ ଭାବେ, ହୁଏତ ଏତିକି ହିଁ ଯଥେଷ୍ଟ । ଆଉ ଅଧିକ ଖୋଜି ମରିବା ଦରକାର ନାହିଁ । ଏହି ଗୋଟିଏ ମନ୍ତ୍ରକୁ ମୁଁ ଜୀବନର ବୀଜମନ୍ତ୍ର କରି ରଖିବି । ନିରାଶ ହୋଇପଡ଼ିବା ସମୟରେ ମୋତେ ଏହାହିଁ ବଳଦେବ, ବାଟ ଭୁଲି ବିଚଳିତ ହୋଇପଡ଼ିବା ସମୟରେ ଏହାହିଁ ଭିତରକୁ ବାଟ ଫିଟାଇଦେବ । ଏହି ନିର୍ଭରଟିର ଆଶ୍ରୟରେ ମୋର ସାରା ଜୀବନ କଟିଯିବ, ଗୋଟିଏ ବାକ୍ୟର ସମ୍ୟକ୍‍ ଦର୍ଶନ କରି ମୁଁ ସବୁ ବାକ୍ୟର ଦର୍ଶନ ପାଇବି । ହଁ, ଏହା ମଧ୍ୟ ଗୋଟିଏ ବାଟ, ଏହା ଭକ୍ତିର ବାଟ । ଗୋଟିଏ ପ୍ରଣାମରେ ସବୁ ଦେବତାଙ୍କୁ ପ୍ରଣାମ କରି ଧନ୍ୟ ହେବାର ବାଟ । ଯେତେବେଳେ ଆପଣାଠାରୁ ବାହାରିଯାଇ ମୁଁ ଆପଣା ଆଡ଼କୁ ଲକ୍ଷ୍ୟ କରି ଦେଖେ, ଏହି ବାଟଟି ପ୍ରତି ମୋ’ ହୃଦୟର ଯେ ଅନେକ ରୁଚି ରହିଚି, ସେତେବେଳେ ମୁଁ ସେକଥା ବେଶ୍ ହୃଦୟଙ୍ଗମ କରିପାରେ । ମୋର ଜ୍ଞାନ ମୋ’ ଭକ୍ତିକୁ ଆଦୌ ମାରି ଦେଇନାହିଁ, ମୋର କର୍ମ ମୋର ଭକ୍ତିକୁ କୌଣସି ପ୍ରକାରେ ଜଡ଼ ବା ଅନ୍ଧ କରି ଦେଇନାହିଁ । କାରଣ ମୁଁ ଜ୍ଞାନ ବା କର୍ମ କେଉଁଥିରେ ହେଲେ ବାନ୍ଧିହୋଇ ପଡ଼ିନାହିଁ । ମୋ’ ଅନ୍ତରର କୁସୁମଟିରେ ମୁଁ ତିନୋଟିଯାକ ସୁବାସକୁ ଚହଟାଇ ରଖିବାଲାଗି ନିରନ୍ତର ଚେଷ୍ଟା କରିଆସିଚି ।

 

୩ । ୯ । ୬୦

 

ଲାଇବ୍ରେରୀରେ ବହି ଫେରାଇବା କଥା । ଶିକ୍ଷକ ହିସାବରେ ମୁଁ ନିଜେ ହାତରେ ବହିତକ ଧରି ଲାଇବ୍ରେରୀ ପର୍ଯ୍ୟନ୍ତ ଯିବାପାଇଁ ଲଜ୍ଜାବୋଧ କରିବି । ମୁଁ ତିରିଶି ବରଷର ଯୁବକ, ମୋ’ ଶରୀରରେ ଯଥେଷ୍ଟ ଶକ୍ତି ରହିଚି । ତଥାପି ମୋର ମନଭିତରେ ମୋତେ ଜଡ଼ କରି ରଖିଥିବା ଲଜ୍ଜା ମୋତେ ମୋର କାମକୁ ଆପେ କରିବାକୁ ଦେବନାହିଁ । ତେଣୁ ମୁଁ ଆମ କଲେଜର ଚପରାସୀକୁ ଡାକିକରି ଆଣିବି, ବହିତକ ଧରି ସିଏ ମୋ’ ଆଗେ ଆଗେ ଚାଲିବ, ଏବଂ ତଳକୁ ମୁହଁ ପୋତି ମୁଁ ଅତି ଗମ୍ଭୀର ଭାବରେ ବାବୁ ହୋଇ ତା’ ପଛେ ପଛେ ଲାଇବ୍ରେରୀକୁ ଯିବି । ମୁଁ ଭାବେ, ମୋ’ ଭିତରେ ଏପରି ଗୋଟାଏ ମନୋଭାବ ରହିଥିବା ପର୍ଯ୍ୟନ୍ତ ମୁଁ କୌଣସି ଶିକ୍ଷାର କୌଣସି ଉନ୍ନତି କରିପାରିବି ନାହିଁ । ବିଶେଷତଃ ଏହି ଦେଶର ଶିକ୍ଷାରେ ମୁଁ ଅବନତ ହିଁ ଘଟାଇବି । ବର୍ତ୍ତମାନ ଏ ଦେଶରେ ଅନେକ ପରିବର୍ତ୍ତନ ଦରକାର । ଏହି ଦେଶର ଛୋଟ ବଡ଼ ପ୍ରତ୍ୟେକ ପାଠଶାଳାରୁ ହିଁ ସେହି ପରିବର୍ତ୍ତନ ଆରମ୍ଭ ହେବ । କିନ୍ତୁ ପାଠଶାଳାର ଶିକ୍ଷକ ହିସାବରେ ଯଦି ମୁଁ ସାଆନ୍ତ ହୋଇ ରହିଥିବି, ମୋର ସାମାଜିକ କୁସଂସ୍କାର ଗୁଡ଼ାକୁ ମୁଁ ଯଦି ଛାଡ଼ିକରି ଆସି ନଥିବି, ତେବେ ମୋ’ ଦ୍ଵାରା ଏହି ଦେଶର କି ଉପକାର ହୋଇପାରିବ ? ରାଜାରାଜୁଡ଼ାମାନେ ଯିବାପରେ ଏହି ଦେଶର ମନ ସତେ ଯେପରି ରାଜାରାଜୁଡ଼ାଙ୍କର ମନ ହୋଇ ତିଆରି ହେବାରେ ଲାଗିଚି । ବିଶେଷ କରି ଏ ଦେଶର ଶିକ୍ଷିତ ଯୁବକ ହିଁ ଆପଣାର ମନ ଭିତରେ ସତେ ଅବା ରାଜାରାଜୁଡ଼ା ହୋଇ ରହିଚି । ନୂତନ ସଂକଳ୍ପ ଓ ନୂତନ ମନୋଭାବ ନେଇ ଆସିଥିବା ଶିକ୍ଷକ ହିଁ ଏହି ମନକୁ ବଦଳାଇ ପାରିବ । କିନ୍ତୁ ଉପଦେଶ ଦେଇ ନୁହେଁ, ଆପେ ନୂତନ ମନୋଭାବ ଜୀବନଯାପନ କରି ହିଁ ସେ ଏହା କରିପାରିବ । ନିଜ ଶରୀରରେ ବଳ ଥାଉ ଥାଉ ଯଦି ଶିକ୍ଷକ ତଥାପି କୁଲି କରିବାକୁ ଇଚ୍ଛା କରିବ, କୁଲିଙ୍କର ଏହି ଦେଶରେ ଯଦି ସିଏ ଆପଣାକୁ ବାବୁ ବୋଲି ଦେଖାଇଦେବାକୁ ମନ ବଳାଇବ, ତେବେ ଦଶଟା ଡିଗ୍ରୀ ଓ ଦୁଇଶହ ସାର୍ଟିଫିକେଟ ରହିଥିଲେ ମଧ୍ୟ ସିଏ ଏ ଦେଶର ଖୁବ୍‌ ବେଶି ମଙ୍ଗଳ କରିପାରିବ ନାହିଁ ।

 

୪ । ୯ । ୬୦

 

ମୋ’ ଜ୍ଞାନ ମୋର ଭକ୍ତିକୁ ପ୍ରେରଣା ଦିଏ, ମୋର କର୍ମ ମୋର ଜ୍ଞାନକୁ ପ୍ରେରଣା ଦିଏ । ଗୀତା ବିଷୟରେ ଗଭୀର ଅଧ୍ୟୟନ କରିଥିବା ବ୍ୟକ୍ତିମାନେ ଜ୍ଞାନ, ଭକ୍ତି ଓ କର୍ମକୁ ତିନୋଟି ଭିନ୍ନଭିନ୍ନ ମାର୍ଗବୋଲି ଦେଖାଇଥାଆନ୍ତି । କେଉଁଟାଠାରୁ କେଉଁଟା ଅଧିକ ସହଜ ବା ଅଧିକ ଫଳପ୍ରଦ, ସେମାନେ ସେହି ବିଷୟରେ ବି ବଚସା କରିଥାଆନ୍ତି । ଜ୍ଞାନମାର୍ଗୀ ଭକ୍ତିମାର୍ଗୀଙ୍କୁ ଅଧମ ବୋଲି କହିଥାନ୍ତି, ଭକ୍ତିମାର୍ଗୀ କର୍ମମାର୍ଗୀଙ୍କୁ ହୀନ ଦୃଷ୍ଟିରେ ଦେଖିଥାଆନ୍ତି । ମୁଁ ଏସବୁ ବୁଝିପାରେ ନାହିଁ । ମୁଁ ଅନୁଭବ କରିଥାଏ ଯେ ମୋ’ ଭିତରେ ତିନୋଟିଯାକ ମାର୍ଗ ଏକାଠି ଗୁନ୍ଥା ହୋଇରହିଚି । ଗୋଟିକର ବିକାଶ ହେଲେ ଆରଟିର ମଧ୍ୟ ବିକାଶ ହେଉଚି । ଅନ୍ୟ ଦୁଇଟିର ଦ୍ଵାର କିଳିଦେଇ ଗୋଟିକର ହିଁ ବିକାଶ କରିବାକୁ ରୀତିକୁ ମୁଁ ଏପର୍ଯ୍ୟନ୍ତ ବି ବୁଝି ପାରିନାହିଁ । ଅପର ଦୁଇଟିର ଗତିରୋଧ କରି କେବଳ ଗୋଟିକର ବିକାଶରେ ଯିଏ ଗୌରବ ଅନୁଭବ କରୁଛି, ସିଏ ସେହି ଗୋଟିକର ବିକାଶକୁ ମଧ୍ୟ ରୋଧିକରି ରଖିଚି ବୋଲି ମୁଁ ଅବଶ୍ୟ କହିବି । ଭକ୍ତିର ଅଧିକ ପରିଚୟ ହେବାଲାଗି ଅଧିକ ଜ୍ଞାନ ଦରକାର । ଜ୍ଞାନର ପରମ ପରିଚୟ ପାଇବାକୁ ହେଲେ ଅଧିକ କର୍ମ ମଧ୍ୟ ଦରକାର । ଯେତେବେଳେ ଅସଲ ଜ୍ଞାନକୁ ବାଟଫିଟେ, ସେତେବେଳେ ଅସଲ ଭକ୍ତି ତଥା ଅସଲ କର୍ମ ସହିତ ମଧ୍ୟ ଆତ୍ମପରିଚୟ ଘଟେ । ଭଗବତ୍ ପରିଚୟରେ ଏହି ତିନୋଟିଯାକ ଧାରାର ମିଳନ ହୁଏ । ଏହିପରି ଏକ ବିଶ୍ଵାସ ଧରି ବାଟ ଚାଲୁଥିବା ମଣିଷ ପକ୍ଷରେ ସଂସାରର ନାନା ମାର୍ଗ ଓ ସମ୍ପ୍ରଦାୟର ପ୍ରକୃତି ଓ ପ୍ରବୃତ୍ତିକୁ ପରସ୍ପର ଠାରୁ ଭିନ୍ନ କରି ବୁଝିବା ବଡ଼ କଷ୍ଟକର ବ୍ୟାପାର ହୋଇପଡ଼େ । ସେ ଧର୍ମ ସଂସାରର କୌଣସି ଛାଞ୍ଚରେ ଆପଣାକୁ ପକାଇ ପାରେନାହିଁ ।

 

୫ । ୯ । ୬୦

 

ଏତେ ଅସନ୍ତୋଷ କାହାପାଇଁ ? ଏହି ଅସନ୍ତୋଷର ଅଗ୍ନିରେ ଦହିହୋଇ ମରିଗଲେ ତାହାକୁ ଜୀବନର ଏକ ଗୌରବ ବୋଲି କଦାପି କୁହାଯାଇପାରିବ ନାହିଁ । ଏହି ଅସନ୍ତୋଷକୁ ଏକାଠି କରି କେଉଁ ଜୀବନ ବଲ୍ଲଭର ପାଦ ପାଖରେ ନେଇ ସମର୍ପି ଦେବାର ସାମର୍ଥ୍ୟ ରହିଥିବା ଦରକାର । ତେବେ ଯାଇ ଏହାର ମୂଲ୍ୟ ରହିବ । ମୁଁ ବର୍ତ୍ତମାନ ବାହାର ଆଉ ଭିତର ମଧ୍ୟରେ ଏତେବେଶି ପ୍ରଭେଦ ଦେଖୁଚି ଯେ ତାହାହିଁ ମୋତେ ଭାରି ବିଚଳିତ କରି ପକାଉଚି । ସବୁ ଦୁଆରେ ଅନାଦୃତ ଓ ଅସ୍ଵୀକୃତ ହେଲାପରି ମୁଁ ବଡ଼ ଆକୁଳ ହୋଇ ଖାଲି ଆପଣା ପାଖକୁ ବାହୁଡ଼ି ଆସୁଚି ଓ ନାନା ଅସନ୍ତୋଷରେ ଏକାକୀ ବସି ଘାଣ୍ଟି ହେଉଚି । ଏଠାରେ ମୁଁ କେତେ ଅଭିନୟ ବା କରିବି ? ଏହିପରି ଏକ ଅନୁଷ୍ଠାନରେ ପରୀକ୍ଷାରେ ପାସ୍ କରି ଭଲ ଚାକିରୀ କରିବା ବ୍ୟତୀତ ଛାତ୍ର ଆଉ କିଛି ଚାହେନାହିଁ । ଆପଣାର ବେତନ ବଢ଼ାଇ ଅଧିକ ସଫଳ ଓ ଅଧିକ ସଜ୍ଜିତ ହେବା ବ୍ୟତୀତ ଶିକ୍ଷକ ମଧ୍ୟ ଆଉ ଖୁବ୍ ବେଶୀ କିଛି ଚାହେନାହିଁ । ଅଧିକରୁ ଅଧିକ ପଇସା ଆଣି ଆପଣାର କର୍ତ୍ତୃତ୍ଵ ବଢ଼ାଇବା ବ୍ୟତୀତ କର୍ତ୍ତାମାନେ ଆଉ କିଛି ଚାହାନ୍ତି ନାହିଁ । ମୋର ମନ ଏମାନଙ୍କ ଭିତରୁ କାହା ସହିତ ମିଳିପାରିବ ? କାହା ସହିତ ମୁଁ ଚାଲାକ ଚତୁର ହୋଇ ଏକାଠି ବେଶି ଦୂର ଯାଇପାରିବି ? ଏପରି ଏକ କ୍ଷେତ୍ରରେ ମୁଁ କିପରି ବା ସନ୍ତୋଷ ଲାଭ କରିପାରିବି ? ମୁଁ ଯୁଆଡ଼କୁ ଅନାଉଚି, ସେଠାରେ ମଧ୍ୟ କେବଳ ଏହି ପରାଜୟ ହିଁ ଅନୁଭବ କରୁଚି । ସତେଅବା ସବୁଠାରେ ମୋ’ ଲାଗି ସବୁ ଦୁଆର ବନ୍ଦ ହୋଇ ରହିଚି ! ସବୁଠାରେ ମଣିଷ ଅନ୍ୟ କିଛି ଚାହୁଚି । ମୁଁ ଯାଇ ତା’ପାଖରେ ପହଞ୍ଚିଲେ ସିଏ ମୋ’ଠାରୁ ମଧ୍ୟ ସେହିପରି ଅଭିନୟ ଦାବି କରୁଚି ! ଏବଂ ଏହି ଅଭିନୟ କରିପାରିବା ଲାଗି ମୋ’ଭିତରେ ବିଶେଷ ପାରଦର୍ଶିତା ନାହିଁ । ସେହି ପାରିଦର୍ଶିତା ଲାଭ କରିବାକୁ ମୁଁ ମରଣଠାରୁ ବି ଅଧିକ ଅଭାଗ୍ୟ ବୋଲି ମନେକରୁଚି । ତା’ ଅପେକ୍ଷା ବରଂ ମୋର ଏହି ଅସନ୍ତୋଷ ହୁଏତ ବାଟ ଦେଖାଇବ, ମୋତେ ଅଧିକ ଯୋଗ୍ୟ କରାଇବ । ମୋତେ ଦିନେ ନା ଦିନେ ଏକ ଇପ୍‌ସିତ କ୍ଷେତ୍ରରେ ନେଇ ପହୁଞ୍ଚାଇ ଦେଇ ପାରିବ । ତେଣୁ ସେଦିନ ଯାଏ ଅପେକ୍ଷା କରି ରହିବାକୁ ହିଁ ପଡ଼ିବ । ଆପଣା ଉପରେ ବିଶ୍ଵାସ କରି ଭଗବାନଙ୍କ ଉପରେ ବିଶ୍ଵାସ କରି ଓ ମଣିଷ ଭିତରେ ରହିଥିବା ସତ୍‌ପ୍ରବୃତ୍ତି ଉପରେ ବିଶ୍ଵାସ କରି ରହିବାକୁ ପଡ଼ିବ ।

 

୬ । ୯ । ୬୦

 

ଏହି ଦେଶରେ ସବୁଠାରେ ଠକାମି, ସବୁଠାରେ ପରକୁ ଅପବାଦ ଦେଇ ଆପେ ଆଖିବୁଜି ଅନ୍ୟାୟ କରିଯିବାର ପ୍ରବୃତ୍ତି । ସତେ ଯେପରି ଅନ୍ୟ ଅନେକେ ଅନ୍ୟାୟ କରୁଚନ୍ତି ବୋଲି ବଡ଼ପାଟି କରି କହିଦେଲେ ମୁଁ ଅଜସ୍ର ଅନ୍ୟାୟ କରିବା ସକାଶେ ଆପଣା ଲାଗି ଏକ ପାସ୍‍ପୋର୍ଟ ପାଇଯାଉଚି ! ମୁଁ ଅନ୍ୟାୟ କରିବି ନାହିଁ,–ଏହିପରି ଯେଉଁ ନୈତିକ ସମ୍ବ୍ରମଟି ଆଗେ ଅନେକ ଜାଗାରେ ଥିଲା, ଆଜି ସେହି ସମ୍ବ୍ରମ ମଧ୍ୟ ଭାରି ବିରଳ ହୋଇ ପଡ଼ିଲାଣି । ଅପରକୁ ଦୋଷ ଦିଅ, ଦୁଃସାହସିକ ଭାବରେ ଅନ୍ୟାୟ କରିଯାଅ,–ସତେ ଯେପରି ଏହାହିଁ ଆଜି ଅନୁସୃତ ନୀତି ହୋଇ ସାରିଲାଣି । ନୀତିବାଦର ଉତ୍ସ ହେଉଚି ଆପଣା ଭିତରେ । କୋଉଟା କର୍ତ୍ତବ୍ୟ ବା କୋଉଟା କର୍ତ୍ତବ୍ୟ ନୁହେଁ, ପ୍ରତ୍ୟେକ ପରିପକ୍ଵ ମଣିଷ ଆପଣା ପାଖରେ ନିର୍ଭରଶୀଳ ହୋଇ ହିଁ ସେ କଥାର ବିଚାର କରିଥାଏ । ଆପଣାର ଚତୁର୍ଦ୍ଦିଗର ଭୂମି ଉପରେ ଆପଣାର ବିଚାର କରି ଓ ଆପଣାର ପରମ ମୂଲ୍ୟଗୁଡ଼ିକୁ ନିର୍ଣ୍ଣୟ କରି ସେ ଆପଣା ଜୀବନନୀତିର ନିର୍ଣ୍ଣୟ କରିଥାଏ । ଆଜି କୌଣସି ଯୁବକ ପାଖରେ ଏହି ବିଚାର ପଦ୍ଧତି ଅତି ବିରଳ ହୋଇଗଲାଣି । କେବଳ ବାହାରକୁ ଅନାଇ ସମସ୍ତେ ଆପଣା ଜୀବନର ନୀତି ନିର୍ଦ୍ଧାରଣ କରୁଚନ୍ତି । ବ୍ୟକ୍ତି କେବଳ ସମୂହ ଉପରେ ହିଁ ନିର୍ଭର କରିବ । ବିଭିନ୍ନ ସମୟର ହାଉଆ ଅନୁସାରେ ଦାଣ୍ଡରେ ଯେଉଁ କଥାଟାର ବେଶି କାଟତି ହେବ, ସିଏ ସେଇ କଥାଟାକୁ ହିଁ ଅନୁସରଣ କରିବ । ଯେପରି କି କୋଉଠି ଭୁଲ କରି ବସିଲେ ସେ ତଜ୍ଜନିତ ସକଳ ଦାୟିତ୍ଵ ଓ ସକଳ ଗ୍ଲାନିରୁ ରକ୍ଷା ପାଇଯାଇପାରିବ ! ଅନ୍ୟ ସମସ୍ତଙ୍କ ଉପରେ ଦୋଷ ଲଦି ଦେଇ ସେ ତଥାପି ନିର୍ଲଜ୍ଜ ଉଦାସୀନ ହୋଇ ରହିପାରିବ । ମୁଁ ଯାହାସବୁ କରୁଚି, ସେଥିରେ ମୋର ଦୋଷ ନାହିଁ; କାରଣ ମୁଁ କେବଳ ଆଉ କେତେଜଣଙ୍କର ଆଚରିତ ରୀତିର ଅନୁସରଣ ହିଁ କରୁଚି,–ଆମ ଦେଶର ଆଜି ସାମାଜିକ ନୀତିର ଏହିପରି ବ୍ୟାଖ୍ୟା ହେଲାଣି । ଏହାର ପରିଣାମ ହେଉଚି ସବୁପ୍ରକାର ନୀତିରୁ ଭ୍ରଷ୍ଟ ହୋଇଯିବା, ସବୁପ୍ରକାର ନୀତିକୁ ଅସ୍ଵୀକାର କରିବା ।

 

୭ । ୯ । ୬୦

 

‘ଡାକ୍ତର ଜିଭାଗୋ’ର ଅନୁବାଦ କୋଉଦିନୁ ସରିଲାଣି । ସେହି ପୁସ୍ତକର ପ୍ରଥମ ଭାଗଟା କୋଉଦିନୁ ଛାପା ସରିଲାଣି । ଅଥଚ ମୋର ମନ ଏପର୍ଯ୍ୟନ୍ତ ମଧ୍ୟ ସେହି ଗ୍ରନ୍ଥ ଓ ତା’ର ଗ୍ରନ୍ଥକାର ପାଖକୁ ବାରବାର ଫେରିଆସୁଚି । ବୋରିସ୍ ପାସ୍ତର୍‍ନାକ୍‍ଙ୍କୁ ମୋର ଅତି ଆପଣାର ଲୋକ ବୋଲି ମନେହେଉଚି । ଏହି ହୃଦୟ ଯାହା ଚାହେ, ସେହି ଗ୍ରନ୍ଥଟିର ହୃଦୟରେ ମୁଁ ଯେପରି ତାହାହିଁ ଅନୁଭବ କରିଚି । ରୁଷିଆ ଦେଶ ମୋ’ଦେଶଠାରୁ ଅନେକ ଦୂର, ରୁଷିଆର ଐତିହାସିକ ପୃଷ୍ଠଭୂମିଠାରୁ ଅନେକ ଭିନ୍ନ । ତଥାପି ଆମେ ଦୁହେଁ ସତେ ଯେପରି ଏକା ନାବରେ ବସି ପ୍ରାଣ ଖୋଲି କଥାବାର୍ତ୍ତା ହେଉଚୁ, ‘ଡାକ୍ତର ଜିଭାଗୋ’ ପଢ଼ିଲାବେଳେ ପାସ୍ତର୍‍ନାକ୍‍ଙ୍କ ବିଷୟରେ ମୋତେ ଠିକ୍ ଏହିପରି ଲାଗେ । ଜୀବନର ଅତି ଗଭୀର ସମସ୍ୟା, ପୃଥିବୀର ଯାବତୀୟ ସମସ୍ୟାର ଅନ୍ତଃସ୍ଥଳରେ ରହିଥିବା ଅସଲ ହୃଦୟଗତ ସମସ୍ୟା,–ଏହାହିଁ ‘ଡାକ୍ତର ଜିଭାଗୋ’ର ସମସ୍ୟା । ଏହା ସବୁ ଦେଶର ସମସ୍ୟା, ସବୁ ମଣିଷର ସମସ୍ୟା । ଏହା ହେଉଚି ଭୟର ସମସ୍ୟା । ଉଗ୍ର ଉତ୍ସାହରେ ଅନ୍ଧ ହୋଇ ମଣିଷକୁ ମାଡ଼ି ଚକଟି ସଂସାରଟାକୁ ସାବାଡ଼ କରି ଗଢ଼ିବାର ଉନ୍ମତ୍ତତାର ସମସ୍ୟା । ଇଏ ହେଉଚି ଭୟ ଦେଖାଉଥିବା ଶାସନକୁ ନାହିଁ ବୋଲି କହିପାରିବାର ସମସ୍ୟା । ଆପଣାର ସକଳ ବିବେକକୁ ମାରି ଦେବାଲାଗି ଆସୁଥିବା ପ୍ରାଦୁର୍ଭାବର କବଳରେ ପଡ଼ିଯିବାକୁ ନାହିଁ କରିଦେବାର ସମସ୍ୟା । ଏହି ସମସ୍ୟା ଋଷିଆରେ ରହିଚି, ଆମେରିକାରେ ରହିଚି, ଭାରତବର୍ଷରେ ମଧ୍ୟ ରହିଚି । ହୁଏତ ଯୁଗେ ଯୁଗେ ସବୁ ଦେଶରେ ନାନା ମାତ୍ରାରେ ରହି ଆସିଚି । ପ୍ରତ୍ୟେକ ମଣିଷକୁ ତା’ର ସ୍ଵାଭାବିକ ରୀତିରେ ବଢ଼ିବାକୁ ଦିଅ, ପୂର୍ଣ୍ଣରୂପେ ବିକଶିତ ହୋଇ ତାକୁ ଆପଣାର ଯୁଗ ଲାଗି କିଛି ହେବାକୁ ଦିଅ,–ସବୁ ଯୁଗରେ ଏହାହିଁ ହେଉଚି କଳାବିତ୍‌ର ଦାବି । କିନ୍ତୁ ଶାସନ ସେ କଥା ମାନିବାକୁ ଚାହେନାହିଁ । ଶାସନ ମଣିଷକୁ ମଣିଷ ବୋଲି ସ୍ଵୀକାର କରିବାକୁ ଚାହେନାହିଁ । ଗୋଟାଏ ସୂତ୍ର ଅନୁସାରେ ବା ଗୋଟାଏ ଛାଞ୍ଚ ଅନୁସାରେ ତାହା ମଣିଷକୁ ବାଡ଼େଇପିଟି ଗଢ଼ିବାକୁ ଚାହେ ଏବଂ ତାହାକୁ ହିଁ ଭଲ ବୋଲି କହେ । ତାହାକୁ ଆଦର୍ଶବାଦ ବୋଲି କହେ । କଳାବିତ୍ ଏହି ପ୍ରବୃତ୍ତିଟିର ବିରୁଦ୍ଧରେ ସର୍ବଦା ବିଦ୍ରୋହ କରି ଆସିଚି ।

 

୮ । ୯ । ୬୦

 

ସୁଦୂର ହାଇଦରବାଦରୁ ଅଣା ହୋଇଥିବା ଧଳାରଙ୍ଗଣୀର ମଞ୍ଜି,–ଆଜି ବରଷକ ପରେ ସେଥିରେ କଢ଼ ଧରିଚି । ଆଜି ସକାଳୁ ସକାଳୁ ବଗିଚାକୁ ଯାଇ ମୁଁ ଏହି ଆନନ୍ଦମୟ ସତ୍ୟଟିକୁ ଆବିଷ୍କାର କରି ଆସିଲି । ହୃଦୟ ଭିତରେ ବରଷେ ହେଲା ବଞ୍ଚି ରହିଥିବା ବାସନା ସତେ ଯେପରି କୃତାର୍ଥ ହୋଇଗଲା ପରି ମନେହେଲା ! ଗତବର୍ଷ ରାଜେନ୍ଦ୍ରନଗରର ପ୍ରଶିକ୍ଷଣ କେନ୍ଦ୍ରରେ ପହଞ୍ଚି ଦୁଆର ମୁହଁରେ ଥିବା ଧଳାରଙ୍ଗଣୀର ଗଛ ଉପରେ ମୋର ଆଖି ପ୍ରଥମେ ହିଁ ଅଟକି ଯାଇଥିଲା । ସଞ୍ଜ ପରେ ଜହ୍ନ ରାତିରେ ଯେତେବେଳେ ସେଇ ଗଛରେ ଫୁଲ ଫୁଟେ, ସେତେବେଳେ ଭୂଇଁ ଉପରେ ତାରା ବିଞ୍ଚି ହୋଇ ଯାଇଥିବା ପରି ମନେହୁଏ । ମୋର ମଞ୍ଜି ସଂଗ୍ରହ କରିବା ସେହିଦିନଠାରୁ ଆରମ୍ଭ ହେଲା । ଏଠାରେ ପହଞ୍ଚିବା ମାତ୍ରକେ ମଞ୍ଜି ପୋତା ବି ଆରମ୍ଭ ହୋଇଗଲା-। ଗଛ ଉଠିଲା ସତ, ମାତ୍ର ପରେ ଶୀତର ପ୍ରକୋପରେ ଗଛ ବଞ୍ଚିଲା ନାହିଁ । ଶୀତ ପରେ ମୁଁ ଦ୍ଵିତୀୟଥର ମଞ୍ଜି ପୋତିଲି । ଖରାର ପ୍ରକୋପରେ ତାହା ମଧ୍ୟ ଛୁଟି ଭିତରେ ନଷ୍ଟ ହୋଇଯାଇଥିଲା-। ଏଥର ଛୁଟିରୁ ଆସି ତୃତୀୟଥର ପାଇଁ ମଞ୍ଜି ଲଗାଇଲି । ଅନେକ ଅରିଷ୍ଟ ପାର ହେବା ପରେ ବର୍ତ୍ତମାନ ସାତୋଟି ଗଛ ଅବଶିଷ୍ଟ ରହିଚି । ତା’ଭିତରୁ କେତୋଟି ଗଛ ବର୍ତ୍ତମାନ ମଧ୍ୟ ବଞ୍ଚିବା ଲାଗି ସଂଗ୍ରାମ କରିବାରେ ଲାଗିଚନ୍ତି । ଏହି ସାତୋଟି ଗଛରୁ ଗୋଟିକରେ ମୁଁ ଆଜି କେତୋଟି କଢ଼ ଦେଖି ଆସିଲି । କେତେ ଦୂରରେ ହାଇଦରାବାଦ, ମାଟିର ରସ ଆକାରରେ ପ୍ରତ୍ୟେକ ଗଛକୁ ଜୀବନର ସ୍ନେହ ଦେଉଥିବା କେତେବେଳେ ସବୁ ଉଦ୍ଭିଦର ସେହି ସ୍ନେହମୟୀ ଜନନୀ, ଏହି ଆକାଶର ଖରା ଆଉ ବରଷା, ଦିନମାନର କ୍ଳାନ୍ତି ଦୂର କରି ପ୍ରତ୍ୟେକ ଦିନ ସକାଳେ ନୂଆ ସତେଜତା ଦେଇ ଯାଉଥିବା ଏହି ସୁଶୀତଳ ଶିଶିରବିନ୍ଦୁ, ମୁଁ ଗୋଟିଏ ମୁହୂର୍ତ୍ତରେ ଆପଣାର ହୃଦୟ ଭିତରେ ଠୁଳ କରି ଦେଖିବାକୁ ପାଇଲି,–ଏବଂ ତା’ରି ମଝିରେ ମୋର ଯେଉଁ ବାସନା ସତେ ଅବା ରଙ୍ଗଣୀ ହୋଇ ଫୁଟି ଉଠିଥିଲା !

 

୯ । ୯ । ୬୦

 

ଅନେକ ଲୋକ କହନ୍ତି, କାମ ପରେ ଛୁଟି ଅବଶ୍ୟ ଦରକାର । କିନ୍ତୁ କାମରେ ବ୍ୟସ୍ତ ଥିଲାବେଳେ ମଧ୍ୟ ଯେଉଁମାନେ ଛୁଟିର ଭାବନାରେ ହିଁ ଅଧିକ ବ୍ୟସ୍ତ ଓ ବ୍ୟଗ୍ର ହୋଇ ରହିଥାନ୍ତି, କର୍ମ ସହିତ ସେମାନଙ୍କର ସମ୍ବନ୍ଧ ବିଷୟରେ ପ୍ରକୃତରେ କଣ କୁହାଯାଇପାରିବ ? ଏପରି ଲୋକଙ୍କର କାମରେ ଆଦୌ ମନ ନ ଥାଏ । ଏମାନେ ଯେତିକି ବାଧ୍ୟ ହୁଅନ୍ତି, କେବଳ ସେତିକି କାମ କରନ୍ତି । କିନ୍ତୁ ସେହି କାମକୁ ଅନୁରାଗ ସହିତ କରିପାରନ୍ତି ନାହିଁ । କାରଣ ସେମାନଙ୍କର ମନ ସବୁବେଳେ ଛୁଟି ପାଇଁ ଛଟପଟ ହେଉଥାଏ । ମୋର କାମବେଳେ ମୁଁ ଛୁଟିପାଇଁ ଛଟପଟ ହୁଏ ନାହିଁ-। ତେଣୁ କର୍ମଜନିତ ଆନନ୍ଦରୁ ବଞ୍ଚିତ ହେବାର ଦୁର୍ଭାଗ୍ୟ ମୋର କେବେହେଲେ ହୁଏନାହିଁ-। ମୁଁ ବାଧ୍ୟ ହୋଇ କାମ କରେନାହିଁ । ସଂସାରରେ ଯେଉଁ ଭଳି କାମପ୍ରତି ମୋର ସ୍ଵଭାବତଃ ଅନୁରାଗ ଥାଏ, ମୁଁ ସେହିଭଳି କାମକୁ ଆପଣା ଇଚ୍ଛାରେ ହିଁ ହାତକୁ ନିଏ । ତେଣୁ ମୁଁ କାମରୁ ହିଁ ଆନନ୍ଦ ପାଏ, କାମ ଭିତରେ ଏକପ୍ରକାର ଛୁଟି ଅନୁଭବ କରିଥାଏ । କାମରୁ ପଳାଇ ଯାଇ ଛୁଟି ଭିତରକୁ ଝାସ ଦେଉଥିବା ଲୋକଙ୍କର ଛୁଟି ସହିତ ଏହାର କୌଣସି ତୁଳନା ହିଁ ହେବନାହିଁ । ଏ ଛୁଟି ଯେ ପ୍ରକୃତରେ କ’ଣ, ମୁଁ ନିଜେ ମଧ୍ୟ ତାହାକୁ ବର୍ଣ୍ଣନା କରିପାରିବି ନାହିଁ । କିନ୍ତୁ ଏହି ଛୁଟି ମୋତେ ଅଧିକରୁ ଅଧିକ କର୍ମରେ ପ୍ରବୃତ୍ତି ହେବାକୁ ଶିଖାଏ । ଏହି ଛୁଟି ଆପଣାର ଅନୁରାଗ ଅନୁସାରେ ନବ ନବ କର୍ମଯୋଜନା ଭିତରେ ଆପଣାକୁ ସମର୍ପଣ କରିଦିଏ । ଏହି ଛୁଟି କାମ ଭିତରେ ବାନ୍ଧି ହୋଇ ପଡ଼ିଥିଲେ ମଧ୍ୟ କର୍ମଜନିତ ସମସ୍ତ କାଳ୍ପନିକ କ୍ଳାନ୍ତିରୁ ବଞ୍ଚାଇ ରଖେ । ଏହି ଛୁଟି ନୂତନ ଶକ୍ତି ଦିଏ, ଆପଣା ଉପରେ ନୂତନ ଶ୍ରଦ୍ଧାର ସଞ୍ଚାର କରେ । କାଲି ଗୋଟିଏ ପୁସ୍ତକର ଅନୁବାଦ ସରିଲା-। ଆଜି ମୁଁ କୌଣସି ନୂଆ ବହି ହାତକୁ ନେଇନାହିଁ । ବାହାରର ମନଟା କହୁଚି, ଆଜି ଦିନଟା ମୋର ଛୁଟି । କିନ୍ତୁ ଭିତରୁ ହୃଦୟ କହୁଚି,–ତୋ’ର କାଲି ବି କ’ଣ ଛୁଟି ନ ଥିଲା, ପୃଷ୍ଠାପରେ ପୃଷ୍ଠାର ଅନୁବାଦ ଶେଷ କରିବାରେ ନିଜକୁ ସମର୍ପଣ କରି ଦେଇଥିବାବେଳେ କ’ଣ ଛୁଟି ନ ଥିଲା-? ଯିଏ ନଈ ପହଁରୁଥାଏ, କେବଳ କୂଳକୁ ଉଠିବା ପରେ କ’ଣ ସିଏ ଛୁଟି ପାଏ, ଆନନ୍ଦ ପାଏ; ସନ୍ତରଣ କରି ନଦୀସ୍ରୋତକୁ ପାର ହେଉଥିବା ବେଳେ ସେ କ’ଣ କୌଣସି ଆନନ୍ଦ ଅନୁଭବ କରେ ନାହିଁ ?

 

୧୦ । ୯ । ୬୦

 

ଏହି ଦେହକୁ ଦୀପ କରି ଦେବାଳୟର ଯୋଗ୍ୟ କରିବାକୁ ହେବ, ଏହାହିଁ ଭାରି ବଡ଼ ସାଧନା । କୃଚ୍ଛ୍ରସାଧନାଠାରୁ ବଳି ବି ଅଧିକ ବଡ଼ ସାଧନା । ମନ ମଙ୍ଗିଯାଏ, ବିଚାର ମଙ୍ଗିଯାଏ, କିନ୍ତୁ ଅନେକ ସମୟରେ ଏହି ଶରୀରଟା ନ ମଙ୍ଗିଲା ପରି ମନେହୁଏ । ପିଲାଦିନେ ଶରୀରଟା ବିଷୟରେ ନାନା ଅପବାଦ ଓ କୁତ୍ସା ଶୁଣି ଶୁଣି ବଡ଼ ହେଲା ବେଳକୁ ଖାସ୍ ଏହି ଶରୀରଟା ସହିତ ହିଁ ଆମର ସକଳ ମନ ଓ ସକଳ ପ୍ରବୃତ୍ତି ବଡ଼ ଜଟିଳ ଭାବରେ ଛନ୍ଦି ହୋଇଯାଏ । ଏହି ଶରୀର ହେୟ, ଛୋଟ ଓ ବର୍ଜନୀୟ ବୋଲି ବାହାରେ ପାଠ ପଢ଼ାଇ ଦିଆଯାଏ । ତେଣୁ ଅଜ୍ଞାନ ମନଟା ବା ଅସଲ ମନଟା ଯାଇ ସେହି ଶରୀର ପାଖରେ ହିଁ ବାନ୍ଧି ହୋଇପଡ଼େ । ଏବଂ ବଡ଼ ହେଲା ବେଳକୁ, ଅର୍ଥାତ୍ ଏହି ଶରୀରକୁ ଆପଣାର ସତ୍‍ ପ୍ରବୃତ୍ତି ଗୁଡ଼ିକର ଅନୁରୂପ କରି ପ୍ରସ୍ତୁତ କଲାବେଳକୁ ଶରୀର ଫାଶରୁ ପଳାଏ, ଶରୀର ସହଚର ବା ସହଯୋଗୀ ହେବାକୁ ଚାହେଁନାହିଁ । ଅର୍ଥାତ୍ ମଣିଷ ଦେବାଳୟ ପାଖକୁ ବାହାରିବା ବେଳକୁ ହିଁ ତା’ର ଶରୀର ସେହି ଦେବାଳୟର ପାହାଚ ହେବା ପରିବର୍ତ୍ତେ ଏକ ବିକାରାଳୟ ହୋଇରହେ, ତାକୁ ପଛକୁ ଟାଣି ଧରେ । ଶରୀରଟାକୁ ଶତ୍ରୁ ବୋଲି ମନେ କରିବା ପାଇଁ ଆମେ ପିଲାଦିନରୁ ଯେଉଁ କୁଶିକ୍ଷା ପାଇଚୁ, ତାହାରି ଫଳରେ ଆମେ ହୁଏତ ଶରୀରକୁ ଶାସନ କରିବାର ପ୍ରଚଣ୍ଡତା ଅର୍ଜନ କରିପାରିଚୁ, କିନ୍ତୁ ତାହାକୁ ବୁଝି, ସହାନୁଭୂତି ସହିତ ବୁଝି ତାକୁ ଆପଣାର ସହଯୋଗୀ ରୂପେ ପାଇବାର ସୌଭାଗ୍ୟରୁ ଆମେ ବଞ୍ଚିତ ହୋଇଚୁ । ଫଳତଃ ଆମେ ଆମର ଶରୀର ଓ ମନ ଭିତରେ ଦୁଇଖଣ୍ଡ ହୋଇଯାଇଚୁ । ଶରୀରର ବୋଲ ମାନୁଥିବା ବେଳେ ମନର ଅସ୍ତିତ୍ଵ ବିଷୟରେ ମଧ୍ୟ ଆମର କୌଣସି ଜ୍ଞାନ ରହୁନାହିଁ । ମନକୁ ନେଇ ଜୀବନଚର୍ଚ୍ଚା କରୁଥିବା ବେଳେ ଶରୀରଟାକୁ କେବଳ ଏକ ବୋଝ ବା ବନ୍ଧନ ବୋଲି ବିଚାର କରିବା ବ୍ୟତୀତ ଆମ ବୁଦ୍ଧିକୁ ଆଉ କିଛିହେଲେ ଦେଖାଯାଉନାହିଁ । ଯାହାର ଜୀବନରେ ଶରୀର ଓ ମନ ଦୁଇଭାଗ ହୋଇ ପଡ଼ିଚି, ଦୁହିଁଙ୍କ ଭିତରେ କୌଣସି ସଙ୍ଗତି ନାହିଁ, ସେଠାରେ ଆତ୍ମୋଦୟର ପ୍ରଶ୍ନହିଁ କିପରି କୁଆଡ଼ୁ ଆସିପାରିବ ?

 

୧୧ । ୯ । ୬୦

 

ଭାରତବର୍ଷର ଜୟଗାନ କଲାବେଳେ ଏହାର ମର୍ମ ଯେ କେତେଦୂର ମହତ୍ତ୍ଵପୂର୍ଣ୍ଣ, ଏ କଥାଟି ମୁଁ ସେତେବେଳେ କେବେହେଲେ ଭାବିବାକୁ ଚେଷ୍ଟା କରି ନଥିଲି । ଆଜି ଭାବୁଚି ଦେଶକୁ ସ୍ଵାଧୀନ କରିବାପାଇଁ ଆପଣା ହୃଦୟର ସମର୍ଥନ ଦେଇ ମୁଁ ଆପଣାର ସ୍ଵାଧୀନତା ହିଁ କାମନା କରିଥିଲି । ଏହି ଦେଶର କେବଳ ଗୋଟାଏ ଦଳର ବା ଗୋଟାଏ ଶ୍ରେଣୀର ଶାସନ ଚଳିବ, କେବଳ ଗୋଟାଏ ବର୍ଗ ଖାଇବାକୁ ପାଇବେ, ପଢ଼ିବାକୁ ଓ ବାବୁ ହେବାକୁ ଚାହିବେ,–ଭାରତବର୍ଷକୁ ଯଦି ଖାସ୍ ଏଇଥିଲାଗି ସ୍ଵାଧୀନ ହେବାର ଥିଲା, ତେବେ ସେହି ସ୍ଵାଧୀନତାକୁ ହାସଲ କରିବାର ସଂଗ୍ରାମରେ ମୁଁ କଦାପି ସମ୍ମିଳିତ ହୋଇ ନଥାନ୍ତି । ଏହି ଦେଶର ଭୂଇଁ ଅନ୍ୟ ଦେଶସବୁର ଭୂଇଁଠାରୁ ଅଧିକ ମହିମାମୟ ବୋଲି କହି ମୁଁ ଆପଣାକୁ କଦାପି ଠକିବାକୁ ଇଚ୍ଛା କରିବିନାହିଁ । ଏହି ଦେଶରେ ବାସ କରୁଥିବା ପ୍ରତ୍ୟେକ ମଣିଷର ସ୍ଵାଧୀନତା ହିଁ ହେବା ଉଚିତ । ଏ ଦେଶରେ ସମସ୍ତେ ଖାଇବାକୁ ପାଇବେ, ସମସ୍ତେ ପାଠ ପଢ଼ିବାକୁ ପାଇବେ, ସମସ୍ତେ ମଣିଷର ଯୋଗ୍ୟ ସମ୍ମାନ ଓ ସ୍ଵୀକାର ପାଇବେ, ଅଧିକ ଧନ, ଅଧିକ ବୁଦ୍ଧି ବା ଅଧିକ ଫିସାଦିର ବଡ଼ାଇ ଦେଖାଇ କେହି କାହାରିକୁ ତଳକୁ ଦାବିଦେଇ ପାରିବେ ନାହିଁ, ଯେଉଁଦିନ ଏହି ଭୂମିରେ ଏହିପରି ଏକ ମନୁଷ୍ୟୋଚିତ ବାତାବରଣ ସମ୍ଭବ ହୋଇପାରିବ, ସେଦିନ ଯାଇ ମୁଁ ଏ ଦେଶକୁ ଯଥାର୍ଥରେ ସ୍ଵାଧୀନ ବୋଲି କହିବି, ଏହି ଦେଶକୁ ନେଇ ଗୌରବ ଅନୁଭବ କରିବି । ଏହି ଦେଶର ଇତିହାସରେ ଯେଉଁଠି ମଣିଷର ସମ୍ମାନରକ୍ଷା ପାଇଁ ଯେତେ ଉଦ୍ୟମ ହୋଇଚି, ସଂସ୍କାର ଓ ଶାସନର ସୀମା ଡେଇଁ ମଣିଷର ନ୍ୟାୟ ଓ ସତ୍ୟବାସନା ଯେଉଁଠି ଜନ୍ମଲାଭ କରିଚି, ତାହାକୁ ମୁଁ ଅତି ଆଦରର ସହିତ ମନେରଖିବି, ମୁଁ ତାହାରିଠାରୁ ପ୍ରେରଣା ପାଇବି । ଏ ଦେଶର ରାଜା, ମହାରାଜା, ମହଲ ଓ ମହାଡ଼ମ୍ବରମାନ ମୋତେ ହୁଏତ ପିଲାଦିନେ କେବେ ପୁଲକ ଦେଉଥିଲା, ଏ ଦେଶରେ ହୋଇଥିବା କେଉଁ ରକ୍ତାକ୍ତ ଯୁଦ୍ଧର ବିବରଣୀ ଶୁଣିଲେ ହୁଏତ ପିଲାଦିନେ ଅବାକ୍‍ ଓ ବିସ୍ମିତ ମନେ ହେଉଥିଲା । କିନ୍ତୁ ସେଗୁଡ଼ାକ କେବଳ ଏକ ଅପରିପକ୍ଵ ମୁଗ୍‍ଧ ମନର ଭାବପ୍ରବଣତା ମାତ୍ର ସେହି ଭାବପ୍ରବଣତାକୁ କ୍ରମେ ଶୀତଳ କରିଦେବାକୁ ପଡ଼ିବ । ଆପଣାକୁ ଜଣେ ମଣିଷ ହିସାବରେ ସ୍ଵାଧୀନ କରିବାକୁ ପଡ଼ିବ ।

 

୧୨ । ୯ । ୬୦

 

ମୁଁ ଅତୀତକୁ ଭଲ ପାଇବି, ଅତୀତର କାହାଣୀମାନ ଶୁଣିବାରେ ଓ ଅଭିନୀତ ହେବାର ଦେଖିବାରେ ମୁଁ ଶ୍ରଦ୍ଧା ରଖିବି, କିନ୍ତୁ ତଥାପି ଅତୀତ ସହିତ ବାନ୍ଧିହୋଇ ପଡ଼ିବି ନାହିଁ । ମୋର ଏହି ଯୁଗରେ ଅତୀତ କାଳର ବାଦଶାହ ଓ ଯୁବରାଜମାନେ କେବଳ ନିର୍ବୋଧ ବୋଲି ମନେହେବେ । ସେମାନେ କଦାପି ମୋ’ ଯୁଗର ଆଦର୍ଶ ହୋଇ ରହିବେ ନାହିଁ । ଭଲ ପାଇବା ସକାଶେ ସେଯୁଗରେ କେତେ ନରହତ୍ୟା କରାଯାଉଥିଲା, ଭଲ ପାଇବାର ବାହାନାରେ ବାପ ପୁଅର ବିରୁଦ୍ଧରେ ଖଡ଼୍‌ଗ ଉତ୍ତୋଳନ କରୁଥିଲା, ତାଦ୍ଵାରା ସେ ଆପଣାର କର୍ତ୍ତବ୍ୟ ପାଳନ କରୁଚି ବୋଲି ଦମ୍ଭ ଅନୁଭବ କରୁଥିଲା । କିନ୍ତୁ ସେତେବେଳେ କିଏ କାହାକୁ ଭଲ ପାଉଥିଲା ? ସିଂହାସନରେ ବସିଥିବା ମଣିଷ ପରମ୍ପରା, ବଂଶମର୍ଯ୍ୟାଦା ଓ ସମ୍ମାନସଚେତନାର ଦାସ ହୋଇ ରହିଥିଲା । ସିଂହାସନରେ ବସି ନଥିବା ମଣିଷ ରାଜକୋପର ଦାସ ହୋଇ ରହିଥିଲା । ସଂସ୍କାରର ଦାସ ପୁଣି କି ଭଲପାଇବ, ଭଲପାଇବାକୁ କିପରି ଯଥୋଚିତ ସମ୍ମାନ ଦେଖାଇବ ? ଭଲ ପାଇବାର ଅର୍ଥ ହେଉଚି, ଆପଣାକୁ ସକଳପ୍ରକାର ଜଞ୍ଜିରରୁ ମୁକ୍ତ କରିବା, ଆପଣାର ମୋହର ଜଞ୍ଜିରରୁ ମଧ୍ୟ ଆପଣାକୁ ମୁକ୍ତ କରିବା । ହଁ, ସେ ଯୁଗରେ ପ୍ରେମର ସଙ୍ଗୀତ ଭାରି ଆଦୃତ ହେଉଥିଲା, ଆକବର ବା ଜାହାଙ୍ଗୀରଙ୍କ ମନଖୁସି କରିବା ସକାଶେ ତାନସେନ ସଙ୍ଗୀତ ଗାଉଥିଲେ । ନର୍ତ୍ତକୀ ଓ ପାନପାତ୍ରର ବିଳାସ ଆପ୍ୟାୟନରେ ପ୍ରେମଚର୍ଚ୍ଚା ହେଉଥିଲା । କିନ୍ତୁ ଆପଣାକୁ ଚିହ୍ନିବା ଆଗରୁ ହିଁ ସେହି ପ୍ରେମଚର୍ଚ୍ଚା ହେଉଥିଲା । ସେଯୁଗର ପ୍ରେମକୁ ଏକ ଜୀବନଦୃଷ୍ଟି ବୋଲି ନକହି ଏକ ମୋହାନ୍ଧତା ବୋଲି କହିବାକୁ ହେବ । ମଣିଷକୁ ଅସ୍ଵୀକାର କରି କୌଣସି ପ୍ରେମ ସମ୍ଭବ ହୋଇ ନପାରେ । ଆପଣାକୁ ଅସ୍ଵୀକାର କରି କୌଣସି ପ୍ରେମ ସମ୍ଭବ ହୋଇ ନପାରେ ।

 

୧୩ । ୯ । ୬୦

 

ବିନୋବାର ଜନ୍ମଦିନ ଆସି ଚାଲିଗଲାଣି । ତାହା ଆଜିକୁ ଦୁଇଦିନ ତଳର କଥା । ସେହି ଦିନଟି ଆପଣାର ଦୃଷ୍ଟି ଏଡ଼ାଇ ଚାଲିଯିବ, ମୋର ଏପରି ଦୁର୍ଭାଗ୍ୟ ଆଜି ପର୍ଯ୍ୟନ୍ତ ହୋଇନାହିଁ । ଅବଶ୍ୟ ଏହି ଦେଶରେ ଅନେକ ଯୁବକ ଅଛନ୍ତି, ଯେଉଁମାନେ କି ଏହି ଦିନଟିର ବିଶିଷ୍ଟତା ବିଷୟରେ କିଛି ଜାଣନ୍ତି ନାହିଁ । ଆଧୁନିକ ଭାରତର ଇତିହାସରେ ଯେ ବିନୋବା ବୋଲି ଜଣେ ବ୍ୟକ୍ତିର କୌଣସି ଏକ ସ୍ଥାନ ରହିଚି, ସେକଥା ସେମାନେ ଆଦୌ ଜାଣନ୍ତି ନାହିଁ । ଆଧୁନିକ ଭାରତର ଆକାଶରେ ବିନୋବା–ବିଚାରର ଶକ୍ତିମାନ ନକ୍ଷତ୍ରକୁ ସେମାନେ ଅନୁଭବ କରିପାରନ୍ତି ନାହିଁ । କିନ୍ତୁ ମୁଁ ସମ୍ପୂର୍ଣ୍ଣ ବିପରୀତ ଭାବେ । ମୁଁ ଭାବେ, ସ୍ଵତନ୍ତ୍ରତା ପରେ ଭାରତୀୟ ମନକୁ ବଞ୍ଚାଇ ରଖିବା ଲାଗି ବିନୋବା ପରି ଆଉ କେହି ଏତେବେଶି କାର୍ଯ୍ୟ କରିନାହାନ୍ତି । ଦେଶର ଯାବତୀୟ କ୍ଷେତ୍ରରେ ସବୁକିଛି ଶକ୍ତିହୀନ ହୋଇ ପଡ଼ୁଥିବା ସମୟରେ ବିନୋବା ହିଁ ଆଜି ଏହି ଦେଶରେ ଶକ୍ତିର ପ୍ରତୀକ ହୋଇ ରହିଚି । ସରକାରୀ ଉଚ୍ଚାସନରେ ବସି ଯେଉଁ ନେତାମାନେ ଦେଶଟାକୁ ଏସା ବା ତେସା କରିଦେବେ ବୋଲି ଆଡ଼ମ୍ବର କରୁଚନ୍ତି, ସେହି ଆଡ଼ମ୍ବର ଭିତରେ ସତ୍ୟତାର ପ୍ରତୀତ ଆଣି ଦେବାକୁ ଲକ୍ଷ ଲକ୍ଷ ଖରଚ କରୁଚନ୍ତି, ସେମାନେ ସତେ ଯେପରି ପ୍ରତ୍ୟେକେ ବଡ଼ ଶକ୍ତିହୀନ ହୋଇ ପଡ଼ିଲେଣି । ସେମାନଙ୍କ ଭିତରୁ ସତେ ଅବା ବାରୁଦ ସରିଆସିଲାଣି, ସେମାନଙ୍କର ସମୟ ସରି ଆସିଲାଣି । ଆପଣା ଆପଣାର ସତ୍ତାକୁ ବଞ୍ଚାଇ ରଖିବା ଲାଗି ସେମାନେ ଯୋଜନା ତଥା ଦେଶ ନିର୍ମାଣ ସମ୍ବନ୍ଧୀୟ ଯାବତୀୟ କାର୍ଯ୍ୟକ୍ରମକୁ ପ୍ରଧାନତଃ ଏକ ଆଳ କରି ଧରିଚନ୍ତି । କିନ୍ତୁ ସେମାନଙ୍କ ହାତରୁ ମୁଠା ମୁଠା ହୋଇ ଯେତିକି ପଇସା ବିଞ୍ଚା ହେବାରେ ଲାଗିଚି, ଦେଶ ସେତିକି ଶକ୍ତିହୀନ ହେବାରେ ଲାଗିଚି, ଦେଶର ଯୁବକ ସେତିକି ସମ୍ବଳହୀନ ହେବାରେ ଲାଗିଚି । ମୁହଁ ଉପରେ ଯେତିକି ଉତ୍ତେଜନାର ସହିତ ସେମାନେ ଯୋଜନା ବିଷୟରେ ଭାଷଣ ଦେଉଚନ୍ତି, ହୃଦୟ ଭିତରେ ଏହି ସବୁ ଯୋଜନାପ୍ରତି ସେମାନଙ୍କର ବିଶ୍ଵାସ ସେତିକି କମ୍ ହୋଇଆସୁଚି । କିନ୍ତୁ ବିନୋବା ଯାହା କହୁଚି, ତା’ଉପରେ ତା’ର ଅଟଳ ବିଶ୍ଵାସ ରହିଚି । ସେ ଯେତିକି କରୁଚି, ତାହାକୁ ହୃଦୟର ସମର୍ଥନ ଦେଇ କରୁଚି । ବୟସରେ ବୁଢ଼ା ହୋଇ ଯାଉଥିଲେ ମଧ୍ୟ ବିନୋବାର ବ୍ୟକ୍ତିତ୍ଵ କ୍ରମେ ବିକଶିତ ହୋଇ ଚାଲିଚି । ବିନୋବା ଏହି ଦେଶକୁ ଭଲ କରି ଜାଣିଚି, ଏହି ଦେଶର ହୃଦୟସ୍ପନ୍ଦନକୁ ସିଏ ଆପଣା ହୃଦୟରେ ଅନୁଭବ କରୁଚି । ବିନୋବା ସଫଳ ହେବ କି ନାହିଁ, ମୁଁ ସେ କଥା ଜାଣେନାହିଁ । ତା’ର ସଫଳ ହେବା ତ ଆମ ସମସ୍ତଙ୍କ ଉପରେ ନିର୍ଭର କରୁଚି । କିନ୍ତୁ ବିନୋବାର ଶକ୍ତିମୟ ଜୀବନର ଇତିହାସ ସବୁଦିନକୁ ଅବଶ୍ୟ ପ୍ରେରଣା ହୋଇ ରହିଥିବ ।

 

୧୪ । ୯ । ୬୦

 

ହଁ, ବିନୋବାର ସଫଳ ହେବା ନହେବା ଠିକ୍ ଆମଉପରେ ହିଁ ନିର୍ଭର କରୁଚି । ଅର୍ଥାତ୍ ସର୍ବପ୍ରଥମେ ମୋ’ଉପରେ ନିର୍ଭର କରୁଚି । ଗାନ୍ଧୀ ସଫଳ ହେବା ନହେବା ସେହିପରି ଆମରି ଉପରେ ହିଁ ନିର୍ଭର କରିଥିଲା, ଯୀଶୁ ସଫଳ ହେବା ନହେବା ମଧ୍ୟ ଆମରି ଉପରେ ନିର୍ଭର କରିଥିଲା । ଆମେ ସେମାନଙ୍କୁ ଯେତିକି ଗ୍ରହଣ କଲୁ, ସେମାନେ ସେତିକି ପରିମାଣରେ ସଫଳ ହେଲେ । ସେମାନଙ୍କୁ ଆମର ସଂସାରରେ ଖାପ ଖୁଆଇବାକୁ ଯାଇ ଆମେ ଯେତିକି ବିକୃତ କରି ପକାଇଲୁ, ସେମାନଙ୍କର ବାଣୀ ଓ ପ୍ରଭାବ ମଧ୍ୟ ସେତିକି ବିକୃତ ହୋଇ ପଡ଼ିଲା । ସେମାନେ ଆପଣାର କୌଣସି ଇଚ୍ଛାକୁ ସଂସାର ଉପରେ ଲଦିବାପାଇଁ କଦାପି ଇଚ୍ଛା କରିନାହାନ୍ତି । ସେମାନଙ୍କର ଆପଣାର ମଧ୍ୟ କୌଣସି ଉଗ୍ର ଇଚ୍ଛା ବା ମତବାଦର ମୋହ ରହିଥିଲା ବୋଲି କଦାପି କୁହାଯାଇ ପାରିବନାହିଁ । କେବଳ ନିମିତ୍ତମାତ୍ର ହୋଇ ହିଁ ସେମାନେ ସଂସାରକୁ–ମୋତେ, ତୁମକୁ ଓ ସମସ୍ତଙ୍କୁ,–ବିନାଶପଥରେ ନଯିବାପାଇଁ ପରାମର୍ଶ ଦେଇଥିଲେ । ସଂସାର ମନକଲେ ତା’ଲାଗି କିପରି ଏକ ସୁଖ ସନ୍ତୋଷମୟ ଉଜ୍ଜ୍ଵଳ ଭବିଷ୍ୟତର ସମ୍ଭାବନା ମହଜୁଦ ରହିଚି, ସେମାନେ ତାହାରି ସୂଚନା ହିଁ ଦେଇଥିଲେ । ମଣିଷକୁ ଏହି ଭବିଷ୍ୟତ ଆଡ଼କୁ ଦଉଡ଼ାଇ ନେବାଲାଗି ବା କୌଣସି ଭୟ ଦେଖାଇ ମଣିଷକୁ ଏହି ବିନାଶପଥରୁ ଟାଣି ଆଣିବାଲାଗି ସେମାନଙ୍କ ପାଖରେ କୌଣସି ପଶୁବଳ, ବସ୍ତ୍ରବଳ ବା ଅର୍ଥବଳ ନଥିଲା । ପ୍ରଧାନତଃ ଆପଣାର ବାଣୀ ଅନୁସାରେ ଆପେ ଜୀବନ ବଞ୍ଚିବାକୁ ଚେଷ୍ଟା କରି ହିଁ ସେମାନେ ଏହି ଜଗତରେ ଏକ ମହତ୍ତର ଜୀବନଲାଗି ଯେତିକି ଶୁଭବାସନା ସୃଷ୍ଟି କରିପାରିଥିଲେ, ସେତିକି । ସେହି ଶୁଭବାସନା ହୁଏତ ସ୍ଥାୟୀ ହୋଇ ରହିଲାନାହିଁ-। ହୁଏତ ତାହା ବହିରଙ୍ଗ ଦୀକ୍ଷାର ନାନା ଉତ୍ତେଜନାରେ ତାହା ଅନ୍ତର୍ହିତ ହୋଇଗଲା । କିନ୍ତୁ ଆମ ବିଫଳତାକୁ ସେମାନଙ୍କର ବିଫଳତା ବୋଲି କହିଥିଲେ ତଦ୍ଦ୍ଵାରା କେବଳ ଆମର ବିଚାରକୁ ହିଁ ଅସ୍ଥିହୀନ ବୋଲି କହିବାକୁ ପଡ଼ିବ । ଆପଣାର କାର୍ଯ୍ୟକୁ ସେମାନେ ପୂର୍ଣ୍ଣ ସମର୍ପଣ ସହକାରେ କରି ଯାଇଚନ୍ତି ବା କରିଯାଉଚନ୍ତି,–ଅଟଳ ବିଶ୍ଵାସର ସହିତ ଆପଣାକୁ ଆଗ ବାହାର କରି ସେମାନେ ନୂତନ ପଥର ଉଦ୍‌ଘାଟନ କରି ଯାଉଚନ୍ତି ।

 

୧୫ । ୯ । ୬୦

 

ବିନୋବାର ବାଟ ସେଇ ପୁରୁଣା ବାଟ, କାରଣ ବିନୋବାର ପ୍ରଚାରିତ ସତ୍ୟ ହେଉଚି ସେଇ ପୁରାତନ ସତ୍ୟ । ମଣିଷ ଯେତିକି ପୁରାତନ, ଏହି ସତ୍ୟ ମଧ୍ୟ ସେତିକି ପୁରାତନ । ସେଥିଲାଗି ଏଥିରେ କୌଣସି ବୈଚିତ୍ର୍ୟ ନାହିଁ । ତେଣୁ ନୂଆ ଆଦର୍ଶ ଓ ନୂଆ ବାଟକୁ ଚାଖି ବୁଲୁଥିବା ମଣିଷଲାଗି ଏଥିରେ କୌଣସି ସ୍ଵାଦ ନାହିଁ ,କୌଣସି ଉତ୍ତେଜନା ନାହିଁ । ହୁଏତ ଏହି ଚାଖି ବୁଲୁଥିବା ଲୋକ ହିଁ ବିନୋବାର ଆନ୍ଦୋଳନ ଅସଫଳ ହୋଇଗଲା ବୋଲି କହିବ । ଆପଣାକୁ କୌଣସି ପରିବର୍ତ୍ତନର ସମ୍ମୁଖୀନ ନକରି ଯିଏ ବାହାରେ ଥାଇ ତଥାପି ପରିବର୍ତ୍ତନର ଅପେକ୍ଷାରେ ବସିଥାଏ, ହୁଏତ ବିନୋବାର କାର୍ଯ୍ୟକ୍ରମକୁ ଅସଫଳ ହେଲା ବୋଲି କହିବ । ମୁଁ ନିଜେ କିଛି ବଦଳିବି ନାହିଁ, ଖାଲି ଉପରେ ଭେକ ଧରିବି, ମୁହଁରେ ସ୍ତୁତିଗାନ କରିବି ଅଥଚ ମନ ଭିତରେ ମୋର କୁତ୍ସିତ ରୂପଟାକୁ କାମୁଡ଼ି କରି ଧରିଥିବି, ତେବେ ମୋ’ଲାଗି ବିନୋବା ପାଖରେ କୌଣସି କାର୍ଯ୍ୟକ୍ରମ ନାହିଁ । ମୋ’ରି ପରି ଲୋକଙ୍କର ଦଳରେ ନେତା ହେବାଲାଗି ବିନୋବା କେବେହେଲେ ମନ ବଳାଇନାହିଁ । ସିଏ ମୋତେ ଆପଣା ଶକ୍ତିରେ ଠିଆ ହେବାକୁ ପରାମର୍ଶ ଦେଇଚି, ଆପଣା ବିଚାରରେ ପରିବର୍ତ୍ତନ ଘଟାଇବାର ପରାମର୍ଶ ଦେଇଚି । ମୁଁ ମାନିଚି ତ ସିଏ ଖୁସି ହୋଇଚି, ମୁଁ ମାନିବାକୁ ଚେଷ୍ଟା କରିଚି ତ ସିଏ ଆଗରେ ଥାଇ ଉତ୍ସାହ ଦେଇ ମୋର ସାଥି ହେବାକୁ ଆସିଚି । କିନ୍ତୁ ମୁଁ ମାନିନାହିଁ ତ ସେ ମୋତେ କୌଣସି ଭତ୍ସନା କରିନାହିଁ; କୌଣସି ସତ୍ତାର ବଳ ନେଇ ସେ ମୋତେ ବାଧ୍ୟ କରିବାକୁ ଆସିନାହିଁ । ତେଣୁ ପାକିସ୍ତାନରେ ଆୟୁବ୍‍ ଖାଁ ସରକାର ଯେପରି ସଫଳ ହେଲା ବା ଚୀନରେ ଚୋ–ଏନ୍–ଲାଇ ସରକାର ଯେପରି ସଫଳ ହେଉଚି, ବିନୋବାଠାରୁ ସେପରି କୌଣସି ସଫଳତାର ଆଶା କରିବା ହିଁ ବୃଥା ପ୍ରୟାସ ହେବ । ସେ ଆମର ଆଶାକୁ କେବେହେଲେ ପୂର୍ଣ୍ଣ କରିପାରିବ ନାହିଁ । ସେ କେବେହେଲେ ଆମର ନେତା ହୋଇ ପାରିବନାହିଁ । ସିଦ୍ଧିର ତାବିଜକୁ ହାତରେ ବାନ୍ଧି ସେ ଆମ ଘରେ ଆଣି ରାମରାଜ୍ୟକୁ ଥୋଇଦେଇ ପାରିବନାହିଁ । ବିଶ୍ଵାସ ଭାଙ୍ଗି ପଡ଼ୁଥିଲାବେଳେ ସେ ବିଶ୍ଵାସକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରିବ । ସମସ୍ତେ ବହିର୍ବଳ ଉପରେ ଅତିରିକ୍ତ ବିଶ୍ଵାସ କଲାବେଳେ ସେ ଆମକୁ ଆତ୍ମବଳ ଉପରେ ବିଶ୍ଵାସ ରଖିବାକୁ କହିବ । ହୃଦୟ ଖଣ୍ଡଖଣ୍ଡ ହୋଇ ଯାଉଥିବା ବେଳେ ସେ ହୃଦୟ ଯୋଡ଼ିବାକୁ ତଥାପି ଚେଷ୍ଟା କରିବ । ସଫଳ ହେବା ବା ବିଫଳ ହେବା ତା’ହାତର କଥା ନୁହେଁ । ସେ ନିୟତ କେବଳ ତା’ର କାମ କରିଯିବ । ଫଳ ଇଶ୍ଵରଙ୍କର ଇଚ୍ଛାଉପରେ ।

 

୧୬ । ୯ । ୬୦

 

କେବଳ ରାଜନୀତି ଦ୍ୱାରା ଭାରତବର୍ଷ ଏକ ହୋଇପାରିବ ନାହିଁ । କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ଅର୍ଥାତ୍ ଏକ ଦୃଢ଼ ସାଂସ୍କୃତିକ ଆଦର୍ଶଦ୍ଵାରା ହିଁ ଭାରତବର୍ଷ ଏକତ୍ର ହୋଇପାରିବ । ଆଜିକାଲିକାର ରାଜନୀତିକୁ ଆମେ ଅନେକ ପରିମାଣରେ ଭେଦନୀତି ବୋଲି କହିପାରିବା, ନାନା ଖଣ୍ଡିତ ସ୍ଵାର୍ଥର ଲୋଭ ଦେଖାଇ ମଣିଷର ସାମୂହିକ ଭାଗଭାଗ କରି ଦେଉଥିବା ଏକ ନୀତି ବୋଲି କହିପାରିବା । ଭାରତୀୟ ସମାଜରେ ଭେଦଭାବର ଯେତେ ବୀଜ ଯେଉଁଠି ପ୍ରଚ୍ଛନ୍ନ ବା ପ୍ରତ୍ୟକ୍ଷ ଭାବରେ ରହି ଆସିଥିଲା, ରାଜନୀତିର ଉତ୍‌ପ୍ରେରଣା ହେତୁ ଏବେ ସେହି ସବୁ ବୀଜରେ ଅଙ୍କୁରୋଦ୍‌ଗମ ହେବାକୁ ଆରମ୍ଭ କରୁଚି । କେତେକେତେ ସ୍ଥାନରେ ଏହି ଅଙ୍କୁର ଗୁଳ୍ମ ହୋଇ କଣ୍ଟକିତ ଶାଖାମାନ ବିସ୍ତାର କରିବାର ଉପକ୍ରମ ମଧ୍ୟ ଆରମ୍ଭ ହେଲାଣି । ରାଜନୀତିକୁ ସର୍ବୋଚ୍ଚ ସ୍ଵୀକାର ଦେଉଥିବା ପର୍ଯ୍ୟନ୍ତ ଏହି ଗୁଳ୍ମଗୁଡ଼ିକର ସଂଖ୍ୟା କ୍ରମେ ଅଧିକ ହେବାରେ ହିଁ ଲାଗିଥିବ । ଏହି ଦେଶରେ ଧର୍ମ ଧର୍ମ ଭିତରେ ଭେଦ ରହିଚି, ଭାଷା ଭାଷା ଭିତରେ ଭେଦ ରହିଚି, ଜାତି ଜାତି ଭିତରେ ଭେଦ ରହିଚି, ଉପଜାତି ଓ ଉପଜାତି ଭିତରେ ଭେଦ ରହିଚି । ରାଜନୀତିର ପାଗୁଆ ଜମି ପାଇ ଗତ ତେର ବର୍ଷ ଭିତରେ ଏହି ଭେଦମାନ ଅତି ପରାକ୍ରମୀ ହୋଇ ଆତ୍ମପ୍ରକାଶ କରିବାରେ ଲାଗିଚନ୍ତି, ଅତି ଲଜ୍ଜାହୀନ ଉଲଗ୍ନ ରୂପରେ ଆତ୍ମପ୍ରକାଶ କରିବାରେ ଲାଗିଚନ୍ତି । ଯେତେବଡ଼ ନେତା ହେଲେ ମଧ୍ୟ ରାଜନୀତି ଭିତରେ ରହିଥିବା କୌଣସି ନେତା ଏହିସବୁ ଭେଦକୁ ଦୂର କରିପାରିବ ନାହିଁ । ଗାନ୍ଧୀ ଓ ଜବାହରଲାଲଙ୍କର ନାମ ନେଇ ଏହି ଭେଦ ବଢ଼ିବାରେ ହିଁ ଲାଗିଥିବ, ବଢ଼ିବାରେ ଲାଗିଚି ମଧ୍ୟ । ରାଜନୀତିରୁ ପ୍ରସାରିତ ହୋଇ ଏହି ଭେଦ ସରକାର ଭିତରକୁ ଆସିଲାଣି, ସାହିତ୍ୟ ଭିତରକୁ ଆସିଲାଣି, ସ୍କୁଲ କଲେଜ ଓ ବିଶ୍ଵବିଦ୍ୟାଳୟ ଭିତରକୁ ଆସିଲାଣି । ମନେ ହେଉଚି, ଏ ଦେଶଟାରେ ସତେ ଯେପରି ଆଉ ମଣିଷ ହୋଇ କେହି ନାହାନ୍ତି, କେବଳ ଜାତି ଓ ଉପଜାତି ଗୁଡ଼ାକ ହିଁ ରହିଚି ।

 

୧୭ । ୯ । ୬୦

 

ଆଜି ଆଫ୍ରିକା ଯିବାକୁ ମନ ହେଉଚି । ଯଦି ମୋ’ ପାଖରେ ସମ୍ବଳ ଥାଆନ୍ତା, ତେବେ ସବୁ କାମ ଛାଡ଼ିଦେଇ ମୁଁ ଆଫ୍ରିକା ବୁଲି ଯାଆନ୍ତି । ଆଫ୍ରିକାର ଅରଣ୍ୟ, ପର୍ବତ ଓ ବନ୍ୟଜନ୍ତୁ ଦେଖିବାକୁ ନୁହେଁ, ମନୁଷ୍ୟର ଉଦୟ–ଅଭିଯାନରେ ଜଣେ ମଣିଷ ହିସାବରେ ସମ୍ମିଳିତ ହେବାଲାଗି ମୁଁ ଆଫ୍ରିକା ଯାଆନ୍ତି । ଗୋଟାଏ ମହାଦେଶର ଏକାବେଳେକେ ନିଦ ଭାଙ୍ଗି ଉଠିବା,–ଏକଥା ଆଗରୁ ଇତିହାସରେ କେବେ ସମ୍ଭବ ହୋଇନଥିଲା । ରୋମ୍ ଓ ଗ୍ରୀସ୍ ଜାଗି ଉଠିଥିବାବେଳେ ଅବଶିଷ୍ଟ ସମଗ୍ର ଇଉରୋପ ଅନ୍ଧାର ଭିତରେ ମଗ୍ନ ହୋଇ ରହିଥିଲା । ଗାନ୍ଧୀ ଭାରତବର୍ଷକୁ ଅଗ୍ରସର କରାଇ ନେଉଥିବା ବେଳେ ଏସିଆର ଅନ୍ୟାନ୍ୟ ଦେଶ ଶୋଇ ରହିଥିଲେ । ମାତ୍ର ଆଜି ଆଫ୍ରିକାର ଗୋଟାସୁଦ୍ଧା ଶରୀର ଜାଗି ଉଠିଥିବା ପରି ଲାଗୁଚି, ଆଜି ସମଗ୍ର ଆଫ୍ରିକା ନୂଆ କଳେବର ହେବାକୁ ଯାଉଚି । କେବଳ ଭୂଗୋଳ ବହିରେ ଏକ ଅଧ୍ୟାୟ ମାତ୍ର ନହୋଇ ଆଫ୍ରିକା ମାନବପରିବାରର ଏକ ସହୋଦର ଭାଇ ହେବାକୁ ମନ ବଳାଉଚି । ନୂତନ ଜ୍ଞାନ ଓ ନୂତନ ବିଦ୍ୟା ଓ ନୂତନ ଜାଗରଣରେ ଏହି ମହାଦେଶ ବର୍ତ୍ତମାନ ସମଗ୍ର ପୃଥିବୀର ଦରବାରରେ ଆପଣାର ଗୌରବମୟ ସ୍ଥାନ ଅଧିକାର କରିବାକୁ ଯାଉଚି । ଆଫ୍ରିକାକୁ ଆଉ ଅସ୍ଵୀକାର କରି ହେବନାହିଁ । । ଆଉ କଳା ଲୋକକୁ ଅସ୍ଵୀକାର କରି ହେବନାହିଁ । ତାକୁ ନିରନ୍ତର ନାବାଳକ ବୋଲି କହି ଆଉ ଅଟକାଇ ହେବନାହିଁ । ଆଫ୍ରିକାରୁ ମଧ୍ୟ ଆଜି କ୍ଷମତାମତ୍ତ ମଣିଷର ଜମିଦାରୀ ହଟିଆସୁଚି । କାଲି ଏସିଆରୁ ଯେପରି ହଟି ଯାଇଥିଲା, ଆଜି ଆଫ୍ରିକାରୁ ସେହିପରି ହଟିଆସୁଚି । ଅର୍ଥନୀତି, ରାଜନୀତି, ସମାଜନୀତି ଓ ଧର୍ମନୀତି ପ୍ରତ୍ୟେକ କ୍ଷେତ୍ରରୁ ହଟି ଆସୁଚି । ଇଉରୋପର ଜମିଦାରମାନେ ଆଫ୍ରିକାର ଏହି ନୂତନ ଅଭ୍ୟୁତ୍‌ଥାନ ଲାଗି ହୁଏତ ବାହାଦୁରୀ ନେବାକୁ ଇଚ୍ଛା କରିବେ । ଆଫ୍ରିକାକୁ ସେହିମାନେ ଆପଣାର ହିପାଜତରେ ରଖି ଯୋଗ୍ୟ କରିଚନ୍ତି ବୋଲି ଉପରେ କହି ସେମାନେ ଭିତରେ ହୁଏତ କେଉଁ ଆତ୍ମକୃତ ଅପରାଧର ଖଣ୍ଡନ କରିବାକୁ ମନ ବଳାଇବେ । କିନ୍ତୁ ମୁଁ କହିବି, ଯିଏ ଚେଇଁ ଉଠିଚି, ଚେଇଁ ଉଠିବାର ବାହାଦୁରୀ ପ୍ରଧାନତଃ ତାହାରି-। ଯିଏ ମଣିଷ ହେବାର ଅଭିଳାଷ ପୋଷଣ କରିଚି, ମଣିଷ ହେବାର ଏହି ଅଭିଳାଷ ପୋଷଣ କରିବାରେ ବାହାଦୁରୀ କେବଳ ତାହାରି । ଯିଏ ଆପଣାକୁ ଆବିଷ୍କାର କରିଚି, ଆପଣା ଭବିଷ୍ୟତର ଆବିଷ୍କାର କରିଚି, ସକଳ ଆବିଷ୍କାରର ବାହାଦୁରୀ କେବଳ ତାହାରି ।

 

୧୮ । ୯ । ୬୦

 

କାଲି ଆମେରିକାର ଗୋଟିଏ ପତ୍ରିକାରେ ଆମେରିକାର ଦୁଇଜଣ ପଣ୍ଡିତଙ୍କର କହିଥିବା କଥା ପଢ଼ୁଥିଲି । ସେମାନେ ଈଶ୍ଵରତତ୍ତ୍ଵ ବିଷୟରେ ପଣ୍ଡିତ, ପରମାଣୁ ଶକ୍ତିର ବ୍ୟବହାର କରିବାର ବିଦ୍ୟାରେ ମଧ୍ୟ ପଣ୍ଡିତ । ପରମାଣୁ ଶକ୍ତିକୁ ବୋମା କରି ବ୍ୟବହାର କରିବା ନୀତିଶାସ୍ତ୍ର ଅନୁସାରେ କେତେଦୂର ଠିକ୍ ବା ଭୁଲ୍‍ ସେମାନେ ଏହି ବିଷୟରେ ଭାଷଣ ଦେଇଚନ୍ତି ଓ ବିଶେଷ ପରିସ୍ଥିତିରେ ପରମାଣୁ ଶକ୍ତିକୁ ଯୁଦ୍ଧ କାର୍ଯ୍ୟରେ ଲଗାଇଲେ ତଦ୍ଦ୍ଵାରା କୌଣସି ଅନୀତି ବା ଅଧର୍ମ ହେବନାହିଁ ବୋଲି କହିଚନ୍ତି । ବୋମା ତିଆରି କରିବାର ବିଦ୍ୟା ଶିଖିବା ସଙ୍ଗେ ସଙ୍ଗେ ଈଶ୍ଵରତତ୍ତ୍ଵ ବିଷୟରେ ପାଠ ପଢ଼ିବାକୁ ଗଲେ ପଣ୍ଡିତମାନଙ୍କର ହୁଏତ ଏହି ଦୁର୍ଦ୍ଦଶା ହୁଏ । କେବଳ ଆମେରିକା ପରି ଅନ୍ତର୍ଦ୍ଵନ୍ଦ୍ୱମୟ ଗୋଟାଏ ଦେଶରେ ହିଁ ଜଣେ ମଣିଷର ଜୀବନରେ ଏହି କିମ୍ଭୁତ ସମାହାର ସମ୍ଭବ ହୋଇଥାଏ ଓ ସେଇ ମଣିଷ ପୁଣି ଉଭୟ ବିଷୟରେ ବକ୍ତୃତା ଦେଇ ବୁଲେ । ଈଶ୍ଵର ତତ୍ତ୍ଵକୁ ବୋମା ତିଆରି କରିବାର ବିଦ୍ୟାରେ ଆଣି ମିଳାଉ ମିଳାଉ ତା’ର ବିବେକରୁ ସମସ୍ତ ଈଶ୍ଵର ଓ ସମସ୍ତ ତତ୍ତ୍ଵ ଛାଡ଼ି ପଳାଇବାକୁ ବାଧ୍ୟ ହୁଅନ୍ତି । ସଂସାରରେ ଏହିଭଳି ପଣ୍ଡିତ କେତେଟଙ୍କା ହାତରେ ଧର୍ମଜ୍ଞାନ ରହିଥିବା ପର୍ଯ୍ୟନ୍ତ ଧର୍ମପ୍ରତି ଯେ ସାଧାରଣ ମଣିଷର ଚରମ ବିତୃଷ୍ଣା ଆସିବ ଏବଂ ଧର୍ମକୁ ଅଫିମ ବୋଲି କହି ସିଏ ଯେ ଦୂରକୁ ଅପସରି ଯିବ, ଏଥିରେ ଆଶ୍ଚର୍ଯ୍ୟ ହେବାର ଆଉ କଣ ଅଛି ? ଏଭଳି ଧର୍ମକୁ ଆଶ୍ରୟ କରି ରହିବା ଅପେକ୍ଷା ମୁଁ ଧର୍ମହୀନ ହେବାକୁ ହିଁ ଶ୍ରେୟସ୍କର ବୋଲି କହିବି । ଧର୍ମ ହେଉଚି ଏକ ସମ୍ପୂର୍ଣ୍ଣ ଜିନିଷ, ଧର୍ମ ମଣିଷଠାରୁ ତା’ର ସମଗ୍ର ଜୀବନକୁ ଦାବି କରିଥାଏ । କିନ୍ତୁ ପଣ୍ଡିତମାନଙ୍କର କବଳରେ ପଡ଼ି ଯଦି ଆମେ ଧର୍ମଲାଗି ଖଣ୍ଡେ ଜୀବନ ରଖି ଆଉ ଖଣ୍ଡେ ଜୀବନକୁ ବୋମା ତିଆରି କରିବାରେ ଲଗାଇଦେଉ, ତେବେ ଆମର ଧର୍ମଜୀବନ ଆମକୁ କୌଣସି ଶକ୍ତି ଦେଇପାରେ ନାହିଁ । ହଁ, ଆମର ଅପମାର୍ଗରେ ଆମକୁ ଅଧିକ ପ୍ରଚଣ୍ଡ ହେବାଲାଗି ଅବଶ୍ୟ ସାହାଯ୍ୟ କରେ, ନିଶା ଖାଇ ଅଧିକ ଉଗ୍ର ହେବାରେ ଅବଶ୍ୟ ସାହାଯ୍ୟ କରେ । କିନ୍ତୁ ଧର୍ମାତ୍ମତା ଲୁପ୍ତ ହୋଇଯାଏ ।

 

୧୯ । ୯ । ୬୦

 

ଯେଉଁଠାରେ ଶିକ୍ଷାନୁଷ୍ଠାନର କର୍ତ୍ତାମାନେ ଶିକ୍ଷକମାନଙ୍କୁ କେବଳ ବେତନଭୋଗୀ ଭୃତ୍ୟ ବୋଲି ବିଚାର କରନ୍ତି, ଓ ସେମାନଙ୍କ ସହିତ ସେହି ଅନୁସାରେ ବ୍ୟବହାର କରନ୍ତି ସେଠାରେ କୌଣସି ଶିକ୍ଷାର କୌଣସି ସାର୍ଥକତା ମିଳିବ ବୋଲି କଦାପି ଆଶା କରିବା ଉଚିତ ନୁହେଁ । ଶିକ୍ଷକକୁ ବେତନ ଦେବା ଅବଶ୍ୟ ଉଚିତ, କିନ୍ତୁ ଶିକ୍ଷକଠାରୁ ଭଲ କାମ ପାଇବାକୁ ହେଲେ ତାକୁ ବେତନଠାରୁ ଅଧିକ ସ୍ଵତନ୍ତ୍ରତା ହିଁ ଦେବା ଉଚିତ । ତିନିମାସ ପର୍ଯ୍ୟନ୍ତ ବେତନ ନମିଳିଲେ ମଧ୍ୟ ଶିକ୍ଷକ ହୁଏତ ତଥାପି ଶିକ୍ଷକତା କରିବା ଲାଗି ପ୍ରସ୍ତୁତ ରହିପାରେ, କିନ୍ତୁ ସ୍ଵତନ୍ତ୍ରତା ନମିଳିଲେ ସେ ଗୋଟିଏ ଦିନ ମଧ୍ୟ ଆପଣାର କାର୍ଯ୍ୟ କରିପାରିବ ନାହିଁ । ହଁ, ଅର୍ଥର ଆବଶ୍ୟକତାରେ ପଡ଼ି ଚାକିରି କରିବାକୁ ଆସିଥିବା ଭୃତ୍ୟ ହୁଏତ କାମ କରିବ, କିନ୍ତୁ ଶିକ୍ଷକ କାମ କରିପାରିବ ନାହିଁ । ଆମ ଦେଶରେ ଆଜି ଅଧିକାଂଶ ସ୍ଥାନରେ ଏହି ଭୃତ୍ୟ ହିଁ ଶିକ୍ଷାନୁଷ୍ଠାନରେ ଶିକ୍ଷକ ହୋଇ ରହିଚି । ତାହାକୁ ଦରମା ଦେଇ କର୍ତ୍ତାମାନେ ତା’ ସହିତ କେବଳ ଭୃତ୍ୟପରି ବ୍ୟବହାର କରୁଚନ୍ତି । ସେଥିଲାଗି ପାଠପଢ଼ା କାମରୁ ମୁକୁଳି ଆସିବା ପରେ ଶିକ୍ଷକ ଆପଣାକୁ ଜଣେ ଶିକ୍ଷକ ହିସାବରେ ଅଧିକ ଯୋଗ୍ୟ କରିବାକୁ କୌଣସି ଚେଷ୍ଟା କରୁନାହିଁ । କିପରି ଆପଣାର ଦରମାଟା ବଢ଼ିବ, ଚାକିରିଟା କିପରି ସ୍ଥାୟୀ ହେବ, ବଡ଼ ବଡ଼ କର୍ତ୍ତାମାନେ କିପରି ପ୍ରସନ୍ନ ରହିବେ, ଏହାଠାରୁ ଆହୁରି ବଡ଼ ଚାକିରି ପାଇଁ କୋଉଠି ବିଜ୍ଞାପନ ବାହାରିଚି,–ଏହିସବୁ ଜଞ୍ଜାଳ ଭିତରେ ଶିକ୍ଷକର ମୁଣ୍ଡ ଏବେ ଅଧିକ ବଥାଉଚି । ଏସବୁ ଦେଖିଲେ ମନେହୁଏ, ଜଣେ ଶିକ୍ଷକ ହିସାବରେ ଆପଣା ଭିତରେ ଯେତିକି ସମ୍ମାନ ଅନୁଭବ କରିବା କଥା, ଶିକ୍ଷକ ତାହା ଅନୁଭବ କରୁନାହିଁ । ଶିକ୍ଷକତା କରିବାକୁ ନିଜର ଧର୍ମ ମନେକରି ସେ ଶିକ୍ଷକ ହେବାକୁ ଆସିନାହିଁ । ଶିକ୍ଷକତାକୁ କେବଳ ଏକ ଚାକିରି ମନେକରି ସେ ପ୍ରଧାନତଃ ବେତନ ଭୋଗ କରିବାକୁ ହିଁ ଆସିଚି । ସେଥିଲାଗି ଶିକ୍ଷକ ହେବାର ସୁଯୋଗ ପାଇଲେ ପ୍ରତ୍ୟେକ ଶିକ୍ଷକ ଆପଣା ଭିତରୁ ଯେଉଁ ଆନନ୍ଦ ଅନୁଭବ କରେ, କର୍ତ୍ତାମାନଙ୍କର ସଭାରୁ ଆପଣାଲାଗି ଯେଉଁ ସମ୍ମାନ ଦାବିକରେ, ଶିକ୍ଷକ ତାହା କରିପାରୁନାହିଁ ଏବଂ ଏହି ଶିକ୍ଷକକୁ ହିଁ ବେତନ ଦେଇ ବାଧ୍ୟ ଭୃତ୍ୟ କରି ରଖିବା କର୍ତ୍ତାମାନଙ୍କ ଲାଗି ଭାରି ସହଜ ହୋଇଯାଉଚି ।

 

୨୦ । ୯ । ୬୦

 

ମୁଁ ପଛେ ସବୁ ହେବାକୁ ରାଜି ଅଛି, ମାତ୍ର କାହା ହାତର ହତିଆର ହେବାଲାଗି ମୋର କୌଣସି ରାଜି ନାହିଁ । ଯେଉଁଠି ମୋ’ର କୌଣସି ପ୍ରୟୋଜନ ରହିଚି, ସେଠି ମୁଁ ହୁଏତ ବିନା ବେତନରେ କାର୍ଯ୍ୟ କରିବାକୁ ରାଜି ଅଛି, କିନ୍ତୁ ସୁନା କିମ୍ବା ରୂପାର ବେଡ଼ି ପିନ୍ଧି କେଉଁଠି ଭୃତ୍ୟ ହେବାକୁ ମୋର ରାଜି ନାହିଁ । ଉପବାସ ରହିଲେ ମଧ୍ୟ ମୁଁ ତଥାପି ମନୁଷ୍ୟ ହୋଇ ରହିବାକୁ ଚାହେ-। କାରଣ ଆପଣାର ମନୁଷ୍ୟତ୍ଵକୁ ବିସର୍ଜନ ଦେଲାପରେ କୌଣସି ଶିକ୍ଷକକୁ କଦାପି ଜଣେ ଶିକ୍ଷକ ବୋଲି କୁହାଯାଇପାରିବ ନାହିଁ । ପଇସା ରୋଜଗାର କରିବାକୁ ପ୍ରଥମ ଫନ୍ଦା କରି କାହାରି ଶିକ୍ଷକ ହେବା ଉଚିତ ନୁହେଁ । ଧନ ଓ ସମ୍ମାନର ବଡ଼େଇରେ ବଡ଼ ହେବାକୁ ଇଚ୍ଛା କରୁଥିବା କୌଣସି ବ୍ୟକ୍ତିର ଶିକ୍ଷକ ହୋଇ ଆସିବା ଆଦୌ ଉଚିତ ନୁହେଁ । ଆପଣାର କଥାପଦକ କହିବାର ସାହସ ରହିଥିବା ଦରକାର, ଇନ୍ଦ୍ରଙ୍କର ଇନ୍ଦ୍ରଙ୍କ ପାଖରେ ମଧ୍ୟ ସାହସ ରହିଥିବା ଦରକାର । ଅତି ନମ୍ର ଭାବରେ ତଥାପି ନିର୍ଭୀକ ହୋଇ ଆପଣାର ବାଟ ଚାଲିବାକୁ ସାହସ ରହିଥିବା ଦରକାର । ମନୁଷ୍ୟର ବାହାରି ସାଜସଜ୍ଜା, ସାମାଜିକ ଆସନ ଓ ଆଡ଼ମ୍ବର ଭିତରକୁ ଭେଦି ପାରିବାର ସାହସ ରହିଥିବା ଦରକାର । ବାହାରର ସକଳ ଆବରଣ ପାର ହୋଇ ମଣିଷ ଭିତରେ ନିହିତ ରହିଥିବା ମଣିଷପଣିଆକୁ ଆବିଷ୍କାର କରିବା ଓ ସେଇଠାରେ ତାହାର ଯଥାର୍ଥ କରିବାକୁ ସାହସ ରହିଥିବା ଦରକାର । ଏହି ସ୍ଵୀକାର ଲାଗି ଯେତେ ମାଡ଼ ଖାଇବାକୁ ପଡ଼ିଲେ ମଧ୍ୟ ତାହାକୁ ସହିବା ଲାଗି ସାହସ ରହିଥିବା ଦରକାର । କେବଳ ପାଠ ପଢ଼ି ପଣ୍ଡିତ ହେଲେ ଏହିସବୁ ସାମର୍ଥ୍ୟ ଆସେନାହିଁ । ଡିଗ୍ରୀ କିଣିଲେ ଆସେନାହିଁ, ଅଳସୁଆ ହେଲେ ବି ଆସେନାହିଁ । ଏହା ହେଉଚି, ପ୍ରତ୍ୟେକ ମଣିଷର ଧର୍ମ ଜୀବନର ଏକ ପ୍ରଧାନ ଗୁଣ । ଅସଲ ଧର୍ମରେ ଯେତିକି ପ୍ରବେଶ ହୁଏ, ଏହି ଗୁଣଟି ସେତିକି ସେତିକି ବିକଶିତ ହେବାରେ ଲାଗିଥାଏ ।

 

୨୧ । ୯ । ୬୦

 

ଆଜି ଆୱାଗଡ଼ର ରାଜା ବଳବନ୍ତ ସିଂହଙ୍କର ଜନ୍ମଦିନ । ହାତରୁ ଅନେକ ଟଙ୍କା ଦେଇ ସେ ଏହି ଶିକ୍ଷାନୁଷ୍ଠାନର ମୂଳଦୁଆ ପକାଇଥିଲେ । ସେଥିଲାଗି ଏହି ଅନୁଷ୍ଠାନ ତରଫରୁ ପ୍ରତିବର୍ଷ ତାଙ୍କର ଜନ୍ମଦିନ ପାଳିତ ହୋଇ ଆସୁଚି । ଆପଣା ସମୟରେ ଅନ୍ୟାନ୍ୟ ରାଜା ଓ ମହାରାଜାଙ୍କ ତୁଳନାରେ ଆୱାଗଡ଼ର ରାଜା ବଳବନ୍ତ ସିଂହ ଅବଶ୍ୟ ଆଗୁଆ ଥିଲେ ବୋଲି କହିବାକୁ ହେବ । ଶାନ୍ତିନିକେତନ ସକାଶେ ମଧ୍ୟ ସେ କବିଗୁରୁ ରବୀନ୍ଦ୍ରନାଥଙ୍କ ହାତରେ ଅନେକ ଟଙ୍କା ଦେଇଥିଲେ । ଅନ୍ୟ ରାଜାମାନେ ମଦ୍ୟ, ବ୍ୟସନ ଓ ବିଳାସରେ ପ୍ରଜାଙ୍କର ପଇସାକୁ ଉଡ଼ାଇଦେଇ ରାଜଧର୍ମ ପାଳନ କରୁଥିବା ସମୟରେ ରାଜା ବଳବନ୍ତ ସିଂହ ସ୍କୁଲ କଲେଜ ପାଇଁ ଅର୍ଥଦାନ କରୁଥିଲେ । ରାଜା ରାଜୁଡ଼ା ଶାସନର କଳଙ୍କମୟତା ଭିତରେ ତାଙ୍କୁ ଏହି ବ୍ୟତିକ୍ରମ ବୋଲି ଅବଶ୍ୟ କୁହାଯାଇପାରିବ । କିନ୍ତୁ ଆମ ଏଯୁଗରେ ଯଦି କେହି ଶ୍ରୀଯୁକ୍ତ ରାଜା ବଳବନ୍ତ ସିଂହଙ୍କୁ ଆପଣା ଜୀବନର ବା ସାମାଜିକ ଜୀବନର ଆଦର୍ଶରୂପେ ଗ୍ରହଣ କରିବ, ତେବେ ତାହା ଏକ ଅତ୍ୟନ୍ତ ହାସ୍ୟାସ୍ପଦ ବିଷୟ ହେବ । ବଳବନ୍ତ ସିଂହ ଜଣେ ବଦାନ୍ୟ ରାଜା ଥିଲେ, କିନ୍ତୁ ତାଙ୍କର ବଦାନ୍ୟତା ଯେପରି ତାଙ୍କର ରାଜାପଣିଆକୁ କଦାପି ଘୋଡ଼ାଇ ନଦିଏ ! ରାଜାପଣିଆ ସହିତ ସାଧାରଣତଃ ଯେଉଁ କୃତ୍ରିମତା ଓ ଅସମାଜିକତା ଗୁଡ଼ାକ ସର୍ବଦା ଆନୁସଙ୍ଗିକ ଭାବରେ ରହିଥାଏ, ରାଜା ବଳବନ୍ତ ସିଂହ ମଧ୍ୟ ସେଗୁଡ଼ାକୁ ନିଶ୍ଚୟ ଆପଣାର ଭୂଷଣ କରି ରଖିଥିବେ । ମୋର ଏଡେବଡ଼ ରାଜ୍ୟ ବା ଏଡେବଡ଼ ଜମିଦାରୀ ରହିବ, ଅନ୍ୟମାନଙ୍କର କୁଡ଼ିଆମେଳରେ ମୋ’ ଲାଗି ଏଡେବଡ଼ ରାଜପ୍ରାସାଦ ରହିବ, ଭୃତ୍ୟ ପରିକର ଗହଣରେ ମୁଁ ରାଜୋଚିତ ସକଳ ଆଡ଼ମ୍ବରର ଆଚରଣ କରିବି, କିନ୍ତୁ ମଝିରେ ମଝିରେ ଗୋଟାଏ ଗୋଟାଏ ତୋଡ଼ା ଦାନ କରି ମୁଁ ଧର୍ମଶାଳା ତିଆରି କରିବି ବା ପାଠଶାଳା ବସାଇବି,–ଏ ଯୁଗରେ ଏହିପରି ଏକ ଆଦର୍ଶ ଆଦୌ ସୁହାଇବ ନାହିଁ । ମୁଁ ରାଜା ନହୋଇ ମଣିଷ ହେବି, କୌଣସି ସାଧୁ ଉପାୟରେ ମୁଁ ମୋର ଜୀବିକା ଅର୍ଜନ କରିବି, ଧନ ଅପେକ୍ଷା ଗୁଣକୁ ଉଚ୍ଚତର ମର୍ଯ୍ୟାଦା ଦେବି, ସବୁ ମଣିଷଙ୍କ ଭିତରେ ଆପଣାକୁ ଜଣେ ମଣିଷ ବୋଲି ବିଚାରି ମୁଁ ଗୌରବ ଅନୁଭବ କରିବି । ଉପରେ ପାହାଚରୁ ଦାନ ନକରି ମୁଁ ମଣିଷର ସହଚର ଭାବରେ ତା’ସହିତ ସମ୍ମିଳିତ ହେବି,–ଏ ଯୁଗରେ ଏସବୁ ଲାଗି ହିଁ ଆମର ଅଧିକ ଆଗ୍ରହ ରହିବା ଉଚିତ । ଆଉ କେତେଜଣ ମଣିଷଙ୍କର ଜୀବନ ଉପରେ ବସି ଓ ସେଇମାନଙ୍କର ଅନ୍ନକଉଡ଼ି ନେଇ ବଦାନ୍ୟ ହେବାକୁ ଯିଏ ଏ ଯୁଗର ଧର୍ମ ବୋଲି ମନେକରେ, ସିଏ ପ୍ରକୃତରେ ଏ ଯୁଗର ନୁହେଁ । ଆୱାଗଡ଼ର ମହାରାଜା ଆଜି ବଞ୍ଚିଥିଲେ ଏହାକୁ କଦାପି ଏଯୁଗର ଧର୍ମ ବୋଲି କହନ୍ତି ନାହିଁ ।

 

୨୨ । ୯ । ୬୦

 

ରମଣୀୟ ଶୀତଦିନ ଗୁଡ଼ିକ ଏଥର କ୍ରମେ ନିକଟବର୍ତ୍ତୀ ହୋଇ ଆସୁଚି । କେବଳ ନୟନଲାଗି ରମଣୀୟ ନୁହେଁ, ଆତ୍ମାଲାଗି ମଧ୍ୟ ରମଣୀୟ । ଶୀତଦିନର ସକାଳ ଓ ସନ୍ଧ୍ୟା ଉଭୟ ରମଣୀୟ । ସକାଳେ ସ୍ନାନ ସାରି ପ୍ରସ୍ତୁତ ହୋଇ ଆପଣାର କାମରେ ଆସି ବସିଲାବେଳକୁ ସୂର୍ଯ୍ୟୋଦୟ ହୋଇ ନଥିବ, ପୂର୍ବ ଦିଗର ଦିଗନ୍ତରେଖା ତଥାପି ରହସ୍ୟରେ ବୁଡ଼ି ରହିଥିବ, ଚାଲି ଯାଉଥିବା ଅନ୍ଧାର ଓ ଆବିର୍ଭୂତ ହୋଇ ଆସୁଥିବା ଆଲୁଅ ଉଭୟେ ମିଶି ପୂର୍ବଦିଗକୁ ଅତୀବ ଅର୍ଥପୂର୍ଣ୍ଣ ଓ ରହସ୍ୟପ୍ରଶାନ୍ତ କରି ରଖିଥିବେ ଏବଂ ସେହିଆଡ଼କୁ ଅନାଉ ଅନାଉ ଆପଣାର ହୃଦୟ ଭିତରେ ସତେ ଯେପରି କାହାର ସ୍ପର୍ଶ ପ୍ରସାରିତ ହୋଇଗଲା ପରି ଲାଗୁଥିବ । ଶୀତଦିନ ଅନେକଙ୍କୁ ଅଳସୁଆ କରିପକାଏ ବୋଲି ମୁଁ ଶୁଣିଚି, କିନ୍ତୁ ଶୀତଦିନ ମୋତେ ଅଧିକ ଚଞ୍ଚଳ କରାଏ-। ମୋତେ ଚଞ୍ଚଳ ପ୍ରସ୍ତୁତ କରାଏ, ଚଞ୍ଚଳ କାର୍ଯ୍ୟରତ କରାଏ ଓ ଚଞ୍ଚଳ ସ୍ଥିର କରିଦିଏ । ବାହାରେ ପୃଥିବୀଟା ଯେତିକି ଜଡ଼ ପରି ଦେଖାଯାଉଥାଏ, ଭିତରେ ଠିକ୍ ସେତିକି ଜୀବନ୍ତତା ଭରି ଗଲାପରି ଲାଗେ । ଆପଣାର ସମସ୍ତ ସମୟ ଓ ଶକ୍ତି ଦେଇ କାମରେ ଲାଗିଥିଲେ ମଧ୍ୟ ଆଦୌ କ୍ଳାନ୍ତି ଲାଗେନାହିଁ, ଆପଣାର ସବୁକିଛି ସମର୍ପଣ କରିଦେଇ ସମ୍ପୂର୍ଣ ହେବାର ଆନନ୍ଦ ପ୍ରକୃତରେ ଏହି ଶୀତଦିନେ ହିଁ ମିଳିଥାଏ । ଖରାଦିନଟା ଅନେକ ସମୟରେ ଭାରି କ୍ଳାନ୍ତ କରିପକାଏ । ବିଶେଷତଃ ଆଗ୍ରା ପରି ଏକ ଜାଗାରେ ଖରାଦିନେ ଗ୍ରୀଷ୍ମରେ ହନ୍ତସନ୍ତ ହୋଇ ସବୁବେଳେ କେବଳ ବିରକ୍ତି ହିଁ ଲାଗେ, ସବୁଠାରୁ ମନ ଛାଡ଼ିଛାଡ଼ି ଆସେ । ଉଠିଲେ ଶାନ୍ତି ଲାଗେନାହିଁ ବା ଶୋଇଲେ ଶାନ୍ତି ଲାଗେନାହିଁ । ନିଦରୁ ଉଠିଲେ ମଧ୍ୟ ଯଥେଷ୍ଟ ବିଶ୍ରାମ ମିଳିବା ପରି ଲାଗେନାହିଁ । କିନ୍ତୁ ଶୀତଦିନରେ ସେସବୁ କୌଣସି ଦୁଃଖ ନଥାଏ । ଆପଣା ଉପରେ ବିରକ୍ତ ହେବାର ଦୁର୍ଦ୍ଦଶା ବି ଭୋଗ କରିବାକୁ ପଡ଼େନାହିଁ । ସେତେବେଳେ ସବୁ ଭଲ ଲାଗେ । ସୂର୍ଯ୍ୟ ଉଠିବା ଆଗରୁ ପ୍ରସ୍ତୁତ ହୋଇ ବସି ସୂର୍ଯ୍ୟର ସହଚର ପରି ଦିନ ଆରମ୍ଭ କଲାପରି ମନେହୁଏ । ସୂର୍ଯ୍ୟର ଆଗମନ–ଉତ୍ସବକୁ ହୃଦୟଭରି ଦେଖିବାର ସମୟ ମିଳେ । ଆପଣାର ହୃଦୟ ଭିତରେ ଗୋଟିଗୋଟି କରି ଦୁଆର ଖୋଲିବାର ସମୟ ମିଳେ, ଜୀବନର ଖୁସିକୁ ଅନୁଭବ କରିବାଲାଗି ସମୟ ମିଳେ ।

 

୨୩ । ୯ । ୬୦

 

ଏହି ଜଗତ ଏତେ ସୁନ୍ଦର । ଏହି ଆକାଶ ସୁନ୍ଦର, ଏହି ଆଲୋକ ସୁନ୍ଦର । ଏହି ସନ୍ଧ୍ୟା ଓ ସକାଳ ସବୁ ସୁନ୍ଦର । ତେବେ ଏହି ମଣିଷ ବି କାହିଁକି ସୁନ୍ଦର ନହେବ ? ତେବେ ମୁଁ କାହିଁକି ସୁନ୍ଦର ହେବାକୁ ଚେଷ୍ଟା ନ କରିବି ? ମୁଁ କାହିଁକି ସୁନ୍ଦର ନହେବି ? ମୋର ମନ ଓ ମୋର ହୃଦୟ କାହିଁକି ସୁନ୍ଦର ନହେବ ? ସୃଷ୍ଟିଭିତରେ ରହି ତଥାପି ସୃଷ୍ଟିଛଡ଼ା ହେବାର ପୋକ ମୋ’ ଭିତରେ ଯେଉଁଦିନୁ ପଶିଲାଣି, ମୁଁ ସେହି ଦିନଠାରୁ ସୃଷ୍ଟିର ଉତ୍ତରାଧିକାର ହରାଇ ବସିଲାଣି । ଜଣେ ମଣିଷ ହିସାବରେ ମୁଁ ଏହି ସୃଷ୍ଟି ସହିତ ଅଧିକ ଆତ୍ମୀୟତା ଅର୍ଜନ କରୁଥାନ୍ତି, ଏହି ସୃଷ୍ଟିର ଆନନ୍ଦମୟ ଉତ୍ସବରେ ମୁଁ ସବୁବେଳେ ଓ ସବୁଠାରେ ଭାଗ ନେଇ ପାରୁଥାନ୍ତି । କିନ୍ତୁ ତା’ହୋଇ ପାରୁନାହିଁ । ଏହି ସୃଷ୍ଟିର ସକଳ ଶୋଭାମୟତାକୁ ମୁଁ କେବଳ ମୋ’ ପ୍ରମୋଦ ଜୀବନର ସାଧନରୂପେ ବ୍ୟବହାର କରୁଚି, କେବଳ ବିଳାସବ୍ୟସନର ସାମଗ୍ରୀରୂପେ ବ୍ୟବହାର କରୁଚି । ସତେ ଯେପରି କେବଳ ମୋ’ରି ମଜା ଉଡ଼ାଇବା ପାଇଁ ଏହି ସଂସାରଟା ତିଆର ହୋଇଚି ! ଏଠି ମୁଁ ଖାଲି ମଜା ଉଡ଼ାଇବି, କମଳବନର ଭିତରେ ପଶି ଖାଲି ସବୁ ଧ୍ଵଂସ କରିଦେବି, ସବୁ ଇତସ୍ତତଃ କରିଦେବି । ମୋର କୌଣସିଠାରେ କିଛି ଦେବାର ନାହିଁ, କୌଣସି ସ୍ଥାନରେ ଆପଣାକୁ ସମର୍ପଣ କରିପାରିବା ଲାଗି ମୋର କିଛି ହେବାର ନାହିଁ, କୌଣସିଠାରେ କୌଣସି ଆତ୍ମୀୟତା ଅର୍ଜନ କରିବାକୁ ହିଁ ନାହିଁ ! ତେଣୁ ମୋ’ ଭାଗ୍ୟରେ ସବୁ ଜୁଟିଚି, ଧନ, ସମ୍ପତ୍ତି, ଭୋଗ, ମହୋତ୍ସବ, ଆଡ଼ମ୍ବର ଓ ଆମୋଦ ସବୁ ଜୁଟୁଚି, ମାତ୍ର ସୁନ୍ଦର ହେବାର ସୌଭାଗ୍ୟ ଜୁଟୁ ନାହିଁ । ଏଇ ଫୁଲ, ଏହି ଆକାଶ ଓ ଏହି ଆଲୋକ ମୋତେ ସୁନ୍ଦର ହେବାର କୌଣସି ପ୍ରେରଣା ଦେଇ ପାରୁନାହାନ୍ତି । ଜଗତଯାକର ସକଳ ସୌନ୍ଦର୍ଯ୍ୟ ସତ୍ତ୍ୱେ ମୁଁ ତଥାପି ବଡ଼ ଅସୁନ୍ଦର ହୋଇ ପଡ଼ିରହିଚି । ମୋର ମନ ଓ ମୋର ହୃଦୟ ଅସୁନ୍ଦର ହୋଇ ପଡ଼ିରହିଚି । ମୋର ମତଲବଗୁଡ଼ାକ ମଧ୍ୟ ଅସୁନ୍ଦର ହୋଇ ପଡ଼ିରହିଚି । ମୋର ସାମାଜିକ ଜୀବନ ଓ ସାମାଜିକ ଆକାଂଙକ୍ଷାମାନ ନାନା ଦୃଷ୍ଟତା ଭିତରେ ଅସୁନ୍ଦର ହୋଇ ପଡ଼ିରହିଚି । ସଂସାରଯାକର ମାଲିକ ହୋଇ ଯଦି ମୁଁ ତଥାପି ସୁନ୍ଦର ହୋଇ ନପାରିଲି, ତେବେ ମୋତେ ଏହି ସଂସାରର ଜଣେ ଯୋଗ୍ୟ ଉତ୍ତରାଧିକାରୀ ବୋଲି କିପରି କୁହାଯାଇପାରିବ ? ଏହି ସଂସାରରେ ଆନନ୍ଦରେ ମୁଁ କିପରି ଯଥୋଚିତ ଭାଗ ନେଇ ପାରିବି ?

 

୨୪ । ୯ । ୬୦

 

ଶିକ୍ଷକ ହେବା ପୂର୍ବରୁ ଆମେ ସମସ୍ତେ ବାବୁ ହେବାକୁ ଇଚ୍ଛା କରୁଚୁ । ସେଥିଲାଗି ଏହି ଦେଶରେ ବାବୁଗିରି ହୁ ହୁ ବଢ଼ୁଚି, କିନ୍ତୁ ଶିକ୍ଷା ବଢ଼ୁନାହିଁ । ଆମେ ଯେତିକି ବାଧ୍ୟ ହେଉଚୁ, ସେତିକି ପରିମାଣରେ ଶିକ୍ଷକ ହେଉଚୁ । କାରଖାନାର ଶ୍ରମିକ ଯେପରି ବାଧ୍ୟ ହୁଏ, ଠିକ୍ ସେହିପରି ବାଧ୍ୟ ହେଉଚୁ । ବାଧ୍ୟ ନହେବା ସମୟତକ ବାବୁଗିରିର ଆୟୋଜନ କରିବାରେ ହିଁ ବିତିଯାଉଚି । ଆମର ଛାତ୍ରମାନେ ମଧ୍ୟ ଆମରି ଆଚରଣରୁ ଅନୁରୂପ ଶିକ୍ଷା ପାଉଚନ୍ତି । ସେମାନେ ବି ଯେତିକି ବାଧ୍ୟ ହେଉଚନ୍ତି, ସେତିକି ପାଠ ପଢ଼ୁଚନ୍ତି । ଶିକ୍ଷା ଲାଗି, ଅର୍ଥାତ୍ ଆପଣା ଅନ୍ତର୍ନିହିତ ଗୁଣଗୁଡ଼ିକର ବିକାଶଲାଗି କେବଳ ସେତିକି ସଚେତନ ରହୁଚନ୍ତି । କିନ୍ତୁ ଉପରୁ କାହାର ପ୍ରହରୀ ଦୃଷ୍ଟି ଅପସରି ଯିବାମାତ୍ରକେ ସେମାନେ ମଧ୍ୟ ବାବୁ ହୋଇ ସାଜିବାର ନାନାବିଧ ଭୌତିକ ଓ ବୈଚାରିକ ସାଧନରେ ମସ୍ତ ଓ ବ୍ୟସ୍ତ ହୋଇ ରହୁଚନ୍ତି । ଶିକ୍ଷକ ହୋଇ ଯେପରି ଆମର ଖୁସି ନାହିଁ, ଛାତ୍ର ହୋଇ ସେହିପରି ସେମାନଙ୍କର ମଧ୍ୟ ଖୁସି ନାହିଁ । ଆମେ ସେମାନଙ୍କୁ ବାଧ୍ୟ କରୁଚୁ, ସେମାନଙ୍କୁ ପାସ୍‍ ଫେଲ୍ କରାଇବାର ଠିକା ବି ଆମ ହାତରେ ରହିଚି । ତେଣୁ ସେମାନେ ଆମର କଥା ମାନୁଚନ୍ତି । କିନ୍ତୁ ଖୁସି ନାହିଁ, ତେଣୁ ଶିକ୍ଷା ନାହିଁ, ତେଣୁ ବିକାଶ ନାହିଁ । ଆପଣାର ମନ ନମାନୁଥିଲେ ମଧ୍ୟ ସେମାନେ ତଥାପି ବାଧ୍ୟ ହେଉଚନ୍ତି । ସେମାନଙ୍କ ଭିତରେ ବିରୋଧ ଓ ପ୍ରତିବାଦର ଜ୍ଵାଳା ଜଳୁଛି । କିନ୍ତୁ ଉପରକୁ ସେମାନେ ବାଧ୍ୟ ହୋଇ ରହିବାର ପ୍ରହସନ କରୁଚନ୍ତି । ପ୍ରତିବାଦ କରିବାର ଓ ବିଦ୍ରୋହ କରିବାର ମାନବସୁଲଭ ଧର୍ମରୁ ମଧ୍ୟ ସେମାନେ ଭ୍ରଷ୍ଟ ହୋଇ ଯାଉଚନ୍ତି । ସେମାନେ କ୍ରମଶଃ ମରିଯାଉଚନ୍ତି । କେବଳ ବାଧ୍ୟ ହେବା ଓ ବାଧ୍ୟ କରିବା ଯେ ଜୀବନ ନୁହେଁ, ସୃଷ୍ଟି କରିବା ଓ ଆବିଷ୍କାର କରିବା ଯେ ଯଥାର୍ଥ ଜୀବନ, ସେମାନେ ଏକଥା ଭୁଲି ଯାଉଚନ୍ତି-

 

୨୫ । ୯ । ୬୦

 

କଳାମେଘର ଅନ୍ତର ଭିତରଟାକୁ ତରଳ ସୁନାରଙ୍ଗର ମହିମାରେ ମାହିମାନ୍ୱିତ କରି ଦେଉଥିବା ଆଜି ସକାଳର ଏହିପରି ଏକ ସୂର୍ଯ୍ୟୋଦୟ ମୁଁ ଏହି ଜୀବନରେ କେତେ ଜାଗାରେ କେତେଥର ଦେଖିଚି, କିନ୍ତୁ ତଥାପି ମୁଁ ଏହାକୁ ପୁରୁଣା ବୋଲି କହିପାରିବି ନାହିଁ । ଆଜି ସକାଳେ ତାହାରି ଆଡ଼କୁ ଅନାଇ ମୁଗ୍‍ଧ ହେଉଥିବା ସମୟରେ ତାହା ଯେ ପୁରୁଣା, ମୁଁ ସେକଥାଟିକୁ ସମ୍ପୂର୍ଣରୂପେ ଭୁଲିଯାଇଥିଲି । ମୁଁ ମୋର ସବୁ କାମ ବନ୍ଦ କରି ନିର୍ବାକ୍ ସ୍ଥିର ହୋଇ ସେଇଆଡ଼କୁ ଅନାଇ ରହିଥିଲି । ମୋର ଶରୀର ମଧ୍ୟ ନିଷ୍ପଦ ଓ ନିଶ୍ଚଳ ହୋଇ ସତେ ଅବା ଗୋଟିଏ ଆଖିରେ ସେହିଆଡ଼କୁ ଅନାଇ ରହିଥିଲା, ସହସ ଲୋମକୂପର ଗ୍ରହଣ ଦ୍ଵାର ଦେଇ ଏହି ଅପୂର୍ବ ଶୁଭମୟ ସାକ୍ଷାତର ସ୍ପର୍ଶ ଅନୁଭବ କରୁଥିଲା । ସୁନ୍ଦର ଦୃଶ୍ୟ ମଣିଷକୁ ସୁନ୍ଦର ଭଗବାନଙ୍କର ଚରଣ ପାର୍ଶ୍ଵରେ ଯାଇ ଠିଆହୋଇ ପାରିବାକୁ କେତେଦୂର ସହାୟତା ଯେ କରିଥାଏ, ସେକଥା ମୁଁ କଦାପି ବୁଝାଇ କରି କହିପାରିବିନାହିଁ । କିନ୍ତୁ ଆଜି ଏକାନ୍ତ ମୁଗ୍‍ଧ ହୋଇ ଏହି ଦୃଶ୍ୟଟି ସହିତ ମିଶି ଯାଉଯାଉ ମୁଁ ଭାବୁଥିଲି, ମୋ’ ଜୀବନରେ ଯେପରି ସବୁଦିନେ ଏହିପରି ନିର୍ବାକ୍ ହୋଇ ଅନାଇ ରହିବାର ତର ରହିଥାଉ, ମୁଗ୍‌ଧ ହେବାର ଏହି ପ୍ରୟୋଜନଟି ସବୁଦିନେ ରହିଥାଉ । ଆକାଶ ଉପରେ ଏହି ଉତ୍ସବର ଆଗମନୀ ଧ୍ଵନିତ ହୋଇ ଉଠିଲା ବେଳକୁ ମୋର ଜୀବନଯାତ୍ରା ତାହାକୁ ହିଁ ଶୁଣିବାଲାଗି ଯେପରି ଶବ୍ଦଶୂନ୍ୟ ହୋଇ କାନ ଡେରି ଠିଆହେବାକୁ ସମର୍ଥ ହେଉ ! ଏହି ସଂସାରରେ ବ୍ୟସ୍ତତା ଅଛି, ଏହି ସଂସାରରେ ନାନା କର୍ତ୍ତବ୍ୟର ରଜ୍ଜୁ ରହିଚି । ସେଥିରେ ଅବଶ୍ୟ ବାନ୍ଧିହୋଇ ରହିବାକୁ ପଡ଼ିବ । ଜୀବନରେ ଆନନ୍ଦ ପାଇବାଲାଗି ଏହି ବନ୍ଧନ ମଧ୍ୟ ଅପରିହାର୍ଯ୍ୟ । କିନ୍ତୁ ଏହି ବନ୍ଧନପରି ଏହି ମୁକ୍ତି ମଧ୍ୟ ଅପରିହାର୍ଯ୍ୟ, ଏହି କର୍ମମୟତାପରି ଏହି ବ୍ୟସ୍ତତାହୀନ ଅବସର ମଧ୍ୟ ଅପରିହାର୍ଯ୍ୟ-। ଏହି ବ୍ୟସ୍ତତାପରି ଏହି ସ୍ଥିରତା ମଧ୍ୟ ଅପରିହାର୍ଯ୍ୟ । ଏହି ଦୁଇଟି ପ୍ରକ୍ରିୟା ଭିତରେ କୌଣସି ସପତ୍ନୀଭାବ ଆଦୌ ନାହିଁ, ଠିକ୍ ଆମ ଦେହ ଯନ୍ତ୍ରଟା ସହିତ ଅନ୍ତର ଭିତରେ ଅନୁଭୂତି ପାତ୍ରଟିର ମଧ୍ୟ ଯେପରି କୌଣସି ସପତ୍ନୀଭାବ ନାହିଁ ! ସେହି ସୁନାକିରଣର ମହିମା ମେଘଭିତରୁ ବାହାରି ପ୍ରଲମ୍ବିତ ହୋଇ ବର୍ତ୍ତମାନ ଦେହ ଉପରେ ଆସି ପଡ଼ିଲାଣି । ଏହାକୁ ମୋର ଅନ୍ତର ଭିତରେ ଆପଣାର ପ୍ରିୟ ସମ୍ପତ୍ତି କରି ରଖିବାକୁ ହେବ, ଶରୀର ଭିତରେ ପ୍ରିୟ ସମ୍ପଦ ରୂପେ ଧାରଣ କରିବାକୁ ହେବ । ଏହାହିଁ ମୁକ୍ତିର ଉପାୟ । କର୍ମଦ୍ଵାରା ସିଦ୍ଧ ହୋଇ ଏବଂ ଏହିପରି ଅମୂଲ୍ୟ ଅବସର ଗୁଡ଼ିକୁ ଅନୁଭବ କରି ମୁକ୍ତିଲାଗି ଯୋଗ୍ୟ ହେବାକୁ ପଡ଼ିବ । ଏହାହିଁ ଜୀବନ, ଏହାହିଁ ଏହି ଜୀବନର ସର୍ବୋତ୍ତମ ଆନନ୍ଦ ।

 

୨୬ । ୯ । ୬୦

 

ବରଷା ଛାଡ଼ି ଛାଡ଼ି ଯାଉଚି । ଶୀତ ଆସିବ ବୋଲି ଥରେ ଦୁଇଥର ଖବର ଦେଇଗଲାଣି । ଆଜି ବଡ଼ି ଅନ୍ଧାରୁ ଉଠି ମୋ’ର ଝରକାବାଟେ ପୂର୍ବାଆକାଶକୁ ଅନାଇ ଦେଖିଲି, ବରଷା ବୋଇତଗୁଡ଼ିକ ସତେ ଅବା ବିଦାୟ ନେଇ ଯିବାଲାଗି ସଜହୋଇ ରହିଚନ୍ତି । ଶୁଭ୍ର ପ୍ରସନ୍ନ ଆକାଶ ଉପରେ କଳା କିଟିକିଟି ମେଘର ବୋଇତମାନ, ଖଣ୍ଡଖଣ୍ଡ ହୋଇ ଧାଡ଼ି ବାନ୍ଧି ଯିବାଲାଗି ଅପେକ୍ଷା କରି ରହିଚନ୍ତି । ଉପରେ ଚିମ୍‍ନିରୁ ଧୂଆଁର ଉଦ୍‌ଗାର ଆରମ୍ଭ ହେଲାଣି । ଯିବାକୁ ଆଉ ବେଶି ବେଳ ନାହିଁ । ବରଷା ଆଉ ଶୀତର ଦୁଇ ପର୍ଯ୍ୟାୟ ଭିତରେ ସତେ ଅବା ଶରତ ଆସି କାରିଗର ବନି ଆଜି ବିଦାୟର ଏହି ଦାଣ୍ଡଟିକୁ ସଜାଇ ଦେଇଚି । ଅନାଇଦେବା ମାତ୍ରକେ ଏହି ସଂସାରର ସବୁ ଭଲ ଲାଗୁଚି, ଏ ଜୀବନର ସବୁ ଭଲ ଲାଗୁଚି । ଏହି ମାୟାମୟ ଜଗତର ସବୁ ମହିମା ଅକ୍ଷୟ ପୂଣ୍ୟ ହୋଇ ହୃଦୟକୁ ଏକ ଶ୍ରଦ୍ଧାପ୍ରସନ୍ନ ସମର୍ପଣ ଲାଗି ପ୍ରସ୍ତୁତ କରିଦେଉଚି । ଆମ ସଂସାରରେ ଯନ୍ତ୍ରର ଆତଯାତ ବଢ଼ିବା ପରେ ମଣିଷର ମନ କୁଆଡ଼େ ପ୍ରକୃତି ପାଖରୁ ଛାଡ଼ିଛାଡ଼ି ଯାଉଚି ବୋଲି ଅନେକେ ଯନ୍ତ୍ରକୁ ଏବଂ ଆଧୁନିକ ଯୁଗକୁ ଅପବାଦ ଦେଇଥାନ୍ତି । କିନ୍ତୁ କାଲି ରାତିରେ ମୁଁ ବିଜୁଳି ଆଲୁଅରେ ପାଠ ପଢ଼ିଲି । ବିଜୁଳି ପଙ୍ଖାର ଘୁ’ ଘୁ’ ପବନତଳେ ରାତିଟାଯାକ ଶୋଇଲି । ତଥାପି ସକାଳୁ ନିଦ ଭାଙ୍ଗିଗଲା ମାତ୍ରକେ ମୁଁ ଆଉ କିଛି କରିବା ପୂର୍ବରୁ ପୂର୍ବ ଆକାଶକୁ ଅନାଇ ଘଡ଼ିଏ ଠିଆହୋଇ ପାରିଲି କିପରି ? ପିଲା ଆପଣାର ମାଆ ପାଖରେ ଯାଇ ଠିଆହେଲେ ଯେପରି ଅନୁଭବ କରେ, ମୁଁ ଠିକ୍ ସେହିପରି ଅନୁଭବ କରିପାରିଲି କିପରି ? ଇଏତ ହୃଦୟର ଧର୍ମ । ବିଜୁଳି ଆଲୁଅ ଓ ବିଜୁଳିଚାଳିତ ପଙ୍ଖା ଯେପରି ଶରୀରର ଏକ ଆବଶ୍ୟକତାକୁ ପୂର୍ଣ୍ଣ କଲା, ପୂର୍ବଦିଗର ପ୍ରଭାତ ଆକାଶ ସେହିପରି ହୃଦୟର ଆବଶ୍ୟକତାକୁ ପୂର୍ଣ୍ଣ କରିବ । ଏଥିରେ ପୁଣି ଦ୍ଵନ୍ଦ ରହିଲା କେଉଁଠି ?

 

୨୭ । ୯ । ୬୦

 

ରାଜନୀତି ଦ୍ଵାରା ପୃଥିବୀ–ସମସ୍ୟାଗୁଡ଼ିକର କେବେହେଲେ ସମାଧାନ ହୋଇନାହିଁ, ଆଜି ମଧ୍ୟ ହେବନାହିଁ । ବର୍ତ୍ତମାନ ଜାତିସଂଘର ସଭାଘରେ ପୃଥିବୀର ବଛାବଛା ରାଜନୀତିକ ନେତାମାନେ ଏକତ୍ର ହୋଇଚନ୍ତି । ପ୍ରତିଦିନ ଖବରକାଗଜରେ ବଡ଼ବଡ଼ ଅକ୍ଷରରେ ସେଠାରେ ଅନୁଷ୍ଠିତ ହେଉଥିବା ସଭା ଓ ଭାଷଣଗୁଡ଼ିକର ଖବର ବାହାରୁଚି । ସେହି ଉପଲକ୍ଷ୍ୟରେ କେତେ ଦେଶର କେତେକେତେ ସାଂବାଦିକ ଯାଇ ସେଠାରେ ପହଞ୍ଚିଚନ୍ତି । ଆଗରୁ କିଛି ନଭାବି ଖବରକାଗଜ ପଢ଼ିବାବେଳକୁ ହଠାତ୍ ମନେହେଉଚି, ଯେପରି ଏଥର ପୃଥିବୀର ଯାବତୀୟ ସମସ୍ୟାର ସମାଧାନ ହୋଇଯିବ । ମାତ୍ର ଟିକିଏ ଭାବି ବସିଲେ ଆପଣାର ଅତିବିଶ୍ଵାସ ପ୍ରତି କେବଳ ହସିବାକୁ ହିଁ ଇଚ୍ଛା ହେଉଚି । ଜାତିସଂଘର ଦରବାରରେ ସେଠି ଯେତେ ନେତା ଯାଇ ପହଞ୍ଚିଚନ୍ତି, ସେମାନେ ପ୍ରତ୍ୟେକ କ୍ଷମତାରେ ବିଶ୍ଵାସ କରନ୍ତି । ଏହି କ୍ଷମତାକୁ ହାସଲ କରିବାଲାଗି ସେମାନେ ହୁଏତ ଏପରି ଅନେକ ଆଚରଣ କରିଚନ୍ତି ବା କରାଇଚନ୍ତି, ସାଧାରଣ ମଣିଷ ଯାହାର କଳ୍ପନା ସୁଦ୍ଧା କରିପାରିବ ନାହିଁ । ଜାତୀୟ ଘୃଣା ଓ ଜାତୀୟ ଅହଙ୍କାରର ପ୍ରତିନିଧି ଏହି ନେତାମାନେ କଦାପି ମଣିଷର ସମସ୍ୟାଗୁଡ଼ିକର ସମାଧାନ କରିପାରିବେ ନାହିଁ । ମଣିଷର ପ୍ରଥମ ସମସ୍ୟା ହେଉଚି ଭୋକର ସମସ୍ୟା । ସଂସାରର ଅନେକ ଲୋକଙ୍କୁ ଭୋକରେ ମାରିବାର ବା ଭୋକର ଧମକ ଦେଖାଇ ବଶ କରି ରଖିବାର ଅପବାଦରେ ଏହି ନେତାମାନଙ୍କ ଭିତରୁ ଅନେକଙ୍କର ଭାଗ ରହିଚି । ମଣିଷର ଦ୍ଵିତୀୟ ସମସ୍ୟା ହେଉଚି ସଂଗଠିତ ଅସ୍ତ୍ର ବଳର ମୋହରୁ ରକ୍ଷା ପାଇବାର ସମସ୍ୟା । ରାଜନୀତି କରୁଥିବା ଏହି ନେତାମାନେ ହୁଏତ ପ୍ରତ୍ୟେକେ ସଂଗଠିତ ଅସ୍ତ୍ର ବଳରେ ବିଶ୍ଵାସ କରନ୍ତି, ସଙ୍ଗଠିତ ହିଂସାରେ ମଧ୍ୟ ବିଶ୍ଵାସ କରନ୍ତି । ମଣିଷର ତୃତୀୟ ଏବଂ ସବୁଠାରୁ ବଡ଼ ସମସ୍ୟା ହେଉଚି ନ ଡରିବାର ଓ ନ ଡରାଇବାର ସମସ୍ୟା । ଏହି ରାଜନୀତିକ ନେତାମାନେ ହିଁ ଆମ ସଂସାର ଭିତରେ କେତେପ୍ରକାର ଡରିବାର ଓ ଡରାଇବାର ଅବସର ସୃଷ୍ଟି କରି ରଖିଚନ୍ତି । ଆପଣାର ସ୍ଥାନକୁ ଦୃଢ଼ କରି ରଖିବାଲାଗି ସେମାନେ କେତେ ଭୟ ଓ ତ୍ରାସର ଶୋଚନୀୟ ସଙ୍କଟମାନ ସୃଷ୍ଟି କରିଚନ୍ତି । ଏବଂ ଏହିମାନେ ସଂସାରର ସ୍ଥିତିକୁ ତଥାପି ସୁଧାରିଦେବେ ବୋଲି କିପରି ବିଶ୍ଵାସ କରାଯାଇପାରିବ ?

 

୨୮ । ୯ । ୬୦

 

ବନ୍ଧୁ କହିଲେ ନିଃସଙ୍ଗ ନହେଲେ କଳାକାର ହେବା ସମ୍ଭବ ନୁହେଁ । ଅତି ଯଥାର୍ଥ କଥା । କିନ୍ତୁ ନିଃସଙ୍ଗ ହୋଇ ପାରିବାଟା ହିଁ ଯେ ଜୀବନର ସବୁଠାରୁ ବଡ଼ କଥା । ନିଃସଙ୍ଗ ହେବାର ଅର୍ଥ ମଣିଷଠାରୁ ଦୂରକୁ ପଳାଇଯାଇ କେଉଁ ପର୍ବତ କନ୍ଦରରେ ଆଶ୍ରୟ ନେବା ନୁହେଁ । ନିଃସଙ୍ଗ ହେବା ଅର୍ଥାତ୍ ଆତ୍ମସ୍ଥ ହେବା । ସବୁ ସଙ୍ଗ ଭିତରେ ମୂଳତଃ ଆପଣାର ସଙ୍ଗୀ ହୋଇ ରହିବା, ସବୁ କୋଳାହଳ ଭିତରେ ମୂଳତଃ ଆପଣାର ଶବ୍ଦଟିକୁ ଶୁଣିବାକୁ ପାଇବା । ସବୁ ସମ୍ଭାଷଣ ଭିତରେ ତଥାପି ଆପଣା ସହିତ ସମ୍ଭାଷଣ କରିପାରିବା, ସବୁ ରତି ଭିତରେ ଆତ୍ମରତିର ରସ ଆସ୍ଵାଦନ କରି ଶିଖିବା । ଏହି ଶିକ୍ଷା ଶାସ୍ତ୍ର ପଢ଼ି ହେବନାହିଁ, ଶ୍ରବଣ କରି ହେବନାହିଁ, ଶ୍ରମ କରି ମଧ୍ୟ ହେବନାହିଁ । ଆପଣା ଭିତରେ ଶାନ୍ତ ହୋଇପାରିଲେ ଏହା ହୋଇପାରିବ । ଆପଣାର ସକଳ ଆକାଂଙକ୍ଷା ସତ୍ତ୍ୱେ ତଥାପି ଶାନ୍ତ ହେବାକୁ ହେବ, ଆପଣାର ସକଳ ଶୁଭ ବାସନା ଓ ଶୁଭ ଆସକ୍ତି ସତ୍ତ୍ୱେ ତଥାପି ଶାନ୍ତ ହେବାକୁ ହେବ । ଏଥିପାଇଁ ଭକ୍ତି ଦରକାର ଏଥିପାଇଁ ଶ୍ରଦ୍ଧା ଦରକାର ଓ ଏଥିପାଇଁ ସମର୍ପଣ ଦରକାର । ସମସ୍ତ ଜ୍ଞାନ ଓ ସମସ୍ତ ବିଜ୍ଞାନ ପାଇଁ, ସମସ୍ତ କଳା ଓ ସମସ୍ତ ସୃଷ୍ଟି ପାଇଁ ଏହି ସମର୍ପଣ ଦରକାର । ଆପଣାର ଜଡ଼ତା ଓ ଆଳସ୍ୟକୁ ଏକ ପାରମାର୍ଥିକ ପ୍ରଶ୍ରୟ ଦେବାପାଇଁ ଆତୁର ମଣିଷ ଯେଉଁ ସମର୍ପଣ ଖୋଜେ, ମୁଁ ସେହି ସମର୍ପଣର କଥା କହୁନାହିଁ । ଏଭଳି ସମର୍ପଣ ମଣିଷକୁ ଯନ୍ତ୍ର କରିପକାଏ, ସଂସ୍କାରର ଦାସ କରିପକାଏ, ନାନା ପ୍ରଲୋଭନର ଚକ୍ରାନ୍ତରେ ମଣିଷକୁ ମୂଢ଼ ଓ ଉଗ୍ର କରିପକାଏ । ମୋର ସମର୍ପଣ ଏହାର ସମ୍ପୂର୍ଣ୍ଣ ବିପରୀତ । ମୁଁ ସବୁ କରିବି, ସବୁଟି ପାଇଁ ତତ୍ପର ହେବି । ଆପଣା ଜୀବନରୁ କିଛି ଫୁଟାଇ କିଛି ଫଳାଇବା ପାଇଁ ନିୟତ ତତ୍ପର ରହିବି, ତଥାପି ସବୁ ହେବାର ଶ୍ରେୟ ତାହାକୁ ହିଁ ଦେବି । ତାହାହିଁ ସମର୍ପଣ ।

 

୧୩ । ୧୦ । ୬୦

 

ଯଦି କାର୍ଲମାର୍କ୍‌ସ୍ ମଣିଷର ମନକୁ ବୁଝିଥାଆନ୍ତେ, ତେବେ ସେ ତାଙ୍କ ବିଚାର ଭିତରେ ଏତେଗୁଡ଼ାଏ ରାଜନୀତିକ ନିଶ୍ଚିତତା ଓ ଏତେ ବେଶି ଉତ୍ତେଜନା ଭର୍ତ୍ତି କରିଦେଇ ନଥାନ୍ତେ । ସେ ଅଧିକ ଧୈର୍ଯ୍ୟଶୀଳ ଭାବରେ ମଣିଷ ଓ ସମାଜର ପରିବର୍ତ୍ତନ ବିଷୟରେ ଚିନ୍ତା କରିଥାଆନ୍ତେ । କେବଳ ଗୋଟାଏ ଶାସନ ବଦଳି ଆଉ ଗୋଟାଏ ଶାସନ ପ୍ରବର୍ତ୍ତିତ ହେଲେ ଯେ ମଣିଷ ଭଲ ହୋଇଯିବ, ଏପରି କହି ଅନେକଙ୍କୁ ମତାଇଦେବାର ପିଲାବୁଦ୍ଧି ତାଙ୍କର କେବେହେଲେ ହୋଇ ନଥାନ୍ତା । ଆପଣାର ପ୍ରଥମ ଜୀବନରେ କାର୍ଲମାର୍କ୍‌ସ୍ ଏପରି ନଥିଲେ । ତାଙ୍କର ସକଳ ବିଚାର ଓ ସକଳ ଯୋଜନାରେ ସିଏ ମଣିଷକୁ ହିଁ ସବା ଆଗରେ ରଖୁଥିଲେ । ଯେତେବେଳେ ବିକାରମୁକ୍ତ ହୋଇ ମଣିଷ ଆପଣାର ସମାଜକୁ ଶୋଷଣରୁ ମୁକ୍ତ କରିପାରିବ, ସେତେବେଳେ ଯାଇ ଆମର ସଂସାର ଅଧିକ ମନୁଷ୍ୟୋଚିତ ଯେ ହୋଇପାରିବ, ସେ ଏହିପରି ଏକ ସ୍ଵପ୍ନ ଦେଖୁଥିଲେ ଏବଂ ଏହି ସ୍ଵପ୍ନ ସଫଳ ହେବ ବୋଲି ଦୃଢ଼ ଆଶା ବି ପୋଷଣ କରୁଥିଲେ । ଏହି ସ୍ଵପ୍ନଟିକୁ ଆପଣାର ଜୀବଦ୍ଦଶାରେ ସଫଳ କରିବାର ଆକାଙ୍‌କ୍ଷାରେ ଦାର୍ଶନିକ ମାର୍କ୍‌ସ୍ ହୁଏତ ଅସ୍ଥିର ହୋଇପଡ଼ିଲେ ଏବଂ ଆପଣା ବିଚାରର ରଜ୍ଜୁଟି ହରାଇ ବସିଲେ । ରାଜନୀତିକ ଊତ୍ତେଜନା ତାଙ୍କର ଦାର୍ଶନିକ ଆଗ୍ରହ ଓ ବିଚାରଗତ ତଟସ୍ଥତାକୁ ଆତ୍ମସାତ୍‍ କରି ପକାଇଲା ଓ ଦର୍ଶନର ବୃକ୍ଷ ଉପରେ ଅତିସତ୍ୱର ଫଳ ଫଳାଇବାର ଉଦ୍ଦେଶ୍ୟରେ କାର୍ଲମାର୍କ୍‌ସ୍ କମୁନିଷ୍ଟବାଦୀ ରାଜନୀତିର ମୃଦ୍‌ଗର ନେଇ ବାହାରିଲେ । ବାହାରଟାକୁ ବଦଳାଇ ଦେଲେ ଭିତରଟା ମଧ୍ୟ ବଦଳିଯିବ,–ଏଣୁ ଯେକୌଣସି ମାର୍ଗରେ ପ୍ରବୃତ୍ତ ବା ଦୁସ୍ତବୃତ୍ତ ହୋଇ ହେଉ ପଛକେ, ଆଗ ବାହାରଟାକୁ ବଦଳାଇ ଦିଅ । ମଣିଷକୁ ଅଧିକ ସୁଖୀ କରାଇବାର ଯୋଜନା ତିଆରି କରି ମଣିଷ ମାର, ରାଜନୀତି ବା ବର୍ଗ ସଂଘର୍ଷ ନାମରେ ଯାବତୀୟ ଭ୍ରଷ୍ଟାଚାର କର । ଏହିପରି ଏକ ଉତ୍ତେଜିତ ଖିଆଲର ପରୀକ୍ଷା ଆଜି ପୃଥିବୀର କେତେକ ଦେଶରେ ଚାଲିଚି । ସଂସାରରୁ ଶୋଷଣ ଦୂର କରିବାରେ ଓ ମଣିଷକୁ ବିକାରମୁକ୍ତ କରିବାରେ ସେମାନେ ଯେ ଆଦୌ ସଫଳ ହୋଇନାହାନ୍ତି, ଆଜି ଅତ୍ୟନ୍ତ ସ୍ପଷ୍ଟଭାବରେ ତାହା ପ୍ରମାଣିତ ହୋଇଯାଇଚି । ସଂସାରରେ ଭୟ ବଢ଼ିଚି, ବ୍ୟର୍ଥତା ବଢ଼ିଚି । ତେଣୁ ମଣିଷର ମନ ଭିତରେ ଅତ୍ୟୁଗ୍ରତା ମଧ୍ୟ ବଢ଼ିଚି । ସଂସାରଯାକର ଯୁଦ୍ଧକୁ ଦୂର କରିଦେବ ବୋଲି ଯିଏ ଆଗଭର ହୋଇ ବାହାରିଚି, ଆପଣାର ଆଚରଣରୁ ହିଁ ସେ ଆପଣାକୁ ସବୁଠାରୁ ବଡ଼ ଯୁଦ୍ଧଖୋର ବୋଲି ପ୍ରମାଣିତ କରୁଚି । କାର୍ଲମାର୍କ୍‌ସ୍‌ଙ୍କର ବିଚାର ଓ ସ୍ଵପ୍ନ ରାଜନୀତିର ଗର୍ଭରେ ପଡ଼ିଯାଇଚି ।

 

୧୪ । ୧୦ । ୬୦

 

ଶୀତଦିନିଆ ଫୁଲ ପାଇଁ ବଗିଚାକୁ ପ୍ରସ୍ତୁତ କରିବାକୁ ହେବ । ସେଥିଲାଗି ସକାଳ ଚାରିଟାରୁ ଉଠି ଆଜିକାଲି ମୋର କାର୍ଯ୍ୟ ଆରମ୍ଭ ହୋଇଯାଉଚି । ଚାରିଆଡ଼ ନିସ୍ତବ୍‌ଧ ଓ ନିକାଞ୍ଚନ-। ସମସ୍ତେ ନିଘୋଡ଼ ନିଦରେ ଶୋଇଚନ୍ତି । ସକାଳର ଆଗମନୀ ହାଉଆ ବାଜି ନିଶାର ଗର୍ଜନ କ୍ରମେ ଶାନ୍ତ ହୋଇ ଆସୁଚି । ରାସ୍ତାର ବିଜୁଳିଆଲୁଅ ଗୁଡ଼ାକ ନିସ୍ତବ୍‌ଧ ହୋଇ ଜଳୁଚନ୍ତି । କାକରମଡ଼ା ଭୂଇଁ ଉପରେ ବସି ମୁଁ ମୋର ବଗିଚାକାମ କରୁଚି । ମୁଣ୍ଡ ଉପରେ ନୀଳ ଆକାଶ ତାରା । ମୁଣ୍ଡ ଉପରେ କୃତ୍ତିକା, ପୂର୍ବ ଦିଗନ୍ତର ଉପରକୁ ସପ୍ତର୍ଷିମଣ୍ଡଳ ଅଣାଇ ହୋଇ ରହିଲା ପରି ରହିଚି । ମୁଣ୍ଡ ଉପରକୁ ଦକ୍ଷିଣ ଆଡ଼କୁ ରାତ୍ରିଶେଷର ସୁନ୍ଦର ନୀଳଶୁଭ୍ର ଜହ୍ନଟି । ଜଗତ ଓ ଜୀବନର ସବୁ ରହସ୍ୟକୁ ଜାଣି ସାରିଥିବା ମହାପଣ୍ଡିତର ମଧ୍ୟ ବିସ୍ମୟ ଜାତ ହେବ । ମୋ’ପରି ଏକ ଶିଶୁସୁଲଭ ଅପରିପକ୍ଵ ମନର ତ କୌଣସି ପ୍ରଶ୍ନ ହିଁ ଉଠୁନାହିଁ । ସଂସାରରେ ମୁଁ କେତେ ଟିକିଏ ବା ଜାଣିଚି ! ମୋର ଜାଗ୍ରତ ଜୀବନ ମୋର ସ୍ଵପ୍ନକୁ ଜାଣିନାହିଁ, ମୋର ଅସଚେତ ଜୀବନ ମୋର ସଚେତନକୁ ମଧ୍ୟ ଜାଣିନାହିଁ । ସଂସାର ଭିତରେ କିଏ ଜାଗ୍ରତ ବା କିଏ ସୁପ୍ତ, ସେକଥା ମୁଁ ଜାଣିନାହିଁ-। ମୋର ହୃଦୟ ଲାଗି କେଉଁଟା ସଚେତନ ବା କେଉଁଟା ଅସଚେତନ, ମୁଁ ସେ କଥା ମଧ୍ୟ ଜାଣେନାହିଁ । ମାଟି ଉପରେ ଚାରା ଗଛଟିଏ ପୋତିଦେଇ ତାହାର ଉଚିତ ଯତ୍ନ ନେଲେ କାହିଁକି ସେଥିରୁ ନୂଆପତ୍ର ବାହାରେ, ପତ୍ରର ମଣ୍ଡଳଭିତରୁ କାହିଁକି ଫୁଲଟିଏ ବାହାରେ, କାହିଁକି ବାସ ବିତରଣ କରେ, ସକଳ ମନ ଓ ହୃଦୟକୁ ତାହା କାହିଁକି ଏକ ଅଗୋଚର ଆଲୋକମୟତା ଆଡ଼କୁ ଆକୃଷ୍ଟ କରି ନେଇଯାଏ, ସେକଥା ମୁଁ କିଛି ଜାଣିନାହିଁ । ମୋ’ ଲାଗି ଭିତର ବାହାର ସବୁ ରହସ୍ୟ । ମୁଁ ଜ୍ଞାନକଣ୍ଟାରେ ଉଖାରି ଏହି ରହସ୍ୟର ଉତ୍ପାଟନ କରିବାକୁ ଚାହେନାହିଁ । ମୁଁ ତା’ର ନିୟତ ସ୍ପର୍ଶ ଅନୁଭବ କରିବାକୁ ଚାହେ, ନିୟତ ବିସ୍ମିତ ହେବାକୁ ଚାହେ ।

 

୧୫ । ୧୦ । ୬୦

 

ମୋର ବଗିଚା ମୋତେ ସବୁଠାରୁ ଭଲ ଲାଗୁଚି । ବଗିଚାରେ ବସି କାମ କଲାବେଳେ ଯେପରି ଏ ସଂସାରର ସବୁ ଆଡ଼କୁ ହୃଦୟ ଦ୍ଵାର ଖୋଲିଯାଉଚି । ସଂସାରର କୌଣସି ଜାଗାରେ ମୁଁ କେବେ କୌଣସି ଆଘାତ ପାଇଚି ବୋଲି ଆଉ ମନେ ହେଉନାହିଁ । ଗୋଟାଏ ଶାରୀରିକ କାମ ଭିତରେ ଏତେବଡ଼ କୁହୁକ ଅନ୍ତର୍ନିହିତ ରହିଚି ବୋଲି ମୁଁ ଆଦୌ କହୁନାହିଁ । ମୋ’ ମନରୁ ଅନେକ ବିକାର ଦୂର କରିବାରେ ଶାରୀରିକ ପରିଶ୍ରମ ଅବଶ୍ୟ ଅନେକ ସାହାଯ୍ୟ କରିଚି । କିନ୍ତୁ ଶରୀରଶ୍ରମକୁ ଅତିରିକ୍ତ ବଡ଼ ସ୍ଥାନ ଦେଇ ଯେଉଁ ଅଫିମିଆ ଆଦର୍ଶବାଦୀମାନେ ଅନେକ ସମୟରେ ଆପଣାର ଓ ଅନ୍ୟମାନଙ୍କର ଜୀବନକୁ ବଡ଼ ବିକୃତ କରିପକାନ୍ତି, ମୁଁ ସେମାନଙ୍କ ପକ୍ଷରେ ନୁହେଁ । କିନ୍ତୁ ମୁଁ ତଥାପି କହିବି ଯେ ଯେତେବେଳେ ମୁଁ ଆପଣାକୁ ଖୁସି ହୋଇ କୌଣସି କାମରେ ସମର୍ପଣ କରିଦେଇପାରେ, ସେତେବେଳେ ମୁଁ ହାଲୁକା ହୋଇଯାଏ । ଯେତେବେଳେ କୌଣସି ପ୍ରକାର କୃତ୍ରିମତା ଦୁଷ୍ଟ ପ୍ରୟୋଜନର ବୁଦ୍ଧି ମୋତେ ବିକୃତ କରିପକାଇ ନଥାଏ, ମୁଁ ସେତିକିବେଳେ ସହଜ ହୁଏ, ସୁନ୍ଦର ହୁଏ । ସଂସାରରେ ରହିଥିବା ଅସୁନ୍ଦରତା ଗୁଡ଼ାକର ଭାବନାରେ ମନ ଆଦୌ ଭାରି ହୋଇପଡ଼େ ନାହିଁ । ଯେଉଁଠି ଯେତେଆଡ଼େ ଯେତେ ଅଡ଼ୁଆ ରହିଥିଲେ ମଧ୍ୟ ଆପଣାର ବାଟଟି ଆପଣା ଆଗରେ ତଥାପି ସ୍ପଷ୍ଟ ହୋଇ ଦିଶିଯାଏ, ଆପଣା ପଥର ଫାଟକ ଖୋଲିଦିଏ । ଦେବତାର ପ୍ରସାଦ ପାଇଲାପରି ମନେହୁଏ । ବଗିଚାର କାମଟି ମୋତେ ଏହିପରି ପ୍ରସାଦ ଲାଭ କରିବାର ଯୋଗ୍ୟ କରିଦେଲା ପରି ଲାଗେ । ମାଟି ଭଙ୍ଗା ହୋଇ ଜମି ସୁନ୍ଦର ହେବ, ଘାସ ବଛାହୋଇ କିଆରୀ ସୁନ୍ଦର ହେବ, ଫୁଲଗଛରେ ଫୁଲ ଫୁଟି ଆଉ–ଦିନେ ଦଶଦିଗ ସୁନ୍ଦର ହେବ, ଦଶଜଣଙ୍କର ପ୍ରାଣରେ ଆନନ୍ଦ ଦେବ । ସେଇଥିପାଇଁ ଘଡ଼ିଏ କାମ କରି ଆପଣା ଜୀବନର ଅନେକ ମୂଲ୍ୟ ଆବିଷ୍କାର କଲାପରି ଲାଗେ । ମୋର ଅନ୍ୟ ସକଳ କାମକୁ ବଗିଚାର କାମପରି କରି ଦେଇ ପାରିଲେ ମୋ’ ଜୀବନରେ ଆଉ କୌଣସି ଶୋଚନା ରହନ୍ତାନାହିଁ । ମୁଁ ନିଜେ ବି ଦିନେ ବଗିଚାର ଫୁଲଟିପରି ଫୁଟି ଉଠିପାରନ୍ତି ।

 

୧୬ । ୧୦ । ୬୦

 

ଏଇ ଦେହ, ଏଇ ମନ ଓ ଏଇ ହୃଦୟ,–ବେଳେବେଳେ ଭାରି ଦୁର୍ବହ ମନେହୁଏ । ଏସବୁକୁ ଛାଡ଼ି ଆଉ କୁଆଡ଼େ ପଳାଇ ଯିବାପାଇଁ ପ୍ରାଣ ଅସ୍ଥିର ହୋଇଉଠେ । କିନ୍ତୁ ଆଉ ବେଳେବେଳେ ତିନୋଟିଯାକ ଏକାଠି ହୋଇ ଗୋଟିଏ ଫୁଲର ମାଳାର ନିବେଦନରେ ସତେ ଅବା କାହାର ସିଂହାସନ ସ୍ପର୍ଶ କରିବାକୁ ଯାଉଥିଲା ପରି ମନେହୁଏ । ଏକ ଅପୂର୍ବ ସ୍ଵୀକାରମୟ ଉଲ୍ଲାସରେ ସେତେବେଳେ ସବୁ ଧନ୍ୟ ହୁଏ । ଆଖି ଯାହା ଉପରେ ପଡ଼େ, ସେସବୁ କେବଳ ପବିତ୍ର ବୋଲି ମନେହୁଏ । ସେଦିନ କେହି ପାଖଛଡ଼ା ବା କରଛଡ଼ା ବୋଲି ମନେ ହୁଅନ୍ତି ନାହିଁ । ମୋର ଏହି ଦ୍ୱନ୍ଦ୍ଵଟିକୁ ମୁଁ ବେଶ୍ ବୁଝିପାରେ, ଆପଣା ବିଷୟରେ କୌଣସି ପ୍ରକାର ଗ୍ଳାନି ପୋଷଣ ନକରି ମୁଁ ସେକଥା ବେଶ୍ ଅନୁଭବ କରିପାରେ । ସେହି ସିଂହାସନ ନିୟତ ମୋର ପାଖେପାଖେ ରହିଚି, ମୋର ଫୁଲମାଳାଟି ଲାଗି ତାହା ଅତି ସତୃଷ୍ଣ ଭାବରେ ଅପେକ୍ଷା କରି ରହିଚି । ସମସ୍ତ ସଂସାରରେ ଶୋଭା ଓ ସ୍ଵର୍ଗ ନିୟତ ମହଜୁଦ ରହିଚି । ତାହାକୁ ଛୁଇଁବାକୁ ମୁଁ ବେଳେବେଳେ ଅସମର୍ଥ ହୋଇପଡ଼େ । ମୁଇଁ ଖିଅ ହରାଇବସେ, ଏକପ୍ରକାର ଉଗ୍ର ନୈରାଶ୍ୟରେ ଆକୁଳ ହୋଇ ମୁଇଁ ବାଟ ଭୁଲିଯାଏ । ମାତ୍ର ଏହି ଭୁଲିବା ମଧ୍ୟ ସ୍ଥାୟୀ ହୋଇ ରହେନାହିଁ । ନାନା ଭାବେ ଛଟପଟ ହୋଇ ମୁଁ ପୁଣି ବାହୁଡ଼ି ଆସେ । ସକାଳର ତାରା ବା ସନ୍ଧ୍ୟାସମୟର ଆକାଶ ମୋତେ ପୁଣି ନୀଡ଼ସ୍ଥ କରି ଦେଇଯାଏ । ମଣିଷର ଖୁସି ମନ ମୋତେ ପୁଣି ଶୁଦ୍ଧ କରିଦେଇ ଯାଏ । ମୁଁ ପୁଣି ସବୁରି ସହିତ ଆତ୍ମୀୟତାର ସୂତ୍ରରେ ଗଅଁଠାଇଁ ହୋଇଯାଏ । ଜୀବନର ରଥ ପୁଣି ଚାଲିବାକୁ ଲାଗେ । ହୃଦୟରେ ଗତିର ସଞ୍ଚାର ହୁଏ । ଆଖିର ତୀର୍ଥ ଦର୍ଶନ ପୁଣି ଆରମ୍ଭ ହୁଏ । ସଂସାରରେ ସବୁ ଭଲ ଲାଗେ, ଜୀବନରେ ସବୁ ଭଲ ଲାଗେ ।

 

୫ । ୧୧ । ୬୦

 

ଏହା ଭିତରେ ଅନେକ ଦିନ କଟିଗଲାଣି । ମୋର ନିୟମିତ କାର୍ଯ୍ୟକ୍ରମ ଗୁଡ଼ିକ ଅନେକ ଦିନରୁ ପଡ଼ି ରହିଲାଣି । ମୋର ଏହି ଦିନଗୁଡ଼ିକ ନାନା ସ୍ଥାନ ବୁଲି କଟିଯାଇଚି । ଏହି ବୁଲିବାରୁ ମୋତେ ହୁଏତ କିଛିହେଲେ ମିଳିନାହିଁ । ହୁଏତ ମିଳିଚି, ମୁଁ ତାକୁ ଧରି ରଖି ପାରିନାହିଁ । ଧରି ରଖିବାକୁ ଯେତିକି ଧୈର୍ଯ୍ୟ ଦରକାର, ହୁଏତ ମୋର ସେତିକି ଧୈର୍ଯ୍ୟ ହୋଇନାହିଁ । ଚାରିପକ୍ଷର ପରିସ୍ଥିତି ମୋତେ ପ୍ରକୃତରେ ବଡ଼ ଅଧୈର୍ଯ୍ୟ କରି ପକାଉଚି । ମୁଁ ଭିତରେ ଯାହା ଭାବୁଚି, ବାହାରେ ତାହା ଦେଖୁନାହିଁ । ବହିରେ ଯାହା ପଢ଼ୁଚି ବାହାରେ ତା’ର ଓଲଟା ଦେଖୁଚି । ମଣିଷର ତୁଣ୍ଡରୁ ଯାହାସବୁ ଶୁଣୁଚି, ମଣିଷକୁ ତାହାର ଠିକ୍ ଓଲଟା ଦେଖୁଚି । ଏହିପରି ଏକ ସଂସାରରେ ଆପଣାକୁ ବଡ଼ ଖାପଛଡ଼ା ପରି ମନେ ହେଉଚି । ଏହି ଅଭିନୟ ଭିତରେ ମିଶିଯିବାର ବିଦ୍ୟା ମୋ’ ପାଖରେ ନାହିଁ । ସେଥିଲାଗି ମୁଁ ଭଗବାନଙ୍କୁ ଅବଶ୍ୟ ଧନ୍ୟବାଦ ଦେଉଚି, କିନ୍ତୁ ତଥାପି ବଡ଼ ବାଧୁଚି । ଭିତରେ ରହିଥିବା ସଙ୍ଗଲୋଭୀ ମଣିଷଟା ବଡ଼ ବ୍ୟଥିତ ଓ ପରିଶ୍ରାନ୍ତ ହୋଇପଡ଼ୁଚି । ମନେହେଉଚି, ଏହି ସଂସାରରେ ସତେ ଯେପରି କେହି କିଛି ହେଲେ କରିବାକୁ ଚାହାନ୍ତିନାହିଁ । ସମସ୍ତେ କେବଳ କ୍ଷମତାରେ ରହିବାକୁ ଚାହାନ୍ତି । କ୍ଷମତାର ଅପବ୍ୟବହାର କରି ସେମାନେ ତଥାପି ଏତେ ମଣିଷକୁ ମଣାଇ ପାରୁଚନ୍ତି ବୋଲି ଭାରି ଆତ୍ମପ୍ରସାଦ ଅନୁଭବ କରୁଚନ୍ତି । ଗୋଟାଏ ମିଛ ସମ୍ମାନବୋଧରେ ଭାରି ଆଶ୍ଵାସନା ବି ପାଉଚନ୍ତି । ମୁଁ ଏସବୁ ଯେତିକି ଦେଖୁଚି, ମୋର ଧୈର୍ଯ୍ୟ ସେତିକି ତୁଟି ତୁଟି ଯାଉଚି । ମୁଁ ଜାଣେ ତଥାପି ମଣିଷ ହୋଇ ବଞ୍ଚିବାକୁ ହେବ, ତଥାପି ମଣିଷ ପରି ବଞ୍ଚିବାକୁ ହେବ । ତଥାପି ଆପଣା ବାଟରେ ଚାଲି ଆପଣା ଜୀବନ ଦେବତାର ବୋଲ ମାନିବାକୁ ହେବ । କିନ୍ତୁ ବେଳେବେଳେ ବଳ ତୁଟିଗଲା ପରି ମନେହେଉଚି । ଏକୁଟିଆ ଲାଗୁଚି । ନିଜର ଜୀବନକୁ ମନୋମତ ଏକ ପ୍ରସାର ଦେବା ଲାଗି ମଧ୍ୟ ମଣିଷର ସଙ୍ଗୀ ଦରକାର । ପରମସଙ୍ଗରେ ଅନୁଭୂତି ଲାଭ କରିବାକୁ ମଧ୍ୟ ମୋର ସଙ୍ଗୀ ଦରକାର । କିନ୍ତୁ ସଙ୍ଗୀ କାହିଁ ? ମୋର ଆପଣା ଭାବନା ଓ ଆପଣାର ବିଶ୍ଵାସ ମଧ୍ୟ ଯେପରି ମୋତେ ବେଳେବେଳେ ବଳଦେଇ ପାରୁନାହିଁ ! ମୋତେ ଆଗକୁ ବାହାର କରିପାରୁନାହିଁ । ମୋତେ ହଟିଯିବା ପାଇଁ ପ୍ରରୋଚନା ଦେଉଚି । ମାନିଯିବା ପାଇଁ ପ୍ରରୋଚନା ଦେଉଚି । ମୋର ସକଳ ଉତ୍ତରାଧିକାରୀ ସତ୍ତ୍ୱେ ମୋତେ ମରିଯିବା ପାଇଁ ପ୍ରରୋଚନା ଦେଉଚି ।

 

୬ । ୧୧ । ୬୦

 

ଦିନଲିପି ଲେଖି ଆପଣାର ଭାବନାଗୁଡ଼ିକୁ ସାଇତି ରଖିବା ଦ୍ଵାରା ମୁଁ କେବେ କୌଣସି କୃପଣଭାବ ଦେଖାଇବାକୁ ଚାହେନାହିଁ । ଦିନଲିପି ଦେଇ ମୁଁ ଆପଣାର କଳନା କରିବାକୁ ଚାହେଁ, ଆପଣା ବାଟଚାଲିବାର ଅବଧାରଣା କରିବାକୁ ଚାହେଁ । ଯେଉଁଦିନ ନାନା ତରତରରେ ମନ ଓ ହୃଦୟକୁ ତରତର କରିପକାଇ ମୁଁ ଦିନଲିପିରେ କିଛି ସାଇତି ରଖିବାର ସମୟକୁ ହୁଡ଼ିବସେ, ସେଦିନ ମନଭିତରେ ଭାରି ଶୋଚନା ରହିଯାଏ । କିନ୍ତୁ ସେହି ଶୋଚନା ମୁଁ କିଛି ପାଣ୍ଠି କରି ରଖିପାରିଲି ନାହିଁ ବୋଲି ନୁହେଁ, ଆପଣାପାଖରେ ଘଡ଼ିଏ ଥିର ହୋଇ ବସି ପାରିଲିନାହିଁ ବୋଲି ମୁଁ ଶୋଚନା କରିଥାଏ । କୃପଣତା ମୋର ସ୍ଵଭାବରେ ନାହିଁ । ଭଗବାନଙ୍କୁ ଅନୁଭବ କରିପାରିବାକୁ ହେଲେ ଯେ ଆପଣାର ଦେହ ମନ ଓ ହୃଦୟରେ କୌଣସିପ୍ରକାରେ ଅନୁଦାର ବା କୃପଣ ହେବାକୁ ପଡ଼ିବ, ଆପଣାର ଦେହ, ମନ ତଥା ହୃଦୟକୁ ପୁଟୁଳଭିତରେ ବାନ୍ଧ ଗଣ୍ଠିକରି ରଖିବାକୁ ପଡ଼ିବ, ଏପରି ଏକ ଆଚାରବୃଦ୍ଧିର ଆବଶ୍ୟକତା ମୁଁ କେବେହେଲେ ଅନୁଭବ କରିନାହିଁ । ତେଣୁ ଆପଣାଭିତରେ କୌଣସି ଅପରାଧୀ ମନୋଭାବ ପୋଷଣ ନକରି ମୁଁ ତଥାପି କେତେ ସମୟ ନଷ୍ଟ କରିଚି, କେତେ ସୁଯୋଗ ନଷ୍ଟ କରିଚି, କେତେ ସ୍ଵୀକୃତି ହରାଇଚି, କେତେ ସାବାସ୍‍ ଓ ବାହାବା ଛାଡ଼ିଦେଇ ଆସିଚି, ଭିତରେ ଓ ବାହାରେ ମୁଁ କେତେକେତେ ଶୃଙ୍ଖଳାର ଶୃଙ୍ଖଳକୁ ଛିଡ଼ାଇ ଦେଇଚି ଆପଣାର ସକଳ ସଂଗ୍ରହେଚ୍ଛା ଦେଇ ମୁଁ କେବଳ ଅଧିକ ଜାଣିବି, ଅଧିକ ଅନୁଭବ କରିବି, ଜଗତର ଭାବଭୂମିରେ ମୁଁ ଅଧିକରୁ ଅଧିକ ସ୍ଥାନ ପାଇବି, ଜୀବନର ରଙ୍ଗଭୂମିକୁ ମୁଁ ଅଧିକରୁ ଅଧିକ ନିଜର ବୋଲି ଅନୁଭବ କରିବି, ଏହି ସବୁଟି ଭିତରେ ଆପଣାକୁ ଗୋଟିଏ ଅଂଶ ବୋଲି ଅନୁଭବ କରି ବିନୀତ ହେବି, ସବୁବେଳେ ଏହାହିଁ ମୋର ଆକାଂଙକ୍ଷା ରହି ଆସିଚି । ଏପରି ଅବସ୍ଥାରେ କୃପଣ ହେଲେ ଚଳିବ କିପରି ? କୃପଣ ନହୋଇ ପାରିବାଦ୍ଵାରା ମୋର କେତେ କଅଣ କ୍ଷତି ହୋଇଚି, ଏଇକଥାର ହିସାବ କରି ବସିବାର ବିଦ୍ୟା ମଧ୍ୟ ମୁଁ ଆଜିଯାଏ ଶିଖିବାର ମନ ବଳାଇନାହିଁ । ସେହି କାରଣରୁ ମୋର ଶୁଭାକାଂକ୍ଷୀ ଅନେକ ଗୁରୁଜନ ଅନେକ ସମୟରେ ମୋ’ପାଇଁ ଭାରି ଦୁଃଖିତ ଅନୁଭବ ବି କରିଚନ୍ତି । ମୁଁ ସେମାନଙ୍କର ମନଲାଖି ହୋଇ ପାରିଲିନାହିଁ ବୋଲି କ୍ଷୁର୍ଣ୍ଣ ହୋଇଚନ୍ତି । କିନ୍ତୁ ସେଥିଲାଗି ମୁଁ ନାଚାର । କାହାର ମନଲାଖି ହୋଇ ପାରିବାକୁ ମୁଁ ଏଠାକୁ ଆସିନଥିଲି । ସକାଳୁ ସନ୍ଧ୍ୟାଯାଏ ଦୃଶ୍ୟ ଅଦୃଶ୍ୟ ନାନା ଉତ୍ସରୁ ମୋର ସୂତ୍ର ଛିଡ଼ି ଯାଇଥିବାର ଜ୍ଵାଳାକୁ ଅନୁଭବ କରିବାକୁ ହିଁ ମୁଁ ସଂସାରକୁ ଆସିଥିଲି ।

 

୭ । ୧୧ । ୬୦

 

ଏ ଧ୍ୟାନ ଅନେକ ସମୟରେ ଭାଙ୍ଗିଯାଉଚି । କୌଣସି ମୂର୍ତ୍ତି, କୌଣସି ଦେବତା ବା ପ୍ରତୀକର ଧ୍ୟାନ ନୁହେଁ, ଜୀବନର ଧ୍ୟାନ ଭାଙ୍ଗିଯାଉଚି । କୌଣସି ମୂର୍ତ୍ତି ବା ପ୍ରତୀକକୁ ହୃଦୟର ସିଂହାସନ ଉପରେ ବସାଇ ମୁଁ କେବେହେଲେ ଆପଣାର ଚାରିପାଖରେ ବାଡ଼ ଠିଆ କରାଇବାକୁ ଇଚ୍ଛା କରିନାହିଁ । ଏହି ଜୀବନ ଯେତିକି ବଡ଼, ମୋର ହୃଦୟକୁ ମଧ୍ୟ ମୁଁ ସେତିକି ବଡ଼ ଓ ସେତିକି ଗ୍ରହଣଶୀଳ କରି ରଖିବାକୁ ସବୁବେଳେ ଚେଷ୍ଟା କରିଆସିଚି । ସେଥିରେ ମୋତେ କେତେଦୂର ସଫଳତା ମିଳିଚି, ମୁଁ ସେତିକି ପ୍ରସନ୍ନ ଅନୁଭବ କରିଚି । ଯେତେବେଳେ ନାନା କାରଣରୁ ବିଫଳ ହୋଇଚି, ସେତେବେଳେ ଏହି ହୃଦୟ ଭିତରେ ସବୁ ଭାଙ୍ଗି ଭାଙ୍ଗି ଯାଇଚି, ଧ୍ୟାନର ସକଳ ରଜ୍ଜୁ ଛିଡ଼ିଯାଇ ମୋର ଧ୍ୟାନଭୂମିଟିକୁ ଭାରି ବିକଳ କରି ପକାଇଚି, ମୋର ଆସ୍ଥା ଭାଙ୍ଗି ଭାଙ୍ଗି ଯାଇଚି, ମୋର ପଥତଳୁ ମାଟିର ସମସ୍ତ ଅବଲମ୍ବନ ସତେ ଅବା ଭୁଷୁଡ଼ି ପଡ଼ିଲାପରି ମନେହୋଇଚି । ମୋ’ ହୃଦୟର ଆସନଉପରେ ମୁଁ ସମଗ୍ର ଜୀବନକୁ ହିଁ ବରଦମୁଦ୍ରାରେ ସ୍ଥାପନ କରି ରଖିବାର ଆକାଂଙକ୍ଷା ପୋଷଣ କରି ଆସିଚି । ହଁ, ସମଗ୍ର ଜୀବନକୁ । ସେହି ଜୀବନରେ ଭୌତିକ ଓ ଅତିଭୌତିକ ମଧ୍ୟରେ କୌଣସି ଭେଦ ନାହିଁ, ଅର୍ଥ ପରମାର୍ଥର ମଝିରେ କୌଣସି ବାଡ଼ ବସିନାହିଁ । ସେଠାରେ ଦୃଶ୍ୟ ଅଦୃଶ୍ୟର ଅନୁଭୂତି କୌଣସି ପ୍ରକାରେ ଦ୍ଵିଧା ହୋଇ ଯାଇନାହିଁ । ଏହି ସମଗ୍ରତାକୁ ହିଁ ମୁଁ ନିରନ୍ତର ମୋର ଧ୍ୟାନବସ୍ତୁ କରି ରଖିବାକୁ ଚାହେ । ଏହି ସମଗ୍ରତାର ଧ୍ୟାନ କରି ପାରିବାକୁ ହେଲେ ଜୀବନରେ ଯେତିକି ସ୍ଵାଭାବିକତା ଓ ଯେତିକି ଅବିଚଳିତ ଶ୍ରଦ୍ଧା ଦରକାର, ମୁଁ ସେତିକି ସ୍ଵାଭାବିକତା ଓ ଶ୍ରଦ୍ଧା ଅର୍ଜନ କରିବାକୁ ଇଚ୍ଛା କରେ । ଏହି ସମଗ୍ରତାକୁ ମୁଁ ଆଖିରେ ଦେଖିବାକୁ ଚାହେ, ଏହି ସମଗ୍ରତାର ଖିଅରେ ମୁଁ ମୋର ସକଳ ମାନସସାମଗ୍ରୀକୁ ଯୋଡ଼ି ରଖିବାକୁ ଚାହେ । ମୋର ପ୍ରାର୍ଥନାରେ ଏହି ସମଗ୍ରତା ସହିତ ଆତ୍ମୀୟତା ଅର୍ଜନ କରିବାକୁ ଚାହେ । ଆପଣାର ବିଚାର ଭିତରେ ସମଗ୍ରତାକୁ ମୁଁ ସଚଳ ଓ ସମୂର୍ତ୍ତ ଭାବରେ ଅନୁଭବ କରିବାକୁ ଚାହେ । କୌଣସି ବିଶେଷ ଅନୁଷ୍ଠାନ ବା ଉପଚାର ଦ୍ଵାରା ନୁହେଁ, ଏହି ସ୍ଵାଭାବିକ ଭାବରେ ନିୟତ ଅନୁଭବ କରିବାକୁ ଚାହେ ।

 

୮ । ୧୧ । ୬୦

 

ଆପଣାର ସାସ୍କୃତିକ ଚେରଗୁଡ଼ାକୁ ଛିଡ଼ିଗଲେ ମଣିଷ ନାନା ଆଡ଼ମ୍ବର ଦ୍ଵାରା ଅନୁକରଣ କରିବାର ହୀନପ୍ରବୃତ୍ତିକୁ ଘୋଡ଼ାଇ ରଖିବାକୁ ଚେଷ୍ଟା କରେ । ଜୀବନ କହିଲେ ଯେଉଁମାନେ କେବଳ ଅନ୍ୟମାନଙ୍କ ଆଖିରେ ସୁନ୍ଦର ଓ ବଡ଼ ଦେଖାଯିବା ବୋଲି ମନେକରନ୍ତି, ସେମାନେ ଆପଣା ଜୀବନର ଅନେକ ସମୟ ଓ ଶକ୍ତିକୁ କେବଳ ଏହି ଭଲ ଦିଶିବାର ଶ୍ରମରେ ହିଁ ଖରଚ କରନ୍ତି । ମୁଁ ବେଶୀ ଖରଚ କରିବି, ମୋର ସଜ୍ଜିତ ଘରକୁ ପଡ଼ିଶାରୁ ଆଉ ପଚିଶିଜଣ ନିମନ୍ତ୍ରିତ ହୋଇ ଆସିବେ, ସୁନ୍ଦର କଥା କହି ସେମାନେ ମୋର ପ୍ରଶଂସା କରିବେ, ଆପଣାର ସ୍ନେହକୁ ପ୍ରକାଶ କରି ମୋତେ ଓ ମୋର ପିଲାମାନଙ୍କୁ ଆଦର ଦେଖାଇବେ, ସେମାନଙ୍କର ଅତିଥି ହେବା ଓ ମୋର ଆତିଥ୍ୟ ଦେଖାଇବା ଭିତରେ ଏମୁଣ୍ଡରୁ ସେମୁଣ୍ଡଯାଏ କେବଳ କୃତ୍ରିମତା ପୂର୍ଣ୍ଣ ହୋଇ ରହିଥିଲେ ମଧ୍ୟ ତଥାପି ଏହାହିଁ ଅସଲ ଜୀବନ ବୋଲି ମୁଁ ବାରବାର ଆପଣାକୁ ବୋଧ ଦେଉଥିବି,–ଏଗୁଡ଼ାକ ଦେଖିଦେଖି ମଣିଷର ସାଂସ୍କୃତିକ ଗ୍ରହଣଶୀଳତା କ୍ରମେ ଦନ୍ଥରା ହୋଇଯିବ, ଆପଣାକୁ ସଜାଇ ସଜାଇ ଜୀବନର ସ୍ଵାଭାବିକତା ମରିଯିବ ଏବଂ ଭାବଗତ ଜୀବନର ଅସ୍ତିତ୍ଵ ହିଁ ରହିବନାହିଁ । ସମାଜରେ ଆମେ ଯେଉଁମାନଙ୍କୁ ଉପରଶ୍ରେଣୀ ବୋଲି କହିଥାଉ, ଆପଣାର ପଇସା ଦେଇ ଯେଉଁ ଶ୍ରେଣୀ ଆପଣାକୁ ସଂସାର ସମକ୍ଷରେ ବଡ଼ ବୋଲି ଦେଖାଇ ହେବାକୁ ଜୀବନର ସବୁଠାରୁ ଅଧିକ ପ୍ରଶଂସାଯୋଗ୍ୟ ସାଧନା ବୋଲି ବିଚାର କରିଥାଏ, ସେହି ଶ୍ରେଣୀରେ ହିଁ ଏହି ଜୀବନହୀନତାର ଦୁର୍ଗନ୍ଧଟା ଅତି ବେଶୀ ବାରି ହୋଇପଡ଼େ । ଜଳକା କାଚଖଣ୍ଡ ପରି ଏମାନଙ୍କର ଜୀବନ ଉପରେ କୌଣସି ପ୍ରକାର ଆନନ୍ଦାନୁଭୂତିର ପ୍ରତିଫଳନ ହୋଇପାରେ ନାହିଁ । ଏଣେ ଆଡ଼ମ୍ବର ଲାଗି ରହିଥାଏ, ନାନା ଉପାୟରେ ମଧୁରବାଣୀ ଦ୍ଵାରା ହୃଦୟର ମଧୁହୀନତାକୁ ଲୁଚାଇ ରଖିବାର ପରିଶ୍ରମ ଲାଗି ରହିଥାଏ, ଏବଂ ତେଣେ ମଣିଷ ଆପଣା ଭିତରେ କେବଳ ଖାରିଆ ହୋଇ ପଡ଼ି ରହିଥାଏ ।

 

୯ । ୧୧ । ୬୦

 

ବଡ଼ି ସକାଳୁ ଗାଧୋଇ ଆସି ପୂର୍ବଦିଗର ଝରକା ଖୋଲିଦେବା ମାତ୍ରକେ ଅନୁଭବ କଲି ଏହି ଜଗତରେ ମୁଁ ଆଦୌ ଏକାକୀ ନୁହେଁ । ଏହି ସଂସାରରେ ପର ବୋଲି କେହି ନାହାନ୍ତି । ପୂର୍ବଦିଗନ୍ତକୁ ରକ୍ତିମୋଜ୍ଜ୍ଵଳ କରି ଆସୁଥିବା ଏହି ଉଦୟର ଉତ୍ସବ,–ମୋର ଆପଣା ଜୀବନର ଉଦୟ–ଉତ୍ସବ ସହିତ ଏହାର ମଧ୍ୟ ଆନ୍ତରିକ ସୂତ୍ର ପ୍ରତିଷ୍ଠିତ ହୋଇ ରହିଚି । ଦିଗନ୍ତପ୍ରସାରିତ ଏହି ବିଲ, ସେ ପାଖରେ ପ୍ରସନ୍ନ ମଉନ ହୋଇ ପ୍ରସାରିତ ହୋଇଥିବା ତରୁଶ୍ରେଣୀର ଶ୍ୟାମଳ ସମୂହ,–ମୋର ଆପଣା ହୃଦୟ ପ୍ରସାରଭୂମି ସହିତ ଏସବୁର କୌଣସି ବିଚ୍ଛିନ୍ନତା ବା ବିଭିନ୍ନତା ନାହିଁ । ଏହି ସମସ୍ତ ପ୍ରସାରିତ ଗ୍ରହଣପାତ୍ରକୁ ଧନ୍ୟ କରି, ଉଜ୍ଜ୍ଵଳ ଓ ମହିମାମୟ କରି ଉଇଁ ଆସୁଥିବା ସୂର୍ଯ୍ୟ ଶିଶୁ ଆଡ଼କୁ ଅନାଇ ଦେଖୁଦେଖୁ ମୁଁ ଭାବୁଚି, ଏହିପରି ସବୁଦିନେ ସକାଳୁ ଉଠି ଆପଣା ଘରର ଝରକାକୁ ଖୋଲିଦେବାକୁ ପଡ଼ିବ, ଆଲୋକକୁ ବାଟ ଛାଡ଼ିଦେବାକୁ ହେବ, ଏହି ଶୁଭସଞ୍ଜୋଗ ଲାଗି ବାଟ ପ୍ରସ୍ତୁତ କରିବାକୁ ହେବ । ମୋ’ ଦେହର ଚମଉପରେ ସକାଳର ରକ୍ତବର୍ଣ୍ଣ କିରଣ ବୋଳିହୋଇ ଯିବା ସଙ୍ଗେ ସଙ୍ଗେ ମୁଁ ଅନୁଭବ କରୁଚି, ଏହି ପୃଥିବୀରେ କୌଣସି ପଦାର୍ଥକୁ କଦାପି ନଶ୍ଵର ବୋଲି କୁହାଯାଇ ପାରିବନାହିଁ । ଏହି ଜୀବନ ନଶ୍ଵର ନୁହେଁ, ଏହି ପୃଥିବୀ ନଶ୍ଵର ନୁହେଁ । ଏହି ଶୋଭା ଓ ଏହି ସାକ୍ଷାତ ନଶ୍ଵର ନୁହେଁ, ଏହି ପରିଚୟ ଓ ଏହି ସଖ୍ୟ ନଶ୍ଵର ନୁହେଁ, ଏହି ଆଖି ନଶ୍ଵର ନୁହେଁ, ସାଧୁଜନମାନେ ଭାରି ନିନ୍ଦା କରିଥିବା ଏହି ଦେହଟା ମଧ୍ୟ ନଶ୍ଵର ନୁହେଁ । କୌଣସି ଦାର୍ଶନିକ ଯୁକ୍ତିକୁ ଖଣ୍ଡନ ବା ସମର୍ଥନ କରି ମୁଁ ଏକଥା କହୁନାହିଁ । ମୁଁ ଯାହା ଅନୁଭବ କରୁଚି, ତାହାହିଁ କହୁଚି । ଏସବୁକୁ ଛାଡ଼ି, ଏସବୁ ସହିତ ଖିଅ ଛିଡ଼ାଇ ଆଉ କେଉଁଠି ଶାଶ୍ଵତ ସତ୍ୟ, ଶିବ ବା ସୁନ୍ଦର ରହିଚି ବୋଲି ମୁଁ କେବେହେଲେ ଅନୁଭବ କରିନାହିଁ । ତେଣୁ ଖିଅ ଛିଡ଼ାଇବାର ସବୁ ସାଧନକୁ ଛାଡ଼ି ଖିଅ ଯୋଡ଼ିବାର ସାଧନା କରିବାକୁ ହେବ । ଏହାହିଁ ମହତ୍‌ ପଥ, ଏହାହିଁ ମୁକ୍ତିର ଉପାୟ, ଏହାହିଁ ଆନନ୍ଦର ଆଧାରସୂତ୍ର । ଏହି ଆଖି ସହିତ ଖିଅ ଯୋଡ଼ିବାକୁ ହେବ, ଏହି ମନଟା ସହିତ ଖିଅ ଯୋଡ଼ିବାକୁ ହେବ, ଏହି ଦେହଟା ସହିତ ଖିଅ ଯୋଡ଼ିବାକୁ ହେବ । ବାରବାର ଭଲ ପାଇ ବାରବାର ଏହିପରି ମଥିତ ଓ ସ୍ଖଳିତ ହେବା ସହିତ ଖିଅ ଯୋଡ଼ିବାକୁ ହେବ । ସକାଳ ଓ ସନ୍ଧ୍ୟା, ଭିତର ଓ ବାହାର । ଦୃଶ୍ୟ ଓ ଅଦୃଶ୍ୟ, ପ୍ରାପ୍ତ ଓ ଅପ୍ରାପ୍ତ, ଅତୀତ ଓ ଅନାଗତ,–ଜୀବନର ଭୂମି ଉପରେ ଏହି ସକଳ ସହିତ ଖିଅ ଯୋଡ଼ିବାକୁ ହେବ ।

 

୧୦ । ୧୧ । ୬୦

 

ପୃଥିବୀଯାକ ତ୍ରାସ ଓ ଆତଙ୍କ ସୃଷ୍ଟି କରିବା ଯଦି ରୁଷିଆଦେଶର ଦ୍ଵିତୀୟ ସ୍ଵଭାବ ହେବାର କଥା ଥିଲା, ତେବେ ନଭେମ୍ବର ବିପ୍ଲବ ନହୋଇଥିଲେ ମଧ୍ୟ ବୋଧହୁଏ ମନୁଷ୍ୟ ଜାତିର ଖୁବ୍ ବେଶୀ କ୍ଷତି ହୋଇନଥାନ୍ତା । ୧୯୧୭ ମସିହାରେ ଯେଉଁମାନେ ନଭେମ୍ବର ବିପ୍ଳବକୁ ସମ୍ଭବ କରିଥିଲେ, ସେମାନଙ୍କର ମନ ଭିତରେ ଏହିସବୁ ତ୍ରାସର ଯୋଜନା ରହିଥିଲା କି ନାହିଁ କେଜାଣି ? କିନ୍ତୁ ତଥାପି ବିଗତ ଚାଳିଶି ବରଷର କାର୍ଯ୍ୟକଳାପ ଦେଖି କହିବାକୁ ପଡ଼ିବ ଯେ ରୁଷିଆର ସାମ୍ୟବାଦୀ ବା ସମାଜବାଦୀ ସମାଜ ସଂସାରରେ ଆପଣା ସ୍ଵାଧୀନତାର ଏକ ଯୋଗ୍ୟ ପ୍ରତ୍ୟୟପତ୍ର ଆଦୌ ଦେଇପାରିନାହିଁ । ରୁଷିଆର ନୂଆ ସରକାର ଓ ନିୟମନଯନ୍ତ୍ର ଦ୍ଵାରା ରୁଷିଆରେ ଭୟ ବଢ଼ିଚି, ରୁଷିଆ ବାହାରେ ମଧ୍ୟ ଭୟ ବଢ଼ିଚି । ରୁଷିଆ ଦେଶରେ ମଣିଷ ପଥଭ୍ରଷ୍ଟ ହୋଇଚି, ରୁଷିଆ ବାହାରେ ମଧ୍ୟ ପଥଭ୍ରଷ୍ଟ ହୋଇଚି । ରୁଷିଆର ଧାନ ବଢ଼ିଚି, କ୍ଷମତା ବଢ଼ିଚି, ଛାୟାକ୍ଷେତ୍ର ବଢ଼ିଚି, ଜମିଦାରୀ ବଢ଼ିଚି । ବିଜ୍ଞାନକୁ ନେଇ ରୁଷିଆରେ ଅଭିନବ କୌଶଳମାନ ପ୍ରଦର୍ଶନ କରାହୋଇଚି । କିନ୍ତୁ ସେଠି ସାମ୍ୟବାଦର ପ୍ରତିଷ୍ଠା ହୋଇନଥିଲେ ମଧ୍ୟ ହୁଏତ ଏଗୁଡ଼ାକ ବେଶ୍ ହୋଇପାରିଥାନ୍ତା । ସାମ୍ୟବାଦର ଭୌତିକ ଆବେଦନ ଅପେକ୍ଷା ତା’ର ମାନବିକ ଆବେଦନ ପାଇଁ ହିଁ ମଣିଷ ସାମ୍ୟବାଦ ପ୍ରତି ଅଧିକ ଆକୃଷ୍ଟ ହୋଇଥିଲା । ସାମ୍ୟବାଦ ଲାଗି ଆପଣାର ମତ ଦେଇଥିଲା । କିନ୍ତୁ ସାମ୍ୟବାଦର ଯନ୍ତ୍ରକୁ ଚଳାଉଥିବା କାରିଗରମାନେ ଆପଣାର ଧୃଷ୍ଟତା ଓ ଧୃର୍ତ୍ତତା ଦେଖାଇ ଯେଉଁ କାରିଗରୀ ସବୁ ଦେଖାଇଲେ ଏବଂ ବର୍ତ୍ତମାନ ମଧ୍ୟ ଦେଖାଉଚନ୍ତି, ତଦ୍ଦ୍ଵାରା ସାମ୍ୟବାଦର ଅସଲ ପ୍ରେରଣା, ସତ୍ୟ, ନ୍ୟାୟ ଏବଂ ନିର୍ଭୟ ମାନବିକ ନୀତିସାର ପ୍ରତିଷ୍ଠା କରିବାର ପ୍ରେରଣା କ୍ରମେ ମରିମରି ଯାଉଚି । ଗୁଡ଼ାଏ ସାମଗ୍ରୀ ଖଞ୍ଜିଦେଇ ମଣିଷକୁ ଏପରି ଭୁଲାଇ ଦିଆଯାଉଚି ଯେ କେବଳ ବୋଲ ମାନିବାର ଗଧ ହେବା ବ୍ୟତୀତ ମଣିଷ ଅଧିକ ମହତ ଆଉ କୌଣସି କର୍ତ୍ତବ୍ୟ ମଧ୍ୟ କରିବାର ଅଛି ବୋଲି ଭାବିବାକୁ ମଧ୍ୟ କ୍ରମେ ଅସମର୍ଥ ହୋଇପଡ଼ୁଚି ।

 

୧୧ । ୧୧ । ୬୦

 

Unknown

ସମାଜରୁ ପୁରୁଣା ଆବର୍ଜନା ଗୁଡ଼ାକୁ ଦୂର କରିବା ଲାଗି ନଭେମ୍ବର ବିପ୍ଲବ ସଂଘଟିତ ହୋଇଥିଲା । ଏହି ବିପ୍ଳବର ଉତ୍ସାହିତ ପତଙ୍ଗମାନେ ନୂଆ କହିଲେ ପ୍ରକୃତରେ କ’ଣ ଯେ ବୁଝୁଥିଲେ, ସେକଥା ନିଶ୍ଚିତ ଭାବରେ କୁହାଯାଇପାରିବ ନାହିଁ । ପୁରୁଣା କ୍ଷମତା ଓ ସ୍ଵେଚ୍ଛାଚାରକୁ ତଡ଼ି ତାହା ସ୍ଥାନରେ ନୂଆ କ୍ଷମତା ଓ ସ୍ଵେଚ୍ଛାଚାରର ଦୌରାତ୍ମ୍ୟ ପ୍ରତିଷ୍ଠିତ କରିବାକୁ କଦାପି ନୂଆ ବୋଲି କୁହାଯାଇପାରିବ ନାହିଁ । ହଁ, ରୁଷିଆରେ ଦାରିଦ୍ର୍ୟ ଦୂର ହୋଇଚି, ନିରକ୍ଷରତା ଦୂର ହୋଇଚି-। ଯନ୍ତ୍ର ଓ ଯାନ୍ତ୍ରିକତା ଜରିଆରେ ରୁଷିଆରେ ଆଧୁନିକତାର ପ୍ରାଦୁର୍ଭାବ ବଢ଼ିଚି । ତଥାପି ମୁଁ ଭାବୁଚି ଯେ କେବଳ ଏତିକି ପରିବର୍ତ୍ତନ ଲାଗି ଏହି ବିପ୍ଳବର କୌଣସି ଆବଶ୍ୟକତା ହିଁ ନଥିଲା-। ବିଜ୍ଞାନର ବିକାଶ ଓ ପ୍ରସାର ଅନୁସାରେ ରୁଷିଆରେ ଏହି ପରିବର୍ତ୍ତନ ଅବଶ୍ୟ ହୋଇଥାନ୍ତା । ରୁଷିଆରେ ଜାର୍‍ଶାସନର ଅନ୍ତ କରିବାକୁ ମଧ୍ୟ ନଭେମ୍ବର ବିପ୍ଳବର ଗୋଟାଏ ଭାରି ବଡ଼କାମ ବୋଲି କୁହାଯାଇପାରିବ ନାହିଁ । କାଳର ସେହି ବିପ୍ଲବ ନହୋଇଥିଲେ ମଧ୍ୟ ବିବର୍ତ୍ତ ଅନୁସାରେ ରୁଷିଆରେ ମଧ୍ୟ ସମ୍ରାଟ ଓ ରାଜାମାନେ ବିଦାୟ ନେବାକୁ ବାଧ୍ୟ ହୋଇଥାନ୍ତେ । କିନ୍ତୁ ଯେଉଁ ନୂତନ ସମାଜର ପ୍ରତିଷ୍ଠା କରିବା ଓ ନ୍ୟାୟର ପ୍ରତିଷ୍ଠା କରିବା ଯେକୌଣସି ଯଥାର୍ଥ ବିପ୍ଳବର ମୂଳପ୍ରେରଣା ହୋଇ ରହିବା କଥା ରୁଷିଆରେ ଆଜି ସେହି ସମାଜ ଓ ସେହି ନ୍ୟାୟ କାହିଁ ? ମଣିଷର ସକଳ ନୂତନ–ସମ୍ଭାବ୍ୟତାକୁ ମାରିଦେଇ ସେଠି ଏବେ ନୂଆ ବର୍ବରତା ଓ ନୂଆ ଜଡ଼ତାର ସୃଷ୍ଟି ହେଉଚି । ଆଧୁନିକ ସମାଜବିଜ୍ଞାନର ଯାବତୀୟ କୌଶଳର ଅପପ୍ରୟୋଗ କରାଯାଇ ସେଠି ମଣିଷକୁ ଏକ ସମର୍ଥନକାରୀ କଳ ହିଁ କରି ଦିଆଯାଉଚି । ଭାବିବାର ଅଧିକାର ନାହିଁ, ସୃଷ୍ଟି କରିବାର ଅଧିକାର ନାହିଁ, ଆପଣା ଜୀବନର ସତ୍ୟମୂଲ୍ୟଗୁଡ଼ିକୁ ଆବିଷ୍କାର କରିବାର ଅଧିକାର ନାହିଁ । ଯାହା ହାତରେ କ୍ଷମତା ରହିଚି, ତାହାରି କଥାରେ ହଁ ଭରିବାକୁ ହେବ,–ନାନପ୍ରକାର କୌଶଳ ଅବଲମ୍ବନ କରି ଏହି ରୁଗ୍‌ଣ ପ୍ରବୃତ୍ତିଟାକୁ ହିଁ ଯେପରି ସେଠାରେ ମଣିଷର ସ୍ଵଭାବରେ ପରିଣତ କରି ଦିଆଗଲାଣି । ମଣିଷ ଯୁଗ ଯୁଗ ଧରି ଯେଉଁ ସବୁ ମୂଲ୍ୟକୁ ଉଚ୍ଚତର ସ୍ଥାନ ଦେଇଆସିଚି, ସେହିସବୁ ମୂଲ୍ୟକୁ ଲୋପ କରିଦେବା ସକାଶେ ରୁଷିଆରେ ବିଧିବଦ୍ଧ ଭାବରେ ଏକ ଆଧୁନିକତମ ଚକ୍ରାନ୍ତ ଆରମ୍ଭ ହୋଇଚି ।

 

୧୨ । ୧୧ । ୬୦

 

ବର୍ତ୍ତମାନ ବାହାରେ ଆଉ ଭିତରେ ସବୁ ସ୍ଥିର । କୋଉଠି ହେଲେ କୌଣସି ଚଞ୍ଚଳତା ନାହିଁ କି ବ୍ୟସ୍ତତା ନାହିଁ । ପଛରେ କିଛି ଛାଡ଼ିକରି ଆସିଥିବାର କୌଣସି ସଶଙ୍କତା ନାହିଁ ବା କିଛି ହରାଇଥିବାର ଦୁଖ ମଧ୍ୟ ନାହିଁ । ହୃଦୟର ଦୁଆରଟିକୁ ଦରଆଉଜା କରି ମୁଁ ସ୍ଥିର ହୋଇ ବସିରହିଚି, ଅର୍ଥାତ୍ ମୋ’ ଜୀବନର ସ୍ଵାଭାବିକ ସମ୍ଭାରଟିକୁ ନେଇ ବସିରହିଚି । ଆଉଟିକିଏ ଗଲେ ସେପାଖରୁ ପୂର୍ବଦିଗରେ ଦୁଆର ଖୋଲିବ, ସୂର୍ଯ୍ୟ ଉଦୟ ହେବ, ମୁଁ ନୂତନ ଦିନର ଉତ୍ସବ ଭିତରେ ଯୋଗ ଦେବାର ଅନୁମତି ପାଇବି । ମୋର ଏହି ଭାବକୁ ମୁଁ ଭାବପ୍ରବଣତା ବୋଲି କହି ପାରିବିନାହିଁ । କାରଣ ଭାବପ୍ରବଣତା ଭିତରେ ଏହି ଶାନ୍ତି ଆସିବ କୁଆଡ଼ୁ, ପ୍ରସ୍ତୁତ ହୋଇ ବସିଥିବାର ଏହି ସନ୍ତୋଷ ଆସିବ କୁଆଡ଼ୁ ? ବିଜ୍ଞାନ ଓ ବିବେକ ଆସି ସଂସାରରୁ ଭାବପ୍ରବଣତା ଏବଂ ଅନ୍ଧବିଶ୍ଵାସ ଦୂର କରିବା ସିନା, ମାତ୍ର ଭାବମୟ ଶାନ୍ତ ଜୀବନକୁ ତାହା ଛୁଇଁ ମଧ୍ୟ ପାରିବନାହିଁ । ମୁଁ ତ କହିବି ଯେ ମଣିଷ ଜୀବନର ଏହି ଶାନ୍ତିମୟ ଅନୁଭୂତି ଲାଗି ବିଜ୍ଞାନ ଅଧିକରୁ ଅଧିକ ସୁଯୋଗ ଓ ପରିସର ସୃଷ୍ଟି କରିବ । ମଣିଷର ଅନ୍ତରଭିତରୁ ନାନା ଅଭାବ ଓ ଅଭାବବୋଧର ଜ୍ଵର ଦୂର କରିଦେବ । ମଣିଷ ଅଧିକ ଯୋଗ୍ୟ ହୋଇ ତା’ର ସକାଳ ଓ ସନ୍ଧ୍ୟାକୁ ଚିହ୍ନିବ, ଅଧିକ ଯୋଗ୍ୟ ହୋଇ ତା’ ଚାରିପାଖର ଅନ୍ୟ ମଣିଷଙ୍କୁ ଚିହ୍ନିବ ଅଧିକ ଯୋଗ୍ୟ ହୋଇ ସେ ଆପଣାକୁ ଚିହ୍ନିବ । ତା’ର ଆପଣା ଘରଭିତରେ ସେ ଏହିପରି ଶାନ୍ତ ହୋଇ ଦୁଆର ଦରଆଉଜା କରି ଅପେକ୍ଷା କରି ବସିପାରିବ, ଅତି ସ୍ଵାଭାବିକ ଭାବରେ ଅପେକ୍ଷା କରି ବସିପାରିବ । ଶାଶ୍ଵତ ସମୟକୁ ସେ ମୁହୂର୍ତ୍ତ ମୁହୂର୍ତ୍ତ କରି ଅନୁଭବ କରିପାରିବ, ତା’ର ଆପଣା ଜୀବନର ଅନନ୍ତତାକୁ ମଧ୍ୟ ସେ ମୁହୂର୍ତ୍ତ ମୁହୂର୍ତ୍ତ କରି ଅନୁଭବ କରିପାରିବ ।

 

୧୩ । ୧୧ । ୬୦

 

ଏହି ସମାଜ ସହିତ ମୁଁ ଖାପ ଖାଇପାରିଲି ନାହିଁ । ସେଥିପାଇଁ ମୋର ଦୁଃଖ ନାହିଁ, କାରଣ ଏହି ସମାଜ ସହିତ ଖାପ ଖାଇବାକୁ ମୁଁ କୌଣସିଦିନ କୌଣସି ଚେଷ୍ଟା ମଧ୍ୟ କରିନାହିଁ । ଏହି ସମାଜରେ ସୁନାପୁଅ ହେବାଲାଗି ମୁହୂର୍ତ୍ତେ ମଧ୍ୟ ଅଳସ ବାହାଦୁରୀ ଦେଖାଇନାହିଁ । ଏ ଦେଶର ବର୍ତ୍ତମାନ ସମାଜରେ ଦୁଇ ଜାତିର ମଣିଷ ଅଛନ୍ତି । ଗୋଟିଏ ହେଉଚି ଭାଗ୍ୟବାଦୀ ଜାତି । ସେମାନେ କୌଣସି ପରିବର୍ତ୍ତନର କାରଣ ହେବାକୁ ଚାହାନ୍ତି ନାହିଁ, କୌଣସି ପ୍ରକାର ହୀନଦଶାରେ ମଧ୍ୟ ଅସହିଷ୍ଣୁତା ପ୍ରକାଶ କରନ୍ତି ନାହିଁ । ସେମାନଙ୍କର ଭଗବାନ ସେମାନଙ୍କ ଗୋଡ଼ରେ ପଥର ପରି ବନ୍ଧାହୋଇ ସେମାନଙ୍କୁ ଅଟକାଇ ରଖେ । ଯାହା ରହିଆସିଚି, ମୋଟା ମୋଟି ତାହାହିଁ ସବୁଦିନ ପାଇଁ ରହିବ, ସେମାନଙ୍କର ଜୀବନବିବେକ ଏତିକିରୁ ଅଧିକ ଦୂରକୁ ଅଗ୍ରସର ହୋଇପାରେ ନାହିଁ । ଆପଣାର ଆଳସ୍ୟକୁ ଆହୁରି ଘଣ୍ଟ ଘୋଡ଼ାଇ ରଖିବାଲାଗି ସେମାନେ ଅତୀତ ବା ବ୍ୟତୀତ ଯୁଗକୁ ଆଦର୍ଶ ଯୁଗ ବୋଲି ବିଚାର କରିବାର ଏକ ନିର୍ମମ ପ୍ରବୃତ୍ତି ଦେଖାଇଥାଆନ୍ତି । ଭବିଷ୍ୟତରେ ଯେ ଉନ୍ନତିର ଆଉ କୌଣସି ଆଶଙ୍କା ନାହିଁ, ଏହିପରି ଏକ ପ୍ରତ୍ୟୟକୁ ମନ ଭିତରେ ପୋଷଣ କରି ସେମାନେ ଭାରି ସାନ୍ତ୍ଵନା ଓ ଆତ୍ମପ୍ରସାଦ ଲାଭ କରିଥାନ୍ତି । ଆଉ ଜାତିଟି ଅନୁକରଣ ବାଦୀ । ଏମାନଙ୍କର ଜୀବନଦୃଷ୍ଟିରେ କୌଣସି ଆପଣାଉପାର୍ଜିତ ଚେର ନଥାଏ । ଏମାନେ ପଶ୍ଚିମ ମୁହାଁ ହୋଇ ସମସ୍ତ ପ୍ରକାର ସଭାସୁଆଙ୍ଗ ଓ ଆଡ଼ମ୍ବରକୁ ଅନୁକରଣ କରିବାରେ ଲାଗିଥାନ୍ତି ଓ ତାହାକୁ ହିଁ ଅଗ୍ରଗତି ବୋଲି କହନ୍ତି । ପଶ୍ଚିମର ସାମାଜିକ ଜୀବନରେ ଯେ ହୁଏତ କୌଣସି ଚେର ଅଛି, ତାହା ସେମାନେ ବିଶ୍ଵାସ କରିବାକୁ ଇଚ୍ଛା କରନ୍ତି ନାହିଁ । ଦେହରେ ମୟୂରପକ୍ଷୀ ଖଞ୍ଜି ମୟୂର ହେବାରେ କୌଣସି ଭ୍ରାନ୍ତି ରହିଚି ବୋଲି ସେମାନେ ଅନୁଭବ କରିପାରନ୍ତି ନାହିଁ । ଏମାନଙ୍କର ଜୀବନରେ କେବଳ କୃତ୍ରିମତା ହିଁ ସାର ହୁଏ । ଗରମ ପଡ଼ିଥିବା ବେଳେ ସୁଟ୍‌ପିନ୍ଧା ଓ ଟାଇବନ୍ଧା ବାବୁ ଯେଉଁପରି ହନ୍ତସନ୍ତ ହୁଅନ୍ତି ଓ ଅସ୍ଵାଭାବିକ ଦିଶନ୍ତି, ଏହି ଅନୁକରଣବାଦୀ ମାନଙ୍କର ଜୀବନ ନିରନ୍ତର ସେହିପରି ହନ୍ତସନ୍ତ ହୁଏ ଓ ଅସ୍ଵାଭାବିକ ଦେଖାଯାଏ-। ଏହି ଦୁଇଟି ଜାତି ମଧ୍ୟରୁ ମୁଁ କୌଣସି ସହିତ ଖାପ ଖାଇଁ ପାରିଲିନାହିଁ, ମୁଁ କୌଣସିଟିକୁ ଆଦରି କରି ରହି ପାରିଲିନାହିଁ ।

 

୧୪ । ୧୧ । ୬୦

 

ପିଲାଙ୍କପାଇଁ ଦିନ ପାଳନ କରି ପିଲାଙ୍କ ପ୍ରତି ଆମର କର୍ତ୍ତବ୍ୟ ସରିଯିବନାହିଁ । ପିଲାପ୍ରତି ଆମର କର୍ତ୍ତବ୍ୟ କରିବାକୁ ହେଲେ ପିଲାପ୍ରତି ଯଥେଷ୍ଟ ସ୍ନେହ ଦେଖାଇ ପାରିବାକୁ ହେବ-। ପିଲାପ୍ରତି ସ୍ନେହ ଦେଖାଇବା ଅର୍ଥ ପିଲାର ମନକୁ ବୁଝିବା, ତାକୁ ତା’ର ଦୁନିଆରେ ବଞ୍ଚିବାକୁ ଦେବା ଓ ତାକୁ ତା’ର ଜୀବନଲାଗି ପ୍ରସ୍ତୁତ କରିବା । ଅନେକ ସମୟରେ ଆମେ ଏକଥା କରିପାରୁ ନାହିଁ । ନାନା ଅତୃପ୍ତି ଦ୍ଵାରା ଉତ୍ପୀଡ଼ିତ ହୋଇ ରହିଥିବା ଏକ ମନ ନେଇ ଆମେ ଯାହାକୁ ଭଲ ବୋଲି ମନେକରୁ, ପିଲାର ମନ ଉପରେ ତାହାକୁ ହିଁ ଭଲ ବୋଲି ଲଦିଦେବାର ଦୁଷ୍ଟ ପରାକ୍ରମ ଦେଖାଇଥାଉ । ଆମର ତଥାକଥିତ ଆଚାର ଓ ଆଦର୍ଶକୁ ପିଲା ମଧ୍ୟ ଆଚାର ଓ ଆଦର୍ଶ ରୂପେ ଗ୍ରହଣ କରିବାକୁ ବାଧ୍ୟ ହୁଏ । ଆମର ବାଟକୁ ସେ ଆପଣାର ବାଟ ବୋଲି ଗ୍ରହଣ କରିବାକୁ ବାଧ୍ୟ ହୁଏ । ଆପଣାର ବାଟକୁ ଖୋଜି ବାହାର କରିବାର ବେଳ ମଧ୍ୟ ତାକୁ ମିଳେନାହିଁ, ଆପଣାକୁ ଆବିଷ୍କାର କରିବାର ବିଚାର, ତା’ ଜୀବନରେ ସମ୍ଭବ ହୋଇପାରେ ନାହିଁ । ତାକୁ ଜାତି, ଦେଶ ଓ ସଂସ୍କୃତିର ଜାଲ ଭିତରେ ପକାଇ ଦେଇ ଆମେ ଅତି କୌଶଳରେ ପିଲାଭିତରର ମଣିଷଟିକୁ ମାରିଦେଉ, ତା’ ଭିତରେ ସବୁପ୍ରକାରର ସଂସ୍କାର ଓ ସଂସ୍କୃତିର ମାନବିକ ମୂଳଦୁଆଟିକୁ ନଷ୍ଟ କରିଦେଉ । ତେଣୁ ବୁଝିବା ଆଗରୁ ପିଲା ଗ୍ରହଣ କରି ପକାଏ, ଆବିଷ୍କାର କରିବା ଆଗରୁ ପାଇଚି ବୋଲି କହେ । ବିଚାର କରିବା ଆଗରୁ ମାନିନିଏ, ଦାୟିତ୍ଵ ବୋଲି ଗ୍ରହଣ କରିବା ଆଗରୁ ସଂସ୍କୃତିକୁ ନେଇ ଉଗ୍ର ହୁଏ । ଜୀବନକୁ ଭଲପାଇବା ଆଗରୁ ନାନାପ୍ରକାର ଛାଞ୍ଚରେ କେବଳ ଘୃଣା କରିବାକୁ ଶିଖେ । ଖାଲି ଏ ଦେଶ ନୁହେଁ, ପୃଥିବୀର ଅଧିକାଂଶ ଦେଶରେ ଆଜି ପିଲାକୁ ଏହି ଦୁର୍ଦ୍ଦଶା ଭୋଗ କରିବାକୁ ପଡ଼ୁଚି । ବୟସ୍କର ଅତ୍ୟାଚାର ଦ୍ଵାରା ସଙ୍କୁଚିତ ହେବାକୁ ପଡ଼ୁଚି । ସେହି ସଙ୍କୁଚିତ ହେବାକୁ ଆଦର୍ଶ ବୋଲି କହି ସେ ବାଟ ଭୁଲିଯାଉଚି । ଜୀବନରେ କୌଣସି ପ୍ରସାର ଅନୁଭବ କରିବା ଆଗରୁ ସେ ଆପଣାର ଚାରିପାଖେ ପାଚେରୀ ଠିଆ କରାଇ ଦେଉଚି ।

 

୧୫ । ୧୧ । ୬୦

 

ବଡ଼ମାନେ ଯାହା କହୁଚନ୍ତି, ପିଲା ତାହାକୁ ହିଁ ଭଲ ବୋଲି ମାନିନେବ; ଶିକ୍ଷକ ମହାଶୟ ଯୋଉଟାକୁ ଭଲ କହୁଚନ୍ତି, ପିଲା ମଧ୍ୟ ଭକ୍ତି ଓ ବିଶ୍ଵାସର ସହିତ ତାହାକୁ ଭଲ ବୋଲି ମାନିନେବ; ବାପ ଯୋଉଟାକୁ ଉଚିତ ବୋଲି କହୁଚି, ପିଲା ମଧ୍ୟ ତାହାକୁ ହିଁ ଉଚିତ ବୋଲି ମାନିନେବ;–ସଂସାରରେ କର୍ତ୍ତବ୍ୟ ଓ ଶୃଙ୍ଖଳା ନାମରେ ଏହି ସୁଆଙ୍ଗମାନ ଚାଲିଥିବା ପର୍ଯ୍ୟନ୍ତ ଆମେ ପିଲାପ୍ରତି କେବଳ ନିର୍ମମ ଅନ୍ୟାୟ ହିଁ ପ୍ରଦର୍ଶନ କରୁଥିବା । ଯିଏ ସ୍ଵାଧୀନତା ପାଇଥାଏ କେବଳ ସେଇ ସ୍ୱାଧୀନତା ଦେଇପାରେ । ଆପଣାର ଜୀବନକୁ ନେଇ ଯିଏ ସଂସାରରେ ସାହସୀ ମଣିଷର ଯାତ୍ରା କରିଥାଏ, କେବଳ ସେଇ ଅପର ମଣିଷକୁ ଜୀବନର ଯାତ୍ରାଲାଗି ସାହସୀ କରିପାରେ । ଆଦର୍ଶକୁ ନେଇ ଅନେକ ଲୋକ ଏହି ସଂସାରରେ ଅନେକ ପ୍ରକାର ହୀନତା ପ୍ରଦର୍ଶନ କରିଥାନ୍ତି । ସେମାନେ ଆଦର୍ଶକୁ ଗୋଟାଏ ଜଳାଶୟ କିମ୍ବା ଗୋଟାଏ ଜାଲ ବୋଲି କଳ୍ପନା କରିଥାନ୍ତି । ଏଇମାନଙ୍କର କଳ୍ପନାର ଦୌରାତ୍ମ୍ୟ ଭିତରେ ପଡ଼ି ଆଦର୍ଶ ଏକ ଅଙ୍କୁଶରେ ହିଁ ପରିଣତ ହୋଇଯାଏ । ଏହା ଉଦ୍‌ବୁଦ୍ଧ କରେ ନାହିଁ, ବାନ୍ଧି ପକାଏ । ବାଟ ଚଲାଏ ନାହିଁ, ବାଟ ଉପରେ ମଣାଇନିଏ । ଏହା ଜୀବନଟାକୁ କେତେଟା ଛାଞ୍ଚରେ ପକାଇ ସହଜ ବୋଲି ଦେଖାଇବାକୁ ଚେଷ୍ଟା କରେ । ପିଲାମାନଙ୍କୁ ଏହିପରି ଏକ ଆଦର୍ଶର କୂପଭିତରେ ପକାଇ ଦେଇ ଅତ୍ୟାଚାରୀ ଗୁରୁର ଅଭିପ୍ରାୟକୁ ସନ୍ତୁଷ୍ଟ କରିବାର ପ୍ରୟାସ ଏହି ସଂସାରରେ ମୁଁ ଅନେକ ଦେଖି ଆସିଚି । ଏ ଦେଶରେ ଦେଖିଚି, ଦେଶ ବାହାରେ ମଧ୍ୟ ଦେଖିଚି । ମଣିଷର ଜୀବନକୁ ବାନ୍ଧି ରଖିବାର ପ୍ରୟାସକୁ ସଫଳତାର ଏକ ଆଭାସ ଦେବାଲାଗି କେଉଁଠି କେତେପ୍ରକାରେ କୀର୍ତ୍ତନ ହେଉଚି, କେତେପ୍ରକାର ଉତ୍ତେଜନା ଓ ଭାବପ୍ରବଣତା ସୃଷ୍ଟି କରାଯାଉଚି । କିନ୍ତୁ ଆମର ଏହିସବୁ ଚକ୍ରାନ୍ତରେ ପିଲା ବାଟ ହୁଡ଼ିଯାଉଚି । ସେ ଆମଠାରୁ ସବୁ କଥାକୁ ପ୍ରସ୍ତୁତ ଓ ସିଦ୍ଧରୂପେ ପାଇ ଆପଣାର ଦାୟିତ୍ଵ ଭୁଲିଯାଉଚି । ତାକୁ ଆପଣାକୁ ହିଁ ଆପଣାର ଜୀବନ ବଞ୍ଚିବାକୁ ହେବ, ଆପଣାକୁ ହିଁ ଆପଣାର ବାଟ କାଢ଼ିବାକୁ ହେବ, ଏହି ସଂସାରର ଅନେକ ଅସମାହିତ ସମସ୍ୟାଲାଗି ତାକୁ ହିଁ ସମାଧାନର ଉପାୟ ଖୋଜିବାକୁ ହେବ । ପୁରୁଣା ଭୁଲ୍‍ ରାସ୍ତା ଛାଡ଼ି ନୂଆ ରାସ୍ତା ତିଆରି କରିବାକୁ ହେବ, ସମାଜରେ ସମର୍ଥିତ ଅନ୍ୟାୟଗୁଡ଼ିକୁ ତଥାପି ଅନ୍ୟାୟ ବୋଲି କହି ସାହସର ସହିତ ତାକୁ ନ୍ୟାୟର ନବପ୍ରତିଷ୍ଠା କରିବାକୁ ହେବ,–ଏସବୁ କଥା ସେ ଏକାବେଳେକେ ଭୁଲିଯାଉଚି ।

 

୧୬ । ୧୧ । ୬୦

 

ସମସ୍ତେ ଆଖିବୁଜି କହିବାରେ ଲାଗିଚନ୍ତି ଯେ ଆମ ଦେଶ କ୍ରମେ ଆଗକୁ ଯାଉଚି । ଇଉରୋପରେ ମଧ୍ୟ ପ୍ରାୟ ଶହେବର୍ଷ ତଳେ ଅନେକ ଲୋକ ଏହିପରି କହୁଥିଲେ ଓ ଆହୁରି ଅନେକ ଏହି କଥା ଉପରେ ବିଶ୍ଵାସ କରୁଥିଲେ । ସେମାନଙ୍କର ବିଶ୍ଵାସ ଅନ୍ଧବିଶ୍ଵାସ ଥିଲା । ସେହି ଅନ୍ଧବିଶ୍ଵାସର ପରିଣାମ କେବଳ ଇଉରୋପ ନୁହେଁ, ସମଗ୍ର ପୃଥିବୀ ଭୋଗ କରୁଚି । ଯନ୍ତ୍ର ବଢ଼ିଲେ, ଯାନ୍ତ୍ରିକତା ବଢ଼ିଲେ, ବାହାର ଜୀବନକୁ ଅଧିକ ଜଟିଳ କରି କେବଳ ସାମଗ୍ରୀ ଗୁଡ଼ାକ ବଢ଼ିଲେ ଆମେ ତାହାକୁ କଦାପି ଆଗକୁ ଯିବାବୋଲି କହିପାରିବା ନାହିଁ । ଆମ ଏ ଦେଶରେ ବି ସାମଗ୍ରୀ ଅବଶ୍ୟ ବଢ଼ୁଚି, ପ୍ରତିବର୍ଷ ନୂଆ ନୂଆ କାରଖାନା ବସୁଚି, ବ୍ୟାପାର ଓ ବ୍ୟବସାୟ ଲାଗି ନୂଆ ପରିସରମାନ ସୃଷ୍ଟି କରାହେଉଚି । କିନ୍ତୁ ଏଡେବଡ଼ ଗୋଟାଏ ଦେଶରେ ଏକାଠି ରହିବାକୁ ହେଲେ ପରସ୍ପର ବିଷୟରେ ଆମ ଭିତରେ ଯେଉଁ ସଚେତନତା ରହିବା ଦରକାର, ତାହା ଆମଠାରେ ନାହିଁ । ସେ ଦିଗରେ ଆମେ ହୁଏତ ଆଦୌ ଆଗକୁ ଯାଉନାହୁଁ । ତେଣୁ ଧନର ସୃଷ୍ଟି ହେବା ସଙ୍ଗେ ସଙ୍ଗେ ତାହା ଏ ଦେଶରେ ଦୁଃଖ ଦୂର କରୁନାହିଁ । ଆମ ଭିତରେ ହୁଏତ କେବଳ କେତେଜଣଙ୍କର ଲୋଭ ବଢ଼ାଉଚି । ସ୍ଵାଧୀନତା ପରେ ଏହି ଦେଶ ଗୋଟାଏ ହେବା ଉଚିତ ଥିଲା, ମାତ୍ର ଏବେ ଅଧିକରୁ ଅଧିକ ଖଣ୍ଡିତ ହେବାକୁ ହିଁ ଆମେ ସ୍ଵରାଜର ଅସଲ ଲାଭ ବୋଲି ମନେକରୁଚୁ । ଖଣ୍ଡିତ ହେବାର ଦୃଷ୍ଟ ପ୍ରବୃତ୍ତିରେ ଜାତି, ପ୍ରଦେଶ, ଧର୍ମ ଓ ସ୍ଵାର୍ଥଗୋଷ୍ଠୀମାନ ଭାରି ସାହାଯ୍ୟ କରୁଚନ୍ତି । ଗୋଟିଏ ଗୋଟିଏ ଗୋଷ୍ଠୀର ଛାୟାତଳେ ଏକଜୁଟ ହୋଇ ଆମେ ଅପର ଗୋଷ୍ଠୀ ଗୁଡ଼ିକୁ ଯଥେଚ୍ଛା ଶୋଷଣ କରିବା ଲାଗି ଆଗଭର ହେଉଚୁ । ଯିଏ ପାଠ ପଢ଼ିଚି, ସିଏ ଏଥିରେ ନେତା ହୋଇ ବାହାରିଚି । ଯିଏ ଶାସନର ଛତ୍ର ଧରିଚି, ସିଏ ଏହି ବିନାଶ ପଥରେ ଆଦର୍ଶ ହୋଇ ରହିଚି । ଏହି ଆଗେଇବାକୁ ଆମେ ପ୍ରକୃତରେ କୁଆଡ଼କୁ ଆଗେଇବା ବୋଲି କହିବା କେଜାଣି ?

 

୧୭ । ୧୧ । ୬୦

 

ଏହି ଶାନ୍ତ ସକାଳ ସମୟରେ ମୋ’ଭିତରଟା ଏଡ଼େ ତରତର କାହିଁକି ? ଚିହ୍ନିଥିବା ଜନନୀ ପରି ଆଜିର ସକାଳଟିକୁ ମୁଁ କ’ଣ ଆଦରର ସହିତ ମୋ’ ଭିତରକୁ ଟାଣିନେଇ ପାରିବିନାହିଁ-? ମୁଁ ସବୁ କାମ କରୁଥିବି, ମୁହୂର୍ତ୍ତ ମୁହୂର୍ତ୍ତ ଗଣି ମୁଁ ଆପଣାକୁ ନାନା କାର୍ଯ୍ୟରେ ନିରନ୍ତର ସମର୍ପିତ କରି ରଖିଥିବି । ତଥାପି ମୋର ଭିତର ସହଜ ହେବ, ତଥାପି ଭିତର ସହିତ ବାହାରର ଏକ ସହଜ ସୂତ୍ର ଲାଗି ରହିଥିବ । ଭିତରେ ବ୍ୟାପୃତ ରହିଥିବା ବେଳେ ବାହାର ସହିତ ଖିଅ ଛିଡ଼ି ଯିବନାହିଁ, ଜୀବନଯାତ୍ରାରେ କଦାପି ଏକୁଟିଆ ଲାଗିବ ନାହିଁ । ବାହାରେ କର୍ମରତ ରହିଥିବା ବେଳେ ଭିତର ସହିତ ବି ଖିଅ ଛିଡ଼ିଯିବ ନାହିଁ । ଚେର ଛିଡ଼ିଗଲା ପରି ଲାଗିବ ନାହିଁ । ତେବେ ଯାଇ ମୁଁ ଶାନ୍ତ ରହିପାରିବି, ବିନା ତରତର ହୋଇ ତଥାପି ମୋର ସ୍ଵାଭାବିକ ଖୁସିରେ ମୋର ସବୁ କାର୍ଯ୍ୟ କରିପାରିବି । ମୁଁ ଠିକ୍ ଏହାହିଁ ଚାହେ, କିନ୍ତୁ ତଥାପି ଏତକ କରିପାରିବାରେ ସବୁବେଳେ ସମର୍ଥ ହୁଏନାହିଁ । ଅନେକ ସମୟରେ ଭୟ ଲାଗେ, ଏକୁଟିଆ ବି ଲାଗେ । ହାରିଯିବାର ନାନା ଗ୍ଳାନି ଗ୍ରାସ କରି ପକାଏ, ନାନା ଆଖିରେ ଛୋଟ ଦେଖାଯିବାର ଲାଜ ଖାଇଯାଏ । ଆପଣାକୁ ଲୁଚାଇ ରଖିବାର ଦୁଷ୍ୱତବୃତ୍ତି ବାହାରେ, ପ୍ରଭୁଙ୍କର ଭୁବନ ଭିତରେ ରହି ତଥାପି ଚୋରପରି ଲୁଚି ବୁଲିବାକୁ ମନହୁଏ । ନାନା ପାଇବାର ଲାଳସା ଓ ନ ପାଇଥିବାର ନୈରାଶ୍ୟଜନକ ଜ୍ଵର ମୋତେ ବଡ଼ କୃତ୍ରିମ ଓ କରୁଣ କରିପକାଏ । ବଡ଼ ଅସ୍ତବ୍ୟସ୍ତ ଓ ବଡ଼ ଦୟନୀୟ କରିପକାଏ । ମୁଁ ଆପଣାର ମନ ଅନୁସାରେ ବାତାବରଣରେ ପାଇପାରେ ନାହିଁ । ତେଣୁ ବାତାବରଣ ମଧ୍ୟ ସହଜ ହୋଇପାରେ ନାହିଁ । ମନ ଖୋଲି ମୋର ଆପଣାର କଥା କହିପାରିବାର ମଣିଷ ପାଇପାରେ ନାହିଁ । ଛୋଟ ମଣିଷର ମୁହଁରେ ବଡ଼ କଥାଶୁଣେ, ଅଳସୁଆ ମଣିଷର ମୁହଁରୁ କର୍ମଠତା ବିଷୟରେ ସୁନ୍ଦର ବକ୍ତୃତାମାନ ଶୁଣିବାକୁ ବାଧ୍ୟ ହୁଏ । ଅସାଧୁ ମଣିଷର ମୁହଁରୁ ସାଧୁତାର ବଖାଣି ଶୁଣେ ଏସବୁ ଫଳରେ ମୁଁ ଭାରି ବିଦ୍ରୋହୀ ହୋଇଉଠେ, କୋଉଠି କୌଣସି ସତ୍ୟ ପ୍ରକୃତରେ ରହିଚି ବୋଲି ବିଶ୍ଵାସ ହୁଏନାହିଁ । ସବୁଛାଡ଼ି ପଳାଇବାକୁ ଇଚ୍ଛା ହୁଏ ଭିତରୁ ସତେ ଅବା କିଛି ନମାନିବାର ଗୋଟାଏ ଦୈତ୍ୟ ହୁଂକାର କରିଉଠେ । ଅନୁଭବରେ ଜାଣି ଅନ୍ତର୍ଗତ କରି ରଖିଥିବା ଅନେକ ସତ୍ୟକୁ ମଧ୍ୟ ସେ କେବଳ ନିର୍ବୋଧ ସଞ୍ଚୟ ବୋଲି କହି ଆପଣାର ଶାନ୍ତି ହୁଡ଼ି ଫୋପାଡ଼ିଦେଇ ଆସିବାକୁ ଭାରି ପ୍ରରୋଚନା ଦିଏ । କିନ୍ତୁ ଫୋପାଡ଼ି ଦେବାରେ ଶାନ୍ତି କାହିଁ ? ପଳାଇ ଯିବାରେ ସମାଧାନ କାହିଁ ? କେଉଁଠାକୁ ପଳାଇଯିବା ଲାଗି ସ୍ଥାନ ମଧ୍ୟ କାହିଁ ?

 

୧୮ । ୧୧ । ୬୦

 

ମୁଁ ମଣିଷକୁ ଭଲପାଏ, କିନ୍ତୁ କର୍ତ୍ତୃତ୍ଵକୁ ଭଲ ପାଇପାରେନାହିଁ । ମଣିଷକୁ ଶ୍ରଦ୍ଧା କରେ, କିନ୍ତୁ ତାର କର୍ତ୍ତୃତ୍ଵକୁ ଶ୍ରଦ୍ଧା କରିପାରେ ନାହିଁ । ନେତୃତ୍ଵକୁ ମାନିବାକୁ ମୁଁ ସବୁବେଳେ ପ୍ରସ୍ତୁତ ଥାଏ, କିନ୍ତୁ କର୍ତ୍ତୃତ୍ଵକୁ ମାନିପାରେ ନାହିଁ । ଯିଏ କର୍ତ୍ତୃତ୍ଵ ଦେଖାଏ, ଆଉ ପାଞ୍ଚଜଣଙ୍କର ବେକକୁ ଯିଏ ଦଉଡ଼ି ଧରି ଟାଣିବାକୁ ମନ ବଳାଏ, ତାହାଦ୍ୱାରା ମଣିଷସମାଜର କୌଣସି ହିତ ସମ୍ଭବ ହୁଏନାହିଁ । ତାହାଦ୍ଵାରା ସମାଜରେ ଭୟ ବଢ଼େ । ମଣିଷ ଅଧିକ ଦୁର୍ବଳ ହୋଇପଡ଼େ । ଆମ ଦେଶରେ ନେତୃତ୍ଵ ଅପେକ୍ଷା କର୍ତ୍ତୃତ୍ଵର ଦୌରାତ୍ମ୍ୟଟା ହିଁ ଅଧିକ ବେଶି । ଯିଏ ସ୍ଵଭାବତଃ ଛୋଟ, ଆପଣା ଭିତରେ ଯିଏ ଆପଣାକୁ ହୀନ ବୋଲି ଭାବେ ଓ ତେଣୁ ବାହାରେ ଆପଣାକୁ ପ୍ରଚଣ୍ଡ ବୋଲି ପ୍ରମାଣ କରିବାକୁ ସବୁବେଳେ ଭାରି ସଚେତ ରହିଥାଏ, ସେଇ ସଂସାରରେ ଆପଣାର କର୍ତ୍ତୃତ୍ଵ ଦେଖାଇ ବାହାରେ, ସଂସାରଟାକୁ ବଡ଼ ଅସ୍ତବ୍ୟସ୍ତ କରିପକାଏ । ଏପରି ବ୍ୟକ୍ତି ପାଖରେ ନେତୃତ୍ଵ ଦେବାର କୌଣସି ଯୋଗ୍ୟତା ନଥାଏ, ତେଣୁ ସେ କୌଣସି କ୍ଷେତ୍ରରେ କୌଣସି ନେତୃତ୍ଵ ନେଇପାରିବ ବୋଲି କୌଣସି ପ୍ରଶ୍ନ ହିଁ ଉଠେନାହିଁ । ତା’ ପାଖରେ ପ୍ରକୃତରେ କୌଣସି କାର୍ଯ୍ୟକ୍ରମ ନ ଥାଏ । ଆପଣାର ପରାକ୍ରମଟାକୁ ଜାରି କରିବାକୁ ହିଁ ସେ ପ୍ରଧାନତଃ ନାନା କାର୍ଯ୍ୟକ୍ରମ ହାତକୁ ନେଇଥାଏ ଓ ଯାବତୀୟ କାର୍ଯ୍ୟକ୍ରମ ଜରିଆରେ ଆପଣାର ଆଘାତ ବଜାଇ ଯାଉଥାଏ । ଯେତେବେଳେ କୌଣସି ଶିକ୍ଷାକ୍ଷେତ୍ରରେ ଏହିଭଳି ଗୋଟିଏ ମଣିଷ ଆପଣା ମୁଣ୍ଡରେ କ୍ଷମତା କର୍ତ୍ତୃତ୍ଵର ଶିରିପା ବାନ୍ଧି ବସିଥାଏ, ସେତେବେଳେ ଶିକ୍ଷା ବିକାଶ ଲାଗି ଆଉ କୌଣସି ଅବସର ହିଁ ରହେନାହିଁ, ଆପଣାର ପରାକ୍ରମ ଜାରି କରିବାରେ ହିଁ କର୍ତ୍ତାର ସମସ୍ତ କର୍ତ୍ତବ୍ୟ ଶେଷ ହୋଇଯାଏ । ନିଜର ସହକର୍ମୀମାନଙ୍କୁ; ଅଧସ୍ତନ କର୍ମଚାରୀମାନଙ୍କୁ ଓ ଛାତ୍ରମାନଙ୍କୁ ସେ ନଚାଇବାରେ ହିଁ ଆନନ୍ଦ ପାଏ, ଅସ୍ତବ୍ୟସ୍ତ କରି ରଖିବାକୁ ଭଲପାଏ, ଡରାଇବାକୁ ଭଲପାଏ । ଏହା ଫଳରେ ଶିକ୍ଷାନାମରେ ଯେଉଁ ଅଭିନୟ ହୁଏ, ତାହା କେବଳ ଜଣେ ଲୋକର ଅଭିନୟରେ ପରିଣତ ହୁଏ । ତେଣୁ ଶିକ୍ଷା ବିଦାୟ ନିଏ, ଶିକ୍ଷାଗତ ସମ୍ପର୍କ ବିଦାୟ ନିଏ, ସକଳ ପ୍ରକାର ଯଥାର୍ଥ ନେତୃତ୍ଵ ମଧ୍ୟ ବିଦାୟ ନିଏ ।

 

୧୦ । ୧୨ । ୬୦

 

ମୁଁ ମୋର ପାପକୁ ଲୁଚାଇ ରଖିବାକୁ ଚେଷ୍ଟା କରେନାହିଁ । ମୋର ଦୁର୍ବଳତା ଗୁଡ଼ାକୁ ମୁଁ ମାଟି ଲେଶିଦେଇ ଦୃଢ଼ କରି ଦେଖାଇବାକୁ ଚାହେନାହିଁ । ପାପ ଲୁଚାଇବାକୁ ଏ ଜୀବନରେ ଜାଗା ବା କାହିଁ, ଦୁର୍ବଳତା ଉପରେ ଯୁକ୍ତିର ମାଟି ମାଠିଦେଲେ ପରିତ୍ରାଣର ବା ଉପାୟ କାହିଁ ? ତଦ୍ଦ୍ୱାରା ଜଗତ ପାଖରୁ ହୁଏତ ଘଡ଼ିକଲାଗି ପଳାଇଯିବା ସମ୍ଭବ ହେବ, ଜଗତ ପାଖରେ ହୁଏତ ଘଡ଼ିକଲାଗି ପ୍ରତାରଣା କରିବା ସମ୍ଭବ ହେବ । କିନ୍ତୁ ମୁଁ ଆପଣାଠାରୁ ପଳାଇ ଯାଇପାରିବି କିପରି ? ଆପଣାପ୍ରତି ପ୍ରତାରଣା କରିବି କିପରି ? ଆପଣାକୁ ପ୍ରତାରଣା କରିବାର ଅର୍ଥ ହେଉଚି, ଆପେ ବଡ଼ ଦୟନୀୟ ଭାବରେ ପ୍ରତାରିତ ହେବା । ଏଣୁ ମୁଁ ମୋର ପାପ ଓ ମୋର ଅପୂର୍ଣ୍ଣତା ଗୁଡ଼ାକୁ ସ୍ଵୀକାର କରିନିଏ, ଆପଣା ଭିତରୁ ଦଣ୍ଡେ ବାହାରକୁ ବାହାରିଯାଇ ତଟସ୍ଥ ମନରେ ଘଡ଼ିଏ ଆପଣା ଉପରେ ଦୃଷ୍ଟିପାତ କରିବାକୁ ଚେଷ୍ଟାକରେ । କୌଣସିପ୍ରକାର ସନ୍ତାପରେ ପୀଡ଼ିତ ନହୋଇ ମୁଁ ମୋରି ଭିତରେ ସେଗୁଡ଼ିକୁ ବୁଝିବାଲାଗି ଚେଷ୍ଟା କରେ । ଏହାଦ୍ଵାରା ମୁଁ ଯଥେଷ୍ଟ ଲାଭବାନ୍ ହୋଇଥାଏ । ଆପଣାକୁ ଅନେକ ଦୁର୍ଦ୍ଦଶାରୁ ବଞ୍ଚାଇଦିଏ । କିନ୍ତୁ ମୁଁ ଏଥିରୁ ଆହୁରି ଏକ ଭାରି ବଡ଼ କଥା ଶିକ୍ଷା ବି କରିଥାଏ । ଆପଣାର ଅପୂର୍ଣ୍ଣତା ଗୁଡ଼ାକୁ ବୁଝିବାପରି ମୁଁ ଅପର ମଣିଷର ଅପୂର୍ଣ୍ଣତା ଗୁଡ଼ାକୁ ବୁଝିବାକୁ ଅନ୍ତର୍ଦୃଷ୍ଟି ଲାଭ କରିଥାଏ । କାହାରି ଅପୂର୍ଣ୍ଣତା ଗୁଡ଼ାକ ଦେଇ ତା’ର ବିଚାର କରି ବସିବାର ଧୃଷ୍ଟ ଦୁଃସାହସ ମୁଁ କଦାପି କରିପାରେ ନାହିଁ । କାହାରି ଅପୂର୍ଣ୍ଣତା ସକାଶେ ତାକୁ ଫୋପାଡ଼ି ଦେବାର କ୍ରୂରତା ମୋ’ ଦ୍ଵାରା ସମ୍ଭବ ହୋଇପାରେ ନାହିଁ । ମୋ’ ଜୀବନର ଗଭୀରତମ ଥାନାରେ ବସିଥିବା ଦୁଃଖୀ ଅତ୍ୟନ୍ତ ସହାନୁଭୂତି ସହିତ ଆଉଜଣକ ଭିତରର ଦୁଃଖୀକୁ ଆହ୍ଵାନ ଜଣାଏ । ମୁଁ ଡାକେ, ଆସ, ଏହି ଅପୂର୍ଣ୍ଣତା ଗୁଡ଼ାକ ସକାଶେ ଆମେ ଲଜ୍ଜାବୋଧ କରିବା ନାହିଁ । ଏଥିଲାଗି ପରସ୍ପରର ବିଚାର କରି ଆମେ ପରସ୍ପରକୁ ଫୋପାଡ଼ି ଦେବାନାହିଁ । ଆସ, ଆମେ ଏକତ୍ର ହୋଇ ଅଗ୍ରସର ହେବା, ଅପରକୁ ସ୍ଵୀକାର କରିବାର ପ୍ରୟାସ ଦେଇ ଆମେ ଆପଣାକୁ ମଧ୍ୟ ସ୍ଵୀକାର କରିନେବା । ଏହି ସଂସାରର କର୍ମଭାର ଦେଇ ଆମେ ଜଡ଼ତା ଭିତରୁ ମୁକ୍ତ ହେବା । ସଂସାରକୁ ଭଲ ପାଇ ମୋହମୁକ୍ତ ହେବା । ଏହାହିଁ ପଥ । ଆମେ ଅପବାଦ ବା ଅପମାନର କାଳ୍ପନିକ ତ୍ରାସରେ ଲୁଚି ରହିବା ନାହିଁ । ପାପକୁ ଲୁଚାଇ ପାପର ଶକ୍ତି ବଢ଼ାଇବା ନାହିଁ । ଏହି କର୍ମ, ଶ୍ରଦ୍ଧା ଓ ସହାନୁଭୂତି ଦ୍ଵାରା ଆମେ ପରସ୍ପରକୁ ଚିହ୍ନିବା, ଅଧିକ ଅଗ୍ରସର ହେବା । ପରସ୍ପର ଭିତରେ ଏକ ଯୋଗ୍ୟ ନିମିତ୍ତର ସନ୍ଧାନ କରି ଆମେ ଆପଣାର ପରିଚୟ ଦେବା ।

 

୧୧ । ୧୨ । ୬୦

 

ସମସ୍ତେ କହୁଚନ୍ତି, ସଂସାରରେ ଏଣିକି ଅବିଶ୍ଵାସଟା ହିଁ ଅଧିକ ଚାଲିଲାଣି । ଅଧିକ କାହିଁକି, ସବୁଠାରେ କେବଳ ଅବିଶ୍ଵାସ ହିଁ ଚାଲିଲାଣି । ତେଣୁ ଏଠି ବଞ୍ଚି ରହିବାକୁ ହେଲେ ବିଶ୍ଵାସକୁ ଛାଡ଼ି ଏଥର ଅବିଶ୍ଵାସକୁ ହିଁ ଧରିବାକୁ ହେବ । ସଂସାରରେ ଜିତିବାକୁ ହେଲେ ଅବିଶ୍ଵାସର ହିଁ ଆଶ୍ରା କରିବାକୁ ହେବ । ବନ୍ଧୁମାନଙ୍କର ମୁହେଁ ମୁହେଁ ଏସବୁ ଶୁଣିଲା ବେଳକୁ ମୁଁ ବଡ଼ ଆବାକାବା ହୋଇଯାଏ । ଭିତରେ କାନ ଡେରି ବସିଥିବା ନିରୀହ ଗ୍ରହଣଶୀଳ ମନ ପଚାରେ: ବନ୍ଧୁମାନେ ତୋତେ ଏକଥା ବିଶ୍ଵାସର ସହିତ କହୁଚନ୍ତି ନା ଏହି କଥାଟିକୁ ମଧ୍ୟ ତୁ ଅବିଶ୍ଵାସର ଏକ ନିଦର୍ଶନ ବୋଲି ଗ୍ରହଣ କରିବୁ ? ମୁଁ କୌଣସିଠାରୁ କୌଣସି ଉତ୍ତର ପାଏନାହିଁ । ଜୀବନରୁ ଅପସରି ଯାଇ ବିଶ୍ଵାସର ସହିତ ଆପଣାର ସୀମା ଭିତରେ ଏକୁଟିଆ ହୋଇ ବାସ କରିବାର ନାନପ୍ରକାର ଦୁର୍ଭାବନା ନାନା ବଳବନ୍ତ ଯୁକ୍ତି ଦେଇ ମୋତେ ଗିଳି ପକାଇବ ବୋଲି ଦଉଡ଼େ । ହୃଦୟ ଭିତରେ ନିତି ବଢ଼ୁଥିବା ଶିଶୁଟି ବଡ଼ ବିକଳ ହୋଇଉଠେ । ଆପଣା ଭିତରେ ଏକୁଟିଆ ହୋଇ ବସିବାର ସୀମା ନିର୍ଦ୍ଧାରଣ କରାଯାଇ ପାରିବ କିପରି ? ଏହି ସବୁକିଛିକୁ ଛାଡ଼ିଦେଇ କୌଣସି ସୀମାରେଖା ଟାଣିବା କି କେବେ ସମ୍ଭବ ହୋଇପାରେ ? ଏହି ସଂସାରକୁ ଛାଡ଼ି ମଣିଷକୁ ଛାଡ଼ି ଆପଣାର ସୀମା ନିର୍ଦ୍ଧାରଣ କରିବା କି କେବେହେଲେ ସମ୍ଭବ ହୋଇପାରେ ? ବିଶ୍ଵାସକୁ ବାରଣ କରି ଆପଣା ଜୀବନରେ କୌଣସି ପରିମିତି କି କଦାପି ସମ୍ଭବ ହୋଇପାରେ ? ମୁଁ କିଛି ବୁଝିପାରେ ନାହିଁ, କେବଳ ନିର୍ବୋଧ ପରି ଅନାଇ ରହେ । ବେଳ ଜାଣି ସେହି ଶିଶୁ ଭିତରୁ ପୁଣି ଜବାବ ଦିଏ, ଏହି ସଂସାରରେ ଦୁର୍ଗ ଜିତିବା ନହେଲା ପଛକେ, ମୋର ବିଶ୍ଵାସ ହିଁ ଦରକାର । ତା’ର ଏହି କଥାଟିକୁ ବିଶ୍ଳେଷଣ କରି ଦେଖିବାକୁ ମୋର ଭରସା ପାଏନାହିଁ । ମୁଁ ଏହାକୁ ହିଁ ମୋର ସତ୍ୟ ବୋଲି ମାନିନିଏ ।

 

୧୨ । ୧୨ । ୬୦

 

ମୋର ହୃଦୟ କ୍ରମେ ଭାରି ସଙ୍ଗଉପାସୀ ହୋଇପଡ଼ୁଚି, ସତେ ଯେପରି ଏହାହିଁ ହେଉଚି ମୋ’ ଦୁଃଖର ସବୁଠାରୁ ବଡ଼ କାରଣ ! ଏହି ସଂସାର ଭିତରେ ନାନା ସ୍ଥଳରେ ହୃଦୟର ଡୋର ଲାଗି ନରହିଥିଲେ ମୁଁ ଭଗବାନଙ୍କ ସହିତ ମଧ୍ୟ ଯେପରି ସବୁ ଖିଅ ହରାଇବସେ ! ସଂସାରପ୍ରତି ଉଦାସ ରହି ଓ ସବୁପ୍ରକାର ସଙ୍ଗକୁ ବର୍ଜନ କରି ଆପଣା ହୃଦୟରେ ପରମସଙ୍ଗ ଲାଭ କରିବାର ଧର୍ମବୋଲି ମୁଁ ଅନେକ ବୀତରାଗ ମନୁଷ୍ୟ ଓ ବୀତରାଗ ଶାସ୍ତ୍ରଠାରୁ ଏକାଧିକବାର ଶୁଣିଚି । ହୁଏତ ମୁହୂର୍ତ୍ତକ ସକାଶେ ସେହିସବୁ ପରାମର୍ଶରେ ମୁଁ ଭାରି ଅନୁପ୍ରାଣିତ ହୋଇପଡ଼ିଚି । କିନ୍ତୁ ଆପଣାର ଜୀବନ ବଞ୍ଚିଲାବେଳେ ସେଗୁଡ଼ାକୁ ମୁଁ ଆଦୌ କାର୍ଯ୍ୟରେ ଲଗାଇ ପାରିନାହିଁ । ଏହି ବାଟକୁ ମୁଁ ସତେ ଅବା ମୋର ପ୍ରକୃତି ବିରୁଦ୍ଧ ବାଟ ବୋଲି ଅନୁଭବ କରିଚି । ଗୋଟାଏ ବଡ଼ ଖିଅରେ ବନ୍ଧାହେବା ଲାଗି ଜାଣିଶୁଣି ଆହୁରି ଅନେକ ଖିଅକୁ କାଟି ଦେବାକୁ ହେବ,–ହୃଦୟ ଦେଇତ ଦୂରର କଥା, ବୁଦ୍ଧି ଦେଇ ମଧ୍ୟ ମୁଁ ଏକଥା ବୁଝିପାରେ ନାହିଁ । ମୁଁ କୌଣସି ବାଟରେ ନିନ୍ଦା କରିବାକୁ ଯାଉନାହିଁ । କିନ୍ତୁ ଏହି ବାଟଟା ଯେ ମୋର ବାଟ ନୁହେଁ, ଅନୁଭୂତି ଓ ଆତ୍ମଜ୍ଞାନ ବଢ଼ିବା ସଙ୍ଗେସଙ୍ଗେ ମୁଁ ଏହାହିଁ ଅଧିକରୁ ଅଧିକ ଅନୁଭବ କରୁଚି । ସଂସାରର ଏହିସବୁ ସଙ୍ଗକୁ ମୁଁ ପରମସଙ୍ଗର ଆନୁସଙ୍ଗିକ ବୋଲି ମାନିନେଇଚି । ସଂସାରର ସକଳ ପ୍ରସଙ୍ଗକୁ ମୁଁ ପାବନ ପ୍ରସଙ୍ଗର ପରିପୂରକ ବୋଲି ହୃଦୟଙ୍ଗମ କରିଚି । ଆପଣାକୁ ନାନା ଡୋରିରେ ବାନ୍ଧି ମୁଁ ମୋ ଜୀବନର ଅସଲ ଡୋରର ଅନୁଭୂତି ପାଇଚି, ମଣିଷ ଜୀବନର ନାନା କ୍ଷେତ୍ରରେ ଆପଣାକୁ ସମର୍ପି ଦେଇ ଆପଣାର ଅନ୍ତର୍ରାଜ୍ୟରେ ମୁଁ କ୍ରମେ ପରମସମର୍ପଣ ଲାଗି ପ୍ରସ୍ତୁତ ହୋଇଚି । ଏହି ବାଟ ହିଁ ମୋର ବାଟ । ଭଗବାନଙ୍କ ପାଖରେ ଆପଣାକୁ ଦେଇପାରିବାକୁ ହେଲେ ମୁଁ ଏହି ସଂସାରରେ ମଧ୍ୟ ଆପଣାକୁ ପଳପଳ କରିଦେଇ ପାରିବାକୁ ଚାହେ । ଅନ୍ତର ଭିତରେ ପରମସମ୍ପଦକୁ ଧରି ରଖିବାକୁ ହେଲେ ମୁଁ ମୋ’ ସଂସାରର ସମସ୍ତଙ୍କୁ ଆପଣା ଭିତରେ ଧରି ରଖିବାକୁ ଚାହେ । ମୋ’ ଲାଗି ଏହି ସଂସାର ଏକ ବନ୍ଧନ ବା ଆୟତନ କିଛି ନୁହେଁ । ଏହି ସଂସାର ହିଁ ମୋ’ର ବାଟ । ମୋର ପ୍ରତ୍ୟେକ ମୁହୂର୍ତ୍ତ ମୋର ପରମପ୍ରସ୍ତୁତିର ସାଧନାମାତ୍ର । ମୋର ପ୍ରତ୍ୟେକ ସଙ୍ଗ ପରମସଙ୍ଗର ସାଧନମାତ୍ର । ପରମପଥର ସ୍ପର୍ଶ ପାଇବାଲାଗି ମୋତେ ସଂସାରର ଏହିସବୁ ପରିଚୟପଥର ଧୂଳିକୁ ଦେହରେ ଲଗାଇବାର ଶ୍ରଦ୍ଧା ହାସଲ କରିବାକୁ ପଡ଼ିବ । ମୋ’ ଲାଗି ଅନ୍ୟ ପନ୍ଥା ହିଁ ନାହିଁ ।

 

୧୩ । ୧୨ । ୬୦

 

ଅତି ବ୍ୟାକୁଳ ହୋଇ ହୃଦୟ ମଣିଷର ସଙ୍ଗ ଲୋଡ଼ୁଚି । ପଛରେ ଛାଡ଼ି ଆସିଥିବା ମଣିଷଲାଗି ମୁଁ ବାରବାର ପଛକୁ ଅନାଇ ଦେଖୁଚି । ଏହି ବ୍ୟାକୁଳତା ଲାଗି ରହିଥିବା ପର୍ଯ୍ୟନ୍ତ ଭଗବାନଙ୍କ ସହିତ ସୂତ୍ର ଲାଗିପାରିବ କିପରି, ଭଗବାନଙ୍କ ସହିତ ସୂତ୍ର ଲାଗିପାରିବାର ଶାନ୍ତି ମଧ୍ୟ ସମ୍ଭବ ହେବ କିପରି ? ମୁଁ ସେଇଥିଲାଗି ବାରବାର ବଣା ହୋଇଯାଉଚି । ସେଇଥିଲାଗି ବାହାରେ ସମସ୍ତ ଆଡ଼ମ୍ବର ସତ୍ତ୍ୱେ ମୁଁ ଭିତରେ ବଡ଼ ଦରିଦ୍ର ହୋଇ ପଡ଼ି ରହିଚି । ବାହାରେ ଜ୍ଞାନର ନାନା ସାଜସଜ୍ଜାର ଧୁମ୍‍ ଭିତରେ ବୁଡ଼ି ରହିଥିଲେ ମଧ୍ୟ ଭିତରେ ମୋତେ ଅଜ୍ଞାନତା ଗ୍ରାସ କରି ରହିଚି । ଏହାହିଁ ମୋର ଦୁର୍ଦ୍ଦଶା । ଆପଣାକୁ ଦେବାଲାଗି ଏହି ସଂସାରରେ ମଧ୍ୟ ନାନାବିଧ ପରିସର ଓ ଅବସର ରହିଥିବା ଦରକାର । ସଂସାରରେ ସେହିଭଳି ପରିସର ମୋ’ଲାଗି କ୍ରମେ ଅନ୍ତର୍ହିତ ହୋଇଯାଉଚି । ମୁଁ କୋଉଠି ହେଲେ ଘଡ଼ିଏ ଅଟକିଯାଇ ପ୍ରାଣଖୋଲି କଥା କହିବାର ଭରସା ମଧ୍ୟ ପାଉନାହିଁ । ସମାଜ ସହିତ ମୋର ଯେତିକି ସମ୍ପର୍କ ରହିଚି, ଯେତିକି ପରିଚୟ ରହିଚି, ମୁଁ ତା’ ଅପେକ୍ଷା ଆହୁରି ଗଭୀର ସର୍ମ୍ପକ ଓ ପରିଚୟର ସନ୍ଧାନ କରି ବୁଲୁଚି । ମୋ’ ଚାରିପାଖରେ ଅନ୍ୟମାନେ ପରିସ୍ଥିତି ସହିତ ଆପଣାକୁ ଯେପରି ଚମତ୍କାର ଭାବରେ ଖାପ ଖୁଆଇ ନେଇଚନ୍ତି, ମୁଁ ସେପରି କରିପାରୁନାହିଁ ଏବଂ ଏହି ଖାପ ଖୁଆଇନେବା ବିଷୟରେ ମୋର ବିଫଳତାଟାକୁ ମଧ୍ୟ ଭିତରେ ଲୁଚାଇ ରଖି ମୁଁ ବାହାରେ ସଫଳ ଓ ସରସ ଜୀବନର ଅଭିନୟ ବି କରିପାରୁ ନାହିଁ । ସେଥିଲାଗି ମୋତେ ସବୁ ଦୁର୍ଦ୍ଦଶା ଭୋଗ କରିବାକୁ ପଡ଼ୁଚି । ବର୍ତ୍ତମାନର ସମାଜ ସହିତ ନିଜକୁ ଖାପ ଖୁଆଇ ନପାରିବାଟାକୁ କେତେଦୂର ଏକ ଯୋଗ୍ୟତା ବା ଅଯୋଗ୍ୟତା ବୋଲି କୁହାଯାଇପାରିବ, ବର୍ତ୍ତମାନ ସମାଜରେ ମଣିଷ ସାଧାରଣତଃ ଯେତିକି ଚାହି ସନ୍ତୁଷ୍ଟ ହୋଇଯାଉଚି, ତା’ଠାରୁ ଅନେକ ଅଧିକ ଚାହିବାକୁ କେତେଦୂର ଏକ ଯୋଗ୍ୟତା କିମ୍ବା ଅଯୋଗ୍ୟତା ବୋଲି କୁହାଯିବ, ମୁଁ ସେକଥା କହିପାରିବି ନାହିଁ । ମୁଁ ଅଧିକ ଚାହୁଚି । ଖାଲି ନେବାକୁ ନୁହେଁ, ଅଧିକ ଦେବାକୁ ମଧ୍ୟ ଚାହୁଚି । ସବୁଯାକ ଆବରଣ ଫିଙ୍ଗିଦେଇ ମୁଁ ମଣିଷ ସହିତ ମଣିଷ ପରି ସମ୍ମିଳତ ହେବାକୁ ଚାହୁଚି ।

 

୧୪ । ୧୨ । ୬୦

 

Seven Reasons Why I Believe in God;–ଆମେରିକାର ଗୋଟିଏ ପତ୍ରିକାରେ ସେଦିନ ଏହି ନାମର ଏକ ଲେଖା ପଢ଼ି ଆସିଲି । ଆମେରିକା ହେଉଚି ବଣିକ, ବୈଶ୍ୟ ଓ ଧନପତିମାନଙ୍କର ଦେଶ । ସେଠାରେ ସବୁକଥା ଲାଭକ୍ଷତିର ହିସାବ କରି କରାଯିବା ଅତ୍ୟନ୍ତ ବିଧେୟ । ପରିତୃପ୍ତିର ହିସାବଫର୍ଦ୍ଦ ତିଆରି ହେବା ଅତ୍ୟନ୍ତ ସ୍ଵାଭାବିକ । କମୁନିଷ୍ଟବାଦକୁ ପରାସ୍ତ କରିବାପାଇଁ ସେଠାରେ କୋଉବର୍ଷ କେତେ କୋଟି ଖରଚ ହେବା ଦରକାର, ବଡ଼ ବଡ଼ ପଣ୍ଡିତମାନେ ସଭା ମଣ୍ଡାଇ ବସି ସେଠି ତାହାର ନିର୍ଦ୍ଧାରଣ କରିଥାନ୍ତି । ସଂସାରରେ ଆମେରିକାର ରାଜନୀତିକ ଧର୍ମ, ସମ୍ମାନ ଓ ଅଙ୍କୁଶକୁ ପ୍ରତିଷ୍ଠିତ କରି ରଖିବା ଲାଗି କେତେ କୋଟି ଡଲାର ବାର୍ଷିକ ପାଣିରେ ପଡ଼ିବା ଉଚିତ, ସେଠାରେ ସେକଥା ମଧ୍ୟ ଗଣନା କରି ଠିକ୍ କରାଯାଏ । ଠିକ୍ ସେହିପରି ଲାଭକ୍ଷତିର ଗଣନା ଦ୍ଵାରା ସାବ୍ୟସ୍ତ ନହେଲେ ଭଗବାନଙ୍କ ଉପରେ ବିଶ୍ଵାସ ରଖିବା ଲାଗି କିମ୍ବା ତାଙ୍କର ଅସ୍ତିତ୍ଵରେ ବିଶ୍ଵାସମାତ୍ର କରିବା ଲାଗି ସେ ଦେଶରେ ହୁଏତ କେହି ପ୍ରସ୍ତୁତ ହେବେନାହିଁ । ସବୁକଥା ବା ସବୁ ପରାମର୍ଶ ପଛରେ ବୁଦ୍ଧି ବୁଝିଲା ଭଳି ଭାଷା ରହିଥିବା ଦରକାର, ବୁଦ୍ଧି ଗ୍ରହଣ କରିପାରିବା ଭଳି ମାଲମସଲା ରହିଥିବା ଦରକାର । ନହେଲେ ଆମେରିକାର ପ୍ରୟୋଜନବାଦୀ ମଣିଷ କୌଣସି କଥାକୁ ଆଦୌ ବୁଝିପାରିବ ନାହିଁ । ସେ ଦେଶରେ ବୁଦ୍ଧି ହେଉଚି, ଏକମାତ୍ର ଦ୍ଵାର, ଲାଭକ୍ଷତିର ହିସାବ ହେଉଚି ସେଠି ଏକମାତ୍ର ପରିଚୟ ପଥ । ଲେଖାଟିର ଲେଖକ ଏହି ଦେଶୀୟ ରୀତିଟିକୁ ଭାରି ଚମତ୍କାର ଭାବରେ ବୁଝିପାରିଚନ୍ତି । ତେଣୁ ଧର୍ମବିଶ୍ଵାସର ନିବେଦନ କରିବା ସମୟରେ ମଧ୍ୟ ସେ ଏହି ରୀତିର ଅନୁସରଣ କରିବାକୁ ହିଁ ସବୁଠାରୁ ଅଧିକ ପ୍ରଶସ୍ତ ମନେ କରିଚନ୍ତି । ଅପରିପକ୍ଵ ପିଲାର ମନକୁ ବୁଝାଇବା ପାଇଁ ସବୁକଥାରେ ମନ ଭୁଲାଇବା ବା ବୁଝିବା ଭଳି ଗୋଟାଏ କାରଣ ଦେବା ଦରକାର ହୁଏ । ଜୀବନରେ ପରିପକ୍ଵତା ବଢ଼ିବା ସଙ୍ଗେ ସଙ୍ଗେ ଆପଣାର ଜୀବନଲାଗି ମଣିଷ କେତେଟା ଭୂମିକୁ ଆପେଆପେ ସ୍ଵୀକାର କରିନିଏ । ଭଗବାନଙ୍କ ଉପରେ ବିଶ୍ଵାସ ରଖିବା ହେଉଚି ସେହିପରି ଏକ ଭୂମି । ଜୀବନ ଉପରେ ବିଶ୍ଵାସ ବଢ଼ିବା ସଙ୍ଗେ ସଙ୍ଗେ ପ୍ରତ୍ୟେକ ମଣିଷ ଏହିପରି ଏକ ଭୂମିକୁ ସ୍ଵୀକାର କରିନେବାର ଆବଶ୍ୟକତା ଅନୁଭବ କରିଥାଏ । ତେଣୁ ଏହାକୁ ବୁଦ୍ଧି ଦେଇ ବୁଝାଇ କହିବା, କିମ୍ବା ଲାଭ ଦେଖାଇ ଏଥିପ୍ରତି ଲୁବ୍‌ଧ କରିବାକୁ ମୁଁ ଏକ ପିଲାଖେଳ ବୋଲି କହିବି । ଯାହା ଅନୁଭବର ବସ୍ତୁ, ତାହାକୁ ବୁଦ୍ଧିଦେଇ ବୁଝିବା ବା ବୁଝାଇବା କେବଳ ବିଡ଼ମ୍ବନା ମାତ୍ର ।

 

୧୫ । ୧୨ । ୬୦

 

ମୋର ଏହି ସମୟଟା ହେଉଚି ଅପେକ୍ଷା କରିବାର ସମୟ । ପ୍ରକୃତରେ ତ ମୁଁ ଏବେ କିଛିହେଲେ କରୁନାହିଁ ! ପରୀକ୍ଷାରେ ପାସ୍ କରିବା ପାଇଁ ପିଲାଙ୍କର ଯେତିକି ପାଠ ଲୋଡ଼ା, ସେମାନଙ୍କୁ ମୁଁ ଠିକ୍ ସେତିକି ପାଠ ପଢ଼ାଇ ଦେଉଚି । ସେମାନେ ମଧ୍ୟ ଠିକ୍ ସେତିକିରୁ ଆଦୌ ଅଧିକ ଚାହୁନାହାନ୍ତି । ଅବଶ୍ୟ ଦୁଇଚାରି ଜଣ ଅଧିକ ଚାହୁଚନ୍ତି ଓ ସେହିମାନଙ୍କର ଆଗ୍ରହ ହିଁ ମୋ’ଭିତରେ ଅସଲ ଶିକ୍ଷକ ଓ ଅସଲ ଶିକ୍ଷାର୍ଥୀକୁ ଏପର୍ଯ୍ୟନ୍ତ ଜୀଆଇ ରଖିଚି । ପାଠ ପଢ଼ାଇବା ବ୍ୟତୀତ ପ୍ରତ୍ୟେକ ଦିନ ସକାଳେ ଗୋଟିଏ ଜାଗାରେ ଦୁଇଘଣ୍ଟା ଥିର ହୋଇ ବସି ମୁଁ କୌଣସି ନା କୌଣସି ବହିର ଅନୁବାଦ କରୁଚି । ଏତିକି ବ୍ୟତୀତ ମୁଁ ଆଉ କିଛି କରୁନାହିଁ । ଭିତରେ କେତେପ୍ରକାରର ଅସହିଷ୍ଣୁତା ଏକାଠି ମିଶି ଯେପରି କ’ଣ ରାନ୍ଧିବାରେ ଲାଗିଚନ୍ତି । ପରିବେଷଣ ପାଇଁ ଏବେ ମଧ୍ୟ ସମୟ ଆସିନାହିଁ । ମୋତେ ଏ ଜୀବନରେ ଯେ କେଉଁ କ୍ଷେତ୍ରରେ କ’ଣ ପରିବେଷଣ କରିବାକୁ ହେବ, ସେକଥା ମୁଁ ଭଲକରି ଜାଣେନାହିଁ । କିନ୍ତୁ ପରିବେଷଣ କରିବାରେ ହିଁ ଅର୍ଥାତ୍ ଆପଣାର ସମୁଚିତ କ୍ଷେତ୍ର ଆବିଷ୍କାର କରି ଆପଣାକୁ ସମର୍ପଣ କରିଦେବାରେ ହିଁ ଯେ ଜୀବନର ଯଥାର୍ଥ ଆନନ୍ଦ ନିହିତ ରହିଚି, ମୋର ଏହି ବିଶ୍ଵାସ କ୍ରମେ ବଢ଼ିବାରେ ଲାଗିଚି । ବେଳେବେଳେ ଆପଣା ଭିତରକୁ ଅନାଇ ରହି ମୁଁ ଅସ୍ଥିର ହୋଇପଡ଼େ । ଭଗବାନଙ୍କ ହାତରୁ ଗ୍ରହଣ କରିଥିବା ଏହି ସମ୍ପଦ ଓ ସାମଗ୍ରୀକୁ ନେଇ ପ୍ରକୃତରେ କ’ଣ କରୁଚି, ସେଥିଲାଗି ମୁଁ କେବେ ପ୍ରସ୍ତୁତ ହେବାକୁ ଯାଉଚି ? ଭିତରୁ ପୁଣି ଉତ୍ତର ପାଏ ଅପେକ୍ଷା କରି ରହିବା ହିଁ ହେଉଚି ପ୍ରସ୍ତୁତ ହେବା । ଆପଣାକୁ ଓ ଆପଣାର କ୍ଷେତ୍ରକୁ ଭଲ କରି ଆବିଷ୍କାର କରିବା ହିଁ ହେଉଚି ଅପେକ୍ଷା କରିବା । ମୁଁ ଅପେକ୍ଷା ହିଁ କରିଚି, ଅପସରି ଯାଇଚି । ମୁଁ ପ୍ରତ୍ୟାବର୍ତ୍ତନ ଲାଗି ପ୍ରସ୍ତୁତ ହେଉଚି ।

 

୧୬ । ୧୨ । ୬୦

 

ଏଥର ଘରକୁ ଫେରି ଆସିବାକୁ ହେବ । ଆକାଶର ଧାବନପଥରୁ ଅନ୍ତରର ନୀଡ଼ ଭିତରକୁ ଫେରି ଆସିବାକୁ ହେବ । ଆକାଶକୁ ଭୁଲିଯିବା ପାଇଁ ନୁହେଁ, ଅନ୍ତରଭିତରେ ମଧ୍ୟ ଆକାଶକୁ ଅଧିକ ସତ୍ୟରୂପେ ଉପଲବ୍‌ଧି କରିବାପାଇଁ । ସଂସାରକୁ ଛାଡ଼ି ନୁହେଁ, ସକଳ ସଂସାରକୁ ସାଙ୍ଗରେ ନେଇ ମୋତେ ଅନ୍ତର ଭିତରେ ବସା ବାନ୍ଧିବାକୁ ପଡ଼ିବ । ମୋର ଅନେକ ବର୍ଷର ଧାଇଁବା ଭିତରେ ମୁଁ ଯାହା ଦେଖିଲି, ଯାହା ପାଇଲି, ଯାହାଦ୍ୱାରା ଅଭିଭୂତ ହେଲି ଓ ଯାହାର ଖିଅ ପାଇ ସଂସାରକୁ ବୁଝି ଶିଖିଲି, ସବୁଟିକୁ ଏକାଠି କରି ଅନ୍ତର ଭିତରେ ଦୀପ ଜାଳି ରଖିବାକୁ ହେବ-। ସେଠି ଅନ୍ତର ଭିତରେ ମଣିଷ ମଣିଷ ମଧ୍ୟରେ କୌଣସି ବ୍ୟବଧାନ ରହିବ ନାହିଁ, ବୁଦ୍ଧିର ନାନାବିଧ ବିଭାଜନରେ ସେଠି ହୃଦୟର କୌଣସି ପ୍ରବୃତ୍ତି, କୌଣସି ଭୌଗୋଳିକ କିମ୍ବା ଦୈଶିକ ଖଣ୍ଡରେ ବିଭକ୍ତ ହୋଇ ପଡ଼ିବନାହିଁ । ସକଳ ଧର୍ମରୁ ଶିଖିଥିବା ସାର ଓ ପ୍ରେରଣା ଦେଇ ଅନ୍ତର ଭିତରେ ମୋର ହୃଦୟର ଧର୍ମ ତିଆରି ହେବ । ସେହି ଧର୍ମର ମୂଳପ୍ରେରଣା ନେଇ ମୁଁ ଜୀବନରେ ପ୍ରତ୍ୟେକ ଧର୍ମର ଅନୁକରଣ କରିବି । ପୃଥିବୀରେ ଯେକୌଣସି ଦେଶ ବା ପ୍ରାନ୍ତର ମଣିଷକୁ ମୋର ଅନ୍ତରନୀଡ଼ ଭିତରେ ମୁଁ ଆପଣାପରି ଅନୁଭବ କରିବି । ଏଥିଲାଗି ମୋ’ ଆଖପାଖର ସଂସାର ମୋତେ ହୁଏତ ନିର୍ବୋଧ ବୋଲି କହିବ, ମୋତେ ଉଡ଼ା ଆଦର୍ଶବାଦୀ କହି ଗାଳି ଦେବ । ତଥାପି ମୋର ଅନ୍ତର ଭିତରେ ମୁଁ ମୋର ଆପଣା ଜୀବନଦୃଷ୍ଟି ଦେଇ ଆପଣାର ନଗର ବସାଇବି । ସଂସାରରୁ ସାଉଁଟି ଆଣିଥିବା ସମ୍ପଦକୁ ମୁଁ ମୋର ଅନ୍ତରର ଏହି ନୀଡ଼ରେ ସ୍ଥାୟୀ କରି ରଖିବାକୁ ଚାହେ ମଣିଷ ସମ୍ବନ୍ଧରେ ମୋର ଲବ୍‌ଧଜ୍ଞାନ ଓ ଅନ୍ତର୍ଦୃଷ୍ଟିକୁ ମୁଁ ହୃଦୟଭିତରେ ଗୋଟିଏ ପ୍ରତିମାରୂପେ ସ୍ଥାପନା କରି ରଖିବାକୁ ଚାହେଁ । ସଂସାରସମ୍ବନ୍ଧୀ ଜ୍ଞାନର ଚତୁର ଉପଯୋଗ କରି ମୁଁ ସଂସାରକୁ ଠକିବାକୁ ଚାହେଁନାହିଁ, ମଣିଷ ସହିତ ମୋର ଲବ୍‌ଧ ପରିଚୟରେ ଧୂର୍ତ୍ତତା ମିଶାଇ ମୁଁ ମଣିଷଠାରୁ ଲାଭ ଉଠାଇବାକୁ ଚାହେନାହିଁ । ଏହି ସଂସାରକୁ ମୁଁ ମଣିଷ ଉପଭୋଗ କରିବାର ଗୋଟାଏ ହାଟ ବୋଲି ବିଚାରେ ନାହିଁ । ସେଥିଲାଗି ଆଜି ଯେତେବେଳେ ପ୍ରାୟ ସବୁଆଡ଼େ ଏହି ହାଟର ସ୍ଳୋଗାନ୍ ଦିଆଯିବାକୁ ଆରମ୍ଭ ହେଲାଣି, ସେତେବେଳେ ମୋର ସମସ୍ତ ସାଉଁଟା ଧନ ନେଇ ମୁଁ ଅନ୍ତର ଭିତରକୁ ଚାଲିଯିବାକୁ ଚାହେଁ । ମୁଁ ଅନ୍ତର ଭିତରୁ ବଞ୍ଚିବାକୁ ଚାହେଁ । ମୁଁ ଘରକୁ ଫେରିଯିବାକୁ ଚାହେ ।

 

୧୭ । ୧୨ । ୬୦

 

ଜ୍ଞାନ ଓ ଭକ୍ତି ଭିତରେ ମୁଁ କୌଣସି ଭେଦ ଦେଖିପାରେ ନାହିଁ । ମୋର ଜ୍ଞାନ ମୋତେ ହୃଦୟ ଭିତରକୁ ବାଟ ଦେଖାଇଦିଏ । ହୃଦୟରେ ହିଁ ଉଦୟସ୍ଥାନର ଠାବ କରାଇଦିଏ । ମୋର ଭକ୍ତି ମୋତେ ଅଧିକ ଜାଣିବାକୁ, ଅଧିକ ଦେଖିବାକୁ ଓ ଅଧିକ ଚିହ୍ନିବାକୁ ଉଦ୍‌ବୁଦ୍ଧ କରେ । ଏହି ଅଧିକ ଜାଣିବାରେ, ଦେଖିବାରେ ଓ ଚିହ୍ନିବାରେ ପ୍ରବୃତ୍ତ ହୋଇ ହିଁ ମୁଁ ଅଧିକ ଅନୁଭବ କରି ଶିଖେ । ଅଧିକ ଜାଣି ମୁଁ ଅଳପ ଜାଣିବାର ଦୁର୍ଦ୍ଦଶାରୁ ରକ୍ଷା ପାଏ, ଅଧିକ ବୁଝି ମୁଁ ଅଳପ ବୁଝିବାର ବିପଦରୁ ରକ୍ଷା ପାଏ ଏବଂ ଅଧିକ ଜାଣିବା ଓ ବୁଝିବାର ବାଟ ହିଁ ଦେଖାଇଦିଏ, ମୋତେ ଆପଣା ଭିତରକୁ ବାଟ ଦେଖାଇଦିଏ । ଖ୍ରୀଷ୍ଟିଆନ୍ ଧର୍ମରେ ଖାଲି ଭକ୍ତି ଅଛି, ଖାଲି ବିଶ୍ଵାସ ଅଛି, ତେଣୁ ଏଥିରେ ମଣିଷର ଜ୍ଞାନ ସଙ୍କୁଚିତ ହୋଇଯାଇଚି; ଅମୁକ ଧର୍ମରେ ଖାଲି ଜ୍ଞାନ ଅଛି, ଭକ୍ତି ଓ ଶ୍ରଦ୍ଧା ନାହିଁ, ତେଣୁ କାଳକ୍ରମେ ତାହା କେବଳ ଶୁଷ୍କ ସୂତ୍ରସମୂହ ବା ମର୍ମହୀନ ଆଚାର ସମୂହରେ ପରିଣତ ହୋଇଯାଇଚି,–ଏହିପରି ବ୍ୟାଖ୍ୟାମାନ ପଢ଼ିଲାବେଳେ ମୁଁ ହଠାତ୍ ସେଗୁଡ଼ିକରେ ଅଧିଗମି ପାରେନାହିଁ । କାରଣ ଆପଣା ଜୀବନରେ ମୁଁ କଦାପି ଏପରି ଅନୁଭବ କରିନାହିଁ । ଅଧିକ ଜାଣି ମୁଁ ଅଧିକ ନମ୍ର ହୋଇଚି, ଅଧିକ ବୁଝି ମୁଁ ଅଧିକ ଶ୍ରଦ୍ଧାଶୀଳ ହୋଇଚି, ଆପଣା ଜୀବନର ସମର୍ପଣ ପଥରେ ମୁଁ ଅଧିକ ଆଗେଇ ଯାଇଚି । ସଂସାରରେ ଯେଉଁଠି ଅଭିଭୂତ ହୋଇଚି, ଶ୍ରଦ୍ଧା ଓ ଭକ୍ତିରେ ଯେଉଁଠି ଅଟକି ଯାଇଚି, ସେଠି ମୁଁ ଅଧିକ ଜାଣିବାକୁ ପ୍ରବୃତ୍ତ ହୋଇଚି ସେହି କ୍ଷେତ୍ର ଭିତର ଦେଇ ସମଗ୍ର କ୍ଷେତ୍ରର ପୃଷ୍ଠଭୂମିକୁ ଜାଣିବାଲାଗି ଉତ୍ସାହୀ ହୋଇ ବାହାରିଚି । ତେବେ ଆଉ ଦ୍ଵନ୍ଦ୍ୱ ରହିଲା କେଉଁଠି ? ମୋର ଅନୁଭବ ମୋତେ କହୁଚି ଯେ ଜ୍ଞାନ ଓ ଭକ୍ତିରେ କୌଣସି ଅନ୍ତର୍ଗତ ଦ୍ଵନ୍ଦ୍ୱ ନାହିଁ । ଯିଏ ଯେଉଁ ଦୃଷ୍ଟିରେ ଦିଓଟିରୁ ଗୋଟିକୁ ଗ୍ରହଣ କରେ, ସେ ସେହି ଅନୁସାରେ ଫଳ ପାଏ । ମଣିଷର ଦୃଷ୍ଟି ଭିତରେ ମୋହ ରହିଥିଲେ ଜ୍ଞାନ ଓ ଭକ୍ତି ଉଭୟ ତାକୁ ଅନ୍ଧ କରନ୍ତି, ଉଭୟେ ଅହଙ୍କାରରେ ପରିଣତ ହୁଅନ୍ତି । କିନ୍ତୁ ଦୃଷ୍ଟି ନିର୍ମଳ ରହିଥିଲେ ଏବଂ ହୃଦୟ ଭିତରେ ସଦିଚ୍ଛା ଥିଲେ ଗୋଟିଏ ଅନ୍ୟକୁ ବାଟ କଢ଼ାଇ ନେଇଥାଏ ।

 

୧୮ । ୧୨ । ୬୦

 

‘ଜୀବନ ବିଦ୍ୟାଳୟ’ ଛପା ସରିଆସୁଚି । ସେଇ ବହିଟିପାଇଁ ଗୋଟିଏ ନୂତନ ଭୂମିକା ଲେଖି ଦେବାପାଇଁ କାଲି ପ୍ରକାଶକଙ୍କର ତାଗିଦା ପାଇଲି । କି ଭୂମିକା ମୁଁ ଲେଖିଦେଇ ପାରିବି ? ମୋ’ ନିଜ ଜୀବନର ଭୂମିକା ହିଁ ହେଉଚି ‘ଜୀବନ ବିଦ୍ୟାଳୟ’ର ଭୂମିକା । ଜୀବନର ଅଭିଜ୍ଞତାରୁ ମୁଁ ଯାହାସବୁକୁ ସାର୍ଥକ ଜୀବନର ସାରବୋଲି ଗ୍ରହଣ କରିଥିଲି, ତାହାରି ଭୂମି ଉପରେ ମୁଁ ସେଠାରେ ମୋର କାର୍ଯ୍ୟ ଆରମ୍ଭ କରି ଦେଇଥିଲି । ମଣିଷମାତ୍ରକେ ସମସ୍ତଙ୍କୁ ବିଶ୍ଵାସ କରିବା, ମଣିଷମାତ୍ରକେ ସମସ୍ତଙ୍କୁ ମଣିଷର ଯୋଗ୍ୟ ସମ୍ମାନ ଦେବା, କୌଣସି ତଥାକଥିତ ବଡ଼ ମଣିଷ ପାଖରେ କୃତ୍ରିମ ଶ୍ରଦ୍ଧା, କୃତ୍ରିମ ବିଶ୍ଵାସ ବା କୃତ୍ରିମ ସମ୍ମାନ ଦେଖାଇ ଆପଣାକୁ ଲଘୁ କରି ନଦେବା, ଆପଣାର ଅନ୍ତର୍ଗତ ଜୀବନକୁ ମୂଳଭୂମି କରି ଜଣେ ଶିକ୍ଷକ ହିସାବରେ ଆଉ ସମସ୍ତଙ୍କର ଅନ୍ତର୍ଗତ ଜୀବନଲାଗି ଏକ ଯଥୋପଯୁକ୍ତ ବାତାବରଣ ସୃଷ୍ଟି କରିବା, ଆନନ୍ଦର ମୂଳସୂତ୍ରରେ ଶିକ୍ଷାର ସମସ୍ତ ଅଙ୍ଗ ଓ ଉପାଙ୍ଗକୁ ଏକାଠି ବାନ୍ଧିରଖିବା, ଆପଣାର ବା ଅପରର ଖୁଣଗୁଡ଼ାକୁ ନ ଉଖାରି ଗୁଣ ଗୁଡ଼ାକୁ ଉଦ୍‍ବୋଧିତ କରିବା,–ଏହିସବୁ ବିଶ୍ଵାସ ଉପରେ ମୁଁ ସେଠାରେ କାର୍ଯ୍ୟ ଆରମ୍ଭ କରିଥିଲି । ଶାନ୍ତିନିକେତନ ଓ ଇଉରୋପରୁ ଅର୍ଜନ କରିଥିବା ସ୍ଥାୟୀ ଅଭିଜ୍ଞତା ଗୁଡ଼ିକୁ ଆଶ୍ରା କରି ମୁଁ ମୋର କାର୍ଯ୍ୟ ଆରମ୍ଭ କରିଥିଲି । ସେହି କାର୍ଯ୍ୟରେ ମୁଁ ଆପଣାର ସବୁ ଭୁଲିଥିଲି । ଆପଣାକୁ ପରିପୂର୍ଣ୍ଣ ଭାବରେ ସମର୍ପଣ କରିଦେଇ ମୁଁ ଶିକ୍ଷକର କର୍ତ୍ତବ୍ୟ କରିବାକୁ ଚେଷ୍ଟା କରିଥିଲି । ସେହି ଅନୁଷ୍ଠାନର ଆନନ୍ଦ ଓ ବିକାଶମୟ ଧାରାକୁ ଯେପରି କୌଣସି ପ୍ରକାର ଜ୍ଵର ଗ୍ରାସ କରି ନପକାଏ, ସେଥିଲାଗି ମୁଁ ସର୍ବଦା ତତ୍ପର ରହିଥିଲି । ସ୍ଵତନ୍ତ୍ରତା ହିଁ ସେହି ବିଦ୍ୟାଳୟର ମୂଳ ଉତ୍‌ପ୍ରେରକ ଥିଲା । ଚମ୍ପତି ମୁଣ୍ଡାର ଅରଣ୍ୟ, ଆକାଶ ଓ ପର୍ବତ ଆମ ଜୀବନର ଅଂଶପରି ହୋଇ ରହିଥିଲେ । ସେଇ ଅରଣ୍ୟ ଭିତରେ ରହି ଆମେ ସମସ୍ତେ ଜଗତର ସମସ୍ତ ଧର୍ମ ଓ ସମସ୍ତ ସଂସ୍କୃତି ସହିତ ଖିଅ ବାନ୍ଧି ରଖିବାକୁ ଚେଷ୍ଟା କରୁଥିଲୁ । ସମସ୍ତ ସଂସାରର ସ୍ନେହ, ପ୍ରେମ ଓ ଆଶା ଆକାଙ୍‍କ୍ଷା ସହିତ ଆପଣାକୁ ଗଅଁଠାଇ ରଖୁଥିଲୁ । ଆଜି ଆମ ସଂସାରରେ ପ୍ରତ୍ୟେକ ପ୍ରକାର ସ୍ଵତନ୍ତ୍ର ପ୍ରବୃତ୍ତିକୁ ଆଦର୍ଶବାଦୀ ବା କ୍ଷମତାବାଦୀ କର୍ତ୍ତୃତ୍ଵ ହାତରେ ଠିକ୍ ଯେଉଁଭଳି ଆଘାତମାନ ସହିବାକୁ ହେଉଚି, ଚମ୍ପତ୍ତିମୁଣ୍ଡାକୁ ମଧ୍ୟ ସେହି ଆଘାତ ସହିବାକୁ ପଡ଼ିଲା ।

 

୧୯ । ୧୨ । ୬୦

 

The force of redemption from within;–ଭିତରୁ ହିଁ ମୁକ୍ତିର ଆହ୍ଵାନ ଆସିବ । ଏହିସବୁ ବିଭ୍ରମ, ବିକ୍ଷେପ ବା ବାଚାଳତା ଭିତରୁ ହିଁ ଅସାର ଓ ନିରର୍ଥକ ବୋଲି ମନେହେବ । ଅନ୍ଧାର ଅସହ୍ୟ ମନେହେବ, ଜଡ଼ାତା ଅସହ୍ୟ ମନେହେବ, ଏହି ନିଦ୍ରା ଓ ବିସ୍ମରଣ ମଧ୍ୟ ଅସହ୍ୟ ମନେହେବ । ତେବେଯାଇ ସେହି ମୁକ୍ତିକୁ ଯଥାର୍ଥ ମୁକ୍ତି ବୋଲି କୁହାଯାଇପାରିବ । କିନ୍ତୁ ସେହି ଶକ୍ତି ଯେପର୍ଯ୍ୟନ୍ତ ମୋ’ ଭିତରୁ ଅନୁଭୂତ ନହୋଇଚି, ସେପର୍ଯ୍ୟନ୍ତ ବାହାରର କୌଣସି ପଥ, ମତ ଓ କୌଣସି ଦୀକ୍ଷା ମୋର କିଛି କରିପାରିବ ନାହିଁ । ମୁଁ ଅନେକ ସମୟରେ କେଇଟା ସୂତ୍ର ଆୟତ୍ତ କରି ମୁକ୍ତି ପାଇଯିବି ବୋଲି ଭ୍ରମ କରିଥାଏ, କେଇଟା ନୀତି ବା କେଇଟା ଆଚାରକୁ ଆୟତ୍ତ କରି ପାରିହୋଇଯିବି ବୋଲି ଭାରି ଆସ୍ଫାଳନ କରେ । ଅନ୍ତର ଭିତରେ କେଇଟା ଭୟ ବା କେଇଟା ମୋହକୁ ଠାକୁର କରି ବସାଇଦେଲେ ମୋର ସବୁକିଛି ସିଦ୍ଧ ହୋଇଯିବ ବୋଲି ମୁଁ ଭାରି ବଡ଼ାଇ କରିଥାଏ । କେଉଁ ବାଦ ବା ବାଟର ପିତୁଳାଗୁଡ଼ାକୁ ମୋ’ ଭାବପ୍ରବଣତା ଦ୍ଵାରା ଅତିରଞ୍ଜିତ କରିପକାଇ ଉଦ୍ଧାର ପାଇଯିବି ବୋଲି ମୁଁ କେତେ ଦମ୍ଭ ବାନ୍ଧିଥାଏ । କିନ୍ତୁ ମୋର ସବୁ ଦମ୍ଭ ଭାଙ୍ଗିଯାଏ । ଜୀବନର ଗୋଟିଏ ଗୋଟିଏ ଭୟଙ୍କର ମୁହୂର୍ତ୍ତରେ କେବଳ ମୋର ଶୂନ୍ୟତାଟାହିଁ ମୋତେ ଗିଳି ପକାଇବାକୁ ଦଉଡ଼େ, ବାହାରର କୌଣସି ବସନାଭରଣ ମୋତେ ବଞ୍ଚାଇ ରଖିପାରେ ନାହିଁ । ମୋ’ ହୃଦୟର କ୍ଷେତ୍ର କହେ ଯେ ସେହିଠାରୁ ହିଁ ସମସ୍ତ ମୁକ୍ତିର ଅଙ୍କୁରୋଦ୍‍ଗମ କରାଇବାକୁ ପଡ଼ିବ । ମୋର ଭିତରୁ ହିଁ ସେହି ମୁକ୍ତିର ଆଗ୍ରହ ଜନ୍ମଲାଭ କରିବ । କିନ୍ତୁ ତାହା କେବେ ହେବ ?

 

୨୦ । ୧୨ । ୬୦

 

ମୁଁ ଜାଣେ, ଚିତ୍ତର ଏହି ସ୍ଖଳନ ସବୁବେଳେ ସ୍ଥାୟୀ ହୋଇ ରହିବ ନାହିଁ । ତଥାପି ଆଜି ମୁଁ ଆପଣା ଉପରେ ଆଦୌ ସନ୍ତୁଷ୍ଟ ନୁହେଁ । ଏହି ବାସନା, ଏହି କାମନା, ଏହି ଜ୍ଵର ଓ ଏହି ବ୍ୟାଧିତ ଉଦ୍‌ବେଗ–ଆଜି ସବୁ ଯେପରି ମୋତେ ଦିନସାରା ଉତ୍‌ପୀଡ଼ିତ କରିବାରେ ଲାଗିଚନ୍ତି । ଆପଣା ଭିତରେ ଆପେ ସନ୍ତୁଷ୍ଟ ନ ରହିଲେ ସାରା ସଂସାରରେ କିଛିହେଲେ ଭଲ ଲାଗେନାହିଁ । ଆପଣାକୁ ନେଇ ଆଗକୁ କିଛି ଚିନ୍ତା କରିବାକୁ ବା କିଛି ଯୋଜନା କରିବାକୁ ସେତେବେଳେ ସତ୍ୟ ପ୍ରତି ବ୍ୟଙ୍ଗ କଲାପରି ମନେହୁଏ । ଆଜି ମୋର ତାହାହିଁ ହୋଇଚି । ମୁଁ ନୀତିବାଦୀ ନୁହେଁ, ତଥାପି ଆପଣା ଜୀବନରେ ନୀତି ଭ୍ରଷ୍ଟତାକୁ ମୁଁ କଦାପି ଏକ ଆଦର୍ଶ ରୂପେ ଗ୍ରହଣ କରିନାହିଁ । ନୈତିକତା ନାମରେ ଉପରୁ କୌଣସି ମଣିଷ ଉପରେ କୌଣସିପ୍ରକାର ଦୌରାତ୍ମ୍ୟ ହେବା ଆଦୌ ଉଚିତ ନୁହେଁ । କିନ୍ତୁ ତା’ବୋଲି ପ୍ରତ୍ୟେକ ମଣିଷର ଜୀବନରେ ଯେ କୌଣସିପ୍ରକାର ନୀତି ନରହୁ, ମୁହୂର୍ତ୍ତ ମୁହୂର୍ତ୍ତ ଦ୍ଵାରା ଉତ୍ତେଜିତ ହୋଇ ସେ କେବଳ ଗୋଟାଏ ମେସିନ୍ ପରି ଖାଲି reacted ହେବାରେ ଲାଗିଥାଉ, ତା’ଭିତରୁ କୌଣସି ନିୟମ ବା ନୀତି ତାକୁ ପରିଚାଳିତ ନକରୁ, ମୁଁ ଏକଥା କେବେହେଲେ କଳ୍ପନା ମଧ୍ୟ କରିପାରେ ନାହିଁ । ମଣିଷ ଜୀବନର ଅଭିଜ୍ଞତା, ଆପଣାକୁ ନେଇ ତା’ର ଆପଣାର ଯୋଜନା, ଆପଣା ବିଷୟରେ ତା’ର ଆପଣାର କଳନା,–ଏହିସବୁର ସାହାଯ୍ୟରେ ପ୍ରତ୍ୟେକ ମଣିଷ ତା’ର ଆପଣା ମାର୍ଗକୁ ନିୟନ୍ତ୍ରିତ କରିବାପାଇଁ କେତୋଟି ନୀତି ଗ୍ରହଣ କରି ନେଇଥାଏ । କୌଣସି ବାହ୍ୟ ଶାସନର ଜବରଦସ୍ତି ବା ଭୟରେ ପଡ଼ି ନୁହେଁ, ଆପଣାର ଅନ୍ତର୍ଗତ ଆବଶ୍ୟକତା ଦ୍ଵାରା ଉତ୍‌ପ୍ରେରିତ ହୋଇ ସେ ଆପଣା ଜୀବନରେ ଏହି ନୀତିଗୁଡ଼ିକର ନିର୍ଦ୍ଧାରଣ କରିଥାଏ । ସେହି ନୀତି ଗୁଡ଼ିକର ସୁସଙ୍ଗଠିତ ଭୂମି ଉପରେ ସେ ଜୀବନ ବଞ୍ଚେ, ଏବଂ ତାହାରି ସାହାଯ୍ୟରେ ଆଗକୁ ବାଟ ଚାଲେ । ମୋ’ ଜୀବନରେ କ’ଣ ସେପରି କୌଣସି ନୈତିକ ନାହିଁ ? ଆପଣାର ଜୀବନକୁ ଠିଆ କରାଇ ରଖିବାଲାଗି ମୁଁ କ’ଣ ଏପର୍ଯ୍ୟନ୍ତ ନୈତିକ ସ୍ତମ୍ଭ ଗଢ଼ି ପାରିନାହିଁ ? କେବଳ ବାସନା, କେବଳ ଉତ୍ତେଜନା, କେବଳ ନାନା ଲାଳସା,–ମୋ’ଜୀବନ କ’ଣ ଏପର୍ଯ୍ୟନ୍ତ ଏଇ ଗୁଡ଼ାକର ଜାଲରେ ଛନ୍ଦି ହୋଇ ରହିଚି, ଏପର୍ଯ୍ୟନ୍ତ ଖାଲି ସ୍ଵପ୍ନ ଦେଖୁଚି ?

 

୨୧ । ୧୨ । ୬୦

 

ମୋ’ ଜୀବନକୁ ମୁଁ ଠିକ୍ ଯେପରି ଭାବରେ ଦେଖେ, ଏହି ଖାତାରେ ମୁଁ ତାହାର ଠିକ୍ ସେହିପରି ପ୍ରତିଲିପି ଲେଖି ରଖେ । ତେଣୁ ଏଠାରେ ବସି ମୁଁ ପ୍ରତିଦିନ ଯାହା ଲେଖେ, ତାହା କେବଳ ମୋର ଆପଣା ବିଷୟରେ ହିଁ ଲେଖେ । ଆପଣାର ଦୁଃଖ ଓ ଆପଣାର ଆନନ୍ଦ, ଆପଣାର ଗୌରବ ଓ ଆପଣାର ଗ୍ଲାନି,–ସବୁ ଏହିଠାରେ ଲେଖି ରଖେ । ମୋ’ ଜୀବନର ବିଭିନ୍ନ ମୁହୂର୍ତ୍ତରେ ଘଟିଯାଉଥିବା ନାନା ସଙ୍କୁଚନ ଓ ପ୍ରସାରଣର ଇତିହାସ ଏଠାରେ ଲେଖାହୋଇ ରହେ । ମୋ’ ଜୀବନର ମାର୍ଗରେ, ଅର୍ଥାତ୍ ଜୀବନର ମାର୍ଗ ତିଆରି କରି ଆପଣାର ବାଟ ଚାଲିବାବେଳେ ଏହି ପ୍ରତ୍ୟେକଟି କାହାଣୀର କେବଳ ଯେ ଏକ ଆବଶ୍ୟକତା ରହିଥାଏ ତା’ନୁହେଁ, ପ୍ରତ୍ୟେକଟି କାହାଣୀର ମୁଁ ମୋର ଭାରି ଅନ୍ତରଙ୍ଗ ବୋଲି ବି ମନେ କରିଥାଏ । ଏହି ଖାତା ଉପରେ ପଣ୍ଡିତାଇ କରି ମୁଁ କୌଣସି ରଚନା ବା ପ୍ରବନ୍ଧ ଲେଖିବାକୁ ଯାଏନାହିଁ, ଆପଣାକୁ କୌଣସିପ୍ରକାରେ ଦଣ୍ଡ ବା ପୁରସ୍କାର ଦେଇ ବସେନାହିଁ । ମୁଁ, କେବଳ ଆପଣାର କଳନା କରିବାକୁ ଚେଷ୍ଟା କରେ, ତଦ୍ଦ୍ଵାରା ଆପଣାକୁ ବୁଝିବାକୁ ମଧ୍ୟ ଚେଷ୍ଟା କରେ । ମୁଁ ଆହୁରି ପାଦେ ଆଗକୁ ଯାଇ କହିବି ଯେ ଆପଣାକୁ ମୁଁ ଯଥାଶକ୍ତି ସହାନୁଭୂତି ସହିତ ବୁଝିବାକୁ ଚେଷ୍ଟା କରେ । ହଁ, ଏହି ବୁଝିବାର ପ୍ରୟାସରେ ମୋର ବିଶ୍ଵାସଟା ମୋତେ ବାଟ ବଢ଼ାଇଦିଏ, ମୋତେ ସମ୍ଭାବ୍ୟ ମାର୍ଗର ସୂଚନା ଦିଏ, ସେହି ବାଟରେ ଚାଲିବାଲାଗି ପ୍ରେରଣା ଦିଏ । ସେହି ବିଶ୍ଵାସ ହେଉଚି ଆପଣା ଉପରେ ବିଶ୍ଵାସ । ଯିଏ ମୋ’ଭିତରେ ରହି ନାନା ରହସ୍ୟମୟ ରୀତିରେ ମୋତେ ଆଗକୁ ନେଇଯିବାକୁ ଚାହୁଚି, ଯିଏ ମୋତେ ଆପଣାର ଅନୁଭବ ଦ୍ଵାରା ସକଳ ବିଶ୍ଵ ସହିତ ଏକାତ୍ମ ହେବାର ସୂତ୍ର ବତାଇ ଦେଉଚି, ଯିଏ ଭିତରେ ରହିଚି ବୋଲି ଏହି ସଂସାରରେ ଘରେ ଥିବାପରି ମନେହେଉଚି, ଯାହାପାଇଁ ମୋତେ ମଣିଷ, ପ୍ରକୃତି, ଆକାଶ ଓ ଆଲୁଅ ସବୁ ଭଲ ଲାଗୁଚି, ତାହାରିଠାରେ ବିଶ୍ଵାସକୁ ହିଁ ମୁଁ ଆପଣା ଉପରେ ବିଶ୍ଵାସ ବୋଲି କହେ । ଏହି ବିଶ୍ଵାସର ସାତୋଟି କାହିଁକି, ଗୋଟିଏ ବୋଲି କାରଣ ନାହିଁ । ଏହା କେବଳ ବିଶ୍ଵାସ ମାତ୍ର ।

 

୨୨ । ୧୨ । ୬୦

 

ହଁ, ମୁଁ ତାହାରି ଉପରେ ହିଁ ବିଶ୍ଵାସ ରଖିଚି । ସଂସାରର ନାନା ଜାଲ ଓ ବିଭ୍ରମ ଭିତରେ ପଡ଼ିଗଲେ ମଧ୍ୟ ମୁଁ ତାହାରି ଉପରେ ବିଶ୍ଵାସ ରଖିଚି । ସେହି ବିଶ୍ଵାସଲାଗି ବଞ୍ଚିରହିଚି, ସେହି ବିଶ୍ଵାସଲାଗି ବାଟ ଚାଲୁଚି, ସେହି ବିଶ୍ଵାସଲାଗି ମୁଁ ମଣିଷ ସହିତ ନିର୍ଭୟ ଓ ଅପ୍ରମତ୍ତ ଭାବରେ ମିଳିତ ହୋଇ ପାରୁଚି । ସେହି ବିଶ୍ଵାସ ସକାଶେ ହିଁ ମୁଁ ଆଶା ରଖିଚି । ସେହି ବିଶ୍ଵାସଲାଗି ମୋର ଏହି ଜୀବନରେ କୋଉଠି କିଛି ହରାଇବା ପରି ଲାଗୁନାହିଁ । ଆଉଟିକିଏ ଗଲେ ପୂର୍ବଦିଗରେ ସେହି ବିଶ୍ଵାସର ପ୍ରତୀକ ସୂର୍ଯ୍ୟ ହୋଇ ଉଦିତ ହେବ । ବର୍ତ୍ତମାନଠାରୁ ତାହାରି ସଜବାଜ ଆରମ୍ଭ ହୋଇଗଲାଣି । ଆକାଶର ଅଙ୍ଗନ ଉପରେ ନାନା ଅନୁଭୂତିର ସ୍ପନ୍ଦନ ଖେଳିଯାଉଚି । ସତେ ଯେପରି କାହାର ଅଦୃଶ୍ୟ ହାତ ତା’ଉପରେ ଚିତା ଲେଖି ଚାଲିଯାଉଚି । ଚାରିଆଡ଼େ ଚଢ଼େଇମାନେ ରହିରହି ଆଳାପ ଆରମ୍ଭ କରିଦେଲେଣି । ମୋ’ ଛାତିର ବାଲିବନ୍ଧ ସେପାଖରେ ମୁଁ ଆପଣା ଭିତରେ ସତେ ଯେପରି କେଉଁ ସିନ୍ଦୁର ଗର୍ଜନ ଶୁଣିପାରୁଚି, ଛାତିଭିତରେ କେଉଁ ପୂର୍ବଦିଗରେ ନାନା ରଙ୍ଗର ଚିତା ଉକୁଟିବାରେ ଲାଗିଚି । ସେଠାରେ ମଧ୍ୟ ସୂର୍ଯ୍ୟୋଦୟ ହେବ, ସେଠି ପ୍ରତିଦିନ ବି ଏହିପରି ସୂର୍ଯ୍ୟୋଦୟ ହୁଏ । ଏହାହିଁ ମୋର ବିଶ୍ଵାସ । ସଂସାରର ସମସ୍ତ ନିରାଶା ଓ ବିଶ୍ଵାସହୀନତା ସତ୍ତ୍ୱେ ମୁଁ ତଥାପି ବିଶ୍ଵାସ ରଖିଚି । ମଣିଷ ଉପରେ ବିଶ୍ଵାସ ରଖିଚି, ଜଗତର ଶୁଭ ଉପରେ ବିଶ୍ଵାସ ରଖିଚି, କାରଣ ସବାମୂଳରେ ମୁଁ ଆପଣା ଉପରେ ମଧ୍ୟ ବିଶ୍ଵାସ ରଖିଚି । ମୁଁ ହଟି ଯିବିନାହିଁ । ପରିସ୍ଥିତିକୁ ମୋର ନିର୍ଣ୍ଣାୟକ ବୋଲି ମାନି ନେବିନାହିଁ । ସଂସାରଟା ଅବାଗିଆ ହୋଇଗଲା ବୋଲି କୈଫିୟତ୍ ଦେଇ ମୁଁ ଅମଣିଷପଣିଆ ଲାଗି ପ୍ରଲୁବ୍‌ଧ ହୋଇ ପଡ଼ିବି ନାହିଁ । ଜୀବନରେ ମୋର ଅନ୍ୟକୌଣସି Orthodoxy ବା ଅନମନୀୟତା ନାହିଁ । ଏହାହିଁ ମୋର ଏକମାତ୍ର ଅନମନୀୟତା,–ଇଂରାଜୀରେ କହିବାକୁ ଗଲେ ମୋ’ ଜୀବନର ଏକ fundamental orthodoxy,–ମୁଁ ସବୁ ଛାଡ଼ିବାକୁ ପ୍ରସ୍ତୁତ ଅଛି, ସବୁ ଜାତି ଓ ସବୁ ନୀତି ହରାଇ ଯେତେଇଚ୍ଛା ହୁଗୁଳା ହେବାକୁ ମୋର କୌଣସି ଭୟ ନାହିଁ । କିନ୍ତୁ ଏହି ବିଶ୍ଵାସଟିକକ ଛାଡ଼ିବାଲାଗି ମୁଁ ଆଦୌ ପ୍ରସ୍ତୁତ ନୁହେଁ । ମୁଁ ସଂସାରରେ ଯେତେ ଯାହା ଜାଣିଚି, ବୁଝିଚି, ପାଇଚି ବା ଅନୁଭୂତିରେ ଚିହ୍ନିଚି, ସେଇସବୁର ସର୍ବପ୍ରଧାନ ଦାନ ହେଉଚି ମୋର ଏହି ବିଶ୍ଵାସଟିକକ । ଏହାହିଁ ମୋ’ଜୀବନର ମହତ୍ତମ ସମ୍ପଦ, ଏହାହିଁ ମୋର ଭୂମି,–ମୋର ଜୀବନବିଚରଣର ମୂଳସୂତ୍ର । ଏହି ବିଶ୍ୱାସଟିକକ ଛାଡ଼ିବାକୁ ମୁଁ କୌଣସିପ୍ରକାରେ ରାଜି ନୁହେଁ ।

 

୨୩ । ୧୨ । ୬୦

 

ଭଗବାନଙ୍କର ପଥରେ ଅଗ୍ରସର ହେଲାବେଳେ ଆପଣା ସଫଳତାର ପ୍ରମାଣ ପାଇବାକୁ ଓ ସଂସାରର ଅନ୍ୟମାନଙ୍କ ଠାରୁ ଆପଣାର ଉତ୍କର୍ଷ ଦେଖାଇବାକୁ ଭକ୍ତିମାନେ ସିଦ୍ଧି ଓ ବିଭୂତିର କାମନା କରିଥାଆନ୍ତି । ଯୋଗଶାସ୍ତ୍ରରେ ଏହିସବୁ ସିଦ୍ଧି ଓ ବିଭୂତିର ଚର୍ଚ୍ଚା କରାଯାଇଚି । କେତେକ ଯୋଗୀ ବା ଯୋଗବିଶାରଦ ପ୍ରଧାନତଃ ସିଦ୍ଧି ବିଭୂତିକୁ ଭୂମି କରି ଯୋଗମାର୍ଗରେ କୌଣସି ବ୍ୟକ୍ତିର ସଫଳତା ବା ବିଫଳତାର କଳନା କରିଥାନ୍ତି । ମୁଁ ଏସବୁ ପଢ଼େ, ଶୁଣେ, ହୁଏତ ବୁଝେ, ମାତ୍ର ଏସବୁର ଆଦର କରିପାରେ ନାହିଁ । ବା ଏସବୁ ପ୍ରତି କୌଣସି ଆକର୍ଷଣ ଅନୁଭବ କରିପାରେ ନାହିଁ । ଏହି ଆକର୍ଷଣ ଅନୁଭବ ନକରିବା ଲାଗି ମୋତେ ଆପଣା ଭିତରେ କେବେହେଲେ କୌଣସି ସଂଗ୍ରାମ କରିବାକୁ ପଡ଼ିନାହିଁ । ଏହି ଅନାଦର–ପ୍ରଦର୍ଶନ ଅତି ସହଜଭାବରେ ମୋର ସ୍ଵଭାବଗତ ହୋଇଯାଇଚି । ମୋର ଯୋଗ ବିଭୂତିଯୋଗ ନୁହେଁ, ମୋର ଯୋଗ କାମନାଯୋଗ ନୁହେଁ । ଏହି ସଂସାରରେ ଅପର ମଣିଷଠାରୁ ଦୂରରେ ରହି ଭଗବାନଙ୍କର ନିର୍ବାଚିତ (chosen) ବା କ୍ଷମତାପ୍ରାପ୍ତ ଏଜେଣ୍ଟ୍ ହେବାଲାଗି ମୁଁ କେବେହେଲେ କୌଣସିପ୍ରକାର ଉତ୍ସାହ ଅନୁଭବ କରିନାହିଁ । ଯେଉଁମାନେ ଏସବୁ କରନ୍ତି, ଏହି ସବୁର ଗୌରବ ଓ ଗୁଣଗରିମା ପ୍ରଚାର କରନ୍ତି, ସେମନଙ୍କ ପ୍ରତି ମୁଁ କୌଣସି ଈର୍ଷାଭାବ ବି ଅନୁଭବ କରିନାହିଁ । ମୋର ଯୋଗ ହେଉଚି ଜୀବନଯୋଗ । ଜୀବନ କହିଲେ ଇହ, ପରତ୍ର, ଅତୀତ, ବର୍ତ୍ତମାନ, ଭବିଷ୍ୟତ, ଏପାଖ ଓ ସେପାଖ ଯାହାକିଛି ବୁଝାଏ, ମୋର ଯୋଗ ହେଉଚି ତାହାରି ଯୋଗ । ଏବଂ ଏହି ଯୁକ୍ତ ହେବାର ପଥରେ ମନର ଆନନ୍ଦ ହେଉଚି ମୋର prime mover,–ସର୍ବପ୍ରଧାନ ଉତ୍‌ପ୍ରେରକ । କେବଳ ଏହି ଖୁସି ବ୍ୟତୀତ ଆଉ କିଛି ପାଇବାକୁ ବା ହେବାକୁ ମୁଁ ଯୋଗସାଧନାରେ ଜୀବନଭ୍ରଷ୍ଟ ହେବାକୁ ଚାହେନାହିଁ ।

 

୨୪ । ୧୨ । ୬୦

 

ଏକାକୀ ହୋଇ ମୁଁ ଏହି ବାଟ କଦାପି ଚାଲି ପାରୁନଥାନ୍ତି । କେବଳ ଆପଣାର ବିଚ୍ଛିନ୍ନ ଶକ୍ତିଉପରେ ନିର୍ଭର କରି ମୁଁ କଦାପି ଆପଣାର ପଥଉପରେ ଠିଆହୋଇ ପାରୁନଥାନ୍ତି । ଏକା ଏକା ଏହି ଦୁଃଖ ଓ ସୁଖର ଜ୍ଵର ସହିବାକୁ ମୋର କୌଣସି ସମର୍ଥତା ମଧ୍ୟ ନଥାନ୍ତା । ମୁଁ ଅନୁଭବ କରେ ଯେ ମୁଁ ଯାହାକୁ ‘ମୁଁ’ ବୋଲି କହେ, ସେହି ମୁଁ କେବଳ ଏକ ଏକୁଟିଆ ‘ମୁଁ’ ନୁହେଁ । ଜଣେ ପରମସଙ୍ଗୀ ଏହି ‘ମୁଁ’ର ପାଖେପାଖେ ରହି ତାହାକୁ ବଳବାନ କରୁଚି । ତାହାକୁ ବିଶ୍ଵାସବାନ୍ କରିବାରେ ଲାଗିଚି । ଯେଉଁ ପଥରେ ମୁ ବାଟ ଚାଲିଯାଉଚି, ସେହି ପଥ ମଧ୍ୟ କଦାପି ମୋର ସଂପୂର୍ଣ୍ଣ ଅପରିଚିତ ନୁହେଁ । ସେହି ପଥଉପରେ ମୁଁ ଯାହାର ପାଦଚିହ୍ନ ଦେଖିବାକୁ ପାଉଚି, ମୋ’ ଅନ୍ତର ଭିତରେ ମୋ’ ଅନୁଭୂତିର ଅନ୍ତରଙ୍ଗତମ ପଥ ଉପରେ ମଧ୍ୟ ମୁଁ ଠିକ୍ ସେହି ପାଦଚିହ୍ନ ଦେଖିବାକୁ ପାଉଚି । ଏହାହିଁ ହେଉଚି ମୋ’ ନିର୍ଭୟର ସର୍ବମୂଳ କାରଣ । ତେଣୁ ଏକାଏକା ବାଟ ଚାଲୁଥିଲେ ମୋ’ ଭିତରେ ଯେଉଁ ଭୟ ଥାଆନ୍ତା, ଯେଉଁ ଶଙ୍କା ଥାଆନ୍ତା, ହାରିଯିବାର ଯେଉଁ ପ୍ରମାଦ ଥାଆନ୍ତା, ମୋତେ ଆଉ ସେସବୁର ଦୁଃଖ ଭୋଗିବାକୁ ପଡ଼ୁନାହିଁ । ମଣିଷର ସମୀପବର୍ତ୍ତୀ ହେଲାବେଳେ ମୋତେ ଆଉ ଝିଙ୍କପକ୍ଷୀ ପରି ସତର୍କ ହୋଇ ଯିବାକୁ ପଡ଼ୁନାହିଁ । ମୋର ପରମସଙ୍ଗୀ ଅତି ସହଜ ଭାବରେ ମୋତେ ସବୁ ମଣିଷଙ୍କ ପାଖକୁ ଓ ସବୁ କ୍ଷେତ୍ରକୁ ବାଟ ଦେଖାଇ ନେଇଯାଉଚି । ତାହାରି ସଙ୍ଗର ପୁଣ୍ୟରେ ମୁଁ ସବୁ କ୍ଷେତ୍ରରେ ସତେ ଅବା ତୀର୍ଥର ସଙ୍ଗ ଲାଭକରି ପାରୁଚି । ନା–କେବଳ ଆପଣା ଭିତରେ ସୀମିତ ରହି କେବଳ ଆପଣାର ଶକ୍ତି ଉପରେ ନିର୍ଭର କରିବାର ଉଗ୍ର ଜୀବନ ମୋର ଲୋଡ଼ା ନାହିଁ । ଆପଣାକୁ ମୁଁ ସେପରି ଭାବରେ ଆଦୌ ଶକ୍ତ କରିବାକୁ ଚାହେ ନାହିଁ । ମୋର ସ୍ନେହ, ପ୍ରେମ, ମମତା ଓ ଅନୁରକ୍ତି ଭିତରେ ମୁଁ ଆଦୌ ସେହି ଶକ୍ତିର କାମନା କରୁନାହିଁ । ମୋର ସଙ୍ଗେସଙ୍ଗେ ରହିଥିବା ପରମସଙ୍ଗୀକୁ ଛାଡ଼ିଦେଲେ ମୋର ଏହି ଜୀବନରେ କୌଣସି ମୂଲ୍ୟ ହିଁ ନାହିଁ, କୌଣସି ଆକର୍ଷଣ ହିଁ ନାହିଁ’, ଏହାକୁ ହିଁ ମୁଁ ମୋ’ ଜୀବନର ପରମସତ୍ୟ ରୂପେ ଗ୍ରହଣ କରିଚି । ମୋର ସକଳ ଦେଖିବା ଭିତରେ ହୁଏତ ସେହି ପରମସଙ୍ଗୀ ରହି ଦେଖୁଚି ବୋଲି ଏହି ଦେଖା ଏପରି ଆନନ୍ଦମୟ ହୋଇପାରୁଚି । ଏହି ଚିହ୍ନିବା ଓ ଆପଣାର କରିନେବା ଭିତରେ ହୁଏତ ସେହି ସଙ୍ଗୀ ହିଁ ରହି ଚିହ୍ନୁଚି ଓ ଆପଣାର କରୁଚି ବୋଲି ଏହି ଜୀବନର ପ୍ରତିକ୍ଷଣ ଏତେଦୂର ମଧୁମୟ ହୋଇପାରୁଚି । ମୋର ସକଳ ଅନୁଭୂତିରେ ମୁ’ ତାହାକୁ ହିଁ ଅନୁଭବ କରୁଚି । ଏହାହିଁ ମୁକ୍ତି ।

 

୨୫ । ୧୨ । ୬୦

 

ଆଜି ଏହି ପରମଜନ୍ମର ପୂଣ୍ୟଦିବସରେ ଯଦି ମୁଁ ମଧ୍ୟ ଆପଣା ଭିତରେ ଜନ୍ମଲାଭ କରି ନପାରିବି, ତେବେ ମୋ’ ପାଇଁ ଏହି ଜନ୍ମତିଥିଟିର କୌଣସି ମହତ୍ତ୍ଵ ହିଁ ନାହିଁ । ମୋ’ ଭିତରେ ଯୋଉଁଠି ଯୋଉ ପୁରୁଣାଗୁଡ଼ାକ ରହିଥିଲା, ସେଗୁଡ଼ାକ ଯଦି ସେଇଠି ଠିକ୍‍ ସେହିପରି ରହିଥିବ; କାଲି ପର୍ଯ୍ୟନ୍ତ ଯେଉଁ ବିକାର ଓ ବାସନାଗୁଡ଼ାକ ମୋତେ ବ୍ୟସ୍ତବିକଳ ଓ ଆତ୍ମଚ୍ୟୁତ କରି ରଖିଥିଲା, ଯଦି ଆଜି ମଧ୍ୟ ସେହି ବିକାର ଓ ବାସନାଗୁଡ଼ାକ ମୋତେ ଜ୍ଵରାକ୍ରାନ୍ତ ଓ ଉତ୍ତେଜିତ କରି ରଖିଥିବ, ତେବେ ମୋ’ ଲାଗି ଏହି ପୂଣ୍ୟ ଦିବସଟିର କୌଣସି ମହତ୍ତ୍ଵ ନାହିଁ । ତେବେ ମୋତେ ସ୍ଵୀକାର କରିବାକୁ ହେବ ଯେ ମୁଁ ଏହି ଦିନଟିର ଆହ୍ଵାନକୁ ଆଦୌ ଶୁଣି ପାରିନାହିଁ । ସାଧାରଣ ଦିନଠାରୁ ବିଶେଷ ଉତ୍ସବଦିନ ଗୁଡ଼ିକର ବିଶେଷତ୍ଵ ବୁଝି ଯେଉଁଠି ସେଗୁଡ଼ିକୁ ଗ୍ରହଣ କରି ନେବା କଥା, ମୁଁ ତାହାକୁ ସେଠି ଗ୍ରହଣ କରିପାରି ନାହିଁ । ଏହି ଦିନଟିକୁ ମୁଁ ଆଜି ଅନୁଭବ କରିପାରି ନାହିଁ-। ଏହି ଦିନଟି ଖ୍ରୀଷ୍ଟିଆନ୍ ହେଉ କିମ୍ବା ଅଣଖ୍ରୀଷ୍ଟିଆନ୍ ହେଉ, ପ୍ରସ୍ତୁତ ଥିବା ଯେକୌଣସି ବ୍ୟକ୍ତି ପାଇଁ ଏହା ଏକ ମହତ୍ତ୍ଵପୂର୍ଣ୍ଣ ଦିନ । କେଉଁ ଖ୍ରୀଷ୍ଟିଆନ୍ ହୁଏତ ଆଜି ଭାରି ଜାକଜମକ ଓ ଆଡ଼ମ୍ବରରେ ସଜ୍ଜିତ ଭୋଜନ ସାମଗ୍ରୀ ଭିତରେ ଭାରି ଉଲ୍ଲସିତ ହୋଇ ବନ୍ଧୁବାନ୍ଧବ ଗ୍ରହଣରେ ଏହି ପର୍ବଟିର ପାଳନ କରୁଥିବ, କିନ୍ତୁ ସିଏ ତଥାପି ହୁଏତ ପର୍ବଟିର ଯଥାର୍ଥ ଆହ୍ଵାନକୁ ଶୁଣି ପାରୁନଥିବ-। ଆଚାରର ଆଡ଼ମ୍ବର ଭିତରେ ବୁଡ଼ି ରହିଥିବା ବ୍ୟକ୍ତି ଯେତେ ଧର୍ମଭୀରୁ ହେଲେ ମଧ୍ୟ ଧର୍ମର ଅସଲ ଆହ୍ଵାନଟିକୁ ଶୁଣିପାରେ ନାହିଁ । ତେଣୁ ଭେକରେ ଖ୍ରୀଷ୍ଟିଆନ୍ ବା ହିନ୍ଦୁ ବୋଲାଇଲେ ଯେ ଖ୍ରୀଷ୍ଟିଆନ୍ ବା ହିନ୍ଦୁଧର୍ମର ଆହ୍ଵାନକୁ ଶୁଣିବାର ସାମର୍ଥ୍ୟ ଅର୍ଜନ କରାଯାଇପାରିବ, ଏହା ସବୁକ୍ଷେତ୍ରରେ କଦାପି ସତ୍ୟ ହୋଇପାରିବ ନାହିଁ । ଯିଏ ଶୁଣିବ, କେବଳ ତାହାକୁ ହିଁ ଶୁଣାଯିବ । ଯିଏ ପ୍ରସ୍ତୁତ ହେବ, ସେ ଯେକୌଣସି ଭେକ ପିନ୍ଧି ଅପେକ୍ଷା କରିଥିଲେ ମଧ୍ୟ ଅସଲ ବେଳରେ ଅବଶ୍ୟ ବାହାରି ଯାଇପାରିବ-। ଯିଏ ମାଗିବ, କେବଳ ତାହାକୁ ହିଁ ମିଳିବ । ଯିଏ ଡାକିପାରିବ, କେବଳ ତାହାରିଲାଗି କବାଟ ଫିଟିବ ।

 

୨୬ । ୧୨ । ୬୦

 

ସଂସାରର ଉଦ୍ଧାର କରିବାଲାଗି ମହାମାନବ ସ୍ଵର୍ଗରୁ ମର୍ତ୍ତ୍ୟକୁ ଓହ୍ଲାଇ ଆସିବନାହିଁ । ମର୍ତ୍ତ୍ୟଭୁବନ ପ୍ରସ୍ତୁତ ହେଲେ ଏହି ମର୍ତ୍ତ୍ୟଭୁବନରେ ହିଁ ମହାମାନବର ଆବିର୍ଭାବ ହେବ । ମୁଁ ପ୍ରସ୍ତୁତ ହେଲେ ମୋରି ଭିତରୁ ହିଁ ମହାମାନବର ଆବିର୍ଭାବ ହେବ, ଅର୍ଥାତ୍ ମୋ’ରି ଭିତରେ ମହାମାନବ ଆପଣାର କାର୍ଯ୍ୟ ଆରମ୍ଭ କରିବ । କିନ୍ତୁ ଆପଣାକୁ ପ୍ରସ୍ତୁତ ନକରି ମୁଁ ଯେତେ ଆତୁର ଓ ବ୍ୟାକୁଳ ହୋଇ ମହାମାନବର ଆବାହନ–ସଙ୍ଗୀତ ଗାଇ ଭୁବନ କମ୍ପାଇ ଦେଲେ ମଧ୍ୟ କୌଣସି ଲାଭ ହେବନାହିଁ । ତା’ର ଆସିବା ଓ ମୋର ପ୍ରସ୍ତୁତ ହେବା,–ଏହି ଦୁଇଟି ଭିତରେ ଆଦୌ କୌଣସି ପାର୍ଥକ୍ୟ ନାହିଁ । ଯେଉଁ ମୁହୂର୍ତ୍ତରେ ମୁଁ ଯେତିକି ପ୍ରସ୍ତୁତ ହୋଇପାରିବି, ଅନ୍ତର ଭିତରେ ତା’ର ପଦଶବ୍ଦକୁ ମୁଁ ସେତିକି ଅନୁଭବ କରିପାରିବି । ମୋ’ ଚାରିପାଖର ପୃଥିବୀରେ ମୁଁ ସେତିକି ପରିବର୍ତ୍ତନ ଅନୁଭବ କରିପାରିବି । ମୋତେ ଏହି ସଂସାର ଯେତିକି ସରସ ଲାଗିବ, ସ୍ଵର୍ଗ ମୋର ସେତିକି ନିକଟବର୍ତ୍ତୀ ବୋଲି ମନେହେବ । ତେଣୁ ମହାମାନବର ଆବିର୍ଭାବ ହେବା ବିଷୟରେ ମୋର ବିଶ୍ଵାସକୁ ମୁଁ ସର୍ବଦା ଦୁଇଧାରା କରି ଦେଖିଥାଏ । ପ୍ରଥମତଃ ମୋର ଆପଣାଉପରେ ବିଶ୍ୱାସର ଏକ ଧାରା,–ଅର୍ଥାତ୍ ମୁଁ ବସିରହିବି ନାହିଁ, ବଡ଼ ଅସମ୍ମାନିତ ଭାବରେ ଆତୁର ହୋଇ ବସିବାକୁ ମୁଁ ଭକ୍ତି ବୋଲି କହିବିନାହିଁ, ମୁଁ ଭୟ କରିବି ନାହିଁ, ମୁଁ ଧର୍ମ ନାମରେ ନିଷ୍କ୍ରିୟ ହୋଇ ବସି ଯିବି ନାହିଁ । ମୁଁ ପ୍ରତ୍ୟେକ ମୁହୂର୍ତ୍ତରେ ଆପଣାକୁ ପଳପଳ କରି ପ୍ରସ୍ତୁତ କରୁଥିବି । ମୋର ପଥ ଚାଲିବା ହିଁ ମୋର ପ୍ରାର୍ଥନା ହୋଇ ମହାମାନବର ଆବାହନ କରୁଥିବ । ମହାମାନବ ଉପରେ, ଅର୍ଥାତ୍ ସମସ୍ତ ମାନବଜାତି ଓ ପୃଥିବୀର ଭାଗ୍ୟ ଉପରେ ମୋର ବିଶ୍ଵାସ ହେଉଚି, ମୋର ଦ୍ଵିତୀୟ ଧାରା । ମୁଁ ଆପଣା ଉପରେ ଯେଉଁପରି ବିଶ୍ଵାସ ରଖିଚି, ପୃଥିବୀର ସବୁ ମଣିଷ ମଧ୍ୟ ସେହିପରି ବିଶ୍ଵାସ ରଖି ଆଗକୁ ଚାଲିଚନ୍ତି, ଆପଣାର ଭ୍ରମଗୁଡ଼ାକୁ କାଟିକାଟି ସେମାନେ ଆଗକୁ ଚାଲିଚନ୍ତି । ସବୁରି ଭିତରେ ସଦିଚ୍ଛା ଅଛି, ସବୁରି ଭିତରେ ମଙ୍ଗଳର ଶୁଭବାସନା ରହିଚି । ସବୁରି ଭିତରେ ଶିବଶକ୍ତି ରହି ଆପଣା ଅବତାର ଲାଗି କ୍ଷେତ୍ର ପ୍ରସ୍ତୁତ କରୁଚି । ଆପଣାର ଉନ୍ମୋଚନ ଲାଗି ମଣିଷକୁ ତିଆରି କରୁଚି । ଏହି ଦୁଇଟି ସମ୍ଭାବନା ଉପରେ ମୋର ଅଚଳ ବିଶ୍ଵାସ ରହିଚି । ତେଣୁ ମୁଁ ବାଟ ଚାଲିଚି । ସଂସାର ଉପରକୁ ଘୋର ଦୁର୍ଦ୍ଦିନ ମାଡ଼ି ଆସୁଥିବା ପରି ମନେହେଉଥିଲେ ମଧ୍ୟ ତଥାପି ମୁଁ ଶୁଭ ଉପରେ ବିଶ୍ଵାସ ରଖିଚି । ଆପଣା ଭିତରେ ନାନାପ୍ରକାର ବିଭେଦକ ବିକ୍ଷେପଶକ୍ତି ମୋର ସମସ୍ତ ଆଶା ଓ ଆକାଙ୍‍କ୍ଷାକୁ ବିଦୀର୍ଣ୍ଣ କରିବାକୁ ବସୁଥିଲେ ମଧ୍ୟ ମୁଁ ତଥାପି ଆପଣା ଭିତରେ ବିଶ୍ଵାସ ରଖିଚି । ମୁଁ ଏହି ବନ୍ଧ ଡେଇଁଯିବି, ଏହି ବିଘ୍ନଟିକୁ ମୁଁ ପାର ହୋଇଯିବି । ମଣିଷର ଶୁଭ ମଧ୍ୟ ସକଳ ଅଶୁଭକୁ ନିଶ୍ଚୟ ପାର ହୋଇଯିବ ।

 

୨୭ । ୧୨ । ୬୦

 

ଅନେକବର୍ଷ ତଳର କଥା । ମୁଁ ବାଙ୍ଗାଲୋର ଜେଲରେ ଥିଲାବେଳେ ମୋର ବାପସମାନ ଜଣେ ଗୁରୁଜନ ବନ୍ଧୁ ଥରେ ମୋ’ଖାତାରେ ପଦେ ଧର୍ମବାକ୍ୟ ଲେଖି ଦେଇଥିଲେ : The way to Love is the way to the Cross ! ମୁଁ ସେପର୍ଯ୍ୟନ୍ତ ଖ୍ରୀଷ୍ଟିଆନ ଧର୍ମ ବିଷୟରେ ଆଦୌ କିଛି ଜାଣିନଥିଲି କହିଲେ ମୋଟେ ଭୁଲ୍‍ ହେବନାହିଁ । ହଁ, ଯୀଶୁଙ୍କ ବିଷୟରେ ଇତିହାସ ବହିରେ ପଢ଼ିଥିଲି । ମାତ୍ର ଖ୍ରୀଷ୍ଟିଆନ୍ ଧର୍ମର କୌଣସି କଥାକୁ ହୃଦୟରେ ଗ୍ରହଣ କରିବା ମୋ’ପକ୍ଷରେ ଆଦୌ ସମ୍ଭବ ହୋଇନଥିଲା । ସେହି ଗୁରୁଜନଙ୍କର ଧର୍ମ ହେଉଚି ଖ୍ରୀଷ୍ଟିଆନ୍‍ ଧର୍ମ । ତାଙ୍କଠାରୁ ପାଇଥିବା ସେହି ମନ୍ତ୍ରଟି ଖ୍ରୀଷ୍ଟିଆନ୍‍ ଧର୍ମ ବିଷୟରେ ମୁଁ ପାଇଥିବା ପ୍ରଥମ ମନ୍ତ୍ର । ଏହି ମନ୍ତ୍ରଟିକୁ ନେଇ ମୁଁ ଯେତିକି ଯେତିକି ମନେ କରିଚି, ମୁଁ ସତେ ଯେପରି ଖ୍ରୀଷ୍ଟିଆନ୍ ଧର୍ମର ସେତିକି ସେତିକି ନିକଟବର୍ତ୍ତୀ ହୋଇଚି । ଧର୍ମସତ୍ୟ ନିହିତ ଥିବା ଗୁହାର ଅଧିକ ନିକଟବର୍ତ୍ତୀ ହୋଇପାରିଚି-। ଗୋଟିଏ ଧର୍ମର ଲିପିକୃତ ଏହି ସତ୍ୟଟି ମୋତେ ସତେ ଯେପରି ସବୁ ଧର୍ମର ହୃଦୟ ପାଖକୁ ବାଟ ବତାଇ ଦେଇଚି । ଏବଂ ସେହି କାରଣରୁ ଖ୍ରୀଷ୍ଟିଆନ୍ ଧର୍ମକୁ ମଧ୍ୟ ମୁଁ କାଳକ୍ରମେ ଆପଣାର ଧର୍ମ ବୋଲି ଅନୁଭବ କରିଚି । ଇଉରୋପରେ କଟାଇଥିବା ପ୍ରାୟ ତିନି ଚାରିବର୍ଷ ଭିତରେ ମୁଁ ଧର୍ମଦୃଷ୍ଟିରେ ଆପଣାକୁ କୌଣସିଦିନ ଜଣେ ବିଦେଶୀ ବୋଲି ମନେ କରିନାହିଁ । ଖ୍ରୀଷ୍ଟିଆନ ଧର୍ମର ପ୍ରେରଣାକୁ ମୁଁ ମୋ’ ଜୀବନ ଲାଗି ମଧ୍ୟ ପ୍ରେରଣାରୂପେ ଗ୍ରହଣ କରିଚି, ଯୀଶୁଖ୍ରୀଷ୍ଟଙ୍କର ଜୀବନସନ୍ଦେଶକୁ ମୁଁ ମୋ’ ଜୀବନର ଏକ ସନ୍ଦେଶ ହିସାବରେ ଗ୍ରହଣ କରିଚି । ବିକୃତ, ଉତ୍ତେଜିତ ବା ମୁଗ୍‌ଧ ମଣିଷଙ୍କ ହାତରେ ପଡ଼ି ଖ୍ରୀଷ୍ଟିଆନ୍ ଧର୍ମରୁ ଯେଉଁସବୁ ଜଟିଳ ଅଧର୍ମଗତ ସମସ୍ୟାମାନ ଜାତ ହୋଇଚି, ମୁଁ ସେଗୁଡ଼ିକୁ ଆପଣାର ସମସ୍ୟାପରି ବିଚାର କରିଚି । ମୁ ବାଟ ଖୋଜିଚି, ନୂତନ ଅନ୍ତର୍ଦୃଷ୍ଟିମାନ ଲାଭ କରିଚି ।

 

୨୮ । ୧୨ । ୬୦

 

ଅନୁଭବ କରୁ କରୁ ମୁଁ ସିନ୍ଦୂକରେ ବନ୍ଦ କରି ରଖିଦେବାକୁ ଅସ୍ଥିର ହୋଇଉଠୁଚି, ସ୍ପର୍ଶ ପାଉପାଉ ମୁଁ ହାତ ଭିତରେ ଜାବୁଡ଼ି ଧରି ରଖିବାକୁ ଅସ୍ଥିର ହୋଇ ଉଠୁଚି । ଭିତରେ ଏହି ଲୋଭୀ ଓ ଉନ୍ମତ୍ତ ବାସନା ଲାଳସାଟାକୁ ଘୋଡ଼ାଇ ରଖି ମୁଁ ପ୍ରକୃତରେ କଅଣ ଅନୁଭବ କରିପାରିବି, କଅଣ ଦେଖିପାରିବି ଓ ଭଲ ପାଇ କୋଉଠି କିପରି ଧନ୍ୟ ହୋଇପାରିବି ? ଭଲ ପାଇବାର ନାନା ଚତୁର ଚାରଣଗୀତ ମୁହଁରେ ଗାଉଥିଲେ ମଧ୍ୟ ତଥାପି ତେଣେ ମୋର ହୃଦୟ ଭିତରେ କେବଳ ଜ୍ଵର ଭର୍ତ୍ତିହୋଇ ରହିଚି । ଏହି ଜ୍ଵରକୁ ନେଇ ମୁଁ ସଂସାରରେ କେଉଁ ସମ୍ପଦ ଲାଭ କରିପାରିବି ? ଆପଣାକୁ ଭର୍ତ୍ସନା କରି ମୁଁ କେବଳ କେତେଟା ଗୁରୁଜନ–ବାକ୍ୟ ପ୍ରୟୋଗ କରିବାର କୌଣସି ପ୍ରୟାସ କରୁନାହିଁ । ମୁଁ ଆପଣାକୁ ବୁଝିବାକୁ ଚେଷ୍ଟା କରୁଚି । ପଛକୁ ଅନାଇ ଆପଣା ସଞ୍ଚାରିତ ପଥର କଳନା କରିବାକୁ ଚେଷ୍ଟା କରୁଚି । ଏହି ଜୀବନରେ ମୁଁ ଅନେକ କିଛି ପାଇଚି । ଅନେକ ସଙ୍ଗ ପାଇଚି, ଅନେକ ସ୍ଵୀକାର ପାଇଚି, ଅନେକ ବନ୍ଧୁ ପାଇଚି, ଆପଣାକୁ ପ୍ରସାରିତ କରିଦେବାଲାଗି ମୁଁ ଅନେକ କ୍ଷେତ୍ର ପାଇଚି । କିନ୍ତୁ କେବଳ ଆପେ ଯଥାର୍ଥ ଭାବେ ପ୍ରସ୍ତୁତ ହୋଇ ନଥିବାରୁ ମୁଁ ପ୍ରକୃତରେ କୌଣସି ସମ୍ପଦର ଅଧିକାରୀ ହୋଇପାରି ନାହିଁ । ପାଇବା ବିଷୟରେ ମୋର ଯେତିକି ମୋହ ଓ ପ୍ରମତ୍ତତା ବଢ଼ିଚି, ଏଣେ ହରାଇ ବସିବାର ଦୁର୍ଦ୍ଦଶା ମଧ୍ୟ ସେତିକି ବଢ଼ିଚି-। ତେଣୁ ଗୋଟାଏ କ୍ଷେତ୍ରରେ ନିଃସ୍ଵ କାଙ୍ଗାଳ ହୋଇ ମୁଁ ବଡ଼ ଲୁବ୍‌ଧ ଭାବରେ ଅନ୍ୟ ଗୋଟାଏ କ୍ଷେତ୍ରରେ କେବଳ ଅଶ୍ଵସ୍ତି ଓ ଉତ୍ତେଜନା ହିଁ ସୃଷ୍ଟି କରିଚି । ଅନ୍ୟ ଅନେକଙ୍କର ଶାନ୍ତିଭଙ୍ଗ କରି ନାନା କପଟ–ସମର୍ପଣ ଫାଶ ବସାଇଚି । କିନ୍ତୁ ଫାଶ ବସାଇ ଧରିବାର ଚେଷ୍ଟା କଲେ ବି ସ୍ନେହ ବା ପ୍ରେମ ସମ୍ଭବ ହୁଏ ? ତେଣୁ ଏତେ ଏତେ ଆୟୋଜନ ଓ ଦଉଡ଼ ଧାପଡ଼ ପରେ ମଧ୍ୟ ମୁଁ ଆଜି ତଥାପି ଦରିଦ୍ର ହୋଇ ରହିଚି, ତଥାପି ଜ୍ଵରଗ୍ରସ୍ତ ହୋଇ ରହିଚି । ହୃଦୟ ତଥାପି ଶୀତଳ ହୋଇନାହିଁ, କେବଳ ସିଝିସିଝି ଯାଉଚି, ନୂଆ ନୂଆ କ୍ଷତରେ କେବଳ ବିକୃତ ଓ ବିକଳ ହେବାରେ ଲାଗିଚି । ଏହି ଦୁର୍ଭାଗ୍ୟରୁ ମୋତେ ଅବଶ୍ୟ ଶିକ୍ଷା କରିବାକୁ ହେବ, ଆପଣାର ଅପାରଗତାରୁ ସ୍ନେହ ଓ ପ୍ରେମ ବିଷୟରେ ଅନେକ ଶିକ୍ଷା କରିବାକୁ ହେବ । ମୁଁ ଆପଣାକୁ ଅଭିଶାପ ଦେଉନାହିଁ, ଆପଣାର ସାଥୀ ହିସାବରେ କେବଳ ଆପଣାର ଅବଧାରଣା କରୁଚି ।

 

୨୯ । ୧୨ । ୬୦

 

କାଲି ରାତି ପ୍ରାୟ ଦଶଟା ବେଳକୁ ବିଚପୁରୀ ରେଳଷ୍ଟେସନରୁ ମୁଁ ଘରକୁ ଫେରି ଆସୁଥାଏ । ସାଙ୍ଗରେ କେହି ନଥାନ୍ତି । ନିତାନ୍ତ ଏକା । ତଥାପି ଆଦୌ ଏକା ବୋଲି ଲାଗୁ ନଥାଏ-। ଏଇ କେତେଦିନ ହେଲା ଶୀତ ମଧ୍ୟ ନାହିଁ । ଆଗ୍ରା ଠିକ୍ ଓଡ଼ିଶାର ସମୁଦ୍ରକୂଳିଆ ଜାଗାପରି ଉଷୁମ ଲାଗୁଚି । ମୁଁ ଧୀରେଧୀରେ ଗୋଟିକ ପରେ ଗୋଟିଏ ଖୋଜ ପକାଇ ଆସୁଥାଏ-। ଆକାଶରେ ଧଳାମେଘର ଗାନ୍ଥିନି ମାଠି ଦିଆଯାଇଚି । ସମସ୍ତ ଆକାଶଟା ସତେ ଅବା ଗୋଟାଏ ବରଫ ସମତଳ ପରି ଚକଚକ କରୁଥାଏ । ସେହି ସମତଳର ସମସ୍ତ ପ୍ରସାରକୁ ଭେଦ କରି ଜହ୍ନ ଆଲୁଅ ଧରଣୀ ଉପରେ ଅଜାଡ଼ି ହୋଇ ପଡ଼ୁଥାଏ । ବରଫ ତରଳିବାର ପାଗକୁ ଇଂରାଜିରେ Thaw ବୋଲି କୁହାଯାଏ । ଏହିପରି ପାଗ ହେଲେ ହିମ ତରଳେ, ଶୀତର ମାତ୍ରା କମ୍ ହେବାକୁ ଆରମ୍ଭ କରେ । କାଲି ଆକାଶକୁ ଚାହିଁ ମନେ ହେଉଥିଲା, ଆକାଶର ସେପାଖରେ ଆଜି ଯେପରି Thawର ପ୍ରସ୍ତୁତି ହିଁ ଚାଲିଚି । କେଉଁଠି କାହାର ହୃଦୟ ଉଷ୍ଣ ହୋଇ ଉଠୁଚି, ନୟନ ସଜଳ ହୋଇ ଆସୁଚି, ଅତ୍ୟନ୍ତ ଭାବାବେଗ ସହିତ କାହାର ସ୍ପର୍ଶ ଯେପରି ଆହୁରି ନିକଟ ହୋଇଆସୁଚି । ମୋତେ ଅଦ୍‌ଭୁତ ଲାଗୁଥାଏ । ନିଜ ହୃଦୟ ଭିତରେ ମୁଁ ସତେ ଅବା କାହାର ସ୍ପର୍ଶ ଅନୁଭବ କରୁଥାଏ । ଏହି ସଂସାରରେ ମୁଁ କଦାପି ଏକା ନୁହେଁ । ମୋଟେ ଏକୁଟିଆ ଛାଡ଼ିଯିବାର ଫିସାଦ କରି ଯେଉଁମାନେ ମୋତେ ଏକା ଛାଡ଼ି ଚାଲିଗଲେ, ସେମାନଙ୍କର ସମସ୍ତ ବିରାଗ ସତ୍ତ୍ୱେ ମୁଁ ତଥାପି ଏକା ହୋଇଯାଇନାହିଁ । ମୋ’ ସାଥିରେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଅନୁଭୂତ ହେଉଥିବା ସ୍ନେହମୟ ଓ ଅଭୟପ୍ରଦ ଏକ ସଙ୍ଗ ସବୁବେଳେ ରହିଚି । ତାହାହିଁ ମୋର ଘନିଷ୍ଟତମ ଅବଲମ୍ବନ । ସଂସାରର ଅନ୍ୟାନ୍ୟ ଅବଲମ୍ବନକୁ ମୁଁ କଦାପି ଗୌଣ ବା ଅପ୍ରଧାନ ବୋଲି କହିବି ନାହିଁ । ତଥାପି କେବଳ ତାହାର ଅବଲମ୍ବନକୁ ହିଁ ମୁଁ ଅଭୟ ବୋଲି ସ୍ଵୀକାର କରିବି ।

 

୩୦ । ୧୨ । ୬୦

 

ଆଜି ତିରିଶ ତାରିଖ । ଡିସେମ୍ବର ମାସ ସରିଆସୁଚି, ଏହି ବରଷ ସରି ଆସୁଚି । ଏହି ବରଷଟିରେ ମୋ’ଜୀବନରେ ଅନେକ ଶିକ୍ଷା ମିଳିଲା । ଆଗରୁ ବୁଜିହୋଇ ରହିଥିବା ଗୋଟାଏ ଆଖି ଏଇବରଷ ଖୋଲିଗଲା । ଜୀବନର ଗୋଟାଏ କ୍ଷେତ୍ରରେ କେବଳ ଶୋଇ ରହିବାର ଛଳନା କରି ମୁଁ ଦୁଃସ୍ଵପ୍ନ ଦେଖୁଥିଲି; ଏବର୍ଷ ମୋର ସେହି ନିଦ ଭାଙ୍ଗିଗଲା । ହଁ, ଏଇବର୍ଷର କେତୋଟି ମାସକାଳ ମୁଁ ଅନେକ ସମୟରେ ଭାବୁଥିଲି ଯେ ଏଥର ମୋର ଅଣ୍ଟା ଭାଙ୍ଗିଗଲା, ମୋର ସମସ୍ତ ଜାଣିବା, ବୁଝିବା ଓ ଆପଣାର ମନ ଅନୁସାରେ ଜୀବନ ବଞ୍ଚିବାର ସବୁ ଗର୍ବ ଚୂନା ହୋଇଗଲା । ଏ ଜୀବନରେ ଆଉ ଉଠିପାରିବା ସମ୍ଭବ ହେବନାହିଁ, ଆଉ ବାଟ ଚାଲିବା ସମ୍ଭବ ହେବନାହିଁ, ଏ ଜୀବନରେ ଆଉ କିଛି ହୋଇପାରିବା ସମ୍ଭବ ହେବନାହିଁ । ସଂସ୍କାର ଓ ସଂସାରର ଆବରଣ ଭିତରେ ଗଢ଼ାହୋଇ ରହିଥିବା କେବଳ କେତେଟା ଆଚରଣ ବ୍ୟତୀତ ଏ ଜୀବନରେ ଅବଲମ୍ବନ କରି ରହିବାଲାଗି ମୋ’ ପାଖରେ କିଛିହେଲେ ରହିବ ନାହିଁ । କିନ୍ତୁ ଭଗବାନଙ୍କର କରୁଣା ଅସୀମ, ଜୀବନ ଦେବତାର କରୁଣା ମଧ୍ୟ ଅସୀମ । ଭିତରେ ଥାଇ କିଏ ଯେପରି କ୍ରମେ କ୍ରମେ ମୋ’ ମନର ଅନେକ ଘାଆକୁ ଭଲ କରିଦେଲା, ବୁଢ଼ା ହୋଇ ଲୋସଡ଼ି ପଡ଼ିଥିବା ମୋର ମନଟା ଭିତରେ ପୁଣି ଅନେକ ବିଶ୍ଵାସ ଓ ଅନେକ ଆକାଙ୍‌କ୍ଷା ଭରି ଦେଇଗଲା । ଏସବୁ ଅତି ସ୍ଵାଭାବିକ ଭାବରେ ହେଲା-। ଏଥିପାଇଁ କୌଣସି ଜ୍ଵର, ଉତ୍ତେଜନା ବା ବିହ୍ଵଳତା ସୃଷ୍ଟି କରିବାକୁ ପଡ଼ିଲା ନାହିଁ ବା ଆପଣା ଉପରେ କୌଣସି ପ୍ରକାର ବୀରସାଧନା କରିବାକୁ ମଧ୍ୟ ପଡ଼ିଲା ନାହିଁ । ଆପଣା ଭିତରେ ହିଁ ଦୁଃଖକୁ ହଜମ କରି ଜୀବନର ନାନା ସୂକ୍ଷ୍ମ ପ୍ରବୃତ୍ତି ମଧ୍ୟଦେଇ ତାହାକୁ ଏକ ସଙ୍ଗଠିତ ଓ ସୃଜନଶୀଳ ଉପାୟରେ ଫୁଟାଇ ପାରିବାର ବିଶ୍ଵାସ, ବାଟ ଓ ବଳ ସେଇ ଭିତରୁ ମିଳିଗଲା । ହଁ, ଏହି ପୃଥିବୀରୁ ମଧ୍ୟ ମିଳିଗଲା । ଏହି ଆକାଶ ଓ ଏହି ଆଲୁଅରୁ ମିଳିଗଲା । ସରସ ଜୀବନଦ୍ଵାରା ସମସ୍ତ ଭୁବନକୁ ଆଲୋକିତ କରି ରଖିଥିବା କେଉଁ ଦେବୀ ମୋର ଶୂନ୍ୟଗୁଡ଼ାକୁ ପୂର୍ଣ୍ଣ କରିଦେଇ ମୋର ସକଳ ଜଡ଼ତାକୁ ଅପହରଣ କରିନେଲେ । ଏପର୍ଯ୍ୟନ୍ତ ମଧ୍ୟ ମୋ’ ଭିତରେ ସେହି ଆଶୀର୍ବାଦ ପର୍ବର ପର୍ଯ୍ୟାୟ ଚାଲିଚି । ଆପଣାର କୌଣସି ବିପର୍ଯ୍ୟୟ ବା ବ୍ୟର୍ଥତା ପାଇଁ ମୁଁ କେବେହେଲେ କୌଣସି ଭଗବାନଙ୍କୁ କୌଣସି ଦୋଷ ଦେଇନାହିଁ, ଏବର୍ଷ ମଧ୍ୟ ଦେଇନାହିଁ । କୌଣସି ଏକ ନିର୍ଦ୍ଦିଷ୍ଟ ସଫଳତା ହାସଲ କରିପାରିବାର ସର୍ତ୍ତରେ ମୁଁ କଦାପି କୌଣସି ଭଗବାନଙ୍କୁ ଭଜିବାର ଦୁଷ୍ଟାମି କରିନାହିଁ । ତେଣୁ ଭଗବତ୍‍ କଳ୍ପନାର ସେହି କୁରୂପଟା ମୋତେ ଆଦୌ ଗ୍ରାସ କରିପାରିନାହିଁ ।

 

୩୧ । ୧୨ । ୬୦

 

ବରଷର ସର୍ବଶେଷ ଦିନ । ନୂଆ ବରଷର ଉପଲକ୍ଷ୍ୟରେ କାଲି ଅନେକ ଲୋକ ଆତ୍ମୀୟସ୍ଵଜନଙ୍କୁ ଅଭିନନ୍ଦନ ଜଣାଇ ପଠାଇବେ । ୧୯୬୦କୁ ମୋର ଅଭିନନ୍ଦନ ଜଣାଇ ହିଁ ମୁଁ ୧୯୬୧ରେ ପ୍ରବେଶ କରିବି । ଏହି ବରଷଟି ଏକାଧିକ କାରଣ ସକାଶେ ମୋ’ ଜୀବନରେ ଏକ ସ୍ମରଣୀୟ ବର୍ଷ ହୋଇ ରହିବ । ମୋର ଦୁଃଖ ଓ ମୋର ସୁଖ, ମୋର ପରିଚୟ ଓ ମୋର ଅନୁଭୂତିର ପାଞ୍ଜିରେ ଅନେକ ଦିନ ଯାଏ ମନେ ରହିଥିବ । ଆପଣାର ଜୀବନରେ ଗୋଟାଏ କିଛି ଅସାଧ୍ୟ ସାଧନ କରି ସମସ୍ତଙ୍କୁ ଚମତ୍କୃତ କରିଦେବାର ଅଭିଳାଷ ମୁଁ କେବେହେଲେ ପୋଷଣ କରିନାହିଁ । ତଥାପି ଆପଣାର ଜୀବନକୁ ମୁଁ ସବୁଦିନେ ପ୍ରକୃତରେ ଭାରି ମହତ୍ତ୍ଵ ଦେଇଆସିଚି । ମୂଳତଃ ଆପଣା ଜୀବନକୁ ଶ୍ରଦ୍ଧା କରି ମୁଁ ଜଗତର ସକଳ ଜୀବନକୁ ଶ୍ରଦ୍ଧା କରି ଶିଖିଚି । ମୋ’ରି ଭିତରେ ମୋ’ଠାରୁ ଅଧିକ ବିଭୂତିସମ୍ପନ୍ନ କୌଣସି ପରିଚୟର ଅନୁଭୂତିକୁ ପ୍ରସାରିତ କରି ମୁଁ ମଣିଷ ଭିତରେ ମଣିଷଠାରୁ ଅଧିକ କୌଣସି ଇଚ୍ଛା ବା ବାସନାର ଆବିଷ୍କାର କରିବାକୁ ଚେଷ୍ଟା କରିଚି । ଏହି ଚେଷ୍ଟା ହିଁ ଜୀବନର ମୂଳପ୍ରେରଣା ପରି ମୋତେ ବାଟରେ ବାହାର କରାଇଚି । ଅନ୍ତର ଭିତରେ ଭକ୍ତି ଦେଇଚି, ମୋ’ ପାଦତଳେ ଏହି ସଂସାରର ଧୂଳି ଉପରେ ମୋତେ ତୀର୍ଥର ପରଶ ଦେଇଚି । ଆଖିକୁ ଅନେକ ଗଭୀରକୁ ଦେଖି ପାରିବାର ଶ୍ରଦ୍ଧା ଦେଇଚି । ଆଜି ଏହି ବାଟ ଚାଲିବାକୁ ମୁଁ ମୋର ପ୍ରଣାମ ଜଣାଉଚି । ଏହି ବିପୁଳ ଜୀବନତୀର୍ଥକୁ ମୁଁ ଆଜି ମୋର ପ୍ରଣାମ ଜଣାଉଚି । ଯିଏ ମୋତେ ବରଷ ପରେ ବରଷ ଖୁସି ହୋଇ ବିଶ୍ଵାସ ରଖି ବାଟ ଚାଲିଯିବାର ଯୋଗ୍ୟ କରିବାରେ ଲାଗିଚି, କିଛି ହରାଇବାର ଦୁର୍ଦ୍ଦଶାରୁ ଯିଏ ମୋଟ ବଞ୍ଚାଇ ରଖୁଚି, ମୁଁ ତାହାକୁ ହିଁ ଅଭିନନ୍ଦନ ଜଣାଉଚି ।

 

୧୯୬୧

୧ । ୧ । ୬୧

 

ବରଷକ ପରେ ବରଷ ଏହିପରି ଅତିବାହିତ କରି ମୁଁ ପ୍ରକୃତରେ କ’ଣ ପାଇଚି, ସମୟର କାଦୁଅକୁ ଆପଣା ଉପରେ ଅଧିକରୁ ଅଧିକ ବୋଳି ହୋଇ ମୁଁ ପ୍ରକୃତରେ କିପରି ଲାଭବାନ୍ ହୋଇଚି, ଆଜି ନୂତନ ବର୍ଷର ଜନନୀ ପାଖରେ ଆପଣାକୁ ସମର୍ପଣ କଲାବେଳେକୁ ମୋ’ର ଦେହଟା ଯେପରି ମୋତେ ଠିକ୍ ଏହିପରି ଏକ ପ୍ରଶ୍ନ ପଚାରୁଛି । କାରଣ, ଏହି ଦେହଟାରେ ତ ଅନ୍ତତଃ ସମୟର ଆଁସ ଲାଗିଲାଗି ଚାଲିଚି, ବୟସର ବହଳ ଲାଗିଲାଗି ଚାଲିଚି । ସେଇଥିପାଇଁ ଦେହଟା ଯେପରି ସବୁଠାରୁ ଅଧିକ ଉତ୍ସୁକ ହୋଇ ମୋତେ ଏହି ପ୍ରଶ୍ନଟି ପଚାରିବାକୁ ବସିଚି । କୌଣସି ଏକ ମହାନ୍ ଉଦ୍ଦେଶ୍ୟରେ ଲାଗି ପାରିବା ହେଉଚି ଦେହର ସାର୍ଥକତା, କୌଣସି ଏକ ଯୋଗ୍ୟ ଦେବତାର ଅଧିଷ୍ଠାନ ବା ଦେବାଳୟ ହୋଇ ପ୍ରତିଦିନ ପ୍ରସ୍ତୁତ ହେବା ହେଉଚି ଏଇ ଦେହର ସାର୍ଥକତା । ଏହିପରି ପ୍ରସ୍ତୁତ ହୋଇ ନପାରୁଥିଲେ ଦେହଟା ଯେପରି ଆପଣାକୁ କେବଳ ଗୋଟାଏ ମାଟିପିଣ୍ଡ ବୋଲି ଭ୍ରମ କରିବାକୁ ଆରମ୍ଭ କରେ, କେବଳ ଏକ ଭୌତିକ ମୋହର ପାଶ ଭିତରେ ଗ୍ରସ୍ତ ଓ ବଦ୍ଧ ହୋଇ ପଡ଼ିରହେ ଏବଂ ଏହି ଗ୍ରସ୍ତ ଓ ବଦ୍ଧ ହୋଇ ରହିବାକୁ ତାହା ଭୋଗ ବୋଲି କହେ । ଗୋଟାଏ ବରଷକୁ ପଛରେ ଛାଡ଼ି ଆଉ ଗୋଟାଏ ବରଷର ଦୁଆରେ ହାବୁଡ଼ିଗଲା ବେଳକୁ ସେଥିପାଇଁ ହଠାତ୍ ଦେହଟା ଆପଣାର ପ୍ରଶ୍ନର ଅଳି ନେଇ ବାଟ ଉଗାଳି ବସିଚି । ହଁ, ଏହି ଅଭିଯୋଗର ଉତ୍ତର ମୋତେ ଦେବାକୁ ହିଁ ପଡ଼ିବ । ତା’ ନହେଲେ, ଅର୍ଥାତ୍, ମୋ’ ଭିତରେ ମୁଁ କୌଣସି ସନ୍ତୋଷଜନକ ଉତ୍ତର ପାଇ ନପାରିଲେ ଏପରି କେବଳ ବୁଢ଼ା ହେବାରେ ମୋତେ କୌଣସି ଦିନ କୌଣସି ପରିତୃପ୍ତି ମିଳିବନାହିଁ । ଯଦି ଆଗକୁ ଯିବାର କଥା, ତେବେ ଏହି ଦେହଟାକୁ ମଧ୍ୟ ସାଙ୍ଗରେ ନେଇ ଯିବାକୁ ହେବ, ତାକୁ ବାଟ ଲାଗି ଅନୁରୂପ କରି ପ୍ରସ୍ତୁତ କରିବାକୁ ହେବ । ଅନେକ ମଣିଷ ମନ ଲାଗି ଦେହକୁ କିଳି ରଖିବା କଥା କହନ୍ତି, ତଥାକଥିତ ଆତ୍ମା ଲାଗି ମନକୁ ନିରୁଦ୍ଧ କରି ରଖିବା ଆକାଶେ ନାନା ପାଞ୍ଚ କରନ୍ତି । ମୁଁ ଏହିସବୁ ସଂଗ୍ରାମରେ ବିଶ୍ଵାସ କରେନାହିଁ । ଆପଣା ଭିତରେ ତିନିଖଣ୍ଡ ହୋଇ ରହିଥିବା ପର୍ଯ୍ୟନ୍ତ କୌଣସି ପ୍ରେମାସ୍ପଦକୁ ଘରକୁ ଆଣିବା ଯେ କଦାପି ସମ୍ଭବ ହୋଇପାରିବ ନାହିଁ । ଏକଥା ମୁଁ ଅନୁଭବରୁ ଜାଣିଚି । ଗୋଟାଏ ଘର ଭିତରୁ ସବୁ ମଇଳାତକ ବନ୍ଦ କରି କେବଳ ସଫା ହୋଇ ଦେଖା ଯାଉଥିବା ବାହାର ଘରକୁ ଅତିଥିକୁ ଡାକିଆଣି ବସାଇବା,–ସିଏ ମୋ’ର ଧର୍ମ ନୁହେଁ, ମୋ’ର ମାର୍ଗ ନୁହେଁ ।

 

୨ । ୧ । ୬୧

 

ମୋ ଭିତରେ ଯିଏ ବାଟ ଚାଲିବାକୁ ଚାହେ ଏବଂ ମୋ’ରି ଭିତରେ ରହି ଯିଏ ମୋତେ ଚଳାଇ ନେବାକୁ ଚାହେ,–ଏହି ଦୁହିଁଙ୍କ ଭିତରେ ମୁଁ କୌଣସି ଦିନ କୌଣସି ଭେଦ କରି ପାରିନାହି, କୌଣସି ଖଣ୍ଡକଳ୍ପନା କରିନାହିଁ । କାରଣ ମୋ’ ଜୀବନରେ ଦୃଷ୍ଟି କୋଣଟା ନୀତିବାଦୀ ଦୃଷ୍ଟିକୋଣ ହୋଇଥିଲେ ହୁଏତ ଆପଣା ଭିତରେ ଦୁଇଖଣ୍ଡ ହୋଇ ବସିବା ମୋ ହୃଦୟକୁ ଭାରି ଶୋଭା ପାଉଥାନ୍ତା । ତେଣୁ ମୁଁ ଆପଣାକୁ କେବେହେଲେ ସେପରି ଆଖିରେ ଦେଖିବାର ପରିଶ୍ରମ କରିନାହିଁ । ଆପଣାର ବୋଲି ଆପଣା ଭିତରେ ମୁଁ ଯାହାସବୁ ବୁଝେ, ସେହି ସବୁଟିକୁ ଏକତ୍ର ସମ୍ଭାରି ଧରି ଏକନେତ୍ର ହୋଇ ମୁଁ ସର୍ବଦା ବାଟ ଚାଲିବାକୁ ଇଚ୍ଛା କରିଚି, କେଉଁ ଦେବତାର ଶୁଭ ଆଶୀର୍ବାଦ ମୋ’ରି ହୃଦୟ, ମୋ’ରି ମନ ଓ ମୋ’ରି ଦେହ ଭିତରେ ସତେ ଅବା ଅବତାର ଗ୍ରହଣ କରି ମୋ’ର ହାତ ଧରି ବାଟ ଚାଲିବା ପରି ମନେ ହୋଇଛି । ହଁ, ଏହି ବାଟଚଲାରେ ମୁଁ ଅନେକ ଦୁଃଖ ପାଇଛି, କେତେ କାନ୍ଦି କାନ୍ଦି ଆପଣାର ଜୀବନପଥକୁ ତିନ୍ତାଇ ଦେଇଛି; କିନ୍ତୁ କେବଳ ଯେତିକିବେଳେ ହାତରୁ ହାତ ଛାଡ଼ି ହୋଇଯାଇଛି, ମୁଁ ସେତିକିବେଳେ ହଁ କାନ୍ଦିଛି, ଯେତେବେଳେ ଆପଣା ଭିତରେ ଏକୁଟିଆ ହୋଇ ପଡ଼ିଛି, ସେତିକିବେଳେ ହତାଶ ମନରେ ପୁଣି ଆପଣା ଭିତରେ ମୋ’ର ହାତକୁ ଆଗଭର ହୋଇ ଆସୁଥିବା ସାଥୀକୁ ଉଦ୍‌ବୋଧନ ଦେଇଚି । ଏହି ଜୀବନର ମାର୍ଗ ପଳାଇ ଯିବାର ମାର୍ଗ ନୁହେଁ, ଏହା ହେଉଚି ଆପଣାର ହାତ ଧରି ଆପେ ବାଟ ଚାଲିବାର ମାର୍ଗ । ଏଠି ନେତିନେତିର କୌଣସି ପ୍ରଶ୍ନ ବା କୌଣସି ପ୍ରସଙ୍ଗ ନାହିଁ, ଘୃଣା କରିବା ବା ବର୍ଜନ କରିବାର କୌଣସି ଅବସର ନାହିଁ । ଏଠାରେ କେବଳ ସମସ୍ତ ଖଣ୍ଡକୁ ଏକାଠି କରି ଗୋଟିଏ ହେବାର କର୍ତ୍ତବ୍ୟ ରହିଛି । ସବୁଯାକ ଆସକ୍ତିକୁ ଠୁଳ ଓ ଏକମୂଳ କରି ପରମାସକ୍ତ ହେବାର ବ୍ରତଟି ହିଁ ରହିଚି-

 

୩ । ୧ । ୬୧

 

The community to–day is not the bounded nation; but the entire planet : ମୋର ପ୍ରତିବେଶୀ କହିଲେ ମୁଁ ସମସ୍ତ ପୃଥିବୀକୁ ହିଁ ବୁଝେ । ଶାନ୍ତିନିକେତନର ଭାବଗତ ଭୂମି ସହିତ ମୋର ମନର ସ୍ପର୍ଶ ଘଟିବା ଦିନଠାରୁ ମୁଁ ଆପଣାକୁ ଏହି ଅନୁଭୂତି ଅନୁସାରେ ପ୍ରସ୍ତୁତ କରିଆସୁଚି, ଅର୍ଥାତ୍ ସମସ୍ତ ପୃଥିବୀକୁ ଆପଣାର ପ୍ରତିବେଶି ସମୂହ ବୋଲି ଅନୁଭବ କରିବାକୁ ମୁଁ ଆପଣାକୁ ପ୍ରସ୍ତୁତ କରିଆସୁଚି । ପୃଥିବୀରେ ସମସ୍ତ ଭାଷା, ସମସ୍ତ ସାହିତ୍ୟ, ସବୁ ମଣିଷ,–ଏମାନେ ମୋ’ର ଆପଣାର, କାରଣ ପ୍ରତିବେଶି ହିସାବରେ ଏମାନେ ମୋ’ର ଭାଷା, ମୋ’ର ସାହିତ୍ୟ ଓ ମୋ’ର ସ୍ଵଜନବର୍ଗଙ୍କୁ ମଧ୍ୟ ସମୃଦ୍ଧ କରିବେ, ମୋ’ର ହୃଦୟକୁ ମଧ୍ୟ ସମୃଦ୍ଧ କରିବେ । ମୋ’ର ଭାଷାକୁ ମୁଁ ଭଲପାଏ, ପ୍ରଥମତଃ ଏଇଥିରେ ମୋ’ର ଭାବପ୍ରକାଶ କରିବାକୁ ହିଁ ମୁଁ ମୋ’ର ସୌଭାଗ୍ୟମୟ କର୍ତ୍ତବ୍ୟ ବୋଲି ମନେକରେ । କିନ୍ତୁ ତା’ ବୋଲି ଅନ୍ୟ ଭାଷାକୁ କମ୍‍ ନଜରରେ ଦେଖିବା ଓ ଘୃଣା କରିବାର ପ୍ରଶ୍ନ ହିଁ ଉଠୁନାହିଁ । ଗତ ଶତାବ୍ଦୀରେ ଇଂଲଣ୍ଡରେ ମନୋବିଜ୍ଞାନ ଚର୍ଚ୍ଚା କରୁଥିବା Alexander Shand ପ୍ରେମର ଏହିପରି ଏକ ପରିଣାମମୂଳକ ଭେଦକଳ୍ପନା କରିଥିଲେ । ଜଣକୁ ଭଲ ପାଉଥିବା ବ୍ୟକ୍ତି ଯଦି କୌଣସି କାରଣରୁ ପାଞ୍ଚଜଣଙ୍କ ପ୍ରତି ଅନୁରକ୍ତ ହୋଇପଡ଼େ, ତେବେ ତା’ର ପ୍ରେମଭଣ୍ଡାର ଗଣିତର ସୂତ୍ର ଅନୁସାରେ ବାଧ୍ୟ ହୋଇ ପାଞ୍ଚଭାଗ ହୋଇଯିବ ଏବଂ ସେଥିପାଇଁ ପ୍ରଥମ ବ୍ୟକ୍ତିଟି ପ୍ରତି ତା’ର ଅନୁରାଗ ସ୍ଵତଃ ଅନେକ ଊଣା ମଧ୍ୟ ହୋଇଯିବ । ସାମ୍ରାଜ୍ୟବାଦର ଶୁକ୍ଳପକ୍ଷରେ ଶ୍ରୀଯୁକ୍ତ Shand ଇଂଲଣ୍ଡରେ ଜ୍ଞାନଚର୍ଚ୍ଚା କରିଥିଲେ, ଭାବମୟ ଜୀବନର ଜିରାରୁ ଶିରା ବାହାର କରିବାକୁ ସେ ଗଣିତର ଆଶ୍ରା ନେଇଥିଲେ । ସେଇଥିପାଇଁ ଅନୁରକ୍ତିର ଆଲୋଚନା କଲାବେଳେ ମଧ୍ୟ ସେ ଆପଣାର ବଣିଆବୃତ୍ତିର କବଳରେ ପଡ଼ିବାକୁ ଆଦୌ ଏଡ଼ି ପାରିଲେନାହିଁ । Shandଙ୍କର ମନୋବିଜ୍ଞାନ ଯାହା କହୁନା କାହିଁକି, ମୋର ଧର୍ମବିଜ୍ଞାନ ଅର୍ଥାତ୍ ଆତ୍ମବିଜ୍ଞାନ ମୋତେ ସଂପୂର୍ଣ୍ଣ ଭାବେ ଓଲଟା ଶିକ୍ଷା ଦେଇଛି । ଭଲ ପାଇବାକୁ ହେଲେ ସମସ୍ତେ ସୀମା ଓ ସମସ୍ତେ ପ୍ରତିମାର ଆବଦ୍ଧତାକୁ ଭାଙ୍ଗି ଯିବାକୁ ପଡ଼ିବ । ଜଣକୁ ଭଲ ପାଇବା ଦ୍ଵାରା ଯଦି ମୋତେ କାହାକୁ ଘୃଣା କରିବା ଆବଶ୍ୟକ ବୋଲି ବୋଧହୁଏ, ତେବେ ମୋ’ର ସେହି ଜଣକୁ ଭଲ ପାଇବା ଭିତରେ କେଉଁଠି କୌଣସି ଦୋଷ ବା କପଟ ରହିଯାଇଚି ବୋଲି ଅବଶ୍ୟ ଜାଣିବାକୁ ହେବ । ମୋ’ ଭାଷା, ମୋ’ ସାହିତ୍ୟ ଓ ମୋ’ର ଦେଶକୁ ଭଲ ପାଇବାର ବାହାନାରେ ଯଦି ମୁଁ ଅନ୍ୟ ଭାଷା, ଅନ୍ୟ ସାହିତ୍ୟ ବା ଅନ୍ୟ ଦେଶକୁ ଘୃଣା କରୁଥାଏ, ତେବେ ମୋର ଅନୁରକ୍ତିକୁ ଏକ ମୋହ ବୋଲି ହିଁ କହିବାକୁ ହେବ ।

 

୪ । ୧ । ୬୧

 

ମୋ’ର ଓଡ଼ିଶା ଛାଡ଼ିବା ଦୁଇବର୍ଷ ହୋଇଗଲା । ସେଠାରେ ମୋ’ର କର୍ମକ୍ଷେତ୍ର ଛାଡ଼ି ଯେତେବେଳେ ପ୍ରଥମେ ଏଠାକୁ ଆସିଥିଲି, ସେତେବେଳେ ମନ ଭିତରେ ଭାରି ଅଶାନ୍ତି ଲାଗୁଥିଲା-। ବାରବାର ପଛକୁ ଚାହିଁବାକୁ ଇଚ୍ଛା ହେଉଥିଲା । ଆପଣାର ଘରକଥା ମନେ ପଡ଼ିଲେ ବିଦେଶରେ ମନ ଯାହା ହୁଏ, ଠିକ୍ ସେହିପରି ହେଉଥିଲା । ଆଜି ଠିକ୍ ଓଲଟା ଭାବୁଛି । ମୁଁ ଆଜି ଭାବୁଚି ଯେ, ଓଡ଼ିଶା ଛାଡ଼ିଚି ଭଲ କରିଚି । ବର୍ତ୍ତମାନ ଅନ୍ତତଃ କେତେ ବର୍ଷ ପାଇଁ ମୋର ବାହାରେ ରହିବା ଉଚିତ । ମୋ’ର ଘର କେବଳ ଓଡ଼ିଶା ନୁହେଁ । ମୋର ଘର ସମସ୍ତ ଭାରତବର୍ଷ । ଦିନେ ଯେପରି ସମସ୍ତ ପୃଥିବୀକୁ ମୁଁ ଆପଣାର ଘର ବୋଲି କହିପାରିବି, ଆପଣାର ହୃଦୟ ଓ ବିବେକକୁ ମୋତେ ସେହି ଅନୁସାରେ ବିକଶିତ କରି ଆଣିବାକୁ ହେବ । ଭାରତବର୍ଷର ଘର ବର୍ତ୍ତମାନ ଭାଙ୍ଗି ଯାଉଥିବା ପରି ମନେ ହେଉଛି । ଆମେ ପ୍ରତ୍ୟେକେ ଆପଣାର ଛୋଟିଆ ପ୍ରାନ୍ତଟିକୁ ଆପଣାର ଏକମାତ୍ର ଘର ବୋଲି ଅନୁଭବ କରୁଚୁ । ଆପଣା ଭାଷା, ସାହିତ୍ୟ ଏବଂ ସଂସ୍କୃତି ବୋଲି ଆମେ କେବଳ ଆମ ପ୍ରାଦେଶିକ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବୋଲି ହିଁ ବୁଝୁଚୁ ଓ ଭାରି ଉତ୍ତେଜିତ ଭାବରେ ଆଉମାନଙ୍କ ସହିତ ଲଢ଼ାଇ କରି ମୁଣ୍ଡ ଫଟାଇବାକୁ ବାହାରି ପଡ଼ୁଚୁ । ଓଡ଼ିଶାଠାରୁ ଯେତେ ଦୂରରେ ରହିଲେ ମଧ୍ୟ ଓଡ଼ିଆ ଭାଷାକୁ ଭୁଲିଯିବାର ପ୍ରଶ୍ନ ହିଁ ଉଠୁନାହିଁ । କିନ୍ତୁ ଓଡ଼ିଶାର ବାହାରକୁ ନ ବାହାରିଲେ ଓଡ଼ିଶାକୁ ହିଁ ଘର ବୋଲି କହି ଓଡ଼ିଶା ବାହାର ପ୍ରତି ବିଦ୍ୱେଷ ପୋଷଣ କରିବାର ଭୟ ଅବଶ୍ୟ ରହିଚି । ମୁଁ ଭାଷା, ସାହିତ୍ୟ ବା ସଂସ୍କୃତି ନେଇ ବିଦ୍ଵେଷୀ ହେବାକୁ ଚାହେଁ ନାହିଁ । ତେଣୁ ପାଚେରୀ ଭିତରେ ବନ୍ଦ ହୋଇ ରହିବାକୁ ମଧ୍ୟ ଚାହେ ନାହିଁ ।

 

୫ । ୧ । ୬୧

 

ମୋ’ ବଗିଚାରେ ମୁଁ ନାନାଭଳି ଫୁଲଗଛ ଲଗାଇଚି । କେତେ ଆଦର ଓ ଯତ୍ନରେ ମୁଁ ସେହି ଗଛଗୁଡ଼ିକ ଲଗାଇଚି । ମୋ’ର ବଗିଚାରେ ମୁଁ ପ୍ରତ୍ୟେକ ଗଛଟିକୁ ଅଲଗା ଅଲଗା କରି ଚିହ୍ନିରଖିଚି । ସେହିସବୁ ଗଛରେ କଢ଼ି ଧରିବାଠାରୁ ଆରମ୍ଭ କରି ଫୁଲ ଫୁଟିବା ପର୍ଯ୍ୟନ୍ତ ଯାବତୀୟ ବିକାଶ ପର୍ଯ୍ୟାୟକୁ ମୁଁ କେତେ ସରାଗର ସହିତ ଲକ୍ଷ୍ୟ କରି ଆସୁଚି । ଫୁଲ ଫୁଟି ଆସୁଥିବା ଏହି ବଗିଚାଟି ପ୍ରତି ମୋ’ର ପ୍ରକୃତରେ ଭାରି ମମତା ହୋଇଯାଇଚି ବୋଲି କହିଲେ ଆଦୌ ଭୁଲ ହେବନାହିଁ । ବଗିଚାରୁ ମୁଁ ଏତେ ବା ସେତେ ସମ୍ପତ୍ତି ପାଇଚି ବା ଏସବୁ ମୋ’ର ସମ୍ପତ୍ତି,–ଏଥିପାଇଁ ଯେ ମୋ’ର ଏତେ ମମତା, ତାହା କଦାପି ସତ ନୁହେଁ । କିନ୍ତୁ ଏହି ବଗିଚାର ମାଧ୍ୟମରେ ମୁଁ ଅନେକ କିଛି ସମ୍ପଦ ଲାଭ କରିଚି । ଏହି ବଗିଚାରେ କାମ କରୁ କରୁ ମୁଁ ସକାଳ ତାରାର ଉଦୟ ଦେଖିଛି, ପୂର୍ବଦିଗରେ ପ୍ରଥମ ପ୍ରଭାତର ଶିହରଣକୁ ଆପଣାର ଦେହ ଭିତରେ ଅନୁଭବ କରିଚି । ଏହିଠାରେ ମୁଁ କେତେକେତେ ଦିନ ପ୍ରଥମ ପକ୍ଷୀର କଣ୍ଠସ୍ଵର ଶୁଣିଚି, ପ୍ରଥମ ପବନର ପରଶ ପାଇଚି । ଏହିସବୁ ନୀରବ ପ୍ରେରଣାଦାୟକ ପର୍ବରେ ମୋ’ର ହୃଦୟ ଭରି ଉଠିଛି, ହୃଦୟ ପରିଷ୍କାର ହୋଇ ଉଠିଛି, ଭିତରେ ମୋତେ ସଙ୍କୁଚିତ କରି ରଖିଥିବା ଅନେକ ଗ୍ଳାନି ଦୂର ହୋଇଯାଇଚି । ନୂତନ ପ୍ରଭାତ ସମୟରେ ମୁଁ ନୂତନ ହୋଇ ଜନ୍ମଲାଭ କରିଚି । ଏହି ନୂତନ ଜନ୍ମଲାଭ ମୋ’ର ଜୀବନରେ ଏକ ଅତିବଡ଼ ପ୍ରିୟବସ୍ତୁ,–ସେଇଥିଲାଗି ମୋ’ର ବଗିଚା ମଧ୍ୟ ମୋ’ ପାଇଁ ଏତେ ପ୍ରିୟ । ଏଥିରୁ କେହି ଗୋଟାଏ ଫୁଲ ଛିଣ୍ଡାଇନେଲେ ମୋ’ର ପ୍ରାଣକୁ ବାଧିବା ଅତି ସ୍ଵାଭାବିକ, ପ୍ରତିଦିନ ସକାଳେ ସଞ୍ଜରେ ବଗିଚାର ପ୍ରତ୍ୟେକଟି ଗଛକୁ ଦେଖିଆସିଲା ବେଳେ କେଉଁଠି କୌଣସି ଖୁଣ ଦେଖିବାକୁ ପାଇଲେ ମୋ’ର ଦେହରେ କଣ୍ଟା ଫୋଡ଼ି ହୋଇଗଲା ପରି ମନେହୁଏ, ହଠାତ୍ ଏହି ଜୀବନରେ ଅନେକ କିଛି ଅସହ୍ୟ ପରି ମନେହୁଏ । ମୋ’ ଭିତରେ ସ୍ନେହ ଓ ସରାଗର ଅନେକ ଘର ଭାଙ୍ଗିପଡ଼ିଲା ପରି ମନେହୁଏ । ସେଦିନ ମଧ୍ୟ ହଠାତ୍ ସେହିପରି ହେଲା । ପଡ଼ୋଶୀ ଘରର ଛୋଟ ପିଲାଟି,–ବୟସ ଦୁଇବର୍ଷ ପୂରିନାହିଁ,–ମୋର ଆଖି ଆଗରେ ଝୁଲିଝୁଲି ଆସିଲା ଏବଂ ଫୁଲଗଛରୁ ଫୁଲତକ ଦୁହିଁନେଇ ଚାଲିଗଲା । ହଠାତ୍ ଭାରି ଆଘାତ ଲାଗିଲା । କିନ୍ତୁ ଏହି ଆଘାତକୁ ହଜମ କରିବାକୁ ହେବ । ଅତି ପିଲା, ଠିକ୍ ମୋ’ ବଗିଚାର ଫୁଲଗୁଡ଼ିକ ପରି ସୁକୁମାର । ତା’ର ସମସ୍ତ ପ୍ରକାର ସ୍ଵାଧୀନତା ଅବଶ୍ୟ ରହିଚି, ତା’ ହାତର ଫୁଲଛିଡ଼ାକୁ କଦାପି କୌଣସି କ୍ଷତି ବୋଲି କୁହାଯାଇ ପାରିବନାହିଁ । ଏଥିରେ ମୋ’ର ମନରେ କୌଣସି ଆଘାତ ଲାଗିବା ଉଚିତ ନୁହେଁ । ତେଣୁ ଏହି କ୍ଷତିକୁ ଏକ ଆବଶ୍ୟକ କ୍ଷତି ମନେକରି ସହିବାକୁ ପଡ଼ିବ, ଆଦରି ନେବାକୁ ପଡ଼ିବ ।

 

୬ । ୧ । ୬୧

 

ବଗିଚାର ଫୁଲ ଆଉ ସୁକୁମାରମତି ସତଚଞ୍ଚଳ ଶିଶୁ,–ଏହି ସଂସାରରେ ଦୁହିଁଙ୍କର ଜୀବନ ଅନେକ ପରିମାଣରେ ସମାନଧର୍ମୀ । ତେଣୁ, ଏଠି ଦୁହିଁଙ୍କୁ ବଞ୍ଚିବାକୁ ଦେବାକୁ ପଡ଼ିବ, ଦୁହିଁଙ୍କୁ ଫୁଟିବାର ଅବକାଶ ଦେବାକୁ ହେବ । କବିତାରେ ଗାଇଲେ ବା କଥାରେ ପ୍ରକାଶ କରିଦେଲେ ମଧ୍ୟ ଆମେ ତଥାପି ସେହି ଅବକାଶ ଦେବାକୁ ସମର୍ଥ ହେଉନାହିଁ । ଶିଶୁ ଆମଠାରୁ ଆଦର ପାଏ, ସ୍ନେହ ପାଏ; ତା’ର ସମସ୍ତ ଆବଶ୍ୟକତାକୁ ପୂର୍ଣ୍ଣ କରିବା ଲାଗି ଆମେ ସବୁ ପ୍ରକାରେ ପ୍ରସ୍ତୁତ ରହିଥାଉ । କିନ୍ତୁ ତଥାପି ଆମେ ଶିଶୁ ଉପରେ ସବୁବେଳେ ଗୋଟାଏ ଅନମନୀୟ ସର୍ତ୍ତ ମଡ଼ାଇ ଦେଇଥାଉ, ଅବଶ୍ୟ ଅତି ଅସଚେତ ଭାବରେ ଓ ଅତି ନିଷ୍ଠାପର ଭାବରେ ଶିଶୁର ମଙ୍ଗଳ କାମନା କରି ହିଁ ଆମେ ସେହି ସର୍ତ୍ତକୁ ମଡ଼ାଇ ଦେଇଥାଉ । ଶିଶୁ ପାଇଁ ଭଲ କ’ଣ, ମନ୍ଦ କ’ଣ, ସେକଥା ଆମେ ନିଜେ ନିର୍ଦ୍ଧାରଣ କରି ଦେଇଥାଉ । ଅର୍ଥାତ୍, ଶିଶୁ ବାଛିବାକୁ ବେଳ ପାଏନାହିଁ, ସଂସାରକୁ ବାହାରୁ ନ ବାହାରୁଣୁ ସେ ଭଲ ଜୀବନ ବୋଲି ଭ୍ରମ କରି କେବଳ ଫାଶରେ ବାନ୍ଧି ହୋଇପଡ଼େ । ସଭ୍ୟତା, ସଂସ୍କୃତି କହିଲେ ଆମେ ଯାହା ବୁଝୁ, ଶିଶୁକୁ ଆମେ ସେହିଗୁଡ଼ାକର ଅଠା ଭିତରେ ଅଟକି ରହିବାକୁ ବାଧ୍ୟ କରୁ । ତା’ର ଜୀବନକୁ ଓ ତା’ର ବାଟକୁ ସେ ଆପେ ଆବିଷ୍କାର କରିବାଲାଗି କୌଣସି ଅବସର ପାଏ ନାହିଁ । ବାଟ ଚାଲିବାର ଆନନ୍ଦ ଅପେକ୍ଷା ଭୁଲ କରିବାର ଭୟଟା ହିଁ ତା’ର ଜୀବନକୁ ଅଧିକ ପରାକ୍ରମୀ ହୋଇ ନିୟନ୍ତ୍ରଣ କରିଥାଏ । ଏହାକୁ ହୁଏତ ସବୁକିଛି କୁହାଯାଇ ପାରିବ, ମାତ୍ର ଫୁଲ ଫୁଟିବା ବୋଲି କୁହାଯାଇପାରିବ ନାହିଁ । କାରଣ, ବରାଦ ଅନୁସାରେ କୌଣସି ବିକାଶ ସମ୍ଭବ ହୁଏନାହିଁ । ଏହି ବରାଦ ପଛରେ ସମର୍ଥ ସମାଜ, ଶାସ୍ତ୍ର ବା ଗୁରୁଜନ ମଣ୍ଡଳୀର ଶୁଭେଚ୍ଛା ଓ ସମର୍ଥନ ଥାଉ ପଛକେ, ଏହାକୁ ବିକାଶ କୁହାଯାଇପାରିବ ନାହିଁ ।

 

୭ । ୧ । ୬୧

 

ଯେତେବେଳେ ମୁଁ ମୋ’ରି ଭିତରୁ ଭଲ ହେବାର ସତ୍‌ପ୍ରେରଣା ପାଏ, ସେତେବେଳେ ଭଗବାନଙ୍କୁ ଆପଣାର ଅତି ପାଖରେ ପାଇଲା ପରି ଲାଗେ । ଆପଣାକୁ ଜବରଦସ୍ତି ଧରି ବାନ୍ଧି ବସାଇ ଭଲ ବାଟରେ ମଣାଇବାର କେତେ ପରିଶ୍ରମ ମୁଁ କରେ, ଆପଣାଙ୍କୁ କେତେ ଗାଳି ଦିଏ, ଆପଣା ଭିତରେ ଦୁଇଖଣ୍ଡ ହୋଇ ମୁଁ ଆପଣାକୁ କେତେ ଶାସନ କରେ,–କିନ୍ତୁ ସେତେବେଳେ ମୋତେ ଗୋଟାଏ ପ୍ରକାରର ବିକୃତ ତୃପ୍ତି ମିଳେ ସିନା, ମାତ୍ର ଭଗବାନଙ୍କଠାରୁ ଅନେକ ଦୂରରେ ପଡ଼ିରହିଥାଏ । ଆପଣାକୁ ଛୋଟ ମନେ କରୁଥିବା ବେଳେ ମୁଁ ଭଗବାନଙ୍କ ଆଖିରେ ମଧ୍ୟ ଛୋଟ ହୋଇଯାଏ, ଆହୁରି ଯଥାର୍ଥ ଭାବରେ କହିଲେ, ଭଗବାନଙ୍କ ଲାଗି ମୁଁ ସମସ୍ତ ଦୁଆର ବନ୍ଦ କରିଦିଏ, ଭିତରେ ଅବହେଳିତ ଓ ଅବଜ୍ଞାଗ୍ରସ୍ତ ହୋଇ ପଡ଼ି ରହିଥିବା ଭଗବତ–ସମ୍ଭାବନାଟିକକୁ ମଧ୍ୟ ମୁଁ ହତାଦର କରି ମାଡ଼ି ମକଚି ଦିଏ । ଭଗବାନ ଭିତରେ ଅଛନ୍ତି କି ବାହାରେ ଅଛନ୍ତି, ଏହି ସଂସାରରେ ସେହି ବିଷୟରେ ଏବେ ମଧ୍ୟ ଭାରି ତର୍କ ଲାଗିଛି । ଭଗବାନ୍ କେଉଁଠି ହେଲେ ନାହାନ୍ତି ବୋଲି ଦାବି କରି କିଏ ନାନା ପାଶବିକ ନିଶ୍ଚିତତାର ବଶବର୍ତ୍ତୀ ହୋଇ ପୃଥିବୀଟାକୁ ସାବାଡ଼ କରିବାକୁ ଚାହୁଛି ତ ଆଉ କିଏ ଭଗବାନଙ୍କର ସର୍ବତ୍ରବ୍ୟାପିତ୍ଵ ପ୍ରମାଣ କରିବାକୁ କେଡ଼େ ଦର୍ପ ଓ ଦମ୍ଭରେ ସମରସଜ୍ଜାରେ ବାହାରୁଛି । ଦୁଇ ପକ୍ଷ ଭିତରୁ କୌଣସି ଗୋଟିଏ ପକ୍ଷରେ ମଧ୍ୟ ଅନ୍ତର୍ଭୁକ୍ତ ହେବାକୁ ମୋ’ର ଯୋଗ୍ୟତା ନାହିଁ । କାରଣ ଏପାଖରେ କି ସେପାଖରେ କେଉଁଠାରେ ଭଗବାନ୍ ଅଛନ୍ତି ବୋଲି ମୁଁ କୌଣସି ସୂଚନା ପାଇନାହିଁ । ମୁଁ ମୋର ଅନୁଭବକୁ ଆଧାର କରି ଭଗବାନଙ୍କୁ ଅନୁଭବ କରିବି ବୋଲି ସାହସୀ ହୋଇଚି । ମୋ’ରି ଅନୁଭବର ଭୂମି ଉପରେ ଯେତେବେଳେ ମୁଁ ଅତ୍ୟନ୍ତ ସହଜ ଲୟରେ ଏକ ଅବାରିତ ଓ ଅନିର୍ବାଚନୀୟ ପ୍ରସନ୍ନତାର ପରିଚୟ ପାଇଚି, ଯେତେବେଳେ ମୋ’ର ସମସ୍ତ ଧୂଳିମାଟିକୁ ସ୍ୱଚ୍ଛ ଆଲୋକିତ କରି କାହାର ପ୍ରକାଶଧାରା ବହି ଯାଉଥିବା ପରି ମନେ ହୋଇଛି, ଯେତେବେଳେ ଯାବତୀୟ ପ୍ରକାର ନୈତିକ ବ୍ୟୁହ ଭାଙ୍ଗି ପଡ଼ିଚି, ଯେତେବେଳେ ଅନ୍ତର ଭିତରୁ ଅତି ସହଜ ସମସ୍ତ ଭୟ ଅପସାରିତ ହୋଇଯାଇଚି, ଯେତେବେଳେ ଜୀବ ଅଜୀବ ସମସ୍ତେ ମୋର ଅତି ଆପଣାର ବା ପରମାତ୍ମୀୟ ବୋଲି ମନେ ହୋଇଚନ୍ତି, ଯେତେବେଳେ ବାରବାର ଭୁଲ୍‍ କରୁଥିବା ଓ ଝୁଣ୍ଟି ପଡ଼ୁଥିବା ଏହି ଆପଣାଟାକୁ ତଥାପି ଭାରି ନିଜର ବୋଲି ମନେ ହୋଇଚି, ଯେତେବେଳେ ମୁହୂର୍ତ୍ତ ମୁହୂର୍ତ୍ତର ସମସ୍ତ ତ୍ରୁଟି ସତ୍ତ୍ୱେ ମୁଁ ଆପଣା ଭିତରେ କେବଳ କାହାର ଶୁଦ୍ଧ ଇଚ୍ଛାର ଦର୍ଶନ ଲାଭ କରିଛି, ସେତିକିବେଳେ ଭଗବାନଙ୍କୁ ଅନୁଭବ କରିଚି ।

 

୮ । ୧ । ୬୧

 

ଏପାଖରୁ ମୁକ୍ତ ହୋଇ ମୁଁ ବଳେବଳେ ଯାଇ ସେପାଖରେ ବାନ୍ଧି ହୋଇଯାଏ । ଆପଣାର ମୋହରୁ ଯେତିକି ଯେତିକି ମୁକ୍ତ ହୁଏ, ତେଣେ ସେତିକି ନିର୍ମଳ ଭାବରେ ମୁଁ ଭଗବାନଙ୍କ ସହିତ ବାନ୍ଧି ହୋଇଯାଏ, ଅର୍ଥାତ୍ ଅତି ନିର୍ମଳ ଭାବରେ ଏହି ବିଶ୍ଵବ୍ୟାପୀ ଆତ୍ମୀୟତାର ଅଧିକ ନିକଟବର୍ତ୍ତୀ ହୋଇଆସେ । ଆପଣାର ଅହଙ୍କାରରୁ ମୁକ୍ତ ହୋଇପାରିଲେ ମୁଁ ଭଗବାନଙ୍କର ଗୌରବ ସହିତ ବାନ୍ଧି ହୋଇଯାଏ । ଆପଣାକୁ ନେଇ ବୁଣି ରଖିଥିବା ନାନାପ୍ରକାର ତ୍ରାସ ଓ ଭୟରୁ ମୁକ୍ତ ହୋଇପାରିଲେ ମୋ’ର ହୃଦୟଟା ଯାଇ ବଳେବଳେ କାହାର ସ୍ନେହପୂର୍ଣ୍ଣ ସଙ୍ଗ ସହିତ ବାନ୍ଧି ହୋଇଯାଏ । ଏପାଖର ଲାଭକ୍ଷତିର ଭୟରୁ ମୁକ୍ତ ହୋଇପାରିଲେ ସେପାଖର ନିର୍ଭୟ ଶରଣ ପାଖରେ ବାନ୍ଧି ହୋଇଯାଏ । ଏପାଖରେ ନାନା ବିକ୍ଷେପ ଓ ବିଭ୍ରମ ଭିତରେ ବିଭକ୍ତ ହୋଇ ରହିବାର ଦୁର୍ଦ୍ଦଶାରୁ ମୁକ୍ତ ହୋଇପାରିଲେ ମୁଁ ସେପାଖରେ ଏକଧ୍ୟାନରେ ଯାଇ ବସି ପାରିବାର ଆଗ୍ରହ ସହିତ ବାନ୍ଧି ହୋଇଯାଏ । ଆପଣାର ନାନା ଗ୍ଳାନିରୁ ମୁକ୍ତ ହୋଇପାରିଲେ ମୁଁ ସଂସାରମୟ ଏକ ଆନନ୍ଦ ସହିତ ବାନ୍ଧି ହୋଇଯାଏ । ଆପଣାର ନାନା ଆଳସ୍ୟରୁ ମୁକ୍ତ ହୋଇପାରିଲେ ମୁଁ କେଉଁ ଅସୀମ ପଥର ଅନୁଗ୍ରହ ସହିତ ଯାଇ ବାନ୍ଧି ହୋଇଯାଏ । ମୁଁ ବନ୍ଧନହୀନତା ଚାହେନାହିଁ । ମୁଁ ଦଉଡ଼ି ଛିଣ୍ଡାଇ ପଳାଇ ଯିବାକୁ ଚାହେନାହିଁ । ମୋ’ର ପୁତ୍ରତ୍ଵ ବା ପଥିକତ୍ଵର କୌଣସି ଉତ୍ତରାଧିକାରକୁ ଛିଡ଼ାଇଦେଇ ମୁଁ କୁଆଡ଼େ ଚାଲିଯିବାକୁ ଚାହେନାହିଁ । ସ୍ଵାଭାବିକ ଭାବରେ ଆକାଶକୁ ଅନାଇ ଆତ୍ମବିସ୍ମୃତ ହେବାକୁ ବା ପବନ ଓ ଆଲୁଅ ଭିତରେ ଏକାବେଳେକେ ହାଲୁକା ହୋଇ ଠିଆ ହୋଇ ପାରିବାକୁ ଯେଉଁ ବାନ୍ଧିହୋଇ ଯିବାର ବିଭୂତି ଦରକାର, ମୋ’ର ଭଗବାନଙ୍କ ପାଖରୁ ମୁଁ ସେହି ବିଭୂତି ହିଁ କାମନା କରେ, ସେହି ବିଭୂତିର ଯୋଗ୍ୟ ହେବାଲାଗି ମୁଁ ଶକ୍ତିର ପ୍ରାର୍ଥନା କରେ ।

 

୯ । ୧ । ୬୧

 

ଧର୍ମର ରୀତି ରାଜନୀତିର ରୀତିଠାରୁ ସମ୍ପୂର୍ଣ୍ଣ ଅଲଗା । ରାଜନୀତିରେ ବହୁମତ ଯାହାକୁ ଠିକ୍ ବୋଲି କହେ, ପ୍ରତ୍ୟେକ ବ୍ୟକ୍ତି ତାହାକୁ ହିଁ ଠିକ୍ ବୋଲି ମାନିବାକୁ ବାଧ୍ୟ ହୁଏ । କିନ୍ତୁ ଧର୍ମରେ, ବ୍ୟକ୍ତି ଯାହାକୁ ଠିକ୍ ବୋଲି ଅନୁଭବ କରେ, ତାହାହିଁ ହେଉଛି ତା’ପାଇଁ ଠିକ୍ ବାଟ । ସଂସାରରେ ଯେଉଁ ଧର୍ମର ପ୍ରଚାରଖାତାରେ ଯେତେବେଶୀ ଜଣଙ୍କର ନାଆଁ ରହିଲା, ସେହି ଅନୁସାରେ ସେହି ଧର୍ମର ସାରବତ୍ତା ପ୍ରମାଣ କରିବାକୁ ଚେଷ୍ଟା କରିବାର ମତଲବକୁ କଦାପି ଧର୍ମ ବୋଲି କୁହାଯିବ ନାହିଁ । ତାହା ଧର୍ମଶାସ୍ତ୍ରର ଶବ୍ଦ ଓ ଆଚାରକୁ ବ୍ୟବହାର କରୁଥିଲେ ମଧ୍ୟ ତାହାକୁ ଖୋଲି ରାଜନୀତି ହିଁ କୁହାଯିବ । ଇଉରୋପରେ ଥିବାବେଳେ ଧର୍ମର ଭେକ ପିନ୍ଧି ଅନେକ ମଣିଷ ଏହିପରି ଭ୍ରମାଚାରଣ କରୁଥିବାର ମୁଁ ଅନେକ ଦେଖିଚି । ଦୂର ବିଦେଶରେ ଥିବା କଳା ଲୋକମାନଙ୍କୁ ନାନା ଭଣ୍ଡାମିରେ ଭଳାଇ କିଣି ଆଣିବାଲାଗି ସେଠି ଏପର୍ଯ୍ୟନ୍ତ ମଧ୍ୟ ପାଣ୍ଠିସଂଗ୍ରହ ହେଉଚି । କିନ୍ତୁ ଯେଡ଼େ ଆଡ଼ମ୍ବରପୂର୍ଣ୍ଣ ହେଲେ ମଧ୍ୟ ତାହା ଧର୍ମର ରୀତି କଦାପି ନୁହେଁ । ସେଥିଲାଗି ସେହିସବୁ କାଣ୍ଡକାରଖାନା ଦ୍ଵାରା ସଂସାରରେ ଧର୍ମ ଆଦୌ ବଢ଼ୁନାହିଁ, ଦିନକୁ ଦିନ ଧର୍ମର ହ୍ରାସ ହେବାରେ ଲାଗିଚି । ସଂଖ୍ୟାଗରିଷ୍ଠ ଦଳରେ ଅନ୍ତର୍ଭୁକ୍ତ ହେବାର କୌଣସି କୌଣସି ଲୋଭ ନରଖି ପ୍ରତ୍ୟେକ ମଣିଷ ଆପଣା ହୃଦୟ ଭିତରେ ଆପଣାପାଇଁ ଧର୍ମର ବାଟ ପକାଇବ, ଅତି ଏକାନ୍ତରେ ଅତି ଏକାନ୍ତ ଭାବରେ ସେ ସେହି ବାଟରେ ଚାଲିବାକୁ ଚେଷ୍ଟା କରିବ । ନିନ୍ଦାକୁ ଡରିବ ନାହିଁ, ଝୁଣ୍ଟି କରି ପଡ଼ିଗଲେ ଡରିବ ନାହିଁ । ଆଉ ସମସ୍ତେ ସାଙ୍ଗ ଛାଡ଼ିଗଲେ ମଧ୍ୟ ଡରିବ ନାହିଁ । ତେବେ ଯାଇ ତାହାର ବାଟକୁ ଧର୍ମର ଦୃଷ୍ଟିରୁ ଏକ ଉଦୟବାଟ ବୋଲି କୁହାଯାଇପାରିବ । ଆପଣାର ବାଟକୁ ଅଧିକ କୋଳାହଳମୟ ବା ଆଡ଼ମ୍ବରପୂର୍ଣ୍ଣ କରିବ ବୋଲି ସେ ଆଉ କାହାକୁ ସେହି ବାଟକୁ ଟାଣି ଆଣିବାର ପ୍ରଲୋଭନରେ ପଡ଼ିବ ନାହିଁ । ଆପଣାର ବାଟ ପରି ସେ ଅନ୍ୟ ସକଳ ବାଟକୁ ଶ୍ରଦ୍ଧା କରିବ । ଆପଣା ପରି ମଣିଷମାତ୍ରକେ ସମସ୍ତଙ୍କୁ ବାଟ ଚାଲିବାକୁ ଦେବ । ଆପଣା ବାଟରେ ଚାଲିବାର ଗୌରବମୟତାକୁ ସେ ଜୀବନର ସର୍ବମୂଲ୍ୟବାନ୍ ସଂପଦ ପରି ସଂରକ୍ଷିତ କରି ରଖିବାକୁ ଚେଷ୍ଟା କରିବ । ଏହା ହେଉଚି ଧର୍ମ । କିନ୍ତୁ ରାଜନୀତିରେ ଏପରି ହୁଏନାହିଁ । ରାଜନୀତିରେ ଆପଣାର ବାଟକୁ ଏକମାତ୍ର ବାଟ ବୋଲି କହି ମୁଗ୍‍ଧ ହୋଇ ରହିବାକୁ ପଡ଼େ । ସଂଖ୍ୟାଗରିଷ୍ଠ ବାଟରେ ଆତ୍ମସମର୍ପଣ କରିଦେବାର ଲୋଭରେ ପଡ଼ିବାକୁ ହୁଏ । ଅସହିଷ୍ଣୁତା ଓ ଅଭିମାନକୁ ଆବଶ୍ୟକତା ବୋଲି ସ୍ଵୀକାର କରିବାକୁ ପଡ଼େ । ତେଣୁ ରାଜନୀତିର ବାଟ ଧରିଲେ ଧର୍ମ ଭ୍ରମବାଟରେ ପରିଣତ ହୁଏ ସିନା, ତଦ୍ଦ୍ଵାରା ମଣିଷର ଉଦୟ ହୋଇପାରେ ନାହିଁ ।

 

୧୦ । ୧ । ୬୧

 

ପିଲାଦିନେ ମଣିଷ ଏଇଟା କରିବାପାଇଁ ବା ଏଇଟା ନକରିବା ପାଇଁ ଉପରୁ ଉପଦେଶ ପାଏ । ଭଲଟାକୁ କରିପାରିଲେ ତାକୁ ପୁରସ୍କାର ପାଇବାର ଲୋଭ ମଧ୍ୟ ଦେଖାହୁଏ, ଭଲକୁ ହୁଡ଼ି ବସିଲେ ଶାସ୍ତି ପାଇବ ବୋଲି ଧମକ ମଧ୍ୟ ପାଇଥାଏ । ସେତେବେଳେ, ଶୃଙ୍ଖଳା କହ, ନିୟମ କହ ବା ଆଚରଣ କହ, ସବୁ ସେହି ମାନିବା ଭିତରେ ସୀମିତ ଥାଏ, ସବୁ ସେହି ପ୍ରଲୁବ୍‌ଧ ହେବା ବା ଭୟ କରିବା ଭିତରେ ସୀମିତ ହୋଇ ରହିଥାଏ । ଆଉଟିକିଏ ବଡ଼ ହୋଇ କିଶୋର ଅବସ୍ଥାରେ ଅନୁପ୍ରେରିତ ହେବାର ବୟସରେ ପଦାର୍ପଣ କରିବାକୁ ହୁଏ । ଆଦର୍ଶଗୁଡ଼ାକୁ ହାତ ପାଖରେ ପାଇଲା ପରି ମନେହୁଏ, ସଂସାରର ସବୁ ମଣିଷ ଗୋଟାଏ ଗୋଟାଏ ବୀର ପରି ଦେଖାଯାଆନ୍ତି । ସବୁ ବହି ବେଦ ବା ବାଇବେଲ ପରି ମନେହୁଏ । ସବୁ ଆଦର୍ଶକୁ ସେତେବେଳେ ହାତ ବଢ଼ାଇବା ପରି ମନେ ହେଉଥାଏ । କେତେବେଳେ ଏଥିପାଇଁ ତ ଆଉ କେତେବେଳେ ସେଥିପାଇଁ ବ୍ରତ ଗ୍ରହଣ କରିବାର ଉତ୍ସାହରେ ଜୀବନ ବଡ଼ ସରଗରମ ହୋଇଉଠେ,–କେତେ ଘାଟରେ, କେତେ ହାଟରେ ଓ ହାତରେ ଭାରି ଉତ୍ସାହିତ ଭାବରେ ଆପଣାକୁ ସମର୍ପଣ କରିଦେବାର ପଣ ଗ୍ରହଣ କରୁକରୁ ଜୀବନରେ ପର ଲାଗିଥିବା ପରି ଦିନଗୁଡ଼ାକ କୁଆଡେ ଉଡ଼ି ଉଡ଼ି ଚାଲିଯାଏ । କିନ୍ତୁ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଯେତେବେଳେ ପରିପକ୍ଵତା ଆସି ପହଞ୍ଚେ, ସେତେବଳେ କେବଳ ଉପଦେଶ, କେବଳ ପୁରସ୍କାରର ଲୋଭ କିମ୍ବା ଦଣ୍ଡର ଭୟ, କେବଳ ପ୍ରେରଣା, କେବଳ ବ୍ରତ, କେବଳ ଉତ୍ସର୍ଗ ଓ ବୀରପୂଜା ମଣିଷକୁ ବାଟ ବତାଇ ପାରେନାହିଁ, ମଣିଷକୁ ଶୃଙ୍ଖଳିତ କରିପାରେ ନାହିଁ । ସେତେବେଳେ ମଣିଷର ସବୁ ଶୃଙ୍ଖଳା ଜୀବନର ଆଚରଣରେ ପରିଣତ ହୋଇପାରିବା ଉଚିତ, ସମସ୍ତ ଉତ୍ସାହିତ ଅଭିନୟ ସଂପୂର୍ଣ୍ଣରୂପେ ବନ୍ଦ ହୋଇଯିବା ଉଚିତ, ଆପଣା ଭିତରେ ହିଁ ଆପଣାର ପଥଟି ଦିଶିଯିବା ଉଚିତ ।

 

୧୧ । ୧ । ୬୧

 

ହଁ, ସବୁ ସ୍ଵାଭାବିକ ହେବା ଉଚିତ, ସବୁ ସହଜ ହେବା ଉଚିତ । ନହେଲେ ଜୀବନର କୌଣସି ଆଚାର ବା ଆଚରଣକୁ ନୀତି ବୋଲି କୁହାଯାଇପାରିବ ନାହିଁ । ନହେଲେ, ଯେତେପ୍ରକାର ଆଚାର ଦ୍ଵାରା ବାନ୍ଧି ହୋଇ ରହିଥିଲେ ମଧ୍ୟ ଜୀବନକୁ କଦାପି ଶୃଙ୍ଖଳିତ ବୋଲି କୁହାଯାଇପାରିବ ନାହିଁ । ମୋ’ ଜୀବନର ନୀତିରେ ମୁଁ ନିର୍ଭୟ ହେବି, ମୁଁ ନିର୍ମୋହ ହେବି । ମୋ’ର ଜୀବନ ବଞ୍ଚିବାରେ ସାହାଯ୍ୟ କରୁଥିବା ଜଳବାୟୁ ପରି ମୋ’ର ସମସ୍ତ ନୀତି ଓ ସମସ୍ତ ଶୃଙ୍ଖଳା ମୋ ଆଚରଣ ଗୁଡ଼ିକ ଭିତରେ ଆତ୍ମପ୍ରକାଶ କରିବ । ଏହି ଆତ୍ମପ୍ରକାଶ ଭିତରେ କୌଣସି ପ୍ରକାରର କୌଣସି ଭୟ ନଥିବ । କୌଣସି ପ୍ରକାର ପାପର ଭୟ ନଥିବ ବା କୌଣସି ପ୍ରମତ୍ତ ଦେବତାର କୁଦୃଷ୍ଟିରେ ପଡ଼ିଯିବାର କୌଣସି ଭୟ ନଥିବ । କୌଣସି ଶାସନର ଭୟ ନଥିବ ବା କୌଣସି ପରାକ୍ରମୀ ସମାଜର ଭୟ ନଥିବ । ସେହି ଆତ୍ମପ୍ରକାଶ ଭିତରେ କୌଣସି ମୋହ ମଧ୍ୟ ରହିବ ନାହିଁ । ଅର୍ଥାତ୍, ମୁଁ ଯେଉଁସବୁ ଆଚରଣକୁ ଜୀବନର ନୀତି ବା ଶୃଙ୍ଖଳା ବୋଲି ମାନୁଚି, ସେଗୁଡ଼ିକୁ ଅନ୍ୟ କାହାରି ଉପରେ ଲଦିବାକୁ ମୁଁ କୌଣସି ଅପଚେଷ୍ଟା କେବେହେଲେ କରିବି ନାହିଁ-। ମୋ’ର ଅନ୍ତରଙ୍ଗତମ ବନ୍ଧୁ ଉପରେ କରିବି ନାହିଁ; ସ୍ନେହ, ଶ୍ରଦ୍ଧା ଓ ପ୍ରେମର ସୁଯୋଗ ନେଇ ମୁଁ କଦାପି ଏପରି କରିବି ନାହିଁ । ମୋ’ର ନୀତି ଯେ ସଂସାରରେ ଏକମାତ୍ର ଭଲ ନୀତି, ମୋ’ର ଶୃଙ୍ଖଳା ଯେ ସବୁ ମଣିଷଙ୍କ ଲାଗି ଶୃଙ୍ଖଳା ହୋଇ ଅବଶ୍ୟ ରହିବା ଉଚିତ, ଏପରି ଏକ ବୈଚାରିକ ଦୁରାଚାରକୁ ଆଶ୍ରୟ କରି ମୁଁ କଦାପି ଏକ ଉଗ୍ର ନୀତିବାଦୀ ହୋଇ ସଂସାରରେ ବାହାରିବି ନାହିଁ । ଜୀବନର ବଜାରରେ ଆପଣା ଲାଗି କୌଣସି ସଂଖ୍ୟାଗରିଷ୍ଠତାର ଭ୍ରମସ୍ଵୀକୃତି କଦାପି ଖୋଜିବାକୁ ଯିବିନାହିଁ । ସେଥିଲାଗି ମୋତେ ଅନେକ ସ୍ଵାଭାବିକ ହେବାକୁ ପଡ଼ିବ, ଅନେକ ସହଜ ହେବାକୁ ପଡ଼ିବ । କେବଳ ମାନିନେଲେ ଚଳିବ ନାହିଁ, ମୋତେ ଖୋଜିକରି ବାହାର କରିବାକୁ ପଡ଼ିବ । ଜୀବନରେ କେବଳ କେଇଟା ମୁହୂର୍ତ୍ତ ଗଦ୍‍ଗଦ ହୋଇ କେଇଟା ବଡ଼ ଲୋକଙ୍କର ବଡ଼ କଥାକୁ ପଇଟାଇ ନେଲେ ଚଳିବନାହିଁ, ମୋତେ ଆପେ ଆବିଷ୍କାର କରି ବାହାରିବାକୁ ପଡ଼ିବ । ଆପେ ପଥିକ ହେବାକୁ ପଡ଼ିବ ।

 

୧୨ । ୧ । ୬୧

 

ଦୃଶ୍ୟ ପଛରେ ଅଦୃଶ୍ୟ ରହିଚି, କଥନୀୟ ପଛରେ ଅକଥନୀୟ ଓ ଅନିର୍ବାଚନୀୟ ରହିଚି, ଏହି ଜଗତର ରୂପରସର ଅପୂର୍ବ ଲୀଳା ପଛରେ ଏକ ପରମ ଶକ୍ତିମାନ ସତ୍ତା ପ୍ରଚ୍ଛନ୍ନ ହୋଇ ରହିଚି,–ଏପରି ବିଶ୍ଵାସ ରଖିଲେ ମଣିଷ କ୍ରମେ ଉଗ୍ର ହୋଇପଡ଼େ ବୋଲି ଜଣେ ଲେଖକ ଆଶଙ୍କା କରିଚନ୍ତି । ଯିଏ ଏପରି ବିଶ୍ଵାସ କରେ, ସିଏ କୁଆଡ଼େ ସ୍ଵଭାବତଃ ସେହି ବିଶ୍ଵାସକୁ ସଂସାରରେ ଆଉ ସମସ୍ତଙ୍କ ଉପରେ ମଡ଼ାଇ ଦେବାକୁ ପ୍ରଲୁବ୍‌ଧ ହୁଏ, ଆଉ ଅନ୍ୟ ସମସ୍ତ ବିଶ୍ଵାସକୁ ଅବିଶ୍ଵାସ ବୋଲି କହେ, ତା’ର ଈଶ୍ଵରଙ୍କୁ ସୂତ୍ରବଦ୍ଧ କରି ସେ ଏକ ଈଶ୍ଵରତତ୍ତ୍ଵର ବନ୍ଧ ପକାଇଦିଏ ଏବଂ କ୍ରମେ ସେହି ତତ୍ତ୍ଵକୁ ହିଁ ଈଶ୍ଵରଠାରୁ ଅଧିକ ବିଶ୍ଵାସ କରିବାକୁ ଆରମ୍ଭ କରେ । ଈଶ୍ଵରଙ୍କୁ ମାରିଦେଇ ଈଶ୍ଵରତତ୍ତ୍ଵରେ ମାତିବାର ଓ ସେହି ମାତଲାମିରେ ସଂସାରଟାକୁ ଉଚ୍ଛନ୍ନ କରିବାର ଉଗ୍ରତା ମଣିଷ ଅନେକ ଜାଗାରେ ଅନେକବାର ଦେଖାଇଚି, ମାତ୍ର ତଥାପି ଭଗବତ୍ ବିଶ୍ଵାସକୁ ଏହି ଉଗ୍ରତାର କାରଣ ବୋଲି କଦାପି କୁହାଯାଇପାରିବ ନାହିଁ । ସଂସାର ପଛରେ ଏକ ବୃହତ୍ତର ସତ୍ତା ରହିଚି ବୋଲି ଯିଏ ବିଶ୍ଵାସ କରେ, ସିଏ ଅଧିକ ନମ୍ର ହୁଏ, ଅଧିକ ସାବଧାନ ହୁଏ । ତା’ର ବିଶ୍ଵାସ ତା’ ମନକୁ ଅଧିକ ପାତଳ କରାଏ, ଆପଣାର ହୃଦୟ ଭିତରେ ସେ ଏପରି ଏକ ସମ୍ପଦ ଲାଭ କରେ ଯେ, ବାହାରେ କୌଣସି ପ୍ରକାର ଅତୃପ୍ତି ଏବଂ ତଜ୍ଜନିତ ଉଗ୍ରତାକୁ ନେଇ ଅନ୍ଧ ହେବାର ଅନେକ ମୋହରୁ ସେ ଆପଣାକୁ ମୁକ୍ତ କରି ରଖିବାକୁ ଅନେକ ବଳ ପାଏ । ବିଶ୍ଵାସ ବଢ଼ିଲେ ଉଗ୍ରତା ବଢ଼େନାହିଁ । ମାତ୍ର ବିଶ୍ଵାସ ଟଳିଯାଇ ଯେତେବେଳେ କୌଣସି ଏକ ସମୂହ ବା ଅନୁଷ୍ଠାନ ଉପରେ ଅଧିକ ବିଶ୍ଵାସ ଅଜାଡ଼ି ହୋଇଗଲା ପରି ଲାଗେ, ଆପଣାର ହୃଦୟ ଭିତରେ ହରାଇଥିବା ସମ୍ପଦକୁ ଯେତେବେଳେ ମଣିଷ ଆହୁରି ନାନାପ୍ରକାର ଅନୁଷ୍ଠାନିକ ତୃପ୍ତି ସାଧନ ଭିତରେ ପାଇବ ବୋଲି ଉଦଭ୍ରାନ୍ତ ହୋଇପଡ଼େ, କେବଳ ସେତିକିବେଳେ ତା’ର ବିଶ୍ଵାସ ଅବିଶ୍ଵାସରେ ପରିଣତ ହୁଏ । ସେତିକିବେଳ ନମ୍ର ମଣିଷ ଉଗ୍ର ହୁଏ, ଧର୍ମ ଧର୍ମଭ୍ରଷ୍ଟ ହୁଏ । ମୋହ ଆସି ସକଳ ଶ୍ରଦ୍ଧାକୁ ଗ୍ରାସ କରି ପକାଏ ।

 

୧୩ । ୧ । ୬୧

 

ହଁ, ଏଥର ମୁହଁ ଫିଟାଇ ସମସ୍ତ କଥା କହିବାକୁ ହେବ, ଆପଣାର ହୃଦୟ ଫିଟାଇ ଆପଣା ଭିତରେ ଆପଣାର ସମ୍ମୁଖୀନ ହେବାକୁ ପଡ଼ିବ । ପୁରୁଣା ଅନୁଷ୍ଠାନ ଓ ପୁରୁଣା ଆନୁଷ୍ଠାନିକ ସତ୍ୟଗୁଡ଼ାକ ମଣିଷକୁ ବା ତା’ର ସମାଜକୁ ଆଉ ବେଶି ବାଟ ନେଇଯାଇ ପାରିଲା ଭଳି ଆଦୌ ମନେ ହେଉନାହିଁ । ପୁରୁଣା ଧର୍ମଗୁଡ଼ାକ କେବଳ ଗୋଟାଏ ଗୋଟାଏ ମାଦଳ ଅନୁଷ୍ଠାନରେ ପରିଣତ ହୋଇ ମଣିଷକୁ ମଧ୍ୟ ତାହାରି ସହିତ ମାଦଳ ପଥର କରିଦେଲେଣି । ପୁରୁଣା ମତବାଦ ଗୁଡ଼ାକ ହୁଏତ ପୂର୍ବେ କେବେ ମଣିଷକୁ ଆଗକୁ ଯିବା ଲାଗି ପ୍ରେରଣା ଦେଉଥିଲା । କିନ୍ତୁ ଆଜି ଏହିଗୁଡ଼ାକ ହିଁ ମଣିଷ ମନରେ ବେଡ଼ି ହୋଇ ମଣିଷକୁ ବାନ୍ଧି ରଖିଚି, ମଣିଷ ଜୀବନର ସମସ୍ତ ସଞ୍ଚାଳନକୁ ବନ୍ଦ କରି ଦେଇଚି । ସେହି ବେଡ଼ି ଗୁଡ଼ାକ ଜୀବନର ସାର ସମ୍ପଦ ମନେକରି ମଣିଷ ବେଳେବେଳେ ସବୁଆଡ଼କୁ ଆଖି ବୁଜି ଦେଉଚି, ମାରଣା ବଳଦ ପରି ମାରି ଭୂଷି ସାବାଡ଼ କରି ଜଗତ ଜିତି ଆସିବ ବୋଲି ଅତି ନୃଶଂସ ହୋଇ ବାହାରି ପଡ଼ୁଚି । ଏହି ପୁରୁଣା ପ୍ରତୀକ ଗୁଡ଼ାକ ମଧ୍ୟ ଆଉ କୌଣସି ସଂଗତ ଅର୍ଥ ପ୍ରକାଶ କରୁଥିଲା ପରି ମନେ ହେଉନାହିଁ । ହୁଏତ କେଉଁଦିନ କେଉଁ ଆବଶ୍ୟକତା ପୂରଣ କରିବା ଲାଗି ମଣିଷର ସାମାଜିକ ଜୀବନରେ ସେଗୁଡ଼ାକର ପ୍ରବେଶ ହୋଇଥିଲା । କିନ୍ତୁ ଆଜି ମହାଦେବଙ୍କର ବାସୁଆ ବଳଦ ପରି ସେଗୁଡ଼ାକ କେବଳ ନିର୍ଜୀବ ହେଇ ପଡ଼ିରହିଚି, ମଣିଷ ସମାଜର ବିଚାରର ସିନ୍ଦୂକରେ ସେଗୁଡ଼ାକ ଖାଲି କୋଲପ ହୋଇ ପଡ଼ିରହିଚି । ଆନୁଷ୍ଠାନିକ ସମର୍ଥନର ନାନା ଶିଉଳି ଲାଗି କେବଳ ବଡ଼ ହୋଇ ଦିଶୁଥିବା ଏହି ପାରମ୍ପରିକ ଅନୁଷ୍ଠାନଗୁଡ଼ିକ ବିଷୟରେ ଆଜି ମୁହଁ ଫିଟାଇ କହିବାକୁ ପଡ଼ିବ, ସେଗୁଡ଼ିକ ପ୍ରତି ବର୍ତ୍ତମାନ ଆମର କେତେଦୂର ଅନୁରକ୍ତି ରହିବା ବା ନରହିବା ଉଚିତ, ସେହି ବିଷୟରେ ଆମକୁ ଏକ ନୂତନ ସଂଶୋଧିତ ନିର୍ଣ୍ଣୟ ନେବାକୁ ପଡ଼ିବ । ତା’ନହେଲେ ଭିତରେ ସବୁ ଭାଙ୍ଗି ପଡ଼ୁଥିବ, ସବୁ ଫମ୍ପା ହୋଇ ଯାଉଥିବ ଏବଂ ଉପରର ଖୋଳଟାକୁ ଆଦରି ବସି ସବୁଠାରେ ସବୁ ଠିକ୍ ଅଛି ବୋଲି ମନକୁ ଦମ୍ଭ ଦେଇ ରଖୁଥିବା ମଣିଷର ଦୁର୍ଦ୍ଦଶା ବଢ଼ିବାରେ ହିଁ ଲାଗିଥିବ, ମଣିଷ କ୍ରମେ ମରି ଯାଉଥିବ ।

 

୧୪ । ୧ । ୬୧

 

ଆପଣାର ହୃଦୟ ଫିଟାଇ ଆପଣା ଭିତରେ ମଧ୍ୟ ଆପଣାର ସମ୍ମୁଖୀନ ହେବାକୁ ପଡ଼ିବ-। ଏଥିଲାଗି ଅନେକ ବିଶ୍ଵାସ ଦରକାର, ଜୀବନ ପ୍ରତି ଅନେକ ଶ୍ରଦ୍ଧା ଦରକାର, ସଂସାରରେ ବାଟ ଚାଲିବା ସକାଶେ ଅନେକ ସାହସ ଓ ଆଶୀର୍ବାଦ ମଧ୍ୟ ଦରକାର । ଅନେକ ସମୟରେ ଆମେ ଆପଣାର ହୃଦୟ ପାଖରୁ ଲୁଚି ଲୁଚି ବାହାରେ ବୁଲୁଥାଉ, ବାହାର ଏବଂ ଭିତର ମଧ୍ୟରେ ଆଦୌ କୌଣସି ସଂଗତି ସମ୍ଭବ କରି ପାରୁନାହିଁ । ହୃଦୟ ଭିତରେ ବନ୍ଧା ହୋଇ ପଡ଼ିଥିବା ନାନାବିଧ ଅଭିଳାଷକୁ ଆମେ ବାହାରକୁ ବାହାର କରିବାକୁ ଭୟ କରୁ, ଆପଣାର ବାହାର ଜୀବନର ଲାଭକ୍ଷତିର ନାନା ଶଙ୍କା ଓ ଆଶଙ୍କାରେ ପଡ଼ି ଆମେ ଆମ ଭିତରଟାକୁ ମଧ୍ୟ ଭୟ କରିବାକୁ ଆରମ୍ଭ କରୁ । ହୃଦୟ ଭିତରର ଅନେକ ଶୁଭବାସନା ସେହିପରି ଅନବିଜ୍ଞାତ ଓ ଅବହେଳିତ ହୋଇ ପଡ଼ିରହେ । ଆପଣାର ସବୁଠାରୁ ବଡ଼ ମିତ୍ର କ୍ରମେ ଆପଣାର ସବୁଠାରୁ ବଡ଼ ତ୍ରାସରେ ପରିଣତ ହୁଏ, ଆପଣାକୁ ବାଟ ଦେଖାଇ ବାହାର କରିନେବାର ଆଲୋକ ଆପଣାକୁ ଦହନ କରି ମାରିବାର ନିଆଁରେ ପରିଣତ ହୋଇଯାଏ । ସଭ୍ୟ ହେବା ନାମରେ, ସଫଳ ହେବା ନାମରେ ଓ ଜୀବନ ବ୍ୟବସାୟରୁ ଯଥାସମ୍ଭବ ଅଧିକ ଲାଭ ଉଠାଇବା ନାମରେ ଆମେ ଆମର ହୃଦୟଟାକୁ ନାନାଭାବେ ଅସ୍ଵୀକାର କରୁ, ବେଳେବେଳେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ତାହାର ଡାକ ଶୁଣିପାରି ମଧ୍ୟ ତଥାପି ଥୋବରା ହୋଇ ବସି ରହିଥାଉ । ନାନାପ୍ରକାର ଭୟର ଅବଲମ୍ବନ କରି ଅନେକ ଶ୍ରଦ୍ଧା ଓ ଅନେକ ଶକ୍ତିକୁ କେବଳ ବିଷରେ ହିଁ ପରିଣତ କରିଦେଉ । ତେଣୁ ଏହି ଜଗତରେ ଆମଦ୍ଵାରା କେବଳ ସମସ୍ୟାଗୁଡ଼ାକ ହିଁ ବଢ଼ିବାରେ ଲାଗିଥାଏ, ସଂସାରର ଅଡ଼ୁଆଗୁଡ଼ାକ କେବଳ ଅଧିକ ଅଡ଼ୁଆ ହେବାରେ ଲାଗିଥାଏ, ଆମର ଯାବତୀୟ ଉପାୟ ଆମକୁ କେବଳ ଅଧିକରୁ ଅଧିକ ଦୟନୀୟ ଅବସ୍ଥାରେ ନେଇ ପକାଇ ଦେଉଥାଏ । ଏଭଳି ଦୁର୍ଦ୍ଦଶା ଲାଗି ରହିଥିବା ପର୍ଯ୍ୟନ୍ତ ଆମର ଦଶା କେବେହେଲେ ଘୁଞ୍ଚିବ ନାହିଁ । ଆପଣାକୁ ଡରି ଆପଣା ପାଖରୁ ପଳାଇ ଯାଉଥିଲା ପର୍ଯ୍ୟନ୍ତ ଆମ ପୃଥିବୀରେ କଦାପି ବିଶ୍ଵାସ ବଢ଼ିବ ନାହିଁ, ଶ୍ରଦ୍ଧା ମରିଯିବ, ସାହସ ମରିଯିବ, ଜୀବନ ମଧ୍ୟ ମରିଯିବ ।

 

୧୫ । ୧ । ୬୧

 

ସୁନ୍ଦରର ମଧ୍ୟଦେଇ ଭଗବାନଙ୍କ ପାଖକୁ ବାଟ ପଡ଼ିଚି । ସୁନ୍ଦର ବୋଇଲେ କେବଳ ସୌନ୍ଦର୍ଯ୍ୟ ବୋଲି କୁହାଯାଉଥିବା ଗୋଟାଏ ଅପାର୍ଥିବ ଗୁଣକୁ ବୁଝାଏ ନାହିଁ । ସୁନ୍ଦର ବୋଲି ସୁନ୍ଦର ମଣିଷକୁ ବୁଝାଏ, ସୁନ୍ଦର ମୁଖମଣ୍ଡଳ ଓ ସୁନ୍ଦର କଥାକୁ ବୁଝାଏ । ସୁନ୍ଦର ଭାବ ଏବଂ ସୁନ୍ଦର କାର୍ଯ୍ୟକୁ ବୁଝାଏ । ଯାହା କେବଳ ଆଖିକୁ ଭୁଲ ଦେଖାଯାଏ, ତାହା ସୁନ୍ଦର ନୁହେଁ । ଯେଉଁ କାମରେ କେବଳ ଲାଭ ମିଳେ, ତାହା ମଧ୍ୟ ସୁନ୍ଦର କାମ ନୁହେଁ । ଯାହାର ସନ୍ନିଧାନରେ ଆସି ହୃଦୟ ଉନ୍ମୋଚିତ ହୋଇଯାଏ, ତାହାହିଁ ସୁନ୍ଦର । ଯାହାର ସମ୍ମୁଖରେ ଠିଆ ହୋଇ ଆପଣାର ସବୁକିଛି ସମର୍ପଣ କରିଦେବାକୁ ମନ ହୁଏ, ଆପଣା ଭିତରେ ଗୋଟିକ ପରେ ଗଣ୍ଠି ଖୋଲି ହୋଇଯାଏ, ତାହାହିଁ ସୁନ୍ଦର । ଆପଣାର ଆଖି ପ୍ରସାରି ଦେଇ ମଣିଷ ସୁନ୍ଦର ଦୃଶ୍ୟ ଦେଖେ, ସୁନ୍ଦର ମୁଖମଣ୍ଡଳ ଆଡ଼କୁ ଅନାଇରହେ, କିନ୍ତୁ ଏଥିରେ ହୃଦୟ ବି ପ୍ରସନ୍ନ ହୁଏ, ତେଣୁ ଆଖି ମଧ୍ୟ ଧନ୍ୟ ହୁଏ । ଆପଣା କର୍ମମୟ ଜୀବନର ନାନା ଶୃଙ୍ଖଳା ଭିତରେ ମଣିଷ ଯେତେବେଳେ କୌଣସି ସୁନ୍ଦରକାମ କରିପାରେ, ସେତେବେଳେ ଲାଭକ୍ଷତିର ହିସାବ ନେବା ପୂର୍ବରୁ ହୃଦୟ ପ୍ରସାରିତ ହୋଇଯାଏ, ମଣିଷ ଭିତରର ଅନ୍ତର୍ନିହିତ ଶକ୍ତି ତା’ର ବାଟ ପାଇ ଧନ୍ୟ ହୁଏ, ମନୁଷ୍ୟ ପ୍ରସାରିତ ହୋଇଯାଏ । ଯିଏ ବାନ୍ଧିପକାଏ, ତାହା ସୁନ୍ଦର ନୁହେଁ । ଯିଏ ଆପଣାର ପାପ ବିଷୟରେ ସଚେତ କରିଯାଏ, ତାହା ସୁନ୍ଦର ନୁହେଁ । ଯେଉଁ ଆପଣାର ହୀନତାଗୁଡ଼ାକୁ ଆଙ୍ଗୁଠି ଦେଇ ଦେଖାଇଯାଏ, ତାହା ସୁନ୍ଦର ନୁହେଁ । ଯେଉଁ ବାସନା ମଣିଷକୁ ଆପଣା ପାଖରେ ଦୁର୍ବଳ କରିଦେଇଯାଏ, କେବଳ ଏକ ମର୍ମଦାହୀ ଗ୍ଳାନି ହିଁ ଯେଉଁ ବାସନାର ପରିଣାମ ହୁଏ, ତାହା ଶୁଭବାସନା ନୁହେଁ । ଶୁଭବାସନା ହିଁ ହୃଦୟ ଭିତରେ ସୁନ୍ଦରର ସମ୍ପର୍କରେ ଆସିବାର ପ୍ରେରଣା ଯୋଗାଇଦିଏ, ଶୁଭବାସନା ହିଁ ନେତ୍ରକୁ ନିର୍ମଳ କରାଏ,–ସୁନ୍ଦରକୁ ଅନୁଭବ କରିବାର ଯୋଗ୍ୟତା ଦିଏ । ଏହି ସୁନ୍ଦରର ଅନୁଭୂତି ବାହାରର ସମସ୍ତ ଅପୂର୍ଣ୍ଣତା ସତ୍ତ୍ୱେ ଭିତରେ ସୁନ୍ଦରର ଆବିଷ୍କାର ଲାଗି ବାଟ ବତାଇଦିଏ । ମନୁଷ୍ୟ ଆପଣାର ସର୍ବଶ୍ରେଷ୍ଠ ସମ୍ପଦର ଆବିଷ୍କାର କରେ, ଭଗବାନଙ୍କର ସମ୍ପର୍କ ପାଏ, ଭଗବାନଙ୍କର ଦର୍ଶନ ଲାଭ କରେ, ସକାଳର ସୂର୍ଯ୍ୟ ଉଠିବାଠାରୁ ଆରମ୍ଭ କରି ରାତିର ନୀରବ ଆକାଶ ସମସ୍ତେ ଭଗବାନଙ୍କ ପାଖକୁ ବାଟ ବତାଇ ଦିଅନ୍ତି ।

 

୧୬ । ୧ । ୬୧

 

ଏହି ଯୁଗରେ ଯେଉଁ ଶିକ୍ଷକ ଆପଣାର ଛାତ୍ରକୁ ଯାବତୀୟ ଶିକ୍ଷା ଓ ଶିକ୍ଷାୟୋଜନର ଏକକ କରି ଧରିବ, ତାହାକୁ ହିଁ ସକଳ ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡ଼ିବ । ଏହି ସମାଜରେ ମଣିଷକୁ କେବଳ ଏକ ସାମଗ୍ରୀ ବା ସାଧନରୂପେ ଗ୍ରହଣ ନକରି ଯିଏ ସାଧ୍ୟରୂପେ ଗ୍ରହଣ କରିବ, ତାକୁ ଅନେକ ପ୍ରକାରର ଦୁର୍ଗତି ଭୋଗ କରିବାକୁ ହେବ । ପାଠ ପଢ଼ାଇବା ନାମରେ କୋଠାବାଡ଼ି ବଢ଼ାଅ, ଟଙ୍କା ବଢ଼ାଅ, ଆଧୁନିକତମ ଫେଶନରେ ଯୋଜନାମାନ ବଢ଼ାଅ, ବିଳାସ ଓ ଆଡ଼ମ୍ବର ବଢ଼ାଅ, କୁଟିଳତା ଓ କୃତ୍ରିମତା ବଢ଼ାଅ,–ତେବେ ତୁମକୁ ଜଣେ ବଡ଼ ଶିକ୍ଷାବିତ୍ ବୋଲି କହିବାକୁ ଏହି ସମାଜରେ କପଟୀ ସ୍ତାବକ ଅନେକ ମିଳିବେ, ସଭାଘରେ ତୁମକୁ ବାହାବାହା ଦେବାକୁ ଅନେକ ଲୋକ ମିଳିବେ । କିନ୍ତୁ ଚାତରକୁ ଭବିଷ୍ୟତର ମଣିଷ ବୋଲି ସମଝି ତାକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କଲେ, ତାହାକୁ ହିଁ ତୁମର ସକଳ ଶିକ୍ଷାର ପ୍ରଧାନତମ ପରିମାପକ ବୋଲି ଗ୍ରହଣ କଲେ, ଚତୁର ଲୋକମାନେ ତୁମକୁ ତୁଚ୍ଛା ନିର୍ବୋଧ ବୋଲି କହିବେ । ଛାତ୍ର ନାମରେ ସବୁ ହେବ, ତାକୁ ନୂତନ ଶିକ୍ଷାରେ ଶିକ୍ଷିତ କରାଇବା ଲାଗି ସବୁ ପ୍ରଚାର ଓ ଆୟୋଜନ ହେବ, ତା’ ଦୃଷ୍ଟିକୋଣରେ ପରିବର୍ତ୍ତନ ଆସିବା ବିଷୟରେ ବକ୍ତୃତା ଦିଆଯିବ, ବଡ଼ ବଡ଼ ଆଦର୍ଶକୁ ନେଇ ଆନୁଷ୍ଠାନିକ ଭାବରେ ଭାବ ଓ ଭାଷାର ମୈଥୁନ ହେବ, କିନ୍ତୁ ସେହି ବିଷୟରେ ନିଷ୍ଠାପର ଭାବରେ କୌଣସି କାର୍ଯ୍ୟ ଆରମ୍ଭ କଲେ ହିଁ ଯାବତୀୟ ବିପଦକୁ ଘରକୁ ଡାକି ଆଣିବାକୁ ପଡ଼ିବ । ଏହି କାରଣରୁ ହିଁ ଆଜି ସବୁଠାରେ ଶିକ୍ଷା ନାମରେ ପ୍ରଧାନତଃ ଅଭିନୟ ବଢ଼ିବାରେ ଲାଗିଛି; ଶିକ୍ଷା ସମ୍ପର୍କରେ ଅଗଣିତ ବହି ଲେଖାଯାଉଚି, ଶିକ୍ଷା ପାଇଁ କୋଟି କୋଟି ଖରଚ ହେଉଚି, କିନ୍ତୁ ଶିକ୍ଷା ମରିଯାଉଚି । ମଣିଷ ମରିଯାଉଚି, ନିର୍ଭୟତା ମରିଯାଉଚି, ଆପଣାର ଜୀବନକୁ ବିକଶିତ କରାଇ ଆଣିବାର ଆଗ୍ରହ ମଧ୍ୟ ମରିଯାଉଚି ।

 

୧୭ । ୧ । ୬୧

 

ବରଷରେ ତିନିଶହ ଷାଠିଏ ଦିନ ଏମାନେ ଯେଉଁଠାକୁ ଯାଉଥିବେ, ସେହିଠାରେ ଏହିପରି ତାମସା ଲାଗୁଥିବ । କାହାରି ହୃଦୟରେ ସେମାନଙ୍କ ପ୍ରତି ଶ୍ରଦ୍ଧା ନଥିବ, ନିଷ୍ଠାର ସହିତ କିଛି କରିବାଲାଗି କେହି ସେମାନଙ୍କ ପାଇଁ ପ୍ରସ୍ତୁତ ନଥିବ, ତଥାପି ବାହାରେ ଅଭ୍ୟର୍ଥନାର ରାଜସିକ ଆୟୋଜନମାନ ହେଉଥିବ । ସେମାନଙ୍କର ପ୍ରଶସ୍ତି ଗାନ କରା ହେଉଥିବ, ଏହି ଦେଶର ମରୁଭୂମିରେ ସେହିମାନଙ୍କୁ ବିଶାଳ ଦ୍ରୂମ ବୋଲି କହି ସ୍ତୁତି କରା ହେଉଥିବ, ବକ୍ତୃତା ଓ ଭାଷଣମାନ ଦିଆଯାଉଥିବ ଲକ୍ଷଲକ୍ଷ ଟଙ୍କାର ଥଳୀ ଭେଟି ହେଉଥିବ । ଗତ ତେରବରଷ ଧରି ଏହିସବୁ ପୂଜାଭିନୟରେ ଏମାନେ ଏପରି ଅଭ୍ୟସ୍ତ ହୋଇ ପଡ଼ିଲେଣି ଯେ, ସମସ୍ତ ଦେଶର ସାଧାରଣ ଦୈନନ୍ଦିନ ଜୀବନକୁ ଏମାନେ ଠିକ୍ ଏହିପରି ହୋଇଥିବ ବୋଲି ଗ୍ରହଣ କରିନେଇ ସାରିଲେଣି । ଗୋଟାଏ ପତନପ୍ରାୟ ସାମାଜିକ ଗଠନର ଶେଷ ସୂତ୍ର ପରି ଏମାନେ ଏହି ଗଠନଟାକୁ ହିଁ ମାନିନେଇ ସାରିଲେଣି । ଏ ସମାଜ ବଦଳିବ, ଏହି ସୁଆଙ୍ଗ ଶେଷ ହେବ, ଏହି ଦେଶର ମଣିଷ ଦିନେ ମଣିଷ ପରି ବଞ୍ଚିବ, ଏସବୁ କଥା ଏହି ନେତାମାନଙ୍କର ମନରୁ ଏକାବେଳେକେ ପାସୋରି ଗଲାଣି । ଅଥବା, ହୁଏତ ସେସବୁ ସମ୍ଭାବନା ବିଷୟରେ ଚିନ୍ତା କରିବାକୁ ମଧ୍ୟ ଏମାନେ ଭାରି ଭୟ କରୁଛନ୍ତି । ଯେଉଁ ଭଳି ସାମାଜିକ ଓ ରାଜନୀତିକ ବ୍ୟବସ୍ଥା ମଧ୍ୟରେ ଏମାନେ ନୀତି ଭୋଗ ଖାଉଚନ୍ତି, ନିତି ରାଜସିକ ବ୍ୟସନ ମଧ୍ୟରେ ରହି ଆଗରୁ ଭୋଗ କରିଥିବା କଷ୍ଟଜନିତ ଅତୃପ୍ତିର ମନସାଧ ମେଣ୍ଟାଉଚନ୍ତି, ସେହି ବ୍ୟବସ୍ଥାକୁ ବଦଳାଇବା ପାଇଁ ସେମାନେ କାହିଁକି ଭାବିବେ ? ଓଲଟି ବ୍ୟସନରେ ସଢ଼ି ସଢ଼ି ସ୍ଵାଧୀନତା ସଂଗ୍ରାମର ଏହି ବଡ଼ବଡ଼ ବୀରମାନେ ଆଜି ରକ୍ଷଣଶୀଳ ହୋଇପଡ଼ିଚନ୍ତି; ସେମାନେ ଆଉ କୌଣସି ପରିବର୍ତ୍ତନ ଚାହୁନାହାନ୍ତି, ସେମାନେ ନାନା ମଧୁର ବଚସା ଓ ବଚନିକା ଦେଇ ଏହି ବ୍ୟବସ୍ଥାକୁ ଚିରଞ୍ଜୀବୀ କରି ରଖିବାକୁ ଇଚ୍ଛା କରୁଚନ୍ତି । ଦେଶର ଆର୍ଥିକ ଓ ମାନସିକ ଭୂମି ଯେ ଏକ ଦାରୁଣ ସଙ୍କଟ ଭିତରେ ଉଚ୍ଛନ୍ନ ହେବାକୁ ବସିଲାଣି, ଏମାନଙ୍କର ଭୟ–ଓ ବ୍ୟସନଭ୍ରଷ୍ଟ ମନ ତାହା ସ୍ଵୀକାର କରିବାକୁ ମଧ୍ୟ ରାଜି ନୁହେଁ,–ଏହି ହତଭାଗ୍ୟ ଦେଶରେ ଏହିମାନେ ହିଁ ସବୁଠାରୁ ବଳି ହତଭାଗ୍ୟ ।

 

୧୮ । ୧ । ୬୧

 

‘ଜନଗଣମନ’ ବୋଲା ହେଉଥିବା ବେଳେ ତଥାପି ରୋମାଞ୍ଚ ହୁଏ, ତଥାପି ହୃଦୟ କେଉଁ ମନୁଷ୍ୟ ଦେବତାର ଆସନ ପାଖରେ ଆପଣାକୁ ସମର୍ପିତ କରିଦେବାକୁ ଧାଇଁଯାଏ, ତଥାପି ନୟନ ପୂର୍ଣ୍ଣ କରି ଅଶ୍ରୁ ଭରିଆସେ । ଏହି ଜନଗଣର ବିଧାୟକ କିଏ, ଏହି ବିରାଟ ଜନମାନର ଅଧିନାୟକ କିଏ ? ଗତ ତେର ବରଷର ଅନ୍ୟାୟ ଓ ଦୌରାତ୍ମ୍ୟ ଏ ବିଷୟରେ ଭାବିବାକୁ ମଧ୍ୟ କୌଣସି ଉତ୍ସାହ ଜାଗୃତ କରାଇ ପାରେନାହିଁ । ଏହି ଗୀତଟି ଆଜି ରାଷ୍ଟ୍ରୀୟ ଗୀତ ହୋଇଚି । ଏହି ଗୀତଟିର ଆଜି ଆନୁଷ୍ଠାନିକ ମହତ୍ତ୍ଵ ଯଥେଷ୍ଟ ବଢ଼ିଚି; କିନ୍ତୁ କବିର ଯେଉଁ ବିପୁଳ ବିରାଟ ଅଭିଳାଷୀ ଦୃଷ୍ଟି ଏହି ଗୀତଟିରେ ଭାଷା ଓ ଭାବର ସଂଯୋଜନ କରିଥିଲା, ସେହି ଦୃଷ୍ଟି ଆଜି ସବୁଠାରେ ସବୁ ଉପଲକ୍ଷ୍ୟରେ କବଳ ଅପମାନିତ ହିଁ ହେଉଚି । ହୃଦୟର ସମସ୍ତ ସମର୍ପଣ ବୃତ୍ତିକୁ ହତ୍ୟା କରି ଆଜି କେବଳ ଏକ କୃତ୍ରିମତା ହିଁ ରାଜତ୍ଵ କରୁଚି । ତଥାପି ଏହି ସଙ୍ଗୀତ ଆଜି ମଧ୍ୟ ଉଦ୍‌ବୋଧନ ଦେଇଯାଏ । କେଉଁ ଭାଗ୍ୟବିଧାତାର ଜୟଗାନ କଲାବେଳେ ଆପଣାର ହୃଦୟ ଭିତରେ ଯେପରି କେହି ଶୁଦ୍ଧ ହୋଇ ଗଲାପରି ମହେହୁଏ, ଯେପରି କେହି ପ୍ରସ୍ତୁତ ହୋଇ ବାହାରିପଡ଼େ । ମୋ’ର ଚତୁର୍ଦ୍ଦିଗରେ ଯେତେ ଘନ ଅନ୍ଧକାରର କାଳିମା ଘୋଟି ରହିଥାଉ ପଛକେ, ତଥାପି ମୋତେ ଦୀପଟିକୁ ଜାଳି ରଖିବାକୁ ହେବ, ମାଟିର ଏହି କ୍ଷୁଦ୍ର ଦୀପଟିକୁ ସବୁମନ୍ତେ ସୁନ୍ଦର କରି ସଜାଇ ମୋତେ ସେହି ଦେବତାର ବାଟରେ ରଖିଦେବାକୁ ପଡ଼ିବ । ଏଥିଲାଗି ଯେଉଁ ସ୍ୱଚ୍ଛ ହୃଦୟ, ଭୟଶୂନ୍ୟ ମନ ଓ ପ୍ରମାଦ ରହିତ ଭାଷା ଆବଶ୍ୟକ, ମୋତେ ତାହାଲାଗି ଯୋଗ୍ୟ ହେବାକୁ ପଡ଼ିବ-। ଏହି ଦେଶର ପୁଅ ହିସାବରେ, ଏହା ହିଁ ହେଉଚି ମୋ’ର ଜୀବନର କାର୍ଯ୍ୟକ୍ରମ, ମୋ’ର ଧର୍ମ, ମୋ’ର କର୍ତ୍ତବ୍ୟ । ମୋତେ ପ୍ରସ୍ତୁତ ହେବାକୁ ହିଁ ପଡ଼ିବ ।

 

୧୯ । ୧ । ୬୧

 

ମୋ’ ଦେଶରେ ଜାତୀୟ ସଙ୍ଗୀତକୁ ମୁଁ ମୂଳତଃ ଏକ ଆଧ୍ୟାତ୍ମିକ ସଙ୍ଗୀତ ରୂପେ ଗ୍ରହଣ କରିବି, ଏକ ଆଧ୍ୟାତ୍ମପ୍ରସ୍ତୁତିର ସଙ୍ଗୀତରୂପେ ଗ୍ରହଣ କରିବି । ଏହି ଦେଶର ଜୟଗାନ କଲାବେଳେ ମୁଁ ମୋ’ ଦେଶ ବା ମୋ’ ଜାତିକୁ କୌଣସି ପ୍ରକାରେ ଅନ୍ୟ ଦେଶ ଓ ଅନ୍ୟ ଜାତିର ଶୀର୍ଷ ସ୍ଥାନରେ ନେଇ ବସାଇ ଦେବିନାହିଁ, ମୋ’ର ଦେଶକୁ ମୁଁ ସର୍ବପ୍ରଥମ ବୋଲି କହିବିନାହିଁ, ସବୁଠାରୁ ଅଧିକ ପରାକ୍ରମୀ ବୋଲି କହି ମିଛ ଗୌରବ ଅନୁଭବ କରିବି ନାହିଁ । ଏହି ଜୟଗାନ କଲାବେଳେ ମୁଁ ସଂସାରର ସବୁ ଦେଶର ଜୟଗାନ କରିବି । ଯେଉଁଠାରେ ମଣିଷ ଆପଣା ବାଟରେ ଆଗକୁ ଯିବାଲାଗି ସଜ ହେଉଚି, ଯେଉଁଠି ସେ ଆପଣାର ଶ୍ରଦ୍ଧା ଓ ସମ୍ମତି ଦେଇ ପୂଜାଲାଗି ଅଗ୍ରସର ହେଉଚି, ସେ ଯେଉଁଠି ଆପଣାକୁ ବିଶ୍ଵବିଧାତାଙ୍କର ଏକ ସୃଜନଶୀଳ ସହଯୋଗୀ କରି ତିଆରି କରିବାର ସ୍ଵପ୍ନ ଦେଖୁଚି, ସେଠାରେ ମୁଁ ମଧ୍ୟ ତା’କୁ ସ୍ଵୀକାର କରିବି, ମୋ’ର ସାଥୀ ହିସାବରେ ମୁଁ ତା’ ଆଡ଼କୁ ହାତ ବଢ଼ାଇ ଦେବି, ତା’ଠାରୁ ଶିଖିବି, ତା’ଠାରୁ ପ୍ରେରଣା ପାଇବି । ମୋ’ ଦେଶର ଜାତୀୟ ସଙ୍ଗୀତ ଭିତରେ ସବୁ ମଣିଷର ଆତ୍ମଗତ ଜୀବନ ସହିତ ଏକତ୍ର ହେବାର ବ୍ୟଞ୍ଜନା ନିହିତ ହୋଇ ରହିଚି । ତେଣୁ ମୋ’ ଦେଶର ଜୟଗାନ କଲାବେଳେ ମୁଁ ଏହି ମୈତ୍ରୀ ଓ ମିଳନର ଜୟଗାନ କରିବି, ଏହି ବିଶ୍ଵମାନବର ବିଶ୍ଵମ୍ଭରିତାର ଜୟଗାନ କରିବି । ଏଠାରେ ଘୃଣା ଲାଗି କୌଣସି ସ୍ଥାନ ନାହିଁ, ଅଲଗା ହୋଇ ବସି ଖାଲି ଆପଣାକୁ ବଡ଼ ବୋଲି ଭ୍ରମ କରିବାଲାଗି କୌଣସି ଅଧିକାର ନାହିଁ । ଆପଣାର ସକଳ ପରାକ୍ରମକୁ ଏଠି ଭଗବତ୍–ପରାକ୍ରମର ଅଧୀନ କରି ରଖିବାର ଓ ସେହି ପରାକ୍ରମର ଇଙ୍ଗିତରେ ଆପଣାକୁ ଓ ଆପଣାର ସାମୂହିକ ଶ୍ରଦ୍ଧାକୁ ସଞ୍ଚାଳିତ କରିବାର ହିଁ ଆହ୍ଵାନ ରହିଚି । ସେଥିଲାଗି, ମୋ’ମୁଖରେ ମୋ’ ଦେଶର ଜାତୀୟ ସଙ୍ଗୀତ ଉଚ୍ଚାରିତ ହେଉଥିବା ବେଳେ ମୁଁ ଏହି ଦେଶର ଚାରିସୀମାକୁ ପାର ହୋଇଯାଏ, ମୋ’ର ହୃଦୟରେ ହେଉଥିବା ଭାବର ରୋମାଞ୍ଚ ସମସ୍ତ ଜଗତର ସମସ୍ତ ଶ୍ରଦ୍ଧାର ସୀମାକୁ ଛୁଇଁ ପକାଇଲା ପରି ମନେହୁଏ, ମୋ’ ଆଖିର ଲୁହ ଭିତରେ ମୋ’ର ବିଶ୍ଵମୟ ସୌଭାଗ୍ୟ ପ୍ରତିବିମ୍ବିତ ହୋଇଉଠେ, ଗୋଟାଏ ପତାକାର ପ୍ରତୀକକୁ ଭେଦ କରି ମୁଁ ବିଶ୍ଵମୟ ସବୁ ମଣିଷର ଅଭିଳାଷକୁ ଅନୁଭବ କରେ-

 

୨୦ । ୧ । ୬୧

 

ସ୍ଵାଭାବିକ ଭାବରେ ଆପଣାର ଜୀବନ ବଞ୍ଚିବା, ଏହା ହିଁ ତ ଜୀବନ ! ସହଜ ହୋଇ, ଅତି ସହଜ ଭାବରେ ପ୍ରସ୍ତୁତ ହୋଇ ସକାଳୁ ଉଠି ଏହି ପୂର୍ବଦିଗକୁ ଅନାଇ ହୃଦୟକୁ ଭରାଇନେଇ ପାରୁଥିବା ପର୍ଯ୍ୟନ୍ତ ମୋ’ର ଆଉ ଚିନ୍ତା କ’ଣ ? କାଲି ରାତିରେ ଭଗବାନଙ୍କର ନାମକୁ ଅନୁଭବ କରୁ କରୁ ଯେତିକି ସହଜରେ ଆପଣାର କ୍ଳାନ୍ତ ଦେହକୁ ବିଛଣା ଉପରେ ଅଚେତ କରି ଦେଇଥିଲି, ଆଜି ଠିକ୍ ସେତିକି ସହଜ ଭାବରେ ନିଦରୁ ଚେତା ହୋଇ ଉଠି ଏହି ମୁଗୁନି ଅନ୍ଧାର ଅପସରି ଯିବା ପୂର୍ବରୁ ତାହାର ଆଲୋକ ରୂପ ଦେଖିବାଲାଗି, ଅନ୍ଧାର ଆଉ ଆଲୁଅ ଭିତରେ ରହିଥିବା ବ୍ୟବଧାନଟିକୁ ଭେଦ କରି ପାରିବା ଲାଗି ମୁଁ ପ୍ରସ୍ତୁତ ହୋଇ ରହିଚି । ଏହି ସହଜ ବାଟଚଲା ଲାଗି ରହିଥିବା ପର୍ଯ୍ୟନ୍ତ, ହୃଦୟ ଦେଇ ବଞ୍ଚିବାର କଳାଟିକୁ ପାସୋରି ନପକାଇବା ପର୍ଯ୍ୟନ୍ତ ମୋ’ର ଭବିଷ୍ୟତ ବିଷୟରେ ମଧ୍ୟ ଆଉ କି ଚିନ୍ତା କରିବାର ଅଛି ? ବର୍ତ୍ତମାନର ବାଟ ଚାଲୁଚାଲୁ ତ ଭବିଷ୍ୟ ଆସିବ, ସହଜ ଭାବରେ ବର୍ତ୍ତମାନର ସମ୍ମୁଖୀନ ହେଉହେଉ ତ ମୋ’ର ଭବିଷ୍ୟତ ତିଆରି ହୋଇ ଚାଲିଥିବ ! ବର୍ତ୍ତମାନ ମୋତେ ଯେଉଁସବୁ ତୃପ୍ତି ମିଳିବା ଉଚିତ ଥିଲା, ସେଗୁଡ଼ିକ ଭବିଷ୍ୟତରେ କେଡ଼େ ଶୀଘ୍ର ବା କେଡ଼େ ବିଳମ୍ବରେ ମିଳିବ, ଏହିପରି ଗୋଟାଏ ଗ୍ଳାନିରେ ଘାଣ୍ଟିହୋଇ ମୁଁ ବର୍ତ୍ତମାନର ଏହି ଶାନ୍ତ ମୁହୂର୍ତ୍ତଟିକୁ ଆପଣାର ଦ୍ଵାର ପାଖରୁ ଫେରାଇଦେବି କାହିଁକି-? ଏ ଜୀବନରେ ଅଭିଯୋଗ କରିବାର ଅବସର ନାହିଁ, ଆପଣାର ଉତ୍ତରାଧିକାରକୁ ନିନ୍ଦିବାର ବାଟ ହିଁ ନାହିଁ । ଆଖି ଆଗରେ, ହୃଦୟର ସୀମାକୁ ସ୍ପର୍ଶ କରି ଠିକ୍ ଓଠ ସହିତ ଓଠ ଲଗାଇ ଦେଉଥିଲା ପରି ଯେଉଁ ଅତୁଳ ସମ୍ପଦର ଭୁବନ ମୋ’ ଆଗରେ ପ୍ରସାରିତ ହୋଇ ରହିଚି, ସେହି ସମ୍ପଦକୁ ଆପଣାର କରିବାକୁ ହେବ, ସେହି ଭୁବନକୁ ଘରକୁ ଡାକିନେବାକୁ ହେବ । ଏହାହିଁ ମୋ’ର ପରମ ଆନନ୍ଦ, ମୋ’ର ପରମ ଗତି ।

 

୨୧ । ୧ । ୬୧

 

ଏ ବୈରାଗ୍ୟ ନୁହେଁ, ଏ ଅନୁରାଗ । ଏ ହେଉଚି ଜୀବନ ପ୍ରତି ଅନୁରାଗ, ସମ୍ଭବମାନ ଜୀବନର ରହସ୍ୟମୟ ଅପାର ମଧ୍ୟରୁ ଗୋଟିଏ ଗୋଟିଏ ରହସ୍ୟର ଉଦ୍‌ଘାଟନ କରିବାର ଅନୁରାଗ । ସକାଳୁ ଅନ୍ଧାର ନଯାଉଣୁ ବିଛଣାରୁ ଉଠିବା, ଅନ୍ଧାର ନଯାଉଣୁ ଗାଧୋଇ ପଡ଼ିବା, ଅନ୍ଧାର ନଯାଉଣୁ ଘଡ଼ିଏ ଥିର ହୋଇ ବସି ଭିତରେ ଆପଣାର ଦୀପଟିକୁ ଟିକିଏ ତେଜିଦେବା, ଅନ୍ଧାର ନଯାଉଣୁ ଆପଣାର କର୍ମସଚଳ ଜୀବନ ଭିତରେ ଜୀଇ ଉଠିବା,–ଜୀବନ ପ୍ରତି ମୋ’ର କୌଣସି ବୈରାଗ୍ୟଭାବ ରହିଚି ବୋଲି ମୁଁ ଏସବୁ କରେନାହିଁ, ଉପରୁ କାହାରି ତାଡ଼ନା ପାଇ, କାହାରି ଦଣ୍ଡକୁ ଡରି ବା ପୁରସ୍କାରର ଆଶା କରି ମୁଁ ଦିନପରେ ଦିନ ଏହି ସବୁର ଆଚରଣ କରେନାହିଁ,–ଜୀବନ ପ୍ରତି ମୋ’ର ଅନୁରାଗ ହିଁ ଏହିସବୁ କର୍ତ୍ତବ୍ୟସଚଳତା ଭିତର ଦେଇ ଆପଣାକୁ ପ୍ରକାଶ କରିବାକୁ ଚାହେ । ଏହାକୁ ମୁଁ କୃଚ୍ଛ୍ରସାଧନା ବୋଲି କଦାପି କହିବି ନାହିଁ । ଅନ୍ୟମାନେ ଅଳସମାରି ବସିଥିବା ବେଳେ ମୁଁ ମୋ’ର କାମରେ ଲାଗିଥାଏ, ଅନ୍ୟମାନେ ଚାହାପାଣି ପିଇବାର ବାହାନାରେ ଜଗତଯାକର ପରିଚର୍ଚ୍ଚାରେ ଜଡ଼ିତ ହୋଇ ରହିଥିବା ବେଳେ ମୁଁ ମୋ’ର ଫୁଲବଗିଚାରେ ଏଠି ସେଠି ହାତ ମାଠିଦେବାରେ ଲାଗିଥାଏ,–ଏହା ବୈରାଗ୍ୟ ନୁହେଁ, ଏହା ଅନୁରାଗ । ଏହା ଉଦାସୀନତା ନୁହେଁ, ଜୀବନକୁ ଅତି ନିବିଡ଼ ଭାବରେ ଅନୁଭବ କରି ପାରିବା ଲାଗି ଏହା ହେଉଛି ଏକ ବଳବାନ ଅଭିଳାଷ । ଏସବୁ କଲାବେଳେ ମୁଁ କୌଣସି ସନ୍ତାପ ଅନୁଭବ କରେନାହିଁ, କୌଣସି ଶାସକର କୌଣସି ତାଡ଼ନାରେ ମୁଁ ଏହା କରେନାହିଁ । ମାଘମାସରେ ଏହି କାଲୁଆ ସକାଳ ସମୟରେ ଯେତେବେଳେ ମୁଁ ଶୀତବସ୍ତ୍ରର ଆବରଣ ଭିତରୁ ବାହାରକୁ ଆସେ, ସେତେବେଳେ ଦେହ ଉପରଟା ଶୀତରେ କମ୍ପି କମ୍ପି ଉଠୁଥାଏ, ଦେହ ଭିତରେ ରକ୍ତର ଭଣ୍ଡାରଟା ମଧ୍ୟ କମ୍ପି କମ୍ପି ଉଠୁଥାଏ, କିନ୍ତୁ ସବାତଳେ ହୃଦୟ ଭିତରେ କେଉଁ ହରିଣୀ ଯେପରି କାହାର ଧ୍ୟାନରେ ଏକଲୟ ହୋଇ ଅନାଇ ରହିଥାଏ, ତା’ର ଆଖି ଭିତରେ ସତେ ଯେପରି କେଉଁ ଅସମ୍ଭୁତ, ଉଷ୍ମ ଜୀବନର ସ୍ପନ୍ଦନ ଚହଲି ଉଠୁଥାଏ, ଦିନ ଓ ରାତିର ମଝିବେଳା ଉପରେ ବସି ସିଏ ଯେପରି କେଉଁ ମହିମାମୟ ସ୍ଵପ୍ନରେ ବିଭୋର ହୋଇ ରହିଥାଏ,–ପୂର୍ବ ଆକାଶକୁ ଅନାଇ ସିଏ ଯେପରି କେଉଁ ଚେତନାରୂପୀ ଅନ୍ୟ ହରିଣୀଟିର ବାଟ ଚାହିଁ ରହିଥାଏ ।

 

୨୨ । ୧ । ୬୧

 

ସକାଳୁ ଉଠିବା ମାତ୍ରକେ ନାନା ଅପ୍ରାପ୍ତ ଫଳ ଓ ଅତୃପ୍ତ ଅଭିଳାଷ ଗୁଡ଼ାକୁ ସ୍ମରଣ କରି ମନେମନେ କଳ୍ପନା ହୋଇ ବସିବାଟା ପ୍ରକୃତରେ ବଡ଼ ଅଲକ୍ଷଣା କଥା । ମୋ’ର ଭାଗ୍ୟ ଭଲ ଥିଲେ ମୁଁ କ’ଣ ପାଇଥାନ୍ତି, ଏହି କଥାଦ୍ଵାରା ସନ୍ତାପିତ ହୋଇ ଆପଣାର ବର୍ତ୍ତମାନ ଭାଗ୍ୟକୁ ନିନ୍ଦା କରି ବସିବାରେ ଜୀବନରେ କିଛି ପାଇଥିବାର ବା ହୋଇଥିବାର କୌଣସି ଲକ୍ଷଣ ପ୍ରକାଶ ପାଏ ବୋଲି ମୋ’ର ମନେ ହେଉନାହିଁ । କେଉଁଠାରୁ ଚିଠି ଆସିବାର ଥିଲା କାହିଁକି ଆସିଲା ନାହିଁ, ଅମୁକ ବନ୍ଧୁତା ବା ଅମୁକ ମିତ୍ରତାର ଏପରି ପ୍ରମାଣ ମିଳିବାର ଥିଲା କାହିଁକି ମିଳିଲା ନାହିଁ, ଅମୁକ ଲୋକର ମୋତେ ଏପରି ବୁଝିବାର ଥିଲା ମାତ୍ର କାହିଁକି ସେ ବୁଝିଲା ନାହିଁ, ମୋ’ କର୍ମର ପଥଉପରେ ଅମୁକ ଅମୁକ ଫଳ ଫଳିଯିବାର ଉଚିତ ଥିଲା ତାହା କାହିଁକି ଫଳିଲା ନାହିଁ, ଏସବୁ କଳ୍ପନାକୁ ମନଭିତରେ ପୂରାଇ କଳ୍ପନା ହୋଇ ବସିବାଟା ବଡ଼ ନିର୍ବୋଧ କଥା । ସକାଳେ ସତେଜ ହୋଇ ଜନ୍ମଲାଭ କରିଥିବା ଏହି ଗୋଟା ମନଟା ଭିତରେ ଖୁଣ କରିଦେବାଟା ବଡ଼ ଦୁର୍ଭାଗ୍ୟର କଥା; ସମସ୍ତ ସଂସାରକୁ ଆପଣା ଭିତରକୁ ବରଣ କରିନେବାକୁ ବାହାରିଥିବା ହୃଦୟ ଉପରେ ସନ୍ତପ୍ତତାର ଛୁରୀ ନେଇ ଗାରଟାଏ ବସାଇଦେବା ଏକ ବଡ଼ ଦୟନୀୟ ଦୁର୍ଭାଗ୍ୟ । ଯିଏ ସଂସାରରେ ଆପଣାକୁ କୋଉ ଗେହ୍ଲାପୁଅ ବୋଲି ଧରି ନେଇଥାଏ, ଯିଏ କିଛି ନଦେଇ ସଂସାରଠାରୁ ସବୁ ପାଇବାର ବଳିଆ ମନ ନେଇ ବସିଥାଏ, ସମର୍ପଣର ଦୁଆର ନମାଡ଼ି ଯିଏ ସଂସାରର ସବୁଯାକ ସମ୍ପତ୍ତିକୁ ଅପହରଣ କରି ଲାଭବାନ୍ ହେବାର ଆଣ୍ଟ ବାନ୍ଧିଥାଏ, ତାହାକୁ ହିଁ ସକାଳୁ ଉଠି ତିକ୍ତ ଓ ସନ୍ତପ୍ତ ହେବାର ଦୁର୍ଭାଗ୍ୟ ପ୍ରାପ୍ତ ହୋଇଥାଏ । ଅତୃପ୍ତିର ହିସାବ କରି ବସିଲେ ଏହି ଜୀବନରେ ତୃପ୍ତି କାହିଁ-? ମୋ’ର ସବୁ ଥାଇ ଯଦି ମୁଁ ତଥାପି ଏପରି ଆପଣା ହାତରେ ଆପଣାର ଗ୍ରହଣପାତ୍ରଟିକୁ ଚହଲାଇ ଦେବାର ଦୁର୍ବୁଦ୍ଧି କରିବି, କାଲି ଯାହାର ଉଦରଟା ମଧ୍ୟ ତୃପ୍ତ ହୋଇନାହିଁ, ସିଏ ଆଜି ବଞ୍ଚିବା ଲାଗି କୋଉଠୁ କିପରି କୌଣସି କାରଣ ପାଇପାରିବ ?

 

୨୩ । ୧ । ୬୧

 

ଇଂଲଣ୍ଡର ରାଣୀ ଏଲିଜାବେଥ୍‌ଙ୍କ ପ୍ରତି ମୋ’ର କୌଣସି ଅସଦ୍‌ଭାବନା ନାହିଁ । କିନ୍ତୁ ଜଣେ ନାରୀ ହିସାବରେ, ସର୍ବୋପରି ଏହି ଯୁଗର ଜଣେ ମଣିଷ ହିସାବରେ ତାଙ୍କର ହୃଦୟ ଆଡ଼କୁ ଚାହିଁଲା ବେଳକୁ ମନ ଭିତରଟା ଭାରି ନିରାଶ ହୋଇ ଯାଉଛି । ସିଏ ତିନୋଟି ସନ୍ତାନର ମାଆ, ଏଡେ ବଡ଼ ଘରର ଘରଣୀ ସେ, କୋଳରେ ଏଗାରମାସର ପିଲା । ଏ ଦେଶରେ ସାତଟା ଦିନର ରହଣି ଭିତରେ କ’ଣ ତାଙ୍କୁ ଆଉ କିଛି ବୁଦ୍ଧି ଜୁଟିଲା ନାହିଁ ଯେ, ସିଏ ଦୁଇ ତିନିଦିନ ବାଘଶିକାରରେ ଅତିବାହିତ କରିବାଲାଗି ମନ ବଳାଇଲେ ? ଏ ଦେଶରେ ଏତେ ମାଆ ଅଛନ୍ତି, ଏ ଦେଶରେ ଏତେ ଘର ଅଛି; ଏ ଦେଶରେ ଏତେ ମଣିଷ ଅଛନ୍ତି । ଏହି ଦେଶର ଚାରିଆଡ଼େ ଅତୀତର ସମ୍ପଦ ପଡ଼ିରହିଚି, ଭବିଷ୍ୟତ ସମ୍ପଦର ଯୋଜନାମାନ କାର୍ଯ୍ୟକାରୀ ହେଉଚି, ଏଡ଼େ ବଡ଼ ଗୋଟାଏ ଦେଶରେ ଖାସ୍ ବାଘଶିକାରଟା ତାଙ୍କୁ ଏଡ଼େ ବଡ଼ କରଣୀୟ କାର୍ଯ୍ୟ ବୋଲି ଦିଶିଲା କିପରି ? ଖବରକାଗଜରେ ପଢ଼ିଲି ଯେ, ସିଏ ଭାରତଯାତ୍ରା କାଳରେ ତାଙ୍କ ପାଖରେ ଗଚ୍ଛିତ ଥିବା ବହୁମୂଲ୍ୟ ହୀରା ଓ ମୋତିର ଅଳଙ୍କାରମାନ ସାଙ୍ଗରେ ନେଇ ଆସିଚନ୍ତି । ହାଇଦ୍ରାବାଦର ନିଜାମ ବାହାଘର ବେଳେ ତାଙ୍କୁ ହୀରାର ଯେଉଁ ହାରଟି ଉପହାର ଦେଇଥିଲେ; ସେ ଅତି ସରାଗରେ ସେଇଟିକୁ ବେକରେ ପକାଇ ଆସିଚନ୍ତି । ଯାତ୍ରା ବା ତୀର୍ଥସ୍ଥାନକୁ ଗଲାବେଳେ ସ୍ତ୍ରୀ ଲୋକମାନେ ଯେଉଁ ଉତ୍ସାହରେ ଭଲ ଭଲ ଗହଣାଗାଣ୍ଠିକୁ ପେଡ଼ିରୁ ବାହାର କରି ପିନ୍ଧି କରି ଯାଆନ୍ତି, ରାଣୀ ଏଲିଜାବେଥ୍‍ଙ୍କର ଉତ୍ସାହକୁ ଅବଶ୍ୟ ଠିକ୍ ସେହି ଉତ୍ସାହ ବୋଲି କୁହାଯାଇ ପାରିବନାହିଁ । ଏହି ଉତ୍ସାହ ପଛରେ ଆଉ ଏକ ଅଶୁଭ ସତକଥା ଲୁଚି ରହିଥିବା ପରି ମନେ ହେଉଚି । ସମୟ ଅନୁସାରେ ଏଲିଜାବେଥ୍ ବଦଳି ପାରିନାହାନ୍ତି, କେବଳ ଏକ ଆନୁଷ୍ଠାନିକ ପ୍ରତୀକ ହୋଇ ଏଠୁ ସେଠାକୁ ହେବା ବ୍ୟତୀତ ଜଣେ ମଣିଷ ବ୍ୟକ୍ତି ହିସାବରେ ତାଙ୍କର ଜୀବନ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ତାଙ୍କ ଭିତରେ ସମସ୍ତ ପ୍ରକାରର ଆନୁଷ୍ଠାନିକତା ହୀନ ମଣିଷଟି ଏପର୍ଯ୍ୟନ୍ତ ଜନ୍ମଲାଭ କରିନାହିଁ । ତା’ ନହୋଇଥିଲେ ଭାରତରେ ବାଘ ଶିକାର କରିବାକୁ ସେ ଆଦୌ ମନ ବଳାଇ ନଥାନ୍ତେ । ଭାରତରେ ଏତେ ମଣିଷଙ୍କର ଏତେ ଘର, ଏତେ ଉଦ୍ୟମ ଓ ଏତେ ଆଗ୍ରହକୁ ଉପେକ୍ଷା କଲାପରି ସିଏ ଯାଇ କାଲିର ଗୋଟାଏ ମହାରାଜା ଘରେ ଶିକାର କରିବାର ଏକ ପ୍ରମତ୍ତ ଆଗ୍ରହ ନେଇ ପଶିବାକୁ ମନ ବଳାଇ ନଥାନ୍ତେ । ତାଙ୍କୁ ମୁଁ ମାଆ ନକହି ଖାଲି ଜଣେ ରାଣୀ ବୋଲି ହିଁ କହିବି ।

 

୨୪ । ୧ । ୬୧

 

ପ୍ରତୀକମାନଙ୍କର ଯୁଗ ସରିଆସୁଚି । ବ୍ୟକ୍ତିର ଯୁଗ ଉପଗତ ହେଉଚି । ରାଜାରାଜୁଡ଼ାଙ୍କର ଯୁଗରେ ପ୍ରତୀକ ଉପରେ ବଡ଼ ମହତ୍ତ୍ଵ ଦିଆ ଯାଉଥିଲା, କାରଣ ସେ ଯୁଗରେ ମଣିଷ ବ୍ୟକ୍ତିକୁ ସ୍ଵୀକାର କରିବାର ମାନସିକ ଭୂମି ତିଆରି ହୋଇ ନଥିଲା । ତେଣୁ ଗୋଟାଏ ଗୋଟାଏ ପ୍ରତୀକକୁ ନେଇ ମଣିଷ ମରା ହେଉଥିଲା, ରାଜ୍ୟ ଜୟ କରା ହେଉଥିଲା, ସମାଜରେ ନାନା ଆଡ଼ମ୍ବରକୁ ଉଚ୍ଚ କରି ରଖା ଯାଇଥିଲା । କିନ୍ତୁ ଏ ଯୁଗରେ, ଯେତେବେଳେ ଗୋଟିଏ ପ୍ରତୀକ ପରେ ଆଉ ଗୋଟିଏ ପ୍ରତୀକ ଖସି ପଡ଼ିବାରେ ଲାଗିଛି, ସେତେବେଳେ ଯିଏ ପ୍ରଧାନତଃ ଏହି ପ୍ରତୀକଟାର ଜରିଆରେ ଆପଣାର ପରିଚୟ ଦେବାର ବଡ଼ାଇ କରୁଥିବ, ଏହି ସମାଜରେ ତାକୁ ଏକ ନିକୃଷ୍ଟ ଜୀବ ବୋଲି କହିବାକୁ ହେବ । ମୁଁ ତ ବେଳେବେଳେ ଭାରି ଆଶ୍ଚର୍ଯ୍ୟ ହୋଇ ଭାବେ, ଗୋଟାଏ ଭାରି ମୁକୁଟକୁ ପ୍ରତୀକରୂପେ ମୁଣ୍ଡରେ ପିନ୍ଧି ପ୍ରତୀକ ପରେ ଦିନମାନର ଚବିଶିଘଣ୍ଟା କଟାଇବାକୁ ଏଲିଜାବେଥ୍‍ଙ୍କୁ ଭଲ ବା ଲାଗେ କିପରି ? ବ୍ୟକ୍ତି ହିସାବରେ, ମାଆ ହିସାବରେ, ରାଣୀ ଏଲିଜାବେଥ୍‍ଙ୍କର ଆବରଣ ତଳେ ରହିଥିବା ମଣିଷଟି କ’ଣ ଭାବେ, କ’ଣ ଚାହେ, ସଂସାର ଓ ସମାଜର ନ୍ୟାୟ ଅନ୍ୟାୟ ବିଷୟରେ ସିଏ କ’ଣ କିପରି ବିଚାର କରେ, ମୁଁ ସେଇକଥା ଜାଣିବାକୁ ଚାହେ । ତେଣୁ କେବଳ ଅଭିନୟ କରି ବୁଲୁଥିବା ଗୋଟାଏ ପ୍ରତୀକକୁ ନେଇ ଆମ ଦେଶରେ ବର୍ତ୍ତମାନ ଯେଉଁ ସପ୍ତାହ ବ୍ୟାପୀ ଅଭିନୟ ଆରମ୍ଭ ହୋଇଚି, ମୁଁ ସେଥିରେ ନିଜ ମନ ଭିତରେ ଆଦୌ ସମ୍ମିଳିତ ହୋଇ ପାରୁନାହିଁ, ଖାପଛଡ଼ା ହୋଇ ରହିଯାଉଚି ।

 

୨୫ । ୧ । ୬୧

 

ଶିକ୍ଷକ କାରଖାନାରେ ଶ୍ରମିକ ନୁହେଁ, କାରଣ ବିଦ୍ୟାଳୟ ମଧ୍ୟ ସରଞ୍ଜାମ ତିଆରି କରୁଥିବା କାରଖାନା ମଧ୍ୟ ନୁହେଁ । ବିଦ୍ୟାଳୟରେ ସମ୍ପର୍କ ହେଉଚି ଶିଖିବା ଓ ଶିଖାଇବାର ସମ୍ପର୍କ, ଆପେ ବିକଶିତ ହୋଇ ଅନ୍ୟମାନଙ୍କର ବିକାଶ ଲାଗି କ୍ଷେତ୍ର ପ୍ରସ୍ତୁତ କରିବାର ସମ୍ପର୍କ । କିନ୍ତୁ ଅନେକ ସମୟରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଶିକ୍ଷକମାନଙ୍କୁ କାରଖାନାର ଶ୍ରମିକ ବୋଲି ମନେ କରିଥାନ୍ତି । ସେମାନେ ଯେପରି କେବଳ ଦରମା ପାଇ ରହିଛନ୍ତି, ତେଣୁ ସେମାନେ କେବଳ ବୋଲ ମାନିବାକୁ ରହିଚନ୍ତି, କର୍ତ୍ତୃପକ୍ଷ ଅନେକ ସମୟରେ ଠିକ୍ ସେହିପରି ମନେକରନ୍ତି । ଏପରି ମନେକରି ସେମାନେ ଭୁଲ୍‍ କରନ୍ତି, ବିଦ୍ୟାଳୟର ସର୍ବନାଶ କରନ୍ତି । ହଁ ଶିକ୍ଷକ ତା’ର କାର୍ଯ୍ୟ ବଦଳରେ ଅବଶ୍ୟ ପାରିଶ୍ରମିକ ନିଏ । କିନ୍ତୁ କେବଳ ପାରିଶ୍ରମିକ ନିଏ ବୋଲି କେହି ଶିକ୍ଷକ ହେବାକୁ ଚେଷ୍ଟାକରେ ନାହିଁ । ଶିକ୍ଷକ ସ୍ଵୀକୃତି ଚାହେ, ଶିକ୍ଷକ ମଣିଷର ସମ୍ମାନ ଚାହେ । ଖାଲି ଆଦେଶ ପାଳନ କରିବାରେ ଅଭ୍ୟସ୍ତ ହୋଇପଡ଼ିଲେ ସିଏ କ୍ରମେ ଗୋଟାଏ ଗଧ ହୋଇଯାଏ । ବିଦ୍ୟାଳୟରେ କ’ଣ ସବୁ ହେବ ବା ନ ହେବ, ଶିକ୍ଷକ ସହିତ ସେହି ସବୁର ଚର୍ଚ୍ଚା ହେବା ଉଚିତ । କର୍ତ୍ତା ଓ ଶିକ୍ଷକମଣ୍ଡଳୀ ଏକାଠି ବସି ସେହି ସବୁର ନିର୍ଣ୍ଣୟ କରିବା ଦରକାର । ବିଦ୍ୟାଳୟର ବିକାଶ କିପରି ହେବ, ଏଥିଲାଗି କିପରି ପ୍ରତ୍ୟେକ ଶିକ୍ଷକକୁ ମଧ୍ୟ ଅଧିକ ପ୍ରସ୍ତୁତ ହେବାକୁ ହେବ, ଆଗ୍ରହ ବଢ଼ାଇବାକୁ ହେବ, ଯୋଗ୍ୟତା ବଢ଼ାଇବାକୁ ହେବ,–ଖାଲି ବୋଲ ମନାଇଲେ ବା ଦରମା ଗଣିଦେଲେ ଏହା ସମ୍ଭବ ହୋଇପାରିବ ନାହିଁ । ଶିକ୍ଷକର ଅସ୍ତିତ୍ଵକୁ ସ୍ଵୀକାର କଲେ ହୁଏତ ଏହାର ମୂଳଦୂଆ ପଡ଼ିପାରିବ । ଶିକ୍ଷାଳୟର କାର୍ଯ୍ୟକ୍ରମର ଶିକ୍ଷକକୁ ଗୋଟିଏ ବଡ଼ ଆଧାରସ୍ତମ୍ଭ ବୋଲି ମାନିଲେ ଯାଇ ଏହା ସମ୍ଭବ ହୋଇପାରିବ । ତାହା ନ ହୋଇ ପାରିଲେ ଶିକ୍ଷକର ମନ ଭାଙ୍ଗିଯିବ, ତା’ ଭିତରେ ନାନାପ୍ରକାର ବିଫଳତାର ହୀନ ଉଗ୍ରତା କ୍ରମେ ଉପୁଜିବାରେ ଲାଗିବ । ସିଏ ଆଉ ଖୁସି ହୋଇ କାମ କରିବ ନାହିଁ । କେବଳ କାରଖାନାର ମୁଲିଆ ପରି ଯେତିକି କରିବା ଉଚିତ, ସେତିକି କରି ସନ୍ତୁଷ୍ଟ ରହିଯିବ । କିନ୍ତୁ ଶିକ୍ଷାକୁ ଆମେ ପରିମାଣାତ୍ମକ ଭାବରେ କଳିପାରିବା ନାହିଁ । ଜଣେ ଶିକ୍ଷକ ଆପଣାର ଗୁଣକୁ ଯେତିକି ଅନୁଭବ କରିପାରିବ, ସେହି ପରିମାଣରେ ହିଁ ସିଏ ଆପଣାକୁ ଜଣେ ଗୁଣୀ ଶିକ୍ଷକରୂପେ ତିଆରି କରିପାରିବ । ସେ ଯେତିକି ସ୍ଵୀକୃତ ହେବ, ଆପଣାକୁ ସେତିକି କାମରେ ଲଗାଇ ପାରିବ ।

 

୨୬ । ୧ । ୬୧

 

ଆମେ ଏ ପର୍ଯ୍ୟନ୍ତ ଏହି ଦେଶର ସ୍ଵାଧୀନତାର ବିହିତ ସଦ୍‌ବ୍ୟବହାର କରିପାରୁନାହୁଁ, ଏପର୍ଯ୍ୟନ୍ତ ଏକ ସ୍ଵାଧୀନ ଦେଶ ଓ ସ୍ଵାଧୀନ ସମୂହର ଯୋଗ୍ୟ ହୋଇ ଆପଣାର ଜାତୀୟ ସଂଗଠନ ଓ ଆଚରଣକୁ ବଦଳାଇ ପାରିନାହୁଁ । ତଥାପି ତାହା ବୋଲି ଆଜି ଦିବସଟିର ମହତ୍ତ୍ଵକୁ କୌଣସି ପ୍ରକାରେ କମ୍‍ କରି ହେବନାହିଁ । ଏକ ସ୍ଵାଧୀନ ସମୂହ ହିସାବରେ ଚିନ୍ତା କରିବା ଓ କାର୍ଯ୍ୟ କରିବାଲାଗି ଯେଉଁ ଭୂମି ଦରକାର, ଏହି ଦେଶରେ ସେହି ଭୂମିଟିକୁ ତିଆରି କରିବାରେ ଏହି ଦିନଟି ପ୍ରତୀକ ହୋଇ ରହିଚି । ଆପଣା ଲାଗି ଏହି ଭୂମିଟି ଅର୍ଜନ କରିବା ସକାଶେ ଏ ଦେଶରେ ଯେଉଁ ସଂଗ୍ରାମ ଚାଲିଥିଲା, ଆଜିଦିନଟି ସେହି ସଂଗ୍ରାମର ପ୍ରତୀକ ହୋଇ ରହିଚି । ସେହି ସଂଗ୍ରାମ ବର୍ତ୍ତମାନ ମଧ୍ୟ ଚାଲିଚି, ସ୍ଵାଧୀନତାର ଭୂମି ଉପରେ ଏ ଦେଶରେ ସ୍ଵାଧୀନ ଓ ସୁଖୀ ମନୁଷ୍ୟର ସଂସାରଟିଏ ଗଢ଼ିବା ଲାଗି ଆଜି ମଧ୍ୟ ସଂଗ୍ରାମ ଚାଲିଚି । ଆଜି ମୁଁ ଦେଶର ପ୍ରତୀକ ଜାତୀୟ ପତାକା ତଳେ ସମସ୍ତଙ୍କ ସହିତ ସମବେତ ହୋଇଥିଲା ବେଳେ ସେହି ସତ୍ୟଟିକୁ ଅନୁଭବ କରିବି, ଆପଣା ଜୀବନର ସଂକଳ୍ପ ଭିତରେ ସେହି ବ୍ରତଟିକୁ ଅନ୍ତର୍ଗତ କରି ରଖିବି । ସେହି ପର୍ବତଶିଖର ବର୍ତ୍ତମାନ ଆହୁରି ଅନେକ ଦୂର, ଏଥର ପଥ ଅଧିକ ଦୁରୂହ । ତଥାପି ସେଠାକୁ ଯିବାକୁ ହେବ । ଉପଭୋଗ କରିବାକୁ ବେଳନାହିଁ, ଅଟକି ଯାଇ ବୁଢ଼ା ହୋଇଯିବାର ଅଧିକାର ନାହିଁ । ଦେଶର ଏହି ମହାନ୍ ଦିବସରେ ମୁଁ ପୃଥିବୀର ପ୍ରତ୍ୟେକ ସ୍ଵାଧୀନ ଜାତିକୁ ଅଭିନନ୍ଦନ ଜଣାଉଚି । ଆପଣାର ସ୍ଵାଧୀନତାକୁ ପ୍ରତିଷ୍ଠିତ କରିବା ବାହାନାରେ ଯେଉଁସବୁ ଦେଶ ଅପର ଦେଶ ଓ ଅପର ମନୁଷ୍ୟସମୂହଙ୍କର ସ୍ଵାଧୀନତାକୁ ଅପହରଣ କରିବାର କଳଙ୍କ ଅର୍ଜନ କରୁଚନ୍ତି, ସେହିସବୁ ଦେଶକୁ ନୁହେଁ, କିନ୍ତୁ ଯେଉଁସବୁ ଦେଶ ଆପଣାର ସ୍ଵାଧୀନତା ଅର୍ଜନ କରିବା ସଙ୍ଗେସଙ୍ଗେ ସମସ୍ତ ପୃଥିବୀରେ ସବୁ ମଣିଷଙ୍କୁ ସ୍ଵାଧୀନ ଦେଖିବାର ଉଚ୍ଚ ସ୍ଵପ୍ନ ଦେଖୁଚନ୍ତି, ମୁଁ ସେମାନଙ୍କୁ ମୋ’ର ପ୍ରଣାମ ଜଣାଉଚି ।

 

୨୭ । ୧ । ୬୧

 

ଆଜି ପୃଥିବୀର ଅନେକ ଦେଶ ସ୍ଵାଧୀନ ହୋଇଛନ୍ତି । ସେସବୁ ଦେଶରେ ସ୍ଵାଧୀନ ସରକାର ଅଛି, ସ୍ଵାଧୀନ ପତାକା ରହିଚି, ନିଜର ଜାତୀୟ ସଙ୍ଗୀତ ମଧ୍ୟ ରହିଚି । କିନ୍ତୁ କେତେଟା ଦେଶରେ ପ୍ରତ୍ୟେକ ମଣିଷର ଜୀବନକୁ ସ୍ଵାଧୀନ ଓ ସୃଷ୍ଟିଶୀଳ କରିବାଲାଗି ଏହି ରାଜନୀତିକ ସ୍ଵାଧୀନତାକୁ ବ୍ୟବହାର କରାଯାଉଚି ? ସବୁଠାରେ ଯେପରି ସ୍ଵାଧୀନତାର ଏକ ଆବଶ୍ୟକ ସନ୍ତକ ନାମରେ ମଣିଷର ଗୋଡ଼ରେ ନାନାପ୍ରକାର ବେଡ଼ି ବାନ୍ଧି ଦିଆଯାଇଚି । କୋଉଠି କେତେ ରକମର ନିଶା ଖୁଆଇ ଦିଆଯାଉଚି । ନାନା ଅଭ୍ୟସ୍ତତା ଓ ସାମୂହିକ ଉଗ୍ରତାର ବଶବର୍ତ୍ତୀ ହୋଇ ମଣିଷ ଆପଣାର କୁସଂସ୍କାର ଗୁଡ଼ାକ ଉପରେ ମୁହଁ ମାଡ଼ି ପଡ଼ି ପଡ଼ି ରହିବାକୁ ହିଁ ଆପଣାର ସ୍ଵାଧୀନତା ବୋଲି ବିଚାର କରୁଚି । କୋଉଠି ସ୍ଵାଧୀନତା ନାମରେ କିଏ କ୍ଷମତାର ନିଶା ଖାଇଚି, ଅନ୍ୟ ଦେଶ ବା ଅନ୍ୟ ବାଦକୁ ନିକୃଷ୍ଟ ବୋଲି ମାନିବାର ନିଶା ଖାଇ କିଏ ମସ୍ତ ହୋଇ ରହିଚି, କିଏ ନିଶାର ଦାଉରେ ପଡ଼ି ପଡ଼ି କେବଳ ସାମଗ୍ରୀ ଓ ପଣ୍ୟର ସୁଖ ଭିତରେ ପାରମ୍ପରିକ ମନ ଓ ବିଚାର ନେଇ ପଡ଼ି ରହିବାକୁ ହିଁ ସ୍ଵାଧୀନତା ବୋଲି ଭ୍ରମ କରୁଛି । ଆପଣା ଭିତର ଜୀବନରେ ମଣିଷ ଯେତିକି ଯେତିକି ଦୁର୍ବଳ ହୋଇ ପଡ଼ୁଚି, ଆପଣା ଉପରୁ ସିଏ ସେତିକି ବିଶ୍ଵାସ ହରାଇ ବସୁଚି, ଆପଣାର ଜୀବନକୁ ଦେଇ କିଛି ସୃଷ୍ଟି କରିବାର ନିର୍ଭୀକତା ତା’ଭିତରୁ ଯେତିକି ମରିମରି ଯାଉଚି, ଜୀବନର ଶାଶ୍ଵତ ମୂଲ୍ୟଗୁଡ଼ିକୁ ଅନୁଭବ କରିବାରୁ ସିଏ ସେତିକି ବଞ୍ଚିତ ହୋଇ ରହୁଚି । ବାହାରେ କୌଣସି ପ୍ରକାରର ସମୂହ ବା ସାମୂହିକ ପ୍ରତୀକକୁ ଅବଲମ୍ବନ କରି ରହି ସ୍ଵାଧୀନତାର ସାନ୍ତ୍ଵନା ପାଇବାର ଭ୍ରମ ତା’ର ସେତିକି ବଢ଼ିବାରେ ଲାଗିଛି; ସେହି ଭ୍ରମଟାକୁ ହିଁ ସିଏ ସେତିକି ଅଧିକ ସତ୍ୟ ବୋଲି ବିଚାର କରୁଚି, ଏହି ଭ୍ରମଟା ଲାଗି ସେ ଜୀବନର ସବୁ ମୂଲ୍ୟବାନ ଆଧାରକୁ ବିକିବାକୁ ବା ଫିଙ୍ଗିଦେବାକୁ ମଧ୍ୟ ତିଆରି ହୋଇଯାଉଚି । ଏହିପରି ଏକ ସ୍ଵାଧୀନତାକୁ ମୁଁ ମନୁଷ୍ୟର କାମ୍ୟ ବୋଲି ମନେ କରେ ନାହିଁ । କେବଳ ଏହିପରି ଗୋଟାଏ ସୁନାବେଡ଼ି ପିନ୍ଧି ଭୁଲି ରହିବାକୁ ମଣିଷ ତା’ ଜୀବନର ସମସ୍ତ ଅନୁରକ୍ତିକୁ ସମର୍ପଣ କରିଦେଉ ବୋଲି ଯେଉଁମାନେ ଉତ୍ସାହିତ ପରାମର୍ଶ ଦିଅନ୍ତି, ମୁଁ ଆପଣାକୁ ସେମାନଙ୍କ ଦଳରେ ମୋଟେ ଅନ୍ତର୍ଭୁକ୍ତ କରିପାରେ ନାହିଁ । ମନ ଭିତରେ ମୁଁ ସେମାନଙ୍କ ଠାରୁ ବହୁ ଦୂରରେ ରହିଯାଏ ।

 

୨୮ । ୧ । ୬୧

 

ମୋ’ ଦେଶର ସ୍ଵାଧୀନତାକୁ ମୁଁ କେବଳ ଏକ ସାଧନ ବୋଲି ମାନେ, ଏକ ସାଧ୍ୟ ବୋଲି କଦାପି ମାନେନାହିଁ । ମୋ’ର ଦେଶରେ ଯେଉଁ କେତେ କୋଟି ମନୁଷ୍ୟ ବାସ କରନ୍ତି, ସେମାନଙ୍କର ଜୀବନ ସ୍ଵାଧୀନ ହେବ, ସେମାନଙ୍କର ବିକାଶ ଓ ବିଚାର ସ୍ଵାଧୀନ ହେବ, ଦେଶର ରାଜନୀତିକ ସ୍ଵାଧୀନତା ପ୍ରଧାନତଃ ସେଇଥିଲାଗି ଏକ ଆବଶ୍ୟକ ଆର୍ଥିକ, ସାମାଜିକ ଓ ମାନସିକ ବାତାବରଣ ତିଆରି କରିଦେବ, ଏଇଥିପାଇଁ ମୁଁ ମୋ’ ଦେଶର ସ୍ଵାଧୀନତାକୁ ଏତେ ବେଶୀ ମହତ୍ତ୍ଵ ଦେଇଥାଏ । କିନ୍ତୁ ସ୍ଵାଧୀନତାର ଉତ୍‌କ୍ରାନ୍ତି–କ୍ରମରେ ଏହି ସ୍ଵାଧୀନତା ହେଉଛି ସର୍ବନିମ୍ନ ସୋପାନ । ତେଣୁ ଏହି ସର୍ବନିମ୍ନ ସୋପାନଟାରେ ବସି ଭାବପ୍ରବଣ ହୋଇ ମୁଁ ସବୁ ପାଇଚି ବୋଲି ଗୀତ ଗାଇବାକୁ ମୋତେ ଆଦୌ ଭଲ ଲାଗେନାହିଁ । ଏହି ସର୍ବନିମ୍ନ ପାହାଚକୁ ଜୀବନାରୋହଣର ଅନ୍ତରତର ଏବଂ ଉଚ୍ଚତର ପାହାଚଗୁଡ଼ିକ ସହିତ ଏକାଠି ମିଶାଇ ସବୁ ଅଡ଼ୁଆ କରି ପକାଇବାକୁ ମୁଁ ଆଦୌ ସହ୍ୟ କରିପାରେ ନାହିଁ । ମୋ’ର ଦେଶ ସଂସାରରେ ସବୁଠାରୁ ସୁନ୍ଦର, ମୋ’ ଦେଶର ଧୂଳି ହେଉଚି ତୀର୍ଥଭୂମି, ଏହି ଦେଶଟି ଉପରେ ହିଁ ଭଗବାନଙ୍କର ଶୁଭଦୃଷ୍ଟି ରହିଚି, ମୋ’ ଦେଶ ଓ ମୋ’ ଜାତି ପୃଥିବୀରେ ସବୁଠାରୁ ବଡ଼ ହେବ, ଏସା କରିବ ବା ତେସା କରିବ,–ଏସବୁକୁ ମୁଁ ଅତି ପିଲାଳିଆ ଭାବୋଦ୍‌ଗାର ବୋଲି ମନେକରେ । ସ୍ଵାଧୀନତା–ଇତିହାସର ପିଲାକାଳରେ ହୁଏତ ଏସବୁ ଭଲ ଶୁଭୁଥିଲା, କିନ୍ତୁ ବର୍ତ୍ତମାନ କଦାପି ନୁହେଁ । ମୋ’ ଦେଶର ସ୍ଵାଧୀନତା ଏହି ଭୂମିରେ ପ୍ରତ୍ୟେକ ମଣିଷକୁ ସ୍ଵତନ୍ତ୍ର ଓ ସମ୍ମାନିତ କରି ରଖିବାକୁ କୌଣସି ପ୍ରକାରେ ବାଧକ ହେବନାହିଁ, ପୃଥିବୀର କୌଣସି ଜାତି ବା କୌଣସି ଦେଶର ସ୍ଵାଧୀନତା ପଥରେ ଏହା ବାଧକ ହେବନାହିଁ, ସକଳ ପରିସ୍ଥିତିରେ ତାହା କେବଳ ଏକ ସାଧନ ହୋଇ ରହିବ,–ଏହିଭଳି ଏକ ବ୍ୟାଖ୍ୟାସୀମା ବିଷୟରେ ମୁଁ ସର୍ବଦା ସତର୍କ ରହିଥାଏ ।

 

୨୯ । ୧ । ୬୧

 

ଘଟଣାର ଘୂର୍ଣ୍ଣି ଭିତରେ ପଡ଼ି ନିରନ୍ତର ଘୁରୁଥିବା ଏହି ସଂସାର ଭିତରେ ମୋତେ ତଥାପି ସ୍ଥିରହୃଦୟ ଓ ସ୍ଥିରନେତ୍ର ହୋଇ ଦେଖିବାକୁ ହେବ, ସ୍ଥିର ହୋଇ ଠଉରାଇ ନେବାକୁ, ସ୍ଥିର ହୋଇ ବୁଝିବାକୁ ହେବ । ଚାରିପାଖରେ ନାନା ଉଦ୍‌ବେଗ ଓ ଉଦ୍‌ଭିନ୍ନତା ମଧ୍ୟରେ ବିଭକ୍ତ ଓ ବିଭିନ୍ନ ହୋଇ ରହିଥିବା ପୃଥିବୀରେ ଅନ୍ତରକୁ ଭେଦ କରି ମୋତେ ତଥାପି ଜୀବନର ସତ୍ୟସୂତ୍ରଟିକୁ ଆବିଷ୍କାର କରିବାକୁ ହେବ, ଆପଣାର ସ୍ଥିର ଧ୍ୟାନ ଦ୍ଵାରା ପୃଥିବୀର ସମସ୍ତ ପ୍ରକାରର ଆପାତ ବିକ୍ଷେପକୁ ମୋତେ ସମଗ୍ର କରି ବୁଝିବାକୁ ହେବ ଏବଂ ସେହି ବୁଝିବାକୁ ସେହିଭଳି ଉପଯୁକ୍ତ ଭାଷା ଦେଇ ପ୍ରକାଶ ମଧ୍ୟ କରିବାକୁ ହେବ । ସବୁ ଭାଙ୍ଗି ଯାଉଚି, ସବୁ ଗୋଳମାଳିଆ ହୋଇଯାଉଚି, ସବୁକିଛି ହାତରୁ ଖସି ଚାଲିଯାଉଚି; ମଧୁର ଭାଷା ଓ ଚତୁର ଶୈଳୀ ଦେଇ ମୋ’ର ଏହି ବିକଳ ମନର ବିଳାପଗୁଡ଼ାକୁ ନାନପ୍ରକାରେ ବାଗେଇ କରି କହିଲେ ତାହାକୁ ମୋଟେ ସାହିତ୍ୟ ବୋଲି କୁହାଯିବ ନାହିଁ । ଆଜି ସମାଜରେ ପ୍ରଚାରିତ ହେଉଥିବା ଅନେକ ସାହିତ୍ୟକୁ ଦେଖିଲେ ତାହା ଫଟୋଗ୍ରାଫ୍ ଠାରୁ ମଧ୍ୟ ନିକୃଷ୍ଟ ହୋଇ ପଡ଼ିଥିବା ପରି ମନେହୁଏ । ଅନେକେ ଭାରି ଉତ୍ସାହିତ ଆଡ଼ମ୍ବର ସହିତ ସାହିତ୍ୟକୁ ବାସ୍ତବ ଜୀବନର ଏକ ଅବିକଳ ଛବି ବୋଲି କହିଥାନ୍ତି । ବାସ୍ତବ ସ୍ଥିର ନୁହେଁ, ଏହା ଚାରିପାଖରୁ ବିଚ୍ଛିନ୍ନ ହୋଇ ରହିଥିବା ଏକ ବିନ୍ଦୁ ନୁହେଁ । ଏହାର ପଛପାଖଟା ବିଗତ ଅତୀତକୁ ଲାଗିଚି ଏବଂ ଆଗପାଖ ଅନାଗତ ଓ ସମ୍ଭାବ୍ୟ ଭବିଷ୍ୟତକୁ ମଧ୍ୟ ଲାଗିଚି । ବର୍ତ୍ତମାନ ବାସ୍ତବର ଏହି ଅତୀତ ଓ ଭବିଷ୍ୟତର ପରିସୀମାକୁ ଧ୍ୟାନସ୍ଥ କରି ଯିଏ ବାସ୍ତବର ଅବିକଳ ଛବି ସାହିତ୍ୟ ଭିତରେ ଉକୁଟାଇ ପାରିବ, ତାକୁ ମୁଁ ସାହିତ୍ୟକ୍ଷେତ୍ରରେ ଅବଶ୍ୟ ବାହାଦୂର ବୋଲି କହିବି-। ଫଟୋ ନେଲାବାଲା ଫଟୋ ନେଲାବେଳେ ସ୍ଥିର ହୋଇଯାଏ । ତା’ର ହାତ ସ୍ଥିର ହୁଏ, ତା’ର ଆଖି ସ୍ଥିର ହୁଏ, ତା’ର ମନ ସ୍ଥିର ହୁଏ । ତା’ ନହୋଇ ପାରିଲେ ଫଟୋ ଚହଲି ଯାଏ, ଛବି ହଲିଯାଏ, ଛବିରେ ଥିବା ବସ୍ତୁମାନ ବିକୃତ ଓ ବିକଳାଙ୍ଗ ହୋଇ ପଡ଼ନ୍ତି । ଆଧୁନିକ ବାସ୍ତବବାଦୀ ସାହିତ୍ୟର ଅନେକ ଅଂଶକୁ ପ୍ରଧାନତଃ ଏହି ହଲି ଯାଇଥିବା ଛବି ସହିତ ତୁଳନା କରାଯାଇପାରିବ-। କାରଣ, ଏହି ଛବିର ଚିତ୍ରଣରେ କୌଣସି ସ୍ଥିରତା ନଥାଏ, ଦେଖିବା ବା ବୁଝିବାଲାଗି ଯଥାର୍ଥ ଶ୍ରଦ୍ଧା ନଥାଏ, ମର୍ମକୁ ଭେଦ କରିବାର ଆଗ୍ରହ ମଧ୍ୟ ନଥାଏ ।

 

୩୦ । ୧ । ୬୧

 

ଗାନ୍ଧୀକୁ ମୁଁ କେବେହେଲେ ପୂଜା କରିବାକୁ ମନ ବଳାଇନାହିଁ, କେବେହେଲେ ଭଗବାନଙ୍କର ଅବତାର ବୋଲି କହିନାହିଁ । ଗାନ୍ଧୀର ନାମ ଧରି ମୁଁ କେବେହେଲେ କୌଣସି ଆଦର୍ଶବାଦର ପ୍ରଚାର କରିନାହିଁ, ଗାନ୍ଧୀ–ବିଚାର ଏହି ଦେଶରୁ କ୍ରମେ ବିସ୍ତୃତ ହୋଇ ଯାଉଚି, ବୋଲି ମୁଁ କୌଣସି ଦିନ କାହାକୁ ଭର୍ତ୍ସନା କରି ଏକ ଉତ୍ତେଜିତ ଆଳସ୍ୟ ଭିତରେ ବ୍ୟସ୍ତ ହୋଇ ବସିନାହିଁ । ଗାନ୍ଧୀବାଦୀ ବୋଲାଉଥିବା ଅନେକ ବ୍ୟକ୍ତିଙ୍କଠାରୁ ନାନାପ୍ରକାର ଆଘାତ ପାଇ ମୁଁ କେବେହେଲେ ଗାନ୍ଧୀମାର୍ଗର ପୁନର୍ବିଶ୍ଳେଷଣ କରି ବସିନାହିଁ । ଗାନ୍ଧୀ–ଆଚାର କହିଲେ ଯେଉଁସବୁ ଅଭ୍ୟାସ ବା ଆଚରଣକୁ ବୁଝାଏ । ହୁଏତ ସେଥିରୁ କୌଣସି ଗୋଟିକୁ ମଧ୍ୟ ମୁଁ ସଚ୍ଚୋଟ ଅର୍ଥାତ୍ ଶୁଦ୍ଧ ଭାବରେ ପାଳନ କରିନାହିଁ । ଗାନ୍ଧୀ ନାମରେ ଯେଉଁଠାରେ ବଡ଼ବଡ଼ କୋଠାଘର ବା ମୂର୍ତ୍ତିମାନ ତିଆରି ହୋଇଚି, ସେଠାକୁ ଯାଇ ମୁଁ କୌଣସି ତୀର୍ଥସ୍ଥଳକୁ ଆସିଲି ବୋଲି କୌଣସି ବିନମ୍ରତା ଅନୁଭବ କରିନାହିଁ । ତଥାପି କହିବି, ଗାନ୍ଧୀ ମୋ’ର ହୃଦୟ ଭିତରେ ପୁରିକରି ରହିଚି । ଗାନ୍ଧୀ ମଲାପରେ ଗାନ୍ଧୀବିଚାରର କେତେ ବିପର୍ଯ୍ୟୟ ଏହି ଦେଶରେ ହୋଇ ଚାଲିଚି, ଗୋଟିଗୋଟି କରି ଗାନ୍ଧୀକୁ କେତେ ସିଂହାସନରୁ ତଡ଼ି ଦିଆଯାଉଚି, ତଥାପି ମୁଁ କୌଣସି ପ୍ରକାର ଖେଦ ନରଖି କହିବି ଯେ, ଗାନ୍ଧୀ ଏହି ହୃଦୟ ଭିତରେ ପୂରିକରି ରହିଚି । ଏହି ହୃଦୟ ଭିତରେ ଦୁର୍ବଳତା ଅନେକ ରହିଚି, ନାନା ଲାଜ ଓ ନାନା ଅପାରଗତାରେ ଏହି ହୃଦୟ ବଡ଼ ଆହତ ଓ ବିକ୍ଷତ ହୋଇ ରହିଚି, ତଥାପି କହିବି, ଗାନ୍ଧୀ ଭାରି ଆପଣାର ହୋଇ ସେହି ହୃଦୟ ଭିତରେ ଆସୀନ ହୋଇ ରହିଚି । ସବୁ ପ୍ରକାରର ନିରାଶା ସତ୍ତ୍ୱେ ଆଶା ହୋଇରହିଚି, ସବୁପ୍ରକାରର ଅବିଶ୍ଵାସର ଚକ୍ରାନ୍ତ ସତ୍ତ୍ୱେ ଆତ୍ମବିଶ୍ଵାସ ହୋଇରହିଚି, ଆପଣାର ସମସ୍ତ ସ୍ଖଳନ ଓ ପତନ ସତ୍ତ୍ୱେ ସିଏ ସେଇଠି ରହି ମୋତେ ବଞ୍ଚାଇ ରଖିଚି, ସବୁ ଅପଦେବତାର ଷଡ଼ଯନ୍ତ୍ର ସତ୍ତ୍ୱେ ସିଏ ଭିତରେ ରହି ମୋ’ ଭିତରର ଦେବତ୍ଵ ବିଷୟରେ ମୋତେ ସଚେତ କରି ରଖିଚି ।

 

୩୧ । ୧ । ୬୧

 

ସମସ୍ତେ କହୁଛନ୍ତି, ଧୈର୍ଯ୍ୟ ଧର, ସବୁ ହୋଇଯିବ । ସମସ୍ତେ କହୁଚନ୍ତି, ଦେଶର ଦୁର୍ଗତି ଗୋଟାଏ ବର୍ଷରେ କଦାପି ଦୂର ହୋଇଯିବନାହିଁ । ତେଣୁ ଉଚ୍ଛନ୍ନ ହୁଅନାହିଁ । ସମସ୍ତେ କହୁଚନ୍ତି, ସଂସାରର ଏହି ଘଡ଼ିସନ୍ଧି ସମୟରେ ଆମକୁ ଯେକୌଣସି ପ୍ରକାରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ବଞ୍ଚାଇ ରଖିବାକୁ ହେବ । ଗଣତନ୍ତ୍ରରେ ସବୁକଥା ଅତି ଧୀରେ ଧୀରେ ହୁଏ, ତେଣୁ ଅଧୀର ହୁଅନାହିଁ, ଗଣତନ୍ତ୍ର ଉପରେ ବିଶ୍ଵାସ ରଖିଥାଅ । ଏହି ସମସ୍ତ ସାନ୍ତ୍ଵନା ଓ ଆଶ୍ଵାସନାର ବାକ୍ୟମାନ ଶୁଣିକରି ମଧ୍ୟ ମୁଁ ଭିତରେ ତଥାପି ଅଧୀର ଆଉ ଉଚ୍ଛନ୍ନ ହୋଇପଡ଼ୁଚି । କାରଣ ଯେଉଁମାନେ ବାବୁର ଆସନରେ ବସି ଏହିପରି ବୃଦ୍ଧ ବାକ୍ୟମାନ ପ୍ରୟୋଗ କରୁଚନ୍ତି, ସେମାନଙ୍କର ମତଲବ ଭିତରେ ଏକପ୍ରକାର ନିର୍ମମ ଅସାଧୁତା ପ୍ରଚ୍ଛନ୍ନ ହୋଇ ରହିଥିବା ପରି ମୋ’ର ଭାରି ଆଶଙ୍କା ହେଉଚି । ମୋ’ର ମନେହେଉଚି, ସେମାନେ ଯେପରି କୌଣସି ପରିବର୍ତ୍ତନ ଚାହାନ୍ତି ନାହିଁ, କେବଳ ସମୟ ଟଳାଇବାକୁ ହିଁ ଚାହାନ୍ତି । ସେମାନେ ଗଣତନ୍ତ୍ରର ଅସଲ ମର୍ମ ଓ ଆହ୍ଵାନକୁ ବୁଝିବାକୁ କୌଣସି ଚେଷ୍ଟା କରନ୍ତି ନାହିଁ । କେବଳ ସବୁ କଥାକୁ ସହିଯିବାକୁ ଓ ଅମାନିଆ ନହେବାକୁ ହିଁ ସେମାନେ ପ୍ରଧାନତଃ ଗଣତାନ୍ତ୍ରିକ ପ୍ରବୃତ୍ତି ବୋଲି ମନେକରନ୍ତି । ବର୍ତ୍ତମାନ ଦେଶ ଭିତରେ ଯେଉଁ ଅବସ୍ଥାଟି ରହିଚି, ସେଥିରେ ସେମାନଙ୍କର ଭାଗରେ ଭୋଗ ପାଖଟା ପଡ଼ିଚି । ତେଣୁ ଯେତେଦିନ ସମ୍ଭବ, ଏହି ଅବସ୍ଥାଟାକୁ ବଜାୟ ରଖିବାକୁ ହିଁ ସେମାନେ ଗଣତନ୍ତ୍ରକୁ ଗୋଟାଏ ଆଳ ବୋଲି ଧରିଚନ୍ତି । ଯେଉଁମାନେ ଗଣତନ୍ତ୍ର ଭିତରେ ଅବଶ୍ୟ ସାମିଲ୍‍ ହେଉଥାନ୍ତେ, ଏହିପରି କୋଟି କୋଟି ମଣିଷ ଯେ ପଶୁଠାରୁ ମଧ୍ୟ ହୀନତର ଜୀବନ ଅତିବାହିତ କରୁଚନ୍ତି, ଏହି ବିଷୟରେ ପରିତୃପ୍ତ ହୋଇ ଗଣତନ୍ତ୍ରର ଯନ୍ତ୍ର ଚଳାଉଥିବା ବଡ଼ ଭୋଗୀମାନଙ୍କର ମନରେ କୌଣସି ଚିନ୍ତା ପଶିନାହିଁ । କାଗଜପତ୍ର ଓ କଥାଚାତୁରୀରେ ଗଣତନ୍ତ୍ରର ପରିବେଷଣ କରି ଓ ବାସ୍ତବ ଜୀବନକ୍ଷେତ୍ରରେ ଆମାନୁଷିକ ସ୍ଵାର୍ଥପରତା ଭିତରେ ପଡ଼ିରହି ସେମାନେ ଦେଶସାରା ଏକ ଅଦ୍‌ଭୂତ ପରିସ୍ଥିତି ସୃଷ୍ଟି କରି ରଖିଚନ୍ତି । ଆପଣାର ଦୁର୍ବୁଦ୍ଧି ଦ୍ଵାରା ଦେଶକୁ ଅଧିକ ନିର୍ଜୀବ କରି ପକାଉଛନ୍ତି । ମୁଁ ଭାବୁଚି, ଦେଶସାରା ପରିବର୍ତ୍ତନ ହେବା ଯେତେ ଡେରି ଲାଗୁ ପଛକେ, ତାହା ମୋ’ ଠାରୁ ଅବଶ୍ୟ ଆଜି ଆରମ୍ଭ ହୋଇଯାଉ ।

 

୧ । ୨ । ୬୧

 

ମୋର ଯେଉଁସବୁ ଦିନ ଭଗବାନଙ୍କ ବିନା କଟିଯାଇଚି, ସେଗୁଡ଼ିକୁ ମୁଁ ଆଉ ଫେରି ଚାହୁନାହିଁ ବା ସେହି ଗୁଡ଼ିକ ମୁଁ ଭଗବାନଙ୍କ ଦୁଆରୁ ଫେରି ଆସିବାକୁ ମଧ୍ୟ ଚାହୁନାହିଁ । ସୂର୍ଯ୍ୟ ଉଦୟ ଏପର୍ଯ୍ୟନ୍ତ ହୋଇନାହିଁ । ପୂର୍ବଦିଗର ଆକାଶକୁ ଭରି କରି ମେଘ ଘୋରାଇ ରହିଚି । ଅନ୍ଧାର ଯାଇ କ୍ରମେ ଫରଚା ହୋଇ ଆସିଲାଣି । ସ୍ନାନ ସାରି ଏହି ଘର ଭିତରକୁ ପଶି ଆସିଲା ବେଳକୁ ଗୁରୁଦେବଙ୍କର ସେହି ମହିମାମୟ ଗୀତଟିର ଏହି ଧାଡ଼ିକ ହଠାତ୍ କଣ୍ଠ ଫିଟାଇ ଉଛୁଳି ଉଠିଲା । ଆଖିରେ ଲୁହ ଭରି ଆସିଲା, ବୁକୁ ଭିତରେ କେଉଁ ସ୍ନେହଲାଳସିନୀ ବାଳିକାର କଣ୍ଠରୁଦ୍ଧ ହୋଇଗଲା ମନେହେଲା,–ଏବଂ ହଠାତ୍ ସବୁ କୁହୁଡ଼ି ଓ ସବୁ ବଞ୍ଚିତ ହେବାର ଦୁର୍ଦ୍ଦଶାର ସେ ପାଖରେ କେଉଁଠି ସୂର୍ଯ୍ୟୋଦୟ ହେଲାପରି ମୁଁ ଅନୁଭବ କରିବାକୁ ଲାଗିଲି । ଏହି ଭାବୋଚ୍ଛ୍ଵାସକୁ ମୁଁ କଦାପି ଭାବପ୍ରବଣତା ବୋଲି କହିବି ନାହିଁ । ମୋର ଭାବୋଚ୍ଛ୍ୱାସ ଲାଗି ମୋର କୌଣସି ଦିନ କୌଣସି ପ୍ରକାର ଲଜ୍ଜା ହୋଇନାହିଁ । ଏହି ଭାବର ଉଚ୍ଛ୍ୱାସ ବା ଉଦୟ ମୋତେ ମୋ’ର ଅନେକ ଭିତରକୁ ରାସ୍ତା ବତାଇ ଦେଇଚି, ସଂସାରର ସମସ୍ତ ଅଭିନୟ ସତର୍କତା ସତ୍ତ୍ୱେ ମୋ’ରି ଭିତରେ କେଉଁ ସମ୍ପଦଶାଳୀ ମନ୍ଦିର ପାଖକୁ ମୋତେ ବାଟ ବତାଇ ଦେଇଚି । ସେଠି ସବୁକାଳର ବାଳକଟିଏ ହୋଇ ବସିବାକୁ, ବାଳକଟିଏ ହୋଇ ଗ୍ରହଣ ଓ ସମର୍ପଣ କରି ପାରିବାକୁ ମୋତେ ଅନୁପ୍ରେରଣା ଦେଇଚି । ହଁ ସେଇଠି ହୃଦୟ ବୋଲି ଯେଉଁ ନିବିଡ଼ ସମ୍ପଦ ସାଇତା ହୋଇ ରହିଚି, ତାହାକୁ ହିଁ, କାଢ଼ି ଆଣି ଭଗବାନଙ୍କ ପାଖରେ ସମର୍ପି ଦେବାକୁ ପଡ଼ିବ । ଉପରର ଗ୍ଳାନି ବିସ୍ମରଣ ଓ ସ୍ଖଳନ,–ଏସବୁ ଭୋଗ ଲାଗିବାର ଯୋଗ୍ୟ ନୁହେଁ, କେବଳ ହୃଦୟ ହିଁ ଏଥିପାଇଁ ଯୋଗ୍ୟ ।

 

୨ । ୨ । ୬୧

 

ଭାଗବାନଙ୍କ ପାଖକୁ ଯିବାର ଅର୍ଥ ଏହି ଜଗତ ଛାଡ଼ି ଆଉ କେଉଁଆଡ଼େ ଅଧିକ ମୁଖର ଲାଳସାରେ ଚାଲିଯିବା ନୁହେଁ, ଏହି ଜଗତର ସବୁ ସମସ୍ୟା ଓ ବନ୍ଧନକୁ ନିଦାରୁଣ ମନେକରି ଆଉ କୁଆଡ଼େ ପଳାଇଯିବା ନୁହେଁ । ଭାଗବାନଙ୍କ ପାଖକୁ ଯିବାର ଅର୍ଥ ହେଉଚି ଏହି ଜଗତରେ ହିଁ ଆପଣାର ଜୀବନକୁ ଅଧିକ ସାର୍ଥକ ଭାବରେ ବଞ୍ଚିବା, ଏହି ଜଗତର ଜୀବନରେ ହିଁ ଅଧିକ ମହତ୍ତ୍ଵ ଓ ଆନନ୍ଦ ଅନୁଭବ କରିବା । ଭଗବାନଙ୍କ ପାଖକୁ ଯିବାର ଅର୍ଥ ହେଉଚି ପରିପୂର୍ଣ୍ଣ ନିର୍ଭର ଓ ନିର୍ଭୀକତା ସହିତ ଆପଣା ଭିତରୁ ଆପଣାର ଜୀବନ ବଞ୍ଚିବା । ଧର୍ମ ବିଷୟରେ ମୁଁ ଆଜି ଅବଧି ଯାହାସବୁ ପଢ଼ିଚି ବା ବୁଝିଚି, ସେଥିରୁ ଧର୍ମ ଓ ଭଗବତ ଜୀବନ କହିଲେ ମୁଁ ପ୍ରଧାନତଃ ଏତିକିମାତ୍ର ବୁଝିଚି । ଯେତିକି ପ୍ରେରଣାର ପକ୍ଷ ନେଇ ମୁଁ ଦୂରକୁ ଦୂରକୁ ଉଡ଼ିବାର ଅଭିଲାଷ କରିଚି, ସେତିକି ସେତିକି ଆପଣାଠାରୁ ଦୂରଛଡ଼ା ନୁହେଁ, ମାତ୍ର ଆପଣାର ନିକଟବର୍ତ୍ତୀ ହୋଇଆସିଚି । ଅନେକ ଧାର୍ମିକ ଲୋକ ସଂସାର ପ୍ରତି ତୀବ୍ର ବିରକ୍ତିଭାବ ପ୍ରକାଶ କରିଥାନ୍ତି । ସଂସାରକୁ ସେମାନେ କେବଳ ପାପ ବୋଲି ମନେ କରିଥାନ୍ତି । ତେଣୁ, ସଂସାରରୁ ଚାଲି ଯିବାକୁ ହିଁ ଚାହୁଥାନ୍ତି । ସଂସାର ପ୍ରତି ଏହି ଅତୃପ୍ତି ହିଁ ସେମାନଙ୍କ ଧର୍ମଜୀବନର ସର୍ବପ୍ରଧାନ incentive ହୋଇ ରହିଥାଏ । ଗତ ଗ୍ରୀଷ୍ମଛୁଟିରେ ଗୋମୁଖଠାରେ ଯେଉଁ ସଂସାରତ୍ୟାଗୀ ସନ୍ୟାସୀଙ୍କର ସମ୍ପର୍କରେ ଆସିଥିଲି, ସିଏ ଗୋମୁଖ ପରି ଏକ ନିର୍ଜନ ନୀରବ ସ୍ଥାନକୁ ମଧ୍ୟ ସଂସାର ବୋଲି କହୁଥିଲେ, ଏବଂ ଆମର ଏହି ସଂସାର ପ୍ରତି ବିରାଗ ପ୍ରକାଶ କରି ଲେଖା ହୋଇଥିବା ଭଜନମାନ ଶୁଣିବା ବା ଗାଇବା ବେଳକୁ ତାଙ୍କର ଆଖିରେ ଲୁହ ଛଳଛଳ ହୋଇ ଆସୁଥିଲା । ଆପଣାର କଳ୍ପନା ଭିତରେ ସିଏ ଏଠୁ ସବୁଥିରୁ ଛାଡ଼ିଯିବାକୁ ଅସ୍ଥିର ହେଉଥିଲେ ଏବଂ ଅଧିକ ନିକଟବର୍ତ୍ତୀ ଆଉ କେଉଁ ସ୍ଥାନର ଆକର୍ଷଣ ଓ ଆହ୍ଵାନରେ ତାଙ୍କର ଦେହରେ ରୋମାଞ୍ଚ ଜାତ ହେଉଥିଲା । ମୋ’ର ଧର୍ମଭାବନା ବଡ଼ ଅବାଗିଆ; ତେଣୁ ମୋ’ର ରୀତି ମଧ୍ୟ ସଂପୂର୍ଣ୍ଣ ଅଲଗା । ମୁଁ ସବୁ ଭଗବାନଙ୍କର ସକଳ ସନ୍ନିକଟତାକୁ ଏହିଠାକୁ ହିଁ ଟାଣି ଆଣିବାକୁ ଚାହେ । ଆପଣାର ଶକ୍ତି ଦେଖାଇ ଗୁଣିଆ ଡାଆଣୀକୁ ଟାଣି ଆଣିଲା ପରି ନୁହେଁ, ଆପଣାର ବିଶ୍ଵାସ ଓ ଶ୍ରଦ୍ଧା ଦ୍ଵାରା ମୁଁ ଏହିଠାରେ, ଏହି ସାଧାରଣ କ୍ଷେତ୍ରର ସାଧାରଣ ମୁହୂର୍ତ୍ତଗୁଡ଼ାକରେ ମଧ୍ୟ ସକଳ ଭଗବତ୍‍ ସଖ୍ୟକୁ ମୋ’ର ଅତି ନିବିଡ଼ ନିକଟରେ ଅନୁଭବ କରିବାକୁ ଚାହେ ଏବଂ ବିଶ୍ଵାସ ରହିଥିଲେ ଏହା ଅବଶ୍ୟ ସମ୍ଭବ ବୋଲି ବିଶ୍ଵାସ ମଧ୍ୟ କରେ । ତେଣୁ ଏହି ସଂସାରକୁ ମୁଁ ମାୟା ବା ମିଛ ବୋଲି ମଣେନାହିଁ, ଏ ଦେହକୁ ମୁଁ ମୂତ୍ରପୁରୀଷର ସମତୁଲ କରିପାରେ ନାହିଁ ।

 

୩ । ୨ । ୬୧

Unknown

 

ବରଷାଦିନର ରାତିରେ ନୂଆ ପାଣିର ପରଶଉଲ୍ଲାସରେ ବେଙ୍ଗମାନେ ମେଳବାନ୍ଧି କେଁ କଟର ଆରମ୍ଭ କରିଦିଅନ୍ତି । ସେମାନେ ଉଲ୍ଲାସ ପ୍ରକାଶ କରି ଏହି ଶବ୍ଦକୋଳାହଳ କରିବାରେ ଲାଗିଥାନ୍ତି, କିନ୍ତୁ ଏଣେ ସେମାନଙ୍କର ଶବ୍ଦରେ କାନଅତଡ଼ା ପଡ଼ି ଯାଉଥାଏ । ଏଥିରେ ଦଣ୍ଡେହେଲେ ବିରାମ ନଥାଏ । ତଥାପି ଏହି ଶବ୍ଦ ଶୁଣୁଶୁଣୁ କେତେବେଳେ ଯେ ଆଖିକୁ ନିଦ ଆସିଯାଏ, ସେକଥା ଆଦୌ ଜାଣି ହୁଏନାହିଁ । ବିଛଣା ଧରିସାରିବା ପରେ ଯିଏ ବରଷାରାତିରେ କାନ ଡେରି ଏହି ଅବିରାମ ଧୈବତଧ୍ଵନିକୁ ଶୁଣିଥିବ, ସିଏ ଏହି ନିଦ୍ରାଳୁତାକୁ ଅବଶ୍ୟ ଅନୁଭବ କରିଥିବ । ଏହି ଶବ୍ଦରେ ଏଣେ କାନଅତଡ଼ା ପଡ଼ିଯାଏ, କିନ୍ତୁ ତେଣେ ସବୁ ଧ୍ୟାନକୁ ଜଡ଼ କରିଦେଇ ଭିତରୁ ନିଦ ଗ୍ରାସ କରିଆସେ । କାଲି ଦିନଯାକ ଆମକୁ ଭାଷଣ ଦେଉଥିବା ବକ୍ତାଙ୍କ ମୁହଁକୁ ଅନାଇ ତାଙ୍କର ଭାଷଣ ଶୁଣୁଶୁଣୁ ମୋତେ ଠିକ୍ ଏହିପରି ନିଦ ମାଡ଼ି ଆସୁଥିଲା । ତାଙ୍କ କଣ୍ଠର ଶବ୍ଦ ଶୁଣି ଠିକ୍ ବରଷା ଦିନର ସେହି ଧୈବତ ଧ୍ୱନି ସ୍ମରଣ ହୋଇ ଯାଉଥିଲା । ଏଣେ ବିରକ୍ତ ଲାଗୁଥିଲା, ତେଣେ ମନ ଭିତରେ ସେହି ଶବ୍ଦର ମାଦକ ବାଜି ଯେପରି ନିଦ ଘାଲେଇ ଆସୁଥିଲା, ଅତି ନିରାସକ୍ତ ହୋଇ ସତେ ଅବା ନିଶା ଖାଇଥିଲା ପରି ମୁଁ କେବଳ ଶୂନ୍ୟ ମନରେ ଅନାଇ ରହିଥିଲି । ସବୁ ଶୁଣୁଥିଲି, ଅଥଚ କାନ ଯେପରି କୌଣସି କାମ କରୁନଥିଲା; ସବୁ ଦେଖୁଥିଲି, ତଥାପି ଆଖି ଯେପରି କିଛି ଠଉରାଇ ପାରୁନଥିଲା; ସବୁ କଥାର ଅର୍ଥ ବୁଝୁଥିଲି, ତଥାପି ଯେପରି ମସ୍ତିଷ୍କ କୌଣସି କାମ କରୁ ନଥିଲା । ଦୁଇଟାଯାକ ଆଖି ଗୋଟା ସୁଦ୍ଧା ଖୋଲା ହୋଇ ରହିଥିଲା । ତଥାପି ମୁଁ ଯେପରି ଅତ୍ୟନ୍ତ ମନୁଆ ଭାବରେ ତେଣେ ଭିତରେ ଶୋଇ ରହିଥିଲି । ଏପରି ଅବସ୍ଥାରେ ଆଗ୍ରହର ପ୍ରଶ୍ନ ଉଠୁଚି ବା କୁଆଡ଼ୁ ? ପିଲାଙ୍କ ମନରେ ଅଧିକ ଆଗ୍ରହ ଜନ୍ମାଇବା ଲାଗି କିଭଳି ଶିକ୍ଷଣପଦ୍ଧତିମାନ ଅବଲମ୍ବନ କରାଯିବା ଉଚିତ, ବକ୍ତା ଆମକୁ ସେହି କଥା ବୁଝାଉଥିଲେ ।

 

୪ । ୨ । ୬୧

 

ଯେତେବେଳେ ମନ ଭଲ ନଥାଏ, ସେତେବେଳେ ଆପଣା ଭିତରେ ଆପଣ ପାଖରେ ଅତି ନିବିଡ଼ ହୋଇ ବସି ରହିବାକୁ ଇଚ୍ଛା ହୁଏ । ଏହି ବାହାର ସଂସାରଠାରୁ ବିଚ୍ଛିନ୍ନ ହୋଇ ରହିବାକୁ ନୁହେଁ, ସଂସାର ସହିତ ପୁଣି ଖିଅ ଯୋଡ଼ି ପାରିବାର ଉପାୟ ପାଇବା ଲାଗି ଆପଣା ପାଖରେ ବସି ରହିବାକୁ ଇଚ୍ଛା ହୁଏ । ଯେତେବେଳେ ସବୁ କେବଳ ବିଫଳ ହୋଇ ଭାଙ୍ଗିପଡ଼ିବା ପରି ମନେହୁଏ, ଏହି ଗୋଟାଏ ଜୀବନକାଳ ଭିତରେ ଆଉ କିଛି ସମ୍ଭବ ହେବ ବୋଲି ଭରସା ହୁଏନାହିଁ, ସେତିକିବେଳେ ଆପଣା ଭିତରେ ଆପଣାର କେଉଁ ନିବିଡ଼ ଅନ୍ତରଙ୍ଗ ପାଖରେ ବସି ରହିବାକୁ ମନହୁଏ । ଆପଣାର ସହାୟହୀନତା ଓ ସମ୍ଭବହୀନତାର ପାଉଁଶ ଭିତରେ ସବୁଦିନ ପାଇଁ ନିଭିଯାଇ, ନିଶ୍ଚିହ୍ନ ହୋଇଯିବାକୁ ନୁହେଁ, ଆପଣା ଭିତରୁ ଭରସା ପାଇବାକୁ ଓ ଭାଙ୍ଗି ଯାଉଥିବା ସବୁ ଘରକୁ ପୁଣିଥରେ ଗଢ଼ି ଠିଆ କରାଇବା ଲାଗି ବଳ ପାଇବାକୁ ଆପଣା ଭିତରେ ବାଟ ଖୋଜିବାକୁ ଇଚ୍ଛା ହୁଏ, ଆପଣା ପାଖରେ ବସି ରହିବାକୁ ଇଚ୍ଛା ହୁଏ । ଯେତେବେଳେ ବାହାରେ ନାନା ବ୍ୟସ୍ତତା ଭିତରେ ଆପଣା ଜୀବନର ଅସଲ କର୍ମସୂତ୍ର ଓ ତଜ୍ଜନିତ ସ୍ଵାଭାବିକ ଆନନ୍ଦସୁତ୍ରଟି ଶୁଖିଯାଏ, କିଛି କରି ପାରିଲିନାହିଁ ବୋଲି ଯେତେବେଳେ ଏକ ପ୍ରବଳ ଆତ୍ମଗ୍ଳାନି ଆପଣାକୁ ବୁଡ଼ାଇ ଭସାଇ ନେବାକୁ ବସେ, ସେତେବେଳେ ଆପଣା ପାଖରେ ଚୁପ୍ ହୋଇ ବସି ରହିବାକୁ ଇଚ୍ଛା ହୁଏ, ଆପଣା ଭିତରେ କେଉଁ ନୀଳ ଆକାଶକୁ ଅନାଇ କାହାର ସ୍ନେହମୟ ନିର୍ଭର ପାଇବାକୁ ଇଚ୍ଛା ହୁଏ । ସବୁ କର୍ମ ଛାଡ଼ି ନିକିମା ହୋଇ ବସି ରହିବାକୁ ନୁହେଁ, କିନ୍ତୁ ବାହାର ସଂସାରର ସମସ୍ତ ବିକ୍ଷେପ ସତ୍ତ୍ୱେ ତଥାପି ସ୍ଥିର ଓ ଶାନ୍ତ ହୋଇ ଆପଣାର ସ୍ଵାଭାବିକ ସୃଜନସୂତ୍ରଟିକୁ ସଜାଡ଼ି ନେଇ ପୁଣି ଜୀବନ୍ତ ଓ ସରସ ହୋଇପାରିବା ଲାଗି ବଳ ପାଇବାକୁ ଆପଣା ପାଖରେ ବସି ରହିବାକୁ ଇଚ୍ଛା ହୁଏ । ତେଣୁ ମୁଁ ବ୍ୟସ୍ତ ହୋଇ ପଡ଼ିବି ନାହିଁ, କାତର ହୋଇ ପଡ଼ିବି ନାହିଁ । ବିଫଳ ହୋଇ ପଡ଼ିଲି ବୋଲି କେବଳ ନିନ୍ଦା ଓ ଅଭିଶାପ ଦେଇ ଆପଣାକୁ ବିକଳ କରି ପକାଇବି ନାହିଁ । ଅସ୍ଥିର ହୋଇ ବାଟ ହୁଡ଼ି ଯିବିନାହିଁ । ବାରମ୍ବାର ସବୁଆଡ଼ୁ ସବୁ ଛିନ୍‌ଛତ୍ର ହୋଇ ପଡ଼ିବାବେଳେ ତଥାପି ମୋତେ ଥିର ହୋଇ ସବୁ ଖିଅକୁ ସାଉଁଟି ଧରି ରଖିବାକୁ ହେବ । ଏହି କାମଟି ମୋ’ର ଜୀବନର ସବୁଠାରୁ ବଡ଼ କାମ, ମୋ’ଜୀବନର ବଡ଼ ଧର୍ମ ।

 

୫ । ୨ । ୬୧

 

ଜାତି ନାମରେ ବା ଦେଶ ନାମରେ ମୁଁ କଦାପି ମଣିଷ ମାରି ପାରିବି ନାହିଁ । ଆଦର୍ଶ ନାମରେ ମୁଁ କଦାପି ମଣିଷ ମାରି ପାରିବିନାହିଁ । ଦେଶ ଓ ଜାତିକୁ ବିଦେଶୀ ଶତ୍ରୁ ହାତରୁ ସୁରକ୍ଷିତ କରି ରଖିବାଲାଗି ହୁଏତ ଆଉ ଅଳ୍ପଦିନରେ ଏହି ଦେଶରେ ମଧ୍ୟ ସମସ୍ତଙ୍କୁ ଯୁଦ୍ଧବିଦ୍ୟାରେ ତାଲିମ ନେବାକୁ ପଡ଼ିବ, ମାନସିକ ଆୟୋଜନମାନ କରିବାକୁ ପଡ଼ିବ । ଏହି ଜବରଦସ୍ତିକୁ ଯିଏ ନ ମାନିବ, ହୁଏତ ତାକୁ ଦେଶଦ୍ରୋହୀ ବା ବୋଲି ନିମକହରାମ ବୋଲି କୁହାଯିବ । ଏପରି ଏକ ଦେଶରେ ମୁଁ ହୁଏତ ଦ୍ରୋହୀ ବୋଲି ବିବେଚିତ ହେବି । ମୁଁ ଆପଣାର ପ୍ରବୃତ୍ତିଗୁଡ଼ାକୁ ଯେତେଦୂର ବୁଝିଚି, ଦ୍ରୋହୀ ହେବା ବ୍ୟତୀତ ମୋ’ର ଯେ ଅନ୍ୟ କୌଣସି ଯୋଗ୍ୟତା ନାହିଁ, ମୁଁ ସେକଥା ବେଶ୍ ଭଲ କରି ଜାଣିଚି । ଯୁଦ୍ଧରେ ବାହାରିବାର ଉଗ୍ର ଉତ୍ସାହରୁ ଯେଉଁଠି ଦେଶାତ୍ମକବୋଧର କଷଟି ବୋଲି ମାନି ନିଆଯାଏ, ସେଠି ମୁଁ ଅବଶ୍ୟ ଫେଲ୍‍ ମାରିଯିବି, ଅବଶ୍ୟ ଅଯୋଗ୍ୟ ବୋଲି ପ୍ରମାଣିତ ହେବି । ମଣିଷ ମାରିବାର ବିଦ୍ୟା ଶିଖି ଆପଣାର ଦେଶ ପ୍ରତି ଆପଣାର କର୍ତ୍ତବ୍ୟ କରିବାକୁ ଯେଉଁଠି ପଥ ବୋଲି ଘୋଷଣା କରାଯାଏ, ସେଠି ମୁଁ ଅବଶ୍ୟ ଅନ୍ୟପଥଗାମୀ ହେବି, ଏହା ହେବା ବ୍ୟତୀତ ଅନ୍ୟ ଉପାୟ ନାହିଁ । ହେତୁ ହେବା ଦିନଠାରୁ, ଆପଣାକୁ ଓ ଜୀବନକୁ ବୁଝିବାପାଇଁ ଚେଷ୍ଟା କରିବା ଦିନଠାରୁ ଏହିସବୁ ଆଦର୍ଶ ଓ ସାମୂହିକ ପ୍ରତୀକ ଗୁଡ଼ାକ ବିଷୟରେ ମୋ’ର ଶ୍ରଦ୍ଧା ଅଧିକରୁ ଅଧିକ ଚ୍ୟୁତ ହେବାକୁ ବସିଚି । ମୁଁ କାହାରି ପାଇଁ ଜୀବନ ସମର୍ପଣ କରି ପାରିବିନାହିଁ, କାରଣ, ଯେଉଁଠି ଜୀବନ ସମର୍ପଣ କରିଚି, ସେଠାରୁ ଆପଣାକୁ ଫେରାଇ ଆଣି ପାରିବିନାହିଁ ।

 

୬ । ୨ । ୬୧

 

ମୋ’ର ଚାରିଆଡ଼ୁ ବିଶ୍ଵାସର ସ୍ତମ୍ଭମାନ ଭାଙ୍ଗି ଚୂନା ହୋଇ ଯାଉଚି । ତଥାପି ଏହି ଜଗତ ଉପରେ ବିଶ୍ୱାସ ରଖିବାକୁ ହେବ; ତଥାପି ମଣିଷ ଉପରେ ଆପଣାର ବିଶ୍ୱାସକୁ ଆହୁରି ଦୃଢ଼ କରି ରଖିବାକୁ ହେବ । ଏହି ପୃଥିବୀର ସଭ୍ୟ ସମୂହମାନେ କେବଳ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଚନ୍ତି, ସେମାନଙ୍କର ପ୍ରସ୍ତୁତି ଯେତିକି ବଢ଼ି ଚାଲିଚି,ପୃଥିବୀରେ ଭୟ ମଧ୍ୟ ସେତିକି ପରିମାଣରେ ବଢ଼ି ଚାଲିଚି । ସେମାନଙ୍କର ଅନ୍ତର ଭିତରଟା ଯେତିକି ଭୟଭୀତ ହେବାରେ ଲାଗିଚି, ବାହାର ସଂସାରରେ ମଧ୍ୟ ସେମାନେ ସେତିକି ଭୟାବହତା ସୃଷ୍ଟି କରିବାରେ ଲାଗିଚନ୍ତି । ଜ୍ଞାନ ନାମରେ ସବୁଠାରେ ହୁଏତ ବିଦ୍ଵେଷ ହିଁ ବଢ଼ୁଚି, ଅଗ୍ରଗତି ନାମରେ ଅଜ୍ଞାନ ଅନେକ ମଣିଷଙ୍କୁ ନାନାପ୍ରକାର ଆଦର୍ଶଗତ ଉତ୍ତେଜନାର ଅଫିମ ଖୁଆଇ ସେମାନଙ୍କୁ ଟେକାପଥର ପରି ବ୍ୟବହାର କରିବାର ଦୁଷତ୍‌ବୃତ୍ତି ହିଁ ବଢ଼ୁଚି । ତେଣୁ ଆପଣାର ଚାରିପାଖକୁ ଅନାଇ ଦେଖିଲେ ମଣିଷର ବିଶ୍ୱାସ ଭାଙ୍ଗି ପଡ଼ିବନାହିଁ ତ ଆଉ କ’ଣ ହେବ ? ଧର୍ମ ଆପଣାର କର୍ତ୍ତବ୍ୟ କରୁନାହିଁ, ଜୀବନର ପାରମ୍ପରିକ ନୀତିଗୁଡ଼ାକ ନାନା ବାହାନାରେ ନାନା ନୀତିଭ୍ରଷ୍ଟତାକୁ ବଡ଼ ଆରାମରେ ପ୍ରଶୟ ଦେବାରେ ଲାଗିଚି । ମଣିଷ ମଣିଷ ଭିତରେ ଏକ ମାନବିକ ସମ୍ପର୍କ ରଖି ପାରିବାର ମୂଲ୍ୟବୋଧ ଆଜି ନାନା ଭ୍ରମ ଓ ଚକ୍ରାନ୍ତରେ ପଡ଼ି ଖଣ୍ଡିତ ହୋଇ ପଡ଼ିଲାଣି । ପ୍ରେମ, ସ୍ନେହ, ଶ୍ରଦ୍ଧା ଓ ବିଶ୍ଵାସ ସବୁ ମରିଉଡ଼ି ଯାଉଚି, କେବଳ ବହିର ଛାପା ଅକ୍ଷରରେ ସେଗୁଡ଼ିକର ଉଲ୍ଲେଖ ମାତ୍ର ହିଁ ରହିଚି । ଏପରି ଅବସ୍ଥାରେ ବିଶ୍ଵାସ ଭାଙ୍ଗି ପଡ଼ିବିନାହିଁ ତ ଆଉ କ’ଣ ହେବ ? ତଥାପି, ଆଜିର ଏହି ଶାନ୍ତ ସକାଳ ଭିତରେ ଜାଗି ଉଠିଥିବା ହୃଦୟ ଭିତରୁ କିଏ ଯେପରି କହୁଚି ନାଁ–ବିଶ୍ୱାସ ଭାଙ୍ଗିପଡ଼ିଲେ ମୋଟେ ଚଳିବ ନାହିଁ, ନିର୍ଭରର ସ୍ତମ୍ଭଗୁଡ଼ିକ ଭାଙ୍ଗିଗଲେ କେବଳ ଆପେ ସର୍ବସ୍ଵାନ୍ତ ହେବା ହିଁ ସାର ହେବ । ତେଣୁ ଆପଣା ଉପରେ ବିଶ୍ୱାସ ରଖିବାକୁ ହେବ, ଆପଣାର ହୃଦୟ ଭିତରେ ଶ୍ରଦ୍ଧା ଓ ମୂଲ୍ୟବୋଧର ସ୍ତମ୍ଭଗୁଡ଼ିକୁ ଆହୁରି ଟାଣ କରିବାକୁ ହେବ । ସବୁଆଡ଼େ ସବୁ ଭାଙ୍ଗି ପକାଇବାର ଏହି ପ୍ରବଳ ବାତ୍ୟା ଭିତରେ ତଥାପି ଆପେ ଭାଙ୍ଗି ନପଡ଼ି ଠିଆ ହୋଇ ରହିବାକୁ ହେଲେ ଆପଣାର ବିଶ୍ୱାସକୁ ଆହୁରି ଦୃଢ଼ କରିବାକୁ ହେବ, ବାହାରର ସମସ୍ତ ଆସ୍ଥାୟିତା ସତ୍ତ୍ୱେ ତଥାପି ଭିତରର ଅର୍ଥାତ୍ ଜୀବନର ମହତ୍ତ୍ୱକୁ ଜାଣି ରଖିବାକୁ ହେବ ।

 

୭ । ୨ । ୬୧

 

ବର୍ତ୍ତମାନର ପୃଥିବୀରେ ସବୁ ଠିକ୍ ଅଛି ବୋଲି ମୁଁ କଦାପି କହିବିନାହିଁ । ଭଗବାନଙ୍କର ଏହି ସଂସାର ସବୁଠାରୁ ବଢ଼ିଆ ସଂସାର, ଏହାଠାରୁ ବଳି ଆଉ କୌଣସି ଅଧିକ ଭଲ ବ୍ୟବସ୍ଥା କଦାପି ସମ୍ଭବ ହୋଇ ପାରିନଥାନ୍ତା, ଜର୍ମାନୀର ଦାର୍ଶନିକ ଲାଇବ୍‌ନିତ୍‌ସ୍ ଏକଦା ଏହିପରି ଘୋଷଣା କରି ଦର୍ଶନ ଭିତରେ ଏକ ଭ୍ରମାତ୍ମକ ଆତ୍ମସନ୍ତୋଷ ଆଣି ପୁରାଇ ଦେବାକୁ ଚେଷ୍ଟା କରିଥିଲେ । ଏହିପରି କୌଣସି ଆତ୍ମସନ୍ତୋଷରୁ ମୁଁ କେବେହେଲେ କୌଣସି ସନ୍ତୋଷ ପାଇପାରେ ନାହିଁ । କାରଣ ମୁଁ ଜାଣେ, ଏହି ପୃଥିବୀକୁ ମୁଁ କଦାପି ଏକ ପରିପୂର୍ଣ୍ଣ ପୃଥିବୀ ବୋଲି କହି ପାରିବିନାହିଁ । ଏହି ପୃଥିବୀକୁ ତଥାପି ଅଧିକ ଜୀବନଯୋଗ୍ୟ ଓ ଅଧିକ ସୁନ୍ଦର କରିବାର ସମ୍ଭାବନା ରହିଚି । ଏହି ପୃଥିବୀରୁ ଅନେକ ଅସୁନ୍ଦରତାକୁ ଦୂର କରିବାର ଅନେକ ଆହ୍ୱାନ ଆଜି ମଧ୍ୟ ମଣିଷକୁ ବାରବାର ତା’ର ଦାୟିତ୍ଵ ବିଷୟରେ ଚେତାଇ ଦେଇ ଯାଉଚି । ବର୍ତ୍ତମାନ ପୃଥିବୀରେ ବାସ କରୁଥିବା ମଣିଷକୁ ଚେତାଇଦେଇ ଯାଉଚି, ମୋତେ ଚେତାଇ ଦେଇ ଯାଉଛି । ଏହି ବର୍ତ୍ତମାନ ପୃଥିବୀକୁ ବଦଳାଇବାକୁ ହେବ । ଏହି ପୃଥିବୀକୁ ଅଧିକ ସୁନ୍ଦର କରି ଗଢ଼ିବାକୁ ପଡ଼ିବ । ତେଣୁ ଯେଉଁମାନେ ଆମ ପୃଥିବୀରେ ସବୁ ଠିକ୍ ଚାଲିଚି ବୋଲି କହି ଆରାମ ଅନୁଭବ କରନ୍ତି ଓ ଏହିପରି ଚାଲିଥିବାକୁ ହିଁ ସୁରକ୍ଷିତ କରି ରଖିବାକୁ ଚାହୁଥାନ୍ତି, ମୁଁ ସେପରି ବୁଦ୍ଧମାନଙ୍କ ଦଳରେ ମୋଟେ ଭରଣା ହେବାକୁ ଚାହେଁନାହିଁ । ତା’ ବୋଲି ମୁଁ ଏହି ପୃଥିବୀରୁ ପଳାଇ ଯିବାକୁ ମଧ୍ୟ ଚାହେଁନାହିଁ । ଏଠାରୁ ବାହାରିଗଲେ ଆଉ କେଉଁଠି ଅଧିକ ସୁଖ ବା ଅଧିକ ଆରାମ ମିଳିବ ବୋଲି କହି ମୁଁ କୌଣସି ଅଳସ ଧର୍ମ କାତର ଧର୍ମକଥାର ବଶ ହୋଇ ରହିବାକୁ ମଧ୍ୟ ଚାହେଁନାହିଁ । ଏହି ପୃଥିବୀ ମୋ’ର, ଏହାକୁ ସବୁ ସମସ୍ୟା ମଧ୍ୟ ମୋ’ର ସମସ୍ୟା, ଏହାର ସକଳ ଆହ୍ଵାନ ହେଉଚି ମୋ’ଜୀବନର ମଧ୍ୟ ଆହ୍ଵାନ । ମୋତେ ଏହି ପୃଥିବୀରେ ବଞ୍ଚି ରହିବାକୁ ହେବ, ଏହାର ପୁତ୍ରତ୍ଵକୁ ସ୍ଵୀକାର କରି ନେବାକୁ ପଡ଼ିବ । ଏହାକୁ ଅଧିକ ସୁନ୍ଦର କରି ଗଢ଼ି ମୋ’ ନିଜ ଜୀବନକୁ ସାର୍ଥକ କରିବାକୁ ପଡ଼ିବ ।

 

୮ । ୨ । ୬୧

 

ଜୀବନରେ ମୁଁ କେବେହେଲେ ସଫଳତାର ଲାଳସୀ ହୋଇନାହିଁ । ଅର୍ଥାତ୍ ମୁଁ ଧନରେ ବଡ଼ ହେବି, ପଦରେ ବଡ଼ ହେବି, ଏତେ ଲୋକ ମୋ’ର ଅଧୀନରେ ରହିଥିବେ, ବା ଏତେ ଲୋକ ମୋତେ ବାହାବାହା କହୁଥିବେ,–ଏପରି ଏକ ଜୀବନଯାପନ କରିବାକୁ ମୁଁ କେବେହେଲେ କୌଣସି ଆକାଙ୍‌କ୍ଷା ପୋଷଣ କରିନାହିଁ । ସେଭଳି କୌଣସି ଆଶା ରହିଥିଲେ ମୋ’ର ଜୀବନ ନିଶ୍ଚୟ ଅନ୍ୟଗତି ହୋଇଥାନ୍ତା, ମୋ’ ଜୀବନର ଆଚାର ଅବଶ୍ୟ ଅନ୍ୟପ୍ରକାର ହୋଇଥାନ୍ତା,–ସେହି ଜୀବନର ମୂଲ୍ୟବୋଧ ମଧ୍ୟ ଅନ୍ୟପ୍ରକାର ହୋଇଥାନ୍ତା । ସଂସାରରେ ବାସ କରୁଥିବା ଅନ୍ୟମାନଙ୍କୁ ମୁଁ ନିଶ୍ଚୟ ଅନ୍ୟ ଆଖିରେ ଦେଖୁଥାଆନ୍ତି । କିନ୍ତୁ ଏ ଜୀବନରେ ଏପର୍ଯ୍ୟନ୍ତ ତାହା ହୋଇନାହିଁ ବା ସେପରି ହେବାର କୌଣସି ଆଶଙ୍କା ମଧ୍ୟ ମୁଁ ଏପର୍ଯ୍ୟନ୍ତ ଅନୁଭବ କରୁନାହିଁ । ଉପରେ ମୁଁ କହିଥିବା ସଫଳତା ଗୁଡ଼ିକୁ ମୁଁ ପାଇଲିନାହିଁ ବୋଲି ବା ପାଇବାର ଇଚ୍ଛା ପୋଷଣ କଲିନାହିଁ ବୋଲି ଯେ ମୋ’ଜୀବନ ବିଫଳ ହୋଇଗଲା, ସେକଥା ମୁଁ କେବେହେଲେ କହିବିନାହିଁ । ସେପରି କହିଲେ ଆପଣା ପାଖରେ ମୋତେ ମିଛ କହିବାକୁ ପଡ଼ିବ ଜୀବନରେ ମୁଁ ବହୁତ କିଛି ପାଇଚି । ସାଧାରଣ ସଂସ୍କାର ବା ସଂସାର ଯାହାକୁ ସଫଳତା ବୋଲି କହିଥାଏ, ତାହାଠାରୁ ଅଧିକ ଗରିମାମୟ ଓ ଅଧିକ ସାର୍ଥକ ଆଉ କୌଣସି ସମ୍ପଦ ବା ନିର୍ଭର ମୁଁ ଏହି ଜୀବନରେ ପାଇଚି ବୋଲି ସଂସାରର ସଫଳତା ମୋତେ ଖୁବ୍ ବେଶି ବ୍ୟସ୍ତ କରି ପାରିନାହିଁ । ଜୀବନର ମୂଲ୍ୟନିରୂପଣ କଲାବେଳେ ମୁଁ ଜୀବନରେ ସେପରି କିଛି ଅନ୍ୟ ମୂଲ୍ୟର ଅନୁଭବ କରିଚି ବୋଲି ସଫଳ ହେବାକୁ ମୁଁ ଖୁବ୍ ବେଶି ମୂଲ୍ୟ ଦେଇ ପାରିନାହିଁ । ଏଠାରେ ଲାଭକ୍ଷତି ବ ହାରିବା ଜିତିବାର କୌଣସି ପ୍ରଶ୍ନ ହିଁ ଉଠୁନାହିଁ । କାରଣ ଏହି ଜୀବନକୁ ମୁଁ ଏକ ସଂଗ୍ରାମକ୍ଷେତ୍ର କିମ୍ବା କୁସ୍ତି କରିବାର ପହିଲମାନ ପଡ଼ିଆ ବୋଲି ମନେକରେ ନାହିଁ । ଏହି ଜୀବନକୁ ମୁଁ ପ୍ରଧାନତଃ ଏକ ପଥ ବୋଲି ମନେ କରେ । ଏହି ପଥ ସବୁ ମଣିଷଙ୍କ ପାଇଁ ସମାନ ନୁହେଁ । ପ୍ରତ୍ୟେକ ମଣିଷକୁ ଅନେକ ପରିମାଣରେ ଏହି ପଥଟିକୁ ନିଜେ ତିଆରି କରିବାକୁ ପଡ଼େ, ଆପଣାର ବହୁ ସ୍ଵକୀୟତା ଦେଇ ସେହି ପଥରେ ଅର୍ଥ ଭରିନେବାକୁ ପଡ଼େ । ତେଣୁ ପ୍ରତ୍ୟେକ ପଥଯାତ୍ରୀର ସଫଳତା ମୂଳତଃ ସେହି ଯାତ୍ରୀ ଉପରେ ନିର୍ଭର କରେ । ପ୍ରତ୍ୟେକ ପଥଯାତ୍ରୀ ଆପଣାର ମନୋମତ ଭାବରେ ଏହି ପଥ ଉପରେ ଚାଲି ପାରିଲେ ସଫଳତାର ଅନୁଭବ କରେ, ଜୀବନର ଆନନ୍ଦକୁ ଅନୁଭବ କରେ । ମୋ’ର ଏହି ଆନନ୍ଦ ପାଇବାରେ କେବେ କୌଣସି ଉଣା ହୋଇନାହିଁ ।

 

୯ । ୨ । ୬୧

 

ଏହି ନ ପାଇଥିବାର ଅଶାନ୍ତି, ଆପଣାର ଦ୍ଵାରଟିକୁ ଖୋଲା ନରଖି ଥିବାର ଅଶାନ୍ତି, ଆପଣାର ସମ୍ପୂର୍ଣ୍ଣ ସମ୍ମତି ସହିତ ଆପଣାକୁ ସମର୍ପିତ କରି ନପାରିବାର ଅଶାନ୍ତି,–ଏହି ଅଶାନ୍ତିଗୁଡ଼ିକ ମୋ’ର ଜୀବନସାରା ଲାଗି ରହିଥାଉ, କିନ୍ତୁ ସେହିସବୁ ଅଶାନ୍ତିରେ ବିହ୍ୱଳ ଆକୁଳ ହୋଇ ମୁଁ ଯେପରି ଯେକୌଣସି କ୍ଷେତ୍ରରେ ଓ ଯେକୌଣସି ହୀନ ଉପଚାର ଭିତରୁ ଶାନ୍ତି ପାଇବାକୁ ଦଉଡ଼ି ନଯାଏ । ଏହି ଅସନ୍ତୋଷ ଏବଂ ଅତୃପ୍ତି ଦ୍ଵାରା ପୀଡ଼ିତ ଓ କାତର ହୋଇ ମୁଁ ଯେପରି ଯେକୌଣସି ଉପାୟରେ ସନ୍ତୋଷ ଓ ତୃପ୍ତି ଲାଭ କରିବାର ଜ୍ଵରରେ ପୀଡ଼ିତ ହୋଇ ନବସେ । ମୋ’ର ଅଶାନ୍ତି ସଙ୍ଗେ ସଙ୍ଗେ ମୋ’ର ବିଶ୍ଵାସ ମଧ୍ୟ ସ୍ଥାୟୀ ହୋଇ ରହିଥାଉ । ମୋ’ର ଅଶାନ୍ତି ସହିତ ଯେପରି କୌଣସି ପ୍ରକାର ଉତ୍ତେଜନା ବା କୌଣସି ପ୍ରକାର ଉଗ୍ର ଅସହିଷ୍ଣୁତା କୌଣସି ପ୍ରକାର ଷଡ଼ଯନ୍ତ୍ର ଭିଆଇବାରେ କେବେ ସମର୍ଥ ନହେଉ । ଏହି ଉତ୍ତେଜନା ଓ ଅସହିଷ୍ଣୁତାକୁ ମୁଁ ଯେପରି ଜୀବନର ସବୁଠାରୁ ବଡ଼ ଲଜ୍ଜା ଓ ବଡ଼ ନିନ୍ଦା ବୋଲି ସବୁବେଳେ ଅନୁଭବ କରିପାରେ । ଏହି ଆକାଶ, ଏହି ଆଲୋକ, ଏହି ସଂସାରରେ ସବୁ ମଣିଷର ସୁଖ ଦୁଃଖ,–ଏସବୁ ମୋତେ ଚିରଦିନ ନିର୍ଭର ଦେଇ ରଖି ଥାଆନ୍ତୁ । ମୋ’ର ଅଶାନ୍ତି ହେଉଚି ପଥିକର ଅଶାନ୍ତି, ମୋ’ର ଅଶାନ୍ତି ହେଉଚି ଖୋଜିବାର ଅଶାନ୍ତି, ଆପଣାକୁ ନେଇ କିଛି ସୃଷ୍ଟି କରିବାର ଅଶାନ୍ତି । ଯେତେବେଳେ କୌଣସି କାରଣରୁ ମୋର ଏହି ପ୍ରତିଦିନର ବାଟ ଚାଲିବା ବନ୍ଦ ହୋଇଯାଏ, ଯେତେବେଳେ ମୋ’ର ଖୋଜିବା ବନ୍ଦ ହୋଇଯାଏ, ଯେତେବେଳେ ସୃଷ୍ଟି କରିବାର ସ୍ଵାଭାବିକ ଉତ୍ସଟି ସହିତ ଡୋର ଛିଡ଼ିଗଲା ପରି ମନେହୁଏ, ମୁଁ ସେତିକିବେଳେ ହୃଦୟ ଭିତରେ ବଡ଼ ଅସ୍ଥିର ହୋଇଉଠେ । ଠିକ୍ ସେତିକିବେଳେ ମୋ’ର ଆଖି ବୁଜି ହୋଇଗଲା ପରି ଲାଗେ, ଆପଣାକୁ ଅନାଇ ସେତେବେଳେ ଭାରି ଭୟ ହୁଏ ।

 

୧୦ । ୨ । ୬୧

 

ଏ ଘରେ ଏହି ସକାଳ ସମୟରେ କାହାରି ପାଟିତୁଣ୍ଡ ଶୁଣା ଯାଉନାହିଁ । ତଥାପି ହୃଦୟର କାନରେ ସାରା ସଂସାରର ସକଳ ମଣିଷଙ୍କର କଣ୍ଠର ଭାଷାକୁ ଅନୁଭବ କରିବାକୁ ହେବ-। ଏହି ଘର ଭିତରେ ମୋତେ ସଙ୍ଗ ଦେବାକୁ ଆଉ କେହି ନାହାନ୍ତି । ତଥାପି ଆପଣା ହୃଦୟର ଆସନ ଉପରେ ସାରା ସଂସାରର ସକଳ ମଣିଷଙ୍କର ସଙ୍ଗ ଅନୁଭବ କରିବାକୁ ହେବ । ଜୀବନର ବାଟ ଉପରେ କେତେକେତେ ଆପଣାର ମଣିଷ କେତେ ନିଷ୍ଠୁର ବା କେଡ଼େ ଉଦାସ ହୋଇ ଅପସରି ଚାଲିଗଲେ । ତଥାପି ହୃଦୟର ନିବିଡ଼ ଗୃହଟି ମଧ୍ୟରେ ମୋତେ ସେହି ସମସ୍ତଙ୍କ ସମେତ ଆଉ ସମସ୍ତଙ୍କ ପାଇଁ ମଧ୍ୟ ସ୍ଥାନ ପ୍ରସ୍ତୁତ କରି ରଖିବାକୁ ହେବ । କାରଣ, ଏହାବ୍ୟତୀତ ଆଉ ଅନ୍ୟ ପଥ ନାହିଁ, ଅନ୍ୟ ଗତି ହିଁ ନାହିଁ । ମୁଁ ଭଲ କରି ଜାଣେ, ଏହି ପଥ ଅତ୍ୟନ୍ତ କଠିନ । ଏଥିପାଇଁ ଅନେକ ଶତ୍ରୁତା ଭୁଲିବାକୁ ପଡ଼ିବ, ଅତୀତର ଅନେକ ଦିଗକୁ ଭୁଲିବାକୁ ପଡ଼ିବ, ଅନେକ ଦମ୍ଭ ଛାଡ଼ି ନମ୍ର ହେବାକୁ ପଡ଼ିବ, ଅନେକ ମୋହ ପରିତ୍ୟାଗ କରି ପ୍ରେମର ଆଶ୍ରା ନେବାକୁ ପଡ଼ିବ, ସଫଳତା ନାମରେ ସମସ୍ତ ପ୍ରକାର ଦୌରାତ୍ମ୍ୟକୁ ତ୍ୟାଗ କରି ପୃଥିବୀଯାକର ମଣିଷଙ୍କର ଶରଣ ନେବାକୁ ପଡ଼ିବ । ଏଥିଲାଗି ଅବିଶ୍ଵାସର ଅନେକ ପାଚେରୀ ଡେଇଁ ବିଶ୍ଵାସର ବ୍ୟାପ୍ତି ଭିତରେ ବିଚରଣ କରି ଶିଖିବାକୁ ହେବ । ହଁ, ଏହି ଜୀବନଟାକୁ ଗୋଟାଏ ଦୁର୍ଗ ବୋଲି ମନେ କରୁଥିବା ପର୍ଯ୍ୟନ୍ତ ଅନେକ ପ୍ରକାରର ଦୁଃଖ ଭୋଗ କରିବାକୁ ପଡ଼ିବ । ଆଉ ପାଚେରୀ ଠିଆ କରି ରଖିଲେ ଚଳିବ ନାହିଁ ଆକାଶ ପରି ବ୍ୟାପ୍ତ ହେବାକୁ ପଡ଼ିବ, ପବନ ପରି ସବୁରି ପାଖରେ ପହଞ୍ଚି ପାରିବାକୁ ହେବ, ଘାସଭୂଇଁ ପରି ସବୁରି ଲାଗି ଆସନ ପ୍ରସାରି ଦେବାକୁ ହେବ । ଏ ଦୁଃଖ ଦୁଃଖ ନୁହେଁ, ଏହି ବିଚ୍ଛିନ୍ନତା ଆଦୌ ବିଚ୍ଛିନ୍ନତା ନୁହେଁ ;–ଏସବୁ କେବଳ ମନର ଉତ୍ତେଜନା, ସଂସାରଟାକୁ ଆପଣା ପାଖରେ ବାନ୍ଧିରଖିବାର ଉତ୍ତେଜନା, ସଂସାରକୁ ମୋଟେ କିଛି ନଦେଇ କେବଳ ଆପେ ସବୁ ନେଇ ଗଣ୍ଠିବାନ୍ଧି ତାହାରି ଉପରେ ଉଚ୍ଚ ହୋଇ ବସିବାର ଉତ୍ତେଜନା । ଏହି ଉତ୍ତେଜନା ହିଁ ମୋର ସକାଳ ସନ୍ତାପର ମୂଳ କାରଣ । ମୋହରି କଥା ଅନୁସାରେ ଦୁନିଆ କାମ କରିବ, ମୋରି ଲାଳସଟା ଏପାଖ ସେପାଖ ହେଉଥିବା ଅନୁସାରେ ଦୁନିଆଟା ମଧ୍ୟ ଏପାଖ ସେପାଖ ହେଉଥିବ ଏବଂ ଏହିପରି ହୋଇ ମୋତେ ତୃପ୍ତ ଦେଉଥିବ,–ଏହାକୁ ଶ୍ରଦ୍ଧା କୁହାଯାଏ ନାହିଁ । ଏହାକୁ ବିନୟ କୁହାଯାଏ ନାହିଁ । ଏହି ଦୃଷ୍ଟିକୁ ଯଥାର୍ଥ ଜୀବନର ଦୃଷ୍ଟି ବୋଲି କୁହାଯାଏ ନାହିଁ । ସେହି ଦୃଷ୍ଟିକୁ ଅର୍ଜନ କରିବା ସକାଶେ ମୋତେ ଆହୁରି ଧୈର୍ଯ୍ୟର ସହିତ ଏହି ଜୀବନରୁ ଆହୁରି ଅନେକ କିଛି ଶିଖିବାକୁ ହେବ ।

 

୧୧ । ୨ । ୬୧

 

ମୋ’ର ଜୀବନଦୃଷ୍ଟି ଭିତରେ ଆହୁରି ଅନେକ ବିଶ୍ଵାସ ଭରି ରଖିବାକୁ ହେବ, ଆହୁରି ଅନେକ ଶ୍ରଦ୍ଧା ଭରି ରଖିବାକୁ ହେବ । ମୁଁ କାହାପାଖରେ ଆପତ୍ତି ଆଉ ଅଭିଯୋଗ ଜଣାଇବି ବୋଲି ଏତେ ବ୍ୟାକୁଳ ହୋଇ ଉଠୁଚି ? କାହା ବିରୁଦ୍ଧରେ ବିଦ୍ରୋହ କରିବାକୁ ଇଚ୍ଛା କରୁଛି ? ଭଗବାନଙ୍କ ବିରୁଦ୍ଧରେ ? ଅର୍ଥାତ୍ ଆପଣାର ବିରୁଦ୍ଧରେ ? ଭାବିଲେ ଭାରି ଆଶ୍ଚର୍ଯ୍ୟ ଲାଗେ, ବୁଦ୍ଧିଦେଇ ଭାବି ବସିଲେ ମୁଁ ଥଳ କୂଳ ପାଏନାହିଁ । ଏହି ସଂସାରରେ ମୁଁ ଅଧିକ ସନ୍ତୋଷ ପାଇଲିନାହିଁ, ଅଧିକ ସ୍ଵୀକାର ପାଇଲି ନାହିଁ, ଅଧିକ ସଙ୍ଗ ପାଇଲିନାହିଁ ବା ଅଧିକ ସହାନୁଭୂତି ପାଇଲି ନାହିଁ,–ଏହିପରି ନାନା ପ୍ରକାରର ଖେଦ ପଛରେ ମୋର ସେହି ଗୋଟିଏ ମାତ୍ର ପ୍ରବୃତ୍ତି ପ୍ରଚ୍ଛନ୍ନ ହୋଇ ରହିଛି । ସେହି ପ୍ରବୃତ୍ତିଟି ହେଉଚି, ସଂସାରରୁ ବିଚ୍ଛିନ୍ନ ହୋଇ ରହିବାର ପ୍ରବୃତ୍ତି, ମରଣର ପ୍ରବୃତ୍ତି । ନା,–ତାହା ଆଦୌ ଜୀବନର ବାଟ ନୁହେଁ । ଆପଣାର ଜୀବନରେ ସଂସାରରୁ ସ୍ଵୀକୃତ କରିନେବାକୁ ପଡ଼ିବ । ଆପଣାର ଜୀବନରେ ଭଗବାନଙ୍କୁ ସ୍ୱୀକୃତ ବରିନେବାକୁ ପଡ଼ିବ । ଆପଣାର ପାତ୍ରଟିକୁ ବାରବାର ଅଜାଡ଼ି ଦେବାଲାଗି ପ୍ରସ୍ତୁତ ରହିବାକୁ ପଡ଼ିବ । ତେବେ ଯାଇ ପାତ୍ର ଖାଲି ହୋଇଗଲା ବୋଲି କୌଣସି ଖେଦ କରିବାର ଦୁର୍ଦ୍ଦଶା ମୋତେ ଭୋଗିବାକୁ ପଡ଼ିବ ନାହିଁ । ଏହି ସଂସାରକୁ ଆପଣା ଭିତରେ ସ୍ଵୀକୃତ କରିନେବାର ଅର୍ଥ ହେଉଚି ଆପଣାର ବିଶ୍ଵାସକୁ ଅବିଚଳିତ ରଖିବା । ଏହି ଜୀବନରେ ଭଗବାନଙ୍କୁ ସ୍ଵୀକୃତ କରିନେବାର ଅର୍ଥ ହେଉଚି ଆପଣାର ଖୁସିକୁ ଅବିଚଳିତ ରଖିବା । ଆପଣାର ନିବିଡ଼ ହୃଦୟନୀଡ଼ ଭିତରେ ନୀରବ ହୋଇ ବସିପାରିବା । ଏହି ସକାଳ ପରି ଯେଉଁଦିନ ମୁଁ ଆପଣା ପାଖରେ ଶାନ୍ତ ଓ ଅବିଚଳିତ ହୋଇ ବସିପାରିବି, ଯେଉଁଦିନ ଭିତର ଆଉ ବାହାର ମଧ୍ୟରେ କୌଣସି କୋଳାହଳ ନକରି ସହଜ ଆଦାନପ୍ରଦାନ ସମ୍ଭବ ହୋଇପାରିବ ଆଉ ମୁଁ କେବଳ ଖୁସି ହିଁ ଅନୁଭବ କରୁଥିବି, ସେହିଦିନ ଯାଇ ସବୁ ଦୁଃଖ ଯିବ ।

 

୧୨ । ୨ । ୬୧

 

କାଲି ବଗିଚାର ଫୁଲ ଗୁଡ଼ିକ ଆଡ଼କୁ ଅନାଇ ଦେଖୁଥିଲି । ହଠାତ୍ ମନେହେଲା, ଯେପରି ଫୁଲ ଆଉ ମୋ’ର ହୃଦୟ ଭିତରେ ଆଦୌ କୌଣସି ତଫାତ୍ ନାହିଁ, ମୋରି ହୃଦୟ ଯେପରି ରୂପ ଓ ରଙ୍ଗର ପରିଧାନ ପିନ୍ଧି ଡାଳରେ ଯାଇ ଫୁଲ ହୋଇ ଫୁଟି ଉଠିଚି ଏବଂ ବଗିଚାର ଏହି ଫୁଲ ଗୁଡ଼ିକ ମଧ୍ୟ ଯେପରି ମୋ ହୃଦୟ ଭିତରେ ସରାଗର କେଉଁ ଡାଳରେ ଗୋଟି ଗୋଟି ହୋଇ ଫୁଟି କରି ରହିଚନ୍ତି । ଏହା ହିଁ ଶ୍ରଦ୍ଧା, ଏହା ହିଁ ସହଜ ଶ୍ରଦ୍ଧା । ଏହି ଶ୍ରଦ୍ଧାର ପ୍ରକାଶ ମୁହୂର୍ତ୍ତରେ ପାଇବାର ବା ଆବୋରି ଧରିବାର କୌଣସି ଲାଳସା ରହେ ନାହିଁ ବା ନ ପାଇଥିଲେ କୌଣସି ସନ୍ତାପ ବା ଉତ୍ତେଜନା ମଧ୍ୟ ରହେ ନାହିଁ । ଆଦାନପ୍ରଦାନ ଅତି ସ୍ଵାଭାବିକ ହୋଇଯାଏ, ଆଖିର ଡୋଳା ଉପରେ ସତେ ଯେପରି କେଉଁ ଅତି ପ୍ରିୟଜନ ବା ପ୍ରିୟବସ୍ତୁ ଲାଗି ନୀଡ଼ ବାନ୍ଧି ହୋଇଯାଏ । କାହାକୁ ଆପଣା ଭିତରେ ଆବିଷ୍କାର କରି ପାଇଥିବା ପରି ମନେହୁଏ । ମଣିଷକୁ ପାଖରେ ପାଇଲେ ବା ହୃଦୟ ଭିତରେ ମଣିଷକୁ ଅନୁଭବ କଲାବେଳେ ମୋର ଭାବ ଠିକ୍ ଏହିପରି ସ୍ଵାଭାବିକ ହୋଇପାରିବା ଉଚିତ । ମୋ’ର ଇଚ୍ଛା ଅନୁସାରେ କେଉଁ ମିତ୍ର ମୋତେ ସନ୍ତୁଷ୍ଟ କରିପାରିଲା ନାହିଁ, ମୋତେ ଲୋଡ଼ିଲା ନାହିଁ ବା ମୋ’ର ମନ ନେଇପାରିଲା ନାହିଁ, ମୋତେ ଏକା ଛାଡ଼ିଦେଇ କେଉଁ ମଣିଷ ଦୂରକୁ ଚାଲିଗଲା, ମୋ’ ଦୁର୍ବଳ ହୃଦୟଟି ସହିତ ଲାଗିଥିବା ସମସ୍ତ ସୂତାଖିଅକୁ କାଟିଦେଇ ସେ ଚାଲିଗଲା, ଏହିସବୁ ଖେଦ ମୋତେ କୌଣସି ପ୍ରକାରେ ଦରିଦ୍ର କରି ପକାଇବା ଉଚିତ ନୁହେଁ । ମଣିଷର ପାଖକୁ ଆସି ହୃଦୟ ଭିତରେ ମୋର କୌଣସି ପ୍ରକାର ଜୁଗୁପ୍‌ସା କିମ୍ବା ସଙ୍କୋଚ ଅନୁଭବ କରିବା ଉଚିତ ନୁହେଁ । କିନ୍ତୁ ଖାଲି ଉଚିତ ନୁହେଁ କହିଦେଲେ ତ ହେବ ନାହିଁ, ମୋତେ ଏହି ଭାବବିଦ୍ୟା ଶିଖିବାକୁ ପଡ଼ିବ । ଏଥିପାଇଁ ଅନେକ ବିଶ୍ଵାସ ଦରକାର, ଜୀବନ ଉପରେ ବିଶ୍ଵାସ ଦରକାର, ଅର୍ଥାତ୍ ଭଗବାନଙ୍କ ଉପରେ ବିଶ୍ଵାସ ଦରକାର । ଏଥିଲାଗି ଆପଣା ବିଷୟରେ ଅନେକ ପ୍ରକାରର ଅହଙ୍କାର ବର୍ଜନ କରିପାରିବା ଦରକାର, ଆପଣା ବିଷୟରେ ବହୁ ଅତିସଚେତନତାକୁ ଛାଡ଼ି ପାରିବା ଦରକାର, ଏଥିପାଇଁ ମୁଁ କ୍ରମେ ଅଗ୍ରସର ହେଉଚି କି ? ମୋ’ଭିତରେ ଅହଙ୍କାର ସଙ୍କୋଚ ଏବଂ ଶଙ୍କାଚ୍ଛନ୍ନତା ହ୍ରାସ ହେବାରେ ଲାଗିଚି କି ? ବିଶ୍ଵାସ ବଢ଼ୁଚି କି ? ଏହି ସଂସାର ଭିତରେ ଆପଣାକୁ କ୍ରମେ ଅଧିକ ଆପଣାର ବୋଲି ଲାଗୁଚି କି ? ଏହାର ଉତ୍ତର କିଏ ଦେବ ?

 

୧୩ । ୨ । ୬୧

 

ସେଦିନ କାହାର କଥା ମନେପଡ଼ି ଆଖିରେ ହଠାତ୍ ଲୁହ ଭରି ଆସିଲା । କିନ୍ତୁ ବାହାରକୁ ଗଡ଼ି ଆସିବା ପୂର୍ବରୁ ତାହା ଯେପରି ମୋ’ର ସମସ୍ତ ଦେହ ଭରି ଏକ ଭାବୋଚ୍ଛ୍ୱାସପୂର୍ଣ୍ଣ ରୋମାଞ୍ଚରେ ରୂପାନ୍ତରିତ ହେଲା ଏବଂ ମୁହୂର୍ତ୍ତକ ଲାଗି ମୋତେ ଗୋଟା ସୁଦ୍ଧା ଅଭିଭୂତ କରିଦେଇ ପୁଣି ସେହି ଦେହ ଭିତରେ କେଉଁ ଗନ୍ତାଘରେ ଯାଇ ଲୀନ ହୋଇଗଲା । ଠିକ୍ ଏହିପରି ହେବା ହିଁ ଉଚିତ । ମୋ’ର ଦୁଃଖ ମୋ’ର ଆପଣା ଭିତରେ ଏହିପରି ଭାବରେ ହଜମ ହୋଇଯିବା ଉଚିତ । ଦୁଃଖକୁ ଅସ୍ଵୀକାର କରି ନୁହେଁ, ଦୁଃଖକୁ ଡରି ବା ଦୁଃଖ ପାଖରୁ ପଳାଇ ଯାଇ ନୁହେଁ, ଦୁଃଖକୁ ଆଦରି ନେଇ ହିଁ ମୋ’ର ଜୀବନର ନାନା ଗଭୀର ସ୍ତରରେ ଯାଇ ପ୍ରବେଶ କରିବା ଉଚିତ । ଆପଣାର ଦୁଃଖକୁ ନେଇ ଯଦି ମୁଁ ସର୍ବଦା ଡୁଙ୍ଗୁରା ପିଟୁଥାନ୍ତି, ସଂସାର ଭିତରେ ଆପଣାକୁ ସବୁଠାରୁ ଅଧିକ ଭାଗ୍ୟହୀନ ବୋଲି କହି ବିଳାପ କରୁଥାନ୍ତି, ତେବେ ଜୀବନ ମୋ’ ପାଖରେ ଅପରିଚିତ ଓ ଭୟାବହ ହୋଇ ରହିଥାନ୍ତା, ମୁଁ ବଞ୍ଚିବା ନାମରେ କେବଳ ଗୁଡ଼ାଏ ଖେଦ ଓ ଗୁଡ଼ାଏ ଇର୍ଷାକୁ ମୁଣ୍ଡରେ ମୁଣ୍ଡାଇ ହନ୍ତସନ୍ତ ହେବା ହିଁ ସାର ହେଉଥାନ୍ତା । କିନ୍ତୁ ମୁଁ ଏପରି ହେବା ଚାହେ ନାହିଁ । ମୁଁ ଜୀବନର ହିସାବ ଖାତା ଫିଟାଇ ଲାଭକ୍ଷତିର ନିରୂପଣ କରିବାକୁ ଚାହେ ନାହିଁ । ସଫଳତାର ବଜାର ଭିତରେ ମୋ’ର ଜୀବନକୁ ମୁଁ ବ୍ୟବସାୟ ବୋଲି ଆଦୌ ବିଚାର କରେନାହିଁ । ଏହି ଜୀବନର ଖୁସିକୁ ହିଁ ମୁଁ ଜୀବନର ସର୍ବପ୍ରଧାନ ସମ୍ପଦ ବୋଲି ସ୍ଵୀକାର କରେ । ଦୁଃଖ ହେଉ ସୁଖ ହେଉ, ପ୍ରଶଂସା ହେଉ ବା ନିନ୍ଦା ହେଉ, ସମସ୍ତେ ପାଖରେ ଥାଆନ୍ତୁ ବା ଦୂରରେ ଚାଲିଯାଆନ୍ତୁ, ମୁଁ ସର୍ବଦା ଖୁସି ହୋଇ ରହିବାକୁ ଚାହେ, ସକଳ ଅଭିଜ୍ଞତାର ପରମ ମୂଲ୍ୟ ଗୁଡ଼ିକୁ ହିଁ ସ୍ଵୀକାର କରିନେବାକୁ ଚାହେ । ଆଦରି ନେବାକୁ ଚାହେ ।

 

୧୪ । ୨ । ୬୧

 

ଥାନରେ ଅଥାନରେ ଅନେକ ବଡ଼ ବଡ଼ କଥା କହିବାର ମୋ’ର ଭାରି ଅଭ୍ୟାସ ହୋଇଯାଇଚି । ଆପଣାର ଭିତରଟାକୁ ଅନାଇ ମୁଁ ବେଶ୍ ଦେଖିପାରୁଚି । ଏହି କାଇଦାଟାକୁ ମୁଁ ଭାରି ଚମତ୍କାର ଭାବରେ ଆୟତ୍ତ କରିନେଇ ପାରିଚି । ମୋ’ର ଛାତ୍ରମାନେ ମୋ’ପାଖକୁ ଆସିବା ମାତ୍ରକେ ମୁଁ ସେମାନଙ୍କୁ ନାନା ବଡ଼ବଡ଼ କଥାର ବାଣ ମାରି ଆଚମ୍ବିତ କରି ପକାଉଚି, ମୋ’ପାଖକୁ କେହି ଚିଠିରେ ଚାରିପଦ ଲେଖି ପଠାଇଲେ ମୁଁ ଚାଳିଶି ପଦ ବଡ଼ କଥା କହି ତା’ର ସମସ୍ତ ଆଗ୍ରହକୁ ସେହି କଥାରେ ହିଁ ପୋତି ପକାଇବାକୁ ବସୁଚି । କିନ୍ତୁ ଏହିକଥା ବ୍ୟତୀତ ମୋ’ ପାଖରେ କ’ଣ ଆଉ କିଛି ହେଲେ ନାହିଁ ? ମୁଁ ଭଲ କରି ଜାଣେ ଯେ ଉପଦେଶ ଦେବା ମୋତେ ଭଲ ଲାଗେନାହିଁ; ଗୋଟାଏ ଉପର ପାହାଚକୁ ଉଠିଯାଇ ସେଇଠାରୁ ନୀତିବାକ୍ୟ ଓ ନୀତିବାଦର ପ୍ରଚାର କରିବା ମୋତେ ଭଲଲାଗେ ନାହିଁ । ଏଭଳି କରିବାର ବ୍ୟର୍ଥତା ମଧ୍ୟ ମୋତେ ବେଶ୍ ଭଲ କରି ଜଣାଅଛି । ତେବେ ମୁଁ ବଡ଼ବଡ଼ କଥା କାହିଁକି କହେ ? କାରଣ ବଡ଼ବଡ଼ କଥାରେ ବିଶ୍ଵାସ ମଧ୍ୟ କରେ । ହୁଏତ ଯେଡ଼େ ବଡ଼ କଥା ତୁଣ୍ଡରେ କହେ, ମୁଁ ଜୀବନକୁ ସେତିକି ବଡ଼ ସ୍ତରକୁ ଉନ୍ନୀତ କରାଇ ପାରେନାହିଁ । କିନ୍ତୁ ତା’ ବୋଲି କେବେହେଲେ ଆପଣାକୁ କୌଣସି କପଟ ବେଶ ପିନ୍ଧାଇ ନିଶ୍ଚିନ୍ତ ହୋଇଯାଏ ନାହିଁ, କଥାର ଅନ୍ତରାଳରେ ଆପଣାର ଶୂନ୍ୟତା ଓ ନିଃସାରତା ଗୁଡ଼ାକୁ ଲୁଚାଇ ରଖିବାଲାଗି କେବେହେଲେ କୌଣସି ଚତୁର ଚେଷ୍ଟା କରେ ନାହିଁ । ମୋ’ର କଥା ଅନୁସାରେ ମୁଁ ଜୀବନକୁ ମାଠିନେବାକୁ ଓ ମାଜି ନେବାକୁ ସତତ ଚେଷ୍ଟା କରୁଥାଏ । ମୁଁ ଜାଣେ ଯେ, ମୁଁ ଅନେକ ସମୟରେ ଏଥିରେ କୃତକାର୍ଯ୍ୟ ହୋଇପାରେ ନାହିଁ । କିନ୍ତୁ ତଥାପି ମୋ’ର ଚେଷ୍ଟା ଛାଡ଼େ ନାହିଁ । କାହାପାଖରେ କିଛି କହିବାବେଳେ ମୁଁ ମୋ’ର ଏହି ଚେଷ୍ଟାର କଥା ହିଁ କହିଥାଏ, ମୋ’ ବିଫଳତା ଆଉ ଅଭିଜ୍ଞତାର କଥା କହିଥାଏ । ମୋ’ ଭିତରେ ରହିଥିବା ଦୁର୍ବଳତାର କଥା କହିଥାଏ । କିନ୍ତୁ ଏପର୍ଯ୍ୟନ୍ତ ସେହି ଦୁର୍ବଳତା ଗୁଡ଼ାକୁ ମାନି ନେଇଥିବାର କଥା ମଧ୍ୟ କହିଥାଏ । ସବୁପ୍ରକାର ଅପୂର୍ଣ୍ଣତା ସତ୍ତ୍ୱେ ମୋ’ର ଏପର୍ଯ୍ୟନ୍ତ ମଧ୍ୟ ଜୀବନ ଉପରେ ବିଶ୍ଵାସ ରହିଚି, ଜୀବନର positive ମୂଲ୍ୟ ଗୁଡ଼ିକ ଉପରେ ପୂର୍ଣ୍ଣ ବିଶ୍ଵାସ ରହିଚି । ଆପଣାର ଭ୍ରମ ବା ପରିସ୍ଥିତିର ଜଟିଳତା ହେତୁ ସେହି ମୂଲ୍ୟାନୁଭୂତି ହୁଏତ ଜଟିଳ ହୋଇପଡ଼ିଚି, କିନ୍ତୁ ମୂଲ୍ୟ ରହିଚି ହିଁ ରହିଚି ।

 

୧୫ । ୨ । ୬୧

 

କଙ୍ଗୋର ପାଟ୍ରିସ୍ ଲୁମୁମ୍ବାଙ୍କୁ ଗୁଳି କରି ମାରି ଦିଆହୋଇଚି । ଆପଣାର ଉଦ୍ଦେଶ୍ୟ ସିଦ୍ଧ କରିବା ଲାଗି କିଏ ବା କେଉଁମାନେ ଯେ ତାଙ୍କୁ ଗୁଳି ମାରିଚନ୍ତି, ଖବରକାଗଜରୁ ସେକଥା ଜାଣିପାରିଲି ନାହିଁ । କିନ୍ତୁ ଏତିକି ଜାଣିପାରିଲି ଯେ, ଏହି ପୃଥିବୀରେ ସବୁ ମଣିଷଙ୍କ ଲାଗି ସୁଖର ଦିନ ଆସିବାକୁ ବର୍ତ୍ତମାନ ଅନେକ ବିଳମ୍ବ ଅଛି । ସତ୍ତା, କ୍ଷମତା ଓ ଭୋଗସାମଗ୍ରୀକୁ ମାଡ଼ି ବସିଥିବା ଜନସମୂହମାନେ ଏହି ପୃଥିବୀକୁ ସବୁ ମଣିଷଙ୍କର ସ୍ଵାଧୀନ ବିକାଶ ଲାଗି ଛାଡ଼ି ଦେବାକୁ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହାନ୍ତି । କୋଡ଼ିଏ ବର୍ଷ ତଳେ ହୁଏତ ସାମ୍ରାଜ୍ୟ ଓ ସାମ୍ରାଜ୍ୟବାଦର ଅହଙ୍କାରଗୁଡ଼ାକୁ ସହି ହେଉଥିଲା । କିନ୍ତୁ ବର୍ତ୍ତମାନ ଆଉ ସହି ହେଉନାହିଁ । କୋଡ଼ିଏ ବର୍ଷ ତଳେ ଇଉରୋପ ଯେତେବେଳେ ବନ୍ଧୁକ ଓ ଫଉଜର ଭୟ ଦେଖାଇ ଆପଣା ଲାଗି ଭୋଗର ଦାବି କରି ବାହାରୁଥିଲା, ଅଧିକ ସଭ୍ୟତା ଓ ସୁବିଧା ମାଡ଼ି ବସୁଥିଲା, ସେତେବେଳେ ଇଉରୋପକୁ ଅନ୍ତତଃ ବୁଝି ହେଉଥିଲା, କିନ୍ତୁ ବର୍ତ୍ତମାନ ଏପରି ଘଟଣାମାନ ଘଟିବା ପରେ ଇଉରୋପକୁ ମୋଟେ ବୁଝି ହେଉନାହିଁ । ପୁରୁଣାକୁ ଆବୋରି ଧରି ଆଉ କ’ଣ ଇଉରୋପ ଏଇଠି ଅଟକି ରହିଯିବ କି ? ପୁରୁଣାଟାକୁ ରକ୍ଷା କରିବାର ପାଗଳ ଚେଷ୍ଟାରେ ଆଉ କ’ଣ ଇଉରୋପ ସାରା ପୃଥିବୀର ପଥ ଉପରେ ବାଧା ହୋଇ ଠିଆ ହେବ କି ? ବେଲଜିଅମ୍‌ର ଯୁବକ ଓ ଯୁବତୀମାନଙ୍କ ପ୍ରତି ଆଜି ମୋର ସବୁଠାରୁ ଅଧିକ ଦୟା ହେଉଚି । ପୃଥିବୀ ଯେ ବର୍ତ୍ତମାନ ଅନେକ ବଦଳି ଯାଇଚି ଓ ପ୍ରତିଦିନ ବଦଳିବାରେ ଲାଗିଚି, କାଲିକାର ଖିଆ ହୋଇଥିବା ନିଶାକୁ ଯେ ଆଜି ଆପଣାର ବିଚାର ଉପରରୁ ଛଡ଼ାଇବାକୁ ପଡ଼ିବ, ସେକଥା କ’ଣ ସେମାନେ ଏପର୍ଯ୍ୟନ୍ତ ବୁଝି ପାରିନାହାନ୍ତି ? ପିଲାଦିନେ ଇସ୍କୁଲରେ ସେମାନେ ଯେଉଁ ମିଛ ଓ ଅପାଠଗୁଡ଼ାକୁ ପଢ଼ିଥିଲେ, ସେହି ଅପାଠ କ’ଣ ସେମାନଙ୍କର ହୃଦୟକୁ ଏପର୍ଯ୍ୟନ୍ତ ଜଡ଼ କରି ରଖିଛି ?

 

୧୬ । ୨ । ୬୧

 

ଗୋଟାଏ ପାଖରେ କ୍ଷମତା,–ଧନ, ଜ୍ଞାନ ଓ ସଭ୍ୟତାଭିମାନର କ୍ଷମତା । ଆଉ ଗୋଟାଏ ପାଖରେ ଆପଣାର ବୋଲି କହିବାକୁ କିଛି ନାହିଁ । କେବଳ ଅନ୍ଧକାର ରାତ୍ରି, କେବଳ ଦାରିଦ୍ର୍ୟ, କେବଳ ଅଶିକ୍ଷା, କେବଳ ଦୁଖଃଭୋଗ, କେବଳ କଷଣ, କେବଳ ସ୍ଵାଧୀନ ହେବାର ଏକ ଅସ୍ପଷ୍ଟ ଅଥଚ ସୁନିଶ୍ଚିତ ଅଭିଳାଷ ବ୍ୟତୀତ ଆଉ ନିଜର ବୋଲି କହିବାର କିଛି ନାହିଁ । ଦୁହିଁଙ୍କ ଭିତରୁ ଆଜି ପୃଥିବୀରେ କାହା କଥା ରହିବ, କାଲିର ପୃଥିବୀରେ କାହାର ମନୋଭିଳାଷ ପୂର୍ଣ୍ଣ ହେବ ? ଆଫ୍ରିକାରେ ଆଜି ସେହି ଦ୍ଵନ୍ଦ୍ୱର ମୀମାଂସା ଚାଲିଚି । ଗତବର୍ଷ ପ୍ରାୟ ଏହି ସମୟରେ ହୋଇଥିବା ସାର୍ପେଭିଲ୍‌ର ହତ୍ୟାକାଣ୍ଡ ଠାରୁ ଏହି ସପ୍ତାହରେ ପାଟ୍ରିସ୍ ଲୁମୁମ୍ବାଙ୍କର ହତ୍ୟାକାଣ୍ଡ ପର୍ଯ୍ୟନ୍ତ ସବୁ ଘଟଣାର ବିଚାର କରି ଦେଖିଲେ ହୃଦୟ କହିଉଠେ ଯେ, ଆଫ୍ରିକାର ଅନ୍ଧକାରକୁ ଆଉ ବେଶିଦିନ ଅଟକାଇ ରଖିବା ସମ୍ଭବ ହେବନାହିଁ । ସେଠି ମଧ୍ୟ ନିଦ ଭାଙ୍ଗିଚି । ଉପରେ ଆଲ୍‌ଜିରିଆ ଠାରୁ ଦକ୍ଷିଣରେ ମୋଜାମ୍ବିକ୍ ପର୍ଯ୍ୟନ୍ତ ଆଜି ସବୁଠାରେ ବାଟ ଛାଡ଼ିଦେବାକୁ ହେବ । ପାଶ୍ଚାତ୍ୟ ଦେଶମାନଙ୍କର ହାତରେ ଆଜି ବନ୍ଧୁକ ରହିଚି, ତେଣୁ ଆଫ୍ରିକା ଛାଡ଼ି ଆସିବା ପୂର୍ବରୁ ସେମାନେ ହତାଶ ଆତତାୟୀ ପରି ହତ୍ୟାକାଣ୍ଡ ଭିଆଇବାରେ ଭାରି ଉତ୍ସାହୀ ହୋଇ ପଡ଼ିଚନ୍ତି । କିନ୍ତୁ ଆଗାମୀ କାଲିର ଇତିହାସରେ ସେମାନଙ୍କୁ ମଣିଷ ହତ୍ୟାର ଅପରାଧୀ ହିସାବରେ ବିଶ୍ଵଦାଣ୍ଡରେ ଛାଡ଼ିଦେବାକୁ ପଡ଼ିବ । ସେମାନଙ୍କ ବିପଣି ଭାଙ୍ଗି ଭାଙ୍ଗି ଯାଉଚି, ସଂସାରରେ ସବୁ ମଣିଷଙ୍କ ଲାଗି ଘର ତିଆରି ହେଉଚି । ଉନବିଂଶ ଶତାବ୍ଦୀରୁ ଆରମ୍ଭ ହୋଇଥିବା ପାପର ପ୍ରସାର ବର୍ତ୍ତମାନ ଇତି ହେବାକୁ ଯାଉଚି । ପୁରୁଣା ପୃଥିବୀର ପୁରୁଣା ମଣିଷକୁ ଆଜି ବାଟ ଛାଡ଼ିଦେବାକୁ ହେବ, ସବୁ ଅଭିମାନକୁ ଆଜି ମଣିଷଲାଗି ବାଟ ଛାଡ଼ିଦେବାକୁ ହେବ ।

 

୧୭ । ୨ । ୬୧

 

ସାରା ସଂସାରରେ ସମସ୍ତେ ସତ୍ୟାନାଶର ବାଟ ଧରିଥିବା ବେଳେ ମୁଁ ତଥାପି ମୋ’ ଆପଣାର ସ୍ଵାଧୀନତାଟିକୁ ହରାଇ ବସିବି ନାହିଁ । ଏହି ସ୍ଵାଧୀନତା ଗାଳିଦେବାର ସ୍ଵାଧୀନତା ନୁହେଁ, ଅନ୍ୟ ଉପରେ ବା ବିଶ୍ଵ ପରିସ୍ଥିତି ଦୋଷ ଦେଇ ଦେଇ ନିଜେ ନିଶ୍ଚିତ ହୋଇ ବସିଯିବାର ସ୍ଵାଧୀନତା ନୁହେଁ । ଏହି ସ୍ଵାଧୀନତା ହେଉଚି ଆପଣାକୁ ନେଇ କିଛି ସାର୍ଥକ କାର୍ଯ୍ୟ କରିବାର ସ୍ଵାଧୀନତା, ଆପଣାର ଜୀବନରେ କିଛି ସାର୍ଥକତା ଅନୁଭବ କରିବାର ସ୍ଵାଧୀନତା, ଆପଣାର ଜୀବନରେ ସବୁଠାରୁ ବଡ଼ ମନେ କରୁଥିବା କେତେକ ମୂଲ୍ୟ ସମ୍ପଦ ଲାଗି ଜୀବନ ବଞ୍ଚିବାର ସ୍ଵାଧୀନତା । ତେଣୁ ହତାଶ ହେଲେ ଚଳିବ ନାହିଁ, ଆପେ ଉତ୍ତପ୍ତ ହୋଇପଡ଼ିଲେ ଚଳିବ ନାହିଁ,–ଆପଣାକୁ ଅଧିକରୁ ଅଧିକ ନିୟୋଜିତ କରିବାକୁ ହେବ । ଏଥିଲାଗି କୌଣସି ଗର୍ଜନ ତର୍ଜନ କରିବାର ଲୋଡ଼ା ନାହିଁ, କୌଣସି କୋଳାହଳ କରିବା ଲୋଡ଼ା ନାହିଁ । ପୃଥିବୀରେ ଆଜି ମଣିଷକୁ କୀଟ ଓ ମାଛି ପରି ଅବମାନନା କରାଯାଉଚି, ମୁଁ ମୋ’ ଜୀବନର କ୍ଷୁଦ୍ର ପରିସରଟିରେ ରହି ମଧ୍ୟ ସବୁ ମଣିଷକୁ ତା’ର ମନୁଷ୍ୟୋଚିତ ସମ୍ମାନ ଦେବି, କୌଣସି ପ୍ରକାରର ଉତ୍ସୃଙ୍ଖଳ ଉତ୍ସାହ ଦ୍ଵାରା ମୁଁ କାହାରି ଜୀବନ ଉପରକୁ ମାଡ଼ି ଯିବି ନାହିଁ । ଆଜି କ୍ଷମତାର ଇଷ୍ଟ ସିଦ୍ଧି ପାଇଁ ମଣିଷକୁ କଳ ପରି ବ୍ୟବହାର କରାଯାଉଚି । ମନୁଷ୍ୟ ବ୍ୟକ୍ତିକୁ ମୁଁ କଳ ବୋଲି ଭାବିବି ନାହିଁ, କ୍ଷମତାକୁ ମୋ’ ଜୀବନର ଇଷ୍ଟ ବୋଲି ଗ୍ରହଣ ନେବି ନାହିଁ । ସଂସାରଯାକ ସମସ୍ତେ ମୋ’ ବିରୋଧରେ ଗଲେ ମଧ୍ୟ ମୁଁ ତାହା କରିବି ନାହିଁ । ଏହାହିଁ ମୋର ସ୍ଵାଧୀନତା ।

 

୧୮ । ୨ । ୬୧

 

ମୋ’ର ଆଉ ଗୋଟିଏ ସ୍ଵାଧୀନତା ହେଉଚି ଭୟ ନ କରିବାର ସ୍ଵାଧୀନତା । ମୁଁ କୌଣସି ମଣିଷକୁ ଭୟ କରେ ନାହିଁ । ମୋ ଭିତରେ ରହିଥିବା ନାନାପ୍ରକାର ଦୁର୍ବଳତାକୁ ମୁଁ ଭୟ କରେ ନାହିଁ । ମୋ’ ଭଗବାନଙ୍କ ସହିତ ମୋ’ର ଯେଉଁ ସମ୍ପର୍କ ରହିଚି, ତାହାକୁ ଏକ ଭୟର ସମ୍ପର୍କ ବୋଲି କହିବାଲାଗି ମୁଁ ଆଦୌ ରାଜି ନୁହେଁ । ଭଗବାନ ମୋ’ ଦୃଷ୍ଟିରେ ପୋଲିସ୍ ନୁହନ୍ତି; ସିଏ ମଣିଷକୁ ଭଲ ପାଆନ୍ତି, ମଣିଷର ବିକାଶ ଚାହାନ୍ତି, ସଂସାରର ସବୁଯାକ ଅନ୍ଧାର ସତ୍ତ୍ୱେ ସିଏ ତଥାପି ମଣିଷକୁ ଆଲୋକର ସନ୍ତାନ ରୂପେ ଦେଖିବାକୁ ଚାହାନ୍ତି । ଭଗବାନଙ୍କୁ ପୋଲିସ୍ କରି ସଜାଇ ଦେବାର ଅପବାଦ ଧର୍ମର ନୁହେଁ, ଭୟାର୍ତ୍ତ ମଣିଷର । ଆପଣାର ଦୁର୍ବଳତା ଗୁଡ଼ିକୁ ଲୁଚାଇ ରଖି ସେହି ଜୁଗୁପ୍‌ସାର ଗ୍ଳାନିରେ ଅହରହ ପୀଡ଼ିତ ଓ ପାପଦଷ୍ଟ ହେବାର ପ୍ରରୋଚନା ମଣିଷକୁ ଦେଇଥିବା ଅପବାଦ ଧର୍ମର ନୁହେଁ, ଭୟାର୍ତ୍ତ ମଣିଷର । ବର୍ତ୍ତମାନ ଆମ ପୃଥିବୀରେ ନାନା ଜାଗାରେ କେବଳ ଏହି ଭୟାର୍ତ୍ତ ମଣିଷର ରାଜତ୍ଵ ଚାଲିଚି । ଯିଏ ଗୋଟାଏ କ୍ଷେତ୍ରରେ ଭୟାର୍ତ୍ତ ହୋଇ ମାନି ନେଉଚି, ଆଉ ଗୋଟାଏ କ୍ଷେତ୍ରରେ ସେଇ ଭୀଷଣ ମୁଖା ପିନ୍ଧି ଭୟାବହ ହୋଇ ପଡ଼ୁଚି, ଗୋଟାଏ କ୍ଷେତ୍ରର ତ୍ରସ୍ତ ମଣିଷ ଆଉ ଗୋଟାଏ କ୍ଷେତ୍ରରେ ତ୍ରାସର କାରଣ ହେଉଚି । ନିଜ ଭିତରେ ନିଜକୁ ଡରୁଥିବା ଅଧମ ମଣିଷ ବାହାରେ ନାନା ସତ୍ତାର ସାଜସଜ୍ଜା ପିନ୍ଧି ଡରାଉଥିବା ଉଗ୍ର ମଣିଷର ବିଗ୍ରହ ଧାରଣ କରୁଚି । ମୁଁ ଏହି ହାସ୍ୟାସ୍ପଦ ଭେଳିକି ଭିତରେ ମୋଟେ ପଶିବି ନାହିଁ । ମୋ’ର ସତ୍ତା ଲୋଡ଼ା ନାହିଁ, କାହାପାଇଁ କୌଣସି ପ୍ରକାର ତ୍ରାସ ହେବାରେ ମୋ’ର ଏତେ ଟିକିଏ ଆଗ୍ରହ ନାହିଁ । ମୁଁ ନିର୍ଭୟ ହୋଇ ବଞ୍ଚିବାକୁ ଚାହେ, ନିର୍ଭୟ ହୋଇ ବଞ୍ଚିବାକୁ ହିଁ ମୁଁ ଜୀବନର ପରମ ସମ୍ପଦ ବୋଲି ଜ୍ଞାନ କରେ । ମୋ’ର ସବୁକିଛି ଦେଇ ମଧ୍ୟ ମୁଁ ଏହି ନିର୍ଭର ହୋଇ ବଞ୍ଚିବାର ସ୍ଵାଧୀନତାଟିକୁ ସୁରକ୍ଷିତ କରି ରଖିବାକୁ ଚାହେ । ସଂସାରର ସବୁଠାରେ ମଣିଷ ନାନାପ୍ରକାର ଖୁଆଡ଼ବାନ୍ଧି, ନାନା ବିକୃତ ବିଚାରର ବେଡ଼ି ପିନ୍ଧି, ଭୟର ଶିବିରରେ ଆସି ଭର୍ତ୍ତି ହେଉଥିଲା ବେଳେ ମୁଁ ତଥାପି ସବୁଯାକ ଶିବିରର ବାହାରେ ନିର୍ଭୟ ହୋଇ ବାଟ ଚାଲିବାକୁ ଚାହେ । କୌଣସି କୋଳାହଳ ଭିତରେ ପଶି ମୁଁ ମୋ’ର ଭିତରର ଭୟକୁ ବାହାରର ଉଗ୍ରତାରେ ପରିଣତ କରି ଦେଖାଇ ଦେବାକୁ ଇଚ୍ଛା କରେ ନାହିଁ । ମୁଁ ସବୁ ମଣିଷ ଭିତରେ ଏହି ନିର୍ଭୟ ମଣିଷଟିକୁ ହିଁ ଚିହ୍ନିବାକୁ ଚେଷ୍ଟାକରେ । ତା’ ଭିତରେ ଥିବା ମୋ’ର ସୋଦରଟିକୁ ଚିହ୍ନିବାକୁ ଚେଷ୍ଟା କରେ ।

 

୧୯ । ୨ । ୬୧

 

ମୋର ସମସ୍ତ ସମସ୍ୟାକୁ ମୁଁ ମୋ’ ଅନ୍ତର ଭିତରେ ହିଁ ସମାଧାନ କରିବି । ମୋର ସମସ୍ତ ଉତ୍ତେଜନାକୁ ମୁଁ ମୋ’ ଅନ୍ତର ଭିତରେ ଶାନ୍ତ କରିବି । ମୋର ସମସ୍ତ ଅତୃପ୍ତି ଦାରୁଣ ଦହନ ହୋଇ ମୋତେ ଦଗ୍‌ଧ କରିବାରେ ଲାଗିଚି । ଏହି ଦହନରେ ପୋଡ଼ି ପୋଡ଼ି ମୋତେ ହୃଦୟ ଭିତରେ ଅଟଳ ବିଶ୍ଵାସ ଲାଗି ପ୍ରସ୍ତୁତ ହେବାକୁ ପଡ଼ିବ । ସଂସାର ଭିତରେ ମୋର ସମସ୍ତ ବିଶ୍ଵାସ ଓ ସମସ୍ତ ନିର୍ଭର ଭାଙ୍ଗି ପଡ଼ୁଥିବା ବେଳେ ମୋତେ ଆପଣା ଭିତରୁ ହିଁ ପରମ ନିର୍ଭର ପାଇବାକୁ ପଡ଼ିବ, ଆପଣା ଭିତରୁ ହିଁ ବିଶ୍ଵାସର ଡୋର ଲଗାଇବାକୁ ପଡ଼ିବ । ଏହି ଡୋର ଅନେକ ସମୟରେ ହଜି ଯାଉଥିବା ପରି ମନେ ହେଉଚି । ସେଥିପାଇଁ ଭିତରେ ଥାଇ କିଏ ଯେପରି ବଡ଼ ହତାଶ ହୋଇ ଆର୍ତ୍ତନାଦ କରି ଉଠୁଚି । ଭିତରର କେଉଁ ପଥିକ ଆପଣାକୁ ହଠାତ୍ ଭାରି ଏକାକୀ ମନେକରି ବିକଳ ହୋଇ ପଡ଼ୁଚି । ତଥାପି ଯିବାକୁ ହେବ, ସେଥିପାଇଁ ପଥ ଉପରେ ଅଟଳ ବିଶ୍ଵାସ ରହିଥିବା ଦରକାର । ଆପଣାର ଆବିଷ୍କାର ପଥରେ ଚାଲିବାକୁ ହିଁ ପଡ଼ିବ । କେତେବେଳେ ମୁଁ ଭାବେ, ଦଶବର୍ଷ ତଳେ ମୋ’ ଭିତରେ ଯେଉଁ ଆଶାବାଦ ଓ ଉତ୍ସାହ ପୂର୍ଣ୍ଣ ହୋଇ ରହିଥିଲା, ତାହା ଗଲା କୁଆଡ଼େ ? ତାହା କୁଆଡ଼େ ଯାଇନାହିଁ, ତାହା ଏହି ଅନ୍ତର ଭିତରେ ହିଁ ରହିଚି । ସଂସାରର ନାନା ଥକ୍‌କାରେ ତାହା ଆପଣାକୁ ଅନ୍ତରାଳକୁ ଅପସରାଇ ନେଇଚି । ମୋ ଭିତରେ ସୁଯୋଗ ପାଇ ଉପୁଜୁଥିବା ନାନା ମୋହର ତାଡ଼ନାରେ ସେହି ସହଜ ଅନୁଭବ କରିବା, ସହଜ ଭଲପାଇବା ଓ ସହଜ ବାଟ ଚାଲି ପାରିବା ଅପସରି ଯାଇଚି ।

 

୨୦ । ୨ । ୬୧

 

ଯାହା ପାଖରେ ମୁଁ ଯେତେପ୍ରକାରେ ଆଘାତ ଦେଇ ଆସିଚି, ସେଠି ଆଜି ମୁଁ କ୍ଷମା ମାଗି ଆସିବାକୁ ଚାହୁଚି । ମୋ’ର ରୋଷ, ମୋ’ର ମୋହ, ମୋ’ର କାମନା ଅର୍ଥାତ୍ ମୋ’ର ଅଶ୍ରଦ୍ଧାରେ ମୁଁ ସେମାନଙ୍କର ଜ୍ଞାତରେ ବା ଅଜ୍ଞାତରେ ଯେତେ ଲୋକଙ୍କୁ ବ୍ୟତିବ୍ୟସ୍ତ କରି ପକାଇଚି, ନାନାପ୍ରକାର ଆକର୍ଷଣ ଦେଖାଇ ସେମାନଙ୍କୁ ମୋ’ର ଆଡ଼କୁ ଟାଣିବାର ମନ୍ଦଚେଷ୍ଟା କରିଚି, ସେମାନଙ୍କର ଚରଣ ତଳେ ପ୍ରଣାମ କରି ମୁଁ କ୍ଷମା ମାଗି ଆସୁଚି । ଶ୍ରଦ୍ଧା କରିବା ଓ ଭଲପାଇବାର ମିଛ ଆଡ଼ମ୍ବର ଦେଖାଇ ମୁଁ ଜଗତଟାକୁ ଅନେକ ସମୟରେ ନାନା ଲାଳସାକୁ ତୃପ୍ତ କରିବାର ସାଧନରୂପେ ବ୍ୟବହାର କରିବାକୁ ଚେଷ୍ଟା କରଚି । ମୋ’ର ସେହି ଚେଷ୍ଟା ଯେତିକି ସଫଳ ହୋଇଚି, ମୁଁ ସେତିକି ବାଟ ଭୁଲିଚି, ଆପଣା ହୃଦୟର ଅସଲ ଆହ୍ଵାନକୁ ଭୁଲି ମୁଁ ସେତିକି ଉତ୍ତେଜନା ଭିତରେ ପଡ଼ିଯାଇଚି । ଆପଣାକୁ ମୁଁ ସେତିକି ଆକୃତ ଓ ଅପସାରିତ କରି ରଖିଚି । କିନ୍ତୁ ଭଗବାନ ହେଉଚନ୍ତି କଲ୍ୟାଣମୟ, ସିଏ ମୋତେ ବାରମ୍ବାର ବଞ୍ଚିତ କରି ବଞ୍ଚାଇ ରଖିଚନ୍ତି । ମୋତେ ବାରମ୍ବାର ସମସ୍ତ ପ୍ରକାର ଉତ୍ତେଜିତ ଅନୁଧାବନରୁ ପ୍ରତ୍ୟାଖ୍ୟାନ କରି ଆଣି ମୋ’ର ଆପଣା ନୀଡ଼ର ଏକାନ୍ତ ଆଶ୍ରୟ ଭିତରେ ପକାଇ ଦେଇଚନ୍ତି । ଏହିସବୁ ବିଫଳତା ମୋ’ର ଅଭିମାନକୁ ଭାରି ବାଧିଚି । ମୋ’ର ସମସ୍ତ ଲାଳସା ଓ ଆଶା ବଡ଼ କ୍ଷତବିକ୍ଷତ ହୋଇ ପଡ଼ିଲାପରି ମନେ ହୋଇଚି, ମୋ’ ଭିତରର କେଉଁ ଅମାନିଆ ଅନ୍ଧ ସତେଅବା ଭାରି ଅପମାନିତ ହୋଇ ପଡ଼ିଚି-। କିନ୍ତୁ ଏହି ବିଫଳତା ହିଁ ମୋ’ର ଉଦ୍ଧାରର ବାଟ ଫିଟାଇ ଦେଇଚି, ମୋ’ ଭିତରେ ଚେତନା ଭରିଦେଇ ଯାଇଚି । ଆପଣାର ବିଶ୍ଵାସ ଓ ଆପଣାର ଶ୍ରଦ୍ଧାକୁ ଚିହ୍ନି ପୁନର୍ବାର ତାହାକୁ ହିଁ ଆଶ୍ରୟ କରିବାଲାଗି ମୁଁ ଭିତରୁ ପ୍ରେରଣା ପାଇଚି । ମୋ’ର ସବୁପ୍ରକାର ଉତ୍ସୃଙ୍ଖଳତା ଶାନ୍ତ ହୋଇଯାଇଚି । ସଂସାରରେ ଆପଣାକୁ ସବୁଠାରୁ ପୀଡ଼ିତ କରି ସବୁପ୍ରକାରେ ପାଷଣ୍ଡ ହେବାର ପାଗଳାମି କ୍ରମେ ଶାନ୍ତ ହୋଇଯାଇଚି । ସେହି ଶାନ୍ତ ମୋତେ ପୁଣି କ୍ଷମାର ଯୋଗ୍ୟ କରିଚି । ମୋତେ ପୁଣି ବାଟକୁ ଫେରାଇ ଆଣିଚି ।

 

୨୧ । ୨ । ୬୧

 

ଆଜି ହୃଦୟ ଅନେକ ଅଧୀର । ଏହି ଅଧୀରତା ଭିତରେ ମୁଁ ତଥାପି ଆପଣାର ସଂସାରଟିକୁ ମୁଁ ଥିର କରି ଧରି ରଖିବାକୁ ଇଚ୍ଛା କରୁଚି, ତଥାପି ପାରୁନାହିଁ । ଯେଉଁସବୁ ଡୋରକୁ ମୁଁ ଏହି ଜୀବନରେ ଓ ଏହି ସଂସାରରେ ସାର ବୋଲି ମନେ କରେ, ସେହିସବୁ ଡୋରକୁ ମୁଁ ସ୍ଥାୟୀ କରି ରଖିବାକୁ ଚାହେ, ତଥାପି ସେହିସବୁ ଡୋର ସତେଅବା ମୋ’ ହାତରୁ ଖସିଖସି ଚାଲିଯାଉଚି । ଏପରି କାହିଁକି ହୁଏ ? ଏତେ ଆଶା ଓ ଆକାଙ୍‌କ୍ଷା, ଏତେ ଦମ୍ଭ ଓ ବିଶ୍ଵାସ ଦେଇ ଗଢ଼ା ହୋଇଥିବା ଏହି ହୃଦୟ ହଠାତ୍ ଏପରି ବିକଳ ଓ ଏପରି ସର୍ବସ୍ଵାନ୍ତ କାହିଁକି ହୋଇପଡ଼େ ? ଯିଏ ନାନା ବିପଦରେ ଦମ୍ଭ ଦିଏ, ନାନା ସମର୍ପଣ ଲାଗି ଯିଏ ଅତି ଆପଣାର ହୋଇ ଭିତରେ ରହି ମୋତେ ପ୍ରସ୍ତୁତ କରେ, ସିଏ ବେଳେବେଳେ ମୋତେ ଛାଡ଼ି ଚାଲିଯାଏ କିପରି ? ଏହି କାତର ମନର ଜର୍ଜର ବିକ୍ଷେପକୁ ପୁନର୍ବାର ସ୍ଥିର ଅବସ୍ଥାକୁ ଫେରାଇ ଆଣିବାଲାଗି ଯେପରି ହଠାତ୍ ମୋ’ର ଆଦୌ ବଳ ପାଉନାହିଁ । ମୋ’ର ସମସ୍ତ ସୌଧ କ’ଣ ପ୍ରକୃତରେ ଭାଙ୍ଗି ପଡ଼ିବାକୁ ଯାଉଚି ? ସଂସାରକୁ ମୁଁ ଯେପରି ହୋଇଥିବ ବୋଲି ଭାବିଥିଲି, ସଂସାର କ’ଣ ପ୍ରକୃତରେ ସେପରି ନୁହେଁ ? ଜୀବନକୁ ମୁଁ ଯେପରି ହୋଇଥିବ ବୋଲି ଭାବୁଥିଲି ଜୀବନ କ’ଣ ପ୍ରକୃତରେ ତା’ ନୁହେଁ ? ଯେଉଁସବୁ ସଭ୍ୟକୁ ଆପଣା ଜୀବନର ଆଧାର ଶିଳା ବୋଲି ଗ୍ରହଣ କରି ମୁଁ ତାହାରି ଉପରେ ଠିଆ ହୋଇଥିଲି, ସେହି ସତ୍ୟଗୁଡ଼ିକ କ’ଣ ପ୍ରକୃତରେ ସତ୍ୟ ନୁହେଁ ? ଏହିପରି ନାନା ସଂଶୟ ମୋତେ ଆଜି ବଡ଼ ବିକ୍ଷୁବ୍‌ଧ କରି ପକାଇଚି । ଭିତରେ ସବୁ ଭାଙ୍ଗିପଡ଼ୁଚି, ସବୁଠିଁ ଭୟାର୍ତ୍ତ ଲାଗୁଚି; ମୋ’ର ସବୁ ଭୟର ନିର୍ଭୟ, ସବୁ ସଂଶୟର ସମାଧାନ କ’ଣ ମୋତେ ପ୍ରକୃତରେ ପରିତ୍ୟାଗ କରି ଚାଲିଗଲେ କି ? ନା–ଏଥିପାଇଁ ମୁଁ ସଂସାରକୁ ନିନ୍ଦା ଦେବିନାହିଁ, ସମସ୍ତ ଦୁର୍ବିପାକ ଠାରୁ ସମସ୍ତ ପ୍ରହାର ଖାଇ ତଥାପି ଆପଣାର ଅନ୍ତର ଭିତରେ ମୁଁ ଶାନ୍ତ ହୋଇ ରହିବାର ଉପାୟ ବାହାର କରିବି ।

 

୨୨ । ୨ । ୬୧

 

ଜୀବନର ସମସ୍ତ ଆଗ୍ରହକୁ ଏକାଠି କରି ମୁଁ ହୃଦୟ ଭିତରେ ଏକ ପ୍ରଦୀପ କରି ଜାଳି ଦେବାକୁ ସତତ ଚେଷ୍ଟା କରୁଚି । କିନ୍ତୁ ଆଜି ଯେପରି ନାନା ବାସନା ଓ ବିକ୍ଷେପର ବାତାଘାତରେ ସେହି ପ୍ରଦୀପର ଶିଖାଟି ବଡ଼ ବ୍ୟାକୁଳ ହୋଇପଡ଼ିଚି, ସତେ ଯେପରି ତାହାର ଶିଖା ବଡ଼ ବ୍ୟାହତ ହୋଇ ପଡ଼ିବ ବୋଲି ବସିଚି । କାହିଁକି ? ଏହି ଅସ୍ଥିରତା ମୋ’ର ମନୋଗଗନ ଭିତରେ କେଉଁଠାରେ ଲୁଚି ରହିଥିଲା ? ବାହାରର କୌଣସି କାରଣକୁ ମୁଁ ମୂଳତଃ ମୋ’ର ଅନ୍ତରର ଅସ୍ଥିରତା ଲାଗି ଦାୟୀ କରିପାରିବି ନାହିଁ । ଯେତେବେଳେ ପୂର୍ବଦିଗର ସୂର୍ଯ୍ୟ ବା ରାତ୍ରି ଆକାଶର ତାରାକୁ ଅନାଇ ରହିଥାଏ, ଯେତେବେଳେ ସମସ୍ତ ଦେହର ସରାଗ ଦୁଆରକୁ ମେଲାଇ ଦେଇ ତରଙ୍ଗାୟିତ ପବନର ପାବନସ୍ପର୍ଶ ଅନୁଭବ କରୁଥାଏ, ଯେତେବେଳେ ମୋ’ର ଫୁଲ ବଗିଚା ଆଡ଼କୁ ଅନାଇ ମୁଁ ଘଡ଼ିକ ଲାଗି କେବଳ ଏକ ଅପୂର୍ବ ଆନନ୍ଦାନୁଭୂତି ବ୍ୟତୀତ ଏହି ଜୀବନର ଅନ୍ୟ ଯାବତୀୟ ବ୍ୟାପାରକୁ ଭୁଲିଯାଏ । ସେତେବେଳେ ହଠାତ୍ ଆପଣା ଭିତରେ ସଜ ହୋଇ ସକଳ ସନ୍ତର୍ପଣରେ ଜଳୁଥିବା ଏହି ପ୍ରଦୀପଟିକୁ ମୁଁ ସତେ ଅବା ମୋ’ର ଆଖି ଆଗରେ ଦେଖିବାକୁ ପାଏ, ସେହି ପ୍ରଦୀପର ଆଲୋକ ସାହାଯ୍ୟରେ ହିଁ ମୁଁ ସାରା ସଂସାରର ସମସ୍ତ ସାଧନା, ସମସ୍ତ ଉତ୍ସବ ଓ ସମସ୍ତ ଆନନ୍ଦକୁ ଅନୁଭବ କରିଥାଏ, ମନେହୁଏ, ସତେ ଅବା ମୁଁ ନିଜେ ବି ଗୋଟିଏ ଶିଖାରେ ପରିଣତ ହୋଇ ସେଠି ପ୍ରଦୀପଟି ଭିତରେ ନିର୍ବାତ ହୋଇ ଜଳୁଚି ! ସେହି ଶିଖାରେ କୌଣସି ବିକ୍ଷେପ ନାହିଁ, କିନ୍ତୁ ସ୍ପନ୍ଦନ ଭରି ରହିଛି; କୌଣସି ଅସ୍ଥିରତା ବା କାତରତା ନାହିଁ, କିନ୍ତୁ ଜୀବନ ଭରି ରହିଚି । ଏହି ଜୀବନର ସମସ୍ତ ମାଟି ଧନ୍ୟ ହୋଇଯାଏ । ସମସ୍ତ ସାଧନା ଓ ସାଧନ ଧନ୍ୟ ହୋଇଗଲା ପରି ଲାଗେ । ଆଜି ଯେପରି ମୁଁ ସେହି ଦୀପଟିକୁ ଅନୁଭବ ହିଁ କରିପାରୁନାହିଁ ! ଏକାକୀ ହୋଇ ରହିଚି ବୋଲି ଏକ ଜାତର ଉତ୍ତେଜନା ମୋ’ର ସମସ୍ତ ଘରକୁ ଯେପରି ଉଚ୍ଛନ୍ନ ଓ ଅନ୍ଧାର କରିଦେଇ ଚାଲିଯାଇଚି, ଆଜି ମୋ’ର ଉତ୍ତେଜନାଟା ହିଁ ମୋ’ ଉପରେ ରାଜତ୍ଵ କରିବାରେ ଲାଗିଚି । ଏହି ଅନ୍ଧାରର ସୁଯୋଗ ପାଇ ମୋ’ରି ଭିତରେ କେତେ କେତେ କ୍ରୁର ଭାବନା ଓ ବିକୃତ ପ୍ରବୃତ୍ତି କେଉଁ ଗଭୀର ବିସ୍ମୃତ ଭିତରୁ ଉପରକୁ ଉଠିବାରେ ଲାଗିଚି । ଦୀପଟି ଜଳୁଥିବା ବେଳେ ଏଗୁଡ଼ାକ କେଉଁଠି ଲୁଚି ରହିଥିଲେ । ଆଜି ଅନ୍ଧାରରେ ଏହି ନିଃସଙ୍ଗ ମନ ଭିତରେ ପ୍ରଧାନତଃ ସେହିଗୁଡ଼ାକର ଦୌରାତ୍ମ୍ୟ ମୋତେ ସହିବାକୁ ପଡ଼ୁଚି ।

 

୨୩ । ୨ । ୬୧

 

ଏଇଠି ଏହି ସଂସାରରେ ମୁଁ ତାହାର ସଙ୍ଗଲାଭ କରିବାକୁ ଇଚ୍ଛା କରେ । ମୁଁ ମଣିଷ, ତାତ୍ତ୍ଵିକ ନୁହେଁ ବା theologian ନୁହେଁ । ମଣିଷର ସଙ୍ଗ ଭିତରେ ହିଁ ମୁଁ ତାହାର ସଙ୍ଗଲାଭ କରିବାକୁ ଇଚ୍ଛା କରେ । ସେଥିଲାଗି ମଣିଷର ସଙ୍ଗ ନ ପାଇଲେ ମୁଁ ତାହାର ସଙ୍ଗଟିକୁ ମଧ୍ୟ ହରାଇ ବସିଲା ପରି ଅନୁଭବ କରେ । ବାହାରେ କୌଣସି ସଙ୍ଗର ସୂତ୍ର ହଜିଗଲେ ଭିତରେ ମଧ୍ୟ ତାହା ସହିତ ଖିଅ ହଜିଗଲା ପରି ମନେହୁଏ । ନିଜର ବଗିଚାରେ ଯଦି କୌଣସି ଦିନ କୌଣସି କାର୍ଯ୍ୟ କରି ନପାରେ, ମୁଁ ତାହାର ସନ୍ନିକଟରୁ ଦୂରକୁ ହଟି ଆସିବାପରି ଅନୁଭବ କରେ । କାରଣ ବଗିଚାର ଫୁଲ ଓ ଫଳଗଛର ପରିଚର୍ଯ୍ୟା କରୁଥିବା ସମୟରେ ମୁଁ ତାହାର ସଙ୍ଗଲାଭ କରିବାର ବାସନା ରଖିଥାଏ । କୋଉଦିନ ସୂର୍ଯ୍ୟ ଉଠିବା ପୂର୍ବରୁ ସ୍ନାନ ସାରି ପୂର୍ବ ଦିଗର ଗମ୍ଭୀର ଆଗମନୀ ସଜ୍ଜାକୁ ଥରେ ଚାହିଁ ଦେଖି ନ ପାରିଲେ ମୁଁ ଯେପରି ତାହାର ସଙ୍ଗକୁ ହରାଇ ବସେ, କାରଣ ସବୁଦିନର ସୂର୍ଯ୍ୟୋଦୟର ଭିତରେ ମଧ୍ୟ ମୁଁ ତାହାରି ସଙ୍ଗଲାଭ କରିବା ପରି ଅନୁଭବ କରେ । ପ୍ରତ୍ୟେକ ଦିନ ମୋର ନିର୍ଘଣ୍ଟ ଅନୁସାରେ ଲେଖାଲେଖି କରି ନପାରିଲେ ମୁଁ ତାହାରି ସଙ୍ଗ ହରାଇ ବସିଥିବା ପରି ଅନୁଭବ କରିଥାଏ, ଭାରି ଅସ୍ଥିର ଏବଂ ଅସନ୍ତୁଷ୍ଟ ହୋଇପଡ଼େ । କାରଣ ମୋ’ର ଲେଖାପଢ଼ା ଭିତର ଦେଇ, ମୋ’ର ବିଚାରର କର୍ଷଣ ଓ ପ୍ରକାଶ ମଧ୍ୟଦେଇ ମୁଁ ପ୍ରଧାନତଃ ତାହାରି ସଙ୍ଗଲାଭ କରିବାର ଅଭିଳାଷ ରଖିଥାଏ । ଏହି ଦୁଃଖକୁ ମୁଇଁ ବୁଝେ, କାରଣ ଏହି ଅଭାବକୁ ମୁଇଁ ଅନୁଭବ କରେ । ତାହାର ସଙ୍ଗଲାଭ କରିବାକୁ ମୁଁ କେବଳ ମାତ୍ର କେତେଟା ମୁହୂର୍ତ୍ତର ବୌଦ୍ଧିକ ଚର୍ଚ୍ଚା ବା ଆତୁର ଭକ୍ତିକୁ ବୁଝେନାହିଁ । ମୁଁ ଧରି ରଖିବାକୁ ଚାହେ, ମୁଁ ପାତ୍ରଟିକୁ ପ୍ରସାରି ରଖିବାକୁ ଚାହେ; ବାହାରେ ଥାଇ ରସପାତ୍ରରୁ ରସପାନ କରିବାକୁ ଚାହେନାହିଁ । ମୁଁ ନିଜେ ରସର ପାତ୍ର ହେବାକୁ ଇଚ୍ଛା କରେ । ତାହା ହିଁ ମୋ’ର ଦୁଃଖର କାରଣ, ପୁଣି ତାହା ହିଁ ମୋ’ର ସବୁ ସୁଖର କାରଣ, ମୋ’ର ପରମ ଗୌରବର ମଧ୍ୟ କାରଣ ।

 

୨୪ । ୨ । ୬୧

 

କିଏ ବୁଢ଼ା ହେଉଚି ? ମୁଁ ବୁଢ଼ା ହେଉନାହିଁ, ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇ ଆସୁଚି । ଯେଉଁମାନେ ବୟସ ବଢ଼ିବାକୁ ହିଁ ବୁଢ଼ା ହୋଇଯିବା ବୋଲି କହନ୍ତି, ମୁଁ ସେମାନଙ୍କର ଦଳ ଭିତରେ ଆଦୌ ନୁହେଁ । ହଁ, ଆଜିଠାରୁ ପନ୍ଦର କୋଡ଼ିଏ ବର୍ଷ ତଳେ ଏହି ଜୀବନକୁ ଭାରି ସହଜ ମନେ ହେଉଥିଲା, ଏହି ବାଟ ଭାରି ସିଧା ମନେ ହେଉଥିଲା, ଜ୍ଞାନ ଭାରି ଅଳ୍ପ ମନେ ହେଉଥିଲା । ଆର୍ଦଶ ସମାଜ ହାତର ପାପୁଲି ଉପରେ ରହିଥିବା ପରି ମନେ ହେଉଥିଲା । ତେଣୁ ଗୋଟାଏ ପ୍ରକାର ସହଜ ଉତ୍ସାହବାଦ ସେତେବେଳେ ଜୀବନର ଯାବତୀୟ ଦୃଷ୍ଟିକୋଣରୁ ଜଡ଼ାଇ ରଖିଥିଲା । ଅସ୍ଥିରହେବା, ଅଧୀର ହେବା ସେତେବେଳେ ଜୀବନର ସର୍ବପ୍ରଧାନ ଆଚାର ଥିଲା । ଦୁଃଖରେ ଯେପରି ଅଧୀର ହେଉଥିଲି, ସୁଖରେ ମଧ୍ୟ ସେହିପରି ଅଧୀର ହେଉଥିଲି । ଯେପରି ଦୁଃଖକୁ ଚିରସ୍ଥାୟୀ ମନେକରି କାତର ହୋଇ ପଡ଼ୁଥିଲି, ସୁଖକୁ ମଧ୍ୟ ସେହିପରି ଚିରସ୍ଥାୟୀ ମନେକରି ଭୋଳ ହୋଇ ଯାଉଥିଲି । ସେତେବେଳ ଉତ୍ସାହ ଥିଲା, ଉତ୍କଣ୍ଠା ଥିଲା, ଉତ୍ତେଜନା ମଧ୍ୟ ରହିଥିଲା; କିନ୍ତୁ ବୁଝିବା ଶକ୍ତି ଭରି କମ୍ ଥିଲା । ଯୌବନର ପନ୍ଦର କୋଡ଼ିଏ ବର୍ଷ ଅତିକ୍ରମ କଲାପରେ ଆପଣାର ଶରୀରକୁ ଅନାଇ ଦେଖୁଚି, ଦେହର ଚମଡ଼ା ବୟସ ହୋଇଯିବାର ସୂଚନା ଦେଲାଣି, ମୁଣ୍ଡର ବାଳ ଗୋଟାଏ ଗୋଟାଏ ପାଚି ଆସିଲାଣି । ତଥାପି ଆପଣାକୁ ବୁଢ଼ା ବୋଲି ମୁଁ କଦାପି କହିବି ନାହିଁ । ହଁ, ଅସହିଷ୍ଣୁତା, ଅନୁଦାରତା ଏବଂ ଏକଦେଶୀୟତା ଅନେକ ପରିମାଣରେ କମିଯାଇଚି । ଉତ୍ତେଜନା ଅନେକ କମିଚି । ସଂସାରର ବନ୍ଧନ ମୁକ୍ତି ଲାଗି କେଉଁ ହଠାତ୍ ଏକ ଆଦର୍ଶବାଦୀ କାର୍ଯ୍ୟକ୍ରମ ଭିତରକୁ ଡେଇଁପଡ଼ି ଗୁଡ଼ାଏ ପାଟିତୁଣ୍ଡ କରିବାର କୌଣସି ଉତ୍ତେଜନା ନାହିଁ, ମୋ’ର ଆପଣା ମୂଲ୍ୟପୁଞ୍ଜର ତରାଜୁ ଉପରେ ସବୁ ମଣିଷଙ୍କୁ ଓଜନ କରିବାର ବୈଚାରିକ ଭ୍ରଷ୍ଟାଚାର ମଧ୍ୟ ନାହିଁ,–ମୋ’ର ମୋହ ଯେତେପ୍ରକାରର ଜ୍ଵର ହୋଇ ପ୍ରକାଶ ପାଉଥିଲା, ପନ୍ଦର ବର୍ଷ ପରେ ବର୍ତ୍ତମାନ ସେହି ସମସ୍ତ ଜ୍ଵରର ଉପଶମ ହୋଇଚି । ଏସବୁକୁ କ’ଣ ବୁଢ଼ା ହେବାର ଲକ୍ଷଣ ବୋଲି କୁହାଯିବ ?

 

୨୫ । ୨ । ୬୧

 

ଯିଏ ବୁଝେ, ସିଏ କାଦାପି ବୁଢ଼ା ହୁଏନାହିଁ । ଯାହାର ଧୈର୍ଯ୍ୟ ବଢ଼େ, ନିଶ୍ଵାସ ବଢ଼େ, ସେ କଦାପି ବୁଢ଼ା ହୁଏନାହିଁ । ବୟସ ବଢ଼ିବା ସଙ୍ଗେ ସଙ୍ଗେ ଯାହାର ସମର୍ପଣ ଶକ୍ତି ମଧ୍ୟ ବଢ଼ିବାରେ ଲାଗିଥାଏ, ସେ କଦାପି ବୁଢ଼ା ହୁଏନାହିଁ । କେବଳ ବୁଦ୍ଧି ଦେଇ ଜଗତଟାକୁ ଓ ଆପଣାର ଜୀବନରୁ ଦେଖିବାର ଧୃଷ୍ଟତା ଯିଏ ନ କରେ, ସେ କଦାପି ବୁଢ଼ା ହୁଏ ନାହିଁ । ଜାଣିବା ବୃଦ୍ଧି ପାଉଥିବା ସଙ୍ଗେ ସଙ୍ଗେ ଯାହାର ଅନୁଭବ କରିବା ମଧ୍ୟ ବୃଦ୍ଧି ପାଉଥାଏ, ତା’ର ବିଶ୍ଵାସ କଦାପି ବୁଢ଼ା ହୁଏ ନାହିଁ । ସଂସାରରେ ନିତି ଫୁଲ ଫୁଟୁଚି, ନିତି ସକାଳ ହେଉଚି, ସନ୍ଧ୍ୟାକାଶର ବିସ୍ତାର ପଛରେ କେତେ ରହସ୍ୟ ନିତି ତାରା ହୋଇ ଫୁଟି ଉଠୁଚି । ଏସବୁକୁ ଦେଖିବା ଲାଗି ଯାହାର ସମୟ ଅଛି, ଶ୍ରଦ୍ଧା ଅଛି, ଧୈର୍ଯ୍ୟ ଅଛି, ହୃଦୟ ଅଛି, ସିଏ କେବେହେଲେ ବୁଢ଼ା ହେଉନାହିଁ-। ମୁଁ ବଦଳିବା ସଙ୍ଗେସଙ୍ଗେ ସଂସାର ମଧ୍ୟ ବଦଳୁଚି, ମୁଁ ବାଟ ଚାଲିବା ସଙ୍ଗେସଙ୍ଗେ ସଂସାରର ସମସ୍ତ ମଧ୍ୟ ବାଟ ଚାଲୁଚନ୍ତି, ତେଣୁ, ଆପେ ନେତା ବା ହାକିମ ହୋଇ ସଂସାରକୁ ଆପଣାର ପଥ ଉପରକୁ ଟାଣି ଆଣି ଆପଣାର ବୋଲ ଅନୁସାରେ ଚଳାଇବାର ଦୁଷ୍ଟାମି ମୁଁ କରିବିନାହିଁ । ପଥର ସାଥୀ ହିସାବରେ ଅନ୍ୟମାନଙ୍କ ଠାରୁ ମୁଁ ପଥ ଚାଲିବାପାଇଁ ପ୍ରେରଣା ଏବଂ ଉତ୍ସାହ ପାଉଥିବି । ଆପଣାର ବାଟ ଚାଲିବାକୁ ଯିଏ ଏହି ବିଶ୍ଵାସ ଉପରେ ଆଣି ସନ୍ନିବେଶିତ କରିପାରିଚି, ସିଏ କେବେ ନିରାଶ ହେଉନାହିଁ, ସିଏ ଭଗବାନ କିମ୍ବା ଭାଗ୍ୟକୁ ମନ୍ଦ ବୋଲି କହି ଗାଳି ଦେଉନାହିଁ, ସିଏ କଦାପି ବୁଢ଼ା ହେଉନାହିଁ । ଦେହଟା ପୁରୁଣା ହେବାକୁ ଆସିଚି, ପୁରୁଣା ହିଁ ହେବ । କିନ୍ତୁ ଜଗତ ଓ ଜୀବନର ନାନାତୀର୍ଥରେ ନିତି ସ୍ନାନ କରି ଆସୁଥିବା ମନ ହୃଦୟ ବୁଢ଼ା ହୋଇଯିବାର କୌଣସି କାରଣ ନାହିଁ । ବାଳ ପାଚୁ ପଛକେ, ଖାଲି ଆପଣାର ଦୁଆରଟି ବନ୍ଦ ହୋଇ ନ ଗଲେ ହେଲା !

 

୨୬ । ୨ । ୬୧

 

ପିଲାଦିନରୁ ଯେଉଁସବୁ ପ୍ରବୃତ୍ତି ଏବଂ ଅଭ୍ୟାସମାନ ମୋ’ର ପ୍ରକୃତି ହୋଇଯାଇଥିଲା, ଆଜି ସେହି ପ୍ରବୃତ୍ତି ହିଁ ମୋତେ ସବୁଠାରୁ ଅଧିକ ପୀଡ଼ା ଦେଉଚି । ମନ ଭିତରେ ଆପଣାର ଅନ୍ତରତମ ସହିତ ଯେତେ ନୀରବ ଓ ନୀରବ ଭାବରେ ଯୁକ୍ତ ରହିଥିଲେ ମଧ୍ୟ ମୁଁ ବାହାରେ ମଣିଷ ସହିତ ଏକାଠି ହୋଇ ରହିବାକୁ ଚାହେ । ମଣିଷଠାରୁ ଦୂରକୁ ଛାଡ଼ି ପଳାଇଗଲେ ସତେ ଅବା କ’ଣ ଗୋଟାଏ ଅତି ଅନ୍ତରଙ୍ଗ ସମ୍ପଦ ଛାଡ଼ି ଚାଲି ଆସିଥିବା ପରି ମନେହୁଏ । ପିଲାଦିନେ କୋଉଠାକୁ ଯାଉଥିଲା ବେଳେ ସାଙ୍ଗରେ ଗୋଟାଏ ଛୋଟ ପିଲା ଥିଲେ ମଧ୍ୟ ସମସ୍ତ ସଂସାରର ସମସ୍ତ ସଙ୍ଗକୁ ଅନୁଭବ କରୁଥିଲା ପରି ମନେହୁଏ । ସକାଳର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ,–ଆହୁରି କେତେଜଣଙ୍କ ସହିତ ଏସବୁ ଶୋଭାକୁ ମଉନ ଓ ନିମଗ୍ନ ହୋଇ ଅନୁଭବ କରିବାଲାଗି ମୋତେ ସବୁଠାରୁ ଭଲ ଲାଗେ । ଏକାକୀ ପ୍ରାର୍ଥନା କରିବା ଅପେକ୍ଷା ସମସ୍ତଙ୍କ ସହିତ ଏକାଠି ବସି ପ୍ରାର୍ଥନା କରିବାକୁ ଭଲ ଲାଗେ । ସମସ୍ତଙ୍କ ସହିତ ଏକାଠି ବସି, ପ୍ରାର୍ଥନା ନାମରେ ଏକ ସାମୂହିକ ଆଡ଼ମ୍ବର କରି ନୁହେଁ, ସମସ୍ତେ ପ୍ରାର୍ଥନାର ମନ ନେଇ ଯେଉଁଠି ମଉନ ହୋଇ ବସିଥାନ୍ତି, ଯେଉଁଠାରେ ସମସ୍ତଙ୍କର ମନ ଭିତରେ ନିଷ୍ଠା ଓ ନିମଗ୍ନତା, ସେହିଠାରେ ସମସ୍ତଙ୍କ ସହିତ ଏକାଠି ବସିପଡ଼ିଲେ ମୋତେ ଧର୍ମ ଓ ସମସ୍ତ ଈଶ୍ଵରାନୁଭୂତିର ଆନନ୍ଦ ଓ ସାନ୍ନିଧ୍ୟ ପ୍ରାପ୍ତ ହୋଇଥାଏ । ଖାଇବାବେଳେ ମୋତେ ଏକୁଟିଆ ଖାଇବାକୁ ମୋଟେ ଭଲଲାଗେ ନାହିଁ । ମୁଁ ସବୁବେଳେ କାହା ସହିତ ଏକାଠି ବସି ଖାଇବାକୁ ଇଚ୍ଛା କରୁଥାଏ । ରେଲ୍‌ଗାଡ଼ିରେ ଦୂର ଯାତ୍ରାରେ ଯାଉଥିବା ସମୟରେ ଏକୁଟିଆ ଥିଲାବେଳେ କିଛି ଖାଇବାକୁ ଇଚ୍ଛା ହୁଏ ନାହିଁ, ଅତି କମରେ ଯେତିକି ଖାଇବା ଦରକାର, ମୁଁ ସେତିକି ଖାଏ । କିନ୍ତୁ ସାଙ୍ଗରେ ଜଣେ ଦୁଇଜଣ ସାଥୀ ରହିଥିଲେ ମୋତେ ପ୍ରତ୍ୟେକ ଷ୍ଟେସନରେ ଭୋକ କରେ, ଷ୍ଟେସନରେ ମିଳୁଥିବା ସବୁଠାରୁ ବଢ଼ିଆ ଜିନିଷ କିଣି ଆଣି ସମସ୍ତଙ୍କ ସହିତ ଏକାଠି ଖାଇବାରେ ଏକ ଅପୂର୍ବ ଆନନ୍ଦ ମିଳେ, ମୁଁ ପେଟୁ ବୋଲି ସମସ୍ତଙ୍କଠାରୁ ଅପବାଦ ମଧ୍ୟ ମିଳେ । ଚମ୍ପତିମୁଣ୍ଡାରେ ଯେତେ ଦିନ ପିଲାଙ୍କ ସହିତ ଖାଉଥିଲି, ମୋର ସେପର୍ଯ୍ୟନ୍ତ କୌଣସି ଦୁଃଖ ନଥିଲା । ଆପଣା ଘରେ ଅଲଗା ରୋଷେଇ ବସିଲା ପରେ ଭଲ ନ ଲାଗିବାରୁ ପ୍ରତିଦିନ ଦୁଇଜଣ ପିଲାଙ୍କୁ ସାଙ୍ଗରେ ବସି ଖାଇବାକୁ ଡାକିଆଣି ମୁଁ ଅସନ୍ତୋଷ ମେଣ୍ଟାଉଥିଲି । ଏଠାରେ ବର୍ତ୍ତମାନ ମୁଁ ସବୁଥିରେ ଏକୁଟିଆ । ତାହା ହିଁ ମୋ’ର ବଡ଼ ଦୁଃଖ । ସେହି ବୌରାଗ୍ୟକୁ ସହ୍ୟ କରିବା ମୋର ପ୍ରକୃତିବିରୁଦ୍ଧ ।

 

୨୭ । ୨ । ୬୧

 

ଏ ଦେଶର ଗୌରବ ଯେପରି ମୋ’ର ଗୌରବ, ଏହି ଦେଶର ସମସ୍ୟା ଠିକ୍ ସେହିପରି ମୋର ସମସ୍ୟା । ଗୌରବର ଭାଗ ମୁଁ ନେବି, ଅଥଚ ସମସ୍ୟାକୁ ଦେଶର ସମସ୍ୟା ବୋଲି କହି ଦୂରରେ ଛିଡ଼ା ହୋଇ ପରକୁ ନିନ୍ଦା କରୁଥିବି, ଏହି କଥାଟା ଅତ୍ୟନ୍ତ ଅଶୋଭନୀୟ ହେବ । ଖାଲି ଦେଶର କାହିଁକି, ଏହି ପୃଥିବୀର ସମସ୍ୟା ମଧ୍ୟ ମୋ’ର ସମସ୍ୟା ଆଧୁନିକ ପୃଥିବୀର ଜ୍ଞାନ, ବିଜ୍ଞାନ ଓ ମଣିଷସମାଜ ପାଖରୁ ମୁଁ ବହୁତ କିଛି ପାଇଚି, ସେହିମାନଙ୍କଠାରୁ ଖାଦ୍ୟ ନେଇ ମୋର ବିଚାର ତିଆରି ହୋଇଚି, ସେହିମାନଙ୍କର ପ୍ରେରଣାରେ ମୋର ବିଚାର ମଧ୍ୟ ପ୍ରେରିତ ଏବଂ ପରିବର୍ତ୍ତିତ ହୋଇ ଆସିଚି । ତେଣୁ ଏହି ପୃଥିବୀକୁ ରକ୍ଷାକରିବାର ଭାର ମଧ୍ୟ ମୋର । ମୋ ଆପଣା ଦେଶରେ ଅସାଧୁତା ଏତେ ଜାଗା ମାଡ଼ି ବସିଚି, ମଣିଷର ଅସମ୍ମାନ ଏ ଦେଶରେ କ୍ରମେ ଅଭ୍ୟାସଗତ ହୋଇଯାଉଚି, ଆପଣାକୁ ସନ୍ତୋଷ ଦେଲାଭଳି ଏଠି କୌଣସି ପ୍ରକାର ଘଟଣା ହୁଏତ କେବେ ଘଟୁନାହିଁ, ତଥାପି, ଖାଲି କେତେଜଣ ଅସାଧୁ ମଣିଷଙ୍କୁ ଦୋଷ ଦେଇ ବା କେତେ ଜଣ ନେତାଙ୍କୁ ଗାଳି ଦେଇ ମୁଁ କଦାପି ମୋର କର୍ତ୍ତବ୍ୟ ଶେଷ କରିଦେବି ନାହିଁ । ଏହି ଦେଶକୁ ସୁନ୍ଦର କରି ଗଢ଼ିବାଲାଗି ମୋର ପରମ କର୍ତ୍ତବ୍ୟ ରହିଚି । ଏ ଦେଶର ଦୁଃଖ, ଏ ଦେଶରେ ନିରାନନ୍ଦ, ଏ ଦେଶର ମଳିନତାପୂର୍ଣ୍ଣ ଦାରିଦ୍ର୍ୟ,–ଏସବୁକୁ ଦୂର କରିବା ଦିଗରେ ଏପର୍ଯ୍ୟନ୍ତ କୌଣସି ଜାତୀୟ କାର୍ଯ୍ୟକ୍ରମ ଆରମ୍ଭ ହୋଇନାହିଁ । ହଁ, ସରକାରଙ୍କ ତରଫରୁ ଆରମ୍ଭ ହୋଇଚି, କିନ୍ତୁ ସରକାରୀ କାର୍ଯ୍ୟକ୍ରମର ସମସ୍ତ ଇପ୍‍ସିତ ଫଳକୁ ଆମେ ମଝିରୁ ଚଳୁ କରିଦେଇ ଭାରି ସୁଚତୁର ଭାବରେ ନିଶ୍ଚିନ୍ତ ହୋଇ ବସିଚୁ । ସରକାରଙ୍କ ନାମରେ ଆମେ ଆମର ଭ୍ରଷ୍ଟାଚାର ଆରମ୍ଭ କରିଦେଇଚୁ । ଏସବୁ ଅବ୍ୟାପାରକୁ ବନ୍ଦ କରିବାକୁ ହିଁ ହେବ । ଏହି ଦେଶ ବାବୁମାନଙ୍କର ଦେଶ ହୋଇ ରହିପାରିବ ନାହିଁ । ଏ ଦେଶରେ ମୋ’ର ବାବୁ ହୋଇ ରହିବା ସମ୍ଭବ ହେବାନାହିଁ । ଏହି ଦିଗଟିରୁ ଭାବିଲେ ମନେ ହୁଏ, ଏହି ଦେଶର ପ୍ରଧାନ ସମସ୍ୟା ହେଉଚି ମୁଁ–ଯିଏ କି ଆପଣାର ବ୍ୟକ୍ତିଗତ ଲୋଭ, ଆରାମ ଆଉ ଉନ୍ନତିକୁ ଏ ଦେଶରେ ସବୁଠାରୁ ବଡ଼ ଶୁଭ ବୋଲି ବିଚାର କରୁଚି, ଚାରିପାଖରେ ସହସ୍ର ମଣିଷ ରହିଚନ୍ତି ବୋଲି ଯିଏ ପ୍ରାୟ ଏକାବେଳେକେ ଭୁଲିଯାଇଚି ।

 

୨୮ । ୨ । ୬୧

 

ଦୂର ଦିଗ୍‌ବଳୟର ବୃକ୍ଷରେକ୍ଷାର ଉହାଡ଼ରୁ ସୂର୍ଯ୍ୟ ଉଠିଆସୁଚି । ମୁହୂର୍ତ୍ତକ ପରେ ତାହା ଆକାଶ ଉପରକୁ ଉଠି ଆସିବ, ଏହି ସକାଳର ଉତ୍ସବ ପରିପୂର୍ଣ୍ଣ ହେବ । ମୋର ସମସ୍ତ ଦେହକୁ ଭରାଇ ମୁଁ ଏହି ନବଜନ୍ମକୁ ଅନୁଭବ କରିବାରେ ଲାଗିଚି । ପୂର୍ବ ଆକାଶ ଉପରେ ରଙ୍ଗ ଉକୁଟି ଉଠୁଥିବା ସଙ୍ଗେସଙ୍ଗେ ମୋର ପୁରୁଣା ପରାସ୍ତ ଗୁଡ଼ାକ ଖସିପଡ଼ି ସତେ ଯେପରି ମୋ’ ଭିତର ସହିତ ମୋର ବାହାରେ ମଧ୍ୟ ମୁଁ ଅଦ୍‌ଭୂତ ପରିବର୍ତ୍ତନ ଅନୁଭବ କରୁଚି । ଏହି ଦୁଇଟା ଚମଆଖି ମଧ୍ୟ ସତେ ଯେପରି ଏହି ସୃଷ୍ଟିର ସବୁଯାକ ଲୀଳାକୁ ବୁଝିପାରୁଥିଲା ପରି ଦିଗଦିଗନ୍ତର ରହସ୍ୟକୁ ଭେଦ କରିବାର ବାସନାରେ ଆକାଶର ଗଭୀରକୁ ପହଁରି ଯିବାରେ ଲାଗିଚନ୍ତି । ଏହି ସୁନ୍ଦର ପୃଥିବୀରେ ଆପେ ସୁନ୍ଦର ହେବାଲାଗି ଆଉ ବଡ଼ ପ୍ରେରଣା କ’ଣ ମିଳିପାରେ, ଏହି ଜୀବନର ପଥରେ ଆଗକୁ ଆଗକୁ ଚାଲି ଯିବାବେଳେ ଆଉ ବଡ଼ ସାଥୀ ଓ ସଙ୍ଗ କ’ଣ ମିଳିପାରେ ? ନୀତିବାଦୀର ସମସ୍ତ ଈର୍ଷା ଆଜି ଖସିପଡ଼ୁଚି, କୌଣସି ପ୍ରକାର ଶାସନର କୌଣସି ବୋଝ ଅନୁଭବ ନ କରି ଭିତରେ ଯେପରି କିଏ ଅତ୍ୟନ୍ତ ସହଜ ଭାବରେ ଅତି ଖୁସି ହୋଇ କହିଉଠୁଚି : ମୁଁ ପାରିବି, ମୁଁ ଆପଣାକୁ ସମର୍ପଣ କରିଦେଇ ପାରିବି, ମୁଁ ବାଟ ଚାଲିପାରିବି, ମୁଁ ସବୁ ମଣିଷର ଦ୍ଵାରପାଖରେ ଠିଆ ହୋଇ ବନ୍ଧୁ ଭାବରେ ଡାକି ପାରିବି । ଏଥିପାଇଁ କୌଣସି ନୀତିବାଦର ଲୋଡ଼ା ନାହିଁ, ଆଦର୍ଶ ନାମରେ କୌଣସି ଅଭିମାନର ଲୋଡ଼ା ନାହିଁ, କୌଣସି ପ୍ରକାରର କୌଣସି କୋଳାହଳ ଲୋଡ଼ା ନାହିଁ । ମୁଁ ଏଥିପାଇଁ ପ୍ରସ୍ତୁତ ହୋଇ ପାରିବି । ଆଜି ସକାଳେ ଏଇଠି ବସି ମୁଁ ଯେଉଁଭଳି ସହଜରେ ପ୍ରସ୍ତୁତ ହୋଇପାରିଚି, ଯେମିତି ସହଜରେ ଉଦିତ ସୂର୍ଯ୍ୟର କିରଣ ପରମସଖା ପରି ମୋର ଆଖି ଉପରେ ଆସି ପଡ଼ି ମୋର ସମସ୍ତ ଚେତନା ଓ ଶ୍ରଦ୍ଧାକୁ ଆବୋରି ଧରିଚି, ମୁଁ ସେତିକି ସହଜରେ ପ୍ରସ୍ତୁତ ହୋଇ ପାରିବି । ଏହି ପ୍ରସ୍ତୁତ ହେବା ଭିତରେ ନିଜ ଓ ସଂସାର ଭିତରେ କୌଣସି ଅନ୍ତର ରହିବ ନାହିଁ, ସଂସାର ଓ ସନ୍ନ୍ୟାସ ଭିତରେ କୌଣସି ଅନ୍ତର ରହିବ ନାହିଁ, ଭୋଗ ଆଉ ତ୍ୟାଗ ଭିତରେ କୌଣସି ଅନ୍ତର ରହିବ ନାହିଁ । ଆସକ୍ତି ଓ ନିରାସକ୍ତି ଭିତରେ ମଧ୍ୟ କୌଣସି ଅନ୍ତର ବା ବିରୋଧ ରହିବ ନାହିଁ ।

 

୧ । ୩ । ୬୧

 

ସହଯୋଗ ଆଉ ସହକାରିତା ବିଷୟରେ ଆମେ ଗାଆଁର ଲୋକମାନଙ୍କୁ ବକ୍ତୃତା ଦେବା, ଗାଆଁରେ ପକ୍ଷ ଓ ବିପକ୍ଷ ସମସ୍ତଙ୍କର କଲ୍ୟାଣ ପାଇଁ କାର୍ଯ୍ୟ କରିବା ସକାଶେ ସେମାନଙ୍କୁ ଆମେ ନାନାପ୍ରକାରେ ସଜାଇ ବଙ୍କାଇ କହିବା, ଅଥଚ ଆମ ନିଜ ଜୀବନ ଭିତରେ କୌଣସି ପ୍ରକାର ସହଯୋଗ ବା ସହକାରିତା ନଥିବ, ନାନା ବିଧ କୌଶଳ ପ୍ରୟୋଗ କରି ଆମେ ବେଶୀ ପଇସା କମାଇବା ଓ କମ୍ ନିଷ୍ଠାରେ କାର୍ଯ୍ୟ କରିବାକୁ ଆପଣାର ପରମ ଲକ୍ଷ ବୋଲି ମାନୁଥିବା,–ମୁଁ ଏହାକୁ ତୁଚ୍ଛା ଅଭିନୟ ବୋଲି କହିବି । ବିଶେଷ କରି ଯେତେବେଳେ କୌଣସି ଶିକ୍ଷକ ବା ଶିକ୍ଷାନୁଷ୍ଠାନ ନିର୍ଲଜ୍ଜ ଭାବରେ ଏହି ଅଭିନୟ କରିବାକୁ ଆରମ୍ଭ କରିଦେବ, ସେତେବେଳେ ତାହା ସଂପୃକ୍ତ ସମସ୍ତଙ୍କ ଲାଗି ଅତିଶୟ ବିପଜ୍ଜନକ ହୋଇପଡ଼ିବ । କାଲି ଶିକ୍ଷକବନ୍ଧୁ ମାନଙ୍କ ସହିତ କଥାବାର୍ତ୍ତା ହେଉ ହେଉ ମୁଁ ଏତକ କଥା କହି ପକାଇଲି । ସଭ୍ୟ ସମାଜର କାନୁନ୍ ଓ ଆଚରିତ ଶୃଙ୍ଖଳା ଅନୁସାରେ ହୁଏତ ଏହି ସତକଥାକୁ ଏପରି ସିଧା କରି କହିବା ସୁନ୍ଦର ହେଲା ନାହିଁ, କିନ୍ତୁ ସିଧା କରି କହିବା ବ୍ୟତୀତ ମୋ’ର ଆଉ ଅନ୍ୟ ରାସ୍ତା ନଥିଲା । ଏହି ଅଭିନୟକୁ କଥାରେ ପ୍ରକାଶ କରିବା ଲାଗି ଅଭିନୟ କରିବା ମୋ’ପକ୍ଷରେ ସମ୍ଭବ ହୋଇ ନଥାନ୍ତା । ଏଡ଼େ ବଡ଼ ଦେଶରେ ଆମେ ସମସ୍ତେ ଅର୍ଥାତ୍ ଆମେ ଶିକ୍ଷିତମାନେ କେବଳ ଅଭିନୟ କରିବାରେ ହିଁ ଲାଗିଚୁ । ଆମେ କେବଳ ଭଲ କଥା କହିବାରେ ହିଁ ଲାଗିଚୁ । କିନ୍ତୁ ଆମ ଭିତରେ ଭଲକଥା ପାଇଁ ଆଗ୍ରହ ନାହିଁ, କିମ୍ବା ଆମ ଜୀବନକୁ ମଧ୍ୟ କୌଣସି ଭଲ ଉଦ୍ଦେଶ୍ୟରେ ଲଗାଇ ପାରିବାକୁ କୌଣସି ଆଗ୍ରହ ନାହିଁ-। ମୁଁ ପଇସା ପାଇବି, ସେଥିପାଇଁ ମୋତେ ଏସବୁ କଥା କହିବାକୁ ପଡ଼ୁଚି । ପଇସା ପାଇବା ଲାଗି ମୁଁ ଏହି ବାଟକୁ ସବୁଠାରୁ ବଡ଼ ବାଟ ବୋଲି ଗ୍ରହଣ କରିଚି । ଏହାଦ୍ଵାରା ପଇସା ତ ଅବଶ୍ୟ ମିଳୁଚି,–ମାତ୍ର କାହାର କେଉଁ ମଙ୍ଗଳ ହେଉଚି ?

 

୭ । ୩ । ୬୧

 

ଅନେକ ବିଶ୍ଵାସ ଦରକାର, ଆହୁରି ଅନେକ ବିଶ୍ଵାସ ଦରକାର । ଭଲରେ ବିଶ୍ଵାସ ନୁହେଁ କି ମନ୍ଦରେ ମଧ୍ୟ ବିଶ୍ଵାସ ନୁହେଁ, କେବଳ ତାହାରି ଉପରେ ଅନେକ ବିଶ୍ଵାସ ଦରକାର । ସ୍ଵାର୍ଥରେ ବିଶ୍ଵାସ ନୁହେଁ କି ପରାର୍ଥରେ ବିଶ୍ଵାସ ନୁହେଁ, କେବଳ ପରମାର୍ଥରେ ବିଶ୍ଵାସ ଦରକାର । ଏହି ପରମାର୍ଥକୁ କିଏ ଭଗବାନ ବୋଲି କହେ, ପୁଣି କିଏ ଭାଗ୍ୟ ବୋଲି କହେ । ମୁଁ ତାହାକୁ ନାଆଁ ଦେଇ ବୁଝିପାରିବି ନାହିଁ କି ବୁଝାଇ ମଧ୍ୟ ପାରିବି ନାହିଁ । ନିଜ ହୃଦୟ ଭିତରେ ନିର୍ଭର ପାଇବାକୁ ହେଲେ ଯାହା ଉପରେ ବିଶ୍ଵାସ ରହିଥିବା ଦରକାର, ମୋ’ର ତାହାରି ଉପରେ ବିଶ୍ଵାସ ଦରକାର । ଆଖି ଆଗରୁ ଅପସରି ଗଲେ ମଧ୍ୟ ତଥାପି ହୃଦୟ ଭିତରେ ଅତ୍ୟନ୍ତ ନିବିଡ଼ ଓ ଶାନ୍ତ ଭାବରେ ଅନୁଭବ କରିବା ଲାଗି ଯେଉଁ ବିଶ୍ଵାସ ଦରକାର ମୁଁ ଆଜି ସେହି ବିଶ୍ଵାସର ପ୍ରାର୍ଥନା କରୁଚି । ମୋ’ର ଧ୍ୟାନ, ମୋ’ର ଧାରଣା ଓ ମୋ’ର ଜୀବନପାତ୍ରଟିକୁ ନେଇ ସରସ ଓ ସମ୍ପୂର୍ଣ୍ଣ ଭାବରେ ଠିଆ ହେବାକୁ ହେଲେ ଆପଣାର ଗୋଡ଼ ତଳେ ରହିଥିବା ଭୂମି ଉପରେ ଯେତିକି ବିଶ୍ଵାସ ରହିଥିବା ଦରକାର, ମୁଁ ସେହି ବିଶ୍ଵାସ ଲାଗି ପ୍ରାର୍ଥନା କରୁଚି । ମୁଁ ଭଲ କରି ଜାଣେ ଯେ, ମୋ’ ଭିତରେ ଏହି ବିଶ୍ଵାସ ଅନେକ ସମୟରେ ଟଳଟଳ ହୋଇପଡ଼େ, ଅନେକ ଅର୍ଦ୍ଧବିଶ୍ଵାସ ଓ ଅବିଶ୍ଵାସ ମୋତେ ଅନେକ ସମୟରେ ବଡ଼ ସହାୟହୀନ ଓ ଉତ୍ତେଜିତ କରି ପକାଏ, ମୋତେ ସବୁ ନୀଡ଼ରୁ ବାହାରେ ପିଙ୍ଗିଦେଇ ବଡ଼ ହତଶିରୀ ଭାବରେ ପରିତ୍ୟକ୍ତ କରିଦେଇଯାଏ । ତଥାପି, ମୋ’ର ସମସ୍ତ ଅପାରଗତା ସତ୍ତ୍ୱେ, ମୁଁ ଆଜି ସେହି ବିଶ୍ଵାସର ପ୍ରାର୍ଥନା କରୁଚି । ମୋ’ ଭିତରେ ରହିଥିବା ସଂଶୟର ଶୂନ୍ୟକୁ ପୂର୍ଣ୍ଣ କରିପାରିବାକୁ ଯେଉଁ ବିଶ୍ଵାସ ଲୋଡ଼ା, ଆଜି ମୁଁ ସେହି ବିଶ୍ଵାସର ପ୍ରାର୍ଥନା କରୁଚି । ସକାଳେ ଆଖି ଖୋଲିବା ମାତ୍ରକେ ସମସ୍ତ ସୃଷ୍ଟି ଓ ସମସ୍ତ ଜୀବନକୁ ସରସ ଭାବରେ ଗ୍ରହଣ କରିନେବାକୁ ଯେତିକି ବିଶ୍ଵାସ ଲୋଡ଼ା, ରାତିରେ ଶୋଇବାକୁ ଗଲାବେଳେ ସରସ ଓ ସମ୍ପୂର୍ଣ୍ଣ ମନରେ ଛୁଟି ମାଗିଯାଇ ପାରିବାକୁ ଯେତିକି ବିଶ୍ଵାସ ଲୋଡ଼ା, ମୁଁ ସେତିକି ବିଶ୍ଵାସ ଲାଗି ପ୍ରାର୍ଥନା କରୁଚି । ମୋ’ର ଜ୍ଞାନ ମୋ’ର ବିଶ୍ଵାସକୁ ବଢ଼ାଉ, ମୋ’ର କୌତୁହଳ ଓ ମୋ’ର ଜିଜ୍ଞାସା ମଧ୍ୟ ମୋ’ର ବିଶ୍ଵାସକୁ ବଢ଼ାଉ, ମୋ’ର ବିସ୍ମୟ ମଧ୍ୟ ମୋ’ର ବିଶ୍ଵାସକୁ ବଢ଼ାଉ । ମୋ’ର ବାଟ ଉପରେ ମୋତେ ଅଜସ୍ର ‘ନେତି ନେତି’ ର ଗାର ଡେଇଁ ଆସିବାକୁ ପଡ଼ିଲେ ମଧ୍ୟ ମୋ’ର ହୃଦୟ ଭିତରେ ବିଶ୍ଵାସ ବଢ଼ିବାରେ ଲାଗିଥାଉ, ବ୍ୟାପ୍ତ ହେବାରେ ଲାଗିଥାଉ ।

 

୮ । ୩ । ୬୧

 

ଏଠି ମୁଁ ଅଧିକ ଥିର ହୋଇ ବସିବି । ଏହି ଖାତାରେ ଆପଣା ଦିନଟିର ସର୍ବପ୍ରଥମ ଭାବନାଟିକୁ ପ୍ରକାଶ କରିବାକୁ ଯାଉଥିବା ସମୟରେ ଏଠି ମୁଁ ଆହୁରି ଥିର ହୋଇ ବସିବି । ବୌଦ୍ଧଶାସ୍ତ୍ରରେ ନିର୍ବାତ ଦୀପ ବିଷୟରେ ଉଲ୍ଲେଖ ଅଛି । ଭୂରୁ ମଧ୍ୟରେ ନିର୍ବାତ ଦୀପର କଳ୍ପନା କରି ଧ୍ୟାନରେ ବସିବାରେ ମୁଁ ଆଦୌ ପାରଙ୍ଗମ ନୁହେଁ । ତଥାପି ସବୁଦିନେ ସକାଳ ସମୟରେ ଏଠାରେ ଆସି ବସିଗଲା ପରେ ଆପଣାକୁ ଠିକ୍ କାହାର ମନ୍ଦିର ଦୁଆରେ ଅତ୍ୟନ୍ତ ସ୍ଵଚ୍ଛନ୍ଦ ଭାବରେ ଜଳୁଥିବା ଗୋଟିଏ ନିର୍ବାତ ଦୀପ ପରି ମନେହୁଏ । କୌଣସି କମ୍ପନ ନାହିଁ, ଖାଲି ପ୍ରାଣ ରହିଛି, କୌଣସି ଦହନ ନାହିଁ, କେବଳ ଶିଖା ରହିଛି । ଆପଣାର ଦେହଟା ଯାକ ସତେ ଅବା ଏକ ତୀର୍ଥମୟ ଭାବରେ ପରିପୂର୍ଣ୍ଣ ହୋଇଯାଏ । ସେପାଖରେ ସୂର୍ଯ୍ୟୋଦୟ ହୋଇନାହିଁ, ତଥାପି ନାନାପ୍ରକାର ରଙ୍ଗ ଓ ରେଖାର ଭାବସ୍ପନ୍ଦନରେ ଅନ୍ଧାର ଭିତରେ ଆଲୋକର ସୂଚନା ମିଳିଯାଉଚି । ଠିକ୍ ଏତିକିବେଳେ ଏଠାରେ ବସିଗଲା ମାତ୍ରକେ ହଠାତ୍ ଯେପରି କେଉଁଠି କେତେ ତନ୍ତ୍ରୀ ଏକାବେଳେକେ ଭାରି ମଧୁର ହୋଇ ବାଜି ଉଠିଲା ପରି ଲାଗେ । କୌଣସି ଶବ୍ଦ ଶୁଣାଯାଏ ନାହିଁ, କେବଳ ଅନୁଭୂତ ହୁଏ । ଆପଣାର ସବୁ ଖଣ୍ଡିଆଖାବରା ସତ୍ତ୍ୱେ ଆପଣାକୁ ଏକାବେଳେକେ ନିଖୁଣ ଦଢ଼ ବୋଲି ମନେହୁଏ । ଏକ କୁମାରୀ ବାଳିକା ପରି ଆପଣାକୁ ପରିପୂର୍ଣ୍ଣ ମନେହୁଏ, ଏକ ପୂର୍ଣ୍ଣ କୁମ୍ଭପରି ଆପଣାକୁ ପରିପୂର୍ଣ୍ଣ ମନେହୁଏ । ମୁଁ ସମସ୍ତ ଦିନଟିକୁ ଆପଣାର କରି ଗ୍ରହଣ କରିନିଏ, ସଂସାରରେ ସବୁକିଛି ଆପଣାର ଅତି ଚିହ୍ନା ଚିହ୍ନା ମନେ ହୁଅନ୍ତି,–ଆଉ କୌଣସି ଭେଦ ରହେ ନାହିଁ-। ଏହି ଜୀବନରେ ସବିକିଛି ସୁନ୍ଦର ମନେହୁଏ । ଏହି ଆଖିକୁ ସବୁକିଛି ସୁନ୍ଦର ଦିଶେ ।

 

୯ । ୩ । ୬୧

 

ସଂସାରକୁ ଭଲ କରିବାକୁ ହେବ ତ ଆପେ ଭଲ ହେବାକୁ ପଡ଼ିବ । ଆପେ ଭଲ ହେବାରେ କୌଣସି ପ୍ରକାର ସର୍ତ୍ତ ରହିଲେ ଚଳିବ ନାହିଁ । ଅର୍ଥାତ୍, ସମସ୍ତେ ଭଲ ହେଲେ ଯାଇ ମୁଁ ଭଲ ହେବି, ସଂସାରର ପରିସ୍ଥିତି ବଦଳିଗଲେ ଯାଇ ମୁଁ ଭଲ ହେବି, ସଂସାରର ଭଲ ବିଷୟରେ ପ୍ରକୃତରେ ଚିନ୍ତା କରୁଥିବା ବ୍ୟକ୍ତି କଦାପି ଏପରି କହିବ ନାହିଁ । ମୋ’ର ଭଲ ହେବାକୁ ଯଦି ମୁଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଳମ୍ବିତ କରି ରଖିବାକୁ ଇଚ୍ଛା କରୁଥିବି, ଯଦି ମୁଁ କୌଣସି ଦିନ କୌଣସି ପ୍ରକାରେ ଭଲ ହେବାକୁ ଭୟ କରୁଥିବି ଓ ଭଲ ହେବାର ଆୟବ୍ୟୟ ହିସାବ କରୁଥିବି, ତେବେ ହୁଏତ ଆପଣାର ଭଲ ହେବାଲାଗି ଜଗତ ଉପରେ ସର୍ତ୍ତମାନ ରଖିବା ମୋ’ପକ୍ଷରେ ସମ୍ଭବ ହୋଇପାରିବ । ବର୍ତ୍ତମାନ ଯୁଗରେ ଅଧିକାଂଶ ମଣିଷ ଭଲ ହେବାପାଇଁ ଏହିଭଳି ସର୍ତ୍ତମାନ ରଖିବାକୁ ଇଚ୍ଛା କରୁଚନ୍ତି । ସେମାନେ ଯେକୌଣସି ପ୍ରକାରେ ଭଲ ହେବାକୁ ଇଚ୍ଛା କରୁନାହାନ୍ତି, କାରଣ ଭଲ ହେବା ଉପରେ ଆଉ ସେମାନଙ୍କର ଅଚଳ ବିଶ୍ଵାସ ନାହିଁ । ଆପଣାର ଭଲ ହେବା କଥା ବିଚାର କଲା ମାତ୍ରକେ ସେମାନେ ଏହି ଦୁଷ୍ଟ ଦୁନିଆରେ ନାନା ଦାଉ ସହିବାକୁ ପଡ଼ିବ ଏବଂ ନାନା କ୍ଷତିରେ ପଡ଼ିବାକୁ ହେବ ବୋଲି ବିଚାରୁଚନ୍ତି ଏବଂ ଏହିପରି ଏକ ଯୁକ୍ତିର ବଶବର୍ତ୍ତୀ ହୋଇ ଯେପରି ଅଛନ୍ତି ସେହିପରି ରହିବାକୁ ହିଁ ଅଧିକ ନିରାପଦ ବୋଲି ବିଚାର କରୁଚନ୍ତି । ଭଲ ହେବାର କାର୍ଯ୍ୟଟିକୁ ଯିଏ ଆପଣାଠାରୁ ଆରମ୍ଭ କରିବାକୁ ଚେଷ୍ଟା କରୁନାହିଁ, ସେ ଏହି ସଂସାରରେ ପ୍ରକୃତରେ କୌଣସି ପରିବର୍ତ୍ତନ ଚାହୁନାହିଁ ବୋଲି ମୁଁ କହିବି । ତା’ର ଜୀବନରେ ନିରାପଦ ରହିବା ହିଁ ସବୁଠାରୁ ବଡ଼ ଆଦର୍ଶ ଓ କର୍ତ୍ତବ୍ୟ ହୋଇ ରହିଚି । ଆପଣାକୁ ନିରାପଦ ରଖିବା ବିଷୟରେ ଯିଏ ସବୁଠାରୁ ଆଗ ଚିନ୍ତା କରୁଚି, ସିଏ ପ୍ରଧାନତଃ ଭୟର ବଶବର୍ତ୍ତୀ ହୋଇ ଜୀବନ ବଞ୍ଚୁଚି ବୋଲି କହିବାକୁ ହେବ । କୌଣସି ସ୍ଥାୟୀ ମୂଲ୍ୟ ବା ଭାବର ପ୍ରେରଣାରେ ସିଏ ଜୀବନ ବଞ୍ଚୁନାହିଁ । ଏପରି ଅବସ୍ଥାରେ କୋଉଠି କେଉଁ ଭଲ କିପରି ବା ସମ୍ଭବ ହେବ ? ଏହି ସଂସାରର ସ୍ଥିତିକୁ ଦେଖି ବଗିଡ଼ିଗଲେ ସଂସାର ବଦଳିବ ନାହିଁ, ସଂସାରର ସ୍ଥିତିରୁ ଆପଣାକୁ ନିରାପଦ ରଖିବାକୁ ଚେଷ୍ଟା କଲେ ସଂସାର ସୁଧୁରି ଯିବନାହିଁ । ପ୍ରଧାନତଃ ଭଲ ପାଇଁ ଜୀବନ ବଞ୍ଚିବାକୁ ହେବ, ଭଲ ପାଇଁ ଆପଣା ଭିତରେ ପ୍ରସ୍ତୁତ ହେବାକୁ ପଡ଼ିବ ।

 

୧୦ । ୩ । ୬୧ ।

 

ମୋ’ ମନଟା ସତେ ଏଡ଼ିକି ଦୁର୍ବଳ ? ହୃଦୟଟା ଏଡ଼ିକି କାତର ? କେତେ ପ୍ରକାରର କେତେ ମୋହ ଯେ ମୋ’ର ଭିତରଟାକୁ କାମୁଡ଼ି ଧରିଚି, ଆପଣାର ଭିତରକୁ ଅନାଇବାର ଯେତିକି ଶ୍ରଦ୍ଧା ଓ ସାହସ ମୋ’ର ହେଉଚି, ମୁଁ ସେହିକଥା ସେତିକି ପରିମାଣରେ ବୁଝିବାକୁ ସମର୍ଥ ହେଉଚି । ବାହାରର ଏହି ଜ୍ଞାନ ଏବଂ ବୟସ୍କତାର ଆବାରଣଟାକୁ ଭାରି ଯତ୍ନଶୀଳ ସତର୍କତାରେ ମାଠିମୁଠି ରଖିଥିଲେ ମଧ୍ୟ, ବାହାରର ଆଉ ପାଞ୍ଚଜଣଙ୍କ ପାଖରେ ମନୋବଳ ଏବଂ ଆତ୍ମବଳର ଭାରି ଢମ ଦେଖାଉଥିଲେ ମଧ୍ୟ ଭିତରେ ମୋତେ କେତେ ପ୍ରକାରର କେତେ ଜ୍ଵର କାମୁଡ଼ି କରି ଧରିଚି, ମୋତେ କେତେ ଭୟ ବ୍ୟାକୁଳ କରି ରଖିଚି, ହାତମୁଠାରୁ କେତେ କ’ଣ ହରାଇ ବସିବାର କେତେ ଶଙ୍କା ମୋତେ ଭିତରେ ବଡ଼ ମ୍ରିୟମାଣ କରି ରଖିଚି । ଆପାଣାକୁ ହୀନ ମନେକରି ବା ଭର୍ତ୍ସନା କରି ମୁଁ ଏପରି କଥା କହୁନାହିଁ । ମୁଁ ମୋ’ କାତରତାର କାରଣ ମଧ୍ୟ ଅନୁମାନ କରିପାରୁଚି । ବାହାରର କୌଣସି ଆଲମ୍ବନକୁ ଆଶ୍ରା କରି ମୁଁ ବଳୀୟାନ୍ ଓ ଦୃଢ଼ ହେବାକୁ ଚାହେନାହିଁ । ଗୋଟାଏ ଆଦର୍ଶ; ଗୋଟାଏ ମତବାଦ ବା ଗୋଟାଏ ଉଗ୍ର ବିଶ୍ଵାସକୁ ଅବଲମ୍ବନ କରି ମୁଁ ଏହି ସଂସାରରେ ଅତ୍ୟାଚାରୀ ସାହସୀ ହେବାକୁ ଇଚ୍ଛା କରେନାହିଁ; ମୁଁ ଆପଣା ଭିତରୁ ଦୃଢ଼ ହେବାକୁ ଚାହେ, ଜୀବନ ବଞ୍ଚିବାର ଓ ବାଟ ଚାଲିବାର ସକଳ ପ୍ରେରଣା ମୁଁ ମୋ’ରି ଭିତରୁ ପାଇବାକୁ ଚାହେ । ଏହି ବାଟ ଅଧିକ କଠିନ, ସେକଥା ମଧ୍ୟ ମୁଁ ଭଲ କରି ଜାଣେ ।

 

୧୧ । ୩ । ୬୧

 

ହଁ, ମୁଁ କୌଣସି ଆଲମ୍ବନ ବା ଅବଲମ୍ବନକୁ ଆଶ୍ରୟ କରି ସଂସାରରେ ଜୀବନ ବଞ୍ଚିବାକୁ ଚାହେନାହିଁ । ମୋ’ର ଆନନ୍ଦ ଏକ ଅନ୍ୟ ପ୍ରକାରର ଆନନ୍ଦ । ଆପଣାକୁ ଉନ୍ତୁକ୍ତ କରି ରଖିବାର ଆନନ୍ଦ, ଶ୍ରଦ୍ଧାର ସହିତ ସବୁରି ଘରେ ପ୍ରବେଶ କରିବାର ଆନନ୍ଦ, ସବୁ ମଣିଷକୁ ଆପଣା ପରି ଅନୁଭବ କରିବାର ଆନନ୍ଦ, ଆପଣା ଭିତରେ ନିହିତ ହୋଇ ରହିଥିବା ବୀଜଟିର ସନ୍ଧାନ ପାଇ, ଆପଣାର ରୀତିରେ ସେଥିରୁ ଅଙ୍କୁର ସମ୍ଭାଇବାର ଆନନ୍ଦ । ଅବଶ୍ୟ ମୁଁ ସେଥିଲାଗି କୌଣସି ଆଲମ୍ବନ ବା ଅବଲମ୍ବନର କାଦପି ନିନ୍ଦା କରିବି ନାହିଁ । ମୁଁ ଖୁବ୍ ଭଲ ଭାବରେ ସେହିସବୁର ଆବଶ୍ୟକତା ଉପଲବ୍‌ଧି କରିପାରୁଚି, କିନ୍ତୁ ସେଗୁଡ଼ିକୁ ଆଶ୍ରାକରି ଆପଣାକୁ ମିଛ ବୋଧ ଦେଇ ରହିବାକୁ ମୁଁ କଦାପି ଏକ ସାର୍ଥକ ଜୀବନ ବୋଲି କହିପାରିବି ନାହିଁ । ଡାଳରୁ ଧନ୍ୟ କରି ଡାଳ ଭିତରୁ ଫୁଲ ଫୁଟି ଉଠିବା ପରି ମୋ’ଜୀବନ ମୋ’ରି ଭିତରୁ ଫୁଟି ଉଠିବ । ପାଣି, ପବନ ଓ ଆଲୁଅର ସାହାଯ୍ୟ ନେଇ ଫୁଲ ଆପଣାକୁ ସମ୍ଭାଉଥିବା ପରି ମୁଁ ମଧ୍ୟ ଜଗତର ନାନା ସାଧନ ଓ ଆୟୋଜନକୁ ମୋ’ର ଉତ୍ତରାଧିକାର ବୋଲି ଗ୍ରହଣ କରିବି, ସେହିସବୁ ଉତ୍ତରାଧିକାର ଲାଗି ସର୍ବଦା କୃତଜ୍ଞତା ପ୍ରକାଶ କରିବି, କିନ୍ତୁ ତଥାପି ମୋର ଉଦ୍‌ଘାଟନ ମୋ’ ଭିତରୁ ହିଁ ହେବ । ବାହାରୁ କୌଣସି ପ୍ରକାରର ମୁଖାଚ୍ଛାଦାନ ବା ପୁଟ ଦେଇ ମୁଁ ସେହି ଉଦ୍‌ଘାଟନର ଦ୍ଵାରକୁ ବନ୍ଦ କରିଦେବାକୁ ଚାହେନାହିଁ । ମୁଁ ଜାଣେ, ଏପରି ରୀତିରେ ପ୍ରମାଦ ବେଶୀ, ଏହି ବାଟରେ ଗଲେ ନିର୍ଭୀକତା ଅଧିକ ଲୋଡ଼ା ଶ୍ରଦ୍ଧା ମଧ୍ୟ ଅଧିକ ଲୋଡ଼ା । ଅବଳ ବିଶ୍ଵାସ ବି ଲୋଡ଼ା, ଅବିଚଳିତ ଧୈର୍ଯ୍ୟ ଲୋଡ଼ା । ଯିଏ ଆପଣା ଭିତରୁ ଆପଣାର ଅସଲ ଅଭୟ ଓ ନିର୍ଭରଟିକୁ ପାଇବାକୁ ବସିବ, ତା’କୁ ପଦେପଦେ ନାନା ବିଫଳତା ଓ ବ୍ୟର୍ଥତାର ଆଘାତ ଖାଇବାକୁ ହେବ, ତା’ଲାଗି କୌଣସି ପ୍ରଶ୍ନ ବା କୌଣସି ସମସ୍ୟାର ସହଜ ସମାଧାନ ହୋଇ ପାରିବନାହିଁ, ତା’କୁ ବାରମ୍ବାର ଆପଣା ଭିତରର ଦୁର୍ବଳତା ଓ ଗ୍ଲାନିର ଦହନ ସହିବାକୁ ପଡ଼ିବ, ବାରମ୍ବାର ଝୁଣ୍ଟି ପୁନର୍ବାର ଆପଣା ବଳରେ ଉଠି ବାଟ ଚାଲିବାକୁ ପଡ଼ିବ । ଏହା ହିଁ ତା’ର ଅଭିଶାପ, ଏହା ହିଁ ତା’ର ଗୌରବ । ସଂସାରର ବହୁ ନୀତିର ତରାଜୁରେ ହୁଏତ ତା’କୁ ନୀତିଭ୍ରଷ୍ଟ ବୋଲି କୁହାଯିବ, ତଥାପି ତା’କୁ ଆପଣାର ନୀତି ନିର୍ଭର କରିବାକୁ ହେବ ।

 

୧୨ । ୩ । ୬୧

 

ମୋ’ ସକଳ ଭୟର ଭଜନ ମୋ’ର ଅନ୍ତର ଭିତରେ ହିଁ ହେବ । କାରଣ ମୋରି ସକଳ ଅଭୟର ମାଲିକ ମୋର ଅନ୍ତର ଭିତରେ ହିଁ ରହିଚି । ଏହି ବାକ୍ୟଟି ମୋ’ ଲାଗି ଏକ ଶୁଷ୍କ ନୀତିବାକ୍ୟ ମାତ୍ର ନୁହେଁ, ମୋର ଜୀବନଦର୍ଶନରେ ଏହା କେବଳ ଏକ ବିଚାରମାତ୍ର ନୁହେଁ, ଏହା ହେଉଚି ମୋ’ ଜୀବନର ସର୍ବମୂଳ ବିଶ୍ଵାସ । ମୁଁ ଏହି ବିଶ୍ଵାସକୁ ହିଁ ଅବଲମ୍ବନ କରି ରହିବାକୁ ଚାହେ-। ସଂସାରରେ ଯେତେ ଯେତେ କ୍ଷେତ୍ରରେ ଯେତେପ୍ରକାର ସାଧନକୁ ଆଲମ୍ବନ ଓ ଅବଲମ୍ବନ କରି ଗ୍ରହଣ କରାଯାଇଥାଏ, ସେହି ସବୁକିଛିର ମାର୍ଗ ଦେଇ ମୁଁ ମୋ’ ଜୀବନର ଏହି ପରମ ଅବଲମ୍ବନ ପାଖକୁ ଆସିବାକୁ ଚାହେ । ମୋର ସୁଖ ଦୁଃଖ, ସଫଳ ଓ ବିଫଳ ସକଳ ମୁହୂର୍ତ୍ତରେ ମୁଁ ଏହି ଅବଲମ୍ବନକୁ ମୋର ଚେତନାସାଥୀ ହିସାବରେ ଅନୁଭୂତ କରିବାକୁ ଚାହେ । ଏହି ଅବଲମ୍ବନ ସହିତ ଖିଅ ଛିଣ୍ଡିଗଲେ ମୁଁ ପ୍ରକୃତରେ ବଡ଼ ଦୁଃଖ ପାଏ, ସେହି ସାଥୀ ସହିତ ସାଙ୍ଗ ଛାଡ଼ିଗଲେ ମୁଁ ନାନା ଶଙ୍କାରେ ପ୍ରକୃତରେ ଭାରି ପ୍ରମତ୍ତ ହୋଇ ଉଠେ । ଜୀବନରେ ବହୁବାର ଏହିଭଳି ଅନୁଭବ କରିବା ପରେ ମୁଁ ଆଜି ଏକଥା କହିବାକୁ ସାହସ କରୁଚି । ମୋ’ର ଅବଲମ୍ବନ ମୋ’ଭିତରେ,–ସଂସାରର ସବୁଯାକ ଖିଅ ଓ ଆଶ୍ରୟକୁ ଛିଣ୍ଡାଇ ଦେଇ ମୁଁ ମୋ’ ଭିତରକୁ ଅପସରି ଯିବାକୁ ଚାହେ ନାହିଁ, ଯେଉଁ ଆଶ୍ରୟଟିର ମୂଳଖୁଣ୍ଟି ସହିତ ସଂସାରର ଆଉ ସବୁଯାକ ଆଶ୍ରୟର ସାର୍ଥକପଣିଆ ବନ୍ଧାହୋଇ ରହିଚି, ଆପଣା ଭିତରେ ସେହି ଆଶ୍ରୟର ସନ୍ଧାନ କରିବାକୁ ହିଁ ମୋର ସର୍ବପ୍ରଧାନ ସାଧନା ବୋଲି ଗ୍ରହଣ କରି ନେଇଚି । ବାହାର ସଂସାରଯାକର ବାଦ, ପ୍ରତିବାଦ ଓ ଭର୍ତ୍ସନାର ପ୍ରତିକାର କରିବା ଅପେକ୍ଷା ଏହି ଅନ୍ତର୍ନିଭରର ସନ୍ଧାନ କରିବାକୁ ହିଁ ଜୀବନର ବୃହତ୍ତର ଧର୍ମ ବୋଲି ମାନି ନେଇଚି ।

 

୧୩ । ୩ । ୬୧

 

There is nothing more dangerous than a man with an ideal;–ଯେଉଁ ମଣିଷ କୌଣସି ଆଦର୍ଶକୁ ଆପଣା ଜୀବନର ମାର୍ଗଦର୍ଶକ ବୋଲି ଗ୍ରହଣ କରିଚି, ତାହାଠାରୁ ବଳି ଅଧିକ ବିପଜ୍ଜନକ ବ୍ୟକ୍ତି ଆଉ ଅଧିକ କେହି ନାହିଁ । କିନ୍ତୁ ବିପଜ୍ଜନକ କାହାପାଇଁ-? ଯିଏ ବର୍ତ୍ତମାନ ସଂସାରରେ ପରିପୂର୍ଣ୍ଣ ଭୋଗ ଓ ଉପଭୋଗ କରି ଚାଲିଚି, ଯିଏ ଆଉ ଅନେକଙ୍କର ଦୁଃଖ ଓ କଷଣ ପ୍ରତି ଆଖି ବୁଜି ଦେଇଚି, ସଂସାରରେ ଆଦୌ କୌଣସି ପରିବର୍ତ୍ତନ କେବେ ହେଉ ବୋଲି ଯିଏ ଇଚ୍ଛା କରୁନାହିଁ, ହୁଏ ତ ତାହାରି ପାଇଁ ? କାରଣ, ଯିଏ ଆପଣାର ଜୀବନ ଆଗରେ କୌଣସି ଆଦର୍ଶକୁ ରଖି ବାଟ ଚାଲୁଥାଏ, ତାହାରି ଦ୍ଵାରା ହିଁ ସଂସାରର ସ୍ଥିତିରେ ପରିବର୍ତ୍ତନ ହୁଏ, କାରଣ କେବଳ ସେଇ ବର୍ତ୍ତମାନର ସ୍ଥିତିକୁ ଅସହ୍ୟ ବୋଲି ମନେକରେ, ବର୍ତ୍ତମାନର ଉପଭୋଗମାନ ତା’କୁ ନିଶାଦ୍ରବ୍ୟ ପରି ମୋଟେ ଭୁଲାଇ ରଖି ପାରନ୍ତି ନାହିଁ । ତେଣୁ ସେହି ବ୍ୟକ୍ତି ସଂସାରର ଭୋଗୀମାନଙ୍କ ପାଇଁ ବିପଜ୍ଜନକ ବୋଧ ହୁଏ । ସଂସାରରେ ଚିରଦିନ ତାହା ହିଁ ହୋଇଚି । ଯିଏ ଭୋଗ କରୁଚି, ଶାସନ ଓ ସତ୍ତାର ବଡ଼ିମାରେ ଯିଏ ବଡ଼ ହୋଇ ବସିଚି, ଭୋଗର ନିଶାରେ ଯିଏ ସମସ୍ତ ପ୍ରକାର ମାନବିକ ମୂଲ୍ୟ ପ୍ରତି ଅନ୍ଧ ହୋଇଯାଇଚି, ସିଏ ଜଗତରେ ସକଳ ଆଦର୍ଶବାଦ ସମ୍ମୁଖରେ ଆପଣାକୁ ବଡ଼ ଆତଙ୍କିତ ମନେ କରୁଚି । ତାହା ହାତରେ ରହିଥିବା ସମସ୍ତ ସତ୍ତା ଓ ସମସ୍ତ ଶାସନ ଶକ୍ତି ଲଗାଇ ସେ ଆଦର୍ଶବାଦୀ ମଣିଷକୁ ଖତମ କରିଦେବାକୁ ସକଳ ଷଡ଼ଯନ୍ତ୍ର କରି ଆସିଚି; ହୁଏତ ପ୍ରଥମେ କେତେକ ପରିମାଣରେ ସଫଳ ମଧ୍ୟ ହେଉଚି-। ତଥାପି ଆଦର୍ଶବାଦ ମରୁନାହିଁ, ଏବଂ ଜଣେ ଆଦର୍ଶବାଦୀ ହୁଏତ ଜୀବନ ଦେଇ ଆଦର୍ଶବାଦକୁ ଅମର କରିଦେଇ ଯାଉଚି । ଆପଣା ନିମନ୍ତେ ଆଦୌ କିଛିହେଲେ କାମନା ନ କରି ସିଏ ଆପଣାର ଆଦର୍ଶକୁ ସିଦ୍ଧକାମ କରି ଚାଲିଯାଉଚି । ଏହାରି ଦ୍ଵାରା ହିଁ ସଂସାର ବଦଳୁଚି, ସଂସାରର ମଣିଷମାନେ ନବ ନବ ଆଦର୍ଶରେ ଅନୁପ୍ରେରିତ ହୋଇ ଆଗକୁ ଗୋଡ଼ ପକାଉଚନ୍ତି; ବର୍ତ୍ତମାନକୁ ଅସହ୍ୟ ମନେ କରୁଚନ୍ତି, ସବୁପ୍ରକାର ଭୋଗକୁ ଅସହ୍ୟ ମନେ କରୁଚନ୍ତି । ପୁରୁଣା ଭାଙ୍ଗି ନୂଆ ଆସୁଚି, ଜଗତରେ ନୂତନର ସୃଷ୍ଟି ହେଉଚି ।

 

୧୪ । ୩ । ୬୧

 

ସତେ ଯେପରି କେବଳ କହିବାଲାଗି ଏମାନେ ଦରମା ପାଉଚନ୍ତି, କେବଳ କଥା କହିବା ବ୍ୟତୀତ ଏମାନଙ୍କ ପାଖରେ ଆଉ କାହାରିକୁ କିଛି ଦେବାର ନାହିଁ; କାଲି ଭାରତ ସରକାରଙ୍କର ଜଣେ କର୍ମଚାରୀଙ୍କର କଥା ଶୁଣିବା ପରେ ମୋ’ର ଖାଲି ଏହିପରି ମନେ ହେଉଥିଲା-। କିନ୍ତୁ ଖାଲି କଥାରେ କ’ଣ ଏ ଦେଶର ପେଟ ପୂରିବ ? ଅଳପ ହସି ଭଲ ଇଂରାଜୀ ଭାଷାରେ କଥାକୁ ନାନା ବାଙ୍କ ଓ ମୋଡ଼ ଡେଇଁ ବାଗେଇ କହିଲେ କ’ଣ ଶୁଣିବା ଲୋକର ବିଶ୍ଵାସ ହୋଇଯିବ-? ଆରେ ବାବୁ, ତୁମେ ଯାହାସବୁ କହୁଚ, ଆଗ ନିଜେ ସେଇଥିରେ ବିଶ୍ଵାସ କର, ଦେଖିବ, କୌଣସି ଆବରଣ ବା ଆଭରଣ ନଥିଲେ ମଧ୍ୟ ତୁମେ ତୁମର କଥାଦ୍ଵାରା ଅନ୍ୟର ମନରେ ବିଶ୍ଵାସ ସ୍ଥାପନ କରିପାରିବ, ଆଗ୍ରହ ସୃଷ୍ଟି କରିପାରିବ, ତୁମର କାର୍ଯ୍ୟକ୍ରମରେ ତୁମେ ଆଉ ଜଣକୁ ସାଥୀ କରି ପାଇପାରିବ । ଆପଣାର ହୃଦୟ ଭିତରୁ କହିବାକୁ ଚେଷ୍ଟା କର, ହୃଦୟ ଦେଇ ଜାଣିବାକୁ ଏବଂ ଦେଖିବାକୁ ଚେଷ୍ଟା କର । ତେବେ ଯାଇ ଜାଣିପାରିବ ଓ ଦେଖିପାରିବ । ତୁମର ବୁଦ୍ଧି ଓ ତୁମର ପାଠ କେବଳ ତୁମର କୃତ୍ରିମତା ଓ ଶୂନ୍ୟତା ଗୁଡ଼ାକୁ ହିଁ ଘୋଷଣା କରୁଚି । ଏହି ଦେଶର ଏଡ଼େ ବଡ଼ ଦାୟିତ୍ଵପୂର୍ଣ୍ଣ ସ୍ଥାନରେ ରହି ତୁମେ ତଥାପି ଏହି ଦେଶକୁ ଦେଖିପାରିଲ ନାହିଁ । ପନ୍ଦର ବର୍ଷ ତଳେ ଇଂରାଜୀ ହାକିମମାନେ ଯେପରି ଏକ ଉଦ୍ଧତ ଅଧମ ଦୃଷ୍ଟିରେ ଏ ଦେଶକୁ ଦେଖୁଥିଲେ, ତୁମେମାନେ ମଧ୍ୟ ନିର୍ଲଜ୍ଜ ଭାବରେ ତାହାରି ଅନୁକରଣ କରି ଚାଲିଚ ? ତୁମ କଳଟାରେ ଯେ କ୍ରମେ ସବୁ ଫମ୍ପା ହୋଇ ଚାଲିଚି, ଏକଥା କ’ଣ ତୁମକୁ ଜଣାନାହିଁ ?

 

୧୫ । ୩ । ୬୧

 

ମୋ’ ଭିତରେ ଭୟ ପଶିଗଲାଣି, ସେଇଥିପାଇଁ ଅସ୍ଥିରତା ପଶିଗଲାଣି, ସେଇଥିପାଇଁ ଅବିଶ୍ଵାସ ମଧ୍ୟ ପଶିଗଲାଣି । ଭିତରର ସ୍ପଷ୍ଟ କଥାଗୁଡ଼ିକୁ କହିବା ଲାଗି ମୁଁ ବେଳେବେଳେ ହୁଏତ ଭାରି ସଙ୍କୋଚ ଅନୁଭବ କରୁଚି । କାହା ପାଖରେ କୌଣସି କଥା କହିବା ଆଗରୁ ମୁଁ ତାହାକୁ କିପରି ସଜାଇ ମଠାଇ ମଧୁର ଭାବରେ କହିପାରିବି, ହୁଏତ ମୁଁ ସେଥିଲାଗି ଭାରି ଚିନ୍ତିତ ହୋଇ ପଡ଼ୁଚି । ଏହିଟିକୁ ଆଧୁନିକ ସମୟରେ ଭଦ୍ରତା ବୋଲି କୁହାଯାଏ; କିନ୍ତୁ ମୁଁ ଏହାକୁ ଅଭଦ୍ରତା ବୋଲି କହିବି । କଳାକୁ ଧୂସର ବୋଲି କହିବା ଆଦୌ ଭଦ୍ରତା ନୁହେଁ, ଆପଣାକୁ ଲୁଚାଇ ରଖିବା ଆଦୌ ଭଦ୍ରତା ନୁହେଁ, ମଣିଷର ସମାଜ ଭିତରେ ଆପଣାକୁ ନେଇ ଅଭିନୟ କରିବା ଆଦୌ ଭଦ୍ରତା ନୁହେଁ । ଭଲ କଥା କହି ଭଲ ମଣିଷ ହେବାର ବିଦ୍ୟା ମୋତେ ଜଣାନାହିଁ । ତେଣୁ, ମୋ’ ଭିତରେ ଯେତେବେଳେ ଅସନ୍ତୋଷ ରହିଥାଏ, ଯେତେବେଳେ କୌଣସି ବିଷୟକୁ ମୁଁ ସମର୍ଥନ କରି ପାରୁନଥାଏ, ସେତେବେଳେ ସେହି ଅସନ୍ତୋଷ ଏବଂ ଅସମର୍ଥନକୁ ଭଲ କଥା କହି ଘୋଡ଼ାଇ ଦେବାର ବୁଦ୍ଧି ମୋ’ର ନାହିଁ । ସିଧା କଥା କହି ଆପଣାର କର୍ତ୍ତବ୍ୟ କରିବା ହିଁ ସେତେବେଳେ ଏକମାତ୍ର ପନ୍ଥା । ଯେତେବେଳେ ମଣିଷ ଅନ୍ୟମାନଙ୍କ ସହିତ ମିଶି ଏକାଠି କୌଣସି ଉଦ୍ଦେଶ୍ୟ ନେଇ କାମ କରେ, ସେତେବେଳେ ଆପଣାକୁ ପରସ୍ପରଠାରୁ ଲୁଚାଇ ରଖିବା ଦ୍ଵାରା ସିଏ ସାମୂହିକ ଉଦ୍ୟମଟିର ଭାରି ଅନିଷ୍ଟ କରେ । ଯାହା ହାତରେ ଏହି ସମୂହଟିର ନେତୃତ୍ଵ ରହିଥାଏ, ତାହା ପ୍ରତି ସ୍ଵତଃ ଗୋଟାଏ ପ୍ରକାରର ଭୟଭାବନା ଜାତ ହୋଇଥାଏ, ତେଣୁ ନେତୃତ୍ଵକୁ କେବଳ କର୍ତ୍ତୃତ୍ଵ ବୋଲି ବିଚାର କରିବା ଲାଗି ଅନେକ ପ୍ରରୋଚନା ମିଳେ,–ତାହାକୁ ଉପରେ ସନ୍ତୋଷ କରି ରଖିବାର ଅସ୍ଥିରତା ମନଟାକୁ ଘାରି ରଖିଥାଏ । ଏହାଦ୍ଵାରା ମଣିଷ ଗଧ ହୋଇଯାଏ, ମଣିଷ ଚାକର ହୋଇଯାଏ ଏବଂ ତଦ୍ଦ୍ଵାରା କୌଣସି ସମୂହର କୌଣସି ମଙ୍ଗଳ ହୋଇପାରେ ନାହିଁ । ଆପାଣାର ଚାକିରିଟାକୁ ଯେକୌଣସି ପ୍ରକାରେ ବଞ୍ଚାଇ ରଖିବାକୁ ହିଁ ତାହାର ସମସ୍ତ ଚେଷ୍ଟା ଉଦ୍ଦିଷ୍ଟ ହୋଇ ରହିଥାଏ । ଏହାଦ୍ୱାରା ସବୁ ଜ୍ଞାନ ଓ ସବୁ ବିଚାର ଅପମାନିତ ହୁଏ । କର୍ତ୍ତବ୍ୟ ଆପଣାର ବାଟ ହରାଏ, ଭିତରେ ମଣିଷ ମରିଯାଏ ।

 

୧୬ । ୩ । ୬୧

 

ଏମାନଙ୍କୁ କାହିଁକି ଶିକ୍ଷାବିତ୍ ବୋଲି କୁହାଯିବ ? ଶିକ୍ଷାଳୟରେ ଶିକ୍ଷକ ହୋଇ ନଆସି ଏମାନଙ୍କର ବଣିଆ ହେବା ଉଚିତ ଥିଲା ବା ରାଜନୀତି କରିବା ଉଚିତ ଥିଲା । ତା’ହେଲେ ଏମାନେ ଯଥେଷ୍ଟ ପଇସା ପାଇଥାନ୍ତେ, ଯଥେଷ୍ଟ କ୍ଷମତା ଭିତରେ ବୁଡ଼ି ରହି ପାରିଥାନ୍ତେ, ଏମାନେ ଯାଉଣୁ ଆସୁଣୁ ଏମାନଙ୍କର ସ୍ତୁତି ଓ ଖୋସାମତି କରିବାକୁ ପାଖଲୋକ ଅନେକ ରହିଥାଆନ୍ତେ । ସେହିସବୁ କ୍ଷେତ୍ରକୁ ନଯାଇ ଏମାନେ ମଣିଷର ଭାଗ୍ୟ ସହିତ ଖେଳିବାଲାଗି ଏଠାକୁ ଆସିଲେ କାହିଁକି ? ଏମାନେ ମୂଳତଃ ଶିକ୍ଷାବିତ୍ ନୁହନ୍ତି; କାରଣ, ଯିଏ ସବୁବେଳେ ଆପଣାର ପଇସା ଓ ଆପଣା ମିଛ ସମ୍ମାନଲାଳସାକୁ ଜଗି କରି ରହିଥାଏ, ତାହାକୁ ଆଦୌ ଶିକ୍ଷାବିତ୍ ବୋଲି କୁହାଯାଇପାରିବ ନାହିଁ । ଏମାନେ ଦେଖାଇହୋଇ ଜାଣନ୍ତି, ଏମାନେ କହି ଜାଣନ୍ତି, ଏମାନେ ଠକି ଜାଣନ୍ତି; ଗୋଟାଏ ଗୋଟାଏ ଡିଗ୍ରୀକୁ ପରମପୁଞ୍ଜି କରି ଧରି ଏମାନେ ଆପଣାକୁ ବେଶ୍ ଘୋଡ଼ାଇ ରଖି ପାରନ୍ତି । କୃତ୍ରିମ ଆଡ଼ମ୍ବରଗୁଡ଼ାକ ଜାରି ରହିଥିଲା ପର୍ଯ୍ୟନ୍ତ ସବୁ ଠିକଣା ଭାବରେ ଚାଲିଚି ବୋଲି ଏମାନେ ଭାରି ଆତ୍ମସନ୍ତୋଷ ଲାଭ କରନ୍ତି । ଯେଉଁଠି ଏମାନଙ୍କର ପରାକ୍ରମ ରହେ, ସେଠାରେ କୋଠାଘର ପରେ କୋଠାଘର ତିଆରି ହୁଏ, ମଟର ମାଳମାଳ ହୋଇ ଆସେ ଏବଂ ମାଳମାଳ ହୋଇ ଯାଏ, ବଡ଼ବଡ଼ ଲୋକମାନେ ନିମନ୍ତ୍ରିତ ହୋଇ ଆସନ୍ତି, ବଡ଼ବଡ଼ କଥା କହିଯାଆନ୍ତି । କିନ୍ତୁ ଶିକ୍ଷା ହୁଏ ନାହିଁ, ମଣିଷର ବିକାଶ ହୁଏ ନାହିଁ । ଶିଖିବାର ଅଭ୍ୟାସ ନେଇ ଆସିଥିବା ଛାତ୍ରମାନଙ୍କୁ ଏମାନେ ଜୀବନର କୌଣସି ସୃଷ୍ଟିମୂଳକ ଦିଗ ଦେଖାଇ ପାରନ୍ତି ନାହିଁ, ଜୀବନର ଦୃଷ୍ଟି ଦିଗଟାକୁ ଦେଖାଇ ସେମାନଙ୍କୁ ଦୁଷ୍ଟ ହେବାଲାଗି ହିଁ ଅଧିକ ପ୍ରେରଣା ଦିଅନ୍ତି ।

 

୧୭ । ୩ । ୬୧

 

ଉପରେ ଥାଇ ଛାତ୍ରମାନଙ୍କୁ ଉପଦେଶ ଡବା ଯେତିକି ହାନିକାରକ, ସଂସାରର ସବୁଯାକ ନିରାଶ କଥା କହି ସେମାନଙ୍କୁ ମଧ୍ୟ ନିରାଶ କରିବା ଠିକ୍ ସେହିପରି ବିପଜ୍ଜନକ । ଆଜିର ଛାତ୍ର କାଲି ସଂସାର ଭିତରେ ପ୍ରବେଶ କରିବ । ସଂସାର ଭିତରେ ସିଏ ନିଶ୍ଚୟ ଅନେକ ଜଟିଳତାର ସମ୍ମୁଖୀନ ହେବ । ଅନେକ ଧୋକା ଖାଇବ, ଅନେକ ଧକ୍‌କା ଖାଇବ; ଛାତ୍ରାବସ୍ଥାରେ ତା’ର ମନରେ ଗଢ଼ି ଉଠିଥିବା ମାନ ଓ ମୂଲ୍ୟ ସୌଧମାନ ହୁଏତ ଅନେକ ସମୟରେ ଭାଙ୍ଗି ଚୂନା ହୋଇଯିବାକୁ ବସିବ,–ତଥାପି ଛାତ୍ରକୁ ସଂସାରରେ ଜଣେ ନୂତନ ମଣିଷ ହିସାବରେ ସ୍ଥିର ଓ ନିର୍ଭୀକ ହୋଇ ଆପଣାର ବାଟ ଚାଲିବାକୁ ହେବ । ଆଜି ସଂସାରରେ ସବୁ ପ୍ରକାରର ବିଶ୍ଵାସ ଭାଙ୍ଗି ଭାଙ୍ଗି ଗଲାଣି, ତେଣୁ ତୁମେମାନେ ମଧ୍ୟ ଆପଣାର କୌଣସି ଦୃଢ଼ ବିଶ୍ଵାସ ରଖି ସଂସାରକୁ ଗଲେ ସେଠି ଏକାବେଳେକେ ଠକିଯିବ; ସଂସାରରେ ନିଷ୍ଠାର ମୂଲ୍ୟ ନାହିଁ, ସାଧୁତାର ମୂଲ୍ୟ ନାହିଁ, ତେଣୁ ଆପଣାର ନିଷ୍ଠା ଓ ସାଧୁତାର ଅଟଳ ରହିଲେ ତୁମେମାନେ ସଂସାରରେ ମୋଟେ ପାରିଉଠି ପାରିବ ନାହିଁ; ସଂସାରଟା ଅନେକ ଦିଗରୁ ଭ୍ରଷ୍ଟା ହୋଇଗଲାଣି, ତେଣୁ ତୁମେମାନେ ସଚ୍ଚୋଟ ରହିଲେ ହାରିଯିବ,–ଛାତ୍ରମାନଙ୍କୁ ଏହିପରି କଥାମାନ କହି ନିରାଶ କରିଦେବା ଶିକ୍ଷକ ପକ୍ଷରେ ଆଦୌ ଉଚିତ ନୁହେଁ । ମୁଁ ତ ଠିକ୍ ଓଲଟା କଥାଟି ହିଁ କହିବି । ମୁଁ ସଂସାରକୁ ଭଲ, ସହଜ ବା ସାଧୁ ବୋଲି କହି ଉପଦେଶ ଦେବାକୁ ଯିବିନାହିଁ । ଭଗବାନଙ୍କର ଇଚ୍ଛାରୁ ସଂସାରରେ ସବୁବେଳେ ସତ୍ୟତାର ପୁରସ୍କାର ଅବଶ୍ୟ ମିଳିବ ବୋଲି କହି ମୁଁ କଦାପି କାହାକୁ ଲୋଭ ଦେଖାଇବି ନାହିଁ । କିନ୍ତୁ ମୁଁ କହିବି, ସଂସାର ଭିତରେ ରହିଥିବା ଅବିଶ୍ଵାସର ସମ୍ମୁଖୀନ ହେବାକୁ ହିଁ ପଡ଼ିବ, ସଂସାରରେ ଅନ୍ୟାୟର ସମ୍ମୁଖୀନ ହେବାକୁ ପଡ଼ିବ, ମିଥ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ । ଏଥିପାଇଁ ଆପଣା ଉପରେ ଅଧିକ ବିଶ୍ଵାସ ଦରକାର, ନ୍ୟାୟ ଓ ସତ୍ୟ ଲାଗି ଅଧିକ ଶ୍ରଦ୍ଧା ଦରକାର, ସକଳ ପ୍ରକାରର କ୍ଷତି ସହି ତଥାପି ନ୍ୟାୟ ଓ ସତ୍ୟର ବାଟରେ ଚାଲିବା ଲାଗି ଧୈର୍ଯ୍ୟ ଓ ସାହସ ଦରକାର । ଯିଏ ଏହିପରି ପ୍ରସ୍ତୁତ ହୋଇପାରିବ, କେବଳ ସେଇ ସଂସାରକୁ ବଦଳାଇ ପାରିବ,–ଚାଲାଖ ହୋଇ ସଂସାରଠାରୁ ସୁବିଧା ଉଠାଇ ପାରିବାକୁ ସଂସାର ପରି ହୋଇଯାଉଥିବା ବ୍ୟକ୍ତି ସଂସାରକୁ ବଦଳାଇ ପାରିବନାହିଁ । ଯିଏ କାଲି ସଂସାରକୁ ଗଢ଼ିବ, ତା’ର ମନରେ ଅଧିକ ବଳଦେବା ଓ ବିଶ୍ଵାସ ଦେବା ହେଉଚି ଆମର ବଡ଼ କାମ ।

 

୧୮ । ୩ । ୬୧

 

କାଲି ଯିଏ ସଂସାରକୁ ଗଢ଼ିବ, ତା’କୁ ଆଜି ନିରାଶ କରିଦେବା ଲାଗି ଆମର କୌଣସି ଅଧିକାର ନାହିଁ । ଏହି ପୃଥିବୀରେ ଆଜି ଅନେକ ଅଡ଼ୁଆ ରହିଚି, ଆମର ଏହି ପୃଥିବୀରେ ଆମେ ଅନେକ ଅଡ଼ୁଆ ସୃଷ୍ଟି କରି ରଖିଚୁ । ଏହିସବୁ ଅଡ଼ୁଆକୁ ସୁଧାରିବା ଲାଗି ଆମର ହୁଏତ ବଳ ପାଉନାହିଁ । ତେଣୁ ଆମେ ଏହାକୁ ହିଁ ସତ୍ୟ ବୋଲି ମାନିନେଇ ସାରିଲୁଣି । ଆମ ଜୀବନରେ ଆଉ କିଛି ହେଲେ ନୂତନ କରି ଗଢ଼ିବାର କୌଣସି ବାସନା ନାହିଁ । ଏହି ଅବସ୍ଥାରେ ଯେତିକି ସୁବିଧା ଆଦାୟ କରିହେବ, ଆମେ ଏହି ସଂସାରରୁ ସେତିକି ସୁବିଧା ଆଦାୟ କରିବାର ଚତୁରତା ଅବଲମ୍ବନ କରିଚୁ ଏବଂ ଏହି ସଂସାରଟାକୁ ହିଁ ଯାଉଣୁ ଆସୁଣୁ ଦୋଷ ଦେବାରେ ଲାଗିଚୁ । ଆପଣା ପାଖରେ ଦେଖାଉଥିବା ଏହି ଦୁର୍ବଳତା ଆମକୁ ଆମରି ଭିତରେ ଅତ୍ୟନ୍ତ ଅସାଧୁ କରି ରଖୁଚି ଏବଂ ସେହି ଅସାଧୁତାକୁ ହିଁ ଆମେ ଆମ ସାମାଜିକ ଜୀବନର ସବୁକ୍ଷେତ୍ରକୁ ପ୍ରସାରିଦେଇ ଗୋଟାଏ ପ୍ରକାରର ଆଶ୍ଵାସନା ଲାଭ କରୁଚୁ । କିନ୍ତୁ ତା’ବୋଲି ଆମ ଛାତ୍ରମାନଙ୍କୁ ଆମେ ଆମରି ଭୁଲ୍‍ ଏବଂ ଅସମର୍ଥତାର ଶିକାର କରିବାକୁ ଯିବୁ କାହିଁକି ? ସେମାନଙ୍କ ଆଗରେ ଆମକୁ ଏହି ଜଟିଳ ସଂସାରର ପୂର୍ଣ୍ଣ ରୂପଟିକୁ ରଖିବାକୁ ହେବ, ସେହି ସଂସାରର ସମ୍ମୁଖୀନ ହେବାଲାଗି ସେମାନଙ୍କୁ ଅନୁରୂପ ଭାବରେ ବଳବାନ କରି ପ୍ରସ୍ତୁତ କରିବାକୁ ହେବ । ସଂସାରରେ କୌଣସି ଅନ୍ଧାର କଦାପି ସ୍ଥାୟୀ ହୋଇନାହିଁ, ସମସ୍ତ ପ୍ରକାରର ପରିବର୍ତ୍ତନକୁ ଅସମ୍ଭବ କରିଦେବା ଭଳି ଏହି ସଂସାର କଦାପି ଯଥେଷ୍ଟ ବୁଢ଼ା ହୋଇଯାଇ ନାହିଁ । ତେଣୁ ଆଜିର ଛାତ୍ର କାଲି ସଂସାରରେ ପ୍ରବେଶ କରିବ, ଆପଣାର ମନୋମତ ରୂପଦେଇ ସିଏ ଏହି ସଂସାରକୁ ଗଢ଼ିବ, ଆମର ଏତିକି କହିବା ଉଚିତ ।

 

୧୯ । ୩ । ୬୧

 

Sir Norman Angel ଙ୍କର ଗୋଟିଏ ଲେଖା କାଲି ପଢ଼ୁଥିଲି । କହିବା କଥା ଯେ, ଆମେ ଭଲ ସମାଜ ଓ ଭଲ ମଣିଷ ଗଢ଼ିବାଲାଗି ଯେତେ ପ୍ରକାରର ଯୋଜନା ଓ ଆୟୋଜନମାନ କରିଚୁ, ତାହା କେବଳ ବ୍ୟର୍ଥ ହୋଇଯାଇଚି । ସଂସାରରୁ ଯୁଦ୍ଧକୁ ବହିଷ୍କୃତ କରିବାକୁ ଚେଷ୍ଟା କରିଚୁ ତ ସଂସାରରେ ଅଧିକରୁ ଅଧିକ ଭୟାବହ ଯୁଦ୍ଧର ସୂତ୍ରପାତ ହୋଇଚି । ଜଗତରେ ଲୋକତନ୍ତ୍ର ଶାସନର ପ୍ରତିଷ୍ଠା କରିବାକୁ ଘୋଷଣା କରିଚୁ ତ ଅଧିକରୁ ଅଧିକ ଏକତନ୍ତ୍ର ଓ ସ୍ଵେଚ୍ଛାଚାରର ପ୍ରତିଷ୍ଠା ହୋଇଚି । ପ୍ରତ୍ୟେକ ମଣିଷ ଭିତରେ ବୁଝାମଣା, ଓ ବିଚାର ଅଧିକ ବଢ଼ିବ ବୋଲି ଆମେ ଯେତିକି ଆଗ୍ରହୀ ହୋଇଚୁ, ସଂସାରରେ ସେତିକି ଘୃଣା ବଢ଼ିଚି, ବିଦ୍ଵେଷ ସେତିକି ବଢ଼ିଚି ଏବଂ ଉଗ୍ରତା ମଧ୍ୟ ସେତିକି ବଢ଼ିଚି । ସତାଅଶୀ ବର୍ଷ ବୟସରେ ଉପନୀତ ହୋଇ ସାର ନର୍‌ମାନ ଏଞ୍ଜେଲ ଏହିସବୁ କଥା କହିଚନ୍ତି ଏବଂ ଆପଣାର କଥାକୁ ସମର୍ଥନ କରିବା ଭଳି ଆଧୁନିକ ଜଗତର ଇତିହାସରୁ ନାନା ଦୃଷ୍ଟାନ୍ତ ମଧ୍ୟ ଦେଇଚନ୍ତି । ତାଙ୍କର ଚିତ୍ରଣ ଯେତେ ନିରାଶାପ୍ରଦ ଓ ଅନ୍ଧକାରମୟ ହେଲେହେଁ ତାହାକୁ ଉଡ଼ାଇ ଦେଇ ହେବନାହିଁ । କାରଣ, ସଂସାରକୁ ଖରାପ ବୋଲି କହି ସିଏ କାହାକୁ ଗାଳି ଦେବାକୁ ଯାଇନାହାନ୍ତି କିମ୍ବା ମଣିଷର ଭାଗ୍ୟରେ ଏକ ଭଲ ସମାଜ ଗଠନ କରିବା ଆଦୌ ଲେଖା ହୋଇନାହିଁ ବୋଲି ନିନ୍ଦାବାଣୀ ମଧ୍ୟ ଶୁଣାଇ ନାହାନ୍ତି । ଜଣେ ବୟୋବୃଦ୍ଧ ହିସାବରେ ଏକ ଅବାର୍ଚୀନ ସଂସାରକୁ କୌଣସି ଉପଦେଶ ଦେଇ ମଧ୍ୟ ସିଏ ନିଜର କର୍ତ୍ତବ୍ୟ ଶେଷ କରି ଦେଇନାହାନ୍ତି । ପ୍ରକୃତରେ କିଏ ଭଲ ହେବାକୁ ଚେଷ୍ଟା କରୁଚି ? ଆମେ କାଳକ୍ରମେ ଯେତିକି ଯେତିକି ଅନୁଷ୍ଠାନ ଉପରେ ଏହି ପୃଥିବୀକୁ ବଦଳାଇବାର ଭାର ସମର୍ପଣ କରିଦେଉଚୁ, ଆପଣା ଭିତରେ ସେତିକି ସେତିକି ପୁରୁଣାଗୁଡ଼ାକୁ ହିଁ ସାଇତି ରଖିବା ଲାଗି ଅଧିକ ଦମ୍ଭ ପାଉଚୁ । ମୋ’ର ବଦଳିବା ଆଦୌ ଦରକାର ନାହିଁ, ଅନୁଷ୍ଠାନ ବଦଳିଲେ ସବୁ ବଳେବଳେ ବଦଳିଯିବ,–ପୃଥିବୀରେ ଏହିପରି ଏକ ଅନ୍ଧବିଶ୍ଵାସ ଭାରି ବଢ଼ିବାରେ ଲାଗିଚି । ହୁଏତ ଏହି ବିଶ୍ଵାସ ପୃଥିବୀରେ ଗଣତନ୍ତ୍ରକୁ ମାରିମାରି ଚାଲିଚି, ଏକତନ୍ତ୍ର ବା ଅନ୍ଧତନ୍ତ୍ର ଲାଗି ଅଧିକରୁ ଅଧିକ କ୍ଷେତ୍ର ପ୍ରସ୍ତୁତ କରି ଚାଲିଚି । ଗଣତନ୍ତ୍ର ବ୍ୟକ୍ତି ଉପରେ ହିଁ ମହତ୍ତ୍ଵ ଦିଏ, କାରଣ ବ୍ୟକ୍ତି ଉପରେ ହିଁ ଗଣତନ୍ତ୍ରର ମୂଳଦୁଆ ପଡ଼େ । ସେହି ଗଣତନ୍ତ୍ରକୁ ଆମେ କେବଳ ଏକ ଅନୁଷ୍ଠାନ ବୋଲି ଧରିନେଇ ସାରିଲୁଣି । କିନ୍ତୁ ସେହି ଅନୁଷ୍ଠାନ ମୋତେ ଛାଡ଼ି ପ୍ରକୃତରେ କିପରି କ’ଣ କରିପାରିବ ?

 

୨୦ । ୩ । ୬୧

 

ଏହି ଜଗତର ଅନେକ କଥା ମୁଁ ଜାଣେନାହିଁ । ଜଗତରେ ଲାଭ ଉଠାଇବାକୁ ଓ ଖାତିରି ପାଇବାକୁ ଯେତିକି ଚତୁର ହେବା ଦରକାର, ସେତିକି ଚତୁର ହେବାର ବିଦ୍ୟା ମଧ୍ୟ ମୋତେ ଜଣାନାହିଁ । ଜଗତର ସମର୍ଥନ ପାଇବାକୁ ହିଁ ମୁଁ ମୋର ଜୀବନ ବଞ୍ଚିବାର ସବୁଠାରୁ ବଡ଼ ଉତ୍‌ପ୍ରେରକ ବୋଲି କେବେହେଲେ ମନେ କରିନାହିଁ । ଏହି ଜୀବନରେ ମୁଁ ଯାହାକିଛିକୁ ସାର ବୋଲି ଜାଣିଚି, ତାହାକୁ ଆପଣାର ଭିତରୁ ହିଁ ଅନୁଭବ କରିବା ଲାଗି ମୁଁ ଅହରହ ଚେଷ୍ଟାକରି ଆସିଛି । ମଣିଷର ସମ୍ପର୍କରେ ଆସି ମଣିଷକୁ ଯେତିକି ଆତ୍ମୀୟ ବୋଲି ଜାଣିଚି, ଜୀବନର ପ୍ରତ୍ୟେକ କାର୍ଯ୍ୟରେ ଓ ପ୍ରତ୍ୟେକ ମୁହୂର୍ତ୍ତରେ ମଣିଷ ସହିତ ସେତିକି ଆତ୍ମୀୟତା ଅନୁଭବ କରିବାର ଚେଷ୍ଟା କରିଚି । କୌଣସି ପ୍ରୟୋଜନର ଆକର୍ଷଣରେ ପଡ଼ି ନୁହେଁ, ଆପଣାର ଭଲ ପାଇବାର ପ୍ରବୃତ୍ତିଟିର ବଶବର୍ତ୍ତୀ ଖୋଇ ହିଁ ମୁଁ ଏପରି କରିଆସିଚି । ମୁଁ ଜାଣେ, ଏଥିରେ ବହୁବାର ବିଫଳ ହେବାକୁ ପଡ଼ିଚି, କିନ୍ତୁ ମୁଁ ତଥାପି ଚେଷ୍ଟା କରି ଆସିଚି । କୌଣସି ପ୍ରକାରର କୋଳାହଳ ନକରି ଚେଷ୍ଟା କରି ଆସିଚି । ଯେତେବେଳେ କେଉଁଠି ଭୁଲ କରୁଚି, ସେତେବେଳେ ଜଗତ ହୁଏତ କେତେ ହସୁଚି, ମୋ ନିଜ ବାଟରେ ନ ଯାଇ ସମସ୍ତେ ଅର୍ଥାତ୍ ଅଧିକାଂଶ ମଣିଷ ଯାଉଥିବା ବାଟରେ ଯିବାଲାଗି ମୋତେ କେତେ ଟାଣୁଚି, ମୁଁ ତଥାପି ସେଥିରେ ରାଜି ହୋଇପାରୁନାହିଁ । ଭୁଲ କରୁଚି ବୋଲି ମୋ’ଭିତରେ ଆଦୌ କୌଣସି ଲାଜ ନାହିଁ । ଭୁଲ୍‍ କରୁଚି ବୋଲି ଜଗତ ପ୍ରତି ମୋର କୌଣସି ଭୟ ନାହିଁ । କିନ୍ତୁ ଆପଣାର ବାଟରୁ ଖସିଯିବାକୁ ହିଁ ମୁଁ ସବୁଠାରୁ ବଡ଼ ଭୟ ବୋଲି ବିଚାର କରୁଚି । ଯାହାକୁ ମୁଁ ଭଲ ବୋଲି ଜାଣୁଚି, ମୁଁ ଯାହାକୁ ଭଲ ବୋଲି କହୁଚି ସେହି ବାଟକୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପ୍ରତ୍ୟେକ ମୁହୂର୍ତ୍ତରେ କ’ଣ ମୁଁ ଆପଣାର ବାଟ ବୋଲି ଅନୁଭବ କରିପାରିବିନାହିଁ ? –ଏହିପରି ଚେଷ୍ଟା କରିବା ହିଁ ମୋର ବାଟ । କୌଣସି ବାହାଦୂରୀ ବା ବୀରତ୍ଵ ନଦେଖାଇ ସତତ ସେହି ଚେଷ୍ଟା କରିବାକୁ ମୁଁ ମୋର ଧର୍ମ ବୋଲି ମାନି ନେଇଚି ।

 

୨୧ । ୩ । ୬୧

 

ହଁ, ମୁଁ ଅନୁଭବ କରିବାକୁ ଚାହେ । ଖାଲି କହିବାକୁ ଚାହେ ନାହିଁ କି ଖାଲି ସଜ ହେବାକୁ ଚାହେ ନାହିଁ । ଖାଲି ଅଭିନୟ କରିବାକୁ ଚାହେ ନାହିଁ କି ଖାଲି ସଜ ହେବାକୁ ଚାହେ ନାହିଁ । ମୁଁ ବଞ୍ଚିବାକୁ ଚାହେ । ମୁଁ ଭଲ କରି ଜାଣେ ଏଥିଲାଗି ମୋତେ ଜୀବନ ବଞ୍ଚିବାର ଅନେକ ଆଡ଼ମ୍ବରକୁ ଛାଡ଼ି ଆସିବାକୁ ହେବ, ସମ୍ମାନ ବା ଖାତିରି ପାଇବାର ଅନେକ ପ୍ରଲୋଭନକୁ ଛାଡ଼ି ଆସିବାକୁ ହେବ । ଖାତିରି ପାଇବାର ଲାଳସା ଯାହାର ଅଛି, ତା’କୁ ଅନ୍ୟମାନଙ୍କୁ ତୁଷ୍ଟ କରି ରଖିବାକୁ ହିଁ ପଡ଼ିବ । ମୁଁ ଯାହାଠାରୁ ସ୍ତୁତି କାମନା କରୁଚି ମୋତେ ତାହାର ତୁଷ୍ଟି ବିଧାନ କରିବାକୁ ହିଁ ପଡ଼ିବ । ଭିତରେ ଇଚ୍ଛା ଥାଉ କି ନ ଥାଉ, ବାହାରେ ତୁଷ୍ଟି କରୁଚି ବୋଲି ଦେଖାଇବାକୁ ହେବ । ମୁଁ ଏସବୁ କରିପାରିବି ନାହିଁ । ଏସବୁ କରିବାର କୌଣସି ଇଚ୍ଛା ମଧ୍ୟ ମୋ’ ଭିତରେ ନାହିଁ । ତେଣୁ ଏସବୁ ବାଟ ମୋର ନୁହେଁ ବୋଲି ମୁଁ ଅନେକ ଦିନରୁ ମନକୁ ବୁଝାଇ ସାରିଚି । ଆଉ ସେଆଡ଼େ ଯିବାର କୌଣସି ଅଭିଳାଷ ନାହିଁ । ମୁଁ ମୋର ଆପଣା ବାଟରେ ଚାଲିଚି । ଆପଣାର ହୃଦୟକୁ ଉନ୍ତୁକ୍ତ ରଖି ବାଟ ଚାଲୁଚି । ମୁଁ ଭିତରେ ଯାହା ଭାବିବି ବାହାରେ ମଧ୍ୟ ତାହା ହିଁ କରିବି; ମୋ’ର ଅଚେତନ ଓ ଚେତନ ମଧ୍ୟରେ ଯଥାସମ୍ଭବ କମ୍ ବ୍ୟବଧାନ ରଖିବାକୁ ଚେଷ୍ଟା କରିବି । ଅର୍ଥାତ୍ ଚେତନ ଜୀବନର ଆବଶ୍ୟକତାରେ ପଡ଼ି ମୁଁ ଅଚେତନକୁ ଦାବି କରି ରଖିବି ନାହିଁ କିମ୍ବା ଅଚେତନ ଜୀବନର ଆବଶ୍ୟକତାରେ ପଡ଼ି ଚେତନକୁ ବିକୃତ କରି ପକାଇବି ନାହିଁ । ମୋ’ର ଅଚେତନକୁ ମୁଁ ଚେତନର ସହଯୋଗୀ କରି ରଖିବାକୁ ଚେଷ୍ଟା କରୁଥିବି, ମୋ’ର ଚେତନକୁ ଅଚେତନର ସହାନୁଭୂତିଶୀଳ ବନ୍ଧୁ କରି ରଖିବାକୁ ଚେଷ୍ଟା କରୁଥିବି । ଏହା ଅତ୍ୟନ୍ତ କଷ୍ଟକର, କାରଣ ଏଥିରେ ସଂସାରକୁ ଦୋଷ ଦେବାର, ସଂସାରଯାକକୁ ଗାଳିଦେଇ ଆପଣାକୁ ନାନା ମିଛ ସାନ୍ତ୍ଵନା ଓ ମିଛ ବାହାଦୁରୀ ଦେବାର କୌଣସି ସ୍ଥାନ ନାହିଁ । ଆପଣାକୁ ବଞ୍ଚାଇ ରଖିବା ଲାଗି ସଂସାରର ନିନ୍ଦା କରିବାର କୌଣସି ଉତ୍ସାହ ଏଥିରେ ଆଦୌ କୌଣସି କାମ ଦେବନାହିଁ । ସଂସାରକୁ ଖରାପ ବୋଲି କହି ଆପେ ଖରାପ ହୋଇଥିବାର ଦାୟିତ୍ଵକୁ ଏଡ଼ି ଦେବାର କୌଣସି ଚତୁରତା ଏଥିରେ କରି ହେବନାହିଁ । ତଥାପି ସବୁକିଛି ଜାଣି ମୁଁ ଏହି ବାଟକୁ ଆପଣାର ବାଟ ବୋଲି ଗ୍ରହଣ କରି ନେଇଚି, କାରଣ, ଏହି ବାଟଟିକୁ ଗ୍ରହଣ କରିବା ବ୍ୟତୀତ ମୋ’ର ଅନ୍ୟ ଉପାୟ ନାହିଁ ।

 

୨୨ । ୩ । ୬୧

 

ଦିନେ ଦିନେ ଗୋଟାଏ ଗୋଟାଏ ଗୀତ ମୋତେ କେତେ ପ୍ରେରଣା ଦେଇଯାଇଚି । ଗୀତାର ମର୍ମ ଭେଦ କରିବା ସଙ୍ଗେସଙ୍ଗେ ମୁଁ ଯେପରି ଆପଣାର ମର୍ମକୁ ବି ଭେଦ କରିବାକୁ ସମର୍ଥ ହୋଇଚି, ଆପଣା ଭିତରକୁ ଅନେକ ଦୂର ପର୍ଯ୍ୟନ୍ତ ଜଳଜଳ କରି ଦେଖିପାରିଚି । Objective ଓ Subjective ମଧ୍ୟରେ କୌଣସି ଅନ୍ତର ରହିନାହିଁ । ଶାନ୍ତିନିକେତନରେ ଥିଲାବେଳେ ଏପରି ବହୁବାର ହେଉଥିଲା । ମୋ’ର ବେଶ୍ ମନେ ପଡ଼ୁଚି, ଗୋଟାଏ ଗୋଟାଏ ଗୀତ ବା ଶ୍ଳୋକକୁ ନେଇ ମୁଁ ଲଗାଏ ତ ଅନେକ ଦିନ ପର୍ଯ୍ୟନ୍ତ ନିମଗ୍ନ ରହି ଯାଉଥିଲି, ଭାବବିହ୍ଵଳ ହୋଇ ରହୁଥିଲି । ଏକୁଟିଆ ବସିଥିଲାବେଳେ, ପଡ଼ିଆରେ ବା ରାସ୍ତା ଉପରେ ଚାଲି ଯାଉଥିବା ବେଳେ ବାରବାର ସେହି ଗୀତଟା ମୋ’ର କଣ୍ଠ ଭିତର ଦେଇ ଉଛୁଳି ପଡ଼ୁଥିଲା, ମୋ’ର ଆଖି ଆଗରେ ମୁଁ କେବଳ ସେହି ଗୀତର image ମାନ ଦେଖିବାକୁ ପାଉଥିଲି । ଏହିଭଳି ଅନୁଭୂତି ମଧ୍ୟଦେଇ ମୁଁ ଆପଣାର ଅନେକ ପରିଚୟ ପାଇ ଯାଉଥିଲି । ମୋ’ର ବିହ୍ଵଳ ସଙ୍ଗୀତକୁ ଶୁଣି ଅନ୍ତରସ୍ଥ କେଉଁ ଅନ୍ତରଙ୍ଗ ଦେବତାର ସ୍ଵୀକାର ଅଶ୍ରୁ ହୋଇ ବାହାରି ଆସୁଥିଲା, ଠିକ୍ ଦେବତାର ମୂର୍ତ୍ତି ଉପରୁ ସ୍ଵୀକାର ସୂଚକ ଫୁଲଟିଏ ଖସି ପଡ଼ିଲା ପରି ମୋ’ର ଅଶ୍ରୁ ମୋ’ର ମୁହଁ ଉପରୁ ତଳକୁ ଖସି ପଡ଼ୁଥିଲା । ଏହି ଭାବାବିଷ୍ଟତା, ଏହି ପ୍ରଗାଢ଼ ଅନୁଭୂତି, ଏହି ଅଶ୍ରୁ ଲାଗି ଜୀବନରେ ଅନେକ ସ୍ଥାନ ରହିଚି, ବର୍ତ୍ତମାନ ମଧ୍ୟ ରହିଚି । ମୋତେ ଏହା ହିଁ ବାଟ ଦେଖାଇ ନେଇଚି । ନାନା ବୁଦ୍ଧିର ସଂଶୟ ଭିତରେ ବଣା ହୋଇ ଯାଉଥିବା ସମୟରେ ଅନ୍ତର ଭିତରୁ ହଠାତ୍ ତା’ର ସମାଧାନ ହୋଇଯାଇଚି । ବୁଦ୍ଧିର ଆଖି ଖୋଲି ଯାଇଚି, ବୌଦ୍ଧିକତାର ପରସ୍ତ ଗୁଡ଼ାକ ଖସିପଡ଼ି ମୁଁ ଦର୍ଶନର ଯୋଗ୍ୟ ହୋଇପାରିଚି । ଜୀବନରେ ଏହିସବୁ ଅନୁଭୂତି ମୋ’ର ଚିରସାଥୀ ହୋଇ ରହିଥିବ । ମୋ’ର ବିଶ୍ଵାସକୁ ବଞ୍ଚାଇ ରଖିଥିବ, ମୋ’ର ବାଟକୁ ଶ୍ରଦ୍ଧାରେ ଭରି ରଖିଥିବ, ସ୍ଵୀକାର ଦ୍ଵାରା ଭରି ରଖିଥିବ ।

 

୨୩ । ୩ । ୬୧

 

ଜାଣତରେ ଓ ଅଜାଣତରେ ମୁଁ କେତେ ଜାଗାରେ କେତେ ଲୋକଙ୍କୁ ଆଘାତ ଦେଇଚି, ଏବେ ତାହାର ପ୍ରାୟଶ୍ଚିତ୍ତ ନ କଲେ ଆଉ ଗତି ନାହିଁ । କେତେ ଜାଗାରେ ମୁଁ ନିଜକୁ କେଡ଼େ ଆପଣାର ଲୋକ ବୋଲି ପରିଚୟ ଦେଇଚି; ଅଥଚ, ଜଣେ ଆପଣା ଲୋକର ଯାହା କର୍ତ୍ତବ୍ୟ, ମୁଁ ତାହା କରିପାରିନାହିଁ । ହୁଏତ ସେଇଥିଲାଗି ଆପଣାର ମଣିଷମାନେ କ୍ରମେ ପର ହୋଇ ଯାଇଚନ୍ତି-। ବିଶ୍ଵାସ ଜାଗାରେ ଅବିଶ୍ଵାସ ବୃଦ୍ଧି ପାଇଚି, ବୁଝିବା ଜାଗାରେ ଭୁଲ୍‍ ବୁଝିବା ହିଁ ଅବଶେଷ ରହିଯାଇଚି । ସେହି ସବୁ ଦୁଷ୍କୃତି ଆଜି ମୋ’ର ହୃଦୟ ଉପରେ ଆଘାତ ଦେଇଗଲା ପରି ମନେହେଉଚି । ଆଘାତ ଦେବା ମୋ’ର ପ୍ରକୃତି ନୁହେଁ, ଡୋର ଛିଣ୍ଡାଇଦେବା ମୋ’ର ପ୍ରକୃତି ନୁହେଁ, ଆପଣାର କୌଣସି ପ୍ରୟୋଜନକୁ ସନ୍ତୁଷ୍ଟ କରିବା ଲାଗି ଆଉ କାହାର ଅନିଷ୍ଟ ସାଧନ କରିବା ମୋ’ର ପ୍ରକୃତି ନୁହେଁ । ଆପଣା ବିଷୟରେ କୌଣସି ଗର୍ବ କରି ମୁଁ ଏକଥା କହୁନାହିଁ । ଆପଣାକୁ ଯେତିକି ବୁଝିଚି, ମୁଁ ତାହାକୁ ହିଁ ଭିତ୍ତିକରି ଏକଥା କହୁଚି । ତେଣୁ କୌଣସି ବ୍ୟକ୍ତି ମୋ’ର କୌଣସି କଥା ଆଚରଣ ବା କାର୍ଯ୍ୟ ଦ୍ଵାରା ଆହତ ହୋଇପଡ଼ିଲେ ମୁଁ ମଧ୍ୟ ନିଜ ଭିତରେ ଭାରି ଆଘାତ ପାଏ । ହଠାତ୍ ଦଉଡ଼ିଯାଇ ପାଞ୍ଚପ୍ରକାର କଅଁଳିଆ ମିଠା କଥା କହି ନିଜର ଦୋଷଟାକୁ ଛିଣ୍ଡାଇ ଆସିବାକୁ ନୁହେଁ, ଯେଉଁଥି ଲାଗି ମୁଁ ଆଘାତର କାରଣ ହୋଇଚି, ସେହି କାରଣକୁ ଦୂର କରିବାକୁ ହେଲେ ମୋ’ ପକ୍ଷରୁ ଯାହା କରିବା ସମ୍ଭବ, ମୁଁ ତାହା କରିବାକୁ ଅଧୀର ହୋଇଉଠେ । ଆପଣା ବିଷୟରେ ମୋ’ର କୌଣସି ଲାଜ ନାହିଁ । ଅର୍ଥାତ୍, ଆପଣାର ଲାଜକୁ ଭିତରେ ଲୁଚାଇ ରଖିବାକୁ ମୁଁ କୌଣସି ଅପଚେଷ୍ଟା କେବେ କରେନାହିଁ, ଆପଣାକୁ ନିର୍ଦ୍ଦୋଷ ବା ସଫା ବୋଲି ଦେଖାଇ ହେବାକୁ କେବେହେଲେ ପ୍ରୟାସ କରେନାହିଁ । ମୁଁ ବିଶ୍ଵାସର ସହିତ ମୋ’ର କର୍ତ୍ତବ୍ୟ କରେ; ଆଘାତଟିକୁ ଦୂର କରିବାକୁ, ଭଲ ବୁଝିବା ଓ ଅବିଶ୍ଵାସକୁ ଦୂର କରିବାକୁ ମୋ’ ପକ୍ଷରୁ ଯାହା କରିବା ଉଚିତ, ତାହା କରିବାକୁ ହିଁ ମୁଁ ପ୍ରାୟଶ୍ଚିତ୍ତ କରିବା ବୋଲି କହେ । ସଂସାରରେ ନିନ୍ଦା ସହିଲେ ମୋ’ର ଆପତ୍ତି ନାହିଁ, ମୋତେ ସଂସାର ଅସ୍ଵୀକାର କଲେ ମୋ’ର ଖେଦ ନାହିଁ; ମାତ୍ର ସଂସାରରେ କାହାକୁ ହେଲେ ମୁଁ ମୋ’ ପକ୍ଷରୁ ଆଦୌ କୌଣସି ଆଘାତ ଦେବାକୁ ଇଚ୍ଛା କରେ ନାହିଁ ।

 

୨୪ । ୩ । ୬୧

 

କାରଣ ମୋ’ର କୌଣସି ଗଡ଼ ଜିତିବାର ନାହିଁ । ସେଥିଲାଗି କାହାକୁ କ୍ଷତି ବା କାହାକୁ ଆଘାତ ପହୁଞ୍ଚାଇ ଆପେ ଲାଭ ପାଇବାର କୌଣସି ଲାଳସାକୁ ମୁଁ କେବେ ଆପଣା ଭିତରେ ପୋଷଣ କରିନାହିଁ । ଏଥିଲାଗି ମୋତେ ଆପଣାର ଉଗ୍ର ପ୍ରବୃତ୍ତିଗୁଡ଼ାକୁ ଦବାଇ ରଖି ସଂଯମ ଅବଲମ୍ବନ କରିବାକୁ ପଡ଼ିନାହିଁ, ଜଗତ ଓ ଜୀବନ ବିଷୟରେ ମୋ’ର ଅନୁଭବ ବଢ଼ିବା ସଙ୍ଗେସଙ୍ଗେ ମୁଁ ଅତି ଅସ୍ଵାଭାବିକ ଭାବରେ ଏସବୁକୁ ଛାଡ଼ି ଚାଲି ଆସିଚି । ତେଣୁ, ଏସବୁ କଥାକୁ ନେଇ ମୁଁ କୌଣସି ନୀତିବାଦୀ ଅଭିନୟ ମୋଟେ କରୁନାହିଁ; ଆପେ ଆପଣା ଭିତରୁ ଯାହା ଅନୁଭବ କରୁଚି, ମୁଁ ତାହା ହିଁ କରୁଚି । କୌଣସି ଆଦର୍ଶର କାନି ଧରି ମୁଁ ସଂସାର ଭିତରେ ଉଗ୍ରତା ବା ବଡ଼ପଣ ଜାରି କରିବାକୁ ଇଚ୍ଛା କରେନାହିଁ, କୌଣସି କ୍ଷମତାର ଢୋଲ ପିଟି ମଣିଷର ଜୀବନକୁ କୌଣସି ପ୍ରକାରେ ସନ୍ତପ୍ତ କରି ପକାଇବାକୁ ଇଚ୍ଛା କରେନାହିଁ । ଆପଣା ବିଷୟରେ ବାହାରେ ବଡ଼େଇ କରିବାକୁ ମୋର କୌଣସି ଉତ୍ସାହ ନାହିଁ । କାରଣ ମୁଁ ନିଜ ଭିତରେ ଏକ ଅପୂର୍ବ ବଡ଼ ସମ୍ପଦ ପାଇଚି । ସେହି ସମ୍ପଦଟିକୁ ଚିହ୍ନି ମୁଁ ସବୁ ପଦାର୍ଥ ଓ ସବୁ ମଣିଷର ହୃଦୟ ପ୍ରବେଶ କରିପାରିଚି । ଏହି ଜଗତରେ ମୋତେ ମୋ ବାଟଟିକୁ ଚାଲିବାର ସ୍ଵତନ୍ତ୍ରତା ମିଳିଚି, ମୋର ଆପଣା ସମ୍ପଦଗୁଡ଼ିକୁ ଚିହ୍ନି ତାହାରି ବିକାଶ ଲାଗି ନିଜକୁ ସମର୍ପିତ କରି ରଖିବାର ସ୍ଵତନ୍ତ୍ରତା ମିଳିଚି, ନିଷ୍ଠାର ସହିତ ଆପଣାର କୌଣସି ନା କୌଣସି ରଚନାତ୍ମକ ଭାବରେ ବ୍ୟାପୃତ ରହିବାର ସ୍ଵତନ୍ତ୍ରତା ମୋତେ ମିଳିଚି । ମୁଁ ନିଜ ଭିତରେ ଯାହା ଭାବୁଚି, ସବୁରି ଆଗରେ ତାହାକୁ ପ୍ରକାଶ କରିବାର ସ୍ଵତନ୍ତ୍ରତା ମୋତେ ମିଳିଚି । ଏଥିପାଇଁ ଜଗତ ପାଖରେ ମୋତେ କେବଳ କୃତଜ୍ଞତା ହିଁ ଜ୍ଞାପନ କରିବାକୁ ପଡ଼ିବ । ସେହି ସ୍ଵତନ୍ତ୍ରତା ଲାଭ ହିଁ ପ୍ରତ୍ୟେକ ମଣିଷର ସର୍ବପ୍ରଧାନ ଦାବି ହୋଇ ରହିବା ଉଚିତ । ତା’ପରେ ସଂସାର ପ୍ରତି କେବଳ କର୍ତ୍ତବ୍ୟ ରହିଚି, କେବଳ ଆପଣାକୁ ଦେବା ହିଁ ରହିଚି, କେବଳ ବଞ୍ଚିବାର ରହିଚି ।

 

୨୫ । ୩ । ୬୧

 

‘ଫୁଲେର୍ ମତ ସହଜ ସୁରେ, ପ୍ରଭାତ ମମ ଉଠିବେ ପୁରେ’–କିନ୍ତୁ ଏହି ସହଜ ସୁରଟି ମଣିଷ କଦାପି ବାହାରୁ ପାଇପାରିବ ନାହିଁ । ଆପଣାର ଭିତରୁ ହିଁ ଏହି ସୁରଟିର ସୃଷ୍ଟି କରିବାକୁ ହେବ । ସେହି ସୁରଟି ଦ୍ଵାରା ସମସ୍ତ ସୃଷ୍ଟିକୁ ବୁଝିବା ଲାଗି ପ୍ରସ୍ତୁତ ହୋଇଗଲେ ଯାଇ ଏହି ସକଳ ଭଲ ଲାଗିବ, ଏହି ଆକାଶ ଭଲ ଲାଗିବ, ଆଜିର ଏହି ପୁଲକିତ ପବନ ଭଲ ଲାଗିବ, ଏହି ଦିଗନ୍ତବିସ୍ତୃତ ଶସ୍ୟକ୍ଷେତ ଆଡ଼କୁ ଅନାଇବା ଲାଗି ଆଖିକୁ ମଧ୍ୟ ଭଲ ଲାଗିବ । ସହଜ ହେବାକୁ ଇଚ୍ଛା କଲେ ମଣିଷକୁ ସହଜ ହୋଇ ଚାଲିବାକୁ ପଡ଼ିବ । ସଂସାରରେ ସବୁ କଥାକୁ ସ୍ଵୀକାର କରି ନେବାର ସାଧନା, ସବୁକ୍ଷେତ୍ରରେ ଆପଣାକୁ ସମର୍ପଣ କରିପାରିବାର ସାଧନା, ଆପଣାର ହୃଦୟଦ୍ୱାରକୁ ସବୁବେଳେ ଖୋଲା ରଖିଥିବାର ସାଧନା, ଆପଣାର ପାତ୍ରଟିକୁ ସବୁବେଳେ ପ୍ରସ୍ତୁତ ରଖିଥିବାର ସାଧନା ସହଜ ହୋଇପାରିବା ଲାଗି ଏସବୁ ଅତ୍ୟନ୍ତ ଆବଶ୍ୟକ । କ୍ଷତିକୁ ଭୟ ରହିଥିବା ପର୍ଯ୍ୟନ୍ତ, ନିନ୍ଦାକୁ ଭୟ ରହିଥିବା ପର୍ଯ୍ୟନ୍ତ, ହାରିଯିବାର ଭୟ ରହିଥିବା ପର୍ଯ୍ୟନ୍ତ, ଆପଣାର ସମ୍ମାନ ଚାଲିଯିବାର ଭୟ ରହିଥିବା ପର୍ଯ୍ୟନ୍ତ, ସହଜ ହେବାର ସୌଭାଗ୍ୟ କଦାପି ହେବନାହିଁ । ଏହି ଭୟର ଫାଶକୁ କାଢ଼ିବାକୁ ହିଁ ପଡ଼ିବ, ଆପଣାର ବାହାରଟା ବିଷୟରେ ସବୁପ୍ରକାର ସଂତ୍ରାସସତର୍କତା ଓ ସବଧାନତା ଦ୍ଵାରା ନୁହେଁ, ଭିତରେ ଅସୀମ ବିଶ୍ଵାସ ଓ ଅସୀମ ଶ୍ରଦ୍ଧା ଲାଗି ଯଥେଷ୍ଟ ସ୍ଥାନ ସୃଷ୍ଟି କରିପାରିଲେ ମଣିଷ ସହଜ ହୋଇପାରିବ । ଗଡ଼ ଜିତିବା ଲାଗି ଉତ୍ତେଜିତ ହୋଇ ବାହାରିଥିବା ମଣିଷ ସହଜ ହୋଇପାରିବ ନାହିଁ । ଆପଣା ଭିତରେ ନାନା ପ୍ରବୃତ୍ତିକୁ ଡରି ତାକୁ ନାନା ପ୍ରକାରର ନୀତିବାଦୀ ନାମ ଦେଇ ଲୁଚାଇ ବା ଦବାଇ ରଖିବାକୁ ଚେଷ୍ଟା କରୁଥିବା ମଣିଷ କଦାପି ସହଜ ହୋଇପାରିବ ନାହିଁ । ଅନେକ ଲାଜ ଛାଡ଼ିବାକୁ ପଡ଼ିବ, ତେବେଯାଇ ହୃଦୟ ପୂର୍ଣ୍ଣ ହୋଇ ଉଠିବ, ତେବେଯାଇ ଜୀବନ ଭରି ନାନା ଖୁସି ଜଗତଯାକ ଅଜାଡ଼ି ହୋଇ ପଡ଼ିବ, ତେବେଯାଇ ଦୁଃଖ ଭିତରେ ଜୀବନ ପରିପୂର୍ଣ୍ଣ ହେବ, ଅନ୍ଧାର ଭିତରେ ତଥାପି ପରିଚୟ ମିଳିବ, ଏକାକୀ ବାଟ ଉପରେ ତଥାପି ଭେଟ ମିଳିଯିବ । ଶାନ୍ତିନିକେତନରେ ଥିଲାବେଳେ ଗୁରୁଦେବଙ୍କର ଏହି ଗୀତଟି ଗାଇ ମୁଁ କେତେ ପ୍ରେରଣା ପାଇଚି । ଆଜି ସକାଳେ ସେହି ଗୀତଟି ମନେ ପଡ଼ିଗଲାବେଳେ ମୁଁ ଭାବୁଚି, ସେହି ପ୍ରେରଣା ମୋତେ ଯଥେଷ୍ଟ ଯୋଗ୍ୟ ଭାବରେ ପ୍ରସ୍ତୁତ କରିପାରିଚି ତ, ମୁଁ ଫୁଲର ବିଦ୍ୟାକୁ ଆୟତ୍ତ କରିପାରିଚି ତ ?

 

୨୬ । ୩ । ୬୧

 

ଯୋଉମାନଙ୍କର ପ୍ରଧାନତଃ କ୍ଷମତା ଦରକାର ଥିଲା, ସେମାନଙ୍କର ଶିକ୍ଷା ଭିତରକୁ ଆସିବା ଉଚିତ ନଥିଲା । ଯେଉଁମାନଙ୍କର ପଇସା ଦରକାର ଥିଲା, ସେମାନଙ୍କର ଶିକ୍ଷା ଭିତରକୁ ଆସିବା ଉଚିତ ନଥିଲା । କିଏ କେତେବେଶି ଦରମା ପାଉଚି, କେଉଁଠି କେତେ ହାରରେ ଦରମା ଦିଆଯାଉଚି, କାହାଘରେ କେଉଁ ରେଡ଼ିଓ ବାଜୁଚି ବା କିଏ କେତେ ଦାମୀ କପଡ଼ାର କମିଜ ପିନ୍ଧୁଚି, ଶିକ୍ଷକମାନଙ୍କ ଭିତରେ ଏହିସବୁ ଚର୍ଚ୍ଚା ଆଦୌ ଘେନାଏ ନାହିଁ । ପୁଣି, ଆମେ ଯେପର୍ଯ୍ୟନ୍ତ କେବଳ ଏହିଗୁଡ଼ାକର ଚର୍ଚ୍ଚା କରି ଅବସରର ବିନୋଦନ କରୁଥାଉ, ସେପର୍ଯ୍ୟନ୍ତ ଆମର ଅସଲ ସମ୍ପଦ ଶିକ୍ଷା ବିଷୟରେ ଆମର ଶୂନ୍ୟତା ହିଁ ପ୍ରମାଣିତ ହୋଇଥାଏ । ଆମେ ପ୍ରକୃତରେ ଶିକ୍ଷକ ହେବାକୁ ଚାହୁନାହୁ, ପଇସା କମାଇବା ଲାଗି ଶିକ୍ଷା ଦେବାକୁ ଏକ ବାଟ ବୋଲି ଗ୍ରହଣ କରିଚୁ, ଶିକ୍ଷକ ହେବାର ଜୀବନମାର୍ଗଟି ପ୍ରତି ସମ୍ଭବତଃ ଆମର କୌଣସି ଶ୍ରଦ୍ଧା ନାହିଁ,–ପ୍ରଧାନତଃ ତାହାହିଁ ଜଣା ପଡ଼ିଯାଏ । ଅନେକ କ୍ଷମତାଲାଳସୀ ମଧ୍ୟ ଅନେକ ସମୟରେ ଶିକ୍ଷା ଭିତରେ ଆସି ପଶିଥାନ୍ତି । କ୍ଷମତା ପାଖରେ ଆପେ ଦାସ ହୋଇ ରହିବାର ଅଭିଳାଷକୁ ତୃପ୍ତ କରିବାଲାଗି ସେମାନେ ଶିକ୍ଷାଳୟରେ ପ୍ରଥମତଃ ହାକିମ ହୋଇ ରହିବାକୁ ମନ ବଳାନ୍ତି, ଦଣ୍ଡବିଧି ଆଇନ୍ ବଳରେ ପାଠ ପଢ଼ାଇବାର ଧୃଷ୍ଟତା କରନ୍ତି । ଚାରିପାଖରେ ଥିବା ମଣିଷମାନଙ୍କୁ ସେମାନେ ମଣିଷ ବୋଲି ମନେ କରନ୍ତିନାହିଁ, କେବଳ ଅଧସ୍ତନ ବୋଲି ମନେକରନ୍ତି । ସମସ୍ତେ ସେମାନଙ୍କର ବଡ଼ପଣ ଗାଇବେ, ତାଙ୍କରି କଥାରେ ମୁଣ୍ଡ ନୁଆଁଇବେ, ଏତିକି ହେଉଥିଲା ପର୍ଯ୍ୟନ୍ତ ସେମାନେ ଶିକ୍ଷାରେ ମଧ୍ୟ ଉନ୍ନତି ହେଉଚି ବୋଲି ଧରିନିଅନ୍ତି । ହୁଏତ ସେମାନେ ଆଉ କିଛିହେଲେ ଚାହାନ୍ତି ନାହିଁ ।

 

୨୭ । ୩ । ୬୧

 

The university in India is a closed community ବିଶେଷତଃ ବର୍ତ୍ତମାନ ସ୍ଥିତିକୁ ଦେଖିଲେ ଏପରି ଏକ ନିଷ୍ପତ୍ତିରେ ଅବଶ୍ୟ ପହଞ୍ଚିବାକୁ ପଡ଼ିବ । University ଶବ୍ଦର ମୂଳରେ ‘ବିଶ୍ଵ’ ଶବ୍ଦ ନିହିତ ରହିଚି । ବିଶ୍ଵବିଦ୍ୟାଳୟ ଭିତରେ ଜ୍ଞାନର ଚର୍ଚ୍ଚା ହେଉଥାନ୍ତା, ଦୃଷ୍ଟିର ପ୍ରସାର ହେଉଥାନ୍ତା ଏବଂ ସମସ୍ତ ବିଶ୍ଵଲାଗି ଏହାର ଦ୍ଵାର ଉନ୍ତୁକ୍ତ ହୋଇ ରହିଥାନ୍ତା । କିନ୍ତୁ ଆମ ଦେଶରେ ବିଶ୍ୱବିଦ୍ୟାଳୟମାନଙ୍କରେ ଜ୍ଞାନର ଚର୍ଚ୍ଚା ହେବା କୋଉଦିନୁଁ ବନ୍ଦହୋଇ ସାରିଲାଣି,–ଦୃଷ୍ଟିର ପ୍ରସାର ହେବା ତ ଦୂରର କଥା । ଆମ ବିଶ୍ୱବିଦ୍ୟାଳୟମାନଙ୍କର କୌଣସି ସ୍ଵୀକାୟ ଦୃଷ୍ଟିକୋଣ ମଧ୍ୟ ନାହିଁ । ଏହା କ୍ରମେ ଏକ ଅଚଳାୟତନରେ ପରିଣତ ହୋଇ ସାରିଲାଣି । ବାହାର ସହିତ ଏହାର ଖୁବ୍‍ ବେଶି ସମ୍ପର୍କ ନାହିଁ । ବିଶ୍ୱବିଦ୍ୟାଳୟର ସ୍ଵତନ୍ତ୍ରତା ନାମରେ ତାହା ଆପଣାକୁ ଏକ ବିଚ୍ଛିନ୍ନ ଦ୍ଵୀପରେ ପରିଣତି କରିରଖିଚି । ଜ୍ଞାନ ମଣିଷକୁ ମୁକ୍ତ କରେ, କିନ୍ତୁ ଆମ ବିଶ୍ୱବିଦ୍ୟାଳୟଗୁଡ଼ିକ ଆମକୁ ମୁକ୍ତ କରିବା ପରିବର୍ତ୍ତେ ଅନ୍ଧ ହିଁ କରିଦେଉଚି, ଜ୍ଞାନଦୀପ୍ତ କରିବା ପରିବର୍ତ୍ତେ ଅର୍ଥଲୋଭୀ କରି ପକାଉଚି । ଜ୍ଞାନର ଆଦର କରିବା ଓ ଜ୍ଞାନ ଲାଗି ପ୍ରୋତ୍ସାହନ ଦେବା ଆଗେ ବିଶ୍ଵବିଦ୍ୟାଳୟର ନୀତି ହୋଇ ରହିଥିଲା । ଏବେ ଆପଣା ପାଚେରୀର ଚାରିସୀମା ଭିତରେ ଯାହା ଫଳୁଛି, କେବଳ ତାହାକୁ ହିଁ ଜ୍ଞାନ ବୋଲି କହିବା ଏବଂ ଚାରିସୀମାର ବାହାରେ ବିକଶିତ ହୋଇ ଆସିଥିବା ଯାବତୀୟ ପ୍ରତିଭାକୁ ଅତ୍ୟନ୍ତ ଉଗ୍ର ଭାବରେ ଅସ୍ଵୀକାର କରିବା ହିଁ ବିଶ୍ଵବିଦ୍ୟାଳୟର ଧର୍ମ ହୋଇ ସାରିଲାଣି । ବିଶ୍ଵବିଦ୍ୟାଳୟ ଭିତରେ ଯେଉଁ ବ୍ୟାଘ୍ରମାନେ ଅଛନ୍ତି, ଜ୍ଞାନାର୍ଜନ ଓ ଜ୍ଞାନଦାନ ବିଷୟରେ ସେମାନଙ୍କର କେତେଦୂର କ’ଣ ଉତ୍ସାହ ଅଛି, ସେ କଥା ଭଗବାନ ଜାଣନ୍ତି; କିନ୍ତୁ ସେମାନଙ୍କର ଆଚରଣରୁ ସେମାନଙ୍କ ଭିତରେ ଜ୍ଞାନର ଅବଶେଷ ବି ରହିଥିଲା ପରି ମନେହେଉ ନାହିଁ । ସେଠାରେ କ୍ଷମତା ଲାଗି ପିଟାପିଟି ଚାଲିଚି । ସେଠାରେ ତୋଷଣ ଲାଗି ବାହାରକୁ ଦେଖାଇବାକୁ କେତେ ପ୍ରକାର ଅପକର୍ମର ସୌଧ ତିଆରି ହୋଇ ଚାଲିଚି । ଯେଉଁମାନେ ସତ୍ତାଧରି ବିଶ୍ଵବିଦ୍ୟାଳୟର ଗାଦିରେ ଯାଇ ବସୁଚନ୍ତି, ବିଶ୍ଵବିଦ୍ୟାଳୟରୁ କୌଣସି ପରିମଳ ଶିଖିବା ପରିବର୍ତ୍ତେ ସେମାନେ ଆପଣାର ଦୋଷରେ ହିଁ ବିଶ୍ଵବିଦ୍ୟାଳୟର କାର୍ଯ୍ୟକ୍ରମକୁ ଦୂଷିତ କରି ରଖୁଚନ୍ତି । ଆପଣା ଆପଣାର ଗୋଟାଏ ଲେଖାଏଁ Gang ତିଆରି କରି ସେମାନେ ବିଶ୍ୱବିଦ୍ୟାଳୟ ଭିତରେ ସବୁ ପ୍ରକାରର କାଣ୍ଡ କରିବାକୁ ପ୍ରସ୍ତୁତ ହୋଇଯାଉଚନ୍ତି । ବିଦ୍ୟାଦାନ କରିବାକୁ ବେଳ ନାହିଁ,–ଆପଣାର ସ୍ଥାନରକ୍ଷା କରିବାରେ ହିଁ ସମସ୍ତ ଶକ୍ତି ଚାଲିଯାଉଚି ।

 

୨୮ । ୩ । ୬୧

 

ତନ୍ତ୍ର ଶାସ୍ତ୍ରରେ ଜ୍ଞାନକୁ ଗୁପ୍ତ କରି ରଖିବାର ପରାମର୍ଶ ଦିଆଯାଇଚି । ବିଶ୍ୱବିଦ୍ୟାଳୟ ଭିତରେ କୌଣସି ଜ୍ଞାନକୁ ଗୁପ୍ତ କରି ରଖାଯିବାର କୌଣସି ପ୍ରଶ୍ନହିଁ ଉଠୁନାହିଁ । କାରଣ, ସମଗ୍ର ଭାବରେ ବିଚାର କରି ଦେଖିଲେ ଆଜି ସେଠାରେ କୌଣସି ଜ୍ଞାନର ଚର୍ଚ୍ଚା ହିଁ ହେଉନାହିଁ । ତୁଚ୍ଛା ଅଜ୍ଞାନର ଆବରଣମାନ ତିଆରି ହେଉଚି ଓ ନାନାପ୍ରକାର ଆଚ୍ଛାଦନ ଓ ଉପଚାର ଦ୍ଵାରା ସେହି ଅଜ୍ଞାନର ଅଜ୍ଞାନତାକୁ ଘୋଡ଼ାଇ ରଖିବାର ପ୍ରୟାସ କରାଯାଉଚି । ଅଧ୍ୟାପନାର ଆଡ଼ମ୍ବର ଭିତରେ ଅର୍ଥବୁଦ୍ଧିକୁ ଘୋଡ଼ାଇ ରଖାଯାଉଚି । ଜ୍ଞାନ ନିର୍ମଳତାର ବଡ଼କଥା ଭିତରେ ନାନା ସଙ୍କୀର୍ଣ୍ଣତାକୁ ଘୋଡ଼ାଇ ରଖିବାର ଚେଷ୍ଟା କରାଯାଉଚି । ଆଗେ ଜ୍ଞାନ ପ୍ରାପ୍ତି ପୂର୍ବରୁ ଜ୍ଞାନଲାଗି ଅଧିକାର ଅର୍ଜନ କରିବାକୁ ପଡ଼ୁଥିଲା । କିନ୍ତୁ ଆଜି ସେହି ଅଧିକାରର କୌଣସି ପ୍ରସଙ୍ଗ ହିଁ ଉଠୁନାହିଁ । ପାଖରେ ଡିଗ୍ରୀର ପାସ୍‌ପୋର୍ଟ ଅଛି ଓ କୌଣସି ସତ୍ତାଧିଶ ସହିତ ପରିଚୟ ରହିଚି ତ ବିଶ୍ଵବିଦ୍ୟାଳୟରେ ପ୍ରବେଶ କରିବାକୁ ଆଉ କୌଣସି ବାରଣ ରହୁନାହିଁ । ଏପରି ଲୋକ ଏପରି ବାଟରେ ପଶି ବିଶ୍ଵବିଦ୍ୟାଳୟରେ କରିବେ ବା କ’ଣ ? ସେମାନେ ବିଶ୍ଵବିଦ୍ୟାଳୟକୁ ଦୂଷିତ ହିଁ କରୁଚନ୍ତି, କ୍ଷମତା ପାଇ ଅପର ସହିତ ଲଢ଼ୁଚନ୍ତି । ଭୀରୁ ଭାବରେ ଆପଣାର ରକ୍ଷା କରିବାକୁ ଯାଇ ପଛରୁ ଅପରର ଗୋଡ଼ ଟାଣି ଦେବାରେ ବ୍ୟସ୍ତ ରହୁଚନ୍ତି, ଆପଣାର ପାଷାଣ୍ଡତାକୁ ଜାରି କରି ରଖୁଚନ୍ତି । ପୁଣି ସେଇମାନେ ହିଁ ବକ୍ତୃତା ଦେଲା ବେଳକୁ ଶିକ୍ଷାର ଦୁର୍ଦ୍ଦଶା ଓ ଅବନତି ଲାଗି ଦୁଃଖ ପ୍ରକାଶ କରୁଚନ୍ତି, ସେଇମାନେ ହିଁ ଦେଶୀବାସୀଙ୍କୁ ପରାମର୍ଶ ଦେବାକୁ ବାହାରୁଚନ୍ତି । ବେଶ୍‍ ଭଲ ଅଭିନୟ ଏହି ଦେଶରେ ଚାଲିଚି । ଯେଉଁ ଦେଶର ବିଶ୍ୱବିଦ୍ୟାଳୟ ଦୂଷିତ ହୋଇଯାଇଚି, ସେହି ଦେଶର ଜଳବାୟୁ ମଧ୍ୟ ଦୂଷିତ ହୋଇଯିବା ଅତ୍ୟନ୍ତ ସ୍ଵାଭାବିକ ।

 

୨୯ । ୩ । ୬୧

 

ଆରେ ମୋର ଅଥୟ ମନ, ତୋତେ ତଥାପି ଥୟ ଧରି ରହିବାକୁ ପଡ଼ିବ । ତୋ’ର କ୍ଷଣକ୍ଷଣର ସକଳ ଅବିଶ୍ଵାସ ସତ୍ତ୍ୱେ ତୋତେ ତଥାପି ବିଶ୍ଵାସ ଧରି ରହିବାକୁ ପଡ଼ିବ । ସାରା ସଂସାରରେ ସବୁଠାରେ ସବୁ ବିଶ୍ଵାସର ଥଳ ଭୁଷୁଡ଼ି ପଡ଼ୁଥିଲେ ମଧ୍ୟ ତଥାପି ନିଜ ଭିତରେ ବିଶ୍ଵାସର ଉତ୍ସକୁ ସନ୍ଧାନ କିପରି ତାହାରି ଉପରେ ବଞ୍ଚିରହିବାକୁ ପଡ଼ିବ । ମୁଁ ସଂସାରଟାଯାକକୁ ମୋ’ ହୃଦୟର ଅତି ପାଖରେ ଧରି ରଖିବାକୁ ଇଚ୍ଛା କରୁଚି....ତଥାପି ସମସ୍ତଙ୍କ ପାଖରୁ ବଞ୍ଚିତ ହେବାର ଦୁର୍ଭାଗ୍ୟକୁ ହଜମ କରିବାକୁ ହେବ । ତୋର ଏ ଜୀବନରେ ଖେତ ଲାଗି କୌଣସି ଅବକାଶ ନାହିଁ ବା ଅଭିମାନ ଲାଗି କୌଣସି ଅବକାଶ ନାହିଁ । ତାହାହିଁ ତୋର ପରମ ସୌଭାଗ୍ୟ । ଏହି ସୌଭାଗ୍ୟର ସମ୍ପୂର୍ଣ୍ଣ ଅର୍ଥ ବୁଝିବାଲାଗି ତୋତେ ଯୋଗ୍ୟ ହେବାକୁ ପଡ଼ିବ । ତୁ ଭାବୁଚୁ, ତୋ ଘରେ ସବୁବେଳେ କାହାର ହସଖେଳ ଲାଗି ରହିଥାନ୍ତା, କାହାର ଆଖି ଭିତରେ ହସର ଉତ୍ସରଣ ଦେଖି ତୋ’ ମୁହଁରୁ ହସର ସମର୍ଥନ ଅଜାଡ଼ି ହୋଇ ପଡ଼ୁଥାନ୍ତା । ଏତେ ଆଶା କରୁଚୁ, ତୋର ଏହି ଛୋଟିଆ ଘର ଭିତରେ ତୁ ସଂସାରଯାକର ସମସ୍ତଙ୍କର ସଙ୍ଗଲାଭ କରିବା ଲାଗି ଆକାଙ୍‌କ୍ଷା ରଖୁଚୁ, ଇଏ ଭାରି ଭଲ କଥା । ତୋର ଏହି ଉଚ୍ଚାଭିଳାଷ ଲାଗି ମୁଁ ତୋତେ ଅଭିନନ୍ଦନ ଜଣାଉଚି । କିନ୍ତୁ ଏତେ ଆଶା କରି ଘରକୁ ଫେରିଆସି ଯେତେବେଳେ ଘରଟାକୁ ତୁ ଖାଲି ଖାଲି ଦେଖୁଚୁ, ସେତେବେଳେ ତୋର କୌଣସି ପ୍ରକାର ନୈରାଶ୍ୟ ଓ ଉତ୍ତେଜନାର ବଶବର୍ତ୍ତୀ ହେବା ଉଚିତ ନୁହେଁ-। ହଠାତ୍ ଆପଣାକୁ ଏପରି ନିଦାରୁଣ ଭାବରେ ନିଃସଙ୍ଗ ବୋଲି ଭାବିବା ଆଦୌ ଉଚିତ ନୁହେଁ । ଥୟ ଧରି ଥରେ ଆପଣା ଭିତରକୁ ଅନାଇ ଅନୁଭବ କରି ଦେଖିଲୁ, ତୁ କ’ଣ ପ୍ରକୃତରେ ନିଃସଙ୍ଗ ? ସତରେ କ’ଣ ତୋର ଏହି ଘର ଏପରି ଘର ନିଦାରୁଣ ଭାବରେ ଶୂନ୍ୟ ହୋଇ ରହିଚି-? ଏହି ସଂସାରରେ ତୁ କ’ଣ ସତରେ ଏକାକୀ ? ସଂସାରରେ ଆହୁରି ଅଧିକ ଏକାକୀ ଅଧିକ ନିଃସଙ୍ଗ ମଣିଷ କେତେକେତେ ଅଛନ୍ତି, ସେମାନଙ୍କର ସଙ୍ଗୀ ହେବାକୁ ତିଆରି ହୋଇ ଯା’-

 

୩୦ । ୩ । ୬୧

 

ସଂସାରରେ ଆଜି ଆହୁରି ଅନେକ ଅନେକ ଲୋକଙ୍କର ଆଖିରୁ ଲୁହ ଶୁଖିନାହିଁ । ସେମାନଙ୍କର ନାନା ଦୁଃଖ ଓ ସନ୍ତୋଷର କାରଣମାନ ଏପର୍ଯ୍ୟନ୍ତ ମଧ୍ୟ ଏହି ସଂସାର ଭିତରେ ଅତ୍ୟନ୍ତ ପ୍ରବଳ ଭାବରେ ବଳବତ୍ତର ରହିଚି । ସେମାନଙ୍କ ପାଖକୁ ଯିବାକୁ ହେବ, ଆପଣା ଓଠର ହସଦ୍ୱାରା ସେଠି ଆପଣାର ରେଖା ସଞ୍ଚାର କରିବାକୁ ହେବ । ସେମାନେ ତୋରି ହସ ଲାଗି ଅପେକ୍ଷା କରି ବସୁଚନ୍ତି । ତେଣୁ ଆପଣାର ଏକାକୀ ଜୀବନଟାକୁ ଉଖାରି ସନ୍ତପ୍ତ ହୋଇ ପଡ଼ିବାକୁ ତୋର ବଳ କାହିଁ ? ଆପଣାକୁ ସବୁଠାରୁ ଅଧିକ ଦୁଃଖୀ ବୋଲି ମନେକରି ଘାରି ହେବାକୁ ବେଳ କାହିଁ ? ଆପଣାକୁ କେବଳ ବଞ୍ଚିତ ବୋଲି ମନେକରୁଥିବା ପର୍ଯ୍ୟନ୍ତ ସଂସାରକୁ ବଞ୍ଚନା କରିବା ହିଁ ସାର ହେବ । ଏଠି ଦାବି କରିବାକୁ ବେଳ ନାହିଁ, କେବଳ ଦେବାକୁ ହିଁ ବାକି ରହିଚି । ସଂସାରର ଜୀବନ ଦାଣ୍ଡରେ ଭୋଗଲୁଟିର ପ୍ରତିଯୋଗିତାରେ ଦଉଡ଼ିବା ସକାଶେ ତୁ ତିଆରି ହୋଇନାହୁଁ । ସେହି ଧାତୁରେ ଗଢ଼ା ହୋଇଥିବା ବହୁ ଲୋକ ଏହି ସଂସାରରେ ଅଛନ୍ତି, ସେମାନଙ୍କର ପ୍ରାବଲ୍ୟରୁ ସବୁଠାରେ ସର୍ବଦା କେତେକେତେ ଲୁଟି ଚାଲିଚି । କିନ୍ତୁ ସେ ବାଟ ତୋର ନୁହେଁ, ତେଣୁ ସେହି ବାଟ ତୋର ଭଲ ବାଟ ନୁହେଁ । ତୋତେ କୌଣସି ପ୍ରତିଯୋଗିତା ଭିତରେ ପଶିବାକୁ ପଡ଼ିବନାହିଁ । ସଂସାରରେ ଏପର୍ଯ୍ୟନ୍ତ ବାଟ ଚାଲି ତୁ ଯେତିକି ପାଇଚୁ, ଯେତିକି ଜାଣିଚୁ, ଯେତିକି ଅନୁଭବ କରିଚୁ, ତାହାକୁ ଆପଣା ଜୀବନର ଏକ ଆନନ୍ଦମୟ ଏକକ ମାଧ୍ୟମରେ ତୋତେ ସମସ୍ତ ଜଗତକୁ ଦେବାକୁ ହିଁ ପଡ଼ିବ । ଏହି ସେହି ଦେବାରେ ହିଁ ତୋତେ ଖୁସି ହୋଇ ରହିବାକୁ ପଡ଼ିବ । ସମସ୍ତଙ୍କ ପାଖରେ କେବଳ ଦାବି କରି ବୁଲିବାର କାଙ୍ଗାଳ ବୁଦ୍ଧି ତୁ ଛାଡ଼ିଦେ’ । ତୁ ପ୍ରକୃତରେ କାଙ୍ଗାଳ ନୋହୁ, ତୁ ପ୍ରକୃତରେ ଦରିଦ୍ର ନୋହୁଁ ବା ବଞ୍ଚିତ ନୋହୁଁ । ତୋ’ ସମ୍ପଦରେ ଆବିଷ୍କାର କେବଳ ତୋତେ ହିଁ କରିବାକୁ ହେବ । ସେହି ସମ୍ପଦକୁ ଆପଣା ଖୁସିରେ ତୋତେ ସବୁରି ଲାଗି ପ୍ରସ୍ତୁତ କରି ରଖିବାକୁ ପଡ଼ିବ । ନାନ୍ୟଃ ପନ୍ଥା ବିଦ୍ୟତେ ଅୟନାୟ ।

 

୩୧ । ୩ । ୬୧

 

ଆରେ ବାବୁ, ତୁମମାନଙ୍କ ପାଖରେ ଡିଗ୍ରୀ ଥାଇପାରେ, କିନ୍ତୁ ଭୟ ଥିବା ପର୍ଯ୍ୟନ୍ତ ତୁମେମାନେ କଦାପି ଶିକ୍ଷକ ହୋଇପାରିବ ନାହିଁ । କେବଳ ଗୋଲାମ ହୋଇ ରହିଥିବ । ତୁମର ପୋଷାକ, ତୁମର ବକ୍ତିମା ଓ ତୁମର କ୍ଷମତା ତୁମର ଅପାରଗତାକୁ ଅଧିକରୁ ଅଧିକ ବାହାରେ ଆଣି ପକାଇ ଦେଉଥିବ । ବାବୁଗିରି ଦେଖାଇ ତୁମେ ଆପଣାର ଅଯୋଗ୍ୟତାକୁ ଘୋଡ଼ାଇ ରଖିପାରିବ ନାହିଁ । ତୁମମାନଙ୍କର ଅଯୋଗ୍ୟତା ହିଁ ଆଜି ଚତୁର୍ଦ୍ଦିଗରେ ଦେଖିବାକୁ ମିଳୁଚି, ସେହି ଅଯୋଗ୍ୟତାର ଆଘାତ ହିଁ ନାନାପ୍ରକାର ବିଶୃଙ୍ଖଳା ହୋଇ ଚତୁର୍ଦ୍ଦିଗରେ ବାଜିବାକୁ ଲାଗିଚି । ବଡ଼ ଦୁଃଖର ସହିତ କହିବାକୁ ପଡ଼ିବ ଯେ ତୁମର ଶିକ୍ଷାକ୍ଷେତ୍ରକୁ ଆସିବା ଆଦୌ ଉଚିତ ନଥିଲା । କି ଭୁଲ କରି ତୁମେ ଶିକ୍ଷାକ୍ଷେତ୍ର ଭିତରେ ଅଧିକ ଭୟ ପୂରାଇ ଦେବାକୁ ଆସିଲ, ଶିକ୍ଷାକ୍ଷେତ୍ର ଭିତରେ କ୍ଷମତା, ଆଇନ୍‍ ଓ ଖାତିରି ଖୋଜିବାକୁ ଆସିଲ । ଏହାଦ୍ୱାରା ତୁମମାନଙ୍କର କ’ଣ ହୋଇଥିବ, ମୁଁ ସେକଥା କହି ପାରୁନାହିଁ, କିନ୍ତୁ ଶିକ୍ଷାକ୍ଷେତ୍ର ଦୂଷିତ ହୋଇଗଲା । ଏବଂ ଶେଷକୁ, ତୁମ ଭିତରେ ଖାଲି ଭୟ ବ୍ୟତୀତ ଯେ ଆଉ କିଛି ନାହିଁ, ସେହିକଥାଟା ହିଁ ଧରାପଡ଼ିଗଲା । ଏହା ପ୍ରକୃତରେ କେଡ଼େବଡ଼ ଲଜ୍ଜାର କଥା ! ତୁମେ ମଧ୍ୟ ଦିନେ କୌଣସି ଶିକ୍ଷାକ୍ଷେତ୍ରରେ ପାଠ ପଢ଼ିଥିବ, ସେଠାରେ ବିଦ୍ୟାର୍ଥୀ ହିସାବରେ ଜଗତ ଓ ଜୀବନକୁ ଦେଖିବାର ସୁଯୋଗ ମଧ୍ୟ ପାଇଥିବ,–କିନ୍ତୁ ସେଥିରୁ କ’ଣ ତୁମେ କିଛି ଶିଖିପାରିଲା ନାହିଁ ? ଉପରର ପରସ୍ତଟାକୁ ଭେଦ କରି ଟିକିଏ ହେଲେ ଗଭୀରକୁ ଯାଇ ପାରିଲନାହିଁ ? ସଂସାରକୁ ବଦଳାଇବା ତୁମଦେଇ ନହେଲା ପଛକେ, ଅନ୍ତତଃ ତୁମେମାନେ ଆପେ ଶିଖିଥାନ୍ତ, ଆପଣାକୁ ଯୋଗ୍ୟ ଓ ପରିପକ୍ଵ କରି ଗଢ଼ି ପାରିଥାଆନ୍ତି । ମାତ୍ର ତୁମଦ୍ଵାରା ଏତିକି ମଧ୍ୟ ସମ୍ଭବ ହୋଇପାରିଲା ନାହିଁ । ଅର୍ଥର ଦାସ ହୋଇ, କ୍ଷମତାର ଦାସ ହୋଇ ଏବଂ ଭୟକୁ ଆପଣାର ପ୍ରଧାନ ପୁଞ୍ଜି କରି ଧରି ତୁମେ ଶିକ୍ଷାଳୟ ଭିତରେ ପ୍ରବେଶ କଲ,–ଏବଂ ଶିକ୍ଷାର ଲୟ କରିବା ହିଁ ତୁମର ଏକମାତ୍ର ଅପକୀର୍ତ୍ତି ହୋଇ ରହିଲା । ଚାରିଆଡ଼ର ଏହି ଯେଉଁ ବିଶୃଙ୍ଖଳା, ଦେଶ ଭରି ବିଦ୍ୟାର୍ଥୀ ମହଲରେ ଏହି ଯେଉଁ ଉଗ୍ରତା ଓ ଅସନ୍ତୋଷ, ଏଥିପାଇଁ ମୁ ସବାଆଗ ତୁମକୁ ହିଁ ଦାୟୀ କରିବି । ତୁମର ଭୟ ହିଁ ସବୁଯାକ ପ୍ରମାଦକୁ ସୃଷ୍ଟି କରୁଚି । ତୁମର ଅଯୋଗ୍ୟତା ହିଁ ସଂସାରରୁ ଆଜି ସବୁ ବିଦ୍ୟାର ଲୋପ କରି ତରୁଣକୁ ପଥ ଭୁଲାଇ ଦେଉଚି, ଉଗ୍ର ଏବଂ ଉତ୍ତେଜିତ କରି ପକାଉଚି ।

 

୧ । ୪ । ୬୧

 

ବୋକା ବନିବାକୁ ଆଉ ବାକି ରହିଚି ଯେ ମୁଁ ଆଜି ନୂଆ କରି ବୋକା ବନିବାକୁ ଯିବି ? ପ୍ରତ୍ୟେକ ବର୍ଷ ମୁଁ ବୋକା ବନି ବନି ଚାଲିଚି । ପିଲାଦିନେ ମୁଁ ସଂସାରଟାକୁ ଯାହା ବୋଲି ମନେ କରୁଥିଲି, ନାନା ବରଷର ଅଭିଜ୍ଞତା ମୋତେ ସେହି ବିଷୟରେ ବୋକା ବନାଇ ଦେଇଚି । ନୂଆ ଯୌବନରେ ପଦାର୍ପଣ କଲାବେଳେ ମୁଁ ଭାବୁଥିଲି ଯେ ଗୋଟାଏ ବିଦ୍ରୋହରେ ବା ଗୋଟାଏ ବିପ୍ଲବରେ ଖାଲି ମୋ’ର ଏହି ଦେଶଟାର କାହିଁକି, ସଂସାରଟାଯାକର ସବୁ ସମସ୍ୟା ସୁଧୁରିଯିବ । ମୋ’ର ସେହି ଉତ୍ତେଜିତ ସହଜ ବିଶ୍ଵାସ ଆଜି ବୋକା ବନିଯାଇଚି । ଦିନେ ହୁଏତ ମୁଁ ଭାବୁଥିଲି ଯେ, କେବଳ ଗୋଟାଏ ବଡ଼ ଆଦର୍ଶକୁ ଧରି ରଖିଥିଲେ ମଣିଷ ବଳେବଳେ ବଡ଼ ହୋଇଯିବ, ଗୋଟାଏ ବଡ଼ ଦେଉଳରେ ଫୁଲ ନେଇ ଚଢ଼ାଇ ପାରିଲେ ମଣିଷ ବଳେବଳେ ଭକ୍ତ ହୋଇଯିବ । ମୋ’ର ସେହି ପ୍ରତ୍ୟୟଗୁଡ଼ିକ ଆଜି ବିଲକୁଳ ବୋକା ବନିଯାଇଚି । କିନ୍ତୁ ଏହି ବୋକା ବନିବା ସଙ୍ଗେସଙ୍ଗେ ମୁଁ ନିଜକୁ ମଧ୍ୟ ଅଧିକ ଗଭୀର ଓ ବ୍ୟାପକ ଭାବରେ ବୁଝିବାକୁ ଚେଷ୍ଟା କରିଚି, ସଂସାରକୁ ମଧ୍ୟ ଅଧିକ ଗଭୀର ଓ ବ୍ୟାପକ ଭାବରେ ବୁଝିବାକୁ ଚେଷ୍ଟା କରିଚି । ଜ୍ଵର କମିଯାଇଚି, ଅଧୀରତା କମିଯାଇଚି, ଅସହିଷ୍ଣୁତା କମିଯାଇଚି; ଆପଣାକୁ ଲୁଚାଇକରି ରଖିବାର ମନ୍ଦ ବୃତ୍ତି ମଧ୍ୟ କମି ଯାଇଛି । ମୋ’ ଜୀବନରେ ଯାହା ହେବ, ସେଥିପାଇଁ ମୋତେ ପ୍ରସ୍ତୁତ ହେବାକୁ ପଡ଼ିବ । ଜୀବନର ବୃହତ୍ତର କ୍ଷେତ୍ରରେ ମୁଁ ଯାହା କରିବି, ଜୀବନର କ୍ଷୁଦ୍ରତମ କ୍ଷେତ୍ରରେ ମଧ୍ୟ ମୋତେ ପ୍ରସ୍ତୁତ ହେବାକୁ ପଡ଼ିବ । ମୋ’ର ପ୍ରତ୍ୟେକ ବାଟଚଲା ପାଇଁ ମୋତେ ଆପଣାର ଅନ୍ତର ଭିତରୁ ସ୍ଵୀକାର ପାଇବାକୁ ପଡ଼ିବ । ପ୍ରତ୍ୟେକ ମଣିଷ ପ୍ରସ୍ତୁତ ହେଲେ ଜଗତ ପ୍ରସ୍ତୁତ ହେବ । ନିଶା ଖାଇ ବସିଥିବା ପର୍ଯ୍ୟନ୍ତ ଆମେ କେହି ପ୍ରସ୍ତୁତ ହୋଇପାରିବା ନାହିଁ ।

 

୨ । ୪ । ୬୧

 

ରବିନ୍ଦ୍ରନାଥଙ୍କର ଜନ୍ମର ଏ ବର୍ଷ ଶତବର୍ଷ ପୂର୍ଣ୍ଣ ହେଉଚି । ସେଥିଲାଗି ନାନା ଦେଶରେ ଓ ନାନା ସ୍ଥାନରେ ତାଙ୍କର ଶତବାର୍ଷିକୀ ପାଳନ କରାହେଉଚି, ଆମ ଦେଶରେ ତ ବିଶେଷ ଭାବରେ ପାଳନ କରାଯିବାର ହିଁ କଥା । ଏ ବର୍ଷ ମୁଁ ମଧ୍ୟ ବ୍ୟକ୍ତିଗତ ଭାବରେ ଜୀବନର ସେହି ଗୁରୁଦେବଙ୍କୁ ବିଶେଷ କରି ସ୍ମରଣ କରିବି । ଦୁଃଖବେଳେ ରବୀନ୍ଦ୍ରନାଥଙ୍କର କବିତା ବହୁତ ସାନ୍ତ୍ଵନା ଦେଇଥାଏ । କିନ୍ତୁ ଦୁଃଖକୁ ଭୁଲିବା ପାଇଁ ନୁହେଁ, ଦୁଃଖକୁ ବୁଝିବା ପାଇଁ । ଜୀବନର ନାନା କ୍ଷଣରେ ରବୀନ୍ଦ୍ର–ସାହିତ୍ୟ ଅନେକ ଆଶ୍ରୟ ଦାନ କରିଥାଏ । କିନ୍ତୁ ଜୀବନରୁ ହଟିଯାଇ ପଳାଇଯାଇ ଆଉ କେଉଁଠି ଆଶ୍ରୟ ନେଇ ଲୁଚି ରହିବାକୁ ନୁହେଁ, ଜୀବନକୁ ଅଧିକ ଗଭୀର ଭାବରେ ବୁଝିବା ପାଇଁ ଓ ଅଧିକ ଗଭୀର ଭାବରେ ଭଲପାଇବା ପାଇଁ । ମୁଁ ରବୀନ୍ଦ୍ର–ସାହିତ୍ୟକୁ କେବେ ସଂସାର ପ୍ରତି ବିସ୍ମୃତ ହୋଇ ରହିବାର ନିଶା ପରି ବ୍ୟବହାର କରିନାହିଁ । ବିଳାସୀ ଭୋଗଜୀବୀମାନେ ଯେପରି ସୁରାପାନ–ସଭାର ଆୟୋଜନ କରିବା ପରି ସାହିତ୍ୟସଭାର ଆୟୋଜନ କରନ୍ତି, ସାତ ଦିନରେ ବା ମାସକରେ ଟିକିଏ ଭାବମଜ୍ଜିତ ହେବା ସକାଶେ କବିତାର ଆବୃତ୍ତି କରନ୍ତି, ନାଟକର ଅଭିନୟ କରନ୍ତି ବା ଉପନ୍ୟାସରେ ଚିତ୍ରିତ ହୋଇଥିବା କୌଣସି ସମସ୍ୟାର ଆଲୋଚନା କରି ଗଦ୍‍ଗଦ ହୋଇଯାଆନ୍ତି, ସେପରି କରିବାରେ ବା ସେପରି ଆୟୋଜନରେ କୌଣସି ପ୍ରକାର ଭାଗନେବାରେ ମୁଁ କେବେ କୌଣସି ଆଗ୍ରହ ଅନୁଭବ କରିନାହିଁ । ରବୀନ୍ଦ୍ରନାଥ ମୋ’ର ଏହି ଜୀବନକୁ ବୁଝିବା ଲାଗି ମୋତେ ଅଧିକ ଶ୍ରଦ୍ଧା ଓ ପ୍ରେରଣା ଦେଇଚନ୍ତି, ମୋତେ ସେ ଏହି ଜୀବନକୁ ଆକର୍ଷିତ କରି ଆଣିଚନ୍ତି, ଆପଣାର ଓ ଅନ୍ୟ ସମସ୍ତଙ୍କର ଜୀବନରେ ସିଏ ଅନେକ ସତ୍ୟ ଓ ଶ୍ରଦ୍ଧାସ୍ଥଳ ଆବିଷ୍କାର କରିବା ପାଇଁ ଅନେକ ପ୍ରେରଣା ଦେଇଚନ୍ତି । ତାଙ୍କୁ ଆପଣାର କରି ମୋତେ ଧୂଳିଠାରୁ ମଣିଷର ଚାହାଣି ପର୍ଯ୍ୟନ୍ତ ସବୁକିଛି ଅତ୍ୟନ୍ତ ଆପଣାର ବୋଲି ମନେ ହୋଇଚି । ପତର, ଫୁଲ, ସକାଳ ଓ ସଞ୍ଜ ଆକାଶ ସବୁକିଛି ଭାରି ଆପଣାର ବୋଲି ମନେ ହୋଇଚି । ଏହି ଜୀବନରେ ଯେ କେତେ କ’ଣ ସମ୍ଭାବନା ରହିଚି, ସେ ବିଷୟରେ ମୁଁ ଯେତିକି ବୁଝିବା ଲାଗି ଚେଷ୍ଟା କରିଚି, ଆପଣା ପ୍ରତି ମୋର ସେତିକି ସମ୍ମାନ ଜାତ ହୋଇପାରିଚି ।

 

୩ । ୪ । ୬୧

 

ଆଜି ପିଲାମାନଙ୍କର ଶେଷ ପରୀକ୍ଷା । ଏହି ପବିତ୍ର ବେଳାରେ ମୁଁ ସେମାନଙ୍କର ଶୁଭ ମନାସୁଚି । ସେମାନଙ୍କର ମଙ୍ଗଳ ହେଉ । ସେମାନଙ୍କର ଇଚ୍ଛା ପରିପୂର୍ଣ୍ଣ ହେଉ; କେବଳ ପରୀକ୍ଷା ନିମନ୍ତେ ନୁହେଁ, ପରୀକ୍ଷା ପରେ ମଧ୍ୟ ବୃହତ୍ତର ଜୀବନର ନାନା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସମୟରେ ସେମାନଙ୍କର ଇଚ୍ଛା ପରିପୂର୍ଣ୍ଣ ହେଉ । ଏହିମାନଙ୍କ ସହିତ ମୋ’ର ତିନୋଟି ବର୍ଷ ଏକାଠି ଅତିବାହିତ ହୋଇଚି ଏମାନଙ୍କୁ ଭାରି ଆପଣାର କରି ଚିହ୍ନିବାର ବହୁ ସମୟ ମିଳିଛି । ସେହି ପରିଚୟ ସକାଶେ ମୁଁ ସେମାନଙ୍କ ପାଖରେ ଚିରଦିନ ଅତ୍ୟନ୍ତ କୃତଜ୍ଞ ରହିବି । ମୁଁ ସେମାନଙ୍କୁ ଶ୍ରଦ୍ଧା କରେ । ମୋ’ର ମତଠାରୁ ସେମାନଙ୍କର ମତ ହୁଏତ ଏକାବେଳେକେ ଭିନ୍ନ, ମୋ’ର ଦୃଷ୍ଟିକୋଣଠାରୁ ସେମାନଙ୍କର ଦୃଷ୍ଟିକୋଣ ସମ୍ପୂର୍ଣ୍ଣ ସ୍ଵତନ୍ତ୍ର । ତଥାପି ମୁଁ ସେମାନଙ୍କୁ କଦାପି ପଥଭ୍ରଷ୍ଟ ବୋଲି କହିବି ନାହିଁ । ସେମାନଙ୍କ ପ୍ରତ୍ୟେକଙ୍କ ଠାରେ ମୋ’ର ଯଥେଷ୍ଟ ବିଶ୍ଵାସ ରହିଚି । ସଂସାରର ଓ ଦେଶର ନାନା ନେତୃତ୍ଵ ପଥଭ୍ରଷ୍ଟ ହୋଇ ଗଲାବେଳେ ସେମାନେ ତଥାପି ଆପଣା ଆପଣା ରୀତିରେ ଆପଣା ଲାଗି ପଥଟିଏ ତିଆରି କରି ଜୀବନରେ ତିଷ୍ଠି ରହିବାକୁ ଚେଷ୍ଟା କରୁଚନ୍ତି,–ହୁଏତ କେତେକ ବିଶ୍ଵାସ ଓ ମୂଲ୍ୟବୋଧକୁ ଭିତ୍ତି କରି ସେମାନେ ଠିଆ ହେବାକୁ ଚେଷ୍ଟା କରୁଚନ୍ତି । ପ୍ରତ୍ୟେକ ଶିକ୍ଷାରେ ପ୍ରକୃତରେ ଏହିଥିରେ ହିଁ ଗର୍ବ ଅନୁଭବ କରିବା ଉଚିତ । ସେମାନଙ୍କର ଦୃଷ୍ଟି ଓ ସେମାନଙ୍କର ବାଟରେ ଟିକିଏ ଅଧିକ ଉତ୍ସାହ ଭରିଦେବାରେ ଯଦି ମୁଁ କିଞ୍ଚିତ ସମର୍ଥ ହୋଇଥାଏ, ଜୀବନ ପ୍ରତି ସେମାନଙ୍କର ସରାଗ ବଢ଼ାଇବାରେ ମୁଁ ଯଦି ସେମାନଙ୍କୁ କିଞ୍ଚିତ୍‍ ସାହାଯ୍ୟ କରିଥାଏ, ତେବେ ମୁଁ ମୋ’ର ଶ୍ରମ ସଫଳ ହୋଇଚି ଅବଶ୍ୟ ମନେ କରିବି ।

 

୪ । ୪ । ୬୧

 

ମୋ’ର ସବୁକିଛି ଚାଲିଗଲା, ଖିଅ ଛିଡ଼ିଗଲା, ସବୁ ଆଶ୍ରା ଛାଡ଼ି ହୋଇଗଲା,–ଏହିପରି ଭାବି ମୁଁ ଅନେକ ସମୟରେ ଭାରି ମ୍ରିୟମାଣ ହୋଇପଡ଼େ । ଘର ଭିତରଟାଯାକ ବଡ଼ ଖାଲି ଖାଲି ଲାଗେ, ହୃଦୟର ପ୍ରାନ୍ତର ଭିତରେ ମୁଁ ସତେ ଅବା ଏକାନ୍ତ ଏକୁଟିଆ ହୋଇ ଠିଆ ହୋଇଥିଲା ପରି ଲାଗେ । ମନେହୁଏ ଯେପରି ମୋତେ ଏକା ଛାଡ଼ିଦେଇ ମୋ’ର ସମସ୍ତ ଖେଳସାଥୀ କୁଆଡ଼େ ଚାଲି ଯାଇଚନ୍ତି । ଉପରେ ଆକାଶକୁ ଅନାଏ, ଏକାକୀ ହୃଦୟର ନିରାଶା ଗୁଡ଼ାକ ସତେ ଅବା ପ୍ରତିଧ୍ୱନି ପରି ହୋଇ ମୋ’ର ଆଖି ଉପରେ ଆସି ଆଘାତ କରିବାକୁ ଲାଗନ୍ତି । ଜୀବନରେ ଏହି ଦଗ୍‌ଧ ହେବାର ମୁହୂର୍ତ୍ତମାନ ଅନେକ ଆସିଚି, ସେତେବେଳେ ଆପଣାର ଦାରିଦ୍ର୍ୟଟା ହିଁ ଆପଣାକୁ ଏକମାତ୍ର ସମ୍ପତ୍ତି ବୋଲି ମନେ ହୋଇଚି । ଆପଣାର କୃପଣତାଟାକୁ କାମୁଡ଼ି ଧରି ପଡ଼ି ରହିବା ବ୍ୟତୀତ ସେତେବେଳେ ଆଉ କୌଣସି ଗତି ହିଁ ରହିନାହିଁ । କିନ୍ତୁ ଏହାହିଁ ମୋ’ର ଜୀବନର ସମ୍ପୂର୍ଣ୍ଣ ଇତିବୃତ୍ତ ନୁହେଁ । ଏହିପରି ଦୁର୍ଦ୍ଦଶାଗ୍ରସ୍ତ ପର୍ଯ୍ୟାୟମାନ ଅତିକ୍ରାନ୍ତ ହୋଇଗଲା ପରେ ମୁଁ ପୁଣି ପଛକୁ ଅନାଇ ଆପଣାମନକୁ ପଚାରିଚି, ଏହି ଆକାଶ, ଏହି ଆଲୋକ ଓ ଏହି ପବନ କ’ଣ ମୋର ନୁହେଁ-? ଏଇ ଫୁଲ ଗଛଟିରେ ଫୁଲ ଫୁଟିଚି । ଶୁଖିଲା ମାଟିର ହୃଦୟକୁ କେତେ ସ୍ନେହରେ ଭେଦାଇ ଦେଇ ପାଣି ମାଡ଼ି ଚାଲିଯାଉଚି । ରାତ୍ରି ଆକାଶର କେତେ ତାରା ମୋ’ରି ଆଡ଼କୁ ଅନାଇ ରହିଚନ୍ତି, ସକାଳେ ଉଠିବା ମାତ୍ରକେ ମୁଁ କେତେ ଜୀବନର ଉତ୍ସ ଭିତରେ ନୂତନ ପ୍ରାଣ ପାଇ ଉଠୁଚି,–ଏସବୁ କ’ଣ ମୋ’ର ନୁହେଁ ? ଏହି ପୃଥିବୀ ଗୋଟାକର ମଣିଷ କ’ଣ ସତରେ ମୋ’ର ନୁହନ୍ତି ? ଏହି ମଣିଷକୁ ସବୁଠାରୁ ବଡ଼ ଭରସା କରି ସିନା ମୁଁ ଯାହାକିଛି ଚିନ୍ତା କରିଚି । ସ୍ଵପ୍ନ ଦେଖିଚି, କେତେ ଉଜ୍ଜ୍ଵଳ ଜୀବନର କଳ୍ପନା କରି କେତେ ଭାସିଯାଇଚି । ଆପଣା ଭିତରେ ମଣିଷର ମହାନ୍‍ ସଖ୍ୟ ମୋ’ ଡାଳମାନଙ୍କରେ କେତେ କେତେ କୁସୁମବିକାଶ ସମ୍ଭବ କରିପାରିଚି । ଏସବୁ କ’ଣ ମୋ’ର ନୁହେଁ ? ବେଳେବେଳେ ମଣିଷ ପାଖରେ ବସି କେତେ ଉଶ୍ଵାସ ଲାଗିଚି, ଭଗବାନ ମୋର ପାଖରେ ଆସି ବସିଥିଲା ପରି ମନେହୋଇଚି । ସେହି ମୁହୂର୍ତ୍ତଗୁଡ଼ିକ କ’ଣ ପ୍ରକୃତରେ ମୋ’ର ନୁହେଁ ? ତେବେ ଏହି ଦାରିଦ୍ର୍ୟ କାହିଁକି ? ଆପଣା ବିଷୟରେ ଏହି ଗ୍ଳାନି ବା କାହିଁକି ? ଜୀବନରେ ଏହି ଦୈତତାକୁ ମୁଁ ମୋଟେ ବୁଝିପାରେ ନାହିଁ । କେବଳ ଭାବେ, ଆହୁରି ଅନେକ ବାଟ ଚାଲିବା ବାକି ଅଛି, ଅନେକ ଜାଣିବା ବାକି ରହିଚି । ଭିତର ଓ ବାହାରକୁ ସମାନ ଭାବରେ ସମ୍ପଦମୟ କରି ଅନୁଭବ କରି ପାରିବାକୁ ଆହୁରି ଅନେକ ବିଶ୍ଵାସ ବାକି ରହିଚି ।

 

୫ । ୪ । ୬୧

 

ଡେନ୍‌ମାର୍କର ୟୋହାନେସ୍ ନଓରପ୍ ଆଉ ଇହଜଗତରେ ନାହାନ୍ତି ବୋଲି କାଲି ଗୋଟିଏ ଚିଠିକୁ ଜାଣିବାକୁ ପାଇଲି । ଏହି ସଖ୍ୟମୟ ସଂସାରରେ ଯେଉଁମାନଙ୍କୁ ମୁଁ ଏକାଧାରରେ ମୋ’ର ଗୁରୁଜନ ଓ ସାଥୀ ବୋଲି ମାନିଥିଲି, ନଓରପ୍ ହେଉଚନ୍ତି ସେହିମାନଙ୍କ ଭିତରୁ ଜଣେ । ସିଏ ଶିକ୍ଷକ ଥିଲେ; ଜଣେ ଶିକ୍ଷକ ଭିତରେ ଯେଉଁ ସବୁ କୋମଳତା ଓ ମାନବିକତା ରହିବା ଉଚିତ, ତାହା ନଓରପ୍‍ଙ୍କ ଭିତରେ ରହିଥିଲା । ସିଏ ଛାତ୍ର ଥିଲେ; ଜଣେ ଛାତ୍ର ଭିତରେ ଯେଉଁ ଜିଜ୍ଞାସା ଓ ବିନୟ ସତତ ରହିବା ଉଚିତ, ତାହା ନଓରପ୍‌ଙ୍କ ଭିତରେ ମଧ୍ୟ ରହିଥିଲା । ଆପଣାର ବିଚାରରେ ସିଏ କେଉଁଠି ହେଲେ ଅଟକିଯାଇ ନଥିଲେ । ଆପଣାର ଛାତ୍ରଛାତ୍ରୀମାନଙ୍କ ସହିତ ଏକତ୍ର ମିଶି ସେମାନଙ୍କର ଦୃଷ୍ଟି ଓ ଚିନ୍ତାକୁ ଜାଣିବା ଲାଗି ସେ ସର୍ବଦା ଚେଷ୍ଟା କରୁଥିଲେ ଏବଂ ସେହି ଅନୁସାରେ ଆପଣାର ବିଚାରକୁ ମଧ୍ୟ ବଦଳାଇବାକୁ ପାଇଁ ସର୍ବଦା ପ୍ରସ୍ତୁତ ହୋଇ ରହିଥିଲେ । ସୁଖୀ ଦେଶ ଡେନ୍‌ମାର୍କରେ ରହି ମଧ୍ୟ ତାଙ୍କର ହୃଦୟ ଆମ ପୃଥିବୀର ନାନା ଦୁଃଖରେ ବ୍ୟଥିତ ହୋଇ ରହିଥିଲା । ଭାରତ ବର୍ଷରେ, ଗ୍ରୀସ୍‌ରେ ବା ଇଟାଲୀରେ କୋଉଠି ପିଲାମାନେ ପାଠ ପଢ଼ି ପାରୁନାହାନ୍ତି, ସେହି ଚିନ୍ତାରେ ସେ ଅତ୍ୟନ୍ତ ସନ୍ତପ୍ତ ହୋଇ ପଡ଼ୁଥିଲେ ଏବଂ ସେଥିଲାଗି ଡେନମାର୍କର ଶାନ୍ତିରେ ବ୍ୟାଘାତ ଆଣି ଡେନ୍‌ମାର୍କ ବାହାରେ ରହିଥିବା ପୃଥିବୀ ନିମନ୍ତେ ଡେନ୍‌ମାର୍କବାସୀଙ୍କର ଆଗ୍ରହ ଓ ସହାୟକତାକୁ ଜାଗୃତ କରାଉଥିଲେ । ଡେନ୍‌ମାର୍କରେ ସିଏ ନିଜେ ଯେଉଁ ଲୋକବିଦ୍ୟାଳୟର ଅଧ୍ୟକ୍ଷ ଥିଲେ, ଯେଡ଼େ ଛୋଟିଆ ହେଲେ ମଧ୍ୟ ଶିକ୍ଷାର ଏକ ଛୋଟିଆ ପ୍ରୟୋଗ ହିସାବରେ ତାହା ଅବଶ୍ୟ ମହତ୍ୱପୂର୍ଣ୍ଣ ହୋଇ ରହିବ । ତାଙ୍କ ବିଦ୍ୟାଳୟରେ ଜାତୀୟତାଜନିତ କୌଣସି ଘୃଣା ବା ସଂକୀର୍ଣ୍ଣତା ନଥିଲା, ଅତୀତରେ ସବୁକିଛି ଅବଶ୍ୟ ଭଲ ଥିଲା ବୋଲି କହିବାର କୌଣସି ଜଡ଼ତା ନଥିଲା, ବର୍ତ୍ତମାନ ଯୁଗରେ ସବୁକିଛି ଠିକ୍ ଅଛି ବୋଲି ମଧ୍ୟ କହିବାର କୌଣସି ମୋହ ନଥିଲା । ସେଠି ମଣିଷକୁ ଅସଲ ସତ୍ୟ ବୋଲି ଜାଣିବାର ପ୍ରେରଣା ହିଁ ମିଳୁଥିଲା ।

 

୬ । ୪ । ୬୧

 

ଯିଏ ସଂସାରରୁ ଆପଣା ଇଚ୍ଛାରେ ଚାଲିଯାଏ, ସିଏ ଜିତେ, ନା ଯିଏ ପଛରେ ଯିବାଲାଗି ଏହି ସଂସାରରେ ରହିଯାଏ, ସିଏ ଜିତେ,–ସେକଥା ମୁଁ ଠିକ୍ କରି କହିପାରିବି ନାହିଁ । ସେକଥା ବିଚାର କରି କହି ପାରିବାର ଶକ୍ତି ମଧ୍ୟ ମୋ’ ଭିତରେ ନାହିଁ । ବରଷକ ପୂର୍ବରୁ ଯିଏ ଆପଣା ଇଚ୍ଛାରେ ଏହି ସଂସାରରୁ ଚାଲି ଯାଇଥିଲା, ଆଜି ବରଷକ ପରେ ସକାଳ ନହେଉଣୁ ମୁଁ ତାହାରି କଥା ଚିନ୍ତା କରୁଚି । ତା’ ବିଷୟରେ କୌଣସି Judgement ଦେବାପାଇଁ ନୁହେଁ, ଆପଣାର ମନ ଭିତରେ ସେ ବିଷୟରେ କିଛି ବୁଝିବା ଲାଗି । ମୁ ଯେତିକି ଚିନ୍ତା କରୁଚି, ସେତିକି ଅବାକ୍ ହେଉଚି; ଆପଣାର ଅସମର୍ଥତାଗୁଡ଼ାକ ମୋତେ ସେତିକି ସ୍ପଷ୍ଟ ଭାବରେ ଦୃଶ୍ୟ ହୋଇଯାଉଚି । ବରଷକ ପରେ ମଧ୍ୟ ମୁଁ ତା’ର ଯିବାର କାରଣଟିକୁ ଠିକ୍ ଠଉରାଇ ପାରୁନାହିଁ । ମଣିଷ ନିଜ ଜୀବନ ବିରୁଦ୍ଧରେ ଏପରି ଉଗ୍ର ହୋଇଉଠେ କାହିଁକି ? କାହିଁକି ସେ ଏହି ସଂସାରର ସୌନ୍ଦର୍ଯ୍ୟବଜାର ପ୍ରତି ଆଖି ବୁଜିଦିଏ, ଆପଣାର ସବୁକିଛି ଆଶା ଆକାଙ୍‌କ୍ଷା ଲାଗି ଆଖି ବୁଜିଦିଏ, କାହିଁକି ସେ ଇହଜୀବନର ସକଳ ସ୍ନେହ, ଦୟା ଓ କ୍ଷମା ଆଡ଼କୁ ଆଖି ବୁଜିଦିଏ ? ମୁଁ କିଛି ଭାବିକରି ଠିକ୍ କରିପାରେ ନାହିଁ । ଜୀବନରେ ହାରିବା ବା ଜିତିବା ବିଷୟରେ ମୁଁ ଖୁବ୍ ବେଶି ଚିନ୍ତା କରିନାହିଁ । ମୁଁ କାହା ପାଖରେ ହାରିବି ବା କାହା ଉପରେ ଜୟଲାଭ କରିବି, ସେହି କଥାର ଚିନ୍ତାକରି ମୁଁ କେବେ କୌଣସି ଅନ୍ତ ହିଁ ପାଇନାହିଁ । ତଥାପି ମଣିଷ ମୋ’ର ଆକର୍ଷଣ ବଢ଼ିଚି, ଏହି ସଂସାର ପ୍ରତି ଓ ଏହି ବିପୁଳ ସୁଖଦୁଃଖମୟ ପ୍ରତି ମୋ’ର ଆକର୍ଷଣ କ୍ରମେ ଅଧିକରୁ ଅଧିକ ହୋଇଚି । ଏଠାରୁ ପଳାଇ ଯିବାର ପ୍ରକୃତରେ କି କାରଣ ରହିଚି ? ମୋ’ର ଭୁଲ, ମୋ’ର ଦୁଃଖ, ମୋ’ର ମାନ ଓ ମୋ’ର ଅଭିମାନକୁ ବୁଝିବା ନିମନ୍ତେ ଏଠି ଏତେ ମଣିଷ ରହିଚନ୍ତି,ମୋ’ର ଗୋଡ଼ ଖସିଗଲେ ମୋତେ ପୁଣି ଉପରକୁ ଟାଣି ନେବାଲାଗି କେତେକେତେ ହାତ ପ୍ରସାରିତ ହୋଇ ଆସୁଚି,–ତଥାପି ମୁଁ କାହିକି ଏପରି ଉଗ୍ର ହୋଇ ପଡ଼ିବି ? ମୁଁ କିଛି ବୁଝିପାରେ ନାହିଁ । ତେଣୁ, ଆଜି ବରଷକ ପରେ ଭାବୁଚି, ଯିଏ ଉତ୍ତେଜିତ ହୋଇ ଚାଲିଗଲା, ତାହାର ଆଦୌ ଜିତ୍‍ ହେଲାନାହିଁ । ମୁଁ ଯେ ପଛରେ ଯିବାଲାଗି ପଡ଼ି ରହିଲି, ସେଥିରେ ମୋ’ର ମଧ୍ୟ ଜିତ୍ ହେଲାନାହିଁ । କିନ୍ତୁ ଜୀବନ ଏବଂ ମରଣକୁ ଆବୋରି ଧରି ରହିଥିବା ରହସ୍ୟର ହିଁ ଜିତ୍‍ ହେଲା ।

 

୭ । ୪ । ୬୧

 

କାଲି ଅନେକ ସମୟରେ ମୁଁ ତାହାର ଛାୟା ଦେଖିବାକୁ ପାଇଥିଲି । ଭୟାଚ୍ଛନ୍ନ ଚିତ୍ତରେ ମୁଁ ତା’ଠାରୁ ଦୂରକୁ ପଳାଇଯିବାକୁ ଚେଷ୍ଟା କରୁ ନ ଥିଲି ବା ମନ ଭିତରେ ତାହାର ଭୟ ଦ୍ଵାରା ତ୍ରାସିତ ହୋଇ ମୁଁ ଭ୍ରମ ଆଖିରେ ତାହାର ଭୂତ ପାଖରେ ଆସି ହାବୁଡ଼ି ଯାଇ ନ ଥିଲି । ମାତ୍ର ମୁଁ ନିଜେ ଜାଣିଶୁଣି ଆପଣାର ମନ ଭିତରେ ତାହାର ନିକଟବର୍ତ୍ତୀ ହେବାକୁ ଚେଷ୍ଟା କରୁଥିଲି । ଅତି ଆପଣାର ଲୋକ ପରି ତାହାର ନିକଟବର୍ତ୍ତୀ ହେବାକୁ ମୁଁ ତା’ ମନର ରହସ୍ୟକୁ ବୁଝିବାକୁ ଚେଷ୍ଟା କରୁଥିଲି । କେଉଁଠି କ’ଣ ଏପରି ଅମାର୍ଜିତ ଭାବରେ ଏହି ସଂସାରରେ ବିଗିଡ଼ି ଯାଇଥିଲା ଯେ ସିଏ ଏସବୁ ଛାଡ଼ି ଚାଲିଗଲା ? କାହା ବିରୁଦ୍ଧରେ ପ୍ରତିବାଦ କରି ଚାଲିଗଲା, କାହା ଉପରେ ଦାଉ ସାଧିବାର ମତଲବରେ ଚାଲିଗଲା ? ମୁଁ କିନ୍ତୁ ଏଭଳି ଦାଉ ସାଧିବାର କୌଣସି ରହସ୍ୟ ବୁଝିପାରେ ନାହିଁ । ଏହି ସଂସାରରେ ମୁଁ ବି ଅଭିମାନ କରେ, ଆପଣା ଲୋକଙ୍କ ପାଖରେ କେତେପ୍ରକାରେ ଯାଇ ଅଭିଯୋଗ କରେ, କିନ୍ତୁ ସେମାନଙ୍କୁ ଅସ୍ଵୀକାର କରିପାରେ ନାହିଁ । ମଣିଷ ସହିତ ଯେପରି ଛନ୍ଦି ହୋଇ ରହିଥାଏ, ମୋ’ ବିଚାର ଫୁଲଠାରୁ ଆରମ୍ଭ କରି ଆକାଶର ଆଲୁଅ ପର୍ଯ୍ୟନ୍ତ ସବୁରି ଭିତରେ ମୁଁ ଛନ୍ଦିହୋଇ ରହିଥାଏ । ଆପଣା ଭିତରେ ସମସ୍ତଙ୍କୁ ଛନ୍ଦିକରି ରଖିଥାଏ-। ତେଣୁ, ଚାଲିଯିବାର ପ୍ରଶ୍ନ ବା ଉଠିବ କୁଆଡ଼ୁ ? କିଏ କାହାକୁ ଛାଡ଼ି ଚାଲିଯିବ ? ଯିଏ ଉପରେ ସ୍ନେହର ହାତଟିକୁ ବଢ଼ାଇ ଦେଇ ଏହିସବୁ ଯାବତୀୟ ଜାଲକୁ ଛନ୍ଦିକରି ରଖିଚି, ତା’କୁ ଛାଡ଼ିକରି ଚାଲିଯିବାର ସମ୍ଭାବନା ବା କେଉଁଠି ଅଛି ? ଏତେ ଅବିଶ୍ଵାସ, ଏତେ ଭ୍ରମ, ଏତେ ଆତ୍ମଗ୍ଳାନି ଓ ନୈରାଶ୍ୟ,–ମୁଁ କିଛି ବୁଝିପାରେ ନାହିଁ । ମୋ’ର ସବୁଯାକ ବୋଧଶକ୍ତି ହାରି ଯାଉଥିଲା ପରି ମନେହୁଏ । ଏହି ସଂସାରର ଭୂମି ଉପରେ ତାହାକୁ ମୁଁ ଆଦୌ ବୁଝିପାରେ ନାହିଁ ।

 

୮ । ୪ । ୬୧

 

ଖାଲି ପାଠର ପରୀକ୍ଷା ଦୃଷ୍ଟିରୁ ଦେଖିଲେ ମଧ୍ୟ ଏହି ପରୀକ୍ଷାକୁ ପରୀକ୍ଷା ବୋଲି କହିବି ନାହିଁ । ଗତ ତିନିବର୍ଷ ଭିତରେ ଯେଉଁସବୁ ପାଠପଢ଼ା ହୋଇଚି, ପିଲା ସେହିସବୁ ପାଠକୁ କେତେଦୂର ବୁଝିଚି, ସେହିସବୁ ବିଷୟରୁ ଆହୁରି ଅଧିକ ଜାଣିବା ପାଇଁ ସିଏ ଆହୁରି କେତେକ’ଣ ପଢ଼ିଚି ଓ ନିଜେ ସେହିସବୁ ବିଷୟରେ କେତେଦୂର ଚିନ୍ତା କରିଚି, ପରୀକ୍ଷାରେ ଏ ସବୁର ମଧ୍ୟ ପରୀକ୍ଷା ହେବା ଉଚିତ । ତେଣୁ ପାଠ୍ୟକ୍ରମରେ ରହିଥିବା ବିଷୟଗୁଡ଼ିକୁ ଯିଏ ଭଲକରି ଜାଣିଚି, ମହତ୍ତ୍ଵାଧିକ୍ୟ ଅନୁସାରେ ଯିଏ ସେହି ପାଠ୍ୟ ବିଷୟ ଉପରେ ନିଜେ ବିଚାର କରିପାରିଚି, ପରୀକ୍ଷାରେ ପ୍ରଶ୍ନପତ୍ର ତିଆରି କରିବାର ଦାୟିତ୍ଵ କେବଳ ତାହାରି ରହିବା ଉଚିତ । ନହେଲେ, ତିନିବର୍ଷର କଠିନ ପରିଶ୍ରମ କରି ପିଲା ହୁଏତ ପ୍ରସ୍ତୁତ ହୋଇ ପରୀକ୍ଷା ଘରକୁ ଯିବ । କିନ୍ତୁ ନିଜ ପରିଶ୍ରମର ଫଳ ଦେଖାଇବାର କୌଣସି ସୁଯୋଗ ସେ ପାଇବ ନାହିଁ । ଏହାଦ୍ୱାରା ତା’ର ପାଠପ୍ରତି ପ୍ରଧାନତଃ ଏକ ଅଶ୍ରଦ୍ଧା ଆସିବା ହିଁ ସ୍ଵାଭାବିକ । ପରିଶ୍ରମ କରି କୌଣସି ବିଷୟରେ ଅଧିକ ଆଗ୍ରହ ରଖିବା ଲାଗି ତା’ର ମନରେ ଏକ ଅନିଚ୍ଛା ଆସିବା ହିଁ ଅତି ସ୍ଵାଭାବିକ । ତେଣୁ ଯିଏ ପରୀକ୍ଷାର ପ୍ରଶ୍ନ ତିଆରି କରିବ, ତା’ର ଅନେକ ଅଧିକ ଯତ୍ନ ସହିତ ପରୀକ୍ଷାର ପ୍ରଶ୍ନ ତିଆରି କରିବା ଦରକାର-। ତା’ ନକରି ପାଠ୍ୟକ୍ରମର ଉପରୁ ଧାଡ଼ିଏ ଓ ତଳୁ ଧାଡ଼ିଏ ପଢ଼ିଦେଇ ସେଇଥିରୁ ଦଶଟାଯାକ ପ୍ରଶ୍ନ ଦେଇ ଆହୁରି ତିନି ଚଉଠ ପାଠ୍ୟ ବିଷୟକୁ ଆଖିବୁଜି ଛାଡ଼ି ଚାଲିଗଲେ ଛାତ୍ରମାନଙ୍କ ପ୍ରତି ଭାରି ଅନ୍ୟାୟ କରାହେବ । ତିନିବର୍ଷର ପାଠକୁ ଗୋଟାଏ ପରୀକ୍ଷାରେ ଆଦାୟ କରିବାର ପଦ୍ଧତିରେ ଅନେକ ପ୍ରମାଦ ରହିଚି । ତଥାପି, ସେହି ପରୀକ୍ଷାରେ ମଧ୍ୟ ଆମେ ଯେତିକି ଉପକାର ପାଇପାରନ୍ତୁ, ପିଲାର ପାଠବିଷୟକ ଯୋଗ୍ୟତାକୁ ମାପିବା ନିମନ୍ତେ ଯେତିକି ସୁଯୋଗ ପାଆନ୍ତୁ, ଆପଣାର ଯତ୍ନହୀନତା ଫଳରେ ଆମଦ୍ଵାରା ସେତିକି ମଧ୍ୟ ସମ୍ଭବ ହୋଇପାରିବ ନାହିଁ । ପିଲାର ଆଗ୍ରହ ନଷ୍ଟ ହୋଇଯିବା ହିଁ ସାର ହେବ । ପ୍ରତ୍ୟେକ ଶିକ୍ଷକ ଓ ପରୀକ୍ଷକର ମନେରଖିବା ଉଚିତ ଯେ, ପିଲାକୁ ବାଗ ଭିତରେ ପାଇ ହଇରାଣ କରିବା ଆମର କାର୍ଯ୍ୟ ନୁହେଁ; ତା’ଭିତରେ ଯେତେ ଯୋଗ୍ୟତା ରହିଚି, ତାହାରି ପରୀକ୍ଷା କରିବା ହେଉଚି ଆମର କାର୍ଯ୍ୟ ।

 

୯ । ୪ । ୬୧

 

ଶିକ୍ଷାଳୟକୁ ଆସିବା ପୂର୍ବରୁ ଶିକ୍ଷାର ସାମାନ୍ୟ ଧର୍ମ କେତୋଟିରେ ବିଶ୍ଵାସ କରି ଆସିବାକୁ ପଡ଼ିବ । ନହେଲେ, ପଦ୍ଧତିଟା ଯେଡ଼େ ଚମତ୍କାର ହେଉପଛକେ ବା ଶିକ୍ଷାଳୟର ଛାଞ୍ଚଟା ଯେଡ଼େ ବଢ଼ିଆ ହେଉପଛକେ, ଆମର ହାତଲାଗି ସବୁ କାର୍ଯ୍ୟକ୍ରମ କେବଳ ଅଶିକ୍ଷାରେ ପରିଣତ ହୋଇଯିବ । ଏତେ ଭୟ, କ୍ଷମତା ଓ କର୍ତ୍ତୃତ୍ଵ ପ୍ରତି ଏତେ ଉଗ୍ର ବାସନା, ଆପଣା ଭିତରେ ଏତେ ଆଳସ୍ୟ ଓ ପରସ୍ପର ପ୍ରତି ଏତେ ଦ୍ଵେଷ ଏବଂ ଅସହିଷ୍ଣୁତା,–ଏଥିରେ ଆଦୌ କୌଣସି ଶିକ୍ଷାଗତ ଫଳ ମିଳିବ ବୋଲି ବିଶ୍ଵାସ କରିବା ହିଁ ନିର୍ବୋଧତା । ଯିଏ ଶିକ୍ଷାଳୟର ସଙ୍ଗଠନ ଭିତରେ ସର୍ବୋଚ୍ଚ ସ୍ଥାନରେ ରହିବ, ତା’ର ଦାୟିତ୍ଵ ମଧ୍ୟ ସବୁଠାରୁ ଅଧିକ ହେବା ଦରକାର । ଆପଣାର କର୍ତ୍ତୃତ୍ଵ ଦେଖାଇବା ପରିବର୍ତ୍ତେ ଆପଣାର ନେତୃତ୍ଵ ଦେବା ଉପରେ ତା’ର ଅଧିକ ବିଶ୍ଵାସ ରହିବା ଉଚିତ । ସେଥିଲାଗି ଆପଣାର ସହକର୍ମୀ ଓ ଶିକ୍ଷାର୍ଥୀସମାଜ ଉପରେ ତା’ର ମୂଳତଃ ବିଶ୍ଵାସ ରହିବା ଉଚିତ-। ସବୁରି ସହିତ ମିଶି ସେଠି ଆପଣାର ବିଚାରକୁ ବାଢ଼ି ତା’ର ସମସ୍ତଙ୍କର ହୃଦ୍‌ବୋଧ ଓ ସମର୍ଥନ ଲାଭ କରିବା ଉଚିତ । ସମସ୍ତଙ୍କର ଦୃଷ୍ଟିକୋଣକୁ ବୁଝି ସେଥିରୁ ଶିଖିବା ଲାଗି ପ୍ରସ୍ତୁତ ରହିବା ଉଚିତ-। କିନ୍ତୁ ତା’ ନକରି ମୁଁ କେବଳ ଆପଣାର କର୍ତ୍ତୃତ୍ଵରେ ଫୁଲପରି ରହିଥିବି । ସମସ୍ତଙ୍କର ଭୟତ୍ରସ୍ତ ସମର୍ଥନଙ୍କୁ ମୁଁ ମୋ’ ପ୍ରତି ଶ୍ରଦ୍ଧା ଦେଖାଇବାର ନିଦର୍ଶନ ବୋଲି ଭ୍ରମ କରୁଥିବି-। ସମସ୍ତଙ୍କ ସହିତ ଏକତ୍ର ନବସି ମାତ୍ର କେତେଜଣ ତୋଷାମଦକାରୀଙ୍କ ମୁହଁରୁ ହିଁ ମୁଁ ଅନ୍ୟମାନଙ୍କ ବିଷୟରେ ମୋ’ର ଜ୍ଞାନକୁ ସଂଗ୍ରହ କରୁଥିବି,–ଏହାଦ୍ୱାରା କେବଳ ଠକାମି ହୁଏ, ଆପେ ଠକି ହୋଇ ଜଗତଟାକୁ ଠକିବା ସାର ହୁଏ; କିନ୍ତୁ ଶିକ୍ଷା ହୁଏନାହିଁ । ଏପରି ଏକ ଭ୍ରଷ୍ଟା କ୍ଷେତ୍ର ଭିତରକୁ ଆସି ମଣିଷର ଭୟ ବଢ଼େ ଓ ଆହୁରି ଅନେକ ଦୁଷତ୍‌ବୃତ୍ତି ହୁଏତ ବଢ଼େ, କିନ୍ତୁ ଶିକ୍ଷା ମରି ମରି ଯାଏ, ସମସ୍ତ ପ୍ରକାର ଶୁଭର ମୁକ୍ତି ମଧ୍ୟ ମରି ମରି ଯାଏ ।

 

୧୦ । ୪ । ୬୧

 

ଇଏ ମୋ’ର ବାଟ ନୁହେଁ । ମୁଁ ଯେତେବେଳେ ଏହି ବାଟରେ ହୁଡ଼ି ହୋଇ ଚାଲିଯାଉଚି, କିମ୍ବା ଜାଲ ଭିତରେ ଛନ୍ଦିହୋଇ ଯେତେବେଳେ ମୁଁ ଛନ୍ଦି ହୋଇଯାଉଚି, ସେତେବେଳେ ଆପଣା ଭିତରକୁ ଅନାଇଦେବା ମାତ୍ରକେ ସତେ ଯେପରି ଭିତରେ ଥାଇ କେଉଁ ପରମସଖା ମୋତେ କହିବାକୁ ଲାଗୁଚି; ଏ ବାଟ ମୋ’ର ବାଟ ନୁହେଁ, ଅସଲ ବାଟରେ ନଯାଇ ପାରିବାର ଅତୃପ୍ତି ହିଁ ବିଦ୍ରୋହ କରି ଏହି ବାଟରେ ମାତିଯାଇ ଟିକିଏ ସାନ୍ତ୍ଵନା ପାଇବାକୁ ବସିଚି । ହଁ, ଅସଲ ବାଟରେ ନଯାଇ ପାରିବାର ଅତୃପ୍ତି । ଅସଲ ବାଟରେ ଯିବା ମୋ’ର ଧର୍ମ, ପ୍ରତ୍ୟେକ ମଣିଷର ଧର୍ମ । ଯେଉଁଠି ସିଏ ସୃଷ୍ଟି କରିପାରିବ, ସୃଷ୍ଟିକର୍ତ୍ତାର ସିଂହାସନ ପାଖରେ ସ୍ଵୀକାରର ଆସନ ପାଇପାରିବ, ହୃଦୟ ଭିତରେ ସଂସାରର ସମସ୍ତଙ୍କ ସହିତ ସମ୍ମିଳିତ ହୋଇପାରିବ । ସଂସାରରେ ଫୁଲ ଫୁଟିଲେ, ସୂର୍ଯ୍ୟ ଉଠିଲେ ବା ପବନ ବହିଲେ ସିଏ ଆପଣା ଭିତରେ କୌଣସି ପରମାନନ୍ଦର ସାକ୍ଷାତ ଲାଭ କରୁଥିବା ଭଳି ଏକ ରୋମାଞ୍ଚ ଅନୁଭବ କରିପାରିବ । ମଣିଷର ଆଖିକୁ ଅନାଉ ଅନାଉ ସିଏ ଆତ୍ମଗତ ପଥରେ ତା’କୁ ପଥସାଥୀ ବାଟୋଇ ହିସାବରେ ଆବିଷ୍କାର କରିପାରିବ । ସଂସାରରେ ମଣିଷ ପାଖରେ ହୃଦୟ ଖୋଲିଦେଇ ପାରିବ । ପୂର୍ଣ୍ଣ ପ୍ରାଣରେ ସମୁଦାୟ ସୃଷ୍ଟିର ଆନନ୍ଦଯାତ୍ରାରେ ସମ୍ମିଳିତ ହୋଇପାରିବ । ଏହାହିଁ ହେଉଚି ପଥ, ଏହାହିଁ ଅସଲ ପଥ । କିନ୍ତୁ ଏହି ପଥରେ ଚାଲିବାର ସୌଭାଗ୍ୟ ହୁଏତ ସବୁବେଳେ ମିଳେନାହିଁ । ବେଳେବେଳେ ହୃଦୟ ଭିତରେ ସବୁ ଖିଅ ଛିଡ଼ିଯାଏ, ମଣିଷର ଅତି ପାଖରେ ବସିଥିଲେ ମଧ୍ୟ ତା’ଦ୍ଵାରା ଅବହେଳିତ ହୋଇ ରହିଥିବା ପରି ମନେହୁଏ । ସେତେବେଳେ ଭିତରୁ କୌଣସି ସୃଷ୍ଟି ହୁଏନାହିଁ । ଭିତରେ କାହାରି ସହିତ ଭେଟିବା ସମ୍ଭବ ହୁଏ ନାହିଁ । ନାନପ୍ରକାର ଅଭିମାନ ଓ ଅହଙ୍କାର ଦ୍ଵାରା ଆହତ ହୋଇ ଆପଣାର ଏକାକୀ କାରାଗାର ଭିତରକୁ ଫେରି ଆସିବାକୁ ପଡ଼େ । ସେତିକିବେଳେ ଭିତରୁ କେଉଁ ଦୈତ୍ୟ ମାତିଉଠେ । ସିଏ ସାରା ସଂସାର ବିରୁଦ୍ଧରେ ବିଦ୍ରୋହ କରିଉଠେ, ଆଖିବୁଜି ହୋଇଯାଏ, ପ୍ରଚଣ୍ଡ ଓ ପ୍ରବଳ ହୋଇ ଅବାଟରେ ଗୋଡ଼ ପଡ଼ିଯାଏ ।

 

୧୧ । ୪ । ୬୧

 

ଆଜିର ସମାଜ ନିଷ୍ଠା ଚାହୁନାହିଁ, ଡିଗ୍ରୀ ଚାହୁଚି । ତେଣୁ ଏପରି ଏକ ସମାଜରେ ମୋତେ ଅସୁବିଧା ଭୋଗିବାକୁ ହିଁ ପଡ଼ିବ । ନିଜର ନିର୍ବାହ ପାଇଁ ମୁଁ କୌଣସି ଜାଗାରେ ଯାଇ ନିଶ୍ଚିନ୍ତ ଭାବରେ ଠିଆ ହୋଇପାରିବି ନାହିଁ । ମୁଁ ଡିଗ୍ରୀ ନେଇ ପାରିଲି ନାହିଁ ବୋଲି ଯେ ମୋ’ପାଖରେ ଡିଗ୍ରୀ ନାହିଁ, ସେକଥା ନୁହେଁ । ମୁଁ କେବେହେଲେ ଡିଗ୍ରୀ ଲାଗି ଚେଷ୍ଟା ହିଁ କରିନାହିଁ । ଡିଗ୍ରୀର ଭୂଷଣ–ଆଡ଼ମ୍ବର ତଳେ ଆପଣାର ବିଦ୍ୟାର୍ଥୀମନଟାକୁ ଲୁଚାଇ ରଖି ମାରିଦେବାକୁ ମୁଁ କେବେହେଲେ ମନ ବଳାଇନାହିଁ ବୋଲି ମୋ’ପାଖରେ ଡିଗ୍ରୀ ନାହିଁ । ଏମାନେ ଡିଗ୍ରୀ ଚାହୁଚନ୍ତି; ଆପଣାର ସମସ୍ତ ଅଶିକ୍ଷିତତା, ଅସାଧୁତା ଏବଂ ଅଜ୍ଞତାକୁ ଏମାନେ ଲୁଚାଇ ରଖିବାକୁ ଇଚ୍ଛା କରୁଚନ୍ତି । ବିଦ୍ୟା ପ୍ରତି ଏମାନଙ୍କର ଆଗ୍ରହ ନାହିଁ, ଚାକିରି ପ୍ରତି ଆଗ୍ରହ ଅଛି ବୋଲି ଏମାନେ ଡିଗ୍ରୀଟାକୁ ହାସଲ କରିଚନ୍ତି । ମୁଁ କୌଣସି ଦିନ ଚାକିରି ଲାଗି ପାଠ ପଢ଼ିନାହିଁ । ପାଠ ପଢ଼ିବାର ଆଗ୍ରହ ନେଇ ହିଁ ମୁଁ ପାଠ ପଢ଼ିଚି ଓ ବର୍ତ୍ତମାନ ମୋ’ଭିତରେ ସେହି ଆଗ୍ରହଟା ଜୀଇଁ ରହିଚି ବୋଲି ବର୍ତ୍ତମାନ ମଧ୍ୟ ମୋ’ର ପାଠ ପଢ଼ିବା ବନ୍ଦ ହୋଇନାହିଁ । ଏହି ସମାଜ ଯେ ମୋତେ ସବୁ ସମୟରେ ସ୍ଵୀକାର କରିବ ନାହିଁ ମୁଁ ସେକଥା ଜାଣିଚି; ଆପଣାର ନିଷ୍ଠାହୀନତାଟା ଧରା ପଡ଼ିଯିବାର ଭୟରେ ଏହି ସମାଜ ଯେ ଜଣେ ନିଷ୍ଠାପର ବ୍ୟକ୍ତିକୁ ଘର ଭିତରେ ଆଣି ଦୂରାଇବାକୁ ଆଦୌ ଇଚ୍ଛା କରିବନାହିଁ, ମୁଁ ସେ କଥା ମଧ୍ୟ ଜାଣିଚି । କିନ୍ତୁ ମୋ’ର ନିଷ୍ଠା ଯେପରି ତଥାପି ଊଣା ହୋଇ ନଯାଏ-। ମୁଁ ଯେପରି ତଥାପି ମୋ’ର ବିଦ୍ୟାର୍ଥୀ–ପ୍ରବୃତ୍ତିଟିକୁ ଛାଡ଼ି ନଦିଏ । ମୁଁ ସେମାନଙ୍କର ଗନ୍ତାଘରୁ ସୁନାରୂପା ମାଗିବାକୁ ବା ଲୁଟି ନେବାକୁ ଆସିନାହିଁ । ମୁଁ ଶିକ୍ଷକ ହୋଇ ଆସିଚି । ମୁଁ ଚାକିରି କରିବାକୁ ମଧ୍ୟ ଆସିନାହିଁ । ମୋ’ର ବାଟ ହେଉଚି ଶିକ୍ଷାର୍ଥୀର ବାଟ । ଶିକ୍ଷାର୍ଥୀର ନିଷ୍ଠାକୁ ମୁଁ କଦାପି ଛାଡ଼ି ଦେବିନାହିଁ ।

 

୧୨ । ୪ । ୬୧

 

Unknown

ଭୋଳ ହୋଇ ରହିଥିବା ବେଳେ ଆମେ ଆମ ଚାରିପାଖରେ ଯେ ଗୋଟାଏ ସଂସାର ରହିଚି, ସେଥିରେ ଯେ ଅନ୍ୟ ମଣିଷମାନେ ଅଛନ୍ତି, ସେମାନଙ୍କ ପ୍ରତି ଯେ ଆମର କର୍ତ୍ତବ୍ୟ ରହିଚି, ସେକଥା ଏକାବେଳେକେ ପାସୋରି ପକାଉଚୁ । କିନ୍ତୁ ଏହିପରି ଭୋଳ ହୋଇ ରହି ହଠାତ୍ କୌଣସି ଅଡ଼ୁଆରେ ଆମେ ବିଚଳିତ ହୋଇ ପଡ଼ୁଚୁ । ମୁଁ ଶିକ୍ଷକ, ମୋର ଛାତ୍ରମାନଙ୍କ ପ୍ରତି ମୋ’ର କର୍ତ୍ତବ୍ୟ ରହିଚି, ମୋ’ର ବିଦ୍ୟାଳୟ ପ୍ରତି ମୋ’ର କର୍ତ୍ତବ୍ୟ ରହିଚି । ମୋ’ ଆପଣାର ଶିକ୍ଷକତ୍ଵ ପ୍ରତି ମଧ୍ୟ ମୋ’ର କର୍ତ୍ତବ୍ୟ ରହିଚି । ସୁଖବେଳେ ମୁଁ ସେସବୁ ଏକାବେଳେକେ ଭୁଲିଯିବି । ମୁଁ ଭାବିବି, ଟଙ୍କାଟା ହିଁ ମୋର ଏକାମାତ୍ର କାମ୍ୟ, କ୍ଷମତାଟା ହିଁ ମୋର ଏକମାତ୍ର ଉପଭୋଗ୍ୟ । ବିଦ୍ୟାର ଜଗତରେ ଯେ ଆପଣାର ଏକ ଶୃଙ୍ଖଳା ରହିଚି, ବିଦ୍ୟାଦାନ ଓ ବିଦ୍ୟାଗ୍ରହଣର ପାରସ୍ପରିକ ସମ୍ବନ୍ଧରେ ଯେ ଏକ ନିଜସ୍ଵ dignity ରହିଚି, ସୁଖବେଳେ ସେକଥାକୁ ମୁଁ ମାନିବାକୁ ମଧ୍ୟ ପ୍ରସ୍ତୁତ ହେବିନାହିଁ । ମୋ’ ଜୀବନରେ ମୁଁ ମୋ’ ଶିକ୍ଷକ ଜୀବନର ସବୁପ୍ରକାର ବ୍ୟତିକ୍ରମ ଦେଖାଉଥିବି । ସକଳ ନିଷ୍ଠା ଭୁଲି ଗୁଡ଼ାଏ ଫାଜିଲାମି ଦେଖାଇବାରେ ଲାଗିଥିବି, ଚତୁର ହେବାକୁ ହିଁ ସବୁଠାରୁ ବଡ଼ ପୁଞ୍ଜି ବୋଲି ଗ୍ରହଣ କରିଥିବି, ଖୋସାମଦ କରିବାକୁ ଏବଂ ଉପରବାଲାଙ୍କୁ ସନ୍ତୁଷ୍ଟ କରି ରଖିବାକୁ ସବୁଠାରୁ ଅଧିକ ନିର୍ଭରଯୋଗ୍ୟ ପନ୍ଥା ବୋଲି ମାନି ମୁଁ ସେହିପରି ଆଚରଣ କରୁଥିବି, ଛାତ୍ରମାନଙ୍କ ପ୍ରତି ମୋ’ର କର୍ତ୍ତବ୍ୟ କରିବି ନାହିଁ, ମୋ’ର ଆଳସ୍ୟଲାଳସା ଓ ବୁଢ଼ା ମନଟା ବ୍ୟତୀତ ସେମାନେ ମୋ’ର ଆଉ କୌଣସି ପରିଚୟ ପାଇବାର କୌଣସି ସୁଯୋଗ ହିଁ ପାଇବେ ନାହିଁ,–ମୁଁ ତଥାପି ଆଦୌ କୌଣସି ବିପଦର ଆଶଙ୍କା କରିବି ନାହିଁ କିପରି ? ମୋ’ର ଅସଦାଚରଣ ଦ୍ଵାରା ହିଁ ମୁଁ ବିଦ୍ୟାଳୟକୁ ଏକାଠି ବାନ୍ଧି ରଖିଥିବା ଦଉଡ଼ିଗୁଡ଼ିକୁ କାଟିବା ଲାଗି ବାହାରି ଯାଉଥିବି, ଅଥଚ ଦଉଡ଼ି କାଟି ସମ୍ପର୍କ ଗୁଡ଼ିକ ବିଚ୍ଛିନ୍ନ ହୋଇଗଲେ ମୁଁ ଏପରି ଆଶ୍ଚର୍ଯ୍ୟ ହେବି କାହିଁକି ? ଛାତ୍ରମାନେ ଛାତ୍ର ପରି ବ୍ୟବହାର ନଦେଖାଇଲେ ମୁଁ ସେଥିରେ ବିଚଳିତ ବା ବିସ୍ମିତ ହୋଇଯିବି କାହିଁକି ? ଆମର ଏଠାରେ କ୍ରମେ ସେଇଆ ହେବାକୁ ଯାଉଚି । ଉପରେ ବସିଥିବା କର୍ତ୍ତୃତ୍ଵ ଆଉ ଶିକ୍ଷକତ୍ଵରେ ବିଶ୍ଵାସ କରୁନାହିଁ । କେବଳ କର୍ତ୍ତୃତ୍ଵରେ ହିଁ ବିଶ୍ଵାସ କରୁଚି । ଆମ ଭିତରୁ କେତେଜଣ ଶିକ୍ଷକତ୍ଵ ଉପରେ ବିଶ୍ଵାସ ନକରି ଉପରବାଲାଙ୍କୁ ଖୋସାମଦ କରିବାରେ ବିଶ୍ଵାସ କରୁଚନ୍ତି । ତଥାପି ଏହି ବିଦ୍ୟାଳୟର ଛାତ୍ର, ଛାତ୍ର ହୋଇରହନ୍ତୁ, ଜଡ଼ ଆଜ୍ଞାବହ ହୋଇ ରହନ୍ତୁ ବୋଲି ଆମେ କିପରି ଆଶା କରିପାରିବା ? ଏପରି ଆଶା କରିବା ନିର୍ବୋଧତା ହିଁ ହେବ ।

 

୧୩ । ୪ । ୬୧

 

ଉପରୁ ନାନାପ୍ରକାର ଅଭିନୟ ଖସିପଡ଼ିଲେ ଯାଇ ଶିକ୍ଷକ ହେବା ସମ୍ଭବ ହୋଇପାରିବ-। ମୁଁ ଯେ ସବୁକିଛି ଜଣେ, ସବାଆଗ ଏହି ଅଭିନୟଟିକୁ ଖସାଇ ପକାଇବାକୁ ହେବ-। କାରଣ, ମୁଁ ସବୁକଥା ଯେ ଜାଣେନାହିଁ, ସେକଥା ମୁଁ ଭଲ କରି ଜାଣିଚି । ସଂସାରରେ ଜ୍ଞାନର ସୀମା ନାହିଁ, ତା’ର ଗଭୀରତାର ମଧ୍ୟ ଅନ୍ତ ନାହିଁ । ତେଣୁ, ସେହି ସୀମାକୁ ଯଥାସମ୍ଭବ ବଢ଼ାଇବାକୁ ଓ ଯଥାସମ୍ଭବ ସେହି ଗଭୀରତାର ପରିଚୟ ପାଇବାକୁ ମୋ’ର ସତତ ପ୍ରସ୍ତୁତ ରହିଥିବା ଉଚିତ । କୌଣସି ଏକ ସତ୍ୟକୁ ମୁଁ ଯେଉଁଭଳି ଦୃଷ୍ଟିକୋଣରୁ ଦେଖୁଚି, ମୋ’ର ଛାତ୍ର ହୁଏତ ତାହାକୁ ସେହି ଦୃଷ୍ଟିକୋଣରୁ ଦେଖି ନପାରେ,–ଏହି କଥାଟିକୁ ସ୍ଵୀକାର କରିନେଇ ସେହି ଅନୁସାରେ ପ୍ରତ୍ୟେକ ଛାତ୍ରକୁ ତା’ର ଆପଣା ବାଟରେ ସାହାଯ୍ୟ କରିବାଲାଗି ମୋ’ର ଯୋଗ୍ୟତା ରହିଥିବା ଦରକାର । ସେହି ଯୋଗ୍ୟତା ହାସଲ କରିବା ଆଦୌ ସହଜ ନୁହେଁ । କାରଣ, ନିଜ ବିଷୟରେ ଯାବତୀୟ ଅଭିନୟ ଖସିଯାଇ ପାରିଲେ ହିଁ ତାହା ସମ୍ଭବ ହୋଇପାରିବ । ମୋ’ ଛାତ୍ରମାନଙ୍କ ଆଗରେ ମୋ’ର ଯୋଗ୍ୟତା ବିଷୟରେ ମୁଁ କୌଣସି ଭ୍ରମର ସୃଷ୍ଟି କରିବି ନାହିଁ । ଯାହାକୁ ମୁଁ ନୀତି ବୋଲି କହୁଚି, ତାହାକୁ ହିଁ ମୁଁ ସେମାନଙ୍କ ଉପରେ ନୀତି ବୋଲି କହି ମାଡ଼ି ଦେବିନାହିଁ । ମୋ’ର ଶୃଙ୍ଖଳା ଦ୍ଵାରା ସେମାନଙ୍କୁ ପିଟି ଭାଙ୍ଗି ସମତୁଳ କରି ମୋ’ମନ ଅନୁସାରେ ଗଢ଼ିବାର ସକଳ ଅଭିନୟ ମୋତେ ଛାଡ଼ିଦେବାକୁ ପଡ଼ିବ । ମୋ’ର ଦୁର୍ବଳତା ଗୁଡ଼ାକ ବିଷୟରେ ମୁଁ ଯେତିକି ଜାଣିଚି, ସେଗୁଡ଼ିକର ସମ୍ମୁଖୀନ ହେବାଲାଗି ମୁଁ ଯେତିକି ଶକ୍ତି ହାସଲ କରିପାରିବି, ମୋ’ର ଛାତ୍ରକୁ ମଧ୍ୟ ମୁଁ ସେତିକି ସହାନୁଭୂତି ସହିତ ବୁଝିବାଲାଗି ସମର୍ଥ ହେବି, ମୁଁ ସେମାନଙ୍କୁ ସେତିକି ଶକ୍ତିମାନ କରିପାରିବି-

 

୧୪ । ୪ । ୬୧

 

ଏଥର ବୁଲି ବାହାରିବାକୁ ହେବ । ମନ ଭିତରଟା କ୍ରମେ ଚଗଲା ହୋଇ ଗଲାପରି ଲାଗୁଚି । ଗତ ଦଶମାସ ହେଲା ଏକ ମନରେ ଏଠି ବସି କେତେ ଲେଖିଚି, କେତେ ପଢ଼ିଚି, କେତେ ଚିନ୍ତା କରିଚି, କେତେ କେତେ ଯନ୍ତ୍ରଣା ମଧ୍ୟଦେଇ ଗତି କରିବାକୁ ହୋଇଚି । ବର୍ତ୍ତମାନ ଆଉ ମନ ଲାଗୁନାହିଁ । ଏଥର ଦୁଇଟା ମାସ କେବଳ ବୁଲିବୁଲି ଦେଖିବି, କେବଳ ହୃଦୟକୁ ଖୋଲି ଦେଇ କଥାବାର୍ତ୍ତା ହେବି, କେବଳ ନିଶ୍ଚିନ୍ତ ହୋଇ ଆକାଶ ଆଡ଼କୁ ଚାହିଁ ରହିବ । ଲେଖିବା ଆଉ ପଢ଼ିବା ପରି ଏଇଟା ମଧ୍ୟ ମୋ’ର ଜୀବନରେ ଅତ୍ୟନ୍ତ ଆବଶ୍ୟକ । ଘର ଭିତରେ ଏକାକୀ ଆପଣାର ଇଚ୍ଛା ଓ ବିଚାରଗୁଡ଼ିକୁ ନେଇ କିଛି ସୃଷ୍ଟି କରିବା ଯେତିକି ଆବଶ୍ୟକ, ଦେଖିବା ଓ ଶୁଣିବାର ଦ୍ଵାରକୁ ସଂପୂର୍ଣ୍ଣ ଉନ୍ମୁକ୍ତ କରିଦେଇ ଏଠିସେଠିକୁ ବୁଲି ବାହାରିବା ମଧ୍ୟ ସେତିକି ଆବଶ୍ୟକ । ଦୁଇଟି କାର୍ଯ୍ୟକ୍ରମ ଭିତରେ ଏକ ନୀରବ ଯୋଗସୂତ୍ର ମଧ୍ୟ ସେତିକି ଆବଶ୍ୟକ । ଦୁଇଟି କାର୍ଯ୍ୟକ୍ରମ ଭିତରେ ଏକ ନୀରବ ଯୋଗସୂତ୍ର ମଧ୍ୟ ନିଶ୍ଚୟ ରହିଚି । ସେହି ଯୋଗସୂତ୍ରଟି ଛିଣ୍ଡିଗଲେ ଜୀବନରେ ବିଶୃଙ୍ଖଳା ଆସିବା ଅତ୍ୟନ୍ତ ସ୍ଵାଭାବିକ । ଯିଏ ବରଷସାରା ଆପଣାର ଘର ଭିତରେ ବସି ରହେ, ଗମ୍ଭୀର ଭାବରେ ଖାଲି କାମ କରେ, ସିଏ କେଇଟା ବର୍ଷ ପରେ କେବଳ ପଥର ହୋଇଯାଏ, ସିଏ ସହଜରେ ହସିପାରେ ନାହିଁ, ଟିକିଏ ଖୁସି ହେବା ବା ହସିବା ପାଇ ମଧ୍ୟ ତା’କୁ ନାନା ହାସ୍ୟାସ୍ପଦ ଭାବରେ ନାନା ଯୋଗାଡ଼ କରିବାକୁ ପଡ଼େ । ଯିଏ ବରଷସାରା ଖାଲି ଉଡ଼ି ବୁଲୁଥାଏ, ସ୍ଵନିର୍ବାଚିତ କୌଣସି କର୍ମବନ୍ଧନ ଭିତରେ ଆପେ ଆପେ ଧରା ଦିଏ ନାହିଁ, ସିଏ ଆପଣାର ନୀଡ଼କୁ ବାହୁଡ଼ି ଆସିବାର ସମସ୍ତ ଶକ୍ତି ହରାଇବସେ, ନିଜ ଭିତରେ ଏପରି ଗୋଟିଏ ନୀଡ଼ ରହିଚି ବୋଲି ସିଏ କ୍ରମେ ପାସୋରି ପକାଏ, ଆପଣାର ଘର ଭିତରେ ସିଏ ତଥାପି ବିଦେଶୀ ହୋଇ ରହିଯାଏ । ଶାନ୍ତି ଓ ସନ୍ତୋଷ ପାଇବ ବୋଲି ବଡ଼ କ୍ଷିପ୍ତ ଓ ଉଦ୍‌ବିଗ୍ନ ଭାବରେ ଯିଏ ସଂସାରସାରା ଘୁରି ବୁଲୁଥାଏ, କିନ୍ତୁ କେବେହେଲେ ଆପଣା ପାଖରେ ବସିପାରେ ନାହିଁ, ଆପଣା ପାଖରେ ସ୍ଥିର ହୋଇପାରେ ନାହିଁ, ଆପଣା ସହିତ ମିତ୍ରତା ସ୍ଥାପନ କରିପାରେ ନାହିଁ । ଏହି ଦୁଇଟିଯାକ ଅତିରିକ୍ତତାକୁ ମୁଁ ବିଶୃଙ୍ଖଳା ବୋଲି କହେ । ଦୁଇଟି ଲାଗି ସ୍ଥାନ କରିପାରିଲେ ହିଁ ଶୃଙ୍ଖଳା ଆସେ, ସହଜ ହେବା ଓ ଖୁସି ହେବା ସମ୍ଭବ ହୁଏ ।

 

୧୫ । ୪ । ୬୧

 

‘ଜୀବନ ବିଦ୍ୟାଳୟ’ ଛପା ହୋଇ ସେଦିନ ମୋ’ ପାଖରେ ଆସି ପହଞ୍ଚିଲା । ପାର୍ସେଲ୍‌ଟି ଫିଟାଇ ହାତରେ ବହିଟିକୁ ଧରୁ ଧରୁ ସେଦିନ ମୋ’ର ଆଖି ଅଶ୍ରୁଭରି ହୋଇଆସିଲା । କାଗଜର ପୃଷ୍ଠା ଉପରେ ମୁଁ ମନୋନେତ୍ରରେ କେତେ କ’ଣ ଦେଖିବାକୁ ପାଇଲି । ମୁଁ ସେଠାରେ ଚାରିଟା ବର୍ଷ କେବଳ ଯେ ମାଷ୍ଟରି କରିଥିଲି ତା’ନୁହେଁ, ମୋର ସମସ୍ତ ସମୟ ଓ ଶକ୍ତି ଦେଇ ମୁଁ ସେଠାରେ ଜୀବନକୁ ବୁଝିବା ଲାଗି ଚେଷ୍ଟା କରିଥିଲି । ନିଜର ସମ୍ପୂର୍ଣ୍ଣ ଭାବରେ ସମର୍ପିତ କରି ରଖିବାକୁ ଚେଷ୍ଟା କରିଥିଲି । କର୍ତ୍ତୃତ୍ଵର କ୍ରୂର ଆଘାତରେ ସେହି ବିଦ୍ୟାଳୟର ଖୁଣ୍ଟଗୁଡ଼ିକ ଭାଙ୍ଗିପଡ଼ିଲା, ଅଣ୍ଟା ଭାଙ୍ଗିପଡ଼ିଲା ପରି ବଡ଼ ଅସମର୍ଥ ଭାବରେ ମୁଁ ସେଠାରୁ ଚାଲି ଆସିଲି । ଏପର୍ଯ୍ୟନ୍ତ ମଧ୍ୟ ମୁଁ ଅନୁଭବ କରୁଚି ଯେ ମୋତେ ପୁଣି ସେହିପରି ଏକ କ୍ଷେତ୍ରକୁ ଫେରିଯିବାକୁ ହେବ । କେବଳ ଚାକିରିଟାଏ କରି ପଡ଼ି ରହିବା ମୋ’ ଦ୍ଵାରା ହୋଇପାରିବ ନାହିଁ । ଚଉକି ଟେବୁଲକୁ ଅନାଇ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ପିଲାଙ୍କୁ ଦରକାରୀ ପାଠ ପଢ଼ାଇ ମୋତେ କଦାପି ସନ୍ତୋଷ ମିଳିବ ନାହିଁ । କିନ୍ତୁ ସେହି ଫେରିଯିବାର ସୁସମୟ କେବେ ଆସିବ ? ଏଠାରେ କର୍ତ୍ତୃତ୍ଵର ଜାକଜମକ ଭିତରେ ମଣିଷକୁ ଚିହ୍ନିବା ଅସମ୍ଭବ ପ୍ରାୟ ମନେହେଉଚି । କର୍ତ୍ତାମାନଙ୍କ ଭିତରେ କୌଣସି ଜାଗାରେ ସହଜ ମଣିଷର ସ୍ଵାଭାବିକତା ରହିଚି ବୋଲି କ୍ରମେ ବିଶ୍ଵାସ ତୁଟିଯିବାକୁ ବସିଲାଣି । ତେଣୁ ଏଠାରେ ପଡ଼ିରହିଲେ ଶେଷକୁ ଆପେ ମଧ୍ୟ କେବଳ ଏକ ବୋଲକରା ଚାକରରେ ପରିଣତ ହେବା ହିଁ ସାର ହେବ । ଆପଣାର ଏହି ବିନାଶ ମୁଁ କଦାପି ସହିପାରିବି ନାହିଁ । ମୋର ଏ ପଇସା ଦରକାର ନାହିଁ । ଏହି ଆଡ଼ମ୍ବର ଦରକାର ନାହିଁ । ମୁଁ ମଣିଷ ହୋଇ ରହିବାକୁ ଚାହେ ।

 

୧୬ । ୪ । ୬୧

 

ସେଦିନ ଗୋଟିଏ ପତ୍ରିକାରେ ପଢ଼ୁଥିଲି ଯେ, ଆମେରିକାର କେତେଜଣ ଶିକ୍ଷାବିତ୍ ସେହି ଦେଶରେ ପିଲାଙ୍କର ସ୍କୁଲରେ ଶାରିରୀକ ଶାସ୍ତିର ପୁନର୍ପ୍ରବର୍ତ୍ତନ ହେଉ ବୋଲି କୁଆଡ଼େ ଅନୁଭବ କରୁଚନ୍ତି । ଆଗେ, ଅର୍ଥାତ୍ ପ୍ରାୟ ଶହେବର୍ଷ ତଳେ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ମାନଙ୍କରେ ଶାରିରୀକ ଦଣ୍ଡର ବ୍ୟବସ୍ଥା ଥିଲା । ପିଲା ଦୁଷ୍ଟ ହେଲେ ଅର୍ଥାତ୍ ବୋଲ ନମାନିଲେ ତା’କୁ ମାଡ଼ଦେଇ ତା’ଠାରୁ ଭଲ ବ୍ୟବହାର ଆଦାୟ କରାଯାଉଥିଲା । ମାଡ଼ର ଭୟ ଦେଖାଇ ପିଲାର ଚରିତ୍ର ଓ ସ୍ଵଭାବକୁ ଏକ ନିର୍ଦ୍ଦିଷ୍ଟ ସ୍ଵୀକୃତ ଛାଞ୍ଚରେ ତିଆରି କରାଯାଉଥିଲା । ମନୋବିଜ୍ଞାନର ବିକାଶ ସଙ୍ଗେ ସଙ୍ଗେ ଆଧୁନିକ ସମାଜରେ ଯେଉଁ ମାନବିକ ଦୃଷ୍ଟିର ମଧ୍ୟ ବିକାଶ ହେଲା, ତାହାରି ପ୍ରଭାବ ବାଜି ବିଦ୍ୟାଳୟମାନଙ୍କରୁ କ୍ରମେ ଶାରୀରିକ ଦଣ୍ଡ ଉଠିଗଲା । ଗୋଟିଏ ପିଲା ଭିତରେ ଅସଦାଚାର କାହିଁକି ରହିଚି, ସହାନୁଭୂତି ସହକାରେ ତାହାର କାରଣ ଜାଣିବାକୁ ଚେଷ୍ଟା କରି ଭଲ ଉପାୟରେ ସେହି ପିଲାକୁ ବାଟକୁ ଆଣିବା ଓ ତା’ର ଜୀବନ ଲାଗି ଏକ positive ପ୍ରେରଣାର ବାତାବରଣ ସୃଷ୍ଟି କରିବା,–ମନୋବିଜ୍ଞାନ ଶିକ୍ଷାଳୟରେ ଏହି ବାଟ ବତାଇଲା । ଏହାଫଳରେ Child–centred school ଓ Progressive Education ପ୍ରଭୃତି ନାନା ଆଧୁନିକ ଶିକ୍ଷାପ୍ରଣାଳୀର ଉଦ୍ଭବ ହେଲା । ବର୍ତ୍ତମାନ କେତେକ ଶିକ୍ଷାବିତ୍ ଏହି ପ୍ରଣାଳୀ ଉପରେ ଆପଣାର ଆସ୍ଥା ହରାଇବାକୁ ବସିଚନ୍ତି । ସେମାନେ ହୁଏତ ଦେଖୁଚନ୍ତି ଯେ, ପିଲାମାନଙ୍କର ସ୍ଵଭାବରେ ପରିବର୍ତ୍ତନ ହେଉନାହିଁ, ଦୁଷ୍ଟାମି ବଢ଼ୁଚି, ଅସାମାଜିକତା ବଢ଼ୁଚି, ବିଶୃଙ୍ଖଳା ବଢ଼ୁଚି, କ୍ଳାସଘର ଭିତରର ପାଠ ପିଲାର ସମଗ୍ର ଜୀବନ ଉପରେ କୌଣସି ପ୍ରଭାବ ପକାଉନାହିଁ । ତେଣୁ ଶିକ୍ଷାବିତ୍‌ମାନେ ସ୍କୁଲମାନଙ୍କରେ ଆଗପରି କ୍ରୂର ଶାରୀରିକ ଦଣ୍ଡରୀତି ପୁଣି ପ୍ରଚଳିତ ହେଉ ବୋଲି ସୁପାରିଶ କରିଚନ୍ତି । ଅତୃପ୍ତ ମନ ସାଧାରଣତଃ ପଛକୁ ଫେରିବାକୁ ଚାହେ’ ଶିକ୍ଷାବିତ୍‍ମାନଙ୍କ ପକ୍ଷରେ ଏହି ମନୋଭାବକୁ ଶିକ୍ଷାକ୍ଷେତ୍ରରେ ଏକ regressive ଆଚରଣ ବୋଲି କୁହାଯାଇପାରିବ । ବର୍ତ୍ତମାନର ପଦ୍ଧତି ଗୁଡ଼ାକ ଫେଲ ମାରିଲା, ତେଣୁ ଆଗରୁ ଯାହାଥିଲା, ପୁଣି ସେଇଆ ହେବା ଉଚିତ,–ଏହି ଆଚରଣକୁ କେତେଦୂର ଏକ ଶିକ୍ଷଣୀୟ ଆଚରଣ ବୋଲି କୁହାଯିବ କେଜାଣି ?

 

୧୭ । ୪ । ୬୧

 

ପିଲାକୁ ଶିକ୍ଷା ଦେବା ଯଦି କେବଳ କ୍ଳାସ୍ ଘର ଭିତରର କାମ ହୋଇଥାନ୍ତା ତେବେ ତା’କୁ ସେଇଠି ଭୟ ଦେଖାଇ ମାଡ଼ଦେଇ ସାଧ୍ୟ କରିବାର କୌଣସି ଦୁଃସାହସ କଲେ ତଦ୍ଦ୍ଵାରା ହୁଏତ କୌଣସି ଲାଭ ହୋଇପାରନ୍ତା । କିନ୍ତୁ ପିଲା କ୍ଳାସଘର ଭିତରେ ଯେତେ ଶିଖେନାହିଁ, ବାହାର ସଂସାରରୁ ତା’ଠାରୁ ଅନେକ ଅଧିକ ଶିଖେ । ତେଣୁ କ୍ଳାସ୍‌ ଘରୁ ମାଡ଼ ଉଠିଗଲା ବୋଲି ଆଜିର ପିଲା ଏପରି ଦୁଷ୍ଟ ହୋଇଗଲା, ଏପରି କହିବା ଆଦୌ ଯୁକ୍ତିଯୁକ୍ତ ହେବନାହିଁ । ମୁଁ ତ କହିବି ଆମ ସଂସାରର ସମଗ୍ର ଆଚରଣଟା କ୍ରମେ ବଡ଼ ଦୁଷ୍ଟ ଆଉ ବିଶୃଙ୍ଖଳ ହୋଇପଡ଼ୁଚି, ଆମ ସ୍କୁଲଘରକୁ ପଢ଼ିବାକୁ ଆସୁଥିବା ପିଲା ସେହି ସଂସାରରୁ ହିଁ ଅଧିକ ଇଙ୍ଗିତ ଓ ନିର୍ଦ୍ଦେଶ ପାଉଚି । ସ୍କୁଲଘରେ କେବଳ ମୁହଁରେ କୁହା ହେଉଥିବା ଓ ବହିରେ ପଢ଼ା ଯାଉଥିବା କଥାଗୁଡ଼ାକ ଉପରେ ତା’ର କ୍ରମେ ଅନାସ୍ଥା ଆସୁଚି । ସ୍କୁଲଘରେ ସିଏ ଯାହା ଦେଖୁଚି ବା ଶୁଣୁଚି, ସଂସାରରେ କେଉଁଠାରେ ତାହାର ଆଚରଣ ହେଉଚି ବୋଲି ସେ ମୋଟେ ଦେଖିପାରୁନାହିଁ । ତା’ର ଶିକ୍ଷକ, ତା’ ଦେଶର ନେତା, ତା’ର ସମାଜ, ବା ତା’ର ହାଟ ବଜାର,–ସବୁଠାରେ ସିଏ ଜୀବନର ରୀତିଗୁଡ଼ିକୁ ଅନ୍ୟପ୍ରକାର ଦେଖୁଚି । ତେଣୁ ସ୍କୁଲଘରର ପାଠପଢ଼ାଟା ତା’ପାଖରେ କେବଳ ଗୋଟାଏ ତାମ୍‌ସା ପରି ମନେହେଉଚି । ତା’ର ମନ ଭିତରେ ସମସ୍ତ ପ୍ରକାରର ମୂଲ୍ୟବୋଧ ଓ ସମସ୍ତ ପ୍ରକାର ଶ୍ରଦ୍ଧା ଭାଙ୍ଗି ଭୁଷୁଡ଼ି ପଡ଼ୁଚି । ଏବଂ କେବଳ ବିଶୃଙ୍ଖଳା ହିଁ ତାହାର ପରିଣାମ ହୋଇ ରହୁଚି । ସ୍କୁଲଘରକୁ ଆସି ସେ ସଂସାର ବିଷୟରେ ଅଧିକ କଥା ଜାଣିବାକୁ ପାଉଚି । ତାହାର ଏହି ଜ୍ଞାନ ସାହାଯ୍ୟରେ ଶିକ୍ଷକ ନାମରେ ସ୍କୁଲରେ ବସିଥିବା ପାଷଣ୍ଡ, ନେତା ନାମରେ ସମାଜରେ ବଡ଼ ହୋଇ ବସିଥିବା ବଡ଼ ପାପୀ, ଏବଂ ସମାଜରେ ନୀତିଗୁଡ଼ିକର ଉହାଡ଼ରେ ବସି ରହିଥିବା ଅନୀତିକୁ ଆବିଷ୍କାର କରି ପାରୁଚି । ସିଏ ବିଦ୍ରୋହୀ ହୋଇଉଠୁଚି ।

 

୧୮ । ୪ । ୬୧

 

ତେଣେ ସର୍ବୋଦୟ ସମ୍ମିଳନୀ ବସୁଚି, ଏଣେ କମୁନିଷ୍ଟ ସମ୍ମିଳନୀ ମଧ୍ୟ ବସୁଚି; ତେଣେ ଅହିଂସାର ସ୍ତୁତି କରାଯାଉଚି, ଏଣେ ଆଉ ଏକ ସଭାରେ ସୈନ୍ୟବିଭାଗରେ ଯୋଗ ଦେବାଲାଗି ଏହି ଦେଶର ଯୁବକକୁ ଆହ୍ଵାନ ଦିଆଯାଉଚି । ଗୋଟାଏ ପାଖରେ ଦେଶକୁ ଦରିଦ୍ର ବୋଲି କୁହା ହୋଇ କଠିନ ପରିଶ୍ରମ କରିବାକୁ ଉପଦେଶ ଦିଆଯାଉଚି, ତେଣେ ସେହି ଦେଶ ନାମରେ ସେହି ନେତାମାନେ ଏକାଠି ବସି ମଜଲିସ୍ କରିବାରେ ଲାଗିଚନ୍ତି, ବଡ଼ଲୋକୀ ଅତ୍ୟାଚାରମାନ କରି ଚାଲିଚନ୍ତି,–ଏହି ଦେଶର ଯୁବଶକ୍ତି ଏଥିରେ ବିଚଳିତ ହୋଇ ପଡ଼ିବ ନାହିଁ ତ ଆଉ କ’ଣ ହେବ ? ସେଦିନ ଆମର ରାଷ୍ଟ୍ରପତି ଶ୍ରୀ ରାଜେନ୍ଦ୍ର ପ୍ରସାଦ ଗୋଟାଏ ସାମରିକ ଉତ୍ସବରେ କୁମାୟୁନ୍ ସୈନ୍ୟବାହିନୀକୁ ଯୁଦ୍ଧରେ ବାହାଦୂରି ଦେଖାଇଥିବା ସକାଶେ ସ୍ଵତନ୍ତ୍ର ପତାକା ଦେଇ ସମ୍ମାନିତ କରିଥିଲେ, କାଲି ବା ପଅରଦିନ ସିଏ ପୁଣି ଆନ୍ଧ୍ରରେ ବସୁଥିବା ସର୍ବୋଦୟ ସମ୍ମିଳନୀରେ ବକ୍ତୃତା ଦେବାକୁ ଆସିବେ, ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କର ସ୍ତୁତି କରିବେ ଓ ବିନୋବାଜୀଙ୍କୁ ସନ୍ଥ ବୋଲି କହିବେ । ସେହି ଖବରଟା ମଧ୍ୟ ବଡ଼ ବଡ଼ ଅକ୍ଷରରେ ଖବରକାଗଜରେ ବାହାରିବ । ଦୁଇମଞ୍ଚର ଏହି ଦୁଇ ଅଭିନୟ ଭିତରୁ କୋଉଟା ଯେ ପ୍ରକୃତ ଅଭିନୟ ସେକଥା ଠିକ୍ କରି କହିପାରିବା ଆଦୌ ସମ୍ଭବ ନୁହେଁ । ପୁଣି, କୋଉଟା ରାଷ୍ଟ୍ରପତି ହିସାବରେ ଅଭିନୟ ଓ କୋଉଟା ମନୁଷ୍ୟ ରାଜେନ୍ଦ୍ର ପ୍ରସାଦ ହିସାବରେ ଅଭିନୟ, ସେକଥା ମଧ୍ୟ କହିବା ଭାରି ମୁସ୍କିଲ୍ । ତେଣୁ, ସେହି ଗୋଟିଏ ବ୍ୟକ୍ତିର ଜୀବନରେ ରାଷ୍ଟ୍ରପତି ପଦ ବ୍ୟକ୍ତି ରାଜେନ୍ଦ୍ର ପ୍ରସାଦ ଉପରେ ପ୍ରଭାବ ପକାଉଚି ସେକଥା କହିବାକୁ ମଧ୍ୟ କାହାରି ଶକ୍ତି ନାହିଁ । ଏଠାରେ ରାଜେନ୍ଦ୍ର ପ୍ରସାଦଙ୍କୁ ମୁଁ କେବଳ ଏକ ଦୃଷ୍ଟାନ୍ତ ହିସାବରେ ହିଁ ନେଇଚି । ତାଙ୍କରି ପରି ଆହୁରି ଅନେକ ବଡ଼ ଓ ସାନନେତା ଏ ଦେଶରେ ଅଛନ୍ତି, ଯେଉଁମାନେ କି ଖ୍ୟାତି ଓ ପ୍ରଶସ୍ତିର ରଙ୍ଗମଞ୍ଚ ଉପରେ ଏକାବେଳେକେ ନାନପ୍ରକାର ଅଭିନୟ କରି ପାରୁଚନ୍ତି । ଏହି ଦେଶର ଭାଗ୍ୟାଭିନୟ ପ୍ରଧାନତଃ ସେହିମାନଙ୍କର ବହୁମୁଖୀ ଅଭିନୟ କୁଶଳତା ଦ୍ଵାରା ହିଁ ସମ୍ଭବ ହୋଇପାରୁଚି । ତେଣୁ, ସଙ୍ଗତି ଖୋଜିଲେ ଆମ ନିଜକୁ ହିଁ ନିର୍ବୋଧ ବୋଲି କହିବାକୁ ହେବ । ତଥାପି ଆମେ କିପରି ଆଶା କରି ବସିବା ଯେ,ଏହି ଦେଶର ଯୁବଶକ୍ତି ଅବିଚଳିତ ଓ ଅବିଚ୍ୟୁତ ହୋଇ ଏକ ସ୍ଥିର ଆଦର୍ଶ ନେଇ ନିଜ ଦେଶକୁ ଗଢ଼ିବ, ତା’ର ନିଜ ଜୀବନକୁ ମଧ୍ୟ ଗଢ଼ିବ ?

 

୧୯ । ୪ । ୬୧

 

ମୋ’ର ଲେଖାପଢ଼ା ବାକି ରହିଚି, ମୋ’ର ଅନୁବାଦ କରିବା କାମ ବାକି ରହିଚି । ମୋ’ର ଆହୁରି କେତେ କାମ ବାକି ରହିଚି; ହଠାତ୍ ଗୋଟିଏ ଛୋଟ ପିଲାର ଅସୁସ୍ଥତା ପାଇଁ ଆଗ୍ରା ଯିବାର ଆବଶ୍ୟକତା ପଡ଼ିଲା । ଯିବା ଆସିବାରେ ପ୍ରାୟ ପାଞ୍ଚଘଣ୍ଟା ସମୟ ଲାଗିଯିବ । ପ୍ରଥମ ପ୍ରତିକ୍ରିୟା ସ୍ଵରୂପ ଭିତରୁ କିଏ ଅନିଚ୍ଛା ପ୍ରକାଶ କରି କହିଲା,–ନା, ମୁଁ ଯାଇପାରିବି ନାହିଁ । ଭଗବାନଙ୍କୁ ଅଶେଷ ଧନ୍ୟବାଦ ଯେ, ଶେଷକୁ ମୁଁ ଆଗ୍ରା ଗଲି ଏବଂ ଆପଣାର ସମ୍ପୂର୍ଣ୍ଣ ସମ୍ମତି ସହିତ ଗଲି, ମୋ’ର ଯିବାରେ କୌଣସି ପ୍ରକାରେ ବାଧ୍ୟ ହେବାର ଆଦୌ କୌଣସି ସ୍ଥାନ ନଥିଲା । କିନ୍ତୁ ମୁଁ ବାଟରେ ଭାବି ଭାବି ଯାଉଥାଏ, ମୋର ପାଠପଢ଼ିବା ଓ ପଢ଼ାଇବା, ମୋ ସାହିତ୍ୟଚର୍ଚ୍ଚା,–ଏସବୁ ମୋତେ କେବଳ ବାନ୍ଧି ପକାଉଚନ୍ତି କି, ମଣିଷ ପ୍ରତି ମୋତେ କ୍ରମେ ଉଦାସୀନ କରି ପକାଉଚନ୍ତି କି ? ହଁ, ସାହିତ୍ୟଚର୍ଚ୍ଚା ଭିତରେ ମଣିଷ ଓ ଜୀବନ ସହିତ ଏକପ୍ରକାର ଭାବଗଦ ଅନ୍ତରଙ୍ଗତା ଲାଭ କରିବାର ଅନୁଭୂତି ଅବଶ୍ୟ ମିଳିଥାଏ, ତେଣୁ ଅନେକ ସମୟରେ ରକ୍ତମାଂସ ମଣିଷର ସୁଖ ଦୁଃଖ ପ୍ରତି କବି ଓ ଲେଖକ ଟିକିଏ ଉଦାସ ହୋଇ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଥାଏ । କିନ୍ତୁ ମୋ’ ସାହିତ୍ୟଚର୍ଚ୍ଚା ମୋଟେ ମଣିଷର ଉଷ୍ମ ସାନ୍ନିଧ୍ୟଠାରୁ ଦୂରକୁ ନେଇ ଯିବନାହିଁ, ମଣିଷ ସହିତ ଅଧିକ ଆତ୍ମୀୟତା, ବାସ୍ତବ ଆତ୍ମୀୟତା ଅର୍ଜନ କରିବାରେ ତାହା ମୋତେ ଅଧିକ ଯୋଗ୍ୟ କରାଇବ । ମୋ’ର କର୍ମ ଯେପରି ମୋତେ ଆପଣାର ଭାବମୟ ରାଜ୍ୟରେ ବନ୍ଦୀ କରି ନରଖି ମୋତେ ମଣିଷ ପାଇଁ ହିଁ ସବୁବେଳେ ପ୍ରସ୍ତୁତ କରି ରଖିଥିବ, ଏହାହିଁ କାମନା ।

 

୨୦ । ୪ । ୬୧

 

ମଣିଷକୁ ମୁଁ ଭଲପାଏ, ମଣିଷଠାରୁ ଏକାକୀ ଓ ବିଚ୍ଛିନ୍ନ ହୋଇ ରହିଯିବାକୁ ମୁଁ ମୃତ୍ୟୁ ସମାନ ମନେକରେ । ମଣିଷର ଆବଶ୍ୟକତାକୁ ମୁଁ ମୋ’ ନିଜର ଆବଶ୍ୟକତା ବୋଲି ଅନୁଭବ କରେ । ମୁଁ ଏହି ସମସ୍ତ ଜୀବନକୁ ହିଁ ଭଲପାଏ । ମୋ’ର ସାହିତ୍ୟଠାରୁ ମଧ୍ୟ ମୁଁ ମଣିଷକୁ ଓ ଜୀବନକୁ ଭଲପାଏ । ମଣିଷ ଓ ଜୀବନ ଭିତରେ ଯେଉଁ ଉଷ୍ମତା ରହିଚି, ଯେଉଁ ସୌନ୍ଦର୍ଯ୍ୟ ରହିଚି, ସେହି ସୌନ୍ଦର୍ଯ୍ୟକୁ ଭାଷା ଦେବାକୁ ଯାଇ ଆହିତ୍ୟର ସୃଷ୍ଟି ହୁଏ । ବାହାରର ସୌନ୍ଦର୍ଯ୍ୟ ଭିତରେ ସୌନ୍ଦର୍ଯ୍ୟର ଆପଣାର ଏହି ସୁନ୍ଦର ଆଖିଟିକୁ ଭେଦାଇ ପାରିଲେ, ଯଥାର୍ଥ ଦୃଷ୍ଟିଦ୍ଵାରା ଜୀବନର ମର୍ମପ୍ରବେଶ କରିପାରିଲେ ସାହିତ୍ୟର ସୃଷ୍ଟି ହୁଏ, କଳା ଓ ସଙ୍ଗୀତର ସୃଷ୍ଟି ହୁଏ । ମଣିଷକୁ ଓ ଜୀବନକୁ ଅସ୍ଵୀକାର କରି ମୁଁ କୌଣସି କଳାର କଳ୍ପନା ହିଁ କରିପାରେ ନାହିଁ । ତେଣୁ, ମଣିଷକୁ ଅସ୍ଵୀକାର କରି ସାହିତ୍ୟକୁ ସ୍ଵୀକାର କରିବା ମୋ’ଦ୍ଵାରା ହୋଇପାରିବ ନାହିଁ । ସାହିତ୍ୟ ମୋତେ ବାରବାର ମଣିଷ ପାଖକୁ ଟାଣି ଆଣିବ । ମୋତେ ବାରବାର ଅପର ସହିତ ଏକତ୍ର କରାଇବ । କେବଳ ଭାବପ୍ରବଣତାରେ ନୁହେଁ, ଜୀବନର ନାନା କର୍ମ ଓ ନାନା ଆବଶ୍ୟକତା ମଧ୍ୟଦେଇ ତାହା ମୋତେ ମନୁଷ୍ୟ ସହିତ ଏକତ୍ର କରାଇବ । ମୋ’ର ଆପଣା ଘରର ସଜ୍ଜା ଭିତରେ ବନ୍ଦ ରହି ମୁଁ ମଣିଷ ସହିତ ସଂଯୋଗ ସ୍ଥାପନ କରିବି ନାହିଁ, ତା’ ସହିତ ନାନାବିଧ କ୍ଷେତ୍ରରେ ସଂଯୁକ୍ତ ହୋଇ ହିଁ ମୁଁ ଆପଣାର ହୃଦୟ ଭିତରେ ସବୁ ମଣିଷ ସହିତ ମୋ’ର ରହିଥିବା ସଂଯୋଗକୁ ଅନୁଭବ କରିବି । ଏ କବିତା, ଏ ସାହିତ୍ୟ ଏହି ଲେଖାପଢ଼ା,–ଏସବୁ ମୋର କୃଚ୍ଛ୍ର ସାଧନା ନୁହେଁ, ଜୀବନରୁ ବିରକ୍ତ ହୋଇ ମୁଁ ଯେକୌଣସି ପ୍ରକାରେ ବିସ୍ମୃତ ହୋଇ ରହିବାକୁ ମୁଁ ଏସବୁ କ୍ଷେତ୍ରକୁ ଦଉଡ଼ି ଆସିନାହିଁ, ଜୀବନର କ୍ଷେତ୍ରରୁ ପଳାଇ ଆସି ମୁଁ ସାହିତ୍ୟ ଭିତରେ କାତର ଶରଣ ନେଇନାହିଁ । ଆପଣାର ଜୀବନକୁ ଓ ମନୁଷ୍ୟର ଜୀବନକୁ ଏକ ବୋଲି ଅନୁଭବ କରିବାକୁ ମୁଁ ସାହିତ୍ୟକୁ ସାଧନରୂପେ ଗ୍ରହଣ କରିଚି । ତେଣୁ ମଣିଷ ପ୍ରତି ମୋ’ର ଦାୟିତ୍ଵକୁ ଫାଙ୍କିଦେବାକୁ ମୋ’ର ସାହିତ୍ୟ କୌଣସି ଦିନ ଏକ ବାହାନା ହୋଇ ନରହୁ । ସଂସାର ପ୍ରତି ଅତୃପ୍ତି କୌଣସି ଦିନ ମୋ’ର ସାହିତ୍ୟତୃପ୍ତିର ମଧ୍ୟ ଦେଇ ସାନ୍ତ୍ଵନା ଆହରଣ କରିବାର ଅପଚେଷ୍ଟା ନକରୁ । ଆପଣାକୁ କିଳି ପକାଇଲେ କୁଆଡ଼େ ସାହିତ୍ୟର ସୃଷ୍ଟି ହୁଏ ବୋଲି ଅନେକେ କହିଥାନ୍ତି । ଆପଣାକୁ ସୁଅରେ ଭସାଇଦେଲେ, ନାନାପ୍ରକାରେ ବିକ୍ଷିପ୍ତ କରି ରଖିଲେ ସାହିତ୍ୟ ହୁଏ ବୋଲି ମୁଁ ଅବଶ୍ୟ ମୋଟେ କହୁନାହିଁ । କିନ୍ତୁ ସଂଯୋଗ ରହିଥିବା ଦରକାର, ଶ୍ରଦ୍ଧା ରହିଥିବା ଦରକାର, କର୍ମର ସମ୍ମିଳନ ମଧ୍ୟ ରହିଥିବା ଦରକାର-

 

୨୧ । ୪ । ୬୧

 

ଏ ପୃଥିବୀର ଆଉ ଭଲ ହେଲାପରି ଦେଖା ଯାଉନାହିଁ । ଏହି ଦୁର୍ଦ୍ଦଶା ନିମନ୍ତେ ମୁଁ ବିଜ୍ଞାନକୁ କଦାପି ଦୋଷ ଦେବିନାହିଁ । କିନ୍ତୁ; ଆମେ ସମସ୍ତେ ଆପଣାର ବାଟକୁ ଏକମାତ୍ର ବାଟ ବୋଲି ମନେକଲେ ଏବଂ ବୋମା, ବନ୍ଧୁକ ଓ ବୀଭତ୍ସ ପ୍ରଚାରର ପୁଞ୍ଜି ଧରି ସାରା ପୃଥିବୀଟାକୁ ଜବରଦସ୍ତି ସେହି ବାଟକୁ ଆଣିବାକୁ ବାହାରିଲେ ଆମେ ଆମର ସର୍ବନାଶ କରିବି ନାହିଁ ତ ଆଉ କ’ଣ କରିବା ? ବିଜ୍ଞାନର ଶକ୍ତିକୁ ଚିହ୍ନିବା ସଙ୍ଗେ ସଙ୍ଗେ ମଣିଷର ଯୁଦ୍ଧକୁ ହିଁ ସବୁପ୍ରକାର ପରିସ୍ଥିତିରେ ବେଆଇନ ବୋଲି ଘୋଷଣା କରିବା ଉଚିତ ଥିଲା । କିନ୍ତୁ, ଯଦି ମନୁଷ୍ୟ ଭିତରେ ସତକୁ ସତ ବିବେକ ଥାଆନ୍ତା, ବୁଝିବା ଶକ୍ତି ଥାଆନ୍ତା, ଯଦି ସିଏ ଆପଣାର ଜୀବନକୁ କୌଣସି ସୃଜନାତ୍ମକ ସ୍ତରକୁ ନେଇଯିବାକୁ ଚାହୁଁଥାନ୍ତା, ତେବେ ସିଏ ହୁଏତ ଏପରି କରିଥାନ୍ତା । କିନ୍ତୁ କ୍ଷମତାରେ ଉଗ୍ର ହୋଇ ବସିଥିବା ମଣିଷ ବିଜ୍ଞାନକୁ ଆପଣ ଲାଳସାର ଚରିତାର୍ଥତା ପାଇଁ ଲଗାଇବାକୁ ହିଁ ପ୍ରଲୁବ୍‍ଧ ହେଲା । ତେଣୁ, ପୃଥିବୀରେ ଜ୍ଞାନଚର୍ଚ୍ଚା ଓ ଅଧ୍ୟୟନ ଏତେ ଆଗକୁ ବଢ଼ି ଯାଇଥିଲେ ମଧ୍ୟ, ମଣିଷ ଯତ୍‍କିଞ୍ଚିତ୍ ବାହାନା ପାଇଲେ ସଙ୍ଗେ ସଙ୍ଗେ ଯୁଦ୍ଧ କରିବାକୁ ହିଁ ତିଆର ହୋଇଯାଉଚି । ସବୁ ଦେଶରେ ଏହି ଯୁଦ୍ଧ ପାଇଁ ସବୁଠାରୁ ବେଶୀ ପଇସା ଖରଚ ହେଉଚି । ସବୁଠିଁ ଆପଣାର ଅନ୍ୟାନ୍ୟ ପ୍ରବୃତ୍ତି ଅପେକ୍ଷା ଆପଣା ଭିତରର ପଶୁଟା ଉପରେ ହିଁ ସିଏ ଅଧିକ ନିର୍ଭର କରୁଚି । ତେଣୁ, ଅପର ମଧ୍ୟରେ ବି ଯେଉଁ ଶୁଭ ଇଚ୍ଛା ବା ସୁ–ପ୍ରବୃତ୍ତି ରହିଚି, ତାହାକୁ ଚିହ୍ନିପାରିବା ପୂର୍ବରୁ ସେ ଆଗ ଅପର ଭିତରେ ଥିବା ପଶୁଟାକୁ ଚିହ୍ନୁଚି, ସେଇଟାକୁ ହିଁ ବେଶୀ ପ୍ରୋତ୍ସାହନ ଦେଉଚି, ଟିକିଏ ସୁଯୋଗ ପାଇଲେ ଆପଣାର ସମସ୍ତ ଚତୁରନୀତି ପ୍ରୟୋଗ କରି ସେହି ପଶୁଟାକୁ କାମରେ ଲଗାଉଚି । ଏହି ସଂସାରରେ ଜାତୀୟତା, ସ୍ଵାଧୀନତା ଓ ସ୍ୱାୟତ୍ତଶାସନ ପ୍ରଧାନତଃ ମଣିଷ ଭିତରର ପଶୁଟାକୁ ହିଁ ଜୀଆଇ ରଖିଚି, ପାଶବିକତା ବଢ଼ାଇ ଚାଲିଚି ।

 

୨୨ । ୪ । ୬୧

 

ଏପାଖ ସ୍ଵାଧୀନତା ପାଇଁ ଲଢ଼ୁଚନ୍ତି, ସେପାଖ ମଧ୍ୟ ସ୍ଵାଧୀନତା ପାଇଁ ଲଢ଼ୁଚନ୍ତି । ଗୋଟାଏ ପାଖକୁ ଆମେରିକା ତିଆରି କରୁଚି, ଆଉ ଗୋଟାଏ ପାଖକୁ ରୁଷିଆ ତିଆରି କରୁଚି । ଦୁଇ ପକ୍ଷ ଭିତରୁ କୋଉ ପକ୍ଷର ସ୍ଵାଧୀନତାଟା ଯେ ଠିକ୍‍, ତାହାରି ନିଷ୍ପତ୍ତି ହେଉଚି, ଯୁଦ୍ଧରେ । ମୁଁ ବୁଝିପାରେ ନାହିଁ, ଏମାନେ କିପରି ପୃଥିବୀରେ ଶାନ୍ତି ପ୍ରତିଷ୍ଠା କରିବେ ବୋଲି ଏଡ଼େ ପାଟିକରି କହୁଚନ୍ତି । କେହି ଆଜି କିଛି ମାନିବାକୁ ତିଆରି ନୁହନ୍ତି । ପ୍ରତ୍ୟେକ ପକ୍ଷକୁ ଅପର ପକ୍ଷର ଭୟଟା ଏପରି ଭାବରେ କାମୁଡ଼ି ଧରିଚି ଯେ, ସିଏ କେବଳ ଆପଣା ପକ୍ଷଟାକୁ ଅନ୍ଧ ଭାବରେ ଓ ତେଣୁ ଉଗ୍ର ଭାବରେ ସମର୍ଥନ କରିବା ବ୍ୟତୀତ ଅନ୍ୟ ରାସ୍ତା ହିଁ ଦେଖିପାରୁ ନାହିଁ । ଅନ୍ୟ ପ୍ରକାରେ ଚିନ୍ତା ମଧ୍ୟ କରିପାରୁନାହିଁ । କିଉବରେ କେଉ ପକ୍ଷର ଶାସନ ରହିବା ଉଚିତ, ସେହି ବିଷୟରେ କିଉବାବାସୀ ବିଚାର କରିବାର ବେଳ ପାଉନାହାନ୍ତି । ସେମାନଙ୍କୁ ସେହି ବେଳ ଦେବାକୁ ମଧ୍ୟ କେହି ପ୍ରସ୍ତୁତ ଥିଲାପରି ଜଣା ପଡ଼ୁନାହିଁ । ସେଠି ଆମେରିକା ଆଉ ରୁଷିଆ ଆପଣା ଆପଣାର ଅର୍ଥବଳ ଓ ଅସ୍ତ୍ରବଳ ଖଟାଇ ଶକ୍ତି ପରୀକ୍ଷା କରୁଚନ୍ତି, ଏଠି କ୍ଷମତାର ପଶା ଖେଳରେ ଦୁଇ ଅଧର୍ମରାଜ ଆପଣାର ସମ୍ମାନାଙ୍‌କାଂକ୍ଷାକୁ ବାଜିରଖି ଖେଳିବାରେ ମସ୍ତ ଅଛନ୍ତି । ତେଣୁ, ସ୍ଵାଧୀନତା ପାଇଁ ଯୁଦ୍ଧ ହେଉନାହିଁ, ମଣିଷର ଅଧିକାର ରକ୍ଷା ପାଇଁ ଯୁଦ୍ଧ ହେଉନାହିଁ, ଯୁଦ୍ଧ ହେଉଚି ବଡ଼ ବଡ଼ ବାଘଙ୍କର ସମ୍ମାନାଙକାଂକ୍ଷାର ପରୀକ୍ଷା ଲାଗି । ପୃଥିବୀରେ ଏହି ଦୁଇଟି ବଡ଼ ଦେଶକୁ ଆଉ କୋଉ ଦୃଷ୍ଟିରୁ ବଡ଼ କୁହାଯାଇ ପାରିବ, ମୁଁ ସେକଥା ଜାଣେନାହିଁ । ସେମାନଙ୍କର ହାତରେ ଅର୍ଥ ଅଛି, ଅସ୍ତ୍ର ଅଛି, ଗୋଟାଏ ଶକ୍ତିଶାଳୀ ପ୍ରଚାର ବିଭାଗ ଅଛି, ମଣିଷକୁ ମୁଗ୍‌ଧ କରି ରଖିବା ଲାଗି ନାନପ୍ରକାର ପ୍ରଲୋଭନ ଓ ନାନାପ୍ରକାର ଅଫିମ ମଧ୍ୟ ରହିଚି । ବିଜ୍ଞାନର ବିକାଶ ହେବାର ସେହି ପ୍ରଥମ ପର୍ଯ୍ୟାୟରେ ଯନ୍ତ୍ର କୌଶଳ ଦ୍ଵାରା ମଣିଷ ସମଗ୍ର ପୃଥିବୀକୁ ସୁଖୀ କରିବ ବୋଲି ସ୍ଵପ୍ନ ଦେଖିଥିଲା; ଆଜି ଅବିବେକୀ ଶାସନ ଓ ଅବିବେକୀ ସମୂହ ହାତରେ ପଡ଼ି, ଏହି ବିଜ୍ଞାନ ମଣିଷ ଭିତରର ପଶୁଟାକୁ ହିଁ ପ୍ରୋତ୍ସାହନ ଦେବାଲାଗି ସବୁମନ୍ତେ ଲାଗି ପଡ଼ିଚି ।

 

୨୩ । ୪ । ୬୧

 

ଶାସକର ମାନରକ୍ଷା ପାଇଁ, କ୍ଷମତାଧୀଶର ମାନରକ୍ଷା ପାଇଁ ଯୁବକ କେବଳ ଲଢ଼ାଇ କରି ମାରିବ ବା ମରିବ;–କୋଉ ଯୁଦ୍ଧରେ ସିଏ କାହାପାଇଁ ବା କାହା ବିରୁଦ୍ଧରେ କାହିଁକି ଲଢ଼ୁଚି, ସେ ବିଷୟରେ ସିଏ ସ୍ପଷ୍ଟ କରି କିଛି ଜାଣି ନଥିବ,–କୌଣସି ଦେଶ ବା ସମୂହର କ’ଣ ଯୁବକ ପାଖରୁ ଏତେଗୁଡ଼ାଏ ଦାବି କରିବାର ଅଧିକାର ରହିଚି ? ଯେଉଁମାନେ ସଂସାରରେ ଯୁଦ୍ଧ ଭିଆଉଚନ୍ତି, ସେଇମାନେ ଲକ୍ଷକୋଟି ମଣିଷଙ୍କୁ ନିଶା ଖୁଆଇ ରଖିବାର ବାଣ ମଧ୍ୟ ଜାଣିଚନ୍ତି । ଯେଉଁମାନେ କ୍ଷମତାରୂଢ଼ ହୋଇ ରହିଚନ୍ତି, ସେହି କ୍ଷମତାକୁ ସ୍ଥାୟୀ କରି ରଖିବା ବ୍ୟତୀତ ସେମାନଙ୍କ ପାଖରେ ହୁଏତ ଅନ୍ୟ କୌଣସି ଦ୍ଵିତୀୟ କାର୍ଯ୍ୟକ୍ରମ ନାହିଁ । ଜଗତରେ ଅନ୍ୟ ଯାବତୀୟ କାର୍ଯ୍ୟକ୍ରମକୁ ସେମାନେ ସେହି ପ୍ରଥମ ଓ ଅସଲ କାର୍ଯ୍ୟକ୍ରମର ଅନୁଗତ କରି ରଖୁଚନ୍ତି । ମଣିଷ ସେମାନଙ୍କ ଲାଗି ସାଧ୍ୟ ନୁହେଁ, କେବଳ ସାଧନମାତ୍ର । ସ୍କୁଲଘରର ପାଠଠାରୁ ଆରମ୍ଭ କରି ସଭାମଞ୍ଚର ଭାଷଣ ପର୍ଯ୍ୟନ୍ତ ଏମାନେ ସବୁଠାରୁ ମଣିଷକୁ କେବଳ ବଳି ଦେବାର ଅଧର୍ମ ହିଁ ପ୍ରଚାର କରୁଚନ୍ତି,–ସ୍କୁଲଘର ଠାରୁ ଆରମ୍ଭ କରି ସଭାମଞ୍ଚ ପର୍ଯ୍ୟନ୍ତ ସବୁଠାରେ ନାନା ଚତୁରତାର ସହିତ ମଣିଷକୁ ନିଜକୁ କେବଳ ଗୋଡ଼ିମାଟି ବୋଲି ଜାଣିବାର ଶିକ୍ଷା ଦିଆଯାଉଚି । ସେହି କାରସାଦି ଆଜି ସବୁଠାରେ ଚାଲିଚି । ଯୁବକ ମଧ୍ୟ ଆପଣାର ଯୌବନ ଓ ଆପଣାର ଶକ୍ତିକୁ ଚିହ୍ନିବା ପୂର୍ବରୁ ଆପଣାକୁ କେବଳ ଏକ ସାଧନ ବୋଲି ବିଶ୍ଵାସ କରି ଶିଖୁଚି । ଆପଣାର ଦେଶ ହାତରେ, ତା’ର ଶାସକ ହାତରେ ବା ନେତା ହାତରେ ସିଏ ନିଜକୁ କେବଳ ଏକ ସାଧନରୂପେ ହିଁ ସମର୍ପି ଦେଉଚି । ଆପେ ବିଚାର କରିବାର ସମସ୍ତ ଗୌରବରୁ ବଞ୍ଚିତ ହୋଇ ରହିଚି । ଏପାଖର କମୁନିଷ୍ଟ ଆଉ ସେପାଖରେ ଅଣକମୁନିଷ୍ଟ–ଉଭୟ ଶିବିରରେ ଯୁବକର ଏହି ବିରାଟ ବିପର୍ଯ୍ୟୟ ଏକ ବୃହତ୍ ସାମଞ୍ଜସ୍ୟ ହିସାବରେ କ୍ରମେ ଅଧିକ ସ୍ପଷ୍ଟ ହୋଇ ଉଠୁଚି ।

 

୨୪ । ୪ । ୬୧

 

ମୋ’ ନିଃସଙ୍ଗ ଜୀବନଟାର ସମସ୍ତ ଖେଦ ଓ ସମସ୍ତ ଅତୃପ୍ତିକୁ ମୋର ଅଚେତନ ମନ ନାନାପ୍ରକାର ପରିପୂରଣ ଓ ତୃପ୍ତ କରିବାକୁ ଚେଷ୍ଟା କରୁଚି । ଚେତନ ମନରେ ମୁଁ ନାନା କାର୍ଯ୍ୟରେ ବ୍ୟସ୍ତ ହୋଇ ରହୁଚି, ନାନପ୍ରକାର ସାନ୍ତ୍ଵନା ଓ ପ୍ରରୋଚନାରେ ଆପଣାକୁ ବୋଧ ଦେଇ ରଖୁଚି,–ମୁଁ ଏକାକୀ ନୁହେଁ, ଏହିପରି ଅନୁଭବ କରିବାକୁ ମୁଁ ଅନେକ ପ୍ରକାର ଚେଷ୍ଟା କରୁଚି । କିନ୍ତୁ ତଥାପି ଭିତରେ ଶୋଇ ରହିଥିବା ଆର ମନଟା ମୋଟେ ବୁଝୁନାହିଁ । ସେଥିପାଇଁ ଉପର ମନ ଓ ସଚେତ ଜୀବନର କବାଟ ଲାଗିଥିବା ବେଳେ ସେହି ଅତୃପ୍ତ ଶିଶୁ ନାନାପ୍ରକାରେ ଉଗ୍ର ହୋଇ ଉଠିଲା ଭିତରେ ଭାରି ଉତ୍ପାତ ଆରମ୍ଭ କରିଦେଉଚି । ଭିତରେ ଭାରି ବିଷମତା ସୃଷ୍ଟି କରୁଚି । ଏଥିରେ ଖାଲି ଦୁଃଖ କଲେ ବା ଖାଲି ନୀତିବାଦୀ ହୋଇ ଆପଣାର ବିଚାର କରି ବସିଲେ କିଛି ଫଳ ନାହିଁ । କାହା ମୁହଁର କେବଳ ଉପଦେଶ ମୋତେ କେତେବେଳେ ହେଲେ ପ୍ରଭାବିତ କରିପାରେ ନାହିଁ । ତେଣୁ ମୁଁ ନିଜେ ମଧ୍ୟ ଆପଣାର ଉତ୍ତେଜନା ବୋ କ୍ଷୁବ୍‌ଧତାର ବଶବର୍ତ୍ତୀ ହୋଇ ଆପଣା ଉପରେ ଗୁରୁଜନ ଆଖି ଦେଖାଇବାର କୌଣସି ଅପଚେଷ୍ଟା କରିବି ନାହିଁ । ମୁଁ ଯେ ଅନେକ ସମୟରେ ନିଃସଙ୍ଗ ଅନୁଭବ କରୁଚି, ମୋତେ ଏକଥା ସ୍ଵୀକାର କରିବାକୁ ହିଁ ହେବ । ମତମୁତାବକ ଏକ କର୍ମଧାରା ଭିତରେ ମଣିଷ ଆପଣାକୁ ହୃଦୟର ସହିତ ଢାଳିଦେଇ ନପାରିଲେ ଯେଉଁ ନିଃସଙ୍ଗତା ଅନୁଭବ କରିଥାଏ, ମୁଁ ସେହି ନିଃସଙ୍ଗତା ଅନୁଭବ କରୁଚି । ମୋ’ଚତୁର୍ଦ୍ଦିଗର କୃତ୍ରିମତା ଓ କର୍ତ୍ତୃତ୍ଵାଭିମାନ ମୋତେ ଏହି ସମାଜରେ ବଡ଼ ନିଃସଙ୍ଗ କରି ରଖୁଚି । କିନ୍ତୁ ମୁଁ ଆପଣାକୁ କେତେ କିଳି କରି ରଖିପାରିବି, ମଣିଷ ମେଳରେ ମୁଁ ତଥାପି କେତେଦୂର ଘୁଙ୍ଗା ହୋଇ ରହିପାରିବି ? ଯେଉଁ ସାଜ ଓ ସମାଜ ମୋତେ ସ୍ଵଭାବତଃ ଭଲ ଲାଗୁନାହିଁ, ତାହାରି ଭିତରେ ମୁହଁ ମାଡ଼ି ପଡ଼ିଥିବା ଯାଏ ମୁଁ ନାନା ନିଃସଙ୍ଗତାର ଆଘାତ ଅବଶ୍ୟ ଅନୁଭବ କରୁଥିବି । ମୁଁ ଅନ୍ୟପ୍ରକାର ସମାଜ ଚାହେ, ଅନ୍ୟପ୍ରକାର ସଂସର୍ଗ ଓ ମନୋବିନିମୟ ଚାହେ, ମଣିଷ ପାଖରେ ମୋର ସମ୍ପୂର୍ଣ୍ଣ ପରିଚୟ ଦେଇ ସମ୍ପୂର୍ଣ୍ଣ ଭାବରେ ଠିଆ ହେବାକୁ ଚାହେ । ମଣିଷ ପାଖରୁ ମଧ୍ୟ ସେହିପରି ଏକ ସମ୍ପୂର୍ଣ୍ଣ ପରିଚୟ ଦାବି କରେ । ଶିକ୍ଷକ ହିସାବରେ ମୁଁ ଛାତ୍ରକୁ ଓ ମୋର ସହକର୍ମୀମାନଙ୍କୁ ଅନ୍ୟ ରୂପରେ ଦେଖିବାକୁ ଚାହେ । ତାହାର ଅଭାବ ହିଁ ମୋତେ ଭାରି ନିଃସଙ୍ଗ କରିପକାଏ ।

 

୨୫ । ୪ । ୬୧

 

ସମ୍ପୂର୍ଣ୍ଣ ଭାବରେ ଆପଣା ଉପରେ ନିର୍ଭର କରି ଜୀବନର ବାଟ ଚାଲିବାକୁ ହେଲେ ମୋତେ ସଫଳ ହେବାର ସମସ୍ତ ଲାଳସା ଛାଡ଼ିବାକୁ ପଡ଼ିବ, ହାରିଯିବାର ସକଳ ଭୟକୁ ଛାଡ଼ିବାକୁ ହେବ । ସଫଳ ହେବାର ଅର୍ଥ, ଜଗତ ଯାହା ଚାହୁଚି, ସେହି ଅନୁସାରେ ତିଆରି ହେବ, ଅଧିକାଂଶ ଲୋକ ଯାହା ହେବାକୁ ଚାହୁଚନ୍ତି, ଠିକ୍ ସେହିପରି ହେବା ଭାରତବର୍ଷରେ ମୋ’ର ସମାଜ ଚାହୁଚି, ମୁଁ ବାହାରେ ବଡ଼ବଡ଼ କଥା କହିବି, ଆଗରେ ଯାହାର ପ୍ରଶଂସାଗାନ କରିବି, ପଛରେ ତାହାର ନିନ୍ଦା କରିବି, ସଭ୍ୟ ବୋଲି ପରିଚୟ ଦେବାକୁ ଯାଇ ନିଷ୍ଠାପର ଭାବରେ ନାନା ଆଳସ୍ୟର ଆବିଷ୍କାର କରି ସମୟ କଷ୍ଟ କରି ଚାଲୁଥିବି । ମଣିଷକୁ ଅସ୍ଵୀକାର କରି ଆସନଟାକୁ ବଡ଼ ସ୍ଥାନ ଦେବି, ଉପରକୁ ତୁଷ୍ଟ କରି ରଖିବାକୁ ହିଁ ମୋ’ର ପରମଧର୍ମ ବୋଲି ମାନୁଥିବି, ଏସବୁ ହେଲେ ମୋ’ର ଜୀବନରେ ସଫଳତା ମିଳିପାରିବ, ମାତ୍ର ମୋ’ର ଜୀବନରେ ଆପଣାର ବାଟ ବୋଲି ଆଉ କିଛି ରହିବ ନାହିଁ । ମୋ’ର ଭିତରୁ ମୁଁ କିଛି ସୃଷ୍ଟି କରିପାରିବି ନାହିଁ, ମୋ’ଭିତରେ ଥିବା କୌଣସି ପ୍ରବୃତ୍ତିକୁ ମୁଁ ସ୍ଥାୟୀ ସମ୍ମାନ ଦେଇପାରିବି ନାହିଁ, ଯିଏ ଆପଣା ଭିତରୁ କିଛି ସୃଷ୍ଟି କରିବାକୁ ଚାହୁଥିବ, ସଂସାରରେ ତା’କୁ ଆପାତତଃ ଅନେକବାର ହାରିଯିବାକୁ ପଡ଼ିବ । ସଫଳ ହେବା, ଅର୍ଥାତ୍ ଜିତିବା-। ଯିଏ ସମସ୍ତଙ୍କ ଠାରୁ ସଫଳତାର ମୋହର ପାଇବାର ଲାଳସା ନରଖିବ, ତା’କୁ ବାରବାର ହାରିଯିବାର ଉପହାସକୁ ଆଦରି ନେବାକୁ ହିଁ ପଡ଼ିବ । ମୁଁ ସଂସାରରେ କାହାର କୌଣସି ପ୍ରତିବନ୍ଧକ ହେବାକୁ ଚାହେନାହିଁ । ମୁଁ ମଣିଷ ହେବାକୁ ଚାହେ, ମୁଁ ଆପଣାକୁ ଜଣେ ସମ୍ମାନିତ ମଣିଷ ହିସାବରେ ସ୍ଵୀକାର କରିବାକୁ ଚାହେ । ସୃଷ୍ଟିଶୀଳ ଜୀବନକୁ ହିଁ ଶ୍ରେଷ୍ଠ ଜୀବନ ବୋଲି ଗ୍ରହଣ କରି ନେବାକୁ ଚାହେ ।

 

୨୬ । ୪ । ୬୧

 

ବରଷ ସରି ଆସୁଛି, ଅର୍ଥାତ୍ ଅଧ୍ୟାପନାର ବରଷ ସରିଆସୁଚି । ଭିତରେ କୋଉଠି କ୍ଳାନ୍ତ ହୋଇ ଆସୁଥିବା ମନଟା ଏଣିକି କ୍ରମେ ଅସ୍ଥିର ହୋଇ ପଡ଼ୁଥିଲା ପରି ମନେ ହେଉଚି । ଏହି ଏକୁଟିଆ ଘରଟିରେ ଏହି ଅତି ଆପଣାର ଟେବୁଲ ଉପରେ ମୁଁ ମାସ ମାସ ଧରି ବସିଚି, ଏଇଠି ବସି ପୂର୍ବଦିଗକୁ ଚାହିଁ କେତେକେତେ ସୂର୍ଯ୍ୟୋଦୟ ମୁଁ ଦେଖିଚି, ଏଇଠି ବସି ଜୀବନରେ ମୁଁ କେତେ ବାଟ ପାଇଚି, ଏହି ସଂସାର ଓ ଏହି ମଣିଷ କେଡ଼େ ଭଲ ଲାଗିଚନ୍ତି, ଏଇଠି ବସି ଆପଣା ଭିତରର ବିରକ୍ତ ‘ମୁଁ’ ଟାକୁ ମୁଁ ପୁଣି କେତେଥର ମୋ’ର ବନ୍ଧୁଭାବରେ ଫେରି ପାଇଚି । ଏଇଠି ନୀଡ଼ ଭିତରେ ବସି ବାହାରର ସକଳ ଜଗତକୁ ମୁଁ ଅନ୍ତରର ସୂତ୍ର ପକାଇ ବାନ୍ଧୁ ବାନ୍ଧୁ ଆପଣାର କେତେକେତେ ମହାନ୍ ପରିଚୟ ପାଇଚି । ଅନୁଭବ କରିଚି, ମୋ’ର ଏହି ହୀନତା, ଏହି ବିରକ୍ତି ଏହି ବୈରାଗ୍ୟ,–ଏସବୁ କିଛି ନୁହେଁ; ଏହି ଜୀବନଭଣ୍ଡାରରେ ମୁଁ ଆଦୌ ଦରିଦ୍ର ନୁହେଁ । ମୋତେ କେବଳ ଦୁଆର ଖୋଲି ଦେଇଦେବାକୁ ହେବ, କେବଳ ସମର୍ପିତ ହେବା ଲାଗି ପ୍ରସ୍ତୁତ ହେବାକୁ ପଡ଼ିବ । ମୋ’ରି ଭିତରୁ କେଉଁ ମହାନ୍ ସୃଷ୍ଟିକର୍ତ୍ତାର ସ୍ପର୍ଶସ୍ପନ୍ଦନ ମୋତେ ହଠାତ୍ ମହନୀୟ କରିଦେଇଚି, ମୋ’ର ସମସ୍ତ ଦୁଆରକୁ ଖୋଲିଦେଇ ଲୁଚି ରହିବାଲାଗି ମୋ’ର ସମସ୍ତ କୃପଣତାକୁ ଭାଙ୍ଗି ଦେଇଯାଇଚି । ମୁଁ ନାନା ଭାବରେ ଆପଣାକୁ ଅତି ସହଜରେ ସମର୍ପଣ କରିଦେବାର ଶକ୍ତି ଲାଭ କରିଚି । ମୋ’ର ଭାବନା, ମୋ’ର ବ୍ୟାକୁଳତା, ମୋ’ର ଭାଷା,–ସବୁ କେବଳ ସମର୍ପଣ କରିଦେବାର ଭାବନା, ବ୍ୟାକୁଳତା ଓ ଭାଷାରେ ରୂପାନ୍ତରିତ ହୋଇଯାଇଚି । ବୟସ ଓ ବିଫଳତାର ସକଳ ନୈରାଶ୍ୟ ସତ୍ତ୍ୱେ ମୁଁ ତଥାପି ଭିତରୁ ପୁଣି କେତେବେଳେ ନୂତନ ଉତ୍ସର ଆବିଷ୍କାର କରିଚି । ସକଳାର ସେହି ନୀରବ ମୁହୂର୍ତ୍ତରେ ଏହି ଟେବୁଲ ପାଖରେ ଦଣ୍ଡେ ବସି ସାରିବାପରେ ମୁଁ ସତେ ଯେପରି ସଂସାରରେ ସବୁଠାରେ ପ୍ରବେଶ କରିପାରିବାର ସହଜ ଶକ୍ତି ଲାଭ କରିଚି । ବର୍ତ୍ତମାନ ଛୁଟିର ସମୟ ଆସିଲା । ବର୍ତ୍ତମାନ ସମ୍ପୂର୍ଣ୍ଣ ଛୁଟି ଦରକାର । ଏଥର ପାଦରେ ଡେଣା ଲଗାଇ ଉଡ଼ିବାକୁ ହେବ, ଆପଣାର ଆଖି, ଆପଣା ମନ ଓ ଆପଣାର ଅନ୍ତରଟାକୁ ଖାଲି ଦଉଡ଼ାଇ ନେବାକୁ ହେବ । ଆରବର୍ଷ ଲାଗି ପୁଣି ସଂଗ୍ରହ କରି ଆଣିବାକୁ ହେବ । ଛୁଟି ଆଉ ମାତ୍ର କେଇଟା ଦିନ ରହିଲା । ମୋ’ ଭିତରର ଚାଟ ଆଉ କୌଣସି ମାଷ୍ଟରର ବୋଲ ମାନିବାକୁ ପ୍ରସ୍ତୁତ ନୁହେଁ । ସିଏ ଆଜି ବାହାରି ଯିବ । କେବଳ ବାହାରିଯିବ, ଆପଣା ଅନ୍ତରର ସକଳ ସମ୍ପଦକୁ ସିଏ ସମୁଦାୟ ବିଶ୍ୱରେ ଯାଇ ଅନୁଭବ କରି ଆସିବ ।

 

୨୭ । ୪ । ୬୧

 

ମୁଁ ଅନେକ ଜାଗାରେ ସମସ୍ତଙ୍କର ମେଳରେ ଠିକ୍ ଠିକ୍ ଖାପ ଖାଇପାରେ ନାହିଁ । କାରଣ, ମଣିଷକୁ ମୁଁ ପ୍ରଥମତଃ ବ୍ୟକ୍ତି ହିସାବରେ ଦେଖିବାକୁ ଚେଷ୍ଟା କରେ । କୋଉ ମଣିଷ କ’ଣ କହୁଚି, ମୁଁ ତା’ ଉପରେ ବିଶେଷ ମହତ୍ତ୍ଵ ଦିଏନାହିଁ । କିନ୍ତୁ ଆପଣାର ବିଚାର ଭିତରେ ମଣିଷ ପ୍ରତ୍ୟେକ ବ୍ୟକ୍ତିକୁ ଓ ତା’ ସହିତ ଆପଣାକୁ କିପରି ଦୃଷ୍ଟିରେ ଦେଖୁଚି, ଜଣେ ମଣିଷକୁ ସିଏ ଗୋଡ଼ି ମାଟି ପଥର ହିସାବରେ ଦେଖୁଚି ନା ଜଣେ ସ୍ଵତନ୍ତ୍ର ସୃଜନଶୀଳ କ୍ଷେତ୍ରଜ୍ଞ ହିସାବରେ ଦେଖୁଚି, ମଣିଷର କହୁଥିବା କଥାରୁ ମୁଁ ତାହାରି ବିଚାର କରି ବସିଥାଏ । କୋଉ ମଣିଷ କେଡ଼େବଡ଼ ସଂସ୍ଥା, ସମାଜ ବା ଦଳର ନେତା ବା ନାୟକ, ମୁଁ ତାହା ଉପରେ ବେଶୀ ଗୁରୁତ୍ଵ ଦେଇପାରେ ନାହିଁ । ତେଣୁ, ଯେଉଁମାନେ ଆସି ଘଡ଼ିଏ ଦର୍ଶନ ଦେବେ ବୋଲି ମାସକ ଆଗରୁ ନାନା ଆଡ଼ମ୍ବର ଓ ଆୟୋଜନ ଲାଗିଥାଏ, ସେମାନଙ୍କ ସକାଶେ ମୁଁ ଏକ ପ୍ରକାରର ଅନ୍ତର୍ଗତ ଅସ୍ଵୀକାର ଅନୁଭବ କରିଥାଏ । ଆପଣା କ୍ଷମତାର ବାଡ଼ି ଧରି ଯେଉଁମାନେ ମଣିଷ ଚରାଇ ନେବାରେ ଗର୍ବ ଓ ଗୌରବ ଅନୁଭବ କରିଥାଆନ୍ତି, ଜଗତର ଏହି ଦୁର୍ଦ୍ଦିନରେ ସମାଜକୁ ଏମାନଙ୍କର ଭାର ମଧ୍ୟ ବହନ କରିବାକୁ ହେଉଚି ବୋଲି ମୁଁ ଲଜ୍ଜା ଓ ଦୁଃଖ ଅନୁଭବ କରିଥାଏ । ତେଣୁ, ମୋ’ପରି ଗୋଟାଏ ଅଦ୍‌ଭୂତ ଜୀବ ସବୁଠାରେ ଖାପ ଖାଇପାରିବା ସହଜ ନୁହେଁ । ମୁଁ ପଦର ସ୍ତୁତି କରିପାରେ ନାହିଁ, କ୍ଷମତାର ସ୍ତୁତି କରିପାରେ ନାହିଁ, ପୋଷାକର ମଧ୍ୟ ସ୍ତୁତି କରିପାରେ ନାହିଁ । ମୁଁ ମଣିଷକୁ ସମ୍ମାନ ଦିଏ, ସ୍ଵତନ୍ତ୍ର ସମ୍ମାନାସ୍ପଦ, ଦାୟିତ୍ଵପୂର୍ଣ୍ଣ ମଣିଷକୁ ସମ୍ମାନ ଦିଏ । ଯିଏ ଆପଣାର ମିଛ ଗର୍ବ ତଳେ ଆପଣାର ସବୁ ସ୍ଵତନ୍ତ୍ରତା, ସୃଜନଶୀଳତା ଓ ସମ୍ମାନକୁ ଖାଇ ବସିଥାଏ, ତା’କୁ ମୁଁ ମଣିଷ ହିସାବରେ ମଧ୍ୟ ସ୍ଵୀକାର କରିପାରେ ନାହିଁ ।

 

୨୮ । ୪ । ୬୧

 

କାଲି ପରୀକ୍ଷା ଘରେ ମୋତେ ପରିଦର୍ଶନର କାର୍ଯ୍ୟ କରିବାକୁ ପଡ଼ିଥିଲା । ପରିଦର୍ଶନ କହିଲେ ଆମ ଦେଶର ମାଷ୍ଟରମାନେ ସାଧାରଣତଃ ଏକ ପୋଲିସ୍‌ର କାମ ବୋଲି ବୁଝନ୍ତି । ତେଣୁ ଆପଣ ଭିତରର ସବୁଯାକ ଚୋରବୁଦ୍ଧିକୁ ଏକାଠି କରି ସେମାନେ ପିଲାଙ୍କର ପରୀକ୍ଷାରେ ପୋଲିସ୍‍ ବୃତ୍ତି କରିବାକୁ ଯାଆନ୍ତି । ମାତ୍ର ମୁଁ ସେପରି କରିପାରେ ନାହିଁ । ତେଣୁ ,ମୋ ଆଖିରେ ନକଲ କରିବା ପ୍ରଭୃତି ଅସ୍ଵୀକୃତ ଆଚରଣମାନ ସାଧାରଣତଃ ପଡ଼ିପାରେ ନାହିଁ । କାଲି ହଠାତ୍ ପଡ଼ିଲା, ତେଣୁ ସେଥିରୁ ମୁଁ ଅନେକ କିଛି ଶିଖିପାରିଲି । କାଲି ଗୋଟିଏ ଦଳର ଇଂରାଜି ଥିଲା । ବ୍ୟାକରଣର ଉତ୍ତରମାନଙ୍କୁ ପ୍ରଶ୍ନପତ୍ର ଉପରେ ଲେଖିଦେଇ ଜଣେ ପିଲା ଆର ଘରୁ ଯାଇ ପାଇଖାନାରେ ରଖିଦେଇ ଆସିଲା । ଆମ ଘରୁ ଆଉ ଜଣେ ପିଲାଯାଇ ସେଇଟିକୁ ଆଣିଲା ଓ ସେଇଥିରୁ ନକଲ କରି ଆପଣାର ଖାତାରେ ଲେଖିବାକୁ ଲାଗିଲା । ଅଠର ବରଷର ପିଲା, ଶରୀର ଓ ମନରେ ସେ ଯୁବକ ହେବାକୁ ଯାଉଚି; ପ୍ରତ୍ୟକ୍ଷରେ ହେଉ ବା ପରୋକ୍ଷରେ ହେଉ, ଏହି ଦେଶର ଭବିଷ୍ୟତକୁ ମଧ୍ୟ ସେଇ ଗଢ଼ିବାକୁ ଯାଉଚି । ମୁଁ ତାକୁ ତା’ର ଅଜାଣତରେ ତା’ ପାଖରେ ଘଡ଼ିଏ ଠିଆ ହୋଇ ଦେଖିବାକୁ ଲାଗିଲି । ସିଏ କୋଟିନିଧି ପାଇଥିଲା ପରି ନକଲ କରିବାରେ ଲାଗିଥାଏ-। ଏତିକି ନକଲ କରିବା ଉପରେ ଯେପରି ତା’ର ଭାଗ୍ୟ ଓ ତା’ର ଭବିଷ୍ୟତ ନିର୍ଭର କରୁଚି ! ତା’କୁ ଅନେକ ଭରସା ଦେଇ ପଚାରିଲି, ଏହି ନକଲ ଗୁଡ଼ିକ କେମିତି ତା’ପାଖକୁ ଆସିଲା-। ସିଏ ନିର୍ଭୁଲ ଉତ୍ତର ଦେଲା । ତା’ପରେ ପଚାରିଲି, ସିଏ କାହା ପାଖରୁ ଏହି ନକଲଟିକୁ ଆଣିଲା । ଭୟରେ ସେ କହିବାକୁ ସଙ୍କୋଚ କଲା; ତା’ପରେ କୌଣସି ଦଣ୍ଡ ଦିଆଯିବ ନାହିଁ ବୋଲି ମୁଁ ପୁଣି ଭରସା ଦେବାରୁ ସିଏ ପିଲାଟିର ନାଆଁ ମଧ୍ୟ କହିଦେଲା । ତା’ପରେ କହିଲା, ମାଷ୍ଟର ସାହେବ, ତୁମର ଗୋଡ଼ତଳେ ପଡ଼ୁଚି ମୁଁ ମରିଯିବି, ସେହି ପିଲାଟି ମଧ୍ୟ ମରିଯିବ । ଆପଣ ଦୟା ନକଲେ ଆମେ ଦୁହେଁ ମରିଯିବୁ । ମୁଁ ତା’ ଭିତରେ ରହିଥିବା ଯୁବକକୁ ଦୟା କରିବାକୁ ଲାଗିଲି । ପ୍ରାୟ ଦଶ ବାରଟା ନମ୍ବର ସକାଶେ ସିଏ ଏତେ ହୀନ ହେଉଚି କାହିଁକି, ଏତେ ମ୍ରିୟମାଣ ଓ ଲଜ୍ୟାକର ଭାବରେ ସିଏ ଆପଣାର ପରିଚୟ ଦେଉଚି କାହିଁକି ? ମୁଁ ପୋଲିସ୍‌ର କାମ କରିଥିଲେ ହୁଏତ କାଲି ସେହି ପିଲାକୁ ଅନୁଷ୍ଠାନରୁ ତଡ଼ି ଦିଆଯାଇଥାନ୍ତା । କିନ୍ତୁ ଯୁଗ ଯୁଗ ଧରି ଏତେ ମାଷ୍ଟର୍‍ ପୋଲିସ୍ ହୋଇଆସିଲେ, ସେଥିରେ କେତେଟା ଚୋର ଭଲ ମଣିଷ ହୋଇପାରିଲେ ? କାଲିକାର ଚୋର ଆଜି ବଡ଼ ହୋଇ ପୋଲିସ୍ ହେଲା, ଏତିକି ଯାହା ଲାଭ ହେଲା । ତେଣୁ ମୁଁ କାଲି ପୋଲିସ୍ ହୋଇପାରିଲି ନାହିଁ । ମୋ’ ଭିତରର ଶିକ୍ଷକ ନାନାପ୍ରକାର ଦୁଃଖ ଓ ସମ୍ବେଦନାରେ ବଡ଼ ଆହତ ହୋଇ ପଡ଼ିଲା । ଏହାର ସମାଧାନ ମୁଁ ଏପର୍ଯ୍ୟନ୍ତ ଜାଣିପାରିଲି ନାହିଁ ।

 

୨୯ । ୪ । ୬୧

 

ଯେତିକି ଚାହିବି, ସେତିକି ଦୁଃଖ ପାଇବି । ଉତ୍ତେଜିତ ହୋଇ ଆପଣା ଭିତରେ ଯେତିକି କାମୁଡ଼ି ବିଦାରି ହେବି, ମୁଁ ଆପଣାକୁ ସେତିକି ଆହତ କରି ପକାଇବି । ଏହା କେବଳ ଏକ ନୀତିବଚନ ନୁହେଁ, ଏହା ହିଁ ସତ୍ୟ । ଆଗେ ମୋର ସଂସାରଟାକୁ ମୁଁ କେବଳ ମୋ’ର ବୋଲି ବିଚାରୁଥିଲି । କେବଳ ମୋହରି ସୁଖର ବିଧାନ କରିବାକୁ ଯେପରି ଏହା ଖଞ୍ଜା ହୋଇରହିଚି, ସେହିପରି ବିଚାରୁଥିଲି । ମୋ’ ବନ୍ଧୁ, ମୋ’ର ସମ୍ପର୍କ, ମୋ’ର ଆତ୍ମୀୟବର୍ଗ ଓ ମୋ’ର ସାଙ୍ଗସାଥୀ,–ସମସ୍ତଙ୍କୁ ମୁଁ ମୋର ସମ୍ପତ୍ତି ବୋଲି ବିଚାରୁଥିଲି । ସେମାନେ ମୋ’ପ୍ରତି ସେମାନଙ୍କର କୌଣସି କର୍ତ୍ତବ୍ୟରେ ତ୍ରୁଟି କଲେ ମୁଁ ଭାରି ଭୀଷଣ ହୋଇ ପଡ଼ୁଥିଲି, ମୋହରେ ପଡ଼ି କେତେ ଆଘାତ ପାଇଥିଲି, ସମସ୍ତଙ୍କ ବିରୁଦ୍ଧରେ ଗର୍ଜନ କରି ଉଠୁଥିଲି, ନୀତିବାଦର ପତାକା ଧରି ଭାଷଣ ଦେବାକୁ ବାହାରି ପଡ଼ୁଥିଲି । ଆଜି ସେହି ଜ୍ଵର ଅନେକ ପରିମାଣରେ ଶାନ୍ତ ହୋଇଯାଇଚି । ମୁଁ କୌଣସି ଉପର ସ୍ତରକୁ ଉଠିଯାଇଚି ବୋଲି ଯେ ଶାନ୍ତ ହୋଇଯାଇଚି, ତା’ ନୁହେଁ । ଜୀବନରେ ବାର ବାର ବିଫଳ ଓ ଖର୍ବ ହୋଇ ମୁଁ ଏହା ଶିଖିଚି । ତେଣୁ ହୃଦୟର ତାପ ଅନେକ ପରିମାଣରେ ଶାନ୍ତ ହୋଇଯାଇଚି । ଏହି ସଂସାରରେ ଆପଣାର କାର୍ଯ୍ୟ କରିଯିବାକୁ ହେବ, କୌଣସି କ୍ଷେତ୍ରରେ କିଛି ଛାଡ଼ି ଆସିବାକୁ ପଡ଼ିଲେ ସେଥିପାଇଁ ସବାଆଗ ନିଜେ ପ୍ରସ୍ତୁତ ହେବାକୁ ପଡ଼ିବ । ହାର ମାନିଯିବାକୁ ଆଗ ବାହାରିବାକୁ ପଡ଼ିବ । ଏଠି କେବଳ ସମର୍ପଣ ଓ ସମର୍ପିତ ହେବାର ରୀତି ହିଁ ଚଳେ, ଏଠାରେ କେବଳ ଆପଣାକୁ ନିଃଶେଷ କରି ଦେଇ ଦେବାର ରୀତି ଚଳେ । ଯିଏ ଯେତିକି ସମର୍ପିତ ହୋଇପାରେ, ସିଏ ସେତିକି ଧନ୍ୟ ହୁଏ । ସିଏ ସେତିକି ସନ୍ତୋଷ ଲାଭ କରେ, ସେତିକି ସାର୍ଥକ ଅନୁଭବ କରେ ।

 

୩୦ । ୪ । ୬୧

 

ମଣିଷ ଯେତେବେଳେ ଭୟାକୁଳ ହୋଇପଡ଼େ, ସିଏ ସେତିକିବେଳେ ହିଁ ସ୍ଵାର୍ଥାନ୍ଧ ହୋଇପଡ଼େ । ସ୍ଵାର୍ଥପରଟାକୁ ମଣିଷର ଏକ ମୂଳ ପ୍ରବୃତ୍ତି ବୋଲି କଦାପି କୁହାଯାଇପାରିବ ନାହିଁ । ଯିଏ ଭୟ କରେ, ସିଏ ଆପଣାର ବାଟରେ ନାନା ଆପଦର ଆଶଙ୍କା କରେ, ସଂସାରକୁ ଶତ୍ରୁଦୁର୍ଗ ବୋଲି ମନେକରେ । ନିଜ ଭିତରେ ସଂସାରଠାରୁ ସିଏ ସବୁପ୍ରକାରେ ବିଚ୍ଛିନ୍ନ ହୋଇବସେ । ସେଇଥିଲାଗି ସେ ନିଜର ଯାହାକିଛି ଅଛି, ତାହାକୁ ହିଁ ଆବୋରି ଧରି ବସିବାକୁ ଉଚ୍ଛନ୍ନ ହୋଇପଡ଼େ-। ସତତ ସରିଯିବାର ଭୟରେ ସିଏ ସତେ ଜମା କରିବାରେ ଲାଗିଯାଏ, ସତତ ହରାଇ ବସିବାର ଭୟରେ ସିଏ ସତେ ଟାଣି ଆଣିବାରେ ଲାଗିଥାଏ, ସତତ ଆକ୍ରାନ୍ତ ହେବାର ଭୟରେ ସିଏ ସତତ ସଶଙ୍କ ଓ ଆତ୍ମସଚେତ ହୋଇ ରହିଥାଏ । ଆପଣା ଆୟତନର ଚାରିପାଖରେ ନାନାପ୍ରକାରର ମାନସିକ ରକ୍ଷାପ୍ରାଚୀର ଦଣ୍ଡାୟମାନ କରାଇଦିଏ । ଅନ୍ୟର ସବୁକିଛିକୁ ଟାଣିଆଣି ସେ ନିଜର କରି ଜମାକରି ରଖିବ ବୋଲି ଚେଷ୍ଟା କରୁଥାଏ । ଆପଣାର ଦୋଷକୁ ମୋଟେ ଦେଖିପାରେ ନାହିଁ, ଆପଣାର କର୍ତ୍ତବ୍ୟ ବୁଝିପାରେ ନାହିଁ; ସିଏ ଭଲ ପାଇପାରେ ନାହିଁ, କାରଣ ସନ୍ତର୍ପଣ ସହିତ ଆପଣାକୁ କୌଣସି କ୍ଷେତ୍ରରେ ସମର୍ପଣ କରିପାରେ ନାହିଁ । ତା’ ଭଲ ପାଇବାର କ୍ଷେତ୍ରଟି ନାନା ସ୍ଵାର୍ଥର ତାଡ଼ନା ଓ ବାସନାରେ ସତତ କିଣଚକ୍ରଗରିଷ୍ଠ ହୋଇ ରହିଥାଏ । ତେଣୁ ସତତ ସନ୍ତର୍ପ ହୋଇ ରହିବା ହିଁ ସାର ହୁଏ । କାଲି ପାଇଁ କୌଣସି ପ୍ରକାର ଉଦ୍‌ବେଗ ନରଖି ଯୀଶୁ ଆଜି ଦିନଟିକୁ ପରିପୂର୍ଣ୍ଣ ଭାବରେ ବଞ୍ଚିବାର ଉପଦେଶ ଦେଇଚନ୍ତି । କିନ୍ତୁ ସ୍ଵାର୍ଥାନ୍ଧ ବ୍ୟକ୍ତି କାଲି ଦିନଟିର ଅତିସନ୍ତାପିତ ଚିନ୍ତାରେ ଆଜି ଦିନଟିକୁ ବଞ୍ଚିବା ଲାଗି ମୋଟେ ସମର୍ଥ ହୋଇପାରେ ନାହିଁ । ତେଣୁ କୌଣସି ଦିନଟିକୁ ମଧ୍ୟ ସିଏ ବଞ୍ଚିବା ଲାଗି ସମର୍ଥ ହୋଇପାରେ ନାହିଁ-। କେବଳ ପ୍ରସ୍ତୁତ ହୋଇ, କେବଳ postpone କରି ତା’ର ଜୀବନ ସରିଯାଏ, ବଡ଼ ବିକଳ ଭାବରେ କେବଳ ଏକ futurist ହେବା ବ୍ୟତୀତ ସିଏ ଆଉ କିଛି ହୋଇପାରେ ନାହିଁ । କିନ୍ତୁ ତା’ର ଏହି futurismର ସୀମା ମଧ୍ୟ ଭାରି ସଂକୀର୍ଣ୍ଣ ହୋଇପଡ଼େ । କେବଳ ଆପଣାର future ବ୍ୟତୀତ ସିଏ ଆଉ କାହାରି futureର ଚିନ୍ତା କରିପାରେ ନାହିଁ, କାହାରି ସଖା ହୋଇ ବାଟ ଚାଲିପାରେ ନାହିଁ ।

 

୧ । ୫ । ୬୧

 

ଯେତେବେଳେ କାମ ସରି ଆସିଲାଣି, ସେତିକିବେଳେ ଘରଟାଯାକ ଖାଲି ଏକୁଟିଆ ମନେ ହେଉଛି । କାମବେଳେ ମୁଁ ଭାରି ଭୁଲି ଭୁଲି ରହିଥାଏ । ଆପଣାକୁ ସମ୍ପୂର୍ଣ୍ଣ ଭାବରେ ସମର୍ପିତ କରି ରଖିଥାଏ । ଅଧିକ ପଇସା ପାଇବି, ଅଧିକ ଲାଭ ପାଇବି, ଏପରି ମତଲବ ରଖି ମୁଁ କୌଣସି କାମ ଏପର୍ଯ୍ୟନ୍ତ କରିନାହିଁ । ସେଭଳି ମତଲବ ରଖିଥିଲେ ସମ୍ଭବତଃ ମୁଁ ଆପଣା ଭିତରୁ ଏତେ ସନ୍ତୋଷ ପାଇ ପାରୁ ନଥାନ୍ତି । କିନ୍ତୁ କାମ କରୁଥିବା ପର୍ଯ୍ୟନ୍ତ ମୁଁ ଭାବୁଥାଏ, ସାରା ସଂସାରଟା ମୋ’ର, ଜୀବନ ବୋଇଲେ ଯେତେ ଯାହା ବୁଝାଏ, ସେହି ସମସ୍ତ ହେଉଚି ମୋ’ର । ସବୁଠି ମୋ’ର ଘର, ସବୁଠି ମୋ’ର ସ୍ନେହର ନୀଡ଼,–ତେଣୁ ଏକୁଟିଆ ହୋଇ ରହିବାର କୌଣସି ପ୍ରମାଦ ମୁଁ ଭୋଗ କରେନାହିଁ । ପାଠ ପଢ଼ାଇବା ବେଳେ, କୌଣସି ବହି ଲେଖିଲାବେଳେ କିମ୍ବା ଅନୁବାଦ କଲାବେଳେ ମୁଁ ସତେ ଯେପରି କବାଟ ଖୋଲିଦେଇ ମୋ’ ଭିତରକୁ କାହାକୁ ଆମନ୍ତ୍ରଣ କରି ଆଣୁଥିବା ପରି ଅନୁଭବ କରେ । ମୋ’ର ଜାଣିବା, ମୋ’ର ବୁଝିବା ଓ ମୋ’ର ଆପଣାର ବୋଲି ମନେ କରିବା ସବୁ ସାର୍ଥକ ହେଲାପରି ଲାଗେ । କିନ୍ତୁ କାମ ସରିଗଲେ ମୁଁ ଯେପରି ହଠାତ୍ ସବୁ ଘରୁ ବିଚ୍ଛିନ୍ନ ହୋଇପଡ଼େ, ସବୁ ନୀଡ଼ ଯେପରି ଏକ ବିଚ୍ଛିନ୍ନ ହୋଇ ରହିଯାଏ । ଏହି ଉପାର୍ଜନ ଓ ଏହି ବାସନାଗୁଡ଼ାକୁ ନେଇ ଏକ ନିର୍ଜନ ସନ୍ତାପରେ ମୁଁ ଭାରି ସନ୍ତପ ହୋଇଉଠେ । ଏସବୁକୁ ମୁଁ କାହାକୁ ଦେଇଦେବି, କାହା ପାଖରେ ଯାଇ ଏସବୁକୁ ସମର୍ପଣ କରିଦେଇ ପାରିବି ? ମୁଁ ଆପଣାକୁ ଯେତିକି ଚିହ୍ନିଚି, ଆପଣାର ଆନନ୍ଦ ଓ ନିରାନନ୍ଦର ନିଦାନଗୁଡ଼ାକୁ ମଧ୍ୟ ମୁଁ ସେତିକି ଚିହ୍ନିବାକୁ ଚେଷ୍ଟା କରିଚି । ଭଲମନ୍ଦ ବାରିବାକୁ ଯାଇନାହିଁ, କେବଳ ଆପଣାକୁ ବୁଝିବାକୁ ହିଁ ଚେଷ୍ଟା କରିଚି ।

 

୨ । ୫ । ୬୧

 

ଏଡ଼େ ବଡ଼ ବୋଗେନ୍‌ଭିଲିଆ ଗଛ, ଘରର ଛାତ ଉପରକୁ ଉଠି ସାରିଥିଲା । କାଲି ହଠାତ୍ ଖରାବେଳର ଝାଞ୍ଜି ପବନର ଆଘାତରେ ମଝିରୁ ଭାଙ୍ଗିପଡ଼ିଲା । ମଝିରେ ମୁଁ ଅଧଘଣ୍ଟାକ ପାଇଁ ବାହାରକୁ ଯାଇଥିଲି, ଆସି ଦେଖିଲି ଗଛର ଫୁଲଗୁଡ଼ାକ ଆସି ମାଟି ଉପରେ ଲୋଟୁଚି । କୌଣସି ପ୍ରକାର କାର୍ଯ୍ୟକାରଣବାଦର ଆରୋପ ନକରି ମୁଁ କହିବି ଯେ, ଏହି ଗଛଟିକୁ ଏପରି ଅବସ୍ଥାରେ ଦେଖିବା ମାତ୍ରକେ ମୋତେ ଯେପରି କେଉଁଠି କ’ଣ ଅସହ୍ୟ ବୋଧ ହେଲା, କେଉଁଠି କ’ଣ ଏକ ଅପୂରଣୀୟ କ୍ଷତି ହୋଇଗଲା ପରି ଲାଗିଲା । ଦୁଇବର୍ଷ ଆଗରୁ ଏହି ଘରକୁ ଆସିବାବେଳେ ଏଠି ବଗିଚାରେ ଗୋଟାଏ ବୋଲି ଫୁଲଗଛ ନଥିଲା ବୋଲି କୁହାଯାଇପାରିବ । ତା’ପରେ ଗୋଟିଗୋଟି କରି ସବୁ ଫୁଲଗଛ ଲଗା ହୋଇଚି । ଗତ ବରଷେ ବା ଛଅମାସ ହେଲା ଫୁଲ ଫୁଟିବାକୁ ଆରମ୍ଭ କରିଚି, ଅନେକ ଗଛରେ ଏପର୍ଯ୍ୟନ୍ତ ମଧ୍ୟ ଫୁଲ ଫୁଟିନାହିଁ, ତଥାପି ସବୁଯାକ ଗଛକୁ ମୁଁ ଯେପରି ବ୍ୟକ୍ତିଗତ ଭାବରେ ମଧ୍ୟ ଚିହ୍ନିଚି । କେଉଁ ଗଛ କେଉଁଠାରୁ ଆସିଥିଲା, କେଉଁ ଗଛ ମୂଳରେ କ’ଣ ଦିଆ ଯାଇଥିଲା, କିଏ କେତେ ଦିନରେ ଫୁଲ ଧରିଲା, ଏହି ସବୁଯାକ ଖବର ମୋ’ର ଅତି ସହଜ ଭାବରେ ମନେ ଅଛି । ଏଗୁଡ଼ିକୁ ମୁଁ ମୋ’ର ସମ୍ପତ୍ତି ବୋଲି ଭାବିଚି ବୋଲି ନୁହେଁ, ଏଗୁଡ଼ିକ ମୋ’ ଜୀବନର ବାତାବରଣ ଭିତରେ ରହି ମୋତେ ନାନାଭାବେ ପ୍ରଭାବିତ କରିଚନ୍ତି ବୋଲି ଏମାନଙ୍କୁ କ୍ରମେ ଭାରି ଆପଣାର ବୋଲି ମନେ ହେଉଚି । ମୋ’ ଦେହର ଗୋଟିଏ ଗୋଟିଏ ଅଙ୍ଗ ବୋଲି ମନେ ହୋଇଚି । ଏଗୁଡ଼ିକରେ ପାଣି ଦିଆ ନଗଲେ ମୋତେ ଆପଣାକୁ ଶୋଷ କଲାପରି ମନେ ହୋଇଚି । ସାର ଦିଆ ନଗଲେ ମୁଁ ଆପେ ଭୋକିଲା ରହିଗଲା ପରି ମନେ ହୋଇଚି । ଏଗୁଡ଼ିକରେ କଢ଼ ଧରିଲେ ମୋ’ ଆପଣା ଭିତରେ କେଉଁଠି କ’ଣ ବିକଶିତ ହୋଇ ଉଠିବାପରି ଲାଗିଚି । ଏମାନଙ୍କୁ ଆପଣାର କରି ମୁଁ ସଂସାରର ସବୁ ମଣିଷଙ୍କୁ ଆପଣାର ମନେ କରିବାଲାଗି ଅଧିକ ବଳ ଓ ଅଧିକ ସାହସ ପାଇଚି । ତେଣୁ, କାଲି ସେହି ଗଛଟିକୁ ଏପରି ଅବସ୍ଥାରେ ଭାଙ୍ଗି ପଡ଼ିଥିବାର ଦେଖି ହଠାତ୍ ଯେପରି ନିଜ ଭିତରେ କୋଉଠି କ’ଣ ଭାଙ୍ଗି ପଡ଼ିଥିବା ପରି ମନେହେଲା । ମୁଁ ଜାଣେ, ଆରବର୍ଷ ଏଥିରୁ ପୁଣି ଗଜା ବାହାରିବ, ସେହି ନୂଆ ଡାଳରେ ପୁଣି ଫୁଲ ଫୁଟିବ । ତଥାପି ମନ ବୁଝିଲାନାହିଁ, ତଥାପି କ୍ଷତି ପୂରିଲା ନାହିଁ । ବାରମ୍ବାର ମନେ ହେଲା, ଯିଏ ଗଲା ସିଏ ଆଉ କେବେ ଫେରିବ ନାହିଁ । ମୋ’ର ବାତାବରଣରେ ଏହି ବ୍ୟତିକ୍ରମ ମୋତେ ମଧ୍ୟ ଆଘାତ ଦେଇଗଲା ।

 

୩ । ୫ । ୬୧

 

ଆମ ମନ ଭିତରେ ବାବୁ ହେବାଲାଗି ପ୍ରବଳ ଶ୍ରଦ୍ଧା ଆଉ ଗାଆଁରେ ରହୁଥିବା ଆମରି ଦେଶର ଲୋକମାନଙ୍କ ଲାଗି ପ୍ରବଳ ଘୃଣା ଓ ପ୍ରବଳ ଅବଜ୍ଞା,–ତଥାପି ଆମ ଦ୍ଵାରା ଏହି ଦେଶର କୌଣସି କଲ୍ୟାଣ ହେବ ବୋଲି ଯିଏ କଳ୍ପନା କରୁଚି, ସିଏ ହୁଏତ କେବଳ ଆପଣାର ନିର୍ବୋଧତା ହିଁ ଦେଖାଉଚି, ନଚେତ ଜାଣିଶୁଣି ବଡ଼ ଚତୁର ଭାବରେ ଅସମ୍ଭବ କଥାଟାକୁ ସମ୍ଭବ ପରି ଦେଖାଇବାର ଅଭିନୟ କରୁଚି । ଫେଶନ୍ ହେବାରେ ଆମର କୌଣସି ବାକି ନାହିଁ, ବିଦେଶୀ ସଭ୍ୟତାର ନାନାବିଧ ସାମଗ୍ରୀକୁ ପୁଞ୍ଜି କରି ଆମେ ଆମର ସାମନ୍ତବାଦୀ ଜୀବନସଜ୍ଜାଟାକୁ ଅଧିକ ସଜ୍ଜିତ କରି ରଖିବାରେ ଗଳଦ୍‌ଘର୍ମ ହୋଇଯାଉଚୁ । ଆପଣାକୁ ସାମନ୍ତ ବୋଲାଇବା ପାଇଁ ଯେତିକି ଆଡ଼ମ୍ବରପୂର୍ଣ୍ଣ ଆଳସ୍ୟ ଦରକାର, ଆରାମକୁର୍ସୀ ଉପରେ ବସି ଦୁନିଆ ଗୋଟାକର ନିନ୍ଦା କରିବାଲାଗି ଯେତିକି ଆଳସ୍ୟ ଦରକାର, ଆମ ଜୀବନର ଦୃଷ୍ଟି ଭିତରେ ବଢ଼ି ବଢ଼ି ଚାଲିଚି । ତଥାପି ଆମେ ଆମ ଦେଶର ଗାଆଁଗୁଡ଼ାକର ଉନ୍ନତି କରିବାଲାଗି ହଜାର ହଜାର ଟଙ୍କା ପାଉଚୁ । ବଢ଼ିଆ ବଢ଼ିଆ ଯୋଜନା ତିଆରି କରୁଚୁ,–ଦେଶ ନିର୍ମାଣର କଣ୍ଟ୍ରାକ୍ଟରି ନେବାରେ ଆମେ ବଡ଼ ଚତୁର ବ୍ୟବସାୟୀର ଭୂମିକାରେ ଅବତୀର୍ଣ୍ଣ ହୋଇ ଗୋଟାଏ ଭାରି ଗୁରୁଗମ୍ଭୀର ସୁଆଙ୍ଗ ଜାରି ରଖିବାରେ ଲାଗିଚୁ । ଏହାଦ୍ଵାରା ଏହି ଦେଶର କି ମଙ୍ଗଳ ହେବ କେଜାଣି ? କିନ୍ତୁ ମୁଁ ଅନ୍ତତଃ ଏତିକି ସ୍ପଷ୍ଟ କରି କହିପାରିବି ଯେ, ଯେପର୍ଯ୍ୟନ୍ତ ଅନେକ ଲୋକଙ୍କୁ ଅଶିକ୍ଷିତ ରଖି ମୁଷ୍ଟିମେୟ ଶିକ୍ଷିତ ଏହି ଦେଶରେ ଶାସନ ଓ ନିର୍ମାଣର ସବୁ ଭାର ବହନ କରିଥିବେ, ସେପର୍ଯ୍ୟନ୍ତ ଏହିପରି ବାହୁ ସୁଆଙ୍ଗ ଚାଲିଥିବ, ସେପର୍ଯ୍ୟନ୍ତ କଦାପି ରାତି ପାହିବ ନାହିଁ ।

 

୪ । ୫ । ୬୧

 

ଅପରକୁ ନିନ୍ଦା କରି ଆମର ଭାରି ସନ୍ତୋଷ । ଅମୁକ ମନ୍ତ୍ରୀ ଚାକିରି ଦେବାକୁ ଏତେ ଟଙ୍କା ଲାଞ୍ଚ ନେଲେ, ଅମୁକ ନେତା ସରକାରୀ ଖରଚରେ ଏତେ ମାଇଲ୍ ଗ୍ରସ୍ତ କଲେ, ଅମୁକ ବିଶ୍ଵବିଦ୍ୟାଳୟର କର୍ତ୍ତାମାନେ ନାନାପ୍ରକାର ଅନ୍ୟାୟକୁ ପ୍ରଶ୍ରୟ ଦେଉଚନ୍ତି–ଆମେ ସମସ୍ତେ ଘରେ ବସି ଏସବୁ କଥା କହି ଭାରି ଆନନ୍ଦ ପାଉଚୁ ଏବଂ ତେଣେ ଆଉ ଅନ୍ୟ ଘରମାନଙ୍କରେ ବସି ଅନ୍ୟମାନେ ମଧ୍ୟ ଆମ ଘର ବିଷୟରେ ସବୁ ଗୋଇ ବାହାର କରି ଭାରି ଆନନ୍ଦ ପାଉଚନ୍ତି । ଏ ହତଲକ୍ଷ୍ମା ଦେଶରେ ଆଜି ଏହି ପ୍ରବୃତ୍ତିଟା ବଡ଼ ଅତିରିକ୍ତ ପରିମାଣରେ ବଢ଼ି ଚାଲିଚି । ମୁଁ ତ କହିବି, ଆମେ ପ୍ରତ୍ୟେକେ ଆପଣାର କର୍ତ୍ତବ୍ୟ କରିବା ଅପେକ୍ଷା ଅପରର ଗୋଇ ଖୋଳିବାରେ ଅଧିକ ଉତ୍ସାହ ଦେଖାଉଚୁ,–ଅଧିକ ସମୟ ଓ ଶକ୍ତି ଖରଚ କରୁଚୁ । ହୁଏତ ଆପଣାର କର୍ତ୍ତବ୍ୟକୁ ଅଧିକ ସୂଚାରୁରୂପେ କରିବା ଲାଗି ଆମେ ଗୋଟାଏ ପ୍ରକାର ଅନିଚ୍ଛା ବା ଅସମର୍ଥତା ଅନୁଭବ କରୁଚୁ ଏବଂ ତାହାକୁ ଘୋଡ଼ାଇ ରଖିବାଲାଗି ଆମେ ଅନ୍ୟକୁ ନିନ୍ଦା କରିବାର ରୀତିଟିକୁ ଅବଲମ୍ବନ କରୁଚୁ ଓ ଅନ୍ୟମାନେ ଆମର ନିନ୍ଦା କରୁଚନ୍ତି ବୋଲି ଶୁଣିଲେ କିଛି ନଜାଣିଥିବା ପରି ଆମେ ଭାରି ଆଶ୍ଚର୍ଯ୍ୟ ହୋଇଯାଉଚୁ । ଏହି ସମସ୍ୟାଟି ବିଷୟରେ ମୁଁ ଟିକିଏ ଅନ୍ୟ ପ୍ରକାର ଚିନ୍ତା କରେ । ମୁଁ ଭାବେ, ଆମେ କେତେଜଣ ଏକାଠି ମିଶି ଗୋଟିଏ ଅନୁଷ୍ଠାନର ଦାୟିତ୍ଵ ଗ୍ରହଣ କରିଚୁ । ଏଥିରେ ନାନାପ୍ରକାର ଅଭାବ ରହିଯାଉଚି, ଅଡ଼ୁଆ ରହିଯାଉଚି, ବ୍ୟକ୍ତିଗତ ତଥା ସାମୂହିକ ଭାବରେ ଆମ ଭିତରେ ନାନାପ୍ରକାର ଅସମର୍ଥତା ରହିଯାଉଚି । ତେଣୁ ବାହାରେ ଆଉ କାହାର ଘାଆକୁ ଅନାଇ ପୋକ ଆବିଷ୍କାର କରିବା ବା ଯେକୌଣସି ମତେ ଚାରିପାଞ୍ଚଟା ପୋକ ଆଣି ସେଥିରେ ପକାଇ ଦେବାର ଅଳସଚେଷ୍ଟା ନକରି ଆମର ଆଗ ଆପଣାର ଅଭାବଗୁଡ଼ିକୁ ଦୂର କରିବା ଦରକାର, ଆମର ଭଲଗୁଡ଼ିକୁ ଅଧିକ ଭଲ କରିବା ଦରକାର । କିନ୍ତୁ ଏପରି କରିପାରିବା ସକାଶେ ଯେଉଁ ନିର୍ଭୟତା ଆବଶ୍ୟକ, ଅନ୍ୟ ସମସ୍ତଙ୍କ ସହିତ ଯେଉଁ ସହଜ ସମ୍ମିଳନ–ଇଚ୍ଛା ଦରକାର, ତାହା ଆମ ଭିତରେ ରହିଚି କି ? ସେଥିଲାଗି ଆମେ ପ୍ରକୃତରେ ପ୍ରସ୍ତୁତ ଅଛୁ କି ?

 

୫ । ୫ । ୬୧

 

କଠିନ ପରିସ୍ଥିତିର ସାମନାରେ ଆସି ପଡ଼ିଯାଇ ମୁଁ ହଠାତ୍ ବେଳେବେଳେ ଭାବେ, ମୋ’ ପାଖରେ ଗୋଟାଏ ଡିଗ୍ରୀ ଥିଲେ ବୋଧହୁଏ ଜୀବନର ଅନେକ କ୍ଷେତ୍ରରେ ଅଗ୍ରସର ହେବା ଅନେକ ସହଜ ହୋଇପାରିଥାନ୍ତା । ସେହି ଡିଗ୍ରୀଟାକୁ ଦେଖାଇ ମୋ’ ଯୋଗ୍ୟତା ବିଷୟରେ ପଦସ୍ଥ ମୂଢ଼ ବ୍ୟକ୍ତିମାନଙ୍କୁ ମୁଁ ସନ୍ତୁଷ୍ଟ କରିପାରୁଥାନ୍ତି, ଡିଗ୍ରୀକୁ ବିକି ସ୍ଵୀକାର କିଣିବାର ବଜାରରେ ମୁଁ ବେଶ୍ କଟି ପାରୁଥାନ୍ତି । ମୁଁ ଭଲ କରି ଜାଣେ, ଏହି ଡିଗ୍ରୀ ନଥିବା ହେତୁ ମୋତେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ । ଡିଗ୍ରୀ ନ ନେବାକୁ ନିଷ୍ପତ୍ତି କଲାବେଳେ ମଧ୍ୟ ମୁଁ ଏକଥା ଭଲ କରି ଜାଣିଥିଲି । ତେଣୁ ଅନୁତାପ କରିବାର ପ୍ରଶ୍ନ ହିଁ ଉଠୁନାହିଁ । ହଠାତ୍ କୌଣସି ପରିସ୍ଥିତିରେ ପଡ଼ି ଯେତେ ବିଚଳିତ ହୋଇ ପଡ଼ିଲେ ମଧ୍ୟ ମୋ’ର ଅଧିକ ସ୍ଥାୟୀ ମନଟା ଖୁବ ଭଲ କରି ଜାଣିଚି ଯେ, ଗୋଟାଏ ଡିଗ୍ରୀର ମୟୂରପୁଚ୍ଛ ପିନ୍ଧିଥିଲେ ଖୁବ୍ ସମ୍ଭବ ମୁଁ ଛାତ୍ର ହୋଇ ରହିନଥାନ୍ତି, ଅଧ୍ୟୟନରେ ଶ୍ରଦ୍ଧା ରଖି ନଥାନ୍ତି, ଆପେ ସବୁ ଜାଣିଚି ବୋଲି ଗୋଟାଏ ମିଛ ଗର୍ବ ଦେଖାଉଥାନ୍ତି, ଆପଣା ଭିତରର ଛିଦ୍ର ଗୁଡ଼ାକୁ ଲୁଚାଇବା ଲାଗି ନାନାବିଧ ଭଦ୍ର ଚେଷ୍ଟା କରୁଥାନ୍ତି । ମଣିଷ ଦେଖିବାର ଓ ମଣିଷ ଚିହ୍ନିବାର ଆଖିକୁ ହରାଇ ବସିଥାନ୍ତି । ଆପଣାକୁ ସବାଆଗ ଜଣେ ମଣିଷ ବୋଲି ବିଚାର କରିବାର ବିବେକ ମଧ୍ୟ ହରାଇ ଦେଇଥାନ୍ତି । ପ୍ରତ୍ୟେକ ପଦକ୍ଷେପରେ ଓ ପ୍ରତ୍ୟେକ କ୍ଷେତ୍ରରେ ଆଗ ଆପଣାର ଯୋଗ୍ୟତାର ପ୍ରମାଣ ଦେଇ ତା’ପରେ ଠିଆ ହେବା, ସମ୍ଭବତଃ ଏହାହିଁ ମୋ’ର ରାସ୍ତା ମୋ’ର ସ୍ଵଧର୍ମ । 'ଏହାହିଁ ହେବା ଉଚିତ ଥିଲା ।

 

୬ । ୫ । ୬୧

 

ଅତି ଧୀର ହୋଇ ବସିବାକୁ ପଡ଼ିବ । ପାଖରେ ପାଇଚି ବୋଲି ବିହ୍ଵଳ ହୋଇ ପଡ଼ିଲେ ଆଦୌ ଚଳିବନାହିଁ । ବିହ୍ଵଳ ହୋଇ ପଡ଼ିଲେ ମୁଁ ସବୁ ହରାଇ ବସିବି । ବିହ୍ଵଳ ନହେଲେ ଯାଇ ସମସ୍ତ ଜଗତଟା ମୋ’ର ହୋଇ ରହିବ । ଅର୍ଥାତ୍ ସମସ୍ତ ଜଗତ ସ୍ନେହ, ପ୍ରେମ ଓ ଶ୍ରଦ୍ଧାରେ ଗୋଟାସୁଦ୍ଧା ମୋ’ର ହୋଇ ରହିବ । ଏହି ସଂସାରରେ ମୁଁ ଅତ୍ୟନ୍ତ ଏକାକୀ ବୋଲି ବେଳେ ବେଳେ ଭାରି ବିଚଳିତ ଓ ବ୍ୟାକୁଳ ହୋଇ ପଡ଼ୁଥିଲି । ବର୍ତ୍ତମାନ ମୁଁ ହୃଦୟର ଅତ୍ୟନ୍ତ ନିକଟରେ ସମସ୍ତ ସଙ୍ଗ ହୋଇ ସମସ୍ତ ସଖ୍ୟକୁ ଅନୁଭବ କରିବାକୁ ପାଉଚି; କିନ୍ତୁ ବେଶି ପାଇବାର ଲୋଭରେ ଲୋଭୀ ମୂର୍ଖ ଯେପରି ସୁନା ଅଣ୍ଡା ଦେଉଥିବା ବତକଟିକୁ ମାରିଦେବାକୁ ମନ କଲା, ବେଶି ଅନୁଭବ କରିବାର ଲୋଭରେ ଅତ୍ୟୁଗ୍ର ହୋଇ ଉଠି ମୁଁ ସେପରି କୌଣସି ମୋହରେ ପଡ଼ିଗଲେ ମୋଟେ ଚଳିବନାହିଁ । ତେଣୁ ଅତି ଧୀର ହୋଇ ରହିବାକୁ ହେବ । ଆହୁରି ଶାନ୍ତ ଓ ଆହୁରି ପ୍ରସନ୍ନ ହୋଇ ରହିପାରିଲେ ଅଧିକ ଚିହ୍ନିହେବ, ଅଧିକ ବୁଝିହେବ । ଏବଂ, ସଂସାରକୁ ଅଧିକ ବୁଝିବା ସଙ୍ଗେ ସଙ୍ଗେ ମୁଁ ଆପଣାକୁ ମଧ୍ୟ ଅଧିକ ବୁଝୁଥିବି । ଆଜି ବୁଝୁଚି, ସଂସାରରେ ମୋ’ର ଏପରି ଅନେକ ସ୍ଥାନ ଏପର୍ଯ୍ୟନ୍ତ ରହିଚି, ଯେଉଁ ସ୍ଥାନରେ କେତେ ବନ୍ଧୁତା ଓ କେତେ ଭଲପାଇବା ମୋ'ଲାଗି ସର୍ବଦା ଅକୃପଣ ହୋଇ ରହିଚି । ସେହି ଅକୃପଣତାର ଅଧିକାର ଲାଭ କରିବାକୁ ହେଲେ ମୋତେ ଅତି ଧୀରେ ଭିତରକୁ ପାଦ ପକାଇବାକୁ ହେବ । କୌଣସି ମୋହକଉଡ଼ି ଏଠାରେ କୌଣସି କାମ ଦେବନାହିଁ । ମୋ’ର ମୋହ ହିଁ ମୋ’ର ପରାଜୟ, ମୋ’ର ବିହ୍ଵଳତା ହିଁ ମୋ’ର ବ୍ୟର୍ଥତା, ମୋ’ର ଜାବୁଡ଼ି ଧରିବାର ଇଚ୍ଛା ହେଉଚି ମୋ’ର ଦାରିଦ୍ର୍ୟ । ନିଜ ଜୀବନରେ ଏହି ସତ୍ୟଟିକୁ ହିଁ ମୁଁ ବାରବାର ବୁଝି ଆସିଲିଣି । ଅନେକ ହରାଇ ଏବଂ ଅଙ୍ଗେ ନିଭାଇ ମୁଁ ଏହି କଥାଟିକୁ ଶିକ୍ଷା କରିଚି । ଭଗବାନ ମୋତେ ବଳ ଦିଅନ୍ତୁ, ମୋ’ର ହାତଧରି ମୋତେ ଏହି ଅକୃପଣ ଘରେ ପ୍ରବେଶ କରାଇ ଦିଅନ୍ତୁ, ତଦ୍ଦ୍ଵାରା ସଂସାରର ସବୁ ଘରେ ପ୍ରବେଶ କରିବାଲାଗି ସେ ମୋତେ ଅନୁମତିପତ୍ର ଦିଅନ୍ତୁ । ଭିତରେ ମୁଁ ମୋ’ର ମୋହଜନିତ ନିଃସଙ୍ଗତା ହେତୁ ଅନେକ କଷ୍ଟ ପାଇଚି, ଅନେକ ଜ୍ଵର ସହିତ ଅନେକ ଅନାଇ ରହିଚି, ସଂସାରକୁ ହିଂସା କଲାପରି ଆପଣାର ଦୁଃଖଟାକୁ ବଡ଼ ପ୍ରବଳ କରି ପକାଇଚି । ଆଜି ସକଳ ସଙ୍ଗର ଅଧିଷ୍ଠାତା ସେହି ପରମାସଙ୍ଗୀ ପାଖରେ ପ୍ରାର୍ଥନା କରୁଚି, ତାହାରି ସଙ୍ଗ ଦରକାର, ତାହାରି ଆଶିଷ ହିଁ ଦରକାର ।

 

୭ । ୫ । ୬୧

 

କାଲି ରାତି ଏଗାରଟା ପର୍ଯ୍ୟନ୍ତ ରେଡ଼ିଓ ପାଖରେ ବସି ରବୀନ୍ଦ୍ରସଙ୍ଗୀତ ଶୁଣୁଥିଲି । ପ୍ରଥମେ ଟିକିଏ ଟିକିଏ ନିଦ ମାଡ଼ୁଥିଲା, ତା’ପରେ ସବୁ ନିଦ କୁଆଡ଼େ ନିର୍ବାସିତ ହୋଇ ପଳାଇଲା-। ମୋ’ ଭିତରେ ସେହି ଶାନ୍ତିନିକେତନର ଶିଶୁ ଜାଗୃତ ହୋଇ ଉଠିଲା । ସେଇ ସହଜ ଦେଖିବା, ସହଜ ଶୁଣିବା ଓ ସହଜ ପୁଲକିତ ହୋଇ ଉଠିବା ଯେ ମୋ’ ଭିତରେ ଏପର୍ଯ୍ୟନ୍ତ ବଞ୍ଚି ରହିଚି, ମୋ’ ଭିତରର ଶିଶୁଟି ଯେ ଏ ପର୍ଯ୍ୟନ୍ତ ବଞ୍ଚି ରହିଚି, କାଲି ବିଶେଷ ଭାବରେ ତାହାରି ପରିଚୟ ପାଇଲି । ହଁ, ଶାନ୍ତିନିକେତନରେ ଥିଲାବେଳେ ମୋ’ ଭିତରର ଏହି ଶିଶୁଟିକୁ ହିଁ ମୁଁ ପ୍ରଥମେ ଚିହ୍ନିବାକୁ ଆରମ୍ଭ କରିଥିଲି । ଛଅ ଋତୁର ଶତସହସ୍ର ପ୍ରକାରର ଅଭିଷେକୋତ୍ସବରେ କେବଳ ଯେ ନୟନ ଓ ମନର ଅପର୍ଯ୍ୟାପ୍ତ ସାମଗ୍ରୀ ମିଳୁଥିଲା ତା’ନୁହେଁ, ମୋ’ ଭିତରେ ସେହି ଶିଶୁଟି ମଧ୍ୟ ନାନା ଉତ୍ସବର ରଙ୍ଗବୈଚିତ୍ର୍ୟରେ ଆପଣାକୁ ରଙ୍ଗାଇ ରଖୁଥିଲା । ଭବିଷ୍ୟତରେ ଗୋଟାଏ ବଡ଼ ପଣ୍ଡିତ ହେବି ବୋଲି ମୁଁ ଶାନ୍ତିନିକେତନର ଗ୍ରନ୍ଥାଗାର ଭିତରେ ପଶୁନଥିଲି । ମୋ’ରି ଭିତରେ ରହି ଯିଏ ଜାଣିବାକୁ ଚାହେ, ଯିଏ ଅନୁଭବ କରିବାକୁ ଚାହେ ଓ ଯିଏ ପରିଚୟ ପାଇବାକୁ ଚାହେ, ଶିଶୁର ଅନନ୍ୟ ଓ ଅଦମ୍ୟ ଅଭିଳାଷ ନେଇ ଯେପରି ସେଇ ମୋତେ ପ୍ରେରିତ କରିବାକୁ ଆଗଭର ହୋଇ ଆସୁଥିଲା । ତା’ପରେ ଗତ ଦଶବର୍ଷ ଭିତରେ ନାନା ସତ ଓ ମିଛ ପ୍ରୟୋଜନୀୟତାର ଚାପ ପଡ଼ି ଅନେକ ସମୟରେ ମୋ’ଭିତରର ସେହି ଶିଶୁ ଆପଣାର ନୀଡ଼ ଛାଡ଼ି ଉଡ଼ି ପଳାଇଥିଲା ପରି ମନେ ହେଉଥିଲା । ବାସ୍ତବ ଜୀବନର ନାମରେ ମୁଁ ଆପଣା ଭିତରର ସବୁଠାରୁ ଅଧିକ ଆଦରର ବସ୍ତୁଟିକୁ ଅବହେଳା କରି ପକାଉଥିଲି । ବାହାରର ଅସନ୍ତୋଷ, କିଛି ନପାଇ ଥିବାର ଗୋଟିଏ ଅଭିସନ୍ଧିମୂଳକ ଅବସାଦ ମୋତେ ଭିତରୁ ମାରି ପକାଉଥିବା ପରି ମନେ ହେଉଥିଲା । କାଲି ରବୀନ୍ଦ୍ରସଙ୍ଗୀତ ଶୁଣି ସେହି ଅସ୍ୱୀକୃତ ଶିଶୁଟିକୁ ପୁନର୍ବାର ସ୍ଵୀକାର କରିନେଲି ।

 

୮ । ୫ । ୬୧

 

ରବୀନ୍ଦ୍ରନାଥ ବଡ଼ କବି, ବଡ଼ ଦାର୍ଶନିକ, ଭାରତୀୟ ସଂସ୍କୃତିର ଜଣେ ବଡ଼ ପ୍ରତିନିଧି,–ମୁଁ ସେସବୁ କଥାକୁ ଅବଶ୍ୟ ସ୍ଵୀକାର କରେ । କିନ୍ତୁ ଯେଉଁଥିପାଇଁ ରବୀନ୍ଦ୍ରନାଥଙ୍କୁ ବଡ଼ ଆପଣାର ମନେହୁଏ, ବହିର ହିରୋ ପରି ମନେ ନହୋଇ ଚଲାବାଟର ସାଥୀ ବୋଲି ମନେ ହୁଏ, ତା’ର କାରଣ ଅତ୍ୟନ୍ତ ବ୍ୟକ୍ତିଗତ । ମୁଁ ଆଜି ଯାହା ହୋଇଚି, ଯାହା ହେବାକୁ ଚେଷ୍ଟା କରିଚି, ଅନ୍ୟ ଅନେକଙ୍କ ସହିତ ରବୀନ୍ଦ୍ରନାଥ ମଧ୍ୟ ସେଥିଲାଗି ଅନେକ ପ୍ରେରଣା ଦେଇଚନ୍ତି । ଶାନ୍ତିନିକେତନରେ ମୋ’ର ଯେଉଁ ପାଞ୍ଚୋଟି ବର୍ଷ ଅତିବାହିତ ହୋଇଚି, ମୋ’ର ତତ୍ପରବର୍ତ୍ତୀ ଅନ୍ତର୍ଗତ ଜୀବନକୁ ସେହି ପାଞ୍ଚୋଟି ବର୍ଷ ଅନେକ ପରିମାଣରେ ଆକୃତି ଓ ପ୍ରକୃତି ଦେଇଆସିଚି, ମୋ’ର ବାଟଚଲା ପଥିକକୁ ସିଏ ଆଖି ଦେଇ ଆସିଚି । ମନୋବିଜ୍ଞାନରେ ଶିଶୁର ପ୍ରଥମ ପାଞ୍ଚବର୍ଷକୁ ଭାରି ମହତ୍ତ୍ଵପୂର୍ଣ୍ଣ ସମୟ ବୋଲି କୁହାଯାଏ । ସେହି ସମୟ ଭିତରେ ଶିଶୁର ଜୀବନରେ ଯେଉଁସବୁ ପ୍ରବୃତ୍ତିର ଆରମ୍ଭ ହୋଇଥାଏ, ଯେଉଁସବୁ ଦୃଷ୍ଟିକୋଣର ଉକୁ ହୋଇଥାଏ, ତାହାହିଁ ଶିଶୁର ଭବିଷ୍ୟତ ଜୀବନରେ ମୂଳଦୂଆ ପରି ହୋଇରହେ । ଶାନ୍ତିନିକେତନରେ ଅତିବାହିତ ମୋ’ର ପାଞ୍ଚବର୍ଷକୁ ମୋ’ର ଅନ୍ତର୍ଗତ ଜୀବନର ପ୍ରଥମ ପାଞ୍ଚବର୍ଷକୁ ବୋଲି କୁହାଯାଇପାରିବ । ଆଗରୁ ମୁଁ କ’ଣ ଥିଲି, କ’ଣ ଚାହୁଥିଲି, କ’ଣ ସବୁ ସ୍ଵପ୍ନ ଦେଖୁଥିଲି, ମୁଁ ଯେପରି ସେସବୁକୁ ଧୀରେ ଧୀରେ ଭୁଲି ଯିବାରେ ହିଁ ଲାଗିଚି । ଶାନ୍ତିନିକେତନକୁ ଆସି ମୁଁ ଦ୍ଵିଜ ହେଲି । ତେଣୁ ସେଠାରେ କଟିଥିବା ମୋ’ର ପାଞ୍ଚୋଟି ବର୍ଷକୁ ମୁଁ ଏହି ଦ୍ଵିଜର ଶୈଶବକାଳୀନ ପାଞ୍ଚବର୍ଷ ବୋଲି ଅବଶ୍ୟ କହିପାରିବି । ମୋର ଦ୍ଵିଜ ଜୀବନର ଉତ୍ତରୋତ୍ତର ଯାତ୍ରାରେ ସେହି ପାଞ୍ଚୋଟି ବର୍ଷ ପ୍ରକୃତରେ ମୂଳଦୁଆ ହୋଇ ରହିଚି । ଆଗକୁ ବାଟ ଚାଲି ମୁଁ ଯେଉଁଠି ଯେଉଁସବୁ ସମ୍ବନ୍ଧ ସ୍ଥାପନ କରୁଚି, ଦୃଶ୍ୟ ଓ ଅଦୃଶ୍ୟ ସହିତ ଯେଉଁସବୁ ଡୋର ଲଗାଉଚି, ସେହି ସବୁକିଛି ସତେ ଅବା ଶାନ୍ତିନିକେତନରେ ଲାଭ କରିଥିବା ଦୃଷ୍ଟିଦ୍ଵାରା ହିଁ ମୂଳତଃ ନିୟନ୍ତ୍ରିତ ହେଉଚି । ଶାନ୍ତିନିକେତନର ଦୁଇପତର ଆଜି ଯେପରି ଶତପତ୍ର ଓ ଶତଶାଖା ହୋଇ ପ୍ରସାରିତ ହୋଇ ରହିଚି । ତେଣୁ ରବୀନ୍ଦ୍ରନାଥଙ୍କର ଜନ୍ମଦିନରେ ମୁଁ ଆପଣା ଭିତରେ ମଧ୍ୟ ସତେ ଯେପରି କାହାର ନବଜନ୍ମର ଉତ୍ସବମୟତା ଅନୁଭବ କରୁଚି । ମୋ’ରି ପାଖରେ ମୋ’ର ଅତି ଅନ୍ତରଙ୍ଗ ଭାବରେ ଯିଏ ପ୍ରେରଣାର ପବନ ହୋଇ ମୋତେ ମୋ’ର ଇପ୍‌ସିତ ବାଟରେ ନେଇ ଯାଇଚି, ଆଜି ମୁଁ ଯେପରି ତାହାର ଜନ୍ମଦିନ ପାଳନ କରିବାରେ ଲାଗିଚି ।

 

୯ । ୫ । ୬୧

 

ମୁଁ ଆହୁରି ନିବିଡ଼ ଭାବରେ ଭଲ ପାଇବାକୁ ଚାହେ । ମୋ’ର ଭଲ ପାଇବା ବିଷୟରେ ମୁଁ କୌଣସି ପ୍ରକାର ନୀତିବାଦୀ ହେବାକୁ ଚାହେନାହିଁ । ଆମ ସମାଜରେ ଭଲପାଇବା କ୍ରମେ ନାହିଁ ପ୍ରାୟ ହେବାକୁ ବସିଲାଣି । ସେଥିପାଇଁ କେତେଟା ନୀତିବାଦୀ ହଁ ବା ନାହିଁକୁ ମଣିଷ ଉପରେ ନେଇ ଲଦିଦେବା ବ୍ୟତୀତ ଏହି ସମାଜ ମଣିଷର ଆଉ ଖୁବ୍ ବେଶି ଉପକାର ଉପକାର କରି ପାରୁନାହିଁ । ପିଲାଦିନେ ସମାଜସ୍ଥ ନାନା ଗୁରୁଜନଙ୍କଠାରୁ ଏହି ନୀତିବାଦୀ ବଚନ କେଇଟା ହିଁ ଶୁଣିଥିଲି । ସେହିଗୁଡ଼ାକୁ ଭାରି ଆଡ଼ମ୍ବରରେ ଆଦର୍ଶବାଦ ବୋଲି କହିବାକୁ ମଧ୍ୟ ଶିଖିଥିଲି । ଆପଣା ହୃଦୟର ଗହୀର ବିଲ ଉପରେ ଏହି ନୀତିବାଦୀ ମରୀଚିକା ପଛରେ ଧାଇଁବାକୁ ଯେପରି ଜୀବନର ଚରମ କର୍ତ୍ତବ୍ୟ ବୋଲି ଗ୍ରହଣ କରିଥିଲି । ହଁ, ଆପଣାର ଏହି ହୃଦୟକୁ ଆପେ କର୍ଷଣ କରି ସେଥିରୁ କିଛି ଉପୁଜାଇବା, କିଛି ଫୁଟାଇବା ବା କିଛି ଫଳାଇବାର ସମସ୍ତ ଦ୍ଵାର ମୁଁ ବନ୍ଦ କରି ରଖିଥିଲି । ସେହିପରି ସବୁଦିନ ପାଇଁ ହୋଇଥିଲେ ହୃଦୟଟା ଠିକ୍ ବନ୍ଧ୍ୟା ପରି ରହି ଯାଇଥାନ୍ତା । ଅଥବା ହୁଏତ ଆପଣା ଭିତରେ ଦୁଇଖଣ୍ଡ ହୋଇ ସିଏ ଗୋଟାଏ ପାଖରେ ନୀତିବାଦର କୃଚ୍ଛ୍ର କରିଥାନ୍ତା, ଓ ଅପର ପାଖରେ କୋପନ–ଦୁରାଚାରରେ ହିଁ ତୃପ୍ତି ଲାଭ କରିବାକୁ ଧାଇଁଥାନ୍ତା । ସୌଭାଗ୍ୟବଶତଃ ମୋ’ର ସେହି ଦୁର୍ଗତି ହୋଇନାହିଁ । ଆଜି ମୁଁ ଆପଣା ଆଡ଼କୁ ଅନାଇ ଦେଖୁଚି, ମୁଁ ଯାହା ହେବି ବା ଯାହା ନ ହେବି, ତାହାର ସମ୍ଭାବ୍ୟ ବୀଜ ମୋ’ର ହୃଦୟ ଭିତରେ ହିଁ ଗୁପ୍ତ ହୋଇ ରହିଅଛି । ହୃଦୟର ଦ୍ଵାରକୁ କିଳିଦେଇ ବା ମୋ’ର ହୃଦୟକୁ ଅସ୍ଵୀକାର କରି ମୁଁ ଯେଉଁ ବାଧ୍ୟ–ଅବଧ୍ୟ ରାକ୍ଷସ ହୋଇ ବାହାରିବି, ସେହି ରକ୍ଷସକୁ ମୋ’ର ଆଦୌ ଲୋଡ଼ା ନାହିଁ । ମୁଁ ଖୁସିରେ ଯେତିକି ହୋଇପାରିବି, ତାହା ହିଁ ମୋ’ର ସତ୍ୟ–ପରିଚୟ;–ମୁଁ ଖୁସିରେ ଯେତିକି ଦେଇପାରିବି, ସେହି ଭଲପାଇବା ହିଁ ମୋ’ର ସବୁଠାରୁ ବଡ଼ ସମ୍ପଦ ।

 

୧୦ । ୫ । ୬୧

 

ମୋ’ ଘରେ କାନ୍ଥର ଜଳାମାନଙ୍କରେ ଘରଚଟିଆ ଚଢ଼େଇମାନେ ବସା ବାନ୍ଧିଚନ୍ତି । ମୋ’ର ଇଚ୍ଛା ବା ଅନିଚ୍ଛାର କୌଣସି ପ୍ରଶ୍ନ ହିଁ ଉଠୁନାହିଁ, କାରଣ ଅନେକ ଉଚ୍ଚରେ ମୋ’ ହାତପାଆନ୍ତାର ବାହାରେ ସେମାନେ ବସା ବାନ୍ଧିଚନ୍ତି । ପ୍ରତ୍ୟେକ ବର୍ଷ ଏହି ସମୟକୁ ସେମାନେ ଜଳାମାନଙ୍କରେ ଦୁଇଘଡ଼ିର ସଂସାର କରିବାକୁ ଆସନ୍ତି । ମଣିଷଠାରୁ ଅଧିକ ମନଯୋଗ ଦେଇ ସେମାନେ କାଠି, କୁଟା ଓ ଘାସ ସଂଗ୍ରହ କରି ଆଣି ଜଳାବାଟକୁ ପୂର୍ଣ୍ଣ କରିଦିଅନ୍ତି । ପ୍ରତିଦିନ ସକାଳେ ମେଞ୍ଚାକୁ ମେଞ୍ଚା ଘାସ ଓ କାଠିକୁଟା ଆସି ମୋ’ର ଘର ଭିତରେ ପଡ଼େ, ମୋ’ ଘରର ସାଜସଜ୍ଜାକୁ ବଡ଼ ଅବର୍ଜିଆ କରିପକାଏ । କେତେବେଳେ ସେମାନଙ୍କର ପରିତ୍ୟକ୍ତ ମଳରେ ଥାକରେ ଥୁଆ ହୋଇଥିବା ମୋ’ର ଲୁଗାପଟା ଅସନା ହୋଇଯାଏ । ସେମାନଙ୍କର ଚେଁ ଚେଁ ଶବ୍ଦ ଓ ନାନା ପ୍ରକାର ଶୃଙ୍ଗାରକ୍ରୀଡ଼ା-ଜନିତ କୋଳାହଳରେ ମୋ’ର ଅଧ୍ୟୟନ ଓ କାର୍ଯ୍ୟକଳାପର ଶାନ୍ତିଭଙ୍ଗ ହୁଏ । ତଥାପି ମୁଁ ଏ ସବୁଥିରେ କୌଣସି ଦିନ ଖୁବ୍ ବେଶି ବିରକ୍ତି ବା ଅସନ୍ତୋଷ ପ୍ରକାଶ କରିନାହିଁ । ଆଗ ସେମାନଙ୍କୁ ସେମାନଙ୍କର ଜୀବନ ବଞ୍ଚିବାକୁ ଦେଇ ତାହାରି ଭିତରେ ମୁଁ ସବୁବେଳେ ଆପଣାର ଜୀବନକୁ ଖାପ ଖୁଆଇ ନେବାକୁ ଚେଷ୍ଟା କରିଚି । ଅସ୍ଥାୟୀ ଘରର ଆର୍ଦ୍ଦୋଳିରେ ସ୍ଵାୟିତ୍ଵର ପ୍ରତିଭାସ ଦେଇ ସେମାନେ ସେହି ଉପରେ ଜଳା ଭିତରେ ଡିମ୍ବ ପାଢ଼ିଚନ୍ତି-। ଜନନୀ ହୋଇ ଧ୍ୟାନରେ ବସି ଡିମ୍ବ ଭିତରୁ ଛୁଆ ଫୁଟାଇଚନ୍ତି । ବେଳେବେଳେ ଏହିସବୁ କାଣ୍ଡକାରଖାନା ଦେଖି ଭାରି ଖୁସି ଲାଗିଚି । କିନ୍ତୁ ଏହି ଖୁସି ଭିତରେ ସଂଶୟ ଭରିଦେଇ ଦିନେ ଦିନେ ଉପରୁ ଡିମ୍ବ ପଡ଼ି ସିମେଣ୍ଟ ଘରର ଚଟାଣ ଉପରେ ଠୋ’ ହୋଇ ଫାଟିଯାଇଚି । ଆଉ ଦିନେ ଦିନେ ଛୁଆମାନେ ତଳକୁ ପଡ଼ି ଯାଇଚନ୍ତି ଓ ସେମାନଙ୍କର ପ୍ରାଣ ବାହାରି ଯାଇଚି । ସେଦିନ ଦେଖିଲି, ଗୋଟାଏ ଛୁଆ ଆସି ତଳେ ପଡ଼ିଯାଇଚି, ତଥାପି ପ୍ରାଣ ଯାଇନାହିଁ,–ଆଖି ଫିଟି ନ ଥିବାରୁ ବିଚରା କୁଆଡ଼କୁ ଯିବ ବୋଲି ବାଟ ନାହିଁ, ଯେଉଁଠୁ ପଡ଼ିଚି, ତାହା ଅନେକ ଉଚ୍ଚରେ । ମୋ’ର ହାତ କଦାପି ସେଠାରେ ପହଞ୍ଚି ପାରିବନାହିଁ । ଘର ଭିତରେ ଏହି ଛୁଆଟାକୁ ରଖିଲେ ମଧ୍ୟ ମୁଁ ତା’କୁ କଦାପି ବଞ୍ଚାଇ ପାରିବିନାହିଁ । ବାଧ୍ୟ ହୋଇ ବଡ଼ ନିରାସକ୍ତ ହେବାକୁ ଚେଷ୍ଟାକରି ମୋତେ ତା’କୁ ଉଠାଇ ବାହାରକୁ ଫୋପାଡ଼ି ଦେବାକୁ ହେଲା । କିନ୍ତୁ ଭାରି ଦୁଃଖ ଲାଗିଲା । ମୋ’ର ଆଉ କିଛି କରିବା ଉଚିତ ଥିଲା କି ?

 

୧୧ । ୫ । ୬୧

 

କୌଣସି ସତ୍ୟକୁ ମୁଁ ନିଶ୍ଚିତ କରି ଜାଣେନାହିଁ, ମୋ’ର ଜୀବନରେ ତାହା ହିଁ ଗୌରବ । କାରଣ, ମୂଳତଃ ମୋ’ର ଏହି ଅଜ୍ଞାନତା ହିଁ ମୋତେ ଆହୁରି ଅଧିକ ଜାଣିବାକୁ ଓ ଆହୁରି ଅଧିକ ଅନୁଭବ କରିବାକୁ ପ୍ରେରିତ କରାଏ । କୌଣସି ଧର୍ମକୁ ଏକମାତ୍ର ବାଟ ବୋଲି କହିବାଲାଗି ଭିତରୁ ସାହସ ପାଏନାହିଁ । ଇତିହାସର କୌଣସି ଧର୍ମକୁ କେବଳ ଅଧର୍ମ ବା କେବଳ ଅବାଟ ବୋଲି କହିବାକୁ ମଧ୍ୟ ମୁଁ ସାହସ କରିପାରେ ନାହିଁ । ନିର୍ଦ୍ଦିଷ୍ଟ କୌଣସି ମତବାଦ ଦ୍ଵାରା ମନୁଷ୍ୟ ସଂସାରର ସମସ୍ତ ଅଡ଼ୁଆ ତୁଟିଯିବ ବୋଲି କହିବାର ଓ ସେହି ଅନୁସାରେ ଉଗ୍ରୋତ୍ସାହୀ ଆଦର୍ଶବାଦୀ ପରି ସବୁ ଲକ୍ଷ୍ୟ ଭାରି ସହଜରେ ହାସଲ ହୋଇଯିବ ବୋଲି ବିଶ୍ଵାସ କରିବାର ଦମ୍ଭ ମୁଁ କଦାପି କରିପାରେ ନାହିଁ । କାରଣ ମତବାଦଠାରୁ ମୁଁ ମଣିଷକୁ ସାଂସାରିକ କାର୍ଯ୍ୟ କାରଣବାଦରେ ମହତ୍ତର agent ବୋଲି ବିଶ୍ଵାସ କରେ । ମଣିଷର ଜୀବନରେ ଯେତେ ବାସନା ରହିଚି, ଯେତେ ଆକାଙ୍‌କ୍ଷା ରହିଚି, ତାହାର ରହସ୍ୟ ଭେଦ ନକରିବା ପର୍ଯ୍ୟନ୍ତ ମୁଁ କିପରି ସ୍ଥିର ନିଶ୍ଚିତ ଭାବରେ ସବୁକଥା କହିପାରିବି ? ମୋର ନିଜର ବାସନା ଓ ଆକାଙ୍‌କ୍ଷାର ଏତେ ସମୀପବର୍ତ୍ତୀ ହୋଇ ରହିଥିଲେ ମଧ୍ୟ ମୁଁ ଏପର୍ଯ୍ୟନ୍ତ ସେତିକି କ୍ଷେତ୍ରର ରହସ୍ୟକୁ ବୁଝିବାରେ ମଧ୍ୟ ସମର୍ଥ ହୋଇ ପାରିନାହିଁ । ମୋ’ର ଅତି ବ୍ୟକ୍ତିଗତ କ୍ଷେତ୍ରକୁ ମଧ୍ୟ ମୁଁ ମୋ’ର ଅନ୍ତରଙ୍ଗ କରି ପାରିନାହିଁ । ମୁଁ ସର୍ବଦା ଗୋଟାଏ ନିର୍ଦ୍ଦିଷ୍ଟ ପଥ ଓ ନୀତିସୀମା ଭିତରେ ଅବଶ୍ୟ ରହିଚି ବୋଲି ଦୃଢ଼ କରି କହିବା ମଧ୍ୟ ମୋ’ ଦ୍ଵାରା ଏପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ । ତେଣୁ ସଂସାର ବିଷୟରେ ବା ମୁଁ କ’ଣ କହିବାକୁ ଯିବି ? ଏଥିଲାଗି କୌଣସି ବିଚାର ଅଥବା ବାଟକୁ ନେଇ ସଂସାରରେ ଯୁଦ୍ଧ କରି ବାହାରିବାର ଆଗ୍ରହ ମଧ୍ୟ ମୋ’ ଜୀବନରେ ଆଦୌ ସମ୍ଭବ ହୋଇପାରେ ନାହିଁ । ଏକାବେଳେକେ ପ୍ରବଳ ଜିଦ୍‌ରେ ମୁଁ ଆପଣାର ବାଟରେ ମଧ୍ୟ ଚାଲିପାରେ ନାହିଁ । ତଥାପି ମୋ’ର ଏହି ଦୁର୍ବଳତା ହିଁ ମୋତେ ଜୀବନର ଅଧିକ ନିକଟବର୍ତ୍ତୀ କରିଥାଏ ।

 

୧୨ । ୫ । ୬୧

 

ଏହି ଭଲ ପାଇବାର କ୍ଷୁଧା ପ୍ରକୃତରେ ଅନନ୍ତ । ମୋ’ ଭିତରର ଏହି ଭଲପାଇବାକୁ କଳି ପାରିବାଲାଗି ମୋ’ର କୌଣସି ସମର୍ଥତା ନାହିଁ । ଯଦି ମୁଁ ନୀତିବାଦୀ ହୋଇଥାନ୍ତି ବା ଉଗ୍ର ଧର୍ମତତ୍ତ୍ଵବାଦୀ ହୋଇଥାନ୍ତି, ତେବେ ଭଲପାଇବାର ପ୍ରକାରଭେଦ କରି ମଝିରେ ବାଡ଼ମାନ ବସାଇ ଗୋଟାକୁ ଭଲ ଓ ଆଉ ଗୋଟାକୁ ମନ୍ଦ ବୋଲି କହୁଥାନ୍ତି, ଗୋଟାକୁ ପାର୍ଥିବ ଓ ଆଉ ଗୋଟାକୁ ଅପାର୍ଥିବ ବୋଲି କହୁଥାନ୍ତି । ଗୋଟାକୁ sacred ବୋଲି କହି ଆଉ ଗୋଟାକୁ profane ବୋଲି କହୁଥାନ୍ତି । କିନ୍ତୁ ମୋ’ଭିତରେ ମୁଁ ଏପରି କୌଣସି ଭେଦକରୀ ପ୍ରବୃତ୍ତିର ସୂଚନା ହିଁ ପାଉନାହିଁ । ମୋ’ର ଆଖି ଯେତେବେଳେ ଭଲପାଇବାର ମଦରେ ଭରପୂର ହୋଇ ଆକାଶ ଆଡ଼କୁ ଅନାଇ ରହୁଚି, ଫୁଲଟିଏ ଆଡ଼କୁ ଅନାଇ ରହୁଚି, ବା ଚମମାଂସର ଛଦ୍ମମୂର୍ତ୍ତିରେ ଆହୁରି ରହସ୍ୟମୟ ହୋଇ ଉଠିଥିବା କାହାର ହସ ଆଡ଼କୁ ଅନାଇ ରହୁଚି, ତାହାର ଏହି ବିଭିନ୍ନ ଅନାଇ ରହିବା ମଧ୍ୟରେ ମୁଁ କୌଣସି ଅନ୍ତର ଲକ୍ଷ୍ୟ କରିପାରୁନାହିଁ । ଏଥିଭିତରୁ କୋଉଟା sacred ବା କୋଉଟା profane, ସେକଥା ଠିକ୍‍ କରି କହି ପାରିବାକୁ ମୋ’ର କୌଣସି ବୁଦ୍ଧି ନାହିଁ । ନୀତିବାଦୀମାନେ ଏହାକୁ ଗୋଟାଏ ବଡ଼ ଦୁର୍ବଳତା ବୋଲି କହିବେ, ବୁଦ୍ଧିଭ୍ରଂସ ବୋଲି କହିବେ । କିନ୍ତୁ କୌଣସି ପ୍ରକାର ନାମ ଦେଇ କୌଣସି ପ୍ରକାରେ ବିଚାର କରିବାର ଚେଷ୍ଟା ନକରି ମୁଁ କହିବି ଯେ, ଏହାହିଁ ହେଉଚି ମୋ’ର ପ୍ରକୃତି । ମୋ’ର ପ୍ରକୃତି ଲାଗି ମୋ’ ଭିତରେ କୌଣସି ଗ୍ଳାନି ନାହିଁ, କୌଣସି ଖେଦ ନାହିଁ । କାରଣ ଭେଦ ବାରି ପାରିବାର ସାମର୍ଥ୍ୟ ମୋ’ର ନହେଲା ପଛକେ, ମୁଁ ନୀତିବାଦୀ ପରି ମୋ’ର ମନଟାକୁ ମୋଟେ ମାରିଦେବାକୁ ଚାହେନାହିଁ । ମୁଁ ଆପଣା ଉପରେ ଦାଉ ସାଧିବାକୁ ଚାହେନାହିଁ, ଆପଣା ଭିତରେ ଦୁଇଭାଗ ହୋଇ ମୁଁ ଗୋଟାଏ ଅସ୍ଵାଭାବିକ ବିଚାରାଳୟର ଅଭିନୟ କରିବାକୁ ଚାହେନାହିଁ । ଏ ଶରୀର, ଏ ମନ, ଏହି ହୃଦୟ ଓ ଏହି ଆଧ୍ୟାତ୍ମ–ବାସନା, ଏସବୁକୁ ଅଲଗା ଅଲଗା କରି ଦେଖାଇ ଦେବାକୁ କେଉଁଠି କି ମାନଦଣ୍ଡ ରହିଚି, ମୁଁ ସେକଥା ଜାଣିନାହିଁ । ଏହି ଚାରୋଟିଯାକର ପରସ୍ପର ସହିତ ସଙ୍ଗ ଓ ସୂତ୍ର ଛାଡ଼ିଗଲେ ଯେ ଜୀବନର ସବୁ ପ୍ରମାଦ ଆସି ପହଞ୍ଚିଯାଏ, ଆପଣାର ଜୀବନରେ ମୁଁ ବାରବାର ଏହିକଥା ହିଁ ଅନୁଭବ କରିଚି । ଏତିକି ବ୍ୟତୀତ ମୁଁ ଆଉ କିଛି ଜାଣିନି, କିଛି ପାଇନି ।

 

୧୩ । ୫ । ୬୧

 

ଆସକ୍ତି ଓ ନିରସକ୍ତି ଭିତରେ ମୁଁ କୋଉଠି କିପରି ବାଡ଼ ବସାଇବି, ସେକଥା ଭାବି ଠିକ୍ କରିପାରେ ନାହିଁ । ଅନେକ କହନ୍ତି ଯେ, ଆସକ୍ତି ହେଉଚି ଏକ ଦୃଷ୍ଟ ପ୍ରବୃତ୍ତି, ତେଣୁ ନିରାସକ୍ତ ହେବାକୁ ପଡ଼ିବ । ଜୀବନରେ ମୁଁ କେତେକ ସ୍ଵୀକୃତ ନିରାସକ୍ତ ବ୍ୟକ୍ତିଙ୍କୁ ଦର୍ଶନ କରିବାର ସୁଯୋଗ ପାଇଚି । ସେଇମାନେ ହିଁ ଯଦି ନିରାସକ୍ତ ହେବାର ମନୁଷ୍ୟ––ମଡେଲ୍ ହୁଅନ୍ତି, ତେବେ ମୋ’ର ସେପରି ନିରାସକ୍ତି ଆଦୌ ଦରକାର ନାହିଁ । ମୋ’ର ଭଲ ପାଇବା, ମୋ’ର ଭାବାବେଗ, ତଥା ମୋ’ର ଉତ୍କଣ୍ଠା ଓ ଆଗ୍ରହକୁ ନେଇ ମୁଁ ପତିତ ହୋଇ ରହିବାକୁ ରାଜି ଅଛି । ନିରାସକ୍ତ ରହିବାକୁ ହେଲେ ଯଦି ସୂତ୍ର ଛଡ଼ାଇ ଦେବାକୁ ହୁଏ, ତେବେ ମୋ’ର ସେପରି ନିରାସକ୍ତିରେ ଲୋଡ଼ା ନାହିଁ । ମୁଁ ଆସକ୍ତିର ଅପଂକ୍ତି ଭିତରେ ରହିବାକୁ ରାଜି ଅଛି । ପ୍ରକୃତି ସହିତ ସୂତ୍ର, ମଣିଷ ସହିତ ସୂତ୍ର, ଦୃଶ୍ୟ ଏବଂ ଅଦୃଶ୍ୟ ନାନାବିଧ କ୍ଷେତ୍ର ସହିତ ସୂତ୍ର, ଅନୁଭୂତ ଅନନୁଭୂତ ନାନା ସମ୍ପଦ ସହିତ ସୂତ୍ର,–ଏହିସବୁ ସୂତ୍ର ଭିତର ଦେଇ ହିଁ ମୁଁ ଜୀବନର ସୂତ୍ରଟିକୁ ଅନୁଭବ କରିଥାଏ । କୌଣସି ଧାର୍ମିକତା ବା ନୈତିକତାର ମୋହକ ପ୍ରଲୋଭନରେ ପଡ଼ି ମୁଁ ସେହି ସୂତ୍ରଟିକୁ ମୋଟେ ହରାଇ ପାରିବିନାହିଁ । ଏହି ଆସକ୍ତିର ମୂଳପିଣ୍ଡ ଉପରେ ପ୍ରତିଷ୍ଠିତ ରହି ମୁଁ ଯଦି କୌଣସି ଦିନ ନିରାସକ୍ତିର ପରିଚୟ ପାଇବି, ତେବେ ସେଥିରେ ମୋ’ର କୌଣସି ଆପତ୍ତି ନାହିଁ । ସ୍ଵାମୀ ବିବେକାନନ୍ଦ ନିରାସକ୍ତିକୁ ଚରମ ଆସକ୍ତି ବୋଲି କହିଚନ୍ତି । ସୂତ୍ର ଛିଡ଼ାଇବାକୁ ନୁହେଁ ସୂତ୍ରକୁ ଆହୁରି ଅଧିକ ଗଭୀର କରି ସେହି ଚରମ ଆସକ୍ତିକୁ ସମ୍ଭବ କରାଇବାକୁ ମୁଁ ଜୀବନର ପରମ ଧର୍ମ ବୋଲି ଗ୍ରହଣ କରିଚି ।

 

୧୪ । ୫ । ୬୧

 

ଚରମ ଆଉ ମାଉଁସ ଘେରା ହୋଇ ରକତର ଯେଉଁ ଶରୀର ଭିତରେ ମୁଁ ଭାବୁଚି, ଭବିଷ୍ୟତର କଳ୍ପନା କରୁଚି ଓ ଭଲ ପାଇ ପାରୁଚି, ଯାହାର ଆଶ୍ରୟ ଭିତରେ ରହି ମୁଁ ସ୍ଵପ୍ନ ଦେଖୁଚି, ଏହି ଆଶ୍ରୟର ସୀମାକୁ ଡେଇଁ ଆଉ କେଉଁଠି ପରିବ୍ୟାପ୍ତ ହୋଇଯିବା ଲାଗି ମୁଁ ବ୍ୟାକୁଳ ହୋଇଉଠୁଚି, ତାହାକୁ ମୁଁ କଦାପି ମାୟା ବୋଲି କହିପାରିବି ନାହିଁ । କଦାପି ମିଥ୍ୟା ବୋଲି କହିପାରିବି ନାହିଁ । ମୋ’ର ଏହି ମତଟି ଭିତରେ ଯିଏ ଆସି ଶୁଦ୍ଧିର ବା ଅଶୁଦ୍ଧିର ବିଚାର କରିବାର କଥା କରୁଥାଉ । ଫୁଲ ଭିତରେ ଏକ ସ୍ଵର୍ଗୀୟ ସୌନ୍ଦର୍ଯ୍ୟ ଅବଶ୍ୟ ରହିଚି, କିନ୍ତୁ ତା’ ବୋଲି ପାଖୁଡ଼ା ଗୁଡ଼ିକର ସୌନ୍ଦର୍ଯ୍ୟକୁ, ପତ୍ରଗୁଡ଼ିକୁ ସମ୍ଭାରି ଧରି ଫୁଟି ଉଠିଥିବାର ସୌନ୍ଦର୍ଯ୍ୟକୁ, ଗନ୍ଧର ସୌନ୍ଦର୍ଯ୍ୟକୁ ଏବଂ ପବନରେ ଦୋହଲି ଦୋହଲି ଛନ୍ଦ ସୃଷ୍ଟି କରୁଥିବାର ସୌନ୍ଦର୍ଯ୍ୟକୁ ମୁଁ କଦାପି ମିଛ ବୋଲି କହିପାରିବି ନାହିଁ । ମୋ’ ସତ୍ୟର ସଂସାର ଭିତରେ ଏହିସବୁ ସତ୍ୟ ଲାଗି ମଧ୍ୟ ସବୁବେଳେ ଏକ ସ୍ଥାନ ଅବଶ୍ୟ ରହିଚି । ଏହିସବୁ ସତ୍ୟକୁ ଯିଏ ମିଥ୍ୟା ବା ମାୟା ବୋଲି କହୁଚି, ମୁଁ ତା’ ସହିତ କଦାପି ଯୁଦ୍ଧ ଯୁଝିବାକୁ ଯିବିନାହିଁ । ସେହି ବ୍ୟକ୍ତିକୁ ମୁଁ ଉଦାସୀ ଅଥବା ବୈରାଗୀ ବୋଲି ମଧ୍ୟ କହିବି ନାହିଁ । କିନ୍ତୁ ତଥାପି ଆପଣାର ଦୃଷ୍ଟିଟି ଅନୁସାରେ ମୁଁ ମୋ’ର ବାଟଟିକୁ ଶ୍ରଦ୍ଧାର ସହିତ ଅବଶ୍ୟ ଚାଲିଯିବି । ମୋ’ର ଆଖି ଭିତରେ ଏକ ସ୍ଵର୍ଗୀୟତା ଅବଶ୍ୟ ରହୁଚି, ଉପରର ଗଠନପରସ୍ତକୁ ଭେଦ ସକଳ ସାମଗ୍ରୀର ହୃଦୟ ଭିତରେ ରହିଥିବା ସୌନ୍ଦର୍ଯ୍ୟକୁ ଅନୁଭବ କରିବାର ଶକ୍ତି ଏହି ଆଖିରେ ଅବଶ୍ୟ ରହିଚି । କିନ୍ତୁ ସୁନ୍ଦର ରୂପ ଓ ସୁନ୍ଦର ଗଠନରେ ମୁଗ୍‌ଧ ହୋଇ ବିସ୍ମୟରେ ଆହା ବୋଲି କହିବାର ଶକ୍ତି ମଧ୍ୟ ମୋ’ର ଏହି ଆଖି ଭିତରେ ରହିଚି । ଆଉ ଜଣେ ମଣିଷର ଆଖି ଯେତେବେଳେ ମୋତେ ଆପଣାର ସୌନ୍ଦର୍ଯ୍ୟରେ ତା’ ଆଡ଼କୁ ଆକୃଷ୍ଟ କରି ନେଉଚି, ସେତେବେଳେ ସେହି ଆକର୍ଷଣକୁ ମୁଁ ଖାଲି ଏକ ଇନ୍ଦ୍ରିୟାତୀତ ଆକର୍ଷଣ ବୋଲି କଦାପି କହିବି ନାହିଁ । ସେହି ଆକର୍ଷଣ ଭିତରେ ଏକ ଇନ୍ଦ୍ରିୟାତୀତତା ଅବଶ୍ୟ ରହିଚି, ମାତ୍ର ଇନ୍ଦ୍ରିୟର ଚଉବେଢ଼ ଭିତରେ ଆଗ ମୁଗ୍‌ଧ ଓ ବିସ୍ମିତ ହୋଇ ପ୍ରବେଶ କରିପାରିଲେ ଯାଇ ଇନ୍ଦ୍ରିୟାତୀତର ପରିଚୟ ମିଳିବା ସମ୍ଭବ ହୋଇପାରୁଚି । ତୁମେ ମୋତେ ଯାହା କହି ଯୋଉ ନୀତିର ଉପଦେଶ ଦିଅ ପଛକେ, ମୁଁ ଏକଥାକୁ କଦାପି ଅସ୍ଵୀକାର କରିପାରିବି ନାହିଁ ।

 

୧୫ । ୫ । ୬୧

 

ଏହି ସଂସାରରେ ମୁଁ ହାରିବା ଆଉ ଜିତିବାର ହିସାବ କରି ବସିବି ନାହିଁ । ହାରିବା ଆଉ ଜିତିବାର ପରିମାଣ ଅନୁସାରେ ଯଦି ଜୀବନରେ ସାର୍ଥକତାର ବିଚାର କରାଯାଉଥାନ୍ତା, ତେବେ ମୋ’ର ଦୁଃଖର କୌଣସି ଅନ୍ତ ହିଁ ନଥାନ୍ତା । ମୁଁ ଯେତେବେଳେ ବାହାରେ ଜିତିଲି ବୋଲି ଭାବେ, ମୋ’ରି କଥା ରହିଲା ବା ମୋ’ର ଇଚ୍ଛା ପୂରିଲା ବୋଲି ମୁଁ ଯେତେବେଳେ ଗୋଟାଏ ଉଗ୍ର ଆଶ୍ଵାସନାରେ ସ୍ପୀତ ହୋଇ ଜିତିବାର ଦମ୍ଭ କରୁଥାଏ, ଠିକ୍ ସେତିକିବେଳେ ମୋ’ ଭିତରେ ମୋ’ ସ୍ନେହ ଓ ପ୍ରେମ ହାରିଯାଏ, ମୋ’ର ଭଲପାଇବା ହାରିଯାଏ, ସମର୍ପଣ ଲାଗି ଅପେକ୍ଷା କରି ବସିଥିବା ହୃଦୟଟା ଭାରି ନିଃସ୍ଵ ହୋଇ ରହେ । ବାହାରେ ଜିତିଥିବାର ଆଘାତ ଶେଷରେ ଆପଣାର ଅନ୍ତରଟା ଉପରେ ହିଁ ଛାଟମାରିବାକୁ ଆରମ୍ଭ କରିଦିଏ । ଆଉ ଯେତେବେଳେ ବାହାରେ ମୁଁ ଆପଣାର ସବୁଯାକ ଉଗ୍ରତା ଆଉ ଅଭିମାନ ଭୁଲିଯାଏ, କାହାରି ପାଖରୁ ବା କିଛି ଆଶା କରି ବସିବାର ମୋହ ଭାଙ୍ଗିଯାଇଥାଏ, ବଡ଼ାଇ କରିବାକୁ କିଛିହେଲେ ନଥାଏ, ଭିତରେ ଠିକ୍ ସେତିକିବେଳେ ସବୁକିଛି ଖୋଲିଯାଏ । ହୃଦୟମୂଳରେ ଆଖିର ଚେର ଲାଗି ଗଲାପରି ମନେହୁଏ, ମୁଁ ଏହି ସକଳ ଦୃଶ୍ୟ ଓ ଅଦୃଶ୍ୟ ସମ୍ପଦର ଅଧିକାର ପାଇଯାଏ । ଜୀବନରେ ବହୁ ମୁହୂର୍ତ୍ତରେ ମୁଁ ସେହି ମୁକ୍ତିର ଆସ୍ଵାଦ ପାଇଚି । ସେତେବେଳେ ବଡ଼ ଅସଚେତ ଅଥଚ ସ୍ଵାଭାବିକ ଭାବରେ ମୋ’ ଭିତରେ ମୁଁ ସକଳ ଜୀବନକୁ ଅନୁଭବ କରିପାରିଚି, ଆପଣା ଜୀବନର ସକଳ ସଞ୍ଚୟକୁ କାହାର ଚରଣ ତଳେ ନୈବେଦ୍ୟ ରୂପେ ବାଢ଼ିଦେଲା ପରି ଅନୁଭବ କରିଚି । ମୋ’ର ଜାଣିବା, ମୋ’ର ବୁଝିବା, ମୋ’ର ପାଇବା ଓ ମୋ’ର ଧରିରଖିବା ସାର୍ଥକ ହୋଇଚି । ଏହି ହାରିବା ମୋତେ ଅଧିକ ସମ୍ପଦବାନ୍ କରିଚି, ସକଳ ଜୀବନର ଅଧର ପ୍ରାନ୍ତକୁ ମୋ’ ମୁହଁ ଉପରର ଅଧିକ ନିକଟବର୍ତ୍ତୀ କରି ଆଣିଚି,–ମୁଁ ଧନ୍ୟ ହୋଇଚି ।

 

୧୬ । ୫ । ୬୧

 

ଦୀର୍ଘ ଅନେକ ବର୍ଷ ତଳେ ସଂସାରଟାକୁ ବନ୍ଧୁ ରୂପେ ଚିହ୍ନିନେବାର ପ୍ରେରଣା ପାଇଥିଲି-। ସେତେବେଳେ ମୋ’ର ବୟସ ଅତ୍ୟନ୍ତ କଞ୍ଚା ଥିଲା । ସଂସାରର ଅନେକ କଥା ମୋତେ ଜଣା ନଥିଲା । ମଣିଷର ମନକୁ ଜାଣିବାଲାଗି ଓ ବୁଝିବାଲାଗି ମୋ’ ପାଖରେ କିଛି ସାଧନ ନଥିଲା । ହଁ, କିଛି ଭାବପ୍ରବଣତା ଥିଲା, ଆପଣାକୁ ସମର୍ପି ଦେବାଲାଗି କିଞ୍ଚିତ୍ ଆକୁଳତା ଥିଲା, ଅତି ପାଖରେ ଆଣି ଜାବୁଡ଼ି ଧରିବାର କିଛି ବିହ୍ଵଳତା ମଧ୍ୟ ଥିଲା । ସେତେବେଳେ କୋଉଠି ଟିକିଏ ଆତ୍ମୀୟତାର ପରିଚୟ ପାଇଲେ ଶରୀରମୟ ସବୁ ହୃଦୟ ପୂଲକିତ ହୋଇ ଉଠୁଥିଲା, କାହା ମୁଁହରେ ଗୋଟାଏ ଧାର ଉଛୁଳା ହସ ଦେଖିଲେ ପ୍ରାଣ ରୋମାଞ୍ଚିତ ହୋଇ ଉଠୁଥିଲା । ଜୀବନର ସେହି ପର୍ଯ୍ୟାୟକୁ ମୁଁ ବର୍ତ୍ତମାନ ଅତିକ୍ରମ କରି ଆସିଚି । ସେ ବିହ୍ଵଳତା ନାହିଁ କି ସେହି ଭାବପ୍ରବଣତା ମଧ୍ୟ ନାହିଁ । କିନ୍ତୁ ତଥାପି ସେହି ମନ ଓ ସେହି ଦୃଷ୍ଟି ଆଜି ମଧ୍ୟ ମୋ’ ଭିତରେ ବଞ୍ଚି ରହିଚି, ସଂସାରର ତଥାକଥିତ ବସ୍ତୁ ସତ୍ୟ ମୋ’ର ସେହି ଲବ୍‌ଧ ସମ୍ପଦକୁ ଏପର୍ଯ୍ୟନ୍ତ ଗ୍ରାସ କରି ପକାଇ ନାହିଁ । ଭଲପାଇବାର ତୀର୍ଥ ଯାତ୍ରାରେ ମୁଁ ମୋ’ ଜୀବନର ସମସ୍ତ କଉଡ଼ିକୁ ଲଗାଇ ବାହାରି ପଡ଼ିଚି । ବାହାରୁ ଦେଖିବାକୁ ତଦ୍ଦ୍ଵାରା ହୁଏତ ମୋ’ର ଅନେକ କ୍ଷତି ହୋଇଚି, ଅନେକ ଦୃଷ୍ଟିରୁ ବୋକା ବନିବା ହିଁ ସାର ହୋଇଚି, କିନ୍ତୁ ମୁଁ ଆଉ କ’ଣ କରିଥାନ୍ତି ? ଏହାହିଁ ତ ମୋ’ର ବାଟ, ତେଣୁ ଏହି ବାଟରେ ଯାଇ ଏହି ବାଟର ମୂଲ୍ୟଗୁଡ଼ିକୁ ମୋ'ର ପରମମୂଲ୍ୟ ବୋଲି ସ୍ଵୀକାର କରିବାକୁ ହିଁ ମୁଁ ସ୍ଵଧର୍ମ ବୋଲି ଆବିଷ୍କାର କରିଆସିଚି । ଭଲ ପାଇବା ମିଥ୍ୟା ନୁହେଁ, ଭଲ ପାଇବା ଆପଣାକୁ ଜୀବନ ପାଖରେ ବଶ କରିଦିଏ, ସମଗ୍ର ସଂସାରକୁ ଆପଣା ପାଖରେ ଅତି ଆପଣାର କରି ରଖେ,–ବାହାରେ ଆଉ ଭିତରେ ଭାରି ଭଲ ଲାଗେ, ଅତି ସ୍ଵାଭାବିକ ଭାବରେ ଭାରି ଖୁସି ଲାଗେ, ଜୀବନ ଭିତରେ କେଉଁ ଫୁଲଟିଏ ଫୁଟି ଉଠୁଥିବା ପରି ଲାଗେ । ଆପଣାର ବାସ ଟିକକ ବ୍ୟତୀତ ସଂସାରର ମନ୍ଦିରଦ୍ଵାରରେ ଠିଆ ହୋଇ ଆପଣା ବିଷୟରେ ଆଉ କିଛି ମନେ ରହେନାହିଁ-। ଏଇ ଷୋଳ ତାରିଖରେ ମୂଳଦୂଆ ଉପରେ ମୁଁ ଏ ପର୍ଯ୍ୟନ୍ତ ବାଟ ଚାଲି ଆସିଚି, ଏ ପର୍ଯ୍ୟନ୍ତ ସେହି ଦିନର ସକଳ ନିମିତ୍ତ ମୋତେ ଅନେକ ପ୍ରେରଣା ଦେଇଚନ୍ତି, ମୋତେ ପ୍ରସ୍ତୁତ ହେବାରେ ଅନେକ ସାହାଯ୍ୟ କରିଚନ୍ତି । ସେମାନଙ୍କ ପାଖରେ ଆଜି ମୁଁ ମୋ'ର କୃତଜ୍ଞତା ଜଣାଉଚି, ମୋ'ର ପୁଲକମୟ ହୃଦୟକୁ ଛୁଆଁଇ ଦେଇ ଆସୁଚି, ସେମାନେ ସମସ୍ତେ ମୋ'ର ଅତି ଆପଣାର ।

 

୧୭ । ୫ । ୬୧

 

ଆଜି ଜଗତରେ ସବୁ ବନ୍ଧୁତା ଓ ସବୁ ସହୃଦୟତା ଭାଙ୍ଗି ପଡ଼ୁଥିବାବେଳେ ମୁଁ ତଥାପି ସବୁରି ପାଖରେ ପ୍ରଧାନତଃ କେବଳ ବନ୍ଧୁ ହୋଇ ରହିବାକୁ ଚାହେ । ସେଥିଲାଗି ତୁମେ ମୋତେ ନିର୍ବୋଧ କହ ବା ରକ୍ଷଣଶୀଳ କହ, ମୁଁ ସେକଥା ମାନିବାକୁ ଚାହେନାହିଁ । ମୁଁ କେବଳ ଭାବପ୍ରବଣ ହୋଇ ଏକଥା କହୁନାହିଁ, ଜୀବନରେ ଏତେ ବରଷର ଅଭିଜ୍ଞତା ପରେ ଯାହାକୁ ମୁଁ ସାର ବୋଲି ଅନୁଭବ କରିଚି, ମୁଁ ତାହାରି କଥା କହୁଚି । ଜଗତଯାକ ସମସ୍ତେ ଠିକ୍ ଏହି ବାଟକୁ ଆସନ୍ତୁ ବୋଲି ମୁଁ କଦାପି ଦାବି କରିବାକୁ ଯିବିନାହିଁ । କିନ୍ତୁ ତଥାପି ଅଧିକରୁ ଅଧିକ ଲୋକ ଏହି ବାଟକୁ ଆସିଲେ ମୁଁ ଅବଶ୍ୟ ଖୁସି ହେବି । ମୁଁ ମୋ’ ଦେଶକୁ ସୁନ୍ଦର କରି ଦେଖିବାକୁ ଚାହେଁ, ମୁଁ ମୋ’ ସାହିତ୍ୟକୁ ବିକଶିତ ଦେଖିବାକୁ ଚାହେ, ମୋ’ର ଗାଆଁ ବା ମୋ'ର ଜିଲ୍ଲାଟିକୁ ମୁଁ ଅଧିକ ସୁଖୀ ଦେଖିବାକୁ ଚାହେଁ,–କିନ୍ତୁ ସର୍ବୋପରି ମୁଁ ଏହି ପୃଥିବୀରେ ସକଳ ମଣିଷଙ୍କୁ ଅନ୍ୟ ସକଳ ମଣିଷଙ୍କର ବନ୍ଧୁ ଭାବରେ ଦେଖିବାକୁ ଚାହେଁ, ପ୍ରତ୍ୟେକ ପ୍ରକାରର ପ୍ରତିବେଶରେ ମୁଁ ପ୍ରଧାନତଃ ବନ୍ଧୁବର୍ଗର ସମାବେଶ ଦେଖିବାକୁ ଚାହେ । ସେଥିଲାଗି କୌଣସି ଗୋଟିଏ ଭାଷା, ଗୋଟାଏ ଧର୍ମ, ଗୋଟାଏ ଦେଶ ବା ଗୋଟିଏ ସାହିତ୍ୟକୁ ଆଳ କରି ଧରି ମୁଁ ଜଗତର ଅନ୍ୟ ସମସ୍ତଙ୍କ ବିରୁଦ୍ଧରେ ଯୁଦ୍ଧରେ ଡାକରା ଦେଇପାରେ ନାହିଁ । ଏହିଭଳି ପ୍ରବୃତ୍ତିକୁ ମୁଁ ଏକ ମନୁଷ୍ୟୋଚିତ ପ୍ରବୃତ୍ତି ବୋଲି ଗ୍ରହଣ କରିପାରେ ନାହିଁ । ତେଣୁ ଜଗତର ଯେଉଁ ଦେଶକୁ ଯେତେବେଳେ ଯାଏ, ସେହି ଦେଶ ଛାଡ଼ି ଆସିଲାବେଳେ ଆପଣାର ଘର ଛାଡ଼ି ଯାଉଥିଲା ପରି ମନେହୁଏ, ମାୟା ଲାଗିଯାଏ, ତେଣୁ ଦୁଃଖ ହୁଏ ।

 

୧୮ । ୫ । ୬୧

 

ବେଳେବେଳେ ମୋ’ ଭିତରେ ବ୍ୟବସାୟ ମନଟା ଭାରି ପ୍ରବଳ ହୋଇଉଠେ । ସଂସାରରେ ସବୁ ଥାନରେ ସତେ ଅବା କେବଳ କ୍ଷତି ସହୁଥିବାର ଆଶଙ୍କାରେ ମୁଁ ଭାରି ଆତଙ୍କିତ ହୋଇପଡ଼େ । ଭୟ ହୁଏ, ହଠାତ୍ ସବୁ ଭାଙ୍ଗି ରୁଜିଯାଇ ମୋ’ର ଏହି ବିପଣିଟି ବନ୍ଦ ହୋଇଯିବ କି-? ଭାରି ଭୟ ହୁଏ, ଭାରି ଅବିଶ୍ଵାସ ହୁଏ । ଆପଣା ଉପରେ ଅବିଶ୍ଵାସ ହୁଏ, ସକଳ ଜଗତ ଉପରେ ଅବିଶ୍ଵାସ ହୁଏ, ସମସ୍ତେ ପାସ୍ କରି ଯାଇଥିବା କ୍ଳାସ ଭିତରେ କେବଳ ଆପେ ଫେଲ୍‍, ହୋଇ ବସି ରହିଥିବାର ପିଲାଟିଏ ପରି ଆପଣାକୁ ମନେହୁଏ । ଆପଣା ବିଷୟରେ ସବୁଯାକ ହୀନତା ସେତେବେଳେ ଆପଣାର ସମସ୍ତେ ଚେତନାକୁ କାମୁଡ଼ି ଧରିଥାଏ । ସତେ ତ, ଏହି ସଂସାରରେ ମୁଁ କ’ଣ ବା ହୋଇପାରିଲି ? ନା ସମ୍ମାନ ରହିଲା, ନା ସ୍ଵୀକାର ରହିଲା, ନା ସଫଳତା ରହିଲା ନା ସୁଖଭୋଗ ରହିଲା ? –ଏହିପରି ବିଚାରି ବିଚାରି ବିଚରା ବେପାରୀଟା ବଡ଼ ବ୍ୟଥିତ ଓ ସନ୍ତପ୍ତ ହୋଇପଡ଼େ । ଅତି ଚତୁର ବେପାରୀ ପରି ସିଏ ହୁଏତ ଭାବିବସେ, ଏହି ବଜାରକୁ ନଆସି ଆଉ କୌଣସି ବଜାରକୁ ଯାଇଥିଲେ ହୁଏତ ଲାଭ ହୋଇଥାନ୍ତା, ସଫଳତା ମିଳିଥାନ୍ତା । ସେତିକିବେଳେ ଆପଣାର ନିର୍ବୋଧତାଟା ଭାରି ଜଳଜଳ ହୋଇ ଦେଖାଯାଏ । ଆରେ ଓଲୁ, ତୁ ଆଉ କୁଆଡ଼କୁ ଯାଇଥାଆନ୍ତୁ ? ଏହି ବେପାରୀର ମନକୁ ନେଇ ତୁ ଯେଉଁଠାକୁ ଯାଇଥାନ୍ତୁ, ସେଠାରେ ମଧ୍ୟ ଖାଲି ସନ୍ତପ୍ତ ହୋଇଥାନ୍ତୁ, ଖାଲି ଦୁଃଖଭୋଗ କରିଥାନ୍ତୁ, ଗଙ୍ଗାକୂଳରେ ଘର କରି ତଥାପି ଶୋଷରେ ଛଟପଟ ହୋଇ ମରିଥାନ୍ତୁ । ତେଣୁ, କେବଳ ଗୋଟାଏ ସଂସାରରୁ ଆଉ ଗୋଟାଏ ସଂସାରକୁ ଚାଲିଗଲେ ତୋ’ର ଦୁଃଖ ସରିବନାହିଁ । ତୋ’ଭିତରେ ଛପି ରହିଥିବା ବେପାରୀଟାକୁ ଖତମ କରିବାକୁ ହେବ । କାରଣ ଜୀବନ ବେପାର ନୁହେଁ, ଜୀବନର ଖାତା ଲାଭ ଆଉ କ୍ଷତିର ଖାତା ନୁହେଁ । ଏହି ଭଲ ପାଇବାକୁ ହେବ, ଏଠି ବିଶ୍ଵାସ ରଖିବାକୁ ହେବ, ଏଠି ଆଖି ଖୋଲି ସୁଧାପାନ କରିବାକୁ ହେବ । ଏଠି ସବୁ ଦ୍ଵାରରେ ଆପଣାକୁ ସମର୍ପଣ କରିବାକୁ ହେବ, ଏଠି ଆପଣା ଭିତରେ କେଉଁ ଅଦୃଶ୍ୟ ମନ୍ଦିର ଭିତରେ ସକଳ ଜୀବନର ସର୍ବନାୟକତ୍ୱକୁ ଅନୁଭବ କରିବାକୁ ହେବ । ତାହା ହିଁ ବାଟ, ତାହା ହିଁ ଉଷାର ପଥ । ତୁ ଶାନ୍ତ ହୋଇଯାଆ, ଆପଣାର ଦାରିଦ୍ର୍ୟ ଭୁଲିଯାଆ, ତୁ ଏହି ସଂସାରରେ ରାଜପୁତ୍ର ପରି ବିଚରଣ କରି ଶିଖ୍,–ଦେଖିବୁ, ତୋ’ର ସମସ୍ତ ଦୈନ୍ୟର ଅନ୍ତ ହେବ, ସକଳ ଅଜ୍ଞାନ ଅପସରି ଯିବ, ତୋ’ ଜୀବନରେ ସୂର୍ଯ୍ୟୋଦୟ ଘଟିବ-

 

୧୯ । ୫ । ୬୧

 

ଭାରତବର୍ଷ ଆମେରିକାର ବନ୍ଧୁ ହୋଇ ରହିବାକୁ ଚାହେଁ । କିନ୍ତୁ ସିଏ ରୁଷିଆର ମଧ୍ୟ ବନ୍ଧୁ ହୋଇ ରହିବାକୁ ଚାହେଁ । ରୁଷିଆ ଆଉ ଆମେରିକା ଭିତରେ ଯେଉଁ ପାଶବିକ ବିବାଦ ସମସ୍ତ ପୃଥିବୀଟାକୁ ଧ୍ୱଂସ କରିବାକୁ ବସିଚି, ଭାରତ ସେହି ବିବାଦର ବ୍ୟୁହ ଭିତରେ ପଶିବାକୁ ଚାହେନାହିଁ-। ରୁଷିଆ ଯେଉଁଠି ଅନ୍ୟାୟ କରୁଚି, ତାହାକୁ ଭାରତବର୍ଷ ଯେପରି ଅନ୍ୟାୟ ବୋଲି କହିବାକୁ ଚାହେଁ, ଏଣେ ଆମେରିକା ଅନ୍ୟାୟ କଲେ ତାହାକୁ ମଧ୍ୟ ସିଏ ସେହିପରି ଅନ୍ୟାୟ ବୋଲି କହିବାକୁ ଚାହେଁ । ଆନ୍ତର୍ଜାତିକ ରାଜନୀତି–କ୍ଷେତ୍ରରେ ବନ୍ଧୁତା କହିଲେ ଯେଉଁମାନେ ଅନ୍ୟପ୍ରକାର ଅର୍ଥ କରିବାକୁ ଚାହାନ୍ତି, ଭାରତବର୍ଷ ସେମାନଙ୍କର କଥାକୁ ସ୍ୱୀକାର କରିବାକୁ ଚାହେନାହିଁ । ସଂସାରରେ ବନ୍ଧୁ ହେବାର ଭେଳିକି ଲଗାଇଦେଇ ରୁଷିଆ ଆଉ ଆମେରିକା ଆଜି ପୃଥିବୀଯାକର ମଣିଷକୁ ଦୁଇଟା ପୃଥକ୍ ଶିବିରରେ ଭାଗ କରି ଦେଇଚନ୍ତି, ସଂସାରକୁ ଏକା ଭୋଗ କରିବାର ଅଭିମାନରେ ଆଜି ଉଭୟ ପକ୍ଷ ଅପରକୁ ବିଲୁପ୍ତ କରିଦେବାର ପାଞ୍ଚ କରୁଚନ୍ତି । ଏଣେ ମଣିଷର ହାତରେ ବିଜ୍ଞାନର ପ୍ରଳୟକାରୀ ଶକ୍ତି ଯେତିକି ବୃଦ୍ଧି ପାଇବାରେ ଲାଗିଚି, ତେଣେ ଦୁଇ ପକ୍ଷ ଭିତରେ ସେତିକି ପରିମାଣରେ ଦୂରତା ମଧ୍ୟ ବଢ଼ିବାରେ ଲାଗିଚି । ହାତରେ ଛୁରୀ ଧରି ଦୁଇ ପକ୍ଷ ସଂସାରରେ ଶାନ୍ତି ରଖିବାର ମନ୍ତ୍ରଣାସଭା ବସାଉଚନ୍ତି । ଭାରତବର୍ଷ ଏହି ମନ୍ତ୍ରଣାସଭାରେ କାହାରି ବନ୍ଧୁ ହେବାକୁ ଚାହେନାହିଁ, କାହାରି ପକ୍ଷ ସମର୍ଥନ କରିବାକୁ ଚାହେନାହିଁ । କିନ୍ତୁ ମଣିଷ ଭାବରେ ଏହି ପୃଥିବୀକୁ ମଣିଷର ଅଧିକ ବାସୋଚିତ କରିବା ଲାଗି ଯେତେ ଯେଉଁଠି ଉଦ୍ୟମ ହେଉଚି, ରୁଷିଆ ବା ଆମେରିକା ଯେଉଁଠି ହେଉ ପଛକେ, ଭାରତ ସେହି ଉଦ୍ୟମରେ ଅବଶ୍ୟ ଯୋଗ ଦେବାକୁ ଚାହେ ।

 

୨୦ । ୫ । ୬୧

 

ମୋର ସବୁ ଅଭିମାନ, ସବୁ ମୋହ ଭାଙ୍ଗିପଡ଼ୁ ପଛକେ, କିନ୍ତୁ ବନ୍ଧୁତାର ଜୟ ହେଉ । ସ୍ନେହର ଓ ପ୍ରେମର ଜୟ ହେଉ । ମୋତେ ଭିତରେ କାମୁଡ଼ି ଧରିଥିବା ଲାଳସାର ଜ୍ୱରକୁ ଅନୁଭବ କଲାବେଳକୁ ମନେ ହେଉଚି ଯେ, ମୁଁ ଅନେକ ଦିନରୁ ଅନେକ ପ୍ରକାରେ ଉପବାସୀ ହୋଇ ରହିଚି-। ସେହି ଉପବାସୀକୁ ଭୋଜନ ଦେବ କିଏ ? ସେହି ଉପବାସୀର ଦୁଃଖ କିଏ ବୁଝିବ ? ଏହି ଉପବାସୀକୁ ମେଣ୍ଟାଇବା ପାଇଁ ସଂସାରରେ ଅଧିକାଂଶ ମଣିଷ ସ୍ୱାର୍ଥକେନ୍ଦ୍ରୀ ହୋଇଯାଆନ୍ତି, ପରିବାର କେନ୍ଦ୍ରୀ ହୋଇଯାଆନ୍ତି, ସମଗ୍ର ଜଗତର ସୁଖଦୁଃଖ ପ୍ରତି ଭାବଜଡ଼ ହୋଇ ଆପଣା ଜୀବନର ଟୁବଗଡ଼ିଆଟିରୁ ପଙ୍କ ଖାଇ ସେମାନେ ଉପବାସ ମେଣ୍ଟାନ୍ତି, ତାହାକୁ ହିଁ ସଂସାରର ରୀତି ବୋଲି କହନ୍ତି; ଆପଣା ଜାଲଟିର ଚାରିପାଖରେ ବିଚ୍ଛିନ୍ନ ହୋଇ ରହିବାର ନାନା କଣ୍ଟା ପକାଇଦେଇ ସେମାନେ ତାହାରି ଭିତରେ ବାନ୍ଧିହୋଇ ରହନ୍ତି । ମୁଁ ଭଲକରି ଜାଣେ, ମୋ’ର ଉପବାସ ଏବାଟରେ ଆଦୌ ମେଣ୍ଟିପାରିବ ନାହିଁ । ଆପଣାକୁ ମୁଁ କୌଣସି ଜାଲରେ ବାନ୍ଧି ପାରିବିନାହିଁ, ଅତି ବ୍ୟକ୍ତିଗତ କୌଣସି ସଂସାରର ଗଡ଼ିଆ ଭିତରେ ବୁଡ଼ିକରି ରହିବାରୁ ମୁଁ ଆପଣାକୁ ସମସ୍ତ ଜଗତରୁ ସୁଖଦୁଃଖରୁ ବିଚ୍ଛିନ୍ନ କରି ରଖି ପାରିବିନାହିଁ । ଆକାଶର ତାରା ଆଉ ଧୂଳି ଉପରେ ଫୁଲ ପରି ଫୁଟି ଉଠିଥିବା ମଣିଷର ହସ,–ଉଭୟକୁ ହିଁ ମୋ’ ଜୀବନରେ ଏକତ୍ର ଓ ସଙ୍ଗତ ଭାବରେ ଧରି ରଖିପାରିଲେ ହୁଏତ ଏହି ଭୋକ ମେଣ୍ଟିବ । ମଣିଷର ଚମ–ତିଆରି ଓଠ ଓ ଆଖି ଉପରେ ଅବତାର ଗ୍ରହଣ କରିଥିବା ଜୀବନମୟତାର ହସକୁ ଆପଣାର ସମଗ୍ର ଚାହାଣି ଭିତରେ ଆବୋରି ନେଇପାରିଲେ ଯାଇ ଏ ଭୋକ ମରିବ । ସେହି ଦିନ ଓ ସେହି ଦୃଷ୍ଟି କେବେ ଆସିବ, ମୁଁ ସେକଥା ଜାଣେନାହିଁ । କିନ୍ତୁ ସେହି ଅଭାବ ଦ୍ୱାରା ଜର୍ଜର ହୋଇ ମୁଁ ଅଭିମାନ କରି ବସିବିନାହିଁ, ମୁଁ କୌଣସି ମୋଦ ବା ଉତ୍‌ଶୃଙ୍ଖଳତା ଦେଖାଇବି ନାହିଁ । ସ୍ନେହକୁ ବାଟ ଛାଡ଼ିଦେବି, ପ୍ରେମକୁ ବାଟ ଛାଡ଼ିଦେବି, ବନ୍ଧୁତାକୁ ବାଟ ଛାଡ଼ିଦେବି । ମଣିଷକୁ ବାଟ ଛାଡ଼ିଦେବି; ମୋ’ର ଜୀବନ ମଧ୍ୟ ଦେଇ ମଣିଷର ହିଁ ଜୟ ହେବ, ସକଳ ମରଣ ସତ୍ତ୍ୱେ ତଥାପି ବଞ୍ଚି ରହିଥିବା ଜୀବନରେ ହିଁ ଜୟ ହେବ, ବନ୍ଧୁର ଜୟ ହେବ ।

 

୨୧ । ୫ । ୬୧

 

ଆଜି ଓଡ଼ିଶା ଅଭିମୁଖରେ ଯାତ୍ରା କରି ବାହାରିବି । ବରଷରେ ମାତ୍ର ଥରେ ଓଡ଼ିଶା ଦେଖି ଆସିବାର ସୌଭାଗ୍ୟ ପାଇଲେ ମଧ୍ୟ ସେହି ପ୍ରାନ୍ତ, ତାହାର ମଣିଷ ଓ ଭାଷା ମୋ’ର ଅତି ଆପଣାର ମନେ ହୁଅନ୍ତି । ମୁଁ ମୂଳତଃ ସେହି ଭାଷାର ମାଧ୍ୟମରେ ଭାବେ, ମୂଳତଃ ସେହି ପ୍ରଦେଶର ମଣିଷଙ୍କଠାରୁ ପ୍ରେରଣା ପାଇଁ ମୁଁ ସେହିମାନଙ୍କ ପାଇଁ ଲେଖିଥାଏ । ଏହି ମୂଳ ପ୍ରେରଣାଟି ମିଳିଥିବାର କାରଣରୁ ହିଁ ସମ୍ଭବତଃ ଅନେକ ମଣିଷ ନିଜେ ଜନ୍ମ ହୋଇଥିବା ଭୂମିକୁ ଜନ୍ମଭୂମି ବୋଲି କହିଛନ୍ତି । ଅବଶ୍ୟ ମୁଁ କେବଳ ଓଡ଼ିଶାକୁ ହିଁ ମୋ’ର ଜନ୍ମଭୂମି ବୋଲି କହିବି ନାହିଁ-। ଗୋଟିଏ କ୍ଷେତ୍ରରେ ଜନ୍ମଲାଭ କରିଥିଲେ ମଧ୍ୟ ଜଗତର ନାନା ଭୂମିରେ ମୋ’ ଜୀବନର ବିଭିନ୍ନ ଜନ୍ମକ୍ଷଣ ସୁବିସ୍ତୃତ ହୋଇ ରହିଚି । ତେଣୁ ସମଗ୍ର ଜଗତକୁ ଜନନୀ ବୋଲି କହିଲେ ମୁଁ କଦାପି କୌଣସି ଧୃଷ୍ଟତା କରିବି ନାହିଁ । କିନ୍ତୁ ତଥାପି ଓଡ଼ିଶା ପ୍ରତି ମୋ’ର ମମତା ରହିବ, ଓଡ଼ିଆ ଭାଷା ମୋ’ର କାନକୁ ଅଧିକ ପରିଚିତ ଶୁଣାଯିବ, ଓଡ଼ିଶାର ଜନସମୂହ ମୋ’ର ଅତି ପରିଚିତ ବୋଲି ଲାଗିବେ । ବର୍ତ୍ତମାନ ଓଡ଼ିଶାରେ ଭୋଟ ଦେବା ଓ ନେବାର ଧୁମ୍‌ଧାମ୍ ଲାଗିଥିବ । ମୁଁ ସେଥିରେ ଆଦୌ ଆଗ୍ରହୀ ନୁହେଁ । ମୋ’ର ଧର୍ମାଗ୍ରହ ଭିତରେ ରାଜନୀତି କୌଣସି ସ୍ଥାନ ପାଇନାହିଁ । ମୁଁ ଯିବି ଓଡ଼ିଶାର ନିକାଞ୍ଚନ ଅରଣ୍ୟ ଦେଖି ଆସିବି, ଓଡ଼ିଆ ମଣିଷର ମୁହଁରୁ ଓଡ଼ିଆ ଭାଷା ଶୁଣି ଆସିବି, ମୋ’ର ପହିଲି ଘରେ ମୁଣ୍ଡିଆ ମାରି ଆସିବି । ଜୀବନର ମୂଳ ଚେରଟା ଯାଇ ସେହି ଓଡ଼ିଶାରେ ଲାଗିଚି; ସେହି ଚେର ବିସ୍ତୃତ ହୋଇ ଚାଲିଚି, କିନ୍ତୁ ତାହା କଟିଯିବାର ପ୍ରଶ୍ନ ହିଁ ଉଠୁନାହିଁ-

 

୧୦ । ୭ । ୬୧

 

ଯେଉଁଦିନ ଛୁଟିରେ ଏଠାରୁ ଯାଇଥିଲି, ସେଦିନ ଏହି ଖାତାରେ ମୋ’ର ଦୈନିକ ଲିପି ଲେଖିବା ବନ୍ଦ କରି ଯାଇଥିଲି । ଆଜି ଛୁଟି ପରେ ପିଲାଙ୍କର କଲେଜ ଖୋଲୁଚି, ନୂଆବର୍ଷ ଆରମ୍ଭ ହେଉଚି । ସେହି ଅନୁସାରେ ଆଜି ମୋ’ର ମଧ୍ୟ ଖାତା ଖୋଲୁଚି । ମୋ’ର ମଧ୍ୟ ନୂଆବର୍ଷ ଆରମ୍ଭ ହେଉଚି । ପିଲାମାନେ ଯେତିକି ଆନନ୍ଦରେ ଆପଣାର ବିଦ୍ୟାଳୟରେ ନୂଆବର୍ଷଟିକୁ ଆରମ୍ଭ କରିବାକୁ ଆସନ୍ତି, ଆଜି ସେତିକି ଆନନ୍ଦରେ ମୁଁ ଏହି ଖାତା ପାଖରେ ଆସି ବସିଚି । ଶିକ୍ଷକର ନୂଆ ବରଷ ତା’ର ଶିକ୍ଷାଳୟ ଖୋଲିବା ଦିନଠାରୁ । ଗତ ପ୍ରାୟ ଦେଢ଼ମାସ ଭିତରେ ମୁଁ କେତେଆଡ଼େ ଯାଇଚି, କେତେ ନୂଆ ମଣିଷଙ୍କର ସମ୍ପର୍କରେ ଆସିଚି, କେତେ ଆମୋଦିତ ଓ ସହଜ ସନ୍ତର୍ପଣରେ ମୁଁ ମୋ’ର ସମସ୍ତ ସମୟକୁ କଟାଇ ଦେଇଚି । ଠିକ୍ ଯେପରି ସାନପିଲାଟିଏ ଯାତ୍ରା ଦେଖୁଥିବା ସମୟରେ ତା’ର କୌଣସି ଜ୍ଞାନ ରହେନାହିଁ, ଠିକ୍ ସେହିପରି ଏହି ଛୁଟିରେ ମୋ’ର ସମୟ ଜ୍ଞାନ ରହିନାହିଁ । କିନ୍ତୁ ଆଜି ମୋ’ ଭିତରର ଶିକ୍ଷକ ପୁଣି ସଜବାଜ ହୋଇ ଏଠାରେ ତା’ର ନୂଆ ବରଷର କାର୍ଯ୍ୟ ଆରମ୍ଭ କରିବାକୁ ଆସିଚି । କେବଳ ଅନୁଷ୍ଠାନର ନିୟମ ଦ୍ୱାରା ବାଧ୍ୟ ହୋଇ ନୁହେଁ, ମନଖୁସିରେ ଆପଣାର ସ୍ୱନିର୍ବାଚିତ କ୍ଷେତ୍ରରେ ଆପଣାକୁ ପୁଣି ଲଗାଇ ଦେବାକୁ ଆସିଚି । ଗତ ବରଷର ଫସଲ କାଟିନେବାର କେତେ ମାସ ପରେ ଚାଷୀ ଯେପରି ସେହି ପୁରୁଣା ଜମିରେ ନୂଆ ଗାର ମାରିବାଲାଗି ଆସି ପହଞ୍ଚେ, ଠିକ୍ ସେହିପରି ସେତିକି ପ୍ରସନ୍ନତା ନେଇ ସିଏ ଆପଣାର ପରିଚିତ କ୍ଷେତ୍ରଟିରେ ପ୍ରବେଶ କରିବାକୁ ଯାଉଚି । ଏଇ ସକାଳ ସମୟରେ ଚତୁର୍ଦ୍ଦିଗରେ ପାଣିମେଘର ଅଞ୍ଜନ ବୋଳା ହୋଇ ରହିଚି । ଘାସପତର ଗୁଡ଼ିକ ଗତବର୍ଷର ସିକ୍ତତାରେ ଚକଚକ ଦେଖାଯାଉଚି । ଉପରେ ଆବୋରି ରହିଥିବା ଆକାଶ କେତେ କେତେ ସ୍ୱପ୍ନ ଭିତରେ ଟଳମଳ ଓ ବିଭୋର ହୋଇ ରହିଚି । ଠିକ୍ ମୋ’ରି ଆଖି, ମୋ’ର ମନ, ମୋ’ର ଦେହ ଓ ମୋ’ର ହୃଦୟ ପରି ଟଳଟଳ ଦେଖାଯାଉଚି । ମୋ’ ଭିତରେ ଥିବା କେଉଁ ପର୍ଯ୍ୟଟକ କହି ଉଠୁଚି, ଏ ବାଟ ବ୍ୟତୀତ ଅନ୍ୟ ବାଟ ନାହିଁ, କାରଣ ଏହା ତୋ’ର ସ୍ୱନିର୍ବାଚିତ ବାଟ । ହେ ଶିକ୍ଷକ, ତୋ’ର ବାଟରେ ହିଁ ତୋ’ର ଜୟ ହେଉ ତୋ’ର ଜୀବନ ସାର୍ଥକ ହେଉ ।

 

୧୧ । ୭ । ୬୧

 

ମୋର କୌଣସି ପ୍ରକାରର ବାଦ ଦରକାର ନାହିଁ । ପୃଥିବୀର ସବୁ ମଣିଷ ଯେକୌଣସି ପ୍ରକାରେ ଗୋଟାଏ ବାଦର ଆଶ୍ରୟ ଭିତରକୁ ଆସିଗଲେ ଯେ ମଣିଷର ସକଳ ଦୁର୍ଗତି ଦୂର ହୋଇଯିବ, ଏହାକୁ ମୁଁ ଏକ ମିଥ୍ୟା ବୋଲି ମାନିଥାଏ । ମୋ’ର ମଣିଷ ଦରକାର, କିନ୍ତୁ ସେହି ଆବଶ୍ୟକତାକୁ ମୁଁ ମାନବିକତାବାଦ ବୋଲି ଗୋଟାଏ ଛାଞ୍ଚ ଭିତରେ ନେଇ ପକାଇ ଦେବାକୁ ମଧ୍ୟ ଏକ ମିଥ୍ୟା ବୋଲି ମାନିଥାଏ । କୌଣସି ଶିବିରର ସଭ୍ୟଖାତାରେ ଭରତି ହେବାଲାଗି ମୋ’ର ମଣିଷ ଦରକାର ନାହିଁ । ମୁଁ ମଣିଷକୁ ବନ୍ଧୁ ହିସାବରେ ଦେଖିବାକୁ ଚାହେ । ମୋ’ରି କଥା ମାନିବ, ମୋ’ରି କଥା ଶୁଣିବ, ଏପରି ବନ୍ଧୁ ମଧ୍ୟ ମୋ’ର ଦରକାର ନାହିଁ । ସମସ୍ତଙ୍କ ଦ୍ୱାରା ମନାଇନେବା ଲାଗି, ସମସ୍ତଙ୍କୁ ଜୋର ଜବରଦସ୍ତି ଶୁଣାଇବା ଲାଗି ମୋ’ ପାଖରେ କୌଣସି ସତ୍ୟ ନାହିଁ । ଜୀବନର ବାଟଚଲାରେ ମୁଁ ସବୁ ମଣିଷଙ୍କୁ ସାଥୀ ଭାବରେ ପାଇବାକୁ ଇଚ୍ଛା କରେ । ମୋ’ରି ବାଟର ଗୁଳାକୁ ସେମାନଙ୍କୁ ଟାଣି ଆଣିବାରେ ମଧ୍ୟ ମୋ’ର କୌଣସି ଆନନ୍ଦ ନାହିଁ । ମୋ’ରି ମମତାର ମୋହରେ ସମସ୍ତେ ଆସି ମୋ’ରି କାନ୍ଧ ଉପରେ ଅଚଳ ହୋଇ ବସି ରହନ୍ତୁ, ଏକା ଏକା ସେମାନଙ୍କୁ ଭଲ ବାଟରେ ଟାଣିନେଇ ଭଲ ଥାନରେ ପହଞ୍ଚାଇ ଦେବାର ଶ୍ରେୟ କେବଳ ମୁଇଁ ଅର୍ଜନ କରେ, ଏପରି କୌଣସି ଆଗ୍ରହ ମୋ’ର ନାହିଁ । ଯାହା ଭିତରେ ଆପେ ବାଟ ଚାଲିବାର ଶୁଭ ବାସନା ଅଛି, ଆପେ ଆବିଷ୍କାର କରିବାର ଦୁଃସାହସ ଅଛି, ଅଜସ୍ର ସ୍ନେହ ଓ ସହାନୁଭୂତି ଦେଇପାରିବାର ସମ୍ବଳ ଅଛି, ମୋ’ର ସେଇ ସାଥୀ ଦରକାର ।

 

୧୨ । ୭ । ୬୧

 

ବିଦ୍ୟାଳୟର ମାଷ୍ଟର ଯେତେବେଳଯାଏ ବିଦ୍ୟାଳୟର ମାଲିକକୁ ତୁଷ୍ଟ କରି ରହିବାକୁ ହିଁ ଆପଣାର ପରମଧର୍ମ ବୋଲି ଗ୍ରହଣ କରୁଥିବ, ସେତେବେଳଯାଏ ବିଦ୍ୟାଳୟରେ କୌଣସି ବିଦ୍ୟା ସମ୍ଭବ ହେବ କିପରି ? ଶିକ୍ଷାଦାନରେ କାହାରିକୁ ତୁଷ୍ଟ କରି ରଖିବାର ପ୍ରଶ୍ନ ହିଁ ନଥାଏ । ବିଦ୍ୟାଳୟର ବିଦ୍ୟାର୍ଥୀକୁ, ଏପରିକି ଆପଣାର ଆଳସ୍ୟକୁ ମଧ୍ୟ ତୁଷ୍ଟ କରି ରଖିବାର ପ୍ରଶ୍ନ ହିଁ ନଥାଏ-। ଯେଉଁ ଶିକ୍ଷକ ଆପେ ବାଟ ଚାଲୁଥାଏ, ଆପେ ଆବିଷ୍କାର କରୁଥାଏ, ବିଦ୍ୟାର୍ଥୀମାନଙ୍କର ବିକାଶମାନ ଜୀବନକୁ ଯିଏ ଉଚିତ ସମ୍ମାନ ଦେଉଥାଏ, କେବଳ ସେଇ ବିଦ୍ୟାଳୟର ଯୋଗ୍ୟ ହୋଇପାରେ । ଆଜି ଅନେକ କାରଣରୁ ଏପରି ଶିକ୍ଷକ ଆଉ ଦେଖିବାକୁ ହିଁ ମିଳୁନାହିଁ । ବିଦ୍ୟାଳୟର ଯନ୍ତ୍ରକୁ ଏପରି ଭାବରେ ଗଢ଼ି ଦିଆଗଲାଣି ଯେ, ପାଠ ପଢ଼ାଇବା ଅପେକ୍ଷା ଆପଣାର ଚାକିରିକୁ ନିରାପଦରେ ରଖିବା ଲାଗି ଶିକ୍ଷକକୁ ଅଧିକ ଘାରି ହେବାକୁ ପଡ଼ୁଚି । ତା’ର ଚାକିରି ଆଉ ତା’ର ପାଠ ପଢ଼ାଇବାର ବା ଶିକ୍ଷକ ହେବାର ଯୋଗ୍ୟତା ଉପରେ ନିର୍ଭର କରି ରହିନାହିଁ । ମାଲିକର ଖିଆଲ ଉପରେ ନିର୍ଭର କରି ରହିଚି । ମାଲିକ ନିଷ୍ପତ୍ତି କରୁଚି, ସେହି ନିଷ୍ପତ୍ତି ଅନୁସାରେ ବଳଦ ଶିକ୍ଷକକୁ ବେଙ୍ଗଳା ପକାଇବାକୁ ପଡ଼ୁଚି । ବର୍ତ୍ତମାନ ଅଧିକାଂଶ ଶିକ୍ଷାଳୟରେ ଯେଉଁମାନେ ମାଲିକ ହୋଇଅଛନ୍ତି, ସେମାନେ ନୂତନ ଯୁଗର ବିଚାର ବିଷୟରେ ଆଉ କିଛି ଗ୍ରହଣ କରିବାକୁ କୌଣସି ଆଗ୍ରହ ପ୍ରକାଶ କରୁନାହାନ୍ତି । ଆପଣା ଭିତରର ଶିକ୍ଷକମାନଙ୍କୁ ସେମାନେ ଗିଳି ସାରିଲେଣି । ତେଣୁ, ମତ–ବିନିମୟ, ବିଚାର ଓ ଆଲୋଚନା ଠାରୁ ସେମାନେ ଆପଣାର କର୍ତ୍ତୃତ୍ୱ ଉପରେ ହିଁ ଅଧିକ ନିର୍ଭର କରି ରହିଚନ୍ତି । ସେହି କର୍ତ୍ତୃତ୍ୱକୁ ତୁଷ୍ଟ କରି ରଖିବାର ଚେଷ୍ଟାରେ ଶିକ୍ଷକ ମରିମରି ଯାଉଚି ।

 

୧୩ । ୭ । ୬୧

 

ଏଇ ମେଘ, ସ୍ନେହଜଳରେ ଭରିହୋଇ ରହିଥିବା ଏଇ ଆକାଶ, ଏହି ଶୀତଳ ସୁଲୁସୁଲୁ ପବନ, ଏହି ଶ୍ୟାମଳ ଘାସ,–ବରଷାଦିନର ସବୁକିଛି ମୋତେ ଭାରି ଭଲ ଲାଗେ । ମୋ’ର ସମସ୍ତ ଚିତ୍ତ ଭରି ମୁଁ କେଉଁ ଅଙ୍କୁରୋଦ୍‌ଗମର ଅନୁଭବ କରିବାକୁ ଆରମ୍ଭ କରେ । ଶାନ୍ତିନିକେତନରେ ଥିବା ଦିନଠାରୁ ହିଁ ଏହି ବରଷା–ଦିନକୁ ମୁଁ ଭଲପାଇ ଶିଖିଚି । ଝଡ଼, ବରଷା ଓ ପବନକୁ ଭଲ ପାଇ ଶିଖିଚି । ବାହାରର ଏହି ଉଦ୍‌ବେଳନ ସହିତ ମୋ’ରି ଭିତରେ ମୋ’ର ସମସ୍ତ ପ୍ରାଣଶାଖା ଶିହରି ଉଠୁଚି, ଏକ ସହାନୁଭୂତିମୟ ଉଲୁସି ଉଠୁଚି । ଆକାଶରେ ମେଘ ଘୋଟି ଚତୁର୍ଦ୍ଦିଗ ଅନ୍ଧାର କରି ଆସିଲାବେଳେ ସେହି ଭୟଙ୍କର ଆୟୋଜନ ଭିତରେ ମୁଁ ଯେପରି ତଥାପି କାହାର କାନ୍ତ ରୂପ ଦେଖିବାକୁ ପାଇଚି । ମୋ’ର ସକଳ କାମନା ଓ ବାସନାର ଆଲୋଡ଼ନ ତଳେ ମଧ୍ୟ ମୁଁ ଆପଣାର କାନ୍ତ ରୂପ ଦେଖିବାକୁ ପାଇଚି । ମୋ’ରି ଭିତରେ ସତେ ଅବା କେଉଁ ଜନନୀର ଅତି କୋମଳ ହାତର ସ୍ପର୍ଶ ଅନୁଭବ କରିଚି । ଏହି କାନ୍ତ ରୂପଟା ହିଁ ସତ୍ୟ ରୂପ,–ଆଉ ସକଳ ରୂପ ହେଉଚି ପ୍ରଧାନତଃ ତାହାରି ବିଚିତ୍ର Variations;–ଏହିପରି ଅନୁଭବ କରିବା ସଙ୍ଗେ ସଙ୍ଗେ ଜୀବନକୁ ଅତ୍ୟନ୍ତ ନିବିଡ଼ କରି ଚିହ୍ନିଲା ପରି ମନେ ହୋଇଚି, ଆପଣା ଭିତରେ ଆପଣା ସହିତ ଏକାଠି ବାଟ ଚାଲିବା ଲାଗି ଏକ ସମର୍ଥନ ପାଇ ଗଲାପରି ମନେ ହୋଇଚି ।

 

୧୪ । ୭ । ୬୧

 

ବରଷକରେ ଥରେ ଏହି ବରଷାଋତୁ ପୃଥିବୀକୁ ଆସେ । ବରଷଯାକ କାହାର ବିରହରେ ତପ୍ତ ହୋଇ ରହିଥିବା ହୃଦୟ ଭିତରଟା ଯେପରି କାହାର ସ୍ପର୍ଶ ପାଇ ଆର୍ଦ୍ର ହୋଇଆସେ-। ନୂଆ ପାଣି ଲାଗି କଅଁଳି ଉଠିଥିବା ତାହାର ସକଳ ଶାଖା ଓ ପ୍ରଶାଖା ସତେ ଯେପରି କାହାର ଚରଣତଳେ ଆସି ଲୋଟି ଯାଉଥିଲା ପରି ମନେ ହୁଏ । ମନେ ହୁଏ, ଏହି ଛୋଟିଆ ହୃଦୟଟି ଭିତରେ ଯେପରି ସମସ୍ତ ପୃଥିବୀଟା ଲାଗି ମଧ୍ୟ ଅଜସ୍ର ସହାନୁଭୂତି ଭରପୂର ହୋଇ ରହିଚି । ଜୀବନକୁ କାହାର ସ୍ନେହମୟ ଦାନ ବ୍ୟତୀତ ସେତେବେଳେ ଆଉ କିଛି ବୋଲି ମନେ ହୁଏ ନାହିଁ । ଶାନ୍ତିନିକେତନରୁ ବାହାରି ଇଉରୋପ ବାଟ ଦେଇ ଭାରତବର୍ଷ ଭିତରେ ଯେଉଁ ବାଟ ପଡ଼ିଚି, ସେହି ବାଟର ଦୁଇ ପାଖରେ ଥିବା ଅସରନ୍ତି ବୃକ୍ଷଧାଡ଼ି ଯେପରି ଏକାବେଳେକେ କଅଁଳି ଉଠନ୍ତି । ଏହି ବାଟ କେବଳ ଆଶୀର୍ବାଦର ବାଟ, କେବଳ ସାକ୍ଷାତ୍‍କାରର ବାଟ, କେବଳ ନାନା ନୀଡ଼ରେ ସ୍ୱୀକୃତ ହୋଇ ସବୁ ନୀଡ଼କୁ ଆପଣା ମଧ୍ୟରେ ସ୍ୱୀକାର କରିନେବାର ବାଟ । ଏଠାରେ ରୁଷିବା ବା ଅଭିମାନ କରିବାର କୌଣସି ଅବକାଶ ନାହିଁ, ବିଫଳ ହୋଇ ବସିଲି ବୋଲି କୋଳାହଳ କରିବାର କୌଣସି ଜ୍ୱର ନାହିଁ । ଏହି ବରଷାର ଧାର ଯେତିକି ଦୂରରୁ ଆସି ଅଜାଡ଼ି ହୋଇ ପଡ଼ୁଥାଏ, ତାହାରି ଆଡ଼କୁ ଥିର ହୋଇ ଘଡ଼ିଏ ଅନାଇ ରହିଲେ ମନଟା ଯେପରି ସେତିକି ଦୂରକୁ ଲମ୍ବି ହୋଇଗଲା ପରି ମନେହୁଏ । ମନର ଆଖି ଭିତରେ ଏହି ପୃଥିବୀ ଆଉ ଆକାଶ ଏକ ହୋଇ ଧରା ଦିଅନ୍ତି, ଭିତର ଆଉ ବାହାର ଏକ ହୋଇ ଧରା ଦିଏ, ପାଇବା ଆଉ ନପାଇବା ସେହି ଏକ ମହନୀୟ ପଥଯାତ୍ରାର ଆନନ୍ଦ ଭିତରେ ଏକାକାର ହୋଇଯାଏ । ମୋ’ର ଏହି ଅନୁଭୂତି ମଧ୍ୟରେ କେତେଦୂର ଯଥାର୍ଥତା ରହିଚି, ମୁଁ ସେ କଥା କହିପାରିବି ନାହିଁ । ତଥାପି ସବୁ ବରଷ ଏହି ବରଷା ଦିନ ଆସିଲେ ଏହି ଅନୁଭୂତି ମୋ’ର ଅନ୍ତର ଭିତରକୁ ପୂର୍ଣ୍ଣ କରିଦିଏ । ମୋ’ ଜୀବନର ଭୋଜିରେ ଏକ ଅପୂର୍ବ ସ୍ୱାଦ ଆଣିଦିଏ ।

 

୧୫ । ୭ । ୬୧

 

ଦିନେ ଦିନେ ଆପଣାକୁ ବାଧ୍ୟ କରି ଆଣି ଏଠାରେ ବସାଇବାକୁ ପଡ଼େ । ଦିନେ ଦିନେ ଆପେ ଆପେ ଦୁଆର ଖୋଲିଯାଏ, ଆଉ ଦିନେ ଦିନେ ଦୁଆର ପାଖରେ ଘଡ଼ିଏ ଠିଆ ହୋଇ ବ୍ୟସ୍ତବ୍ୟାକୁଳ ହୋଇ ଡାକିବାକୁ ପଡ଼େ । ଦିନେ ଦିନେ ଡାଲା ସଜାଇବାକୁ ବାହାରିଲା ବେଳକୁ ଡାଲା ସଜାଡ଼ି ହୋଇଯାଏ; ଯେତେବେଳେ ଯାହା ଦରକାର, ସେତେବେଳେ ସେଇଟା ତତ୍‌କ୍ଷଣାତ୍ ଆସି ହାତ ପାଖରେ ମିଳିଯାଏ । କିନ୍ତୁ ଆଉ ଦିନେ ଦିନେ ଭୋଗେଇ ଝାଡ଼ିବାକୁ ପଡ଼େ, ପୁରୁଣା ପେଡ଼ିଗୁଡ଼ାକୁ ନିକିମା ହେଲାପରି ବସି ଖେଳାଇବାକୁ ପଡ଼େ । ଏଇଟା ସହିତ ସେଇଟାକୁ ଯୋଡ଼ିବାରେ କେତେ ପରିଶ୍ରମ କରିବାକୁ ହୁଏ । ସେଦିନ ଆପଣାକୁ ଭାରି ଅଯୋଗ୍ୟ ବୋଲି ମନେହୁଏ । ଏପରିକି, ଆପଣାର ଅଯୋଗ୍ୟତା ଜଣାଇ ଆପଣା ଦେବତାର ଦ୍ୱାର ପାଖରେ ଯାଇ ଲୋଟି ପଡ଼ିବାକୁ ମଧ୍ୟ ସାହସ ହୁଏନାହିଁ । ସେଦିନ କିଛି ଖୋଲେନାହିଁ । ଆପଣାର ନାନା ଆଳସ୍ୟ ଓ ନାନା ଉଦ୍‌ବେଗ ଆପଣା ସ୍ୱାର୍ଥ ପରି ଆସି ମୋତେ କାମୁଡ଼ି ଧରିଥାନ୍ତି । ମୁଁ ତଥାପି ଭାବୁଚି, ଏଥିରେ ସେପାଖର କୌଣସି ଅବହେଳା ବା ଉପେକ୍ଷା କଦାପି ନଥାଏ । ଅବଶ୍ୟ ତା’ରି ଅନୁଗ୍ରହରେ ସବୁକିଛି ହୁଏ ବୋଲି ମୁଁ ସତତ ଅନୁଭବ କରେ, ତା’ର ଅନୁଗ୍ରହ ଅବାରିତ ଭାବରେ ସକଳ ସମୟରେ ପ୍ରସ୍ତୁତ ରହିଥାଏ । କେବଳ ମୁଇଁ ଯୋଗ୍ୟ ହୋଇପାରିଲେ ହେଲା ।

 

୧୬ । ୭ । ୬୧

 

କାଲି ସେଠାରେ ବସି ବଡ଼ ଅସ୍ଥିର ଆଉ ଉଚ୍ଚାଟ ଭାବରେ ମୋ’ରି ଭିତରୁ ଯେପରି କେହି ତା’ର କେଉଁ ଚିହ୍ନା ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଥିଲା : ଯଦି ସମ୍ଭବ, ତେବେ ମୋତେ ଦଶଟା ବର୍ଷ ପଛକୁ ଫେରାଇନିଅ । ମୋ’ ଜୀବନରେ ୧୯୬୧ କୁ ୧୯୫୧ ମସିହା କରିଦିଅ । ଗୋଟାଏ କୋଉଠି ମୁଁ ଭାରି ଭୁଲ୍ କରି ପକାଇଚି, ଆପଣାକୁ ଓ ଜଗତକୁ ବୁଝିବାରେ ଯେପରି ମୁଁ କୋଉଠି ଭାରି ଭ୍ରମ କରି ପକାଇଚି । ଏବଂ ସେଇଥିପାଇଁ ମୋ’ ଜୀବନର ସବୁ ବିକାଶ ଓ ସବୁ ପ୍ରକାଶର ମୁହଁରେ କେଉଁଠି ଗୋଟାଏ ଭାରି ପଥର ଅଟକି ଯାଇଚି । ସେହି ପଥରଟାକୁ ଘୁଞ୍ଚାଇ ଆଉ ଏ ବୟସରେ ନିଜ ଜୀବନକୁ ତା’ର ସ୍ୱାଭାବିକ ଗତିରେ ଚଲାଇ ପାରିବି ବୋଲି ଯେପରି ଆଉ ମୋଟେ ବଳ ପାଉନାହିଁ । ଆଗର ସେହି ସ୍ୱପ୍ନ ରହିଚି, ଏହି ସଂସାରରେ ସମସ୍ତଙ୍କର ହୃଦୟ ଭିତରେ ଆପଣା ଲାଗି ଥାନ ଟିକିଏ ପାଇବା ଲାଗି ଆଗପରି ପ୍ରବଳ ବାସନା ମଧ୍ୟ ରହିଚି; କିନ୍ତୁ ଆପଣାର ବଳକୁ କଳିବା ବେଳକୁ ମନର ସକଳ ବିଶ୍ୱାସ ସତେ ଯେପରି ତୁଟି ତୁଟି ଯାଉଚି, ଆପଣା ପାଖରେ ରହିଥିବା ସମୟକୁ ମାପିଲା ବେଳକୁ ମନଟା ଆଗକୁ ନ ଅନାଇ ଖାଲି ପଛକୁ ଦଉଡ଼ୁଚି, ପଛ ଅର୍ଥାତ୍ ଅତୀତର ଦଶବର୍ଷ ପାଖରେ ଭାରି ବିକଳ ହୋଇ ଆଶ୍ରୟ ଖୋଜି ବୁଲୁଚି । ଦଶବର୍ଷ ପୂର୍ବରୁ ସବୁ ଠିକ୍ ଥିଲା, ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଭାରି ମଧୁମୟ ବୋଧ ହେଉଥିଲା । ଜୀବନର ବାଟ ଭାରି ସଫା ହୋଇ ଦେଖାଯାଉଥିଲା । ମୋ’ ଜୀବନରେ ସମୟ ସହିତ ମୋ’ କାର୍ଯ୍ୟକ୍ରମର କୌଣସି ବିରୋଧ ବା ଅସଙ୍ଗତି ନଥିଲା । ସେଥିଲାଗି ପ୍ରତ୍ୟେକ କାର୍ଯ୍ୟରେ, ପ୍ରତ୍ୟେକ ମୁହୂର୍ତ୍ତରେ ଓ ପ୍ରତ୍ୟେକ ମଣିଷ ପାଖରେ କେବଳ ଜୀବନର ଖୁସିଟା ହିଁ ଅଜାଡ଼ି ହୋଇ ପଡ଼ୁଥିଲା । ଆଜି ସେହି ଜୀବନ ଆଡ଼କୁ ଅନାଇଲା ବେଳକୁ ଆଜିର ଏହି ଜୀବନ ସହିତ ମୁଁ ତାହାର ଆଦୌ କୌଣସି ସଙ୍ଗତି ଦେଖିପାରୁ ନାହିଁ । ସେଇଥିପାଇଁ ଫେରିଯିବାକୁ ଚାହୁଚି, ମୋ’ ମନ ଭିତରେ ମୁଁ ଦଶବର୍ଷ ପଛକୁ ଫେରିଯିବାକୁ ଚାହୁଚି, ଅପସରି ଯିବାକୁ ଚାହୁଚି ।

 

୧୭ । ୭ । ୬୧

 

ଏହି ବର୍ତ୍ତମାନକୁ ଏଡ଼ିଦେଇ ମୁଁ ଦଶବର୍ଷ ପଛକୁ ଫେରିଯିବାକୁ ଚାହୁନାହିଁ । ବର୍ତ୍ତମାନକୁ ଅଧିକ ଯଥାର୍ଥ ଓ ସାର୍ଥକ ଭାବରେ ବଞ୍ଚିପାରିବି ବୋଲି ଦଶବର୍ଷ ତଳର ଜୀବନ ଭୂମିକୁ ଭିକ୍ଷା କରି ଆଣିବାକୁ ମୁଁ ଏତେ ବ୍ୟାକୁଳ ହୋଇ ଉଠୁଚି । ମୋ’ର ବିଶ୍ୱାସ, ମୋ’ର ସ୍ପଷ୍ଟ କଥା, ମୋ’ର ନିର୍ଭୀକ ଚିନ୍ତନ,–ଏସବୁକୁ ମୁଁ ଯେପରି ଗତ ଦଶବର୍ଷର ଅବାଟରେ ଛାଡ଼ିଦେଇ ଚାଲିଆସିଚି । ଯେଉଁ ଆଘାତ ଖାଇଚି, ସେହି ଆଘାତ ଯେପରି ମୋ’ର ସମସ୍ତ ବିଶ୍ୱାସ, ସମସ୍ତ ନିର୍ଭରକୁ ମଧ୍ୟ ଭାରି ଆହତ କରି ପକାଇଚି । କେଉଁଠି ମୁଁ କିପରି ବାଟ ଭୁଲିଲି, କେଉଁଠାରେ ବାଉଳା ହୋଇଗଲି, ଆଜି ମୁଁ ଯେପରି ଭାରି ସ୍ପଷ୍ଟ କରି ଅନୁଭବ କରିପାରୁଚି । ଆପଣାର ବାଟରୁ ବାହାରି ଆସି ମୁଁ କୋଉଠି ନାନା ସହଜ ଉତ୍ତେଜନାର ଜାଲ ଭିତରେ ଛନ୍ଦି ହୋଇଗଲି, ସେକଥା ମୁଁ ଭାରି ପରିଷ୍କାର ଭାବରେ ଜାଣିପାରୁଚି । ମୁଁ ସେଇଥିଲାଗି ଫେରିଯିବାକୁ ଚାହୁଚି । ୧୯୫୧ରେ ଛାଡ଼ିଦେଇ ଆସିଥିବା ସମ୍ପଦ ଓ ସାମଗ୍ରୀକୁ ମୁଁ ପୁନର୍ବାର ୧୯୬୧ ରେ ସାଉଁଟି ନେବାକୁ ଇଚ୍ଛା କରୁଚି । କିନ୍ତୁ ଫେରିଯିବାକୁ ମଧ୍ୟ ସାହସ ଦରକାର । ସେହି ବଳ ଓ ସାହସ ମୋତେ ଦେବ କିଏ ?

 

୧୮ । ୭ । ୬୧

 

ଆଜି ବଡ଼ିସକାଳର ଏହି ପବନ ମୋ’ ଦେହ ଉପରେ କେଉଁ ଅଦେହର ଉଚ୍ଚାଟନ ସୃଷ୍ଟି କରିଦେଇ ଯାଉଚି । ଏହି ଦେହଟା କେବଳ ମାଟି ବୋଲି ଆଦୌ ମନେ ହେଉନାହିଁ । ଏହି ଜୀବନଟା ଆଦୌ ମିଥ୍ୟା ବୋଲି ମନେ ହେଉନାହିଁ । ଚତୁର୍ଦ୍ଦିଗରେ ସବୁ ଶାନ୍ତ ହୋଇ ରହିଚି । ଆକାଶକୁ ଆବୋରି ରଖିଥିବା ମେଘମାଳା ଶାନ୍ତ ହୋଇ ରହିଚି । ମୋ’ର ବାତାୟନପଥ ଦେଇ ହଠାତ୍ ଝଲକାଏ ଲେଖାଁ ପବନ ଯେପରି ମୋ’ର ନିଦ ଭଙ୍ଗାଇଦେଇ ଯାଉଚି, ମୋ’ ନିରାଶାର ସମସ୍ତ ନିଦକୁ ଭଙ୍ଗାଇଦେଇ ଯାଉଚି, ସଂସାର ବିଷୟରେ ମୋ’ର ସମସ୍ତ ବାସ୍ତବବାଦୀ ବିକାରକୁ ଦୂର କରିଦେଇ ଯାଉଚି । ମୋ’ର ଆପଣା ଘରର ବିଚ୍ଛିନ୍ନତା ଭିତରେ ମୋତେ ପୁଣି ସକଳ ବିଶ୍ୱଲାଗି ଓ ସକଳ ଜୀବନ ଲାଗି ପ୍ରସ୍ତୁତ କରିଦେଇ ଯାଉଚି । ଏହାକୁ ଅସ୍ୱୀକାର କରିବା ଲାଗି ମୋ’ର ଚାରା କାହିଁ ? ଏହିକୌଣସିଟାକୁ ହୃଦୟ ଓ ଏହି ସ୍ପର୍ଶାନୁଭବୀ ଦେହଟାକୁ ଅସ୍ୱୀକାର କରିବା ଲାଗି ମୋ’ର ଚାରା କାହିଁ ? ଏହି କୌଣସିଟାକୁ ମିଥ୍ୟା ବୋଲି କହି ଛାଡ଼ି ଚାଲିଯିବାକୁ ମୋ’ର ଆଉ ଚାରା ନାହିଁ । ନା,–ଆଜିର ଏହି ଅନୁଭୂତିସମ୍ପନ୍ନ ହୃଦୟ ଓ ଦେହକୁ ମଧ୍ୟ ମୁଁ ମୋ’ର ବାସ୍ତବ ଜୀବନ ମଧ୍ୟରେ ଭରାଇ ରଖିବି । ଏହି ଆକାଶ, ଏହି ନୀରବ ଓ ସିକ୍ତୋଜ୍ଜ୍ୱଳ ପୃଥିବୀ ଏବଂ ଏହି ଉଲ୍ଲାସମୟ ପବନକୁ ମୁଁ ମୋ’ର ଜୀବନ ଭିତରେ ଭରି ରଖିବି । ମୋ’ର ଆପଣା ପରି, ମୋ’ର ଆପଣାର ବନ୍ଧୁ ଓ ଆତ୍ମୀୟମାନଙ୍କ ପରି ଏସବୁ ମଧ୍ୟ ମୋ’ର ଜୀବନରେ ଅତି ପ୍ରିୟ ହୋଇ ରହିବ । ମୁଁ ଜାଣେ, ଅନେକ ସମୟରେ ଧ୍ୟାନ ଚହଲିଯାଏ, ନାନା ଆଶଙ୍କା ଓ ଉତ୍ତେଜନାରେ ଆଖି ବୁଜି ହୋଇଯାଏ, ମୁଁ ବାଟରୁ ବାଉଳା ହୋଇଯାଏ, ମୋ’ର ସମସ୍ତ ସଂଯୋଜନପଥ ସେତେବେଳେ ବନ୍ଦ ହୋଇଯାଏ । ସେହି ମୁହୂର୍ତ୍ତଗୁଡ଼ାକ ମୋ’ ଜୀବନର ସବୁଠାରୁ ଅଧିକ ହତଭାଗ୍ୟ ମୁହୂର୍ତ୍ତ । ତଥାପି ମୁଁ ଆପଣାକୁ ହତଭାଗ୍ୟ ବୋଲି କହିବାର ଦୁଃସାହସ କରିବିନାହିଁ । ଆଜି ଏହି ସକାଳ ସମୟରେ ମୋ’ର ଜୀବନ ଯେଉଁ ସମ୍ପଦର ଉତ୍ତରାଧିକାର ଭିତରେ ପୂରି ଉଠୁଚି, ଯେଉଁ ପବନର ପରଶ ପାଇ ଆଜି ମୋ’ର ସମସ୍ତ ସଂସାର ମୋତେ ଏତେ ଭଲ ଲାଗୁଚି, ତାହାକୁ ପାଇ ମଧ୍ୟ ମୁଁ ନିଜକୁ ହତଭାଗ୍ୟ ବୋଲି କିପରି କହିବି ? ଏହି ସକାଳର ମଧୁମୟତା ମୋ’ର ଜୀବନକୁ ମଧ୍ୟ ମଧୁମୟ କରିଦେବ ।

 

୧୯ । ୭ । ୬୧

 

ସମାଜର ସବୁ ଦୁର୍ନୀତିକୁ ବଦଳାଇପାରିବା ହୁଏତ ମୋ’ର କ୍ଷମତା ଭିତରେ ନାହିଁ, କିନ୍ତୁ ସମାଜର ଦୁର୍ନୀତିଗୁଡ଼ାକୁ ଦୁର୍ନୀତି ବୋଲି କହିବା ମୋ’ କ୍ଷମତା ଭିତରେ ଅବଶ୍ୟ ରହିଚି । ଆହୁରି ଗୋଟାଏ ପାଦ ଆଗକୁ ଯାଇ ମୁଁ କହିବି ଯେ ଏହା ମୋ’ର ନିଜର କର୍ତ୍ତବ୍ୟ ଭିତରେ ହିଁ ରହିଚି । ଅର୍ଥାତ୍, ଯଦି ମୁଁ ସମାଜର ଦୁର୍ନୀତିଗୁଡ଼ାକୁ କୌଣସିପ୍ରକାର ସ୍ୱାର୍ଥର ପରବଶ ହୋଇ ନୀତି ବୋଲି କହିବି କିମ୍ବା କୌଣସିପ୍ରକାର ଅପ୍ରୀତିର ଭୟରେ କିଛି ନକହି ଚୁପ୍ ରହିଯିବି, ତେବେ ମୁଁ ନିଜର କର୍ତ୍ତବ୍ୟ କରିବାରେ ପ୍ରକୃତରେ ଭାରି ହେଳା କରିଚି । ଦୁର୍ନୀତିଗୁଡ଼ାକ କେବଳ ସମାଜର ବଡ଼ ବଡ଼ କ୍ଷେତ୍ରରେ ହିଁ ନାହିଁ । ତାହା ଛୋଟ ଛୋଟ କ୍ଷେତ୍ରରେ ମଧ୍ୟ ରହିଚି । ତାହା ମୋ’ ନିଜ କ୍ଷେତ୍ରରେ ମଧ୍ୟ ରହିଚି । ମୋ’ରି ଛୋଟ କ୍ଷେତ୍ରଟିରେ ମଧ୍ୟ ଏକ ଉଦାସୀନ କ୍ଷମଣୀୟତାର ପ୍ରଶୟ ନିଆଯାଇ ଅନେକ ଦୁର୍ନୀତିକୁ ପ୍ରଶୟ ଦିଆଯାଉଚି, ଅନେକ ମିଥ୍ୟାକୁ ପ୍ରଶୟ ଦିଆଯାଉଚି–ତାହାକୁ ଛୋଟ ବୋଲି ଭ୍ରମ କରି ମୁଁ ମଧ୍ୟ ସେଥିରେ ହଁ ମାରୁଚି, ଆପଣାକୁ ଯଥାସମ୍ଭବ ଆପଦଶୂନ୍ୟ ରଖିବାର ମତଲବରେ ମୁଁ ଚୁପ୍ ରହିଯାଉଚି, ଦେଖି ନ ଦେଖିବାର ଭଦ୍ର ଆଚରଣ କରୁଚି । ହୁଏତ ସବୁ କ୍ଷେତ୍ରରେ ଠିକ୍ ଏହିପରି ହେଉଥିବ । ଆପଣାର କର୍ତ୍ତବ୍ୟରେ ଅବହେଳା କରି ହୁଏତ ସମସ୍ତେ ଅପର କ୍ଷେତ୍ରର ଛିଦ୍ରଗୁଡ଼ାକୁ ବଡ଼ କରି ଦେଖାଇ ମନେ ମନେ ସାନ୍ତ୍ୱନା ପାଇ ଯାଉଥିବେ । କିନ୍ତୁ ଧଳାକୁ ଧଳା ଓ କଳାକୁ କଳା ବୋଲି କହି ଆପଣାର କ୍ଷେତ୍ରରୁ ହିଁ ଆପଣାର କର୍ତ୍ତବ୍ୟକୁ ଆରମ୍ଭ କରିବାକୁ ହେବ ।

 

୨୦ । ୭ । ୬୧

 

ମୁଁ ସବୁଠାରେ ମଣିଷର ସ୍ୱୀକାର ହିଁ ଇଚ୍ଛା କରେ । ମୋତେ କେହି କେବଳ ଦାସ ବୋଲି ବ୍ୟବହାର ଦେଖାଉ, କେବଳ ଅଧୀନସ୍ଥ ବୋଲି ମନେକରି ନଚାଇବାରେ ଲାଗିଥାଉ, ମୁଁ ସେଥିଲାଗି ମୋଟେ ପ୍ରସ୍ତୁତ ହୋଇପାରିବି ନାହିଁ । ଜୀବନର ଆଉ ସକଳ ପ୍ରକାରର ଯୁଦ୍ଧରେ ହାରିଯିବି ପଛକେ, ଏହି କ୍ଷେତ୍ରରେ କାହାରି ପାଖରେ କଦାପି ଆତ୍ମସମର୍ପଣ କରିବିନାହିଁ । ବର୍ତ୍ତମାନର ସମାଜ ଭିତରେ ସଫଳ ଓ ପ୍ରତିଷ୍ଠିତ ହେବାକୁ ହେଲେ କେଉଁ କାଇଦାମାନ ହାସଲ କରି କାହାଠାରୁ ସଫଳତାର ସାର୍ଟିଫିକେଟ୍ ପାଇବାରେ ମୋ’ର କୌଣସି ଆଗ୍ରହ ନାହିଁ । ସମାଜର ହାଉଆ ଅଧିକାଂଶ କ୍ଷେତ୍ରରେ ଯେଉଁଭଳି ବହୁଚି, ସେହିଭଳି ହେବାକୁ ଚେଷ୍ଟା କରିବା ମଧ୍ୟ ମୋ’ର ପ୍ରକୃତି ଭିତରେ ନାହିଁ । ମାନିଯିବାକୁ ହିଁ ଏ ଯୁଗରେ ମଣିଷର ଧର୍ମ ବୋଲି ଘୋଷଣା କରାଗଲେ ମଧ୍ୟ ମୁଁ ଏହି ଯୁଗରେ ଧର୍ମଦ୍ରୋହୀ ଅଥବା ଧର୍ମଭ୍ରଷ୍ଟ ହୋଇ ରହିବାକୁ ଚାହେଁ । କାରଣ, ମୋ’ର ମଣିଷ ହେବା ଏବଂ ଜଗତରେ ପ୍ରତ୍ୟେକ ବ୍ୟକ୍ତିର ମଣିଷ ହୋଇପାରିବା ଲାଗି ଅଧିକ ଅନୁକୂଳ ବାତାବରଣ ପ୍ରସ୍ତୁତ କରିବାକୁ ହିଁ ମୁଁ ମୋର ପରମ ଧର୍ମ ବୋଲି ଗ୍ରହଣ କରେ । କର୍ତ୍ତୃତ୍ୱର ଆଘାତରେ ଯେଉଁଠି କର୍ତ୍ତାର କ୍ଷୁଦ୍ର କ୍ଷମତାଲୋଭ ସମସ୍ତଙ୍କୁ ଭୀତ, ଶଙ୍କିତ ଓ ଆକୁଳ କରି ରଖିବାକୁ ଚାହେଁ, ଯେଉଁଠି ମଣିଷ ସହିତ ମୁକ୍ତ ଭାବରେ ସମ୍ମିଳିତ ହେବା ସମ୍ଭବ ହୋଇପାରେ ନାହିଁ, ଯେଉଁଠାରେ ମଣିଷର ସହଯୋଗଠାରୁ ମଣିଷର ଅଧସ୍ତନତାକୁ ହିଁ ଅଧିକ ସ୍ୱୀକାର ଦିଆଯାଏ, ସେହି କ୍ଷେତ୍ର ମୋ’ର ନୁହେଁ, ତାହା ଜୀବନର କ୍ଷେତ୍ର ନୁହେଁ, ତାହା ମଣିଷର କ୍ଷେତ୍ର ନୁହେଁ । ସେହି କ୍ଷେତ୍ରରେ କୌଣସି ପ୍ରକାରର କଲ୍ୟାଣ ସମ୍ଭବ ହୋଇପାରିବ ନାହିଁ । ସକଳ ଆଡ଼ମ୍ବର ସତ୍ତ୍ୱେ ମଣିଷ କେବଳ ମରି ମରି ହିଁ ଯାଉଥିବ ।

 

୨୧ । ୭ । ୬୧

 

ମୋର ସବୁ ଧ୍ୟାନ ଓ ସବୁ ଅନୁରକ୍ତିକୁ ଆଜି ସକାଳର ନାଲି ଟହ ଟହ ପୂର୍ବଦିଗର ଉଦ୍ଦେଶ୍ୟରେ ସମର୍ପଣ କରିଦେଇ ମୁଁ ଧନ୍ୟ ହେଲି । ଜୀବନ ପ୍ରତି ମୋ’ର ସମସ୍ତ ଆସକ୍ତି ଉପରେ ଆଜି ଏହି ରଙ୍ଗର ପ୍ରତିଫଳନ ହୋଇ ମୋ’ର ଜୀବନ ପ୍ରକୃତରେ ଧନ୍ୟ ହୋଇଗଲା । ଆପଣାର ଜୀବନରେ ମୁଁ ଭୁଲଗୁଡ଼ାକୁ ଆଦୌ ବଡ଼ ସ୍ଥାନ ଦେଇପାରେ ନାହିଁ । ଆପଣା ହୃଦୟର ଶାସ୍ତିଘରେ ମୁଁ ଆପଣା ଭିତରର ଅପରାଧୀଟାକୁ ନାନା ଦଉଡ଼ିରେ ବାନ୍ଧି ଧିକ୍‌କାର ଦେଇପାରେ ନାହିଁ । ଏହାକୁ ଯିଏ ମୋ’ର ଗୁଣ ବୋଲି କହୁ ଅଥବା ମୋର ଦୋଷ ବୋଲି କହୁ, ମୁଁ ଯାହା, ମୁଁ ତାହା ହିଁ ହୋଇ ରହିବାକୁ ଚାହେ । ମୁଁ ଏହାକୁ ମନୋବିଜ୍ଞାନର ବହି ପଢ଼ି ଶିଖିନାହିଁ । ଜଗତରେ ନାନା କ୍ଷେତ୍ରରେ ନାନା ଅବସରରେ ନାନା ସୌନ୍ଦର୍ଯ୍ୟ ପ୍ରକାଶ ମୋ’ର ଜୀବନ ଉପରେ ଯେଉଁ ଉଦ୍‌ଭାସ ଆଣି ଦେଇଚି, ସେହି ଉଦ୍‌ଭାସକୁ ଆତ୍ମଗତ କରି ଅନୁଭବ କରିବାକୁ ଚେଷ୍ଟା କରି ହିଁ ମୁଁ ଆପଣାକୁ ଭଲପାଇ ଶିଖିଚି । ମୋ’ ଆପଣା ଭିତରେ ହିଁ ସୁନ୍ଦର ଓ କଲ୍ୟାଣ ଲାଗି ଆସ୍ଥାନ ତିଆରି କରିଚି । ଆପଣା ଭିତରର ମଇଳାଗୁଡ଼ାକୁ ଘୋଡ଼ାଇ ରଖି ନୁହେଁ, ଆପଣା ଜୀବନର ଛିଦ୍ରଗୁଡ଼ାକୁ ଲୁଚାଇ ରଖି ନୁହେଁ, ଆପଣାକୁ ମୁକ୍ତ କରିଦେଇ, ଆପଣାର ସମସ୍ତ ଦ୍ୱାରକୁ ଉନ୍ମୋଚିତ କରିଦେଇ ମୁଁ ସେହି ଆସ୍ଥାନ ପାଖରେ ଆସି ଛିଡ଼ା ହେବାକୁ ସତ୍‌ସାହସ ପୋଷଣ କରିଚି ।

 

୨୨ । ୭ । ୬୧

 

ଏମାନେ କେବଳ କର୍ତ୍ତୃତ୍ୱ ଉପରେ ହିଁ ବିଶ୍ୱାସ କରନ୍ତି, କେବଳ କର୍ତ୍ତୃତ୍ୱକୁ ମାନି ହିଁ ଏମାନେ କଞ୍ଚାବେଳେ ତିଆରି ହୋଇଚନ୍ତି । ମୁକ୍ତ ହୋଇ ଆପଣାର ଜୀବନରେ କିଛି ସମ୍ଭବ କରିବାର ମାଧୁରୀ ଏମାନେ କେଉଁଦିନ ହେଲେ ପାଇନାହାନ୍ତି, ସେଥିଲାଗି ନିଜ ସମାଜରେ କେବଳ କେତେଗୁଡ଼ାଏ କ୍ଷମତାକୁ ଆତ୍ମସାତ୍ କରି ଏମାନେ କର୍ତ୍ତୃତ୍ୱ ଦ୍ୱାରା ହିଁ ଶାସନ କରିବାକୁ ଇଚ୍ଛା କରୁଚନ୍ତି । ଏମାନେ ଅପର ମଣିଷକୁ ମୁକ୍ତି ଦେଇ ଜାଣିନାହାନ୍ତି, କାରଣ ଆପଣାର ଜୀବନରେ ମୁକ୍ତିର ଅନୁଭବ କରିବା ଏମାନଙ୍କର ଭାଗ୍ୟରେ କେବେହେଲେ ଘଟିନାହିଁ । ଏମାନଙ୍କୁ ମାନିବାକୁ ପଡ଼ିବ, ଅର୍ଥାତ୍ ଏମାନଙ୍କର କର୍ତ୍ତୃତ୍ୱରୁ ହିଁ ଏମାନଙ୍କୁ କର୍ତ୍ତା ବୋଲି ମାନିବାକୁ ପଡ଼ିବ । ଏମାନଙ୍କର କଥାରେ କେବଳ ହଁ ବୋଲି କହିବାକୁ ପଡ଼ିବ, ଏମାନଙ୍କର ମିଜାଜ ମିଠା ରଖିବାକୁ ଏମାନଙ୍କୁ ଖୋସାମଦ କରିବାକୁ ପଡ଼ିବ । ଏହି କାରଣରୁ ହିଁ ଏମାନଙ୍କର ଅଶିକ୍ଷିତ ରାଜତ୍ୱରେ କେବେହେଲେ କୌଣସି ଶିକ୍ଷା ସମ୍ଭବ ହୋଇପାରେ ନାହିଁ । ଶିକ୍ଷା ନାମରେ ବଡ଼ ବଡ଼ କୋଠାଘର ଗଢ଼ାହୁଏ । ନାନା ସାମଗ୍ରୀ ଓ ସରଞ୍ଜାମରେ ଆଡ଼ମ୍ବର ବଢ଼ିବାରେ ଲାଗିଥାଏ, ସମାଜରେ ସାଧାରଣତଃ ଏହିମାନଙ୍କର ସ୍ତୁତି ଚାଲିଥାଏ । କିନ୍ତୁ ବାହାରକୁ ଯେତେଯେତେ ଗଢ଼ି ଥୋଇଦେଲେ ମଧ୍ୟ ମନୁଷ୍ୟର ଅନ୍ତର ଭିତରେ ଏମାନେ କିଛି ଗଢ଼ିପାରନ୍ତି ନାହିଁ । ମନୁଷ୍ୟର ଜୀବନରେ ଏମାନେ କୌଣସି ପ୍ରକାର ଯଥାର୍ଥ ପରିବର୍ତ୍ତନ ଆଣିପାରନ୍ତି ନାହିଁ । କାରଣ, ଏମାନଙ୍କର ନିଜ ଜୀବନରେ ମଧ୍ୟ କେଉଁଦିନ କୌଣସି ଯଥାର୍ଥ ପରିବର୍ତ୍ତନ ହୋଇନାହିଁ । ଯାବତୀୟ ଯଥାର୍ଥ ପରିବର୍ତ୍ତନକୁ ଏମାନେ ଡରି ଡରି ଆସିଚନ୍ତି, ତେଣୁ ଆପଣାକୁ କେବଳ ଘୋଡ଼ାଇ ଘୋଡ଼ାଇ ଆସିଚନ୍ତି । ଆପଣାର ଲୋଭ, ମୋହ ଓ କ୍ଷମତାଲିପ୍‌ସାର ଅସତ୍‌ସଙ୍ଗରେ ପଡ଼ି ଏମାନଙ୍କ ଜୀବନର ସକଳ ସଦିଚ୍ଛା ବିଲୁପ୍ତ ହୋଇଯାଇଚି । ଏମାନେ କିଛି ଚାହାନ୍ତି ନାହିଁ । କେବଳ ଆତ୍ମସ୍ଫୀତି ଚାହାନ୍ତି, ସେହି ପୁରୁଣା ଭୟ ଦେଖାଇବା ଉପରେ ଏମାନେ ଭାରି ବିଶ୍ୱାସ କରନ୍ତି । ଏବଂ, ଯେଉଁ ସମାଜ ସେମାନଙ୍କର ବଡ଼ପଣକୁ ପୂର୍ଣ୍ଣ ପ୍ରଶୟ ଦିଏ, ଏମାନେ ସେହି ସମାଜକୁ ସବୁ ଶକ୍ତି ଦେଇ ବଞ୍ଚାଇ ରଖିବାକୁ ଚାହାନ୍ତି ।

 

୨୩ । ୭ । ୬୧

 

ସମସ୍ତେ କହୁଚନ୍ତି, ସେମାନଙ୍କର ସବୁ ଅଛି, କିନ୍ତୁ ତଥାପି ସେମାନେ ଭଲରେ ନାହାନ୍ତି । ଏଥିପାଇଁ ସେମାନେ ବର୍ତ୍ତମାନର ସମୟଟାକୁ ମଧ୍ୟ ଦାୟୀ କରିବାର ମନୋଭାବ ଦେଖାଉଚନ୍ତି । ଚାକିରୀ କରିଚନ୍ତି, ପଇସା ଭଲ କମାଉଚନ୍ତି, ଭଲ ଭଲ ସାମଗ୍ରୀରେ ନିଜର ସଂସାରକୁ ସଜାଇ ରଖିଚନ୍ତି, ସାଧାରଣରେ ଚାରିପଦ ଭଲ କଥା କହି ପାରୁଚନ୍ତି, ଚାରିଜଣଙ୍କ ଠାରୁ ଭଲ ମଣିଷ ବୋଲି ପ୍ରଶଂସା ପାଉଚନ୍ତି;–ତଥାପି ଏମାନେ ଭଲରେ ନାହାନ୍ତି ବୋଲି କହୁଚନ୍ତି । କାହିଁକି ? ନିରାପଦ ନିଶ୍ଚିନ୍ତ ଜୀବନ ଲାଗି ଯାବତୀୟ ଆୟୋଜନ କରିବା ଲାଗି ଚବିଶି ଘଣ୍ଟା ବ୍ୟସ୍ତ ଥାଇ ମଧ୍ୟ ସେମାନେ କ’ଣ ପାଇଁ ନିଶ୍ଚିନ୍ତ ଓ ନିରାପଦ ହୋଇ ରହି ପାରୁନାହାନ୍ତି ? ସେମାନଙ୍କର ଚିନ୍ତା କୋଉଥିପାଇଁ, ଆପଦ ବା କୋଉଥିପାଇଁ ? ମୁଁ ସେମାନଙ୍କ ସହିତ ଆପଣାକୁ ତୁଳନା କରି ଦେଖେ,–ସେତେବେଳେ ମନେହୁଏ, ମୁଁ ତ ବେଶ୍ ଭଲରେ ଅଛି । ସଂସାରରେ ଆପଣାର ପରିବେଶଟିକୁ ସୁଖୀ କରି ରଖିବା ଲାଗି ଯାହା ଦରକାର, ମୁଁ ତାହା ଉପାର୍ଜନ କରିପାରୁଚି, ଆପେ କିଛି ଲେଖିବାକୁ, ପଢ଼ିବାକୁ ବା ବିଚାର କରିବାକୁ ବେଶ୍ ସ୍ଥିର ଅବସର ପାଇପାରୁଚି, ନିର୍ମଳ ଓ ନିର୍ଭୀକ ଭାବରେ ଆପଣାର ମନ ଖୋଲି ସମସ୍ତ କଥା କହିପାରୁଚି । କାହାପାଖରେ ତ୍ରସ୍ତ କିମ୍ବା ନ୍ୟୁନ ହେବାକୁ ପଡ଼ୁନାହିଁ ଅଥବା କାହାକୁ ତ୍ରସ୍ତ କିମ୍ବା ନ୍ୟୁନ କରି ରଖିବାର ଆବଶ୍ୟକତା ମଧ୍ୟ ପଡ଼ୁନାହିଁ । ସମଗ୍ରତଃ ସବୁରି ସହିତ ପ୍ରୟୋଜନାତୀତ ଭଲ ସମ୍ପର୍କ ରହିଚି, ସ୍ନେହ ପାଇପାରୁଚି ଓ ସ୍ନେହ ଦେଇପାରୁଚି;–ତେବେ ଏହି ଜୀବନକୁ ଭଲ ବୋଲି ନ କହିବାର କାରଣ ଆଉ କୋଉଠି ରହିଲା ?

 

୨୪ । ୭ । ୬୧

 

ଯେଉଁଠାରେ ଯେତେବେଶି ପଇସା ରୋଜଗାର ହେଉଚି, ସେଠାରେ ସେତେ ବେଶି ଅସନ୍ତୋଷ ଭର୍ତ୍ତି ହୋଇ ରହିଚି । ଯେଉଁଠାରେ ଏତେ ଟିକିଏ କ୍ଷମତା ବା ସ୍ୱୀକାର ପାଇବା ଲାଗି ମଣିଷ କେତେ ହନ୍ତସନ୍ତ ହୋଇ କେତେ ମିହନ୍ତ କରିବାରେ ବ୍ୟସ୍ତ ରହିଚି, ସେହିଠାରେ ହିଁ ସେତିକି ବେଶୀ ଭୟ ଘର କରି ରହିଚି, ବାହାରର ଆଡ଼ମ୍ବରଟା ଯେଉଁଠି ଯେତିକି ବେଶି ଚମକୁଚି, ଭିତରର ଅନ୍ଧକାରଟା ସେଠାରେ ସେତିକି ବେଶି ହାହାକାର କରିବାରେ ଲାଗିଚି । ତେବେ ସେହିସବୁ ଜୀବନ କ୍ଷେତ୍ରରେ ସେମାନେ ବଞ୍ଚୁଥିବା ଜୀବନକୁ ଭଲ ବୋଲି କହିହେବ କିପରି ? ସେସବୁକୁ ମୁଁ ଜାଣିଶୁଣି ଛାଡ଼ି ଚାଲି ଆସିଚି । ଏହି ସଂସାର ଭିତରୁ ବାହାରି ଆଉ କୁଆଡ଼େ ପଳାଇ ଯିବାକୁ ନୁହେଁ, ଏହି ସଂସାରର ଜୀବନକୁ ଅଧିକ ଗଭୀର ଭାବରେ ଅନୁଭବ କରିବା ନିମନ୍ତେ ମୁଁ ସେହି କଏଦୀ ଘରୁ ବାହାରି ଚାଲି ଆସିଚି । ମୁଁ ପ୍ରକୃତରେ ଭଲରେ ଅଛି । କାରଣ, ଏପର୍ଯ୍ୟନ୍ତ ମଧ୍ୟ ମୁଁ କେତେବେଳେ ହେଲେ ଆପଣାକୁ ଏକୁଟିଆ ବୋଲି ମନେ କରିନାହିଁ । ମୁଁ ଯେଉଁସବୁ କର୍ମଧାରାରେ ନିଜ ଜୀବନର ଅଧିକାଂଶ ସମୟକୁ ବ୍ୟାପୃତ କରି ରଖିଚି, ସେହିସବୁ କର୍ମ ମୋତେ ବାନ୍ଧି ପକାଉ ନାହିଁ, ସଂସାରଠାରୁ ବିଚ୍ଛିନ୍ନ କରିନେଇ ଯାଉନାହିଁ । ଏହି ସଂସାରରେ ଅଭିନୟ କରି ବୁଲିବାକୁ ବା ଆପଣାର ଛୋଟ ମନଟିକୁ ବାହାରେ ବଡ଼ ବୋଲି ଦେଖାଇ ହେବାର ସନ୍ତପ୍ତ ପ୍ରୟାସ କରିବାକୁ ଏହା ମୋତେ ଆଦୌ ବାଧ୍ୟ କରୁନାହିଁ । ମୋ’ର କର୍ମଧାରା ମୋତେ ସଂସାର ସହିତ ଆହୁରି ଏକତ୍ର କରାଉଚି, ଆପଣାକୁ ସଂସାର ଭିତରେ ଆହୁରି ଅଧିକ ବିଶ୍ୱାସର ସହିତ ପ୍ରବୃତ୍ତ କରାଉଚି, ମୋ’ର ଚାରିପାଖରେ ଥିବା ଏହି ସବୁଟିକୁ ଆପଣାର ବୋଲି ଅନୁଭବ କରିବାକୁ ଅଧିକ ପ୍ରେରଣା ଦେଉଚି । ତେଣୁ, ଏହି ଜୀବନରେ ସୁଖ ବା ଶାନ୍ତି ନାହିଁ ବୋଲି କହିଲେ ମୁଁ ଅବଶ୍ୟ ମିଛ କଥା କହିବି । ମୋ’ର କର୍ମ ଓ ମୋ’ର ହୃଦୟ, ମୋ’ର ମନ ଓ ମୋ’ର ହୃଦୟ ଏବଂ ମୋ’ର ସମ୍ପର୍କ ଓ ହୃଦୟ ଭିତରେ ମୁଁ ମର୍ମତଃ କୌଣସି ବିରୋଧ ଥିବାର ଅନୁଭବ କରି ପାରୁନାହିଁ । ବୟସ ବଢ଼ିବା ସଙ୍ଗେ ସଙ୍ଗେ ମୁଁ ପ୍ରସାରିତ ହେବାରେ ଲାଗିଚି । ମୋ’ର ହୃଦୟ ଅଧିକରୁ ଅଧିକ ବିସ୍ତୃତ ହେବାରେ ଲାଗିଚି ।

 

୨୫ । ୭ । ୬୧

 

ଖାଲି ଯନ୍ତ୍ରଟାଏ ଚଳାଇବାର କୌଶଳ ଓ କାରିଗରି ନେଇ ଯିଏ ଆମେରିକା ବା ରୁଷିଆରୁ ଏହି ଦେଶକୁ ଆସିବ, ସିଏ ଏ ଦେଶର ଖୁବ୍ ବେଶୀ ଉପକାର କରିପାରିବ ନାହିଁ । ସେ ଦେଶର ସଭ୍ୟତା ଓ ସମ୍ପନ୍ନତା ଅଧିକ ବୋଲି କେବଳ ଏକ ଅଭିମାନୀ ବାହାଦୁରି ନେଇ ଯିଏ ଏ ଦେଶକୁ ଆସିବ, ସିଏ ତା’ର ସମସ୍ତ ଅର୍ଥ ଓ ସମସ୍ତ ଜ୍ଞାନ ସତ୍ତ୍ୱେ ଏଠି ପ୍ରଧାନତଃ ଅଚ୍ଛବ ହୋଇ ରହିଯିବ । ପଶ୍ଚିମ ଭୂଖଣ୍ଡରେ ବିଜ୍ଞାନ ଓ ଯନ୍ତ୍ରକୌଶଳ ଅତ୍ୟନ୍ତ ଉନ୍ନତ ସୀମାରେ ଯାଇ ପହଞ୍ଚି ପାରିଚି । ଏହି କାରଣରୁ ପ୍ରାଚ୍ୟର ପାତ୍ରରେ ସେଗୁଡ଼ିକୁ ଅଜାଡ଼ି ଦେବାକୁ ଅଭିମାନ ପରବଶ ହୋଇ ଅନେକ ସାହେବ ଏହି ଦେଶକୁ ଆସନ୍ତି । ଏହି ଦେଶରେ ଆଧ୍ୟାତ୍ମିକତା ଓ ଆଧ୍ୟାତ୍ମିକ ଶାସ୍ତ୍ରଚର୍ଚ୍ଚା ଅତ୍ୟନ୍ତ ଉନ୍ନତ ସୀମାରେ ଯାଇ ପହଞ୍ଚି ପାରିଚି । ଏହିପରି ଏକ ଅଭିମାନ ନେଇ ଅନେକ ଭାରତୀୟ ବିଦେଶକୁ ଯାଆନ୍ତି । ଦୁହେଁ କେବଳ ଭୁଲ୍‍ ହିଁ କରନ୍ତି, ଦୁହେଁ କ୍ଷତି ହିଁ କରନ୍ତି । ମଣିଷ ସହିତ ଆତ୍ମୀୟତା ଅର୍ଜନ କରିବାର କଳା ଜଣା ନଥିବାରୁ ସେମାନେ ମଣିଷର ହୃଦୟସ୍ପର୍ଶ କରିପାରନ୍ତି ନାହିଁ । ଜଣେ ମଣିଷ ହିସାବରେ ଆପଣାର ମଧ୍ୟ ପରିଚୟ ଦେଇପାରନ୍ତି ନାହିଁ । ଦେବାର ଧୃଷ୍ଟତା ସେମାନଙ୍କୁ ବିଦେଶରେ କେବଳ ନାନା ଦୁଷ୍ଟତାର ପ୍ରଶୟ ଦେଇଥାଏ । ସେମାନଙ୍କୁ ଅସ୍ୱୀକୃତ ଭାବରେ ଫେରିଯିବାକୁ ହୁଏ ।

 

୨୬ । ୭ । ୬୧

 

ଏହି ସଂସାର ଉପରୁ ମୋ’ର ଏପର୍ଯ୍ୟନ୍ତ ବିଶ୍ୱାସ ତୁଟିନାହିଁ । ମଣିଷ ଭିତରେ ସବୁଠାରେ ଯେ ଅନାହତ ଅନେକ ରତ୍ନ ରହିଚି, ଆମ ସମସ୍ତଙ୍କର ଅନେକ ଦୋଷ ସତ୍ତ୍ୱେ ମଣିଷର ଭବିଷ୍ୟତ ଯେ ଅଧିକରୁ ଅଧିକ ମନୁଷ୍ୟୋଚିତ ହେବାରେ ଲାଗିଚି । ଆପଣା ନିର୍ବୋଧତାରୁ ଘଟାଉଥିବା ନାନା ଦଣ୍ଡ ଓ ଦୁର୍ବିପାକ ବିଷୟରେ ଯେ ଆମେ ଅଧିକରୁ ଅଧିକ ସଚେତ ହେବାରେ ଲାଗିଚୁ, ଆମେ ଭିଆଇଥିବା ସକଳ ଅନ୍ୟାୟ ସତ୍ତ୍ୱେ ଆମର ମନ ଭିତରେ ଯେ କ୍ରମେ ନ୍ୟାୟ ଲାଗି ଅଧିକ ଆକୁଳତା ପ୍ରକାଶ ପାଉଚି, ମୋ’ର ଏହି ବିଶ୍ୱାସମାନ କ୍ରମେ ବଢ଼ିବାରେ ଲାଗିଚି । ଏହି ସଂସାରରେ ମୋ’ର ଯେତେ ଉନ୍ନତି ହେବ ବୋଲି ମୁଁ ଭାବିଥିଲି, ତାହା ହୋଇପାରିଲା ନାହିଁ, ଅନ୍ୟମାନଙ୍କ ଠାରୁ ଯେତେ ସ୍ୱୀକାର ପାଇବି ବୋଲି ମୁଁ ସ୍ୱପ୍ନ ଦେଖୁଥିଲି, ମୁଁ ସେହି ସ୍ୱୀକାର ପାଇପାରିଲି ନାହିଁ, ଅଳସ କଳ୍ପନା ଭିତରେ ବୁଡ଼ି ରହିଥିଲା ବେଳେ ଜୀବନରେ ଯେତେଦୂର ସଫଳ ହେବି ବୋଲି ମୁଁ ଦମ୍ଭ କରିଥିଲି, ସେତେଦୂର ସଫଳ ହୋଇ ପାରିଲିନାହିଁ,–ମୋ’ର ମନ ଭିତରେ ଏହିଭଳି ଭାବନାସବୁ ଆସି ସ୍ଥାନ ପାଇଲାବେଳେ ମୁଁ କେବେ କାହା ପ୍ରତି କୌଣସି ଦ୍ୱେଷ ଅନୁଭବ କରିନାହିଁ । ସଂସାରର ଅନ୍ୟାୟକୁ ମୋ’ ପ୍ରତି ହୋଇଥିବା ଅନ୍ୟାୟର ରଙ୍ଗ ଗୋଳାଇ ଦେଇ ମୁଁ ମୋହଘନ କରିବାକୁ କେବେହେଲେ ଚେଷ୍ଟା କରିନାହିଁ । ସଂସାରରେ ଆଉ କିଏ ମୋ’ ଠାରୁ ଆଗକୁ ବଢ଼ି ଚାଲିଗଲେ, ଆପେ ପଛରେ ପଡ଼ି ରହିଥିବାର ଉପନ୍ୟାସ ରଚି ମୁଁ କଦାପି କୌଣସି ଜ୍ୱଳନ ଭିତରେ ଜଳିବାକୁ ମଧ୍ୟ ଚେଷ୍ଟା କରିନାହିଁ । ମୁଁ ଭଲରେ ଅଛି ବୋଲି ଏହିଥିରୁ ହିଁ ସ୍ପଷ୍ଟ ପ୍ରମାଣ ମିଳୁଚି । ଏହି ସଂସାର ମୋତେ ଆଜି ମଧ୍ୟ ଭଲ ଲାଗୁଚି । ପିଲାର ଆଖିରେ କଅଁଳ ଖରା ଓ ପ୍ରଜାପତିର ରଙ୍ଗ ଆସି ଧରା ଦେଲା ପରି ଏହି ଜଗତ ଆସି ମୋ’ର ଦୃଷ୍ଟିରେ ଧରାଦେଇ ପାରୁଚି । ମଣିଷ ମୋତେ ଭଲ ଲାଗୁଚନ୍ତି ଓ ଏହି ଭଲ ଲାଗିବାର ମଧ୍ୟ ଦେଇ ମୋ’ର ମୋହ ଗୁଡ଼ାକର ମଧ୍ୟ କ୍ରମଶଃ କ୍ଷୟ ହୋଇ ଚାଲିଚି । ଆଜି ସକାଳେ ମୁଁ ପୁଣି ଥରେ ନୂଆ କରି ଅନୁଭବ କରୁଚି ଯେ ମୁଁ ଭଲରେ ଅଛି ।

 

୨୭ । ୭ । ୬୧

 

ପରଚର୍ଚ୍ଚା କରିବାକୁ ବେଳ ନାହିଁ, ଛିଦ୍ରଚର୍ଚ୍ଚା କରିବାକୁ ବେଳ ନାହିଁ । ଆପଣାକୁ ସୁନ୍ଦର ଭାବରେ ସମର୍ପଣ କରିବାକୁ ହିଁ କେବଳ ବେଳ ରହିଚି । ଆମ ସମାଜରେ ଆମେ ଖୁବ୍ ସମ୍ଭବ କେହି କିଛି ନକରିବାକୁ ହିଁ ସଙ୍କଳ୍ପ କରି ବସୁଚୁ । ସେଥିପାଇଁ ଅନ୍ୟର ଚର୍ଚ୍ଚା ଓ ଛିଦ୍ର ଅନ୍ୱେଷଣ କରିବାରେ ହିଁ ଆମର ଅଧିକ ସମୟ ଯାଉଚି । ସେଇଥିରୁ ଆମକୁ ଗୋଟାଏ ପ୍ରକାରର ଆନନ୍ଦ ମିଳୁଚି, ଯାହାର ମାଦକରେ ଭୋଳ ହୋଇ ଆମେ ଆପଣାକୁ ଅନେକ ଉଚ୍ଚତର ବୋଲି ଭାବୁଚୁ । କିନ୍ତୁ ସଂସାରକୁ ଭଲ ପାଇବାକୁ ହେଲେ ଏଭଳି କରିବା ଆଦୌ ଚଳିବନାହିଁ । ଏପରି କରୁଥିବା ପର୍ଯ୍ୟନ୍ତ ଏହି ସଂସାର ଆଦୌ ଭଲ ଲାଗିବନାହିଁ । ଏହି ଜୀବନ ମଧ୍ୟ ଆଦୌ ଭଲ ଲାଗିବନାହିଁ । ନାନା ଦ୍ୱେଷ, ଅତୃପ୍ତି ଆଉ ଗ୍ଳାନିରେ ଆପଣାର ଜୀବନଟା କେବଳ ଦଗଧ୍ ହୋଇ ରହିଥିବ । ସେହି ଜୀବନ ଭିତରେ କଦାପି କୌଣସି ଶ୍ରଦ୍ଧା ପ୍ରବେଶ କରିପାରିବ ନାହିଁ, ସମସ୍ତ ଜ୍ଞାନ ସେଠାରୁ ହତମାନ ହୋଇ ଲେଉଟି ଆସିବ, ଏକ ମାନସିକ ଦୃଷ୍ଟିଗତ ଆଳସ୍ୟର କବଳରେ ପଡ଼ି ସେଥିରୁ ସମସ୍ତ କର୍ମକୁଶଳତା କୁଆଡ଼େ ମରିଉଡ଼ି ଯିବ । ଏ ବାଟ ମୋ’ର ନୁହେଁ, ଏହି ରୀତି ମୋ’ ଜୀବନର ରୀତି ନୁହେଁ । ପନ୍ଦର ବର୍ଷ ପୂର୍ବରୁ ଜୀବନକୁ ମୁଁ ପ୍ରଧାନତଃ ଯେଉଁ ସମ୍ପଦ ବୋଲି ଚିହ୍ନିଥିଲି, ଆଜି ମଧ୍ୟ ସେହି ସମ୍ପଦର ପରିଚୟକୁ ମୁଁ ଆପଣା ଜୀବନଦୃଷ୍ଟିର ପରମ ଅବଲମ୍ବନ କରି ରଖିବି । ସଂସାରରେ ଆଉ ଅଧିକ ଚାଲାଖ ହୋଇ ଆପଣା ପାଖରେ ନିର୍ବୋଧ ହୋଇ ବସିବାକୁ ମୋ’ର ଏତେ ଟିକିଏ ହେଲେ ଆଗ୍ରହ ନାହିଁ, ଏତେ ଟିକିଏ ଲାଳସା ମଧ୍ୟ ନାହିଁ ।

 

୨୮ । ୭ । ୬୧

 

କାଲି ଆକାଶଯାକକୁ ଦେଉଳଦୁଆର ପରି ନିର୍ମଳଧୌତ କରି ରଖିଥିବା ଜହ୍ନ ଆଡ଼କୁ ଅନାଇ ରହିଥିବା ବେଳେ ହଠାତ୍ ମନେହେଲା, ମୋ’ର ଜୀବନଟାଯାକ କ’ଣ ପ୍ରକୃତରେ ବୃଥା ହୋଇଗଲା କି ? ଭିତରେ ପାଠ ବଢ଼ିଲା, ଭିତରେ ଜାଣିବା ଆଉ ବୁଝିବା ସବୁ ବଢ଼ିଲା, ସଂସାର ସହିତ ପରିଚୟ ବଢ଼ିଲା, ମଣିଷ ସହିତ ସମ୍ପର୍କ ବଢ଼ିଲା । ଜଗତଯାକର ସମସ୍ୟା ଗୁଡ଼ିକୁ ଖେଳାଇ ଦେଖିବା ପାଇଁ ଭିତରେ ଅନୁସନ୍ଧିତ୍ସା ବଢ଼ିଲା । କିନ୍ତୁ ନିଭୃତ ସଂସାରବ୍ୟାପୀ ରୀତିରେ ଜହ୍ନକୁ ଅନାଉ ଅନାଉ ଯଦି ପ୍ରାଣ ପୁଲକିତ ହୋଇ ନପାରିଲା, ଯଦି ସ୍ୱାଭାବିକ ଭାବରେ ଆପଣାର ହୃଦୟ ଭିତରେ ଆପଣା ନୀଡ଼ରେ ଥାନ ନମିଳିଲା, ତେବେ ସେହି ଜୀବନକୁ ସାର୍ଥକ ବୋଲି କାହିଁକି ବା କୁହାଯିବ ? ମୁଁ ଜାଣେ, ଅଧିକ ପଢ଼ିବା ଓ ଜାଣିବା ସହିତ ସଂସାରଯାକର ସୌନ୍ଦର୍ଯ୍ୟକୁ ଆପଣାର କରିବାର ଆଦୌ କୌଣସି ବିରୋଧ ନାହିଁ । ସୁନ୍ଦର ସଂସାରର ହୃଦୟରେ ପ୍ରବେଶ କରିବା ଲାଗି ଉପାର୍ଜିତ ସକଳ ଜ୍ଞାନ ପ୍ରଧାନତଃ ସରଣୀ ହୋଇ ରହିବା ଦରକାର, ବାଟ ବତାଇବାଦେବା ଦରକାର । କିନ୍ତୁ ଅନେକ ସମୟରେ ଆମେ ନିଜେ ନିଜେ ଏହି ବିରୋଧଟିକୁ ସୃଷ୍ଟି କରିଥାଉ । ଆପେ ବୌଦ୍ଧିକତାର ନାନାପ୍ରକାର ନୀରସ ସନ୍ତପ୍ତତାରେ ହୃଦୟ ସହିତ ଇନ୍ଦ୍ରିୟଗୁଡ଼ାକୁ ମଧ୍ୟ ଶୁଷ୍କ କରି ରଖିଥାଉ । ନାନା ମୋହାଭିମାନର ଭ୍ରମରେ ପଡ଼ି ଆଖି ସମୟ ଜାଣି ଖୋଲିଯାଇ ପାରେନାହିଁ, କାନ ସମୟ ଜାଣି ଖୋଲି ପାରେନାହିଁ, ଦେହ ସମୟ ଜାଣି ପୁଲକିତ ହୋଇ ଉଠି ପାରେନାହିଁ । ହୃଦୟର ସବୁଯାକ କବାଟ ବନ୍ଦ ହୋଇ ରହିଯାଏ । ଭିତରେ ହୃଦୟ ବୋଲି ଗୋଟାଏ ପଦାର୍ଥ ରହିଚି ବୋଲି ସେତେବେଳେ କହିବାକୁ ମଧ୍ୟ ଲାଜ ଲାଗେ । ହୃଦୟ ଦେଇ ଅନୁଭବ କରିବାକୁ ସେତେବେଳେ ପିଲାଳିଆ ଚପଳତା ବୋଲି ମନେହୁଏ, ବୁଢ଼ା ମନଟା ତାହାକୁ ବର୍ଜନୀୟ ବୋଲି ଜାଣି ପଛରେ ଛାଡ଼ିଦେଇ ଆସେ ।

 

୨୯ । ୭ । ୬୧

 

ଦିନୁଁ ଦିନ ମୋ’ ହାତର ଲେଖା ଖରାପ ହୋଇ ଯାଉଚି କି ? ଅନ୍ତତଃ ଗତ ଗୋଟାଏ ବର୍ଷ ଭିତରେ ଯେ ମୋ’ର ଅକ୍ଷରରେ ଅନେକ ପରିବର୍ତ୍ତନ ହୋଇଚି, ଏଥିରେ କୌଣସି ସନ୍ଦେହ ନାହିଁ । ବାହାରୁ ଦେଖିବାକୁ ଗଲେ ଅକ୍ଷରଗୁଡ଼ିକର ଆକୃତି ଓ ପ୍ରକୃତି ଭାରି ବଦଳି ଯାଇଚି । କିନ୍ତୁ ତା’ଠାରୁ ଅଧିକ ପ୍ରମାଦପୂର୍ଣ୍ଣ କଥା ହେଉଚି ଯେ, ଆଗେ କିଛି ଲେଖି ବସିବାବେଳେ ମୁଁ ମନ ଭିତରେ ଯେପରି ସହଜତା ଅନୁଭବ କରୁଥିଲି, ହାତର ଆଙ୍ଗୁଠି ଭିତରେ ଯେଉଁ ସାବଲୀଳ ଗତିଚଞ୍ଚଳତା ଅନୁଭବ କରୁଥିଲି, ଆଜି ମୁଁ ତାହାକୁ ସତେ ଅବା ଅନେକ ପରିମାଣରେ ହରାଇ ପକାଇଚି । ଏଣିକି ଆଙ୍ଗୁଠି ଭିତରେ କଲମଟା ଭାରିଭାରି ଲାଗୁଚି । ଲେଖିବାକୁ ଆରମ୍ଭ କରିବା ମାତ୍ରକେ ଶୀଘ୍ରାତି ଶୀଘ୍ର ଲେଖା ସାରିଦେବା ବିଷୟରେ ଗୋଟାଏ ବିବଶ ଅଧୀରତା ମୋ’ର ମନକୁ ସନ୍ତପ୍ତ କରି ପକାଉଚି । ତେଣୁ ଅକ୍ଷରଗୁଡ଼ାକର ମୁଣ୍ଡଳା ବୁଲାଇଲା ବେଳକୁ ହାତର ଆଙ୍ଗୁଠି ସବୁ କମ୍ପି କମ୍ପି ଗଲାପରି ମନେ ହେଉଚି । ମୋତେ ଆଉ କ’ଣ କେଉଁ ବେମାରି ଆସି ଛୁଇଁଲାଣି କି ? ଆଗେ ଲେଖିବା ଲାଗି କେତେ ଭଲ ଲାଗୁଥିଲା, ଏଣିକି କିଛି ଲେଖିବାବେଳେ ଆଉ କ’ଣ ଗୋଟାଏ ପ୍ରକାର ମାନସିକ ଭୟ ମୋତେ କାମୁଡ଼ି ବସିବାକୁ ଆସି ପହଞ୍ଚି ଯାଉଚି କି ? ଏହି ବେମାରି ବିଷୟରେ ମୁଁ ଯେତେ ସଚେତନ ହେଉଚି, ବେମାରିଟା ମୋତେ ସେତେ ବେଶି ମାଡ଼ି ବସୁଥିଲା ପରି ମନେ ହେଉଚି ।

 

୩୦ । ୭ । ୬୧

 

ପ୍ରତ୍ୟେକ ମନୁଷ୍ୟକୁ ତା’ର ଆପଣା ପାଖକୁ ଫେରି ଆସିବାକୁ ହେବ । ଆପଣା ଭିତରକୁ ଫେରି ନଆସିଲେ ସମଗ୍ର ମାନବଜାତି ଆପଣାର ବିଲୋପସାଧନ କରିବ ବୋଲି କାଲି ଗୁସ୍ତାଫ୍‌ୟୁଙ୍ଗ୍‌ ମରିବାର ମାସକ ପୂର୍ବରୁ କହି ଯାଇଚନ୍ତି । ଅଧିକରୁ ଅଧିକ ସାମଗ୍ରୀ ଉପୁଜାଇ ଅଧିକରୁ ଅଧିକ ଭୋଗ କରିବ ବୋଲି ଆଧୁନିକ ମଣିଷ ଅନେକ ଦିନରୁ ଆପଣାର ବାହାରକୁ ଚାଲି ଯାଇଚି । ଅଧିକ ବେଗରେ ଓ ଅଧିକ ନିଶ୍ଚିତ ଭାବରେ ଦଉଡ଼ି ପାରିବ ବୋଲି ସିଏ ଆପଣା ସହିତ ଆପଣାର ବନ୍ଧନକୁ ତୁଟାଇଦେଇ ବାହାରି ଆସିଚି । ତା’ର ଆପଣା ଅପେକ୍ଷା ତା’ର ଯନ୍ତ୍ରକୁ ସିଏ ଅଧିକ ଚିହ୍ନିଚି, ତା’ର ଆପଣା ପାତ୍ରକୁ ଭାଙ୍ଗି ସେଥିରୁ ସେ ବିଜ୍ଞାନର ନୂଆ ଢଳେଇରେ ହତିଆରି ମାନ ତିଆରି କରିଚି । ସେଥିଲାଗି ସେ ଆଜି ଚତୁର୍ଦ୍ଦିଗରୁ ସବୁପ୍ରକାରେ ସମ୍ପନ୍ନ ହୋଇ ବସିଥିବା ବେଳେ ଆପଣା ଭିତରେ ସତେ ଅବା ବଡ଼ ନିଃସ୍ୱ ହୋଇପଡ଼ିଚି । ତା’ର ଖୋଳ ଓ ପ୍ରୟୋଜନର ସାମଗ୍ରୀମାନ ଆସି ତା’କୁ ବିଲୁପ୍ତ କରିଦେବାର ଭୟାବହ ଅସ୍ତ୍ରରେ ପରିଣତ ହୋଇଚି-। ଆଜି ମଣିଷର ବାହାରେ ଶାନ୍ତି ନାହିଁ, ଭିତରେ ମଧ୍ୟ ଶାନ୍ତି ନାହିଁ । ବାହାରେ ସବୁ ଭାଙ୍ଗି ପଡ଼ୁଥିବା ସଙ୍ଗେ ସଙ୍ଗେ ତା’ର ଅନ୍ତର ଭିତରେ ମଧ୍ୟ ଯେପରି ତା’ର ସବୁଯାକ ବିଶ୍ୱାସ ଭାଙ୍ଗି ପଡ଼ିବାକୁ ଯାଉଚି । ଏଥର ତା’କୁ ଫେରି ଆସିବାକୁ ପଡ଼ିବ । କିନ୍ତୁ ଫେରି ଆସିବାର ବାଟ ବତାଇଦେବ କିଏ-? ଫେରିଆସି ସେ କରିବ କ’ଣ ? ତା’ଭିତରର ଭଙ୍ଗା ଘରକୁ ପୁଣି କିଏ ସଜାଡ଼ିଦେଇ ପାରିବ ? ଭିତରେ ସବୁ ଉଚ୍ଛନ୍ନ ହୋଇ ପଡ଼ିଚି ବୋଲି ଜାଣି ସାରିବା ପରେ ସେ ଆପଣାର ଭିତରକୁ ଆଜି ଅନାଇବାକୁ ମଧ୍ୟ ଭୟ କରୁଚି । ସେଠାକୁ ଫେରି ଆସିବା ଲାଗି ତା’କୁ ଭାରି ଭୟ ଲାଗୁଚି । କିନ୍ତୁ ତା’ର ଭିତରେ ହିଁ ଯେ ତା’ର ଏକମାତ୍ର ଘର ରହିଚି, କେବଳ ସେହିଠାରେ ହିଁ ଯେ ଶାନ୍ତିର ନୀଡ଼ ନିର୍ମାଣ କରିବାର ଏକମାତ୍ର ସମ୍ଭାବନା ରହିଚି, ଏହି ଆତ୍ମପ୍ରତ୍ୟୟ ତା’କୁ କିଏ ଦେଇପାରିବ ? ରାଜନୀତି, ଶିକ୍ଷା ଓ ଧର୍ମାଚାରଶାସ୍ତ୍ର,–ଆଜି ସବୁଆଡ଼କୁ ଅନାଇଲେ ଯେପରି କେବଳ ଏକ ଅନାସ୍ଥା ହିଁ ମଣିଷକୁ ଅଧିକ ହତାଶ ଓ ତେଣୁ ଅଧିକ ଉନ୍ନତ୍ତ କରି ପକାଉଚି । ଏସବୁ କ୍ଷେତ୍ର ମଣିଷକୁ ଆଉ କୌଣସି ବାଟ ଦେଖାଇ ପାରୁନାହିଁ ।

 

୩୧ । ୭ । ୬୧

 

ଆଜି ଏହି ମେଘମେଦୁର ସକାଳେ ମୋ’ର ସମସ୍ତ ମନର ଘଟ ଉପରେ ପ୍ରିୟ ଡେନ୍‌ମାର୍କର ଛବି ନାଚ ଉଠୁଚି । ମୋ’ର ଜୀବନର ପାତ୍ରଟି ଭରି ତାହାରି ସ୍ମୃତିର ରସ ଉଛୁଳି ଉଠୁଛି । ଆଠବର୍ଷ ତଳେ କୋପେନ୍‌ହେଗେନ୍ ରେଲଷ୍ଟେସନରେ ମୁଁ ସେହି ଦେଶରେ ଥିବା ମୋ’ର ପରିଚିତ ସଂସାରଟିକୁ ବିଦାୟ ଦେଇ ଆସିଥିଲି । ଆଜି ମୋ’ ଭିତରର କେଉଁ ସ୍ନେହପିପାସୀ ପକ୍ଷୀ ସେମାନଙ୍କ ପାଖକୁ ପୁଣି ଉଡ଼ିଯିବାକୁ ଇଚ୍ଛା କରୁଚି । ପାଠପଢ଼ା ସହିତ ଜୀବନର ମଜା ଚାଖିବା ଲାଗି ଏହି ଦେଶରୁ କେତେ ମଣିଷ ଇଉରୋପକୁ ଯାଇଥାନ୍ତି, ଇଉରୋପ କହିଲେ ଅନେକଙ୍କର ଭାବନାରେ ପ୍ରଧାନତଃ ଉପଭୋଗମୟ ଜୀବନର ଏକ ଆଳସ୍ୟବିଳସିତ ଚିତ୍ର ଭାସିଉଠେ । ସେହି ଇଉରୋପରେ ମୁଁ ଚାରିବରଷ କଟାଇଚି । କିନ୍ତୁ ତଥାପି ଇଉରୋପକୁ ମୁଁ ପ୍ରଧାନତଃ ଏକ ବିଳାସର ବାଟିକା ବୋଲି କଦାପି ଭାବିବାର ସମୟ ପାଇନାହିଁ । ସ୍ନେହ–ଉପବାସୀ ମଣିଷର ମନ ଲାଗି ସେଠାରେ ଅବଶ୍ୟ ଆନନ୍ଦ ବିନୋଦନର ବହୁ ଆୟୋଜନ ରହିଚି । ପଇସା ଥିଲେ ଏହିଭଳି ଆୟୋଜନମାନ ଭାରତରେ ମଧ୍ୟ ଅପ୍ରାପ୍ୟ ହେବନାହିଁ । ମୁଁ ଇଉରୋପରୁ ଯେଉଁ ସ୍ନେହ ପାଇଚି, ଯେଉଁ ମାନସିକ ସମ୍ପର୍କ ପାଇଚି, ତାହାରି ମମତା ମୋ’ର ସମସ୍ତ ଉପବାସ ଓ ସମସ୍ତ ଉତ୍‌ଶୃଙ୍ଖଳାତାକୁ କୁଆଡ଼େ ଉଡ଼ାଇନେଇ ଯାଇଚି । ଆଜି ଯେ ମୁଁ ଇଉରୋପକୁ ପୁଣି ଥରେ ସଙ୍ଖୋଳି ଆସିବାକୁ ମନ ବଳାଉଚି, ତାହା କେବଳ ଉପଭୋଗ କରିବାକୁ ନୁହେଁ, ଅତୀତର ସମ୍ପର୍କକୁ ନୂଆ ଖିଅରେ ବାନ୍ଧି ମୁଁ ମଜବୁତ କରିବାକୁ ଇଚ୍ଛା କରୁଚି ।

 

୧ । ୮ । ୬୧

 

ମୁଁ ଅସ୍ଥିର ହେବି ନାହିଁ । ଅସ୍ଥିର ହେବାର କେବଳ ଗୋଟିଏ ମାତ୍ର ପ୍ରଧାନ ହେତୁ ରହିଚି-। ତାହା ହେଉଚି ଅବିଶ୍ୱାସ । ଏ ସଂସାରରେ ସବୁରି ଉପରେ ଅବିଶ୍ୱାସ, ଏହି ସଂସାରରେ କେବେ କିଛି ଭଲ ସମ୍ଭବ ହୋଇପାରିବ ବୋଲି ଅବିଶ୍ୱାସ, ଆପଣା ଉପରେ ମଧ୍ୟ ଅବିଶ୍ୱାସ । ମୋ’ ଦ୍ୱାରା ଯେତିକି ହୋଇପାରିବ, ମୁଁ ସେତକ ଅବଶ୍ୟ କରିବି । ତାହାକୁ ସୁନ୍ଦର ଭାବରେ କରିବାକୁ କୌଣସି ପ୍ରକାର ଚେଷ୍ଟାରେ ତ୍ରୁଟି କରିବିନାହିଁ । ଅନ୍ୟମାନେ ମଧ୍ୟ ସେମାନଙ୍କର କାର୍ଯ୍ୟକୁ ସୁନ୍ଦର ଓ ସହଯୋଗୀ ରୀତିରେ କରନ୍ତି, ସେମାନଙ୍କ ଠାରୁ ମୁଁ ସେହିକଥା ଅବଶ୍ୟ ପ୍ରତ୍ୟାଶା କରିବି, ସେମାନଙ୍କ ମନରେ ନିଷ୍ଠା ଓ ଉତ୍ସାହ ଦେବାଲାଗି ମୁଁ ପ୍ରାଣପଣେ ଚେଷ୍ଟା କରୁଥିବି, କିନ୍ତୁ କଦାପି ଅଧୀର ହୋଇ ପଡ଼ିବି ନାହିଁ । ଯେପରି ହେବାର କଥା, ସେପରି କାହିଁକି ହେଲାନାହିଁ ବୋଲି ମୁଁ ରାଗରେ ଦଗ୍‌ଧ ହୋଇ ପଡ଼ିବିନାହିଁ । ନିର୍ଭୟ ହେବା ମୋ’ର ଅବଶ୍ୟ କର୍ତ୍ତବ୍ୟ, ଠିକ୍ ସେହିପରି ବିନୀତ ହେବା ମଧ୍ୟ ମୋ’ର ଅବଶ୍ୟ କର୍ତ୍ତବ୍ୟ । ନିର୍ଭର ହେବାର ଅତ୍ୟୁତ୍ସାହରେ ଅନେକ ସମୟରେ ବିନୟର ବନ୍ଧ ରହିପାରେ ନାହିଁ ।

 

ସେତେବେଳେ ନିର୍ଭୟ ହେବାଦ୍ୱାରା ଆପଣା ପାଖରେ କେବଳ ହାସ୍ୟାସ୍ପଦ ହେବାକୁ ହିଁ ହୋଇଥାଏ । ଅସମାହିତ ଆଚାର ଦ୍ୱାରା ଅନ୍ତର ଭିତରଟା ମଧ୍ୟ ଭାରି ଅବଶ ହୋଇପଡ଼େ । ସବୁଠାରେ ଖାଲି ଧକ୍‌କା ଖାଇ ଆସିଲାପରି ଲାଗେ । ଆପଣା ପାଖରେ ମଧ୍ୟ ଆହତ ହୋଇ ପଡ଼ିଲା ପରି ମନେହୁଏ । ଗୋଟାଏ ପ୍ରକାରର ପରାଜୟ ମନୋଭାବର ଲାଜ ଆପଣାକୁ ଖାଇଯାଏ-। ଏପରି ହତଶିରୀ ହେବା ମୋ’ ଜୀବନରେ ଏକାଧିକ ବାର ଘଟିଚି । ଯେତିକି ଥର ଧୈର୍ଯ୍ୟ ହରାଇଚି, ସ୍ଥିରତା ହରାଇଚି, ସେତିକି ଥର ଆପେ ଦୁର୍ବଳ ହୋଇ ପଡ଼ିଚି । ଆପଣା ଭିତରେ ବଡ଼ ଲଜ୍ଜିତ ହୋଇ ପଡ଼ିଚି ।

Image